ସତ ନା ସ୍ବପ୍ନ ?
ସତ ନା ସ୍ବପ୍ନ ?
ଗୋଟେ ଲମ୍ବା ଯାତ୍ରାରେ କାର୍ ନେଇ ବାହାରନ୍ତି ଶୈଳଜା ଆଉ ସିମାନୁ । କାର୍ ଡ୍ରାଇଭିଂ ସିଟ୍ରେ ସିମାନୁ ବସିଥାନ୍ତି ପାଖ ସିଟରେ ଶୈଳଜା । କେତେ କିଲୋମିଟର ଗଲା ପରେ ଗୋଟେ ଭୟଙ୍କର ଶୁନଶାନ୍ ରାସ୍ତା ପଡେ ହଠାତ୍ ଗାଡ଼ି ଆଗରେ ଗୋଟେ ଛାୟା ମୂର୍ତ୍ତି ତାପରେ ସିମାନୁ ହଡବଡେଇ ଯାଇ କାରକୁ କଡ଼କୁ ନେଇ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁ କରୁ ଗୋଟେ ବଡ ବରଗଛରେ କାରଟି ପିଟି ହୋଇଯାଏ ଆଉ ତାପରେ ସିମାନୁର ରକ୍ତ ଜୁଡୁ ବୁଡୁ ମୁଣ୍ଡକୁ ଦେଖି ଶୈଳଜା ବି ବେହୋସ୍ ହୋଇଯାଏ ।
ତାପରେ , ତାପରେ ଆଉ କିଛି ନାହିଁ ଏତିକି ମାତ୍ର ସ୍ୱପ୍ନ ସବୁବେଳେ ଦେଖେ ଶୈଳଜା । ଆଗକୁ କଣ ହୁଏ କିଛି ବି ଜାଣିନି ସେ ସେତିକିରେ ସେ ଅଟକି ରହେ । ଆଉ ସବୁବେଳେ ଚିନ୍ତାରେ ରହିଥାଏ ସେ ସ୍ୱପ୍ନକୁ ନେଇ । ସିମାନୁକୁ ବି ବାରମ୍ବାର ତା ନିଦରେ ଆସୁଥିବା ସେ ସ୍ୱପ୍ନ ବିଷୟରେ କୁହେ କିନ୍ତୁ ସିମାନୁ ହସି ଦେଇ କୁହନ୍ତି , କାଇଁ ଅଯଥା ଚିନ୍ତା କରୁଛ ଶୈଳୀ ସ୍ୱପ୍ନ ସବୁବେଳେ ସ୍ୱପ୍ନ ବାସ୍ତବତା ସହ ତାର କୈାଣସି ସମ୍ପର୍କ ନଥାଏ । ଶୈଳଜା ଆଶ୍ୱସ୍ତ ହୁଏ ।
ଏଥର ଅଫିସ୍ ଛୁଟି ପରେ ସିମାନୁ ପ୍ରୋଗ୍ରାମ କରନ୍ତି କାର୍ରେ ମା ତାରିଣୀ ଦର୍ଶନ ପାଇଁ । କିନ୍ତୁ ଶୈଳଜା ମନକୁ ପାପ ଛୁଏଁ ସେ ମନାକରେ , ନାଇଁ ଆମେ କାର୍ ନେଇ ଯିବାନି ଏତେ ଦୂର ବରଂ ଥାଉ ତାରିଣୀ ଦର୍ଶନ ପରେ କେବେ କରିବା ।
ସିମାନୁ ହସିକି କୁହେ , ଆରେ ତୁମେତ ମୋତେ ସବୁବେଳେ କୁହ ବହୁତ ଦିନର ଆଶା ଅଛି ତମର ତାରିଣୀ ଦର୍ଶନ ପାଇଁ ଯିବାକୁ , ଆଉ ଏବେ କ'ଣ ହେଲା ?
ଶୈଳଜାର ଶୁଖିଲା ମୁହଁ ଦେଖି ସିମାନୁ ବୁଝି ଯାଏ ସେଇ ସ୍ଵପ୍ନକୁ ନେଇ ତା ଶୈଳୀ ଚିନ୍ତାରେ ଅଛି ବୋଲି ।
ସିମାନୁ କହିଲା , ଆରେ କିଛି ବି ଅଯଥା ଚିନ୍ତା କରନି । ମା ତାରିଣୀ ସବୁ ବିଘ୍ନ ଟାଳି ଦେବେ ତାଙ୍କ ଦର୍ଶନ ପାଇଁ ଯାଉଛୁ ମାନେ ଆମର କିଛି ବି ଅସୁବିଧା ହେବନି । ଚାଲ ଏଇ ମଙ୍ଗଳବାର ଦିନ ଏକଦମ୍ ଭୋର୍ ରୁ ଆମେ ବାହାରିବା ।
ସେମିତି ହିଁ ହେଲା , ଅତି ଭୋର୍ ରୁ ଦୁହେଁ ପ୍ରସ୍ତୁତ ହେଲେ ।
ଗାଡ଼ି ଚାଲିଲା ଠିକ୍ ଦୁଇ ଶହ କିଲୋମିଟର ଯିବା ପରେ ହଠାତ୍ ଆକାଶ ମେଘାଚ୍ଛନ୍ନ କରି ପରିବେଶ ଏକଦମ୍ ଅନ୍ଧାର କରିଦେଲା । ତାପରେ କେତେ କିଲୋମିଟର ଗାଡ଼ି ଯାଇଛି କି ନାହିଁ , ହଠାତ୍ ଗାଡ଼ି ସାମ୍ନାକୁ ଗୋଟିଏ ଛାୟା ମୂର୍ତ୍ତି ଚାଲି ଆସିଲା , ସିମାନୁ ହଡବଡେଇ ଯାଇ ହଠାତ୍ କ'ଣ କରିବେ କିଛି ବୁଝି ପାରିଲେନି , ଗାଡ଼ିକୁ ସାଇଡ୍ କରୁ କରୁ ସାମ୍ନା ଗଛରେ ପିଟି ଦେଇଥିଲେ । ସିମାନୁର ମୁଣ୍ଡ ଷ୍ଟେରିଙ୍ଗ୍ରେ ବାଜି ରକ୍ତାକ୍ତ ହୋଇଗଲା । ଶୈଳଜା ସାମ୍ନାକୁ ହାତ ଦେଇଥିଲା ବୋଲି ମୁଣ୍ଡ ସିନା ତାର କିଛି ହେଲାନି ହେଲେ ସିମାନୁର ଏ ଅବସ୍ଥା ଦେଖି ସେ ଏକଦମ୍ ଦୂର୍ବଳ ହୋଇ ପଡ଼ି ବେହୋସ୍ ହୋଇଗଲା ।
ତାପରେ ତାଙ୍କ ସହ କଣ ଘଟିଛି ସେମାନେ କେହି ଜାଣି ନାହାଁନ୍ତି । ଶୈଳଜା ଆଖି ଖୋଲିଲା ବେଳକୁ ସେ ମେଡିକାଲ ବେଡରେ ନିଜକୁ ପାଉଛି । ଡକ୍ଟରଙ୍କୁ ପଚାରିଛି ତାଙ୍କ ସ୍ୱାମୀଙ୍କ କଥା । ଡକ୍ଟର କୁହନ୍ତି , ସେ ଆଉ ନାହାନ୍ତି , ଏଠିକି ଆସିଲା ବେଳକୁ ବ୍ଲିଡିଂ ବହୁତ ବଢ଼ି ଯାଇଥିଲା ତେଣୁ ଆମେ ଆଉ ପାରିଲୁନି ସରି । ଶୈଳଜା ଭାଙ୍ଗି ପଡେ ।
ଯୋଉ ସ୍ୱପ୍ନ ତାକୁ ବାରମ୍ବାର ଚହଲାଏ ଡରାଏ ଭୟଭୀତ କରି ରଖେ । ଆଜି ତାହା ସତ ହୋଇ ଯାଇଛି । ସେ ଯଦି ସିମାନୁ କଥା ନରଖି ନମାନି ତାଙ୍କ ସହ ଯାଇ ନଥାନ୍ତା କି ତାଙ୍କୁ ଏକା ଛାଡ଼ି ନଥାନ୍ତା ତେବେ ଆଜି ହୁଏତ ସେ ସୁରକ୍ଷିତ ଥାଆନ୍ତେ ।
ଯାହା ହେବାର ଥିବ ତାକୁ ବା କିଏ ଟାଳି ପାରିବ । ଆଖି ଲୁହ ଓଠରେ ପିଇ ଶୈଳଜା ବନ୍ଧୁ ବାନ୍ଧବ ସମସ୍ତଙ୍କ ସହଯୋଗରେ ସିମାନୁଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସାରିଦେଲେ ।
ସିମାନୁ ସହ କଟେଇ ଥିବା ମୁହୂର୍ତ୍ତ ସବୁକୁ ମନେ ପକାଉ ପକାଉ ଟିକେ ଆଖି ଲାଗି ଯାଇଛି ତ କେହି ଜଣେ କବାଟ ଠକ୍ ଠକ୍ କଲେ ।
ଶୈଳଜାର ବିଲକୁଲ ଇଚ୍ଛା ନଥିଲେ ବି ସେ ବାଧ୍ୟରେ ଯାଇ କବାଟ ଖୋଲିଲା । କିନ୍ତୁ ସାମ୍ନାରେ ଏ କଣ ଦେଖୁଛି । ସିମାନୁ ଅଫିସରୁ ଫେରନ୍ତା ଡ୍ରେସରେ ବ୍ୟାଗକୁ ସୋଫା ଉପରେ ପକେଇ ଦେଇ ପଶିଗଲେ ବାଥରୁମକୁ ଧୁଆଧୋଇ ସାରି ବାହାରିଲା ବେଳକୁ ଶୈଳଜା ସେମିତି ସିମାନୁକୁ ଚାହିଁ ରହିଛନ୍ତି ।
ସିମାନୁ ହସି ହସି କହିଲେ -" ଏମିତି ଭୂତ ଦେଖିଲା ଭଳି ହାଁ ଟା କରି ଚାହିଁଛ କଣ ? ଆଜି ଚାହା କରିବନି କି ?
ତଥାପି ଶୈଳଜାକୁ ବିଶ୍ୱାସ ହେଉନଥିଲା ତା ସାମ୍ନାରେ ଠିଆ ହୋଇଥିବା ତାଙ୍କ ସ୍ୱାମୀ ସିମାନୁ ସତ ନା ସ୍ୱପ୍ନ !?