ଦୁନିଆ
ଦୁନିଆ
ପ୍ରଥମ ଦୁନିଆରୁ ବିଦାୟ ମାଗି ଦ୍ୱିତୀୟ ଦୁନିଆକୁ ଆତ୍ମା ଯିବା ପାଇଁ ପ୍ରସ୍ତୁତ ହୋଇ ସାରିଥାଏ । ଏମିତିକି ଆତ୍ମାକୁ ପାଛୋଟି ନେବାକୁ ଯମଦୂତଙ୍କ ମଧ୍ୟ ଆଗମନ ସରିଥାଏ । ସେଭଳି ଏକ ଦୁଃଖଦ ମୁହୂର୍ତ୍ତରେ ବୟସ ସରିବା ପୂର୍ବରୁ ଅଚାନକ ପରିବାରକୁ ଭସେଇ ଦେଇ ଚାଲିଯାଉଥିବା ଦୁଃଖରେ ଆଖି ଭିଜିବା ପରିବର୍ତ୍ତେ ଏକ ଶେଷ ସୁଖର କଳ୍ପନାରେ କଳ୍ପନାଶ୍ରୀ ହୋଇ ପହଞ୍ଚି ଯାଏ ତୃତୀୟ ଦୁନିଆ ସ୍ୱପ୍ନର ଦୁନିଆକୁ ।
ଆତ୍ମା ସ୍ୱପ୍ନ ଦେଖିବାକୁ ଆରମ୍ଭ କରେ ୨୦୨୦ ମାର୍ଚ୍ଚ ମାସରୁ । ଯେଉଁ ମାସଠୁ କରୋନା ନେଇଥାଏ ଭୟଙ୍କର ରୂପ । ସେଇ ମାସରେ ଉକ୍ତ ଆତ୍ମାର ଅନୁଭୂତିରେ କରୋନା ନା ଆସିଛି ଦେଶକୁ ନା ଗ୍ରାସିଛି ମଣିଷଙ୍କୁ । ବରଂ ସମସ୍ତେ ପୂର୍ଣ୍ଣ ରୂପେ ମୁକ୍ତ ବିହଙ୍ଗ ପରି ନିଜ ଦେଶ ପରିଭ୍ରମଣ କରୁଥାନ୍ତି ସ୍ୱଚ୍ଛନ୍ଦରେ । ସେ ମଧ୍ୟ ନିଜ ବାପା ମା' ସ୍ତ୍ରୀ ପୁଅଙ୍କୁ ନେଇ ଯାଇଥାଏ ଓଡିଶା । ଓଡିଆ ତଥା ହିନ୍ଦୁ ମାନଙ୍କର ସ୍ୱର୍ଗ ତଥା ମୁକ୍ତିର ଘର ପ୍ରଭୁ କାଳିଆ ଠାକୁରଙ୍କ ଦ୍ୱାର । ଯେଉଁଠିକୁ ସେ ବାଲ୍ୟ କାଳେ ଥରେ ମାତ୍ର ଆସିଥିଲା ହେଲେ କିଛି ସ୍ମୃତିପଟରେ ନଥିଲା । କେବଳ ଫଟୋ ଦେଖି ସେ ବିଶ୍ବାସ କରୁଥିଲା ଯେ ସେ ଯାଇଥାଏ । ହେଲେ ଏଇ ୨୦୨୦ ତା ପାଇଁ ଦୀର୍ଘ ଦିନର ଅଭିଲିପ୍ସାକୁ ପୂର୍ଣ୍ଣ କରିବାର ବର୍ଷଟିଏ । ସେ ଜୀବନର ୩୮ ବର୍ଷରେ ବୋଧେ ୩୮୦୦୦ ଥର ଛଟପଟ ହୋଇଥିବ ପୁରୀକୁ ଯିବା ପାଇଁ ହେଲେ କେବେ ଡାକରା ନଥିବାରୁ ସେ ଯାଇପାରୁ ନଥିଲା । ଏଇ ବର୍ଷ କିନ୍ତୁ ଠାକୁର ଡାକିବାରୁ ସେ ଯାଇଛି ।
ବଡ ଠାକୁରଙ୍କ ବଡ ମନ୍ଦିର, ବଡ ତାଙ୍କ ଚାକି ଚାହାଣୀ, ତୁଳସୀର ବାସ, ପ୍ରସାଦର ସ୍ୱାଦ, ସମୁଦ୍ରର ଶାନ୍ତ ଓ ଉଗ୍ର ମିଶା ଗର୍ଜନ ଏବଂ ଛ' ଖଣ୍ଡ କାଠେ ମୁକ୍ତ ପାଉଥିବା ଶରୀର ଆଦିର ଚିତ୍ର ସବୁ ନିଜ ଆଖିରେ ଦେଖି ଶାନ୍ତି ପାଇଥାଏ । ତା ସହ ଓଡିଆଙ୍କ ଜାତି ଜାତିକା ଖାଦ୍ୟ ଓ ତା ସ୍ୱାଦରେ ସେ ବିଭୋର ହୋଇ ପଡୁଥାଏ । ସେଠୁ ପୁଣି କୋଣାର୍କର କାରୁକାର୍ଯ୍ୟ ଯାହା ପୁସ୍ତକରେ ପାଠ କରି ଭୁଲି ସାରିଥାଏ ସେଇ ସବୁର ସତ୍ୟତା ପୁଣିଥରେ ବୁଝିହୁଏ । ଅନୁଭବ କରିହୁଏ ସେଇ କାରିଗରଙ୍କ କଳାକୁ। ତାଙ୍କ ହାତରେ ଥିବା ସୌନ୍ଦର୍ଯ୍ୟ ସବୁକୁ । ଏହା ବ୍ୟତୀତ ସେଇ ଝାଉଁବଣ ମଧ୍ୟ ନିଜ ପ୍ରେମରେ ତାଙ୍କୁ ଫସେଇ ଦେବାରେ କୌଣସି ପ୍ରକାରରେ ବିଫଳ ହୁଏନାହିଁ ।
ଏତେ ସବୁ ବୁଲା ବୁଲି ସାରି ସେମାନେ ପୁଣି ଫେରିଯାନ୍ତି ଘରକୁ । ବୁଲି ଦେଖି ଫେରିବା ପରେ ମଧ୍ୟ ପୁରୀର ମୋହ କମିବା ପରିବର୍ତ୍ତେ ବଢିଯାଏ । କେବଳ ଏତିକି ନୁହେଁ ୨୦୨୦ ବର୍ଷଟି ପ୍ରକୃତରେ ତାଙ୍କ ପାଇଁ ସୌଭାଗ୍ୟର ବର୍ଷଟିଏ । ପୁରୀରୁ ଫେରି ଜାଣିବାକୁ ମିଳେ ଯେ ତାଙ୍କ ଚାକିରିରେ ପଦୋନ୍ନତି ହୋଇଛି । ସତ କହିବାକୁ ଗଲେ ଏଇ ପଦୋନ୍ନତି ସେ ଅନେକ ଦିନରୁ ଚାହିଁ ରହିଥିଲେ ହେଲେ ଏଇ ବର୍ଷ ତାଙ୍କକୁ ଆସିଛି ।
୨୦୨୦ର ଅକ୍ଟୋବର ମାସରେ ତାଙ୍କ ଜୀବନରେ ଅନ୍ୟ ଏକ ଖୁସିର ଆଗମନ ହୋଇଛି । ଘରଟିଏ କିଣିବାର ଇଚ୍ଛା ତାଙ୍କ ସଫଳ ହୋଇଛି । କେବଳ ସେ ନୁହଁନ୍ତି ସେ ଦେଖୁଛନ୍ତି ବିଶାଳ ବିଶ୍ଵରେ ଏଇ ବର୍ଷ ପ୍ରାୟ ଲୋକ ହସି ହସି ଜୀବନରେ ବଢୁଛନ୍ତି । ଅନ୍ୟ ବର୍ଷ ଯେମିତି ଅଂଶୁଘତ, ବନ୍ୟା, କାଳବୌଶାଖୀ, କୁଆପଥର ମାଡ, ଭୀଷଣ ଶୀତ ଆଦିରେ ଜୀବନ ଅକାରଣେ ଚାଲିଯାଏ ସେ ସବୁ ଏଇ ବର୍ଷ ନାହିଁ । ବରଂ ଏଇ ବର୍ଷ ସଭିଏଁ ଭଲରେ ଅଛନ୍ତି ।
ଏତେ ସବୁ ଭାବନା ଶେଷ ହେବାକୁ ନାମ ହିଁ ନେଉ ନଥିବା ବେଳେ ଯମଦୂତଙ୍କ ଚେତାବନୀରେ ଆତ୍ମା ବାସ୍ତବତାକୁ ଆସେ । ସେ ଦେଖେ ଓଲଟା ସବୁ । କୁଢ କୁଢ ଶବ ତା ଭଳି ଗଦା ହୋଇଛି । ଏକା ସଙ୍ଗେ ଜଣେ କି ଦି ଜଣ ନୁହଁନ୍ତି ଶହ ଶହ ଆତ୍ମାକୁ ବାନ୍ଧି ନେବାକୁ ଯମଦୂତଙ୍କ ବିରାଟ ବାହିନୀ ଆସିଛି । କିଏ ବୃଦ୍ଧ କିଏ ଯୁବକ ସଭିଙ୍କୁ କରୋନା ନାମକ ରୋଗ ଖାଇଦେଇଛି । ୨୦୨୦ ସବୁ ବର୍ଷଠୁ ବେଶୀ ମାତ୍ରରେ ଘାତଙ୍କର ମାସ ହୋଇଛି । କେତେ ଘର ଖାଲି କରିଛି କେତେ ମଥା ଖାଲି ହୋଇଛି । ଅସଂଖ୍ୟ କୋଳ ହୋଇଛି ଶୂନ୍ୟ । ସେଇ ଭିତରେ ଏଇ ଅଳ୍ପ ସମୟ ପୂର୍ବରୁ ସ୍ୱପ୍ନର ଦୁନିଆରେ ବୁଲୁଥିବା ସେ ନିଜେ ମଧ୍ୟ ଜଣେ । ଅନ୍ୟ ମାନଙ୍କ ପରି ତାର ମଧ୍ୟ ଘରେ ଏବେ ଦୁଃଖର କାଳିମା ପଡିଥିବ । ଛୁଆଙ୍କୁ ଖୁଆଉଥିବ କିଏ ! ପତ୍ନୀ ଥିବ କେଉଁ ଅବସ୍ଥାରେ ! ମା' କଣ ଧୈର୍ୟ୍ଯ ଧରିପାରିଥିବ ! ବାପା କେମିତି ଛାତିକୁ ପଥର କରିଥିବେ ! କରୋନା ଏଇ ବର୍ଷ ଆସି ସବୁ ବର୍ଷଠୁ ଅଧିକ ଦୁଃଖ ଦେଇଛି । ପ୍ରାକୃତିକ ତାଣ୍ଡବଲୀଳା ସହି ସହି ଅଣ୍ଟା ଯେବେ ନଇଁ ନପଡେ ମଣିଷର ଭୁଲରେ ଭୟଙ୍କର ରୂପ ନେଇଥିବା ରୋଗ ସବୁକିଛି ଭାଙ୍ଗି ଦେଇଛି ।
କରୋନା ହୋଇ ନଥିବାର ଅନୁଭବ କେତେ ସୁଖଦ ହେଲେ ଏଠିତ ସଭିଙ୍କୁ କରୋନା ଖାଇଛି । ସମସ୍ତେ ଘରେ ବନ୍ଦୀ । ରାଜ ରାସ୍ତା ଖାଲି । କେବଳ ଭିଡ ଡାକ୍ତରଖାନା ଏବଂ ଶ୍ମଶାନରେ । ସତ୍ୟକୁ ବୁଝିବା ପରେ ଆତ୍ମା ପ୍ରଥମ ଦୁନିଆକୁ ଛାଡି ଚାଲିଯାଉଥାଏ ଦ୍ୱିତୀୟ ଦୁନିଆକୁ । ଯମଦୂତଙ୍କ ଶବାରୀରେ ଅନ୍ୟ ମାନଙ୍କ ସହ ବସି ଅଜଣା ଦୁନିଆର ସଦସ୍ୟ ହୋଇ ନାମାଙ୍କନ କରି ସେ ମିଶିଯାଏ ଆକାଶର ତାରାଟିଏ ହୋଇ ।
