KRUTIBAS NAYAK

Children

3  

KRUTIBAS NAYAK

Children

ଡେଉଁରିଆ

ଡେଉଁରିଆ

6 mins
236



ବୁନୁ ବାପା-ମାଆଙ୍କର ଏକମାତ୍ର ପୁଅ । ସେ ପାଠରେ ଯେମିତି, ଖେଳରେ ସେମିତି ଆଗୁଆ । ତାକୁ ସାଙ୍ଗସାଥୀମାନେ ବହୁତ ଭଲ ପାଆନ୍ତି । ଥରେ ସେ ବାପାଙ୍କ ସହିତ ମୋଟର ସାଇକେଲରେ ବସି ବଜାର ବୁଲି ଯାଇଥିଲା । ବାଟରେ ଖୁବ ଜୋରରେ ବର୍ଷାହେଲା । ହାଟ ଭିତରକୁ ଯିବା ବାଟରେ ପାଣି କାହୁଅ ସଡ଼ସଡ଼ ହେଇଯାଇଥିଲା । ତେଣୁ ବୁନୁର ବାପା ମୋଟର ସାଇକେଲକୁ ଦୂରରେ ଥିବା ବଡ଼ ବରଗଛ ମୂଳେ ରଖିଦେଇ ହାଟ ଭିତରକୁ ଗଲେ । ଏତେ କାଦୁଅରେ ପଶି ବୁନୁ ହାଟ ଭିତରକୁ ଯିବାପାଇଁ ରାଜିହେଲା ନାହିଁ । ବାପା କହିଲେ-" ତୁ ଠିକ କହିଛୁ,ଏଇ ମୋଟର ସାଇକେଲ ପାଖରେ ଠିଆ ହେଇଥା' । ମୁଁ ହାଟରୁ ସଉଦା କିଣି ଆସିବା ପର୍ଯ୍ୟନ୍ତ ଏଇଠି ଠିଆ ହେଇଥିବୁ । ମୋର ଫେରିବା ବେଶି ଡେରିହେଲେ ମୋଟର ସାଇକେଲ ଉପରେ ବସିଯିବୁ । ଅନ୍ୟ କୁଆଡ଼େ ଯିବୁନାହିଁ କି' କିଏ ଡାକିଲେ ତା' ପାଖକୁ ଯିବୁନାହିଁ । ଏଇଟା ହେଉଛି ହାଟ । ଏଠିକି ବିଭିନ୍ନ ପ୍ରକାର ଲୋକ ଆସନ୍ତି କେହି କିଛି ଖାଇବାକୁଦେଲେ, ମୋଟେ ଖାଇବୁ ନାହିଁ ।"

ବୁନୁ କହିଲା-" ନାଇଁ ବାପା ! ମୁଁ ଏଇଠି ଠିଆ ହେଇଥିବି ତମେ ବ୍ୟସ୍ତ ହୁଅନା । ଯା' ଶୀଘ୍ର ପଳାଇ ଆସିବ ।"

ବୁନୁ ତା' ବାପାଙ୍କ କଥାକୁ ମାନି ସେଇଠି ବରଗଛ ମୂଳେ ମୋଟର ସାଇକେଲ ପାଖରେ ଠିଆହେଇ ରହିଲା । ବାପା ହାଟ ଭିତରକୁ ଚାଲିଗଲେ । ବୁନୁ ଦେଖିଲା-ସେହି ବରଗଛ ମୂଳରେ ଜଣେଲୋକ ମୁଣ୍ଡରେ ଚିତା-ଚୈତନ ମାରି ବସିଛି । ତା' ପାଖରେ ଗୋଟାଏ ବଡ଼ ନାଲି ଥଣ୍ଟବାଲା ଶୁଆ ଅଛି । ଜଣେ ଜଣେଲୋକ ଆସି ସେହି ଲୋକଟି ପାଖରେ ବସି ନିଜର ହାତକୁ ଦେଖାଇ ଯାଉଛନ୍ତି । ସେ ଶୁଆଟି ତା' ଥଣ୍ଟରେ ଖଣ୍ଡିଏ ଲେଖା ହେଇଥିବା ମୋଟା କାଗଜ ଆଣି ସେ ଲୋକକୁ ଦେଉଛି । ସେଥିରେ ହାତକୁ ଦେଖାଉଥିବା ଲୋକର ଭାଗ୍ୟଫଳ, ଭଵିଷ୍ୟତ କଥାସବୁ ଲେଖା ହେଇଥାଏ । ତାକୁ ପଢ଼ି ଶୁଆବାଲା ତାଙ୍କୁ ଶୁଣାଇ ଦେଉଛି । ଶେଷରେ ସେ କାହାକୁ କହୁଥାଏ-"ତମର ଭବିଷ୍ୟତ ବହୁତ ଉଜ୍ଜଳ । ବିଦେଶ ଯାତ୍ରା ଯୋଗ ରହିଛି । ଉତ୍ତର ଦିଗରୁ ତମର ଜଣେ ନିଜର ଲୋକ ଆସି ତମକୁ ଧନୀ କରିଦେବ ।"

ଆଉ କାହାର ଭାଗ୍ୟ-ଭବିଷ୍ୟତକୁ ଦେଖି କହୁଥାଏ-" ତମର ବାଣିଜ୍ୟ ବ୍ୟବସାୟ ଏବେ ମାନ୍ଦା ରହିଛି । କୋର୍ଟ କଚେରୀ ମାମଲାରେ ତମେ କିନ୍ତୁ ବିଜୟ ଲାଭ କରିବ । ତମର ଶ୍ୱଶୁର ଘରପଟୁ ସହାୟତା ମିଳିବ । ଆଗକୁ ଗୋଟାଏ ଗ୍ରହଦୋଷ ଦେଖା ଯାଉଛି, ତାକୁ କାଟିବା ପାଇଁ ଗୋଟେ ମନ୍ତୁରା ଡେଉଁରିଆ ହାତରେ ବାନ୍ଧିବାକୁ ହେବ ।"

ଅଳ୍ପ ବୟସର ପିଲାଟିର ହାତକୁ ଦେଖି ସେ କହିଲା-" ତମର ପାଠ ମନେରହୁ ନାହିଁ, ତମକୁ ପାଠରେ ଆଉ କେତେଜଣ ଆଗେଇ ଯାଉଛନ୍ତି । ସେଥିପାଇଁ ତମେ ଦୁଃଖିତ ରହୁଛ । ମୋ ପାଖରେ ଗୋଟାଏ ମନ୍ତୁରା ଡେଉଁରିଆ ଅଛି ତାକୁ ତମକୁ ଦେବି । ତମେ କାହାରିକୁ ନ ଦେଖାଇ ରାତିରେ ବାମ ହାତରେ ପିନ୍ଧି ପକେଇବ । ଦେଖିବ ଦୁଇମାସରେ ତମେ ସମସ୍ତକୁ ପାଠରେ ଟପିଯିବ ।"

ପିଲାଟି କିଛି ଟଙ୍କାଦେଇ ସେ ଡେଉଁରିଆଟିକୁ ଲୁଚେଇ ପକେଟରେ ପୂରେଇ ଚାଲିଗଲା । ଆଉ ଜଣେ ସ୍ତ୍ରୀଲୋକ ଆସି ତାଙ୍କର ହାତ ଦେଖାଇ କହିଲେ- "ବାବା ! ତିନିଦିନ ହେଲା ଗାଈଟା ଘରକୁ ଫେରିନାହିଁ । ତା' କଅଁଳା ବାଛୁରୀଟା କାନ୍ଦିକାନ୍ଦି ମୋତେ ବସେଇ ଉଠେଇ ଦେଉନାହିଁ । କେଉଁଠି ସେ ଗାଈଟା ଅଛି, ତମେ ଟିକେ ଶୁଆକୁ ପଚାରି କୁହ । ଯାହା ଟଙ୍କା କହିବି, ମୁଁ ଦେବି ।"

ତାଙ୍କର ହାତକୁ ଦେଖି ଶୁଆବାଲା ତା' ଶୁଆକୁ ଖଣ୍ଡେ କାଗଜ ଆଣିବାକୁ ଇସାରା ଦେଲା । ଶୁଆ କାଗଜ ଆଣି ଦେବାରୁ ତାକୁପଢି ଲୋକଟି କହିଲା-"ପାଠ କହୁଛି-ତମର ଗାଈ ଦକ୍ଷିଣ ଦିଗକୁ ଚାଲିଯାଇଛି । ତାକୁ ଜଣେ ଲୋକ ବାନ୍ଧି ରଖିଛି । ତମେ କୋଡ଼ିଏ ଟଙ୍କାଦେଇ ଗୋଟାଏ ଡେଉଁରିଆ ନେଇଯାଅ । ତାକୁ ଗାଈ କ୍ଷୀରରେ ବୁଡ଼େଇ ପିନ୍ଧିବ । କାଲି ସକାଳେ ତମ ଦୁଆରେ ଗାଈ ଆସି ଠିଆ ହେଇଯିବ ।"

ସ୍ତ୍ରୀଲୋକଟି କୋଡ଼ିଏ ଟଙ୍କାଦେଇ ସେ ଲୋକର ପାଦକୁ ଛୁଇଁ ଜୁହାରହେଇ ଫେରିଗଲେ ।

ବୁନୁ ଦେଖୁଥାଏ- ଯେତେଲୋକ ସେ ଶୁଆବାଲା ପାଖକୁ ଆସୁଛନ୍ତି ସେମାନେ ତା'ଠାରୁ ବଡ଼ ଆଉ ବୟସ୍କ । ସେମାନେ ଶୁଆବାଲାକୁ ବିଶ୍ୱାସ କରୁଛନ୍ତି । ବୁନୁ ଭାବିହେଉଥିଲା-"ଶୁଆଟା କେମିତି ସମସ୍ତଙ୍କ ଭାଗ୍ୟ ଭବିଷ୍ୟତ ଜାଣିପାରୁଛି ? ଏହି ଲୋକଟା ନିଶ୍ଚୟ ଜଣେ ଭବିଷ୍ୟତ ଦ୍ରଷ୍ଟା, ଜ୍ଞାନୀ, ଶିକ୍ଷିତ, ଭଗବାନଙ୍କ ପାଖଲୋକ ହେଇଥିବ । ନହେଲେ ଏତେଲୋକ ତା' ପାଖକୁ ଆସନ୍ତେ କାହିଁକି ? ଖୁସିରେ ତାକୁ ଟଙ୍କା ଦିଅନ୍ତେ କାହିଁକି ? ବିପଦରୁ ଉଦ୍ଧାର ପାଇବାକୁ ଲୋକେ ବିକଳ ହେଇ ତା' ପାଖକୁ ଆସନ୍ତେ କାହିଁକି ?"

କେତେ ସମୟ ପର୍ଯ୍ୟନ୍ତ ବୁନୁ ଶୁଆବାଲାର ସବୁ କାର୍ଯ୍ୟ କଳାପକୁ ଲକ୍ଷ୍ୟକରି ଶେଷରେ ଭାବିଲା-"ମୋ ହାତକୁ ଟିକେ ଦେଖେଇ ମୋର ଭାଗ୍ୟ ଭବିଷ୍ୟତ କଥା ବୁଝିଦେଲେ, ଭଲ ହୁଅନ୍ତା । ବାପାଙ୍କର ତ ଫେରିବା ଡେରି ହେଉଛି । ଏଇ ସମୟ ଭିତରେ ସେ କାମଟା ସାରିଦେଲେ ଭଲହେବ ।"

ବୁନୁ ତା' ପକେଟରେ ହାତ ପୂରେଇ ଦେଖିଲା-ମାଆ ଦେଇଥିବା ଦଶ ଟଙ୍କା ତା' ପାଖରେ ଅଛି । ଧୀରେଧୀରେ ସେ ଶୁଆବାଲା ପାଖରେ ଯାଇ ଠିଆହେଲା । ସେ କିଛି କହିବା ଆଗରୁ ଶୁଆବାଲା କହିଦେଲା- "ବାବୁ ! ତମେ ସ୍କୁଲରେ ପାଠ ପଢୁଛ । ତମର କପାଳ ଦେଖି ମୁଁ ଜାଣି ପାରୁଛି- ତମେ ବାପାମାଆଙ୍କର ଏକମାତ୍ର ଗେହ୍ଲା ପୁଅ । ତମର ହାତ ଦେଖେଇଲେ, ମୁଁ କହିଦେବି- ତମେ କେତେ ପାଠ ପଢିବ, ଆଉ କି ଚାକିରୀ କରିବ ? ବୁନୁ ତା' ହାତକୁ ଶୁଆବାଲା ଆଡ଼କୁ ବଢ଼େଇଦେଲା । ଶୁଆବାଲା-ତା' ଶୁଆକୁ ଇସାରା ଦେବାରୁ ସେ ଖଣ୍ଡିଏ କାଗଜ ଆଣି ତା' ହାତକୁ ଦେଲା । ତାକୁ ଚାହିଁ ଶୁଆବାଲା କହିଲା-" ଆରେ ବାବୁ ! ତମର ତ ଗୋଟାଏ ଗ୍ରହଦୋଷ ରହିଛି, ସେଥିପାଇଁ ତମର ପାଠ ମନେରହୁ ନାହିଁ । ଭବିଷ୍ୟତରେ ଏହି ଗ୍ରହଦୋଷ କାରଣରୁ ତମେ ବହୁତ ଦୁଃଖ ପାଇବ । ବାପାଙ୍କ ସହିତ ଝଗଡ଼ା କରିବ । ସବୁ ପ୍ରତିଯୋଗିତାରେ ତମେ ହାରିବ । ସାଙ୍ଗମାନେ କେହି ତମକୁ ଭଲ ପାଇବେ ନାହିଁ । ତେଣୁ ତମେ ମୋଠାରୁ ଗୋଟିଏ ମନ୍ତୁରା ଡେଉଁରିଆ ନେଇ ଅନ୍ଧାରରେ ଲୁଚେଇ ପିନ୍ଧିବ । ଦେଖିବ ସବୁ ଅସୁବିଧା ଦୂର ହେଇଯିବ । ତମେ ଆଗକୁ ଆଗକୁ ଯିବ । ତମେ ଭବିଷ୍ୟତରେ ବହୁତ ବଡ଼ ଧନଵାନ, ବୁଦ୍ଧିମାନ ମଣିଷ ହେବ । ଏଥିପାଇଁ ମୋତେ କୋଡ଼ିଏ ଟଙ୍କା ଦେବାକୁ ପଡ଼ିବ । ତମ ପାଖରେ ଅଛି ତ ?"

ବୁନୁ ପକେଟରୁ କାଢି ତାକୁ ଦେଖାଇ କହିଲା- "ଏଇ ଦଶଟଙ୍କା ମୋ ପାଖରେ ଅଛି । ବାପା ହାଟରୁ ଫେରିଲେ, ତାଙ୍କଠାରୁ ମାଗିଆଣି ଆଉ ଦଶଟଙ୍କା ଦେଇଦେବି । ମୋତେ ସେହି ମନ୍ତୁରା ଡେଉଁରିଆଟିକୁ ଦିଅ ।"

ଶୁଆବାଲା ଡେଉଁରିଆଟି କାଢି ତାକୁ ଫୁଙ୍କି ବୁନୁ ହାତକୁ ବଢ଼େଇଦେଇ ତା'ଠାରୁ ସେ ଦଶଟି ଟଙ୍କା ନେଇଗଲା । ସେତେବେଳକୁ ବୁନୁର ବାପା ଆସି ଦେଖିଲେ-ପୁଅ ସେ ମୋଟର ସାଇକେଲ ପାଖରେ ନାହିଁ । ସେ ଵ୍ୟସ୍ତହେଇ ଏଣିକି ତେଣିକି ଚାହିଁ ଜାଣିଲେ-ବୁନୁ ସେ ଶୁଆବାଲା ପାଖରେ ଠିଆହେଇ ତା' ସହିତ କ'ଣ କଥା ହେଉଛି । ତରବର ହେଇ ସେ ବୁନୁକୁ ଡାକ ପକେଇଲେ । ବୁନୁ ବାପାଙ୍କ ପାଖକୁ ଆସି କହିଲା-"ବାପା ! ମୁଁ ଏଇ ଡେଉଁରିଆକୁ କିଣିଛି । ଦଶଟଙ୍କା ଶୁଆବାଲାକୁ ଦେଇଛି, ତମେ ଆଉ ଦଶଟଙ୍କା ଦିଅ ।"

ବୁନୁର କଥା ସରିଛି କି ନାହିଁ, ତା' ବାପାଙ୍କ ଆଖି ଲାଲ ଟକଟକ ହେଇଗଲା । ସେ କିଛି ନ କହି ବୁନୁ ଗାଲରେ ଗୋଟାଏ ବ୍ରହ୍ମ ଚାପଡ଼ ଦେଲେ । ବୁନୁ ତଳେ କଚାଡ଼ି ପଡ଼ିଲା । ତା' ହାତରେ ଥିବା ଡେଉଁରିଆ ଯାଇ ଶୁଆବାଲା ପାଖରେ ପଡ଼ିଲା । ଶୁଆବାଲା ଦୌଡ଼ି ଆସି ବୁନୁକୁ ଟେକି ଉଠେଇଲା । ତରବର ହେଇ ସେ ନେଇଥିବା ଦଶଟଙ୍କାକୁ ବୁନୁ ପକେଟରେ ପୂରେଇ ଦେଲା । ନିଜ ଡେଉଁରିଆକୁ ନେଇ ତା' ବାକ୍ସରେ ରଖିଦେଲା । ତା' ପାଟିରୁ କିଛି କଥା ବାହାରିଲା ନାହିଁ । ସବୁକଥାକୁ ଅନୁମାନ କରି ସେ ନିଜେ ବୁଝିଗଲା । ବାପରେ ! ଏତେ ରାଗିଲୋକ ଏ' ବୁନୁର ବାପା ?

ସଉଦା-ପତ୍ରକୁ ମୋଟର ସାଇକେଲରେ ବାନ୍ଧି ବୁନୁକୁ ବସେଇ ତା' ବାପା ଘରକୁ ଫେରିଲେ । ବାଟରେ ସେମାନେ କେହି କାହାରିକୁ କିଛି କହି ନଥିଲେ ।

ସେତେବେଳେ ସିନା ମାଡ଼ ଭୟରେ ବୁନୁ ତା' ବାପାଙ୍କୁ କିଛି କହିପାରି ନ ଥିଲା, କିନ୍ତୁ ସେ ବୁଝିଗଲା ଯେ-ବାପା ସେହି କୋଡ଼ିଏ ଟଙ୍କାପାଇଁ ତାକୁ ଚାପଡ ମାରିଥିଲେ । ତା' ମନରେ ଅବସୋସ ରହିଗଲା । ଶୁଆବାଲାର କଥାଟା ତା' ମନ ଭିତରେ ରହିଗଲା । ତା'ର ଗ୍ରହଦୋଷରୁ ସେ ଆଉ ଭଲପାଠ ପଢିପାରିବ ନାହିଁ । ସାଙ୍ଗମାନେ ତାକୁ ଆଉ ଭଲ ପାଇବେ ନାହିଁ । ସବୁ ପ୍ରତିଯୋଗିତାରେ ସେ ହାରିବ । ଭବିଷ୍ୟତରେ ସେ ବହୁତ ଦୁଃଖ ପାଇବ । ସାମାନ୍ୟ କୋଡ଼ିଏ ଟଙ୍କାରେ ସେ ଡେଉଁରିଆ ମୋ ଭାଗ୍ୟକୁ ବଦଳେଇ ଦେଇଥାଆନ୍ତା । ବାପା ତ ସେ କଥା ବୁଝିଲେ ନାହିଁ । ସବୁବେଳେ ସେ ସେହିକଥାକୁ ମନେପକାଇ ସେ ପାଠପଢ଼ା, ଖେଳ-ପ୍ରତିଯୋଗିତା ପ୍ରତି ଆଗ୍ରହ ପ୍ରକାଶ କଲାନାହିଁ । ତେଣୁ ସେ ସବୁଥିରେ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଲା । ସବୁବେଳେ ଅନ୍ୟମନସ୍କ ରହିଲା । ଶିକ୍ଷକମାନେ ବି ତା' ଉପରେ ବିରକ୍ତ ହେଉଥିଲେ । ସାଙ୍ଗମାନେ ତା'ର ଅନ୍ୟମନସ୍କତାକୁ ଲକ୍ଷ୍ୟକରି ଆଗଭଳି ଆଉ ବେଶି ମିଶିଲେ ନାହିଁ । ଏକଥା ଶ୍ରେଣୀ ଶିକ୍ଷକଙ୍କ କାନକୁ ଗଲା । ସେ ଦିନେ ବୁନୁକୁ ପାଖକୁ ଡକେଇନେଲେ । ସବୁକଥା ତା'ଠାରୁ ଶୁଣିସାରି କହିଲେ-"ଏଇଟା ଗୋଟାଏ କଥା ? ଏଥିପାଇଁ ଚିନ୍ତା କରିବା ତୋର ଦରକାର ନାହିଁ । ଆଜି ମୁଁ ନିଜେଯାଇ ସେହି ଶୁଆବାଲାଠୁଁ ଡେଉଁରିଆ କିଣି ଆଣି ତୋ' ହାତରେ ବାନ୍ଧିଦେଵି । ଦେଖିବୁ ସବୁ ଠିକ ହେଇଯିବ । ତୁ ଏବେ ହସଖୁସିରେ ପିଲାଙ୍କ ସହିତ ମିଶି ଖେଳିବୁ । ମନଦେଇ ପାଠ ପଢ଼ିବୁ । ତୋ' ଵାପା ବି ଆଉ ତୋତେ କିଛି କହିବେ ନାହିଁ ।"

ସତକୁ ସତ, ଶ୍ରେଣୀ ଶିକ୍ଷକ ସେତିକିବେଳେ ନିଜ ମୋଟର ସାଇକେଲ ଧରି ସ୍କୁଲରୁ ବାହାରିଗଲେ । ଡେଉଁରିଆ ମିଳିଯିବ ଜାଣି ବୁନୁର ମନଟା ସେଦିନ ଖୁସି ହେଇଗଲା । ସେ ଶିକ୍ଷକଙ୍କ ଫେରିବା ବାଟକୁ ଚାହିଁ ରହିଥାଏ ।

ଶିକ୍ଷକ ଜଣକ ସିଧା ବୁନୁର ବାପାଙ୍କ ପାଖରେ ପହଞ୍ଚି ସବୁକଥା ବୁଝେଇ କହିଦେଲେ । ଦୁଇଟଙ୍କା ଦେଇ ଦୋକାନରୁ ଖାଲି ଡେଉଁରିଆକୁ ଆଣି ବୁନୁ ହାତରେ ବାନ୍ଧିଦେଲେ । ଏଥର ବୁନୁର ଢଙ୍ଗ-ରଙ୍ଗ ସବୁ ବଦଳିଗଲା । ଆଗଭଳି ସେ ମନଦେଇ ପାଠ ପଢିଲା । ସମସ୍ତେ ତାକୁ ଭଲ ପାଇଲେ ।

କିଛିଦିନ ପରେ ଥରେ ସେ ଶିକ୍ଷକ ଜଣକ ସବୁ ପିଲାଙ୍କୁ ବୁଝେଇ କହିଲେ । ଆମ ସମାଜରେ ଅନ୍ଧବିଶ୍ୱାସ, କୁସଂସ୍କାର ଆଉ ତନ୍ତ୍ର-ମନ୍ତ୍ରର ବିଶ୍ୱାସ ରହିଥିବାରୁ ଲୋକମାନେ ଆଗେଇ ପାରୁନାହାନ୍ତି । କେତେଜଣ ଠକ ବଦମାସ ଆଉ ବାବାଜୀ ଏଭଳି ଅନ୍ଧବିଶ୍ଵାସକୁ ପ୍ରଚାର କରି ଲୋକଙ୍କଠାରୁ ଟଙ୍କା ପଇସା ନେଇ ଚଳୁଛନ୍ତି । ପ୍ରକୃତରେ ଆମର ଭାଗ୍ୟ ଆମ ହାତରେ ହିଁ ରହିଛି । ପରିଶ୍ରମ ଆଉ ନିଷ୍ଠାଦ୍ୱାରା ମଣିଷ ନିଜର ଭାଗ୍ୟକୁ ବଦଳାଇ ଦେଇପାରେ । ଗୁଣି ଗାରେଡ଼ି, ତାବିଜ, ଡେଉଁରିଆ, ଝଡ଼ା- ଫୁଙ୍କାକୁ ଯିଏ ବିଶ୍ୱାସ କରେ, ଜାଣିବ ତା'ର ଭାଗ୍ୟ ଖରାପ ହେବାକୁ ଯାଉଛି । ଆଜିର ବିଜ୍ଞାନ ଯୁଗରେ କାହାର ମିଛ-ଫାଲତୁ କଥାକୁ ତୁମେ କେହି ବିଶ୍ୱାସ କରିବ ନାହିଁ । ତେବେ ଯାଇ ଏ' ଯୁଗ ସହିତ ତାଳଦେଇ ଆଗେଇ ପାରିବ ।"

ଶିକ୍ଷକଙ୍କ କଥାଶୁଣି ବୁନୁ ତା' ନିଜକଥାକୁ ଭାବୁଥିଲା । ଶିକ୍ଷକ ତା' ଉଦ୍ଦେଶ୍ୟରେ କହିଲେ-"ଆମ ବୁନୁ ଶୁଆବାଲାର କଥାକୁ ବିଶ୍ଵାସ କରି କେମିତି ଅସୁବିଧାରେ ପଡ଼ିଲା, ସେକଥା ତମେମାନେ ଜାଣିଛ । ସେ ଯେଉଁ ଡେଉଁରିଆ ପିନ୍ଧିଛି, ସେଥିରେ କିଛିବୋଲି କିଛି ନାହିଁ । ତାକୁ ବୁଝେଇବା ପାଇଁ ଖାଲି ଡେଉଁରିଆଟିକୁ ମୁଁ ଦୋକାନରୁ କିଣି ଆଣି ବାନ୍ଧିଦେଇଛି । ସେଥିରେ ବୁନୁର ମନ ପରିବର୍ତ୍ତନ ହେଇଗଲା । ସେ ତାକୁ ଖୋଲି ଫୋପାଡ଼ିଦେଲେ ଆହୁରି ଭଲ ପଢିପାରିବ ।"

ଶିକ୍ଷକଙ୍କ କଥାଶୁଣି ବୁନୁ ବୁଝିଗଲା-"ସେ ଶୁଆବାଲାଟା ମିଛୁଆ ଆଉ ଠକ ।"

ସେତିକିବେଳେ ସେ ନିଜହାତରୁ ଡେଉଁରିଆକୁ ଖୋଲି ଝରକାବାଟେ ଫୋପାଡ଼ିଦେଲା ।


Rate this content
Log in

Similar oriya story from Children