ଦେବୀ
ଦେବୀ
ମୁଁ ଏକ ସ୍ବପ୍ନର ସୁନେଲୀ ସଂଧ୍ୟା
ଦେଇଥିଲ ଯାର ନାଁ ଟି
ଗାଉଥିଲା ଅତି କୋମଳ ସ୍ବରଟେ ମଞ୍ଚରେ ।ତା ' ମୁହଁ ଟା ମନେ ରହିଯାଇଥିଲା ।ଆଜି ପୁଣି ପ୍ରାୟ ଅଠର ମାସ ପରେ ତା' ମୁହଁ ଟା ଦୈନନ୍ଦିନ କାଗଜରେ ଅପରାଧି ପୃଷ୍ଠାରେ ଦେଖି ଚମକିଲି ।ଏ ମୁହଁ ପୁଣି ଅପରାଧି? ହୋଇ କି ପାରେ ଯେ ।
ବେସ୍ତିଆ ମନ ନେଇ ଭେଟିବାକୁ ଗଲି ତାକୁ ।ଜେଲ୍ ର ଅନ୍ଧାର କୋଠରୀର ଶେଷ କୋଣକୁ ସଂସାର କୁ ପଛ କରି ବସିଥିଲା ସେ ।କୌଣସି ଉତ୍ତର ଫେରଉନଥିଲା, କିଛି ଖାଉ ବି ନଥିଲା ବୋଲି କର୍ତ୍ତୃପକ୍ଷ କହିଲେ ।
ଆଣ୍ଠେଇ ପଡି ବସିଲି, କହିଲି, ' ତୁମେ ବହୁତ ସୁନ୍ଦର ଗାଅ ।ମୁଁ ଶୁଣିଥିଲି ତୁମ କଲେଜ ରେ ତୁମକୁ ।ଏଠି କେମିତି, କାହିଁକି ବୋଲି ମୁଁ ପଚାରିବିନି ।ତୁମେ ଯଦି କିଛି କହିବାକୁ ଚାହଁ କହିପାର ।କିନ୍ତୁ ମୋର ଇଛ୍ଛା ତୁମେ ଏଠୁ ଶିଘ୍ର ମୁକୁଳ ।ଆଉ ଆଗ ପରି ସ୍ବର ସାଧନା କର ।ବଞ୍ଚ ସମ୍ନ ସହ । ମୁଁ ମନସ୍ତାତ୍ତ୍ବିକ ଭାବେ କାମ କରେ ।ଚେଷ୍ଟା କରିବି ତୁମକୁ କିଛି ସେଇ ଇଛ୍ଛା ନେଇ
ସେ ମତେ ଥରେ ମୁହଁ ଟେକି ଚାହିଁ ପୁଣି ତଳକୁ ମୁହଁ ପୋତିଦେଲା । ଆଉ କହିଲା ,' ନିଜକୁ ରକ୍ଷା କରି ମୁଁ ଯଦି ଦୋଷ କରିଛି ,ତେବେ ମୁଁ ଦୋଷୀ ।'
_ ହେଲେ ନ୍ଯାୟ ବିଚାର
_ ନ୍ଯାୟ ? ବିଚାର ?
ତା ମୁହଁ ରେ ବିଦ୍ରୁପର ରେଖା ସ୍ପଷ୍ଟ ଥିଲା ଓ ଆଖିରୁ ଘୃଣା ବର୍ଷୁଥିଲା ଯେମିତି ।ମୁଁ ନିଶ୍ବାସ ନେଇ ପାରିଲିନି ।ସେ ମତେ ଆଉ କିଛି ପଟକୁ ପଟ ହେଇ କଥା ବାଣ୍ଟିଲାନି ।ମୁଁ ତା ନିରବତାର ପ୍ରଖରତା କୁ ଭୋଗିଲି ।
ପୁଣି ପଚାରିଲି, _ ଆଉ କିଛି କହିବ? ମୁଁ ବୁଝି ପାରିବି ଭାବୁଛି ।
_ ଯିଏ ଭୋଗେ ଆଉ ଯିଏ ଦେଖେ କି ଶୁଣେ ଉଭୟଙ୍କର ବୁଝିବା ଭିନ୍ନ ।ମୋ ଈଶ୍ବରଦତ୍ତ ନିଃସଙ୍ଗ ଜୀବନକୁ ସିଏ ନିଃସହାୟ ମନେକଲା ।ମତେ ଏକୁଟିଆ ପାଇ ମାଂସ ଝୁଣି ଶୁଖେଇ ଖାଇବ ଭାବିଲା ।ସହାନୁଭୁତି ଛଳରେ ନିଃଶେଷ କରିବାର ଘୁଣଖିଆ ଯୋଜନା କଲା ।ସେଦିନ ମତେ ପାଣି ମାଗିଲା, ମୁଁ କିଚେନ ରୁ ପାଣି ଆଣିବାକୁ ଯାଇଛି, ମୋ ପଛରୁ ........ ହାତ ରେ ପଡିଲା ଚାମଚ ଷ୍ଟାଣ୍ଡର ଫର୍କ ଟି ।ତ୍ରିଶୂଳ ପରି ଦିଶିଲା ।ମୋ ଭିତରର ଦେବୀ ଶକ୍ତି ସଂଚରିତ କଲେ ଆଉ ବୁଲିପଡି ଖୋବିଦେଇ ଚାଲିଲି ଆଖିବୁଜା ।ତା' ଚିତ୍କାର, ତା ' ରକ୍ତ କିଛି ଅଟକେଇ ପାରିଲେନି ମୋ ଶକ୍ତିମୟତାକୁ ।ତଥାପି ଅବଶୋଷ ସେ ବଞ୍ଚିଗଲା ।ଫୁଟିଗଲା ତ କେବଳ ତା ପାପଦୃଷ୍ଟି ଆଖି ଦିଟା ।ବାସ୍ ।
ସେ ମୁହଁ ଫେରେଇ ନେଇ କାନ୍ଥ କୁ ଚାହିଁ ନୀରବିଗଲା ।ମୁଁ ଦୀର୍ଘ ନିଶ୍ବାସ ଟେ ସହ ଦୃଶ୍ୟପଟରୁ ପାଦ ଘୋସାରି ଓହରି ଆସିଲି ତା କାନ୍ଧରେ ସାହାସ ର ସାବାସୀ ସ୍ପର୍ଶଟେ ଦେଇ ଆଉ ମନେ ମନେ ପ୍ରତିଜ୍ଞା କଲି, ଏଠୁ ତାକୁ ସସମ୍ମାନେ ମୁକୁଳେଇବି ।ଯେମିତି ହେଲେ ।
ବୁଢାଛେଳିର ଟକଳା ପାଟି ଯେମିତି ସବୁବେଳେ କଳରେ ତୁଣ୍ଡି ଯାକି ଚକର ଚକର କରୁଥାଏ ସେମିତି ଏ ଦାଣ୍ଡ ଘାଟର ବୁଢା ଟୋକାଙ୍କର ନଜର ।ଝିଅ ତ ଝିଅ ।ସିଏ କାଳି ହଉ ,କେମ୍ପି ହଉ ,ମୋଟି ହଉ କି ଗେଡି ହଉ ।କଣ ପି ଯାନ୍ତି କେଜାଣି, ପଲକ ପଡେନି ।ବଜାର ଦେଇ ଘରକୁ ଲେଉଟି ମନ ହୁଏ ମୁଣ୍ଡ ଧୋଇ ଗାଧେଇ ପଡି ବହେଇଦିଅନ୍ତ ସେ ଲାଖି ଲାଖି ଆଖି ତକ ଅପରଛନିଆ ପାପ ତକ ।ତମେ ପୁରା ଶାଢୀ, ସାଲୁଆର ରେ ଓଢଣା ଦେଇଥିଲେ ବି ଆଖି ନିଆଁ ର ଧାସ ତ ବାଜିବ ହି ବାଜିବ, ତମେ ଆପେ ଛନ୍ଦି ହବ ।ଲାଗିବ ଯେମିତି ତମେ ତାଙ୍କ ଜଳନ୍ତାରଡ ନଜର ଉପରେ ପୁଙ୍ଗୁଳା ହେଇ ନିଜକୁ ବଚେଇ ବଚେଇ ଚାଲୁଛ ।ଶୀତଦିନ ସକାଳ ପରି ଧୁ ଧୁ ଖରାଟାରେ ବି ରୁମ ଟାଙ୍କୁରିଯିବ ,ଦି ହାତକୁ ଛାତି ଉପରେ ଛକ କରି ପକେଇ ଧାଇଁଲାପରି ମୃତ୍ୟୁ କୁ ଭେଟୁଥିବ ବାଟେ ଘାଟେ ।ତମ ମନତଳର ସରଳତା ଷୋଳଅଣା ଥିଲେ କଣ ହବ ,ଅସୁର ସବୁ ପରା କପଟି, ମନରେ ପରା ସେମାନେ ଦରିଦ୍ର ।କୁସଂସ୍କାର ଲୋକଙ୍କ ରକ୍ତ ରେ ମିଶି ରହିଲା ପରା ଏ ଆଖି ସବୁର ଡର ଘର ବାହାରେ ସବୁଠି ଆସ୍ଥାନ ଜମାଏ ।ବାଘମାମୁଁ ପରି ହାଉଁ ହାଉଁ କରି ଡରାଏ ।ଯେତେ ତମେ ନିଜକୁ ସାହାସୀ ଖିଆଲରେ ତଉଲ ରୁନ୍ଧି ହେବା ସାର ।
ଏ ସବୁକୁ ଛିଣ୍ଡେଇ ଦେବାକୁ ହି ହେବ, ହେଉ ପଛେ ପାପୁଲି ରେ ଘୋସରା ଦାଗ କି ଫାଟି ବହିଯାଉ ରକ୍ତ ।ସସମ୍ମାନେ ବଞ୍ଚିବାକୁ ହି ହେବ ।ତ୍ରିଶୂଳ ଧାରଣ କରି ଦେବୀ ସାଜିବାକୁ ହି ହେବ ।
ମୁକୁଳି ଥିଲା ସେ ସସମ୍ମାନେ ।ଆଖି ରେ ଶାନ୍ତି ର ଅଶ୍ରୁ ନେଇ ।
ଅନ୍ଧତ୍ବ ଭୋଗୁଥିଲା ବିଭିଷିକା