Prasanta kumar Hota

Drama Others

4  

Prasanta kumar Hota

Drama Others

ଦହିବରା ଆଳୁଦମ

ଦହିବରା ଆଳୁଦମ

6 mins
312



କଟକ ଆସିଥିବାରୁ ସେଠି ଯଥାଶୀଘ୍ର କାମସାରି ଦୂର୍ଗାପୂଜା ମଣ୍ଡପ ବୁଲିଯିବା ପାଇଁ ମୋ ମନଟା ଡାକିଲା। ଜଣେ ଦୁଇଜଣ ବନ୍ଧୁଙ୍କୁ ସାଙ୍ଗରେ ଯିବାକୁ ଫୋନ କଲି। କେହି ସନ୍ଧ୍ୟାର ଭିଡରେ ବୁଲିବା ପାଇଁ ଆଗ୍ରହ କଲେ ନାହିଁ। କହିଲେ ଦେବୀମା'ଙ୍କୁ ଦର୍ଶନ କରିବାର ଯଦି ଇଚ୍ଛା, ସକାଳେ ଭିଡ ନଥିବ ଯାଇ ବୁଲିଆସିବା। କଟକ ସହର ସାରା ବୁଲାଇ ଆଣିବୁ ଓ ଦହିବରା ଆଳୁଦମ ଖୁଆଇବୁ।

ମୋର କିନ୍ତୁ ବର୍ତ୍ତମାନ ଯିବାର ଇଚ୍ଛା ଘନୀଭୂତ ହେଇ ସାରିଥିଲା। ମୋର କୌଣସି ଅନୁରୋଧ ବନ୍ଧୁଙ୍କୁ ପ୍ରଭାବ ପକାଇ ପାରିଲା ନାହିଁ। ମୋତେ ବରଂ କହିଲେ, ତୋର ତାହାଲେ ଦେବୀ ଦର୍ଶନର ଇଚ୍ଛା ନାହିଁ କି ଦହିବରା ଆଳୁଦମ ଖାଇବାକୁ ଇଚ୍ଛା ନାହିଁ। ଭିଡରେ ଧକ୍କା ଖାଇବାକୁ ତୋର ଇଚ୍ଛା, ଯା।


ଦହିବରା ଖାଇବା କଣ ଜରୁରୀ, ମୁଁ ପଚାରିଲାରୁ କହିଲେ- ଏ ପ୍ରଶ୍ନ ତ ଏମିତି ହେଲା ଯେମିତି ତୁ ଗଙ୍ଗା ଆସି ପଚାରୁଛୁ, ଗଙ୍ଗାରେ ବୁଡ ପକେଇବା କଣ ଜରୁରୀ!

କଟକର ଦହିବରା ମାହାତ୍ମ୍ୟ ଶୁଣିବା ପରେ ମଧ୍ଯ ମୋର କୌଣସି ଆଗ୍ରହ ନଆସିବାର ଦେଖି ଜଣେ ବନ୍ଧୁ କହିଲେ, ଅଦିନରେ ମେଘ ଖୋଜିବା ଯାହା ତୋତେ ଦହିବରା ଆଳୁଦମ କହିବା ସେୟା।


ମୁଁ ହସି ହସି ଫୋନ୍ ଥୋଇଦେଲି। କଟକ ଦୂର୍ଗା ପୂଜା ଯେମିତି ନଦେଖି ଫେରିବା କଥା ନୁହେଁ, କଟକ ଦହିବରା ଆଳୁଦମ ସେମିତି ନଖାଇ ଯିବା କଥା ନୁହେଁ। ଏକଥାଟା ବାରମ୍ବାର ମନରେ ପିଟି ହେଉଥାଏ। ଯାହାବି ହେଉ ଆସିଛି ଯେତେବେଳେ ପୂଜା ଦେଖିବି ନିଶ୍ଚୟ। ଦହି ମୋର ପ୍ରିୟ ନୁହେଁତ ଦହିବରା ପ୍ରିୟ ହେବ କେମିତି! ସମସ୍ତଙ୍କୁ ଭଲ ଲାଗେ ବୋଲି ମୋତେ ଭଲ ଲାଗିବା କଣ ଜରୁରି ବନ୍ଧୁମାନଙ୍କ କଥାକୁ ମାନି ଭିଡକୁ ଡରି ରହିଯିବା କାହିଁକି ଠିକ ମନେକଲି ନାହିଁ। ପୂଜା ପର୍ବ ଦିନ ମାନଙ୍କରେ ଅପେକ୍ଷାକୃତ ଭିଡହେବା ସ୍ଵାଭାବିକ। ଭିଡକୁ ଯିବା ଅର୍ଥ ନୁହେଁ ଯେ ଭିଡ ଭଲଲାଗେ। ସମସ୍ତେ ଭିନ୍ନ ଭିନ୍ନ କାରଣରୁ ଭିଡକୁ ଆସିଥାନ୍ତି। ପକେଟମାରୁଙ୍କ ଆଗ୍ରହ ଯେମିତି ଭିଡରେ ଭଲ ରୋଜଗାର ପାଇଁ ଥାଏ। ବାଦାମ ବିକାଳି, ବେଲୁନବାଲା ସେମିତି ଦି'ପଇସା ରୋଜଗାର ଆଶାରେ ଭିଡକୁ ଆସନ୍ତି।


ମୋର ଆଗ୍ରହ ଏଇଥିପାଇଁ ଯେ ମୁଁ ଭିଡ ଭିତରେ ଲୋକ ଚରିତ୍ରକୁ ଲକ୍ଷ୍ଯ କରିପାରେ ଓ ମୋର ଗଳ୍ପ ଲେଖିବାର କ୍ଷୁଧାକୁ ଖୋରାକ ଯୋଗାଏ। ତେଣୁ ଏକୁଟିଆ ବାହାରିଲି। ରାସ୍ତା କଡରେ ଦହିବରା ଆଳୁଦମ ଠେଲା ପାଖରେ ଦେଖଣାହାରୀ ଭିଡ ଲାଗିଥାଏ। କୋଉଠି କୋଉଠି ଗୁପଚୁପ୍।ହାତରେ ଗ୍ଲୋବସ ନପିନ୍ଧି ସେଇ ହାତକୁ ବୁଡାଇ ବୁଡାଇ ସେ ଦେଇ ଚାଲିଥାଏ ଓ ଲୋକମାନେ ତାର ସ୍ବାଦ ରେ ତୃପ୍ତ ତୃପ୍ତ ହେଇ ଉଠୁଥାନ୍ତି। ମୁଁ ସେଇଆଡୁ ଧ୍ୟାନ ହଟାଇ ପାଖ ପୂଜା ମଣ୍ଡପ ଭିତରେ ପଶିଲି।


ଏକୁଟିଆ ପୂଜା ମଣ୍ଡପର ଭିଡ ଭିତରେ ଠେଲି ଠେଲି ଧକା ଖାଇ ଯାଉଥାଏ। ଦେଖିଲି, ତିନୋଟି ପରିବାର ଏକା ସାଙ୍ଗରେ ବୁଲିବାକୁ ଆସିଛନ୍ତି। ଗୋଟିଏ କଡକୁ ସେମାନେ ଥାଆନ୍ତି, ଆଗରେ ତିନି ପୁରୁଷ ଏକତ୍ର ଚାଲିଥାନ୍ତି, ପଛରେ ତିନି ମହିଳା ସେମାନଙ୍କ ପିଲାଙ୍କୁ ଧରି ଧିର ଧିରେ ଗପସପ କରି ଚାଲିଥାନ୍ତି। ମୁଁ ମହିଳାଙ୍କ କଥା ଶୁଣିବି ବୋଲି ପାଖାପାଖି ଥାଏ। ଏତିକିବେଳେ ରଞ୍ଜନ କୁଆଡୁ ଆସି ଚମକାଇ ଦେଇ କହିଲା, ହଇହେ, ତମେ ଭୂବନେଶ୍ବରିଆ, କାହାକୁ କିଛି ନକହି କଟକ ଆସି, ଦେବୀଙ୍କ ଦର୍ଶନ ନାଁରେ ସେଆଡେ କୁଆଡେ ଅନେଇଛ। ଏଇଟା ଠିକ ନୁହେଁ।

ମୁଁ ଲାଜେଇ ଯିବାରୁ ସେ ସୁଯୋଗ ପାଇ ଆଉ ଦି' ପଦ କହିଲା। ମୁଁ ତାକୁ କୌଣସି ପ୍ରକାରେ ଚୁପ କରାଇ କହିଲି, ସେଆଡେ ଅନେଇବାର ଅର୍ଥ କଣ ସେୟା, ମୋର ଉଦ୍ଦେଶ୍ଯ ତୁ ଯାହା ଭାବୁଛୁ ସେୟା ନୁହେଁ। 

ସେ କିନ୍ତୁ ଥଟା କରିବାର ସୁଯୋଗକୁ ହାତଛଡା କରିବାକୁ ଚାହୁଁନଥିଲା। କହିଲା, ଏଠିକି ଆସିଥିଲୁ ଯଦି ମୋତେ ଫୋନ୍ କାହିଁକି କଲୁନି। ଆମ ଘର ଏଇ ପାଖରେ ବୋଲି ଜାଣିଛୁ।


ତୋ କଥା ମନେନାହିଁ ବୋଲି ଯେତେ କହିଲି ସେ ବିଶ୍ୱାସ କଲାନାହିଁ। ଶେଷରେ ଭୁଲ୍ ମାଗି କହିଲି ହୋଉ ଶୁଣ, ଆଗରେ ନୀଳ ଓ ସବୁଜ ଶାଢୀ ପିନ୍ଧା ଦୁଇ ଜଣ ମହିଳାଙ୍କୁ କଳା ଶାଢୀବାଲି କଣ କହୁଛନ୍ତି ଟିକିଏ କାନ ଦେଇଥା।

ରଞ୍ଜନ କିଛିସମୟ କାନ ଡେରିଲା ପରେ କହିଲା, କଳାଶାଢିବାଲିର କିଣିଥିବା ଚାବିରିଂଟା ତା ହାତରୁ କୋଉଠି ଖସି ଯାଇଛି ବୋଲି ପଛକୁ ଯାଇ ଖୋଜି ଆସିବ କହୁଛି। ନୀଳ ଓ ସବୁଜ ଶାଢୀ ଆପତ୍ତି କରି କହୁଛନ୍ତି, ପଚାଶ ଟଙ୍କାର ରିଂ ପାଇଁ କାହିଁକି ଭିଡରେ ହଇରାଣ ହେଇ ଖୋଜିବେ। 


ରଞ୍ଜନ ଏଥର ମୋ ଆଡକୁ ଚାହିଁ କହିଲା, ଏଗୁଡା କଣ ଦେଖୁଛୁ ଯେ ଏମିତି ବହୁତ କଞ୍ଜୁସ ଅଛନ୍ତି ଯୋଉମାନେ ଦଶଟଙ୍କା ପଡିଗଲେ ବି ଝାଳନାଳ ହେଇ ଖୋଜିବେ, ଖୋଜିବାରେ ପଛେ ଦେହର କ୍ରିମ ଚାଲିଯାଉ, ଶାଢୀର କୁଞ୍ଚ ଖସିଯାଉ ଓ ଭିଡରେ ଚପଲ ଛିଣ୍ଡିଯାଉ। 

- କିନ୍ତୁ ତାର ତ ପଚାଶ ଟଙ୍କାର ଚାବିରିଂ ଯାଇଛି ।

ତାକୁ କଣ ଜଣକୁ କଞ୍ଜୁସ ବୋଲି କହିବା ଠିକ ହେବ! ମୁଁ ପଚାରିଲି।

- ହଁ, କାହିଁକି ନୁହେଁ। ଭାତ ହେଲାଣିକି ଜାଣିବା ପାଇଁ ଗୋଟିଏ ଭାତ ଚିପିଲେ ଯଥେଷ୍ଟ। ପଚାଶ ଟଙ୍କା ପାଇଁ କିଏ ଏମିତି ହୁଏ। ନହେଲେ କଣ ସେ ଦୁଇମହିଳା ବନ୍ଧୁ ତା'ଉପରେ ବିରକ୍ତ ହେଇଥାନ୍ତେ।


- ନା, ଏଇଟା ଭାତ ନୁହେଁ। କାର୍ଯ୍ୟ କରିବା ଶୈଳୀ ଦେଖି ଆମେ ନିର୍ଣ୍ଣାୟକ ହେଇଗଲେ ପ୍ରକୃତ ସତ୍ୟ ଜଣାପଡିବ ନାହିଁ। ଆମେ ଭୁଲି ଯାଉଛେ ଯେ, ଏଥିରେ କିଛି ଭାବନାତ୍ମକ ବିଚାର ବି ଥାଇପାରେ।ତେଣୁ କାହା ଚରିତ୍ରକୁ ଆକ୍ଷେପ କଲା ପୂର୍ବରୁ ତାକୁ ଭଲଭାବେ ପରଖିବା ଦରକାର୍। ଆମେ ନିଜକୁ ବୁଦ୍ଧିମାନ ଭାବି କୌଣସି ଆକ୍ଷେପ ମୂଳକ ଟିପ୍ପଣୀ ଦେବା ଉଚିତ ନୁହେଁ।


- ତୋର ଏ ଗୁଣ ପାଇଁ ତୋ'ସହ କେହି ଆସିବାକୁ ରାଜି ନୁହଁ। ଅଯଥାରେ ସେ କଞ୍ଜୁସ କି ନୁହେଁ ଆମର ଜାଣିବା କଣ ଦରକାର। ମୁଁ ଯାହା ତୁଚ୍ଛାକୁ ତୋ ଭାଷଣ ଶୁଣିଲି। 

- ମୁଁ କଣ ସେ କଞ୍ଜୁସ କି ବୋଲି ପଚାରିଥିଲି କି! ତୋ ପାଟିରୁ ତା ପ୍ରତି କଞ୍ଜୁସ ଶବ୍ଦ ବାହାରିଲା ବୋଲି ମୁଁ ଆକ୍ଷେପ କରିବା ଠିକ ନୁହେଁ ବୋଲି ଜଣାଇ ଦେଲି। ଏଇଟା କଣ ଭାଷଣ !

- ହୋଉ, ଭାଷଣ ନହେଲେ ନାହିଁ, ତୋର ଯଦି ସରିଲା, ଚାଲ ଯିବା, ତୁ ଏଠି ଦେବୀ ଦର୍ଶନ ନାଁ ରେ ମୁଣ୍ଡ ଖରାପ କରିବୁ।

- କୁଆଡେ ଯିବା ? ମୁଁ ପଚାରିଲି।

- କୁଆଡେ ଯିବା ମାନେ, କଟକ ଆସିଛୁ, ଆଗ ଚାଲ ଦହିବରା ଆଳୁଦମ ଖାଇବା।

ଦହିବରା ଆଳୁଦମ ନାଁ ଶୁଣି କଣ ତାକୁ କହିବି ମୁଁ ଭାବୁଥାଏ। ସେ କିନ୍ତୁ ପୁରା ଜୋଶରେ ଥାଏ। 

ରଞ୍ଜନ ମୋ ହାତକୁ ଏକରକମ ଭିଡିନେଇ କହିଲା- ଆସ୍ ଦହିବରା ଆଳୁଦମ ଖାଇବା। ବହୁତ ଦିନ ପରେ ଆସିଛୁ, ମୁଁ ନଦେଲେ ପୁଣି ମୋର ଆତିଥ୍ଯରେ ହେଳା ହେଇଯିବନି !


- ଆତିଥ୍ଯ ରେ କାହିଁକି ହେଳା ହେବ। ମୁଁ ତୋ ପାଖକୁ ଅତିଥି ହେଇ ଆସିନି ଯେ ତୋର ଆତିଥ୍ଯ ନେବି। ବରଂ ମୋ ପାଖକୁ ଆସି ମୋତେ କମ୍ପାନି ଦେଇ ଥିବାରୁ ମୁଁ ତୋତେ ଦେବା ଉଚିତ। ତୋର ଯଦି ଖାଇବାକୁ ଇଚ୍ଛା, ଚାଲ ମୁଁ ଦେବି।


- ନା, ମୁଁ କହିଛି ମାନେ ମୁଁ ଦେବି, ତୁ କାହିଁକି ଦେବୁ

ମୁଁ କହିଲି, ନା, ମୁଁ ଦେବି। ଏମିତି କିଛି ସମୟ ଚାଲିଲା ପରେ କହିଲା, କଣ ମୁଁ କମ୍ପାନି ଦେବାକୁ ଆସିଲି ବୋଲି ତୁ ମୋତେ ପାଉଣା ଦେବୁ। ଠିକ ଅଛି ତାହାଲେ, ମୁଁ ତୋତେ କମ୍ପାନି ଦେଉନି କି ତୋର ମୋତେ ପାଉଣା ଦେବା ଦରକାର ନାହିଁ। ତୁ ମୋ ଘରକୁ ଆସ୍ ଯିବା, ଆତିଥ୍ଯ ନେବାରେ ସେଠି ଆଉ ନୋକଝୋକ କରି ପାରିବୁ ନାହିଁ।ତୋର ସେଠି ଜଳଯୋଗ କରିବାରେ ଆଉ କିଛି ଆପତ୍ତି ରହିବ ନାହିଁ।


ମୁଁ ହସିଦେଇ କହିଲି, ନା, ମୋର ଜଳଯୋଗ କରିବାରେ କିଛି ଆପତ୍ତି ନାହିଁ କିନ୍ତୁ ଅନ୍ୟ କୌଣସି ବ୍ୟବସ୍ଥା ରଖିବୁ ନାହିଁ। କେବଳ ଜଳଯୋଗ।

ହୋଉ ରାଜି, ଚାଲ୍ କହି ରଞ୍ଜନ ମୋତେ ପାଖରେ ଥିବା ତାଙ୍କ ଘର ଭିତରକୁ ନେଇଗଲା। ପଶୁ ପଶୁ ତାଙ୍କ ବାପା କହିଲେ, ମୁଁ ତମ ବିଷୟରେ ରଞ୍ଜନ ଠାରୁ ବହୁତ ଶୁଣିଛି। ତମେ ବହୁତ ସଂସ୍କାରି ବୋଲି ସେ ପ୍ରଶଂସା କରେ।ଆମେ ସଂସ୍କାରି ହେବା କଥା। ବର୍ତ୍ତମାନ ସମାଜର ସବୁଠାରୁ ବଡ଼ ଦୁଃଖ ଓ ଚିନ୍ତାର ବିଷୟ ହେଉଛି *ସଂସ୍କାର*, ଯାହା କି ଆଜି ଅବକ୍ଷୟ ହେଉଛି। ପିଲା ଯେଉଁ ବୟସରେ ଗୁରୁ, ଗୁରୁଜନଙ୍କ ଆଜ୍ଞାବହ ହେବା କଥା, ସେ ନିଜ ମତକୁ ଆଗ ଅଗ୍ରାଧିକାର ଦେଉଛି। ଯେତେ ଖରାପ ଆଚରଣକୁ ଆପଣେଇ ଆମ ଶୃଙ୍ଖଳିତ ଵିଧିବ୍ୟବସ୍ଥାର ବାଧକ ହେଉଛି। ନିବୃତ୍ତିର ମାର୍ଗ ଛାଡି ପ୍ରବୃତ୍ତି ମାର୍ଗରେ ଆଜିର ପିଲାମାନେ ବେଶି ଉତ୍ସାହିତ।


ମୁଁ କିଛି କହିବା ଆଗରୁ ରଞ୍ଜନ ଗୋଟିଏ ପ୍ଲେଟରେ ଦହିବରା ଆଳୁଦମ ଆଣି ଥୋଇଦେଲା।

ଏସବୁ ମୁଁ ଖାଇ ପାରିବିନି, ମୋର ପେଟର ଯାଗା ବହୁତ ସିମୀତ ବୋଲି ଜଣାଇଲି।

ସେଗୁଡା କିଛି ଶୁଣା ଯିବନି, ଆତିଥ୍ଯ ସ୍ଵୀକାର କରିଛୁ, ଜଳଯୋଗ କରିବୁ ବୋଲି ସମ୍ମତି ଦେଇଛୁ ଖାଇବାକୁ ପଡିବ। କଟକ ଆସି କିଏ ଦହିବରା ଛାଡେ ବୋଲି ରଞ୍ଜନ କହିଲା।

- ମୁଁ କହିଲି, ହଁ ଯେ! ଜଳଯୋଗ କରିବି କହିଥିଲି ଅର୍ଥାତ ଜଳ ଯୋଗାଇଲେ ଗ୍ରହଣ କରିବି। ମୁଁ ଜଳଖିଆ ଖାଇ ପାରିବିନି।

- ସେଗୁଡା ବାହାନା କିଛି ଶୁଣା ଯିବନି, ଜଳଯୋଗ କହିଲେ ବି ଜଳଖିଆ। 

- ନା, ବ୍ୟାକରଣ ଦୃଷ୍ଟିରୁ ଜଳ ସହିତ ଯେତେ ଶବ୍ଦ ଯୋଗ ହେଇ ଯୁଗ୍ମ ଶବ୍ଦ ସୃଷ୍ଟି ହୁଏ ତାହା ଉଭୟ ଶବ୍ଦର ଅର୍ଥରେ ସୃଷ୍ଟି, ଯଥା ଜଳକଣା, ଜଳକନ୍ୟା, ଜଳକଷ୍ଟ, ଜଳକର, ଜଳଚକ୍ର, ଜଳଚର ଏମିତି କେତେ କଣ ! ଜଳଯୋଗ ମଧ୍ଯ ସେମିତି। ନହେଲେ କଣ ମୁଁ ତୋତେ କହିଥାନ୍ତି କେବଳ ଜଳଯୋଗ ।

ରଞ୍ଜନଙ୍କ ବାପା ମୋ ଆଡକୁ ଦୁଃଖ ମିଶ୍ରିତ ଦୃଷ୍ଟି ରେ ଅନାଇ କହିଲେ, ବାପା ! ତାହାଲେ କଣ ଜଳଯୋଗ କୁହାଯାଏ ନାହିଁ। ଏମିତି ତ ସମସ୍ତେ କହନ୍ତି। କେହି ଭିନ୍ନ ଅର୍ଥରେ ଦେଖନ୍ତି ନାହିଁ।

ତାଙ୍କ ମନକୁ କଷ୍ଟ ଦେବା ପାଇଁ ମୋର ଇଚ୍ଛା ନ ଥିଲା। ତଥାପି କହିଲି, ଅତିଥିଙ୍କୁ ସତ୍କାର କରିବା ପାଇଁ ଆଗକାଳରେ ଯେହେତୁ ପ୍ରଥମେ ଜଳ ଦିଆ ଯାଉଥିଲା, ତେଣୁ ଜଳଯୋଗକୁ ଅତିଥିଙ୍କ ପ୍ରଥମ ଉପଚାର ଭାବେ ଗ୍ରହଣ କରା ଯାଉଥିଲା। ତେଣୁ ଜଳଯୋଗର ଅର୍ଥ ଜଳଖିଆ ପାଇଁ ପଥ ପ୍ରସ୍ତୁତ ବୋଲି ଭାବି ନିଆ ହେଉଥିଲା। ଏବେ ଜଳସେବା ଆଉ କେହି ଲୋଡୁ ନାହାନ୍ତି, ଏଣୁ ପ୍ରଥମରୁ ଜଳର ଆବଶ୍ୟକତା ଆଉ ପ୍ରାଥମିକତା ହେଇ ନାହିଁ। ଜଳଯୋଗ ଶବ୍ଦଟା କିନ୍ତୁ ରହି ଯାଇଛି। ଜଳସେବା ହେଉଛି ଜଳଯୋଗ, ଏହା ସହିତ ଜଳଖିଆର କିଛି ସମ୍ପର୍କ ନାହିଁ। କିନ୍ତୁ ଆମ କହିବାର ଅଭ୍ୟାସ ପାଇଁ ଏମିତି ହେଇଯାଉଛି।

ରଞ୍ଜନର ବାପା ମୋ ଆଡକୁ ଚାହିଁ କହିଲେ, ଗୋଟିଏ କଥା କହିବି ପୁଅ।

ମୁଁ କହିଲି, ହଁ କହୁ ନାହାନ୍ତି, କୁହନ୍ତୁ।

ସେ କହିଲେ, ବାପା! ଆମେ ସଂସ୍କାରି ହେବା ଭଲ କିନ୍ତୁ ଏତେ ବି ସଂସ୍କାରି ହେବା ନାହିଁ ଯେ ଜଳଯୋଗ ଓ ଜଳଖିଆରେ ଅର୍ଥଗତ ପାର୍ଥକ୍ଯକୁ କାଢି କାହାର ଆଦରକୁ ଅଣଦେଖା କରିବା।

ରଞ୍ଜନ ସେତେବେଳକୁ ଗୋଟିଏ ଦହିବରା ମୋ ପାଟିରେ ଜବରଦସ୍ତି ପୁରେଇ ସାରିଲାଣି।

ମୁଁ ଆଉ କିଛି କହିପାରିଲି ନାହିଁ।

ଫେରିଲା ବେଳକୁ ରଞ୍ଜନ କହିଲା, ତୁ ଯେମିତି ସେ ମହିଳାଙ୍କୁ ଦେଖିଲା ବେଳେ କହୁଥିଲୁ ତୋର ଉଦ୍ଦେଶ୍ଯ ସେୟା ନୁହେଁ ମୁଁ ସେମିତି ଜଳଯୋଗ କହିଲା ବେଳେ ମୋର ଉଦ୍ଦେଶ୍ଯ ସେୟା ନଥିଲା ମାନେ ଜଳସେବା ନଥିଲା। ସେଥିପାଇଁ ବିଚରା କଟକ ଦହିବରାଆଳୁଦମ ର ଦୋଷ କଣ ! ସେ କଣ ତାର ଆତିଥ୍ଯକୁ ଦେଖାଇବା ପାଇଁ ଅସମର୍ଥ!

ମୁଁ ମୁରୁକି ହସିଦେଇ କହିଲି, ନା, ନା ବିଲକୁଲ ନୁହେଁ। ମୁଁ ଦହିବରାଆଳୁଦମ ଖାଇ ବହୁତ ଖୁସି।ମୋର ତ ଗଙ୍ଗା ସ୍ନାନ ହେଇଗଲା ଏଥିରେ।

ରଞ୍ଜନ ଆଶ୍ଚର୍ଯ୍ୟ ହେଇ ପଚାରିଲା- ଗଙ୍ଗା ସ୍ନାନ!

ମୁଁ ହସିଦେଇ କହିଲି, ତୁ ବୁଝି ପାରିବୁନି।

ମୁଁ ଯାଉଥିବା ବେଳେ ସେ ସେମିତି ଚାହିଁ ରହିଥାଏ


@ ସମାପ୍ତ 


Rate this content
Log in

Similar oriya story from Drama