ଦହିଚୁଡା
ଦହିଚୁଡା


ଆଖପାଖର ପାଞ୍ଚ ପଞ୍ଚାୟତରେ ଆମ ଗାଁର ନାଁ ଭାରି ଡାକ। ଖାଲି ବ୍ରାହ୍ମଣ ଶାସନ ହିସାବରେ ନୁହେଁ, ଗୋଟେ ଶିକ୍ଷିତ ଓ ମାର୍ଜିତ ଗାଁ ଭାବରେ ମଧ୍ୟ ଆଖପାଖର ଗାଁର ଲୋକମାନେ ଆମ ଗାଁ ଲୋକଙ୍କୁ ଭାରି ସମ୍ମାନ ଓ ସମ୍ଭ୍ରମର ସହ ଦେଖନ୍ତି। ସେତେବେଳେ ଶାସନ ମହାଜନ ଭାବରେ ଆମ ଗାଁର ଖ୍ୟାତି ଥାଏ। ଅନ୍ୟ ବ୍ରାହ୍ମଣେତର ଜାତିର ଲୋକମାନେ ଆମ ଗାଁ ଦାଣ୍ଡରେ ଯିବା ସମୟରେ ପାଦରୁ ଜୋତା ଓହ୍ଲାଇ ହାତରେ ଧରି ଧରି ଯାଆନ୍ତି। ଅବଶ୍ୟ ସେମାନଙ୍କ ଉପରେ ଏମିତି କରିବା ପାଇଁ ଶାସନ ତରଫରୁ କୌଣସି ଶକ୍ତ କଟକଣା ନଥିଲା। ହୁଏତ ଏଇଟା ରାଜାରାଜୁଡା ସମୟରେ ଏକ ଅଲିଖିତ ନିୟମ ରହିଥାଇ ପାରେ। କିନ୍ତୁ ଆଧୁନିକତାର ପାହାଚ ଚଢୁଥିବା ଭାରତରେ ଏମିତି ରୁଢିବାଦୀ ନିୟମର କୌଣସି ଯୌକ୍ତିକତା କିମ୍ବା ଆବଶ୍ୟକତା ନଥାଏ। ଆମ ପାଠ ପଢିଲା ବେଳକୁ ଆଉ ବିଶେଷ କିଛି ବାରଣ ନଥାଏ।
ଏବେ ମୁଁ ଯେଉଁ ସମୟର କଥା କହିବି, ସେତେବେଳକୁ ମୋତେ ଚଉଦ କି ପନ୍ଦର ବର୍ଷ ହେଇଥିବ। ଆଗରୁ ତ କହିଛି, ଆମର ବ୍ରାହ୍ମଣ ଶାସନ। ଗାଁରେ ପ୍ରାୟ ଷାଠିଏ ଘର ବ୍ରାହ୍ମଣ। ଆଖପାଖର ଗାଁରେ ବ୍ରାହ୍ମଣେତର ଜାତିର କୌଣସି ମୃତ୍ୟୁ ହେଲେ ମୃତବ୍ୟକ୍ତିର ପାପକ୍ଷାଳନ ଓ ଆତ୍ମାର ସଦ୍ଗତି ତଥା ମୋକ୍ଷ ନିମିତ୍ତ ନିଜର ଶକ୍ତି ଅନୁସାରେ ବ୍ରାହ୍ମଣ ଭୋଜନ କରାନ୍ତି। ଭୋଜନ ଉପରାନ୍ତେ ଉତ୍ତମ ଦକ୍ଷିଣାର ମଧ୍ୟ ବ୍ୟବସ୍ଥା ଥାଏ। ସେଥିପାଇଁ ଯଦି କୌଣସି ଧନବାନ କର୍ତ୍ତା ଭୋଜି ପାଇଁ ନିମନ୍ତ୍ରଣ କରନ୍ତି, ତେବେ ଭଲ ପରିମାଣର ଦକ୍ଷିଣା ତଥା ଉତ୍ତମ ଭୋଜନ ଲାଳସାରେ ପ୍ରାୟ ସମସ୍ତେ ଭୋଜି ଖାଇବାକୁ ଯିବାପାଇଁ ଲାଳାୟିତ ଥାଆନ୍ତି। ଏସବୁ ବ୍ୟାପାର ନିୟନ୍ତ୍ରଣ କରିବା ପାଇଁ ଶାସନରେ ଜଣେ ମକଦମ ଥାଆନ୍ତି। ମକଦମ ଭୋଜି ପାଇଁ ଗାଁରେ ପାଳି ଅନୁସାରେ ଡାକନ୍ତି। ଏମିତି ବି ଦେଖାଯାଏ, କେହି କେହି ପିଲା ବିଭିନ୍ନ ବାହାନା ନେଇ ସ୍କୁଲରୁ ମଧ୍ୟବର୍ତ୍ତୀ ଛୁଟି ନେଇ ଭୋଜି ଖାଇବାରୁ ଯାଆନ୍ତି। ତା ପରଦିନ ସ୍କୁଲରେ ଭୋଜି ବିଷୟରେ ବର୍ଣ୍ଣନା କରି ପୂର୍ବଦିନର ସ୍ବାଦ ସତେ ଯେପରି ଅଦ୍ୟାବଧି ମୁହଁରେ ଅଛି, ସେଇଭଳି ଓଠ ଚାଟନ୍ତି। ଭୋଜିର ସମସ୍ତ ପ୍ରକ୍ରିୟା ଏହିପରି। ପ୍ରଥମେ ମୃତବ୍ୟକ୍ତିର ନିକଟ ସମ୍ପର୍କୀୟ ଶାସନକୁ ଆସି ଶାସନ ମାନ୍ୟ ଦେଇ ନିଜର ଆର୍ଥିକ କ୍ଷମତା ଅନୁସାରେ କେତେ ମୂର୍ତ୍ତି ବ୍ରାହ୍ମଣଙ୍କ ପାଇଁ ଭୋଜନ ଓ ଦକ୍ଷିଣାର ବ୍ୟବସ୍ଥା ତଥା ଦକ୍ଷିଣାର ପରିମାଣ ସମ୍ପର୍କରେ ଧର୍ମାଧିକାରୀ ଓ ମକଦମଙ୍କୁ ଅବଗତ କରାନ୍ତି। ଏବେଠାରୁ ଆମେ ଆଉ ଭୋଜି କହିବାନି, ବରଂ ଦହିଚୁଡା କହିବା ଯୁକ୍ତିଯୁକ୍ତ ହେବ। କାରଣ ଏସବୁଥିରେ ନିଆଁରେ ସିଦ୍ଧ ହୋଇ ନଥିବା ଖାଦ୍ୟ, ଯାହା ଶୁଦ୍ଧ ଓ ସାତ୍ତ୍ଵିକ ହୋଇଥାଏ, ଯେପରି ଚୁଡା, ଦହି, ଉଖୁଡା, ଗୁଡ, କଦଳୀ ଇତ୍ୟାଦି ହିଁ ପରିବେଷଣ କରାଯାଏ। ତଦୁପରି କର୍ତ୍ତାର ସକ୍ଷମତା ଅନୁସାରେ ମିଷ୍ଟାନ୍ନ, ଯେମିତି ରସଗୋଲା, ଜିଲାପି, ବୁନ୍ଦି ଇତ୍ୟାଦିର ବ୍ୟବସ୍ଥା ହୁଏ। ଅବଶ୍ୟ ସେସବୁ ଗୁଡିଆ ପାଖରେ ବରାଦ ଦିଆଯାଇଥାଏ ଓ ଗୁଡିଆ ସିଧାସଳଖ ତାକୁ ବ୍ରାହ୍ମଣ ମହାଜନଙ୍କ ହାତରେ ଦିଏ। ଅନ୍ୟ କେହି ସେସବୁ ଛୁଅଁନ୍ତି ନାହିଁ, ତେଣୁ ଅପବିତ୍ର ହେବାର ସମ୍ଭାବନା ନଥାଏ। ଏ ସବୁ ଛଡା ଆଉ ଗୋଟେ ବିଶେଷ ଖଟା ଆଚାର ଆମ୍ବୁଲ, ତେନ୍ତୁଳି ବା କଞ୍ଚା ଆମ୍ବରେ ତିଆରି ହୁଏ। ଏଥିରେ ମସଲା ଭାବେ ସୋରିଷ, ଅଦା, କଞ୍ଚାଲଙ୍କା ଓ ଲୁଣ ବ୍ୟବହାର ହୁଏ।
ହଁ, ଆମେ ମୂଳ ବିଷୟବସ୍ତୁ ଠାରୁ ଦୂରେଇ ଯାଉଛନ୍ତି ବୋଲି ଅନୁଭବ କରୁଛି। ତଥାପି ପ୍ରାସଙ୍ଗିକତା ଥିଲା ବୋଲି ମୁଁ ସେ ବିଷୟରେ ସମ୍ୟକ ସୂଚନା ଦେବାପାଇଁ ଶ୍ରେୟ ମଣିଲି। ସେତେବେଳେ ସ୍କୁଲ କୌଣସି ପର୍ବ ହେତୁ ଛୁଟି ଥାଏ। ସେତିକିବେଳେ ଆମ ଗାଁଠାରୁ ସାତ ଆଠ କିଲୋମିଟର ଦୂର ଗୋଟିଏ ଗାଁରେ ଜନୈକ ଧନୀଙ୍କ ମୃତ୍ୟୁରେ ତାଙ୍କ ପୁଅ ଦହିଚୁଡା ପାଇଁ ଆମ ଶାସନକୁ ନିମନ୍ତ୍ରଣ କରିବା ପାଇଁ ଆସି ଶହେ ମୂର୍ତ୍ତି ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରିଗଲେ। ଯେମିତି ହାତୀଙ୍କୁ 'ଘର' ଅର୍ଥାତ ଏତେ ଘର ହାତୀ ବୋଲି ଗଣାଯାଏ ସେମିତି ବ୍ରାହ୍ମଣ ମାନଙ୍କୁ ଏତେ ମୂର୍ତ୍ତି ବ୍ରାହ୍ମଣ ବୋଲି କୁହାଯାଏ। ଶାସନରେ ଆମର ଷାଠିଏ ଘର ବ୍ରାହ୍ମଣ। ତେଣୁ ଏକରକମ ସମସ୍ତଙ୍କୁ ନିମନ୍ତ୍ରଣ ହେଲା। ତା'ଛଡା ଏତେ ବଡ ଧନଶାଳୀ, ଉତ୍ତମ ଭୋଜନ ତଥା ଭଲ ପରିମାଣର ଦକ୍ଷିଣା ମିଳିବାର ଯଥେଷ୍ଟ ସମ୍ଭାବନା। ତେଣୁ ପ୍ରାୟ ଗାଁର ପ୍ରାୟ ସମସ୍ତେ ଦହିଚୁଡା ଖାଇବାକୁ ବାହାରି ପଡିଲେ। ସେଦିନ ଏଲ୍.ପି ସ୍କୁଲ, ମାଇନର ସ୍କୁଲ ଆଉ ହାଇସ୍କୁଲରେ ବ୍ରାହ୍ମଣ ପିଲାଙ୍କର ଉପସ୍ଥାନ ବୋଧେ ସବୁଠାରୁ କମ୍ ହୋଇଥାଆନ୍ତି ଯଦି ସ୍କୁଲ ଖୋଲା ଥାଆନ୍ତା। ଗାଁରେ ପିଲା, ବୁଢା ବା ଯୁବକ କେହି ନଥିଲେ।
ଏଥିରେ ଗାଁର ଜଣେ ମାନ୍ୟଗଣ୍ୟ ଲୋକ ଭାବରେ ମୋ ବୁଢାବାପା ଓ ଆଉଜଣେ ସମ୍ପର୍କରେ ବୁଢାବାପା, ଦୁଇଜଣ ମଧ୍ୟ ଦହିଚୁଡା ଖାଇବା ପାଇଁ ଯିବାକୁ ଯୋଜନା କଲେ। ସେ ସମୟରେ ଆମ ଶାସନର ଅନତିଦୂରରେ ତିନୋଟି ରିକ୍ସା ଥାଏ। ସେଥିମଧ୍ୟରୁ ଭୁଆ ଓ ଚଗଲି ସବୁବେଳେ ଏକ୍ସପ୍ରେସ ହାଇଓ୍ବେ ଛକରେ ଯାତ୍ରୀ ପାଇଁ ଅପେକ୍ଷା କରନ୍ତି। ଖାଲି କୀର୍ତ୍ତନର ରିକ୍ସା ଉପଲବ୍ଧ ଥାଏ। ବୟସାଧିକ୍ୟ ତଥା ଅନିୟନ୍ତ୍ରିତ ଶାରୀରିକ ଓଜନ ହେତୁ ଏ ଦୁଇଜଣ ବୁଢାବାପାଙ୍କ ପାଇଁ ଏତେ ବାଟ ଚାଲିବା ସମ୍ଭବପର ନଥିଲା। କିନ୍ତୁ ମାନ୍ୟଗଣ୍ୟ ବୟୋଜ୍ୟେଷ୍ଠ ଭାବରେ ନିମନ୍ତ୍ରିତ ହୋଇ ସେଠାରେ ଏକ ବିଶେଷ ସମ୍ମାନର ଲୋଭକୁ ବୋଧହୁଏ ବୁଢାବାପା ଦୁଇଜଣ ସମ୍ବରଣ କରି ପାରି ନଥିଲେ। କୀର୍ତ୍ତନ ଡକା ହୋଇ ଆସିଲା। ନିଜର ଶାରୀରିକ ଅକ୍ଷମତା ଓ ବୟସକୁ ବିଚାରକୁ ନେଲେ ବୁଢାବାପା ଦୁଇଜଣଙ୍କ ଦହିଚୁଡା ଖାଇବାର ଲାଳସା ଦେଖି ଗୋଟେ ଗପ ମନେ ପଡୁଛି। କୌଣସି ଗାଁରେ ଜନୈକ ବ୍ରାହ୍ମଣ ଦହିଚୁଡା ଖାଇବା ପାଇଁ ସବୁବେଳେ ଆଗ୍ରହୀ ରହୁଥିଲେ। ସେଥିପାଇଁ ସବୁବେଳେ ତାଙ୍କୁ ଦହିଚୁଡା ପାଇଁ ଡକରା ଆସେ। ହେଲେ ଅନେକ ସମୟରେ ଅନିମନ୍ତ୍ରିତ ଭାବେ ମଧ୍ୟ ପଳେଇ ଯାଆନ୍ତି। ଏଇଟା ତାଙ୍କର ଶିକ୍ଷିତ ଆଉ ପଦସ୍ଥ ଚାକିରି କରିଥିବା ପୁଅକୁ ଆଦୌ ପସନ୍ଦ ହେଉ ନଥାଏ। ତେଣୁ ସେ ବାପାଙ୍କୁ ଦହିଚୁଡା ଖାଇବା ପାଇଁ ନ ଯିବାକୁ ତାଗିଦ କରିଦେଇ ଚାକିରିକୁ ଯାଏ। ହେଲେ ବାପା କୋଉ ଶୁଣିବା ଲୋକ। ଗାଁରେ ଦହିଚୁଡା ପାଇଁ ଡାକରା ପଡିଲା ମାତ୍ରେ ଯିବାପାଇଁ ତୈୟାର। ଏସବୁ ପୁଅ କାନରେ ପଡେ। ତାକୁ ତା'ର ବନ୍ଧୁ ଓ ସହକର୍ମୀ ଚିଡାନ୍ତି। ସେଥିପାଇଁ ଥରେ ସେ ବାପାଙ୍କୁ ଢିଙ୍କି ଲାଞ୍ଜରେ ବାନ୍ଧିଦେଇ ଚାକିରିକୁ ଗଲା। ଯଥା ସମୟରେ ଗାଁରେ ଦହିଚୁଡା ପାଇଁ ଡକାହକା ହେଲା। ସମସ୍ତେ ବୁଢା ଆଗରେ ଗାଁ ଦାଣ୍ଡ ଦେଇ ଗଲେ। କିନ୍ତୁ ବୁଢା ନିରୁପାୟ। ବନ୍ଧା ହେଇଛି। ମନେ ମନେ ଭାବୁଥାଏ, "ହେଇ, ବ୍ରାହ୍ମଣମାନେ ଯଜମାନ ଘରେ ପହଞ୍ଚିଲେ। ହେଇ, ସେମାନଙ୍କ ଗୋଡ ଧୁଆ ହେଲା। ହେଇ ପତର ପଡିଲା। ହେଇ ଚୁଡା, ଗୁଡ, ଦହି, ହୁଡୁମ, ଆଚାର ସବୁ ଲାଗିଲା। ବ୍ରାହ୍ମଣ ଚଳୁ କଲେ। ହେଇ, ଖାଇବା ଆରମ୍ଭ କଲେ ତ" ଏତିକି କହି ବୁଢା ହୁଙ୍କାର ଦେଇ ଢିଙ୍କି ସହ ଯଜମାନ ଘରେ ହାଜର। ଅବଶ୍ୟ ଏଇ ଗପଟି କାହାକୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ ନୁହେଁ। କିନ୍ତୁ ଅନେକ କ୍ଷେତ୍ରରେ ଦହିଚୁଡା ଖାଇବା ପାଇଁ ଏଭଳି ଅସମ୍ଭବ ଆଗ୍ରହ ଦେଖାଯାଏ।
କୀର୍ତ୍ତନ ଜଣେ ଅତି ଭଦ୍ର, ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ। ବୁଢା ବ୍ରାହ୍ମଣ ଗୋସେଇଁ ଦୁଇଜଣଙ୍କୁ ଠେଲି ପେଲି ରିକ୍ସାରେ ବସେଇଲା। ସିଟରେ ଜାଗା ହେଉ ନଥାଏ। ସେତେବେଳେ ସେ ରିକ୍ସାର ଅବସ୍ଥା ଯିଏ ଦେଖିବ ସିଏ ରିକ୍ସା ପ୍ରତି ଦୟା କରିବ। ବଡ ବିକଳରେ କେଁ କେଁ କାନ୍ଦୁଥିଲା। କିନ୍ତୁ କ'ଣ କରିବ, ସାମାନ୍ୟ ଧାତବ ଯନ୍ତ୍ରଟିଏ ମାତ୍ର। ମଣିଷ ହାତର ଖେଳନା। ତେବେ ଆହୁରି ଦୟା ଆସିବ ରିକ୍ସାଚାଳକକୁ ଦେଖିଲେ। ଦୁର୍ବଳ ସ୍ବାସ୍ଥ୍ୟ ତା'ର। ତଥାପି ଏ ଦୁଇଜଣ ଓଜନଦାର ବୁଢାଙ୍କୁ ରିକ୍ସାରେ ଟାଣି ଟାଣି ନେବାପାଇଁ ସାହସ ବାନ୍ଧିଛି। ଧନ୍ୟ କହିବା ତାକୁ।
ରିକ୍ସା ଗଡି ଚାଲିଥାଏ। ସେ ସମୟରେ ଗାଁ ଗହଳିରେ ରାସ୍ତାଘାଟ ଏମିତି କଂକ୍ରିଟର ନଥିଲା। ମାଟି ରାସ୍ତା। ଖାଲି ମୁରମ ପଡିଥାଏ। ତଥାପି ଖାଲଖମା ଥାଏ। ସେଥିପାଇଁ କୀର୍ତ୍ତନ ପେଡାଲ ମାରି ରିକ୍ସାରେ ବସି ଚଲାଉଥିଲା କମ୍, ଟାଣୁଥିଲା ବେଶୀ। ଗଳଦ୍ଘର୍ମ ହେଇ ଟାଣିଲାବେଳେ କୀର୍ତ୍ତନର ମାଂସପେଶୀ ଫୁଲି ଉଠୁଥାଏ। ଏ ଦି'ଜଣ ବୁଢା କିନ୍ତୁ ନିର୍ଲିପ୍ତ। ବିଚରା ରିକ୍ସାଚାଳକ ପ୍ରତି ଆଦୌ ନଜର ପଡୁ ନଥାଏ। ନିଜ ଭିତରେ ଥଟ୍ଟା ମଜା ହସଖୁସିରେ ମାତି ଥାଆନ୍ତି। ହୋ ହୋ ହେଇ ହସିଲା ବେଳେ ଥନ୍ତଲ ପେଟ ପଡୁଥିଲା ଉଠୁଥିଲା। ସେଇ ଏତେ ବଡ ବଡ ପେଟର ପଡିବା ଉଠିବା ସହ ତାଳଦେଇ ଜରାଜୀର୍ଣ୍ଣ ତିନିଚକିଆ ରିକ୍ସାଟି ମଧ୍ୟ ଦୋହଲି ଯାଉଥିଲା ଯାହା ଚାଳକ ପକ୍ଷରେ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇ ପଡୁଥିଲା। ତଥାପି ଯେନତେନ ପ୍ରକାର ରିକ୍ସା ପ୍ରାୟ ଗୋଟେ କିଲୋମିଟର ଧୀର ମନ୍ଥର ଗତିରେ ଗଲାପରେ ସେମାନେ ଆମ ଗାଁ ହାଇସ୍କୁଲ ପାର ହେଇଗଲେ। ତା'ପରେ ଗୋଟେ ବଡ ଗଡାଣି। ବିଚରା କୀର୍ତ୍ତନ ପରିଶ୍ରମରୁ ସାମାନ୍ୟ ତ୍ରାହି ପାଇବା ପାଇଁ ରିକ୍ସା ସିଟରେ ବସିପଡିଲା। ବେଶ୍ ଗତିରେ ରିକ୍ସାଟି ଗଡି ଚାଲିଲା।
ଅଚାନକ ଗୋଟେ ଶବ୍ଦ ହେଲା। ଠୋ ... ଓ ...। କ'ଣ ହେଲା ବୋଲି କୀର୍ତ୍ତନ ରିକ୍ସା ଅଟକାଇ ଓହ୍ଲାଇ ପଡିଲା। ପଛ ବାମପାଖ ଚକାଟି ଫାଟି ଚେପେଟା ହେଇଯାଇଛି। ଯାଃ, ଆଉ ଯାଇ ହେବନି। ବଡ ହତାଶ ହେଇ ବୁଢା ଦି'ଜଣ ରିକ୍ସାରୁ ଓହ୍ଲାଇ ଘରକୁ ଫେରିଲେ। ଆଉ ଦହିଚୁଡା ଖାଇବା ନୋହିଲା।