STORYMIRROR

Lopamudra Parida

Drama Action Inspirational

4  

Lopamudra Parida

Drama Action Inspirational

ଦିଗ

ଦିଗ

4 mins
236


ସିଏ ଭଲ ପଢୁଥିଲା,ସ୍କୁଲରେ ଟପ୍ କରୁଥିଲା, କଲେଜରେ ତା' ଚେହେରା ଠୁ ନେଇ ତା' ନମ୍ବର ଯାଏ ସବୁ ପଛରେ ଝିଅ କଣ ପୁଅ ମାନେ ବି ପ୍ରଶଂସାର ପୋଲ ବାନ୍ଧୁଥିଲେ ।କେହି ତାର ନା ପ୍ରତିଦ୍ବନ୍ଦୀ ଥିଲେ ନା ବିରୋଧୀ । ଶତ୍ରୁଜିତ ଥିଲା ସେ ।ଏକଦମ ନିର୍ବିକାର । ମହୀଖୁଣ୍ଟ ପରି । ସମସ୍ତେ ତାର ଆଦର ହିଁ କରୁଥିଲେ, କେବଳ ସସମ୍ମାନେ ଆଦର ।ସେ କିନ୍ତୁ କିଛି ଖୋଜୁଥିଲା ପରି ଥିଲା ।ଏ ଚାରିପଟର ପ୍ରଶଂସା ବଗିଚାରେ ସିଏ ଭ୍ରମର ପରି ନଥିଲା ଥିଲା ବାସ୍ନାୟିତ ସମୀର ପରି ଯାହା ବାତାୟନ ଦେଇ ଆସେ ତ ନିଶ୍ଚେ କିନ୍ତୁ ଦିଶେନି ଖାଲି ଅନୁଭବ କରିହୁଏ ଯାହା ତାର ଉପସ୍ଥିତି ଉପସ୍ଥିତ ମହକରେ, ଛୁଇଁ ଛୁଇଁ ଯାଉଥିବା ପୁଲକରେ ।


ସେ କାହିଁକି ଏମିତି ଥିଲା ବୋଲି ଯେତିକି ଆଶ୍ଚର୍ଯ୍ୟ ଆମେ ଥିଲୁ ତା ଠୁ ବେଶୀ କାରଣ ଟା କଣ ହେଇଥାଇ ପାରେ ତା ବୈରାଗୀପଣର ବୋଲି ଘାରି ହଉଥିଲୁ ପ୍ରତିଥର ସିଏ ଆଖି ଆଗକୁ ଆସିବା ମାତ୍ରେ ।କଲେଜ କ୍ଯାମ୍ପସରେ ସେ ସବୁଠୁ ଗହଳ କୃଷ୍ଣ ଚୂଡା ତଳେ ସିଏ ଦୂରରୁ ଦିଶେ ହାଲକା ନୀଳ ସୂତା ସାର୍ଟ ଟେ ପିନ୍ଧି ହଜିଯାଇଥିବା ମାଣିକ୍ଯ ଖୋଜୁଥିବା ସିନ୍ଦବାଦରରାଜକୁମାର ପରି ।ହାତରେ ଧରିଥାଏ ଚାଖଣ୍ଡେରୁ ବି ଛୋଟ ନୋଟପ୍ଯାଡ୍ ଟେ ଆଉ ସେଲୋଗ୍ରୀପର କଲମଟେ..... ଆକାଶରୁ କଣ ସବୁ କିଏ ଡାକିଦେଲା ପରି କଣ ସବୁ ଟିପୁଥାଏ । ନହେଲେ ଆମ ସହ ଠିଆ ହେଇ ଚା' ଖଟ୍ଟିରେ ଆମ ଦୁନିଆ ଯାକର ହସଖିଲିପାନ କୁ ଆଖିରେ ଦେଖୁ ଦେଖୁ ହସୁଥାଏ ନିରୁତ୍ତରରହି ।ଆଉ ଅଧା ସମୟ ତାର କଟେ ବହି, ସେପଟ ନିଛାଟିଆ କେନାଲ ପୋଲ ତଳ ଚିକମିକ ପାଣି ଆଉ ଆକାଶ ସାରାଟାର ତାରା ମାନଙ୍କୁ ନେଇ ଗୁଫ୍ତଗୁ କରୁଥାଏ ।ଗୋଟେ ନିଷ୍କପଟ ଆକର୍ଷଣ ତା' ଦିଗକୁ ପୁରା କାୟନାତ କୁ ଟାଣୁଥାଏ ।ଏତେ ନିରୀହ କେମିତି ହେଇପାରେ କଲେଜ ପଢୁଆ ପୁଅଟେ !


ଆମର କଲେଜ ସରିଲା । ସିଏ ତାର ନିର୍ବିଘ୍ନ ଆଭା କୁ ଅକ୍ଷୁର୍ଣ୍ଣରଖି କଲେଜରୁ ଯାଇ ରିଷିକେଶ ଆଇ ଆଇ ଟିରେ ସିଟ୍ ପାଇଗଲା ଥରକରେ ।ଆଇ ଆଇ ଟି ଯାହା ସହସ୍ର ମନର ସ୍ବପ୍ନ ଆଉ ଚେଷ୍ଟା ତାର ହାତ ପାହାନ୍ତାରେ ଥିଲା ।ସିଏ କିନ୍ତୁ ମୂର୍ତ୍ତିବତ୍ତ ସ୍ଥିର ଥିଲା ।ତା ନାଆଁ ଟା କଣ ଥିଲା ଟି ? ହଁ ସେଇଟା ବି ଗୋଟେ ବିଚିତ୍ର ନାଆଁ ... କୋଉ ଗୋଟେ ମାନ୍ଧାତା ମୁନିରୂଷି ନାଆଁ ଟେ ।


କଲେଜ କ୍ଯାଣ୍ଟିନ୍ ରେ ଗୋଲ କରି ଗ୍ରୁପ୍ରେ ବସି ଥିବା ଏବେକାର ବ୍ଯାଚ ପିଲେ ଆଗ୍ରହରେ ଶୁଣୁଥିଲେ ତାଙ୍କରି କଲେଜର ଜଣେ ଆଲୁମିନି ଛାତ୍ରର କଥା ।କହୁଥିଲା ସେଇ ସମୟର ଆଉ ଏକ ଆଲୁମିନି ଯିଏ ଏବେ ଏଇଠି ଲେକ୍ଚରସିପ କରୁଥିଲା ।ପିଲେ ପୁଣି ପଚାରିଲେ ତା ପର କଥା ଶୁଣିବାକୁ, ସେ ପୁଣି ମଙ୍ଗୁଆଳ ସାଜିଲା ଆଉ ବାଟ କଢେଇ ନେଲା।


_ ହଁ ସେରିଷି କେଶର ରିଷିପୁତ୍ର ପାଲଟିଗଲା ।ହୀମାଳୟର ହୀମଛାୟା ତଳେ ସଂପୂର୍ଣ୍ଣ ହଜିଗଲା ।ଖାଲି ଡୋରୀ ଟେ ତାକୁ କଟକ ସହର ସହ ଯୋଡିରଖିଥିଲା ସେଇଟି ହେଲା ତା ବୋଉର ।ହଁ ବାପା ବି ଥିଲେ ।ଧିରେ ଧିରେ ସିଏ ଲାପତା ହେଇଗଲା ।କେହି କହିପାରିଲେନି ଯେ ଏତେ ବ୍ରିଲିଆଣ୍ଟ ଛାତ୍ରଟେ ଆଇ ଆଇ ଟି କ୍ଯାମ୍ପସ ଭିତରୁ ହଠାତ୍ କୁଆଡେ ଆଉ କାହିଁ ମିଳେଇଗଲା ।ତା ବାପା ବୋଉ ଖବର ପାଇଲେ ଆଉ ସଂସାର ଭିତରେ ଥାଇ ବି ମୂକ ପାଲଟିଲେ ।


ସେ ଦିନେ ଫେରିଲା ।ଯୋଉ ଦିନ ଫେରିଲା ସେ ଦିଶୁଥିଲା ଦୀପ୍ତିମାନ ବରଫ ଖଣ୍ଡ ପରି ।ଶୁଭ୍ରଦୀପ୍ତ, ଶାନ୍ତ ।ତା ଆଖି ଏତେ ଜୀବନ୍ତ ଓ ତେଜସ୍ବୀନ୍ ଥିଲା ଯେ ସେ ଚାହିଁ ଦେଲେ ତରଳି ଯାଇପାରେ ଅଂଶୁମାନର ଆଭା ।ଦାଣ୍ଡରେ ସମସ୍ତେ ଆବାକାବା ହୋଇ ନିଶ୍ଚୁପରହି ଖାଲି ତାକୁ ଦେଖୁ ଥିଲେ ଆଉ ତାଟକା ଥିଲେ ।ତାକୁ କିଏ ଚିହ୍ନି ପାରୁଥିଲା କଣ ? ସେ ସ୍ମିତହାସଟେ ଆଙ୍କି ଆଗକୁ ପାଦ ବଢଉଥିଲା ।ତା ଦୁଆରେ ସେ ପହଞ୍ଚି ସାରି ଚାରିଦିଗକୁ ଆଖି ଭରି ଚାହୁଁ ଥିଲା ଆଉ ଅଗଣାର ମାଟିରୁ ମୁଠେ ନେଇ ମଥାରେ ମାରିଲା ।ସେ ଘର ,ଚାଳ,ବାଡା, ଆଗପଟ ମେଲା ଅଗଣା ସବୁ ଅରମା ହୋଇ ପଡିଥିଲେ ଅଯତ୍ନରେ ।କରିଥାନ୍ତା ବି କିଏ ଯତ୍ନ ତାଙ୍କୁ ।ଏକୋଇରବଳା ଚାଲିଗଲା ପରେ ପିତାମାତା ବୋଲି ଦୁଇଟି ଜୀବ ହି ତ ଜୀଇଁ ଥିଲେ ଅନବ୍ଯସ୍ତ ହୋଇ ।ମଲ୍ଲୀ ବୁଦା ମାଡି ଆସିଥିଲା ମଝି ଦାଣ୍ଡ ଯାଏ ।ଆପେ ଆପେ ଖସି ପଡି ତା ପାଦରେ ସ୍ବାଗତ କରୁଥିଲେ ସେଇ ଶ୍ବେତ ପୁଷ୍ପର ଗୁଛାସ୍ତବକ ଭାବେ ।


ସେ ଧିରେ କରି କବାଟରେ କରାଘାତ କରିବାକୁ ଯାଉଥିଲା କି କବାଟ ଆପେ ଫିଟିଗଲା ।ଆଗରେ ଠିଆ ହେଇଥିଲେ ତାର ବାପା ।ସେ ନୀରବ ଥିଲେ ।ସମୟ ଅଟକି ଯାଇଥିଲା ଯେମିତି ଚକ୍ଷୁ ସମ୍ମୁଖରେ ।କିଛି ମଧ୍ୟ ବାର୍ତାଳାପ ନୋହିଲା ।ଶବ୍ଦ ବିନିମୟର ଅବକାଶ ଥିଲା କିନ୍ତୁ ସ୍ପୁରୁ ନଥିଲା ।ଭିତର ଘରୁ ଭାସିଆସିଲା ସ୍ବର ।


_ କିଏ ? କିଏ କି ଦ୍ବାରେ ?


କେହି କିଛି କହୁନଥିଲେ ।ସେ ନୀରବରେ ମୁଣ୍ଡ ନୁଆଁଇ ପିତାଙ୍କର ପାଦସ୍ପର୍ଶ କରି ନୁଆଁଣିଆ ଆଟୁ ତଳେ ଭିତରକୁ ପ୍ରବେଶ କଲେ ।ଏତେ ଦିନର ନିଥର ପ୍ରାଗଣଟି ଯେମିତି ପ୍ରତିକ୍ଷିତ ଥିଲା ତାଙ୍କ ଆଗମନୀର ।ପ୍ରାଣବନ୍ତ ଦିଶିଲା 

ମାଟି ଅଗଣାରେ ତାଙ୍କ ପାଦ ଦ୍ବୟ କୁ ଚାହିଁଲେ ଲାଗୁଥିଲା ସ୍ବୟଂ ବିଷ୍ଣୁ ବିଜେ କରିଥିଲେ ।ଏତେ ସ୍ନିଗ୍ଧତା ସତ୍ବେ ସେ ବିଚଳିତ ଥିଲେ ଯାହା ତାଙ୍କର କାହାକୁ ଖୋଜିଲା ପରି ଦୃଷ୍ଟି ଟି ଧରେଇଦେଉଥିଲା ଅକ୍ଲେଶରେ ।


ହାତର ଶିରାଳ ଶୀର୍ଷ୍ଣ ପାପୁଲିରେ କିଛି ଧରିଥିବା ପରି ମନେହେଉଥିଲା ,ଶୂନ୍ୟ ଚାହାଣୀ କୁ ତଳମୁହାଁ କରେଇ ଯିଏ ବାହାରି ଆସିଲେ ଭିତର ଘରୁ ସିଏ ଥିଲେ ୟାର ଜନ୍ମ ଦାତ୍ରୀ ।ପବିତ୍ର, ଉଜ୍ବଳ, ସୌମ୍ଯା ଏ ବୟସର ଅପରାହ୍ନରେ ମଧ୍ୟ ।ଘଡିଏ ଚାହଁଲା ପରେ କହିଲେ, 


_ କାହିଁ ଛାଡିଗଲୁ ?

_ ମୋକ୍ଷ ଆଶାରେ ....

_ ପାଇଲୁ ?

_ ନେବାକୁ ତ ଆସିଛି ତୋ ପାଖକୁ । ତୋ ବନ୍ଧନ କାଟି ପାରୁନି....

_ ଫେରିଯା ।ଖୋଜ ଆହୁରି ଶହେ ଜନ୍ମ । ମୁଁ ତତେ ସେ ବନ୍ଧନରୁ ମୁକ୍ତ କଲି ।

_ କିନ୍ତୁ, ମୋର ଦାୟିତ୍ୱ ଯେ ତୁମ ଦୁହିଁଙ୍କ ପ୍ରତି ସରିନାହିଁ ।


ସ୍ଥିର ହୋଇ ମାଆ କହିଲେ, ଆଛ୍ଛା ଗୋଟେ ଜୀଗିଶା ଅଛି ମୋର ।କହିପାରିବୁ ଯଦି ଦାୟମୁକ୍ତ କରିବି ତତେ ଆମ ଦୁହିଁଙ୍କ ଦାୟିତ୍ୱରୁ ଏହି କ୍ଷଣି ।


_ କୁହ ମାଆ ମୋର ସମସ୍ତ ଚେଷ୍ଟା ଓ ପ୍ରାର୍ଥନାରହିବ ତୁମର ସନ୍ତୁଷ୍ଟି ନେଇ ।


_ ତେବେ କୁହ ପୁତ୍ର ଏଇ ମୋର ହାତରେ ବସିଥିବା ଆଣ୍ଠୁଆ ଗୋପାଳ ମୁହଁରେ ମୋତେ ଅନେକ ବେଳ ତୁମ ପ୍ରତିଛବି ଦିଶୁଥିଲା ଆଉ ଆଜି ଯେତେ ବେଳେ ତୁମେ ଫେରିଆସିଛ ଓ ମୋ ପଣତର ଆଶ୍ରୟ ଖୋଜୁଛ ସେତେବେଳେ ତୁମ ମୁଖମଣ୍ଡଳର କାନ୍ତିରେ ମୋତେ ମୋର ଆରାଧ୍ଯ୍ଯ ଗୋବିନ୍ଦ ଦିଶୁଛନ୍ତି ।

ତେବେ କେଉଁ ଟି ମୋହ ଏବଂ କେଉଁ ଟି ମୋକ୍ଷ ?

କେଉଁ ଟି ସତ୍ଯ ,କେଉଁଠି ଛାୟା ? ବତେଇଦେ ।ପାରିବୁ ?


ଯଦି ଉତ୍ତର ଜାଣ ତ କୁହ ।ନଚେତ ଏଇ ମୂହୁର୍ତ୍ତରେ ଫେରିଯାଇପାର । ତୁମର ମଙ୍ଗଳ ହେଉ ।


******************


ପିଲେ ଆଶ୍ଚର୍ଯ୍ୟ ହେଇ ତଲ୍ଲିନତାର ସହ ଶୁଣୁ ଶୁଣୁ ପଚାରିଲେ ତେବେ ସତରେ ଉତ୍ତର କଣ ହେବ ?


ଅଧ୍ଯାପିକା ତାଙ୍କ ପଣତରେ ଅଶ୍ରୁଧୌତ ଚକ୍ଷୁ କୁ ପୋଛୁ ପୋଛୁ ବାହାରିଗଲେ ଓ କହିଲେ, 


_ ଏ ଯାଏ ଖୋଜୁଛି ।




Rate this content
Log in

Similar oriya story from Drama