Sambit Srikumar

Classics Inspirational Others

4.0  

Sambit Srikumar

Classics Inspirational Others

ଡ଼େଣା

ଡ଼େଣା

4 mins
331



ହାଇଦ୍ରାବାଦ୍! ଦାକ୍ଷିଣାତ୍ୟର ଏହି ପ୍ରାଚୁର୍ଯ୍ୟମୟୀ ମହାନଗରୀରେ ନବ୍ୟ ଧନାଢ୍ୟ ଗୋଷ୍ଠୀର ଭିଡ଼ । ନିଜାମ ରାଜରୁ ମୁକ୍ତ ହେବା ପରେ ବଜାରବାଦୀ ଅର୍ଥନୀତିର ପ୍ରଭାବରେ ଖୁବ୍ କମ୍ ସମୟ ମଧ୍ୟରେ ଢେର୍ ଅଗ୍ରଗତି ହାସଲ କରିପାରିଛି ଏହି ମହାନଗରୀ । ଅଚାନକ ପ୍ରାପ୍ତ ହୋଇଥିବା ଅର୍ଥର ପ୍ରାଚୁର୍ଯ୍ୟ ନବ୍ୟ ଧନାଢ୍ୟ ଗୋଷ୍ଠୀକୁ ଖୁବ୍ ଅହଂକାରୀ ଓ ବେପରୁଆ ମଧ୍ୟ ବନାଇ ଦେଇଛି । ଏମାନଙ୍କ ପାଇଁ ମଣିଷ ଜୀବନର ମୂଲ୍ୟ ଦାମୀ ଗାଡ଼ି ଚକାର ଦାମଠୁ ବି ଶସ୍ତା।

ସାଧାସିଧା ମଣିଷଟିଏ ଦିନେ ଥିଲେ ବିଷ୍ଣୁପ୍ରସାଦ ଶର୍ମା । ବେସରକାରୀ ସ୍କୁଲରେ ଶିକ୍ଷକତା କରି ସ୍ଵଳ୍ପ ବେତନରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ସମୟ କ୍ରମେ ଘଟଣା ଚକ୍ରରେ ମନ୍ତ୍ରୀଙ୍କ ପୁଅକୁ ଟ୍ୟୁସନ କରିବାକୁ ମିଳିଲା ସୁଯୋଗ । ଏଇ ସୁଯୋଗ ହିଁ ଖୋଲି ଦେଲା ତାଙ୍କ ଭାଗ୍ୟ ରେଖା । ମନ୍ତ୍ରୀବରଙ୍କ ଲୁକ୍କାୟିତ ସମ୍ବଳର ସଦ୍ ବିନିଯୋଗରେ ବିଷ୍ଣୁପ୍ରସାଦ ବାବୁ ସୃଷ୍ଟି କଲେ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ଶିକ୍ଷା କ୍ଷେତ୍ରରେ।

ପ୍ରି-ନର୍ସରୀ ଠାରୁ ପି. ଜି. ପର୍ଯ୍ୟନ୍ତ ସମସ୍ତ ବିଷୟ ଓ ବିଭାଗରେ ଶିକ୍ଷାଦାନର ବ୍ୟବସ୍ଥା ଉପଲବ୍ଧ ତାଙ୍କ ସଂସ୍ଥା ପକ୍ଷରୁ ଦେଶର ବଛା ବଛା ସହରରେ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାର ଗୁରୁ ଦାୟିତ୍ୱ ନେଇଛନ୍ତି ବିଷ୍ଣୁପ୍ରସାଦ ବାବୁ । ଏହି ଗୁରୁ ଦାୟିତ୍ୱ ନିର୍ବାହ ପାଇଁ ମୋଟା ଅଙ୍କର ଗୁରୁ ଦକ୍ଷିଣା ଆଦାୟ କରନ୍ତି ଅବିଭାବକଙ୍କ ଠାରୁ । ଭିନ୍ନ ଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ନାମ ଏଇ ଦକ୍ଷିଣାର । ଆଡ଼ମିସନ୍ ଫି ରୁ ଆରମ୍ଭ କରି ଟ୍ୟୁସନ୍ ଫି ଯାଏଁ ଯାହା କିଛି ବି ସମ୍ଭବ ଆଦାୟ କରିବା ଅଭିଭାବକମାନଙ୍କ ଠାରୁ ସବୁକିଛି ଆଦାୟ ହୁଏ । ଦେଶବିଦେଶରୁ ମଧ୍ୟ ମୋଟା ଅଙ୍କର ପୁଞ୍ଜି ବିନିଯୋଗ ହୋଇଛି ତାଙ୍କ ସଂସ୍ଥାରେ।

ବିଷ୍ଣୁପ୍ରସାଦ ବାବୁ ଓ ଧର୍ମପତ୍ନୀ ମନ୍ଦିରା ଦେବୀଙ୍କର ଏକୋଇର ବଳା ବିଶିକେଶନ ରୋହିତ୍! ଦୁହିଁଙ୍କ ବିବାହର ଅନେକ ବର୍ଷ ପରେ ତାର ଜନ୍ମ । ଏଣୁ ବଡ ଗେଲବସରରେ ବଢିଥାଏ ସେ । ଯେହେତୁ ଅର୍ଥର ଅଭାବ ନଥାଏ ରୋହିତ୍ ପାଇଁ ସବୁ କିଛି ବନ୍ଦୋବସ୍ତ କରିଦେଇଥିଲେ ବିଷ୍ଣୁପ୍ରସାଦ ବାବୁ ଓ ମନ୍ଦିରା ଦେବୀ । ଅନ୍ୟ ପିଲାଙ୍କ ପରି ଅଳି କରିବା ଶିଖିନାହିଁ ସେ କାରଣ ମାଗିବା ପୂର୍ବରୁ ସବୁ କିଛି ପାଇଛି । ଯାହା ଖାଲି ପାଇନି ଟିକେ ବାପାମାଆଙ୍କର ବହୁମୂଲ୍ୟ ସମୟ!

ବିଷ୍ଣୁପ୍ରସାଦ ବାବୁ ଦେଶ ସାରା ବ୍ୟାପି ଥିବା ଶିକ୍ଷାନୁଷ୍ଠାନମାନଙ୍କର ପରିଚାଳନା କରିବା ସହିତ ସମାଜସେବାରେ ନିଜକୁ ସବୁବେଳେ ବ୍ୟସ୍ତ ରଖିଥାନ୍ତି । ମାସ ମାସ ଧରି ଘରକୁ ଆସନ୍ତି ନାହିଁ । ଆଉ ମନ୍ଦିରା ଦେବୀ ହାଇ ସୋସାଇଟିର ମହିଳା ମାନଙ୍କ ସହ କ୍ଲବ ଓ ପାର୍ଟିରେ ଡୁବି ରହନ୍ତି । ସକାଳୁ ସକାଳୁ ଘରୁ ବାହାରିଯାଆନ୍ତି ଯେ ଫେରିବା ବେଳକୁ ରାତି ଅଧ । ପିଲାଦିନେ ରୋହିତ୍ ବହୁତ ଖୋଜେ ଦୁହିଁଙ୍କୁ, କିନ୍ତୁ ତାର ଦିନ ଗୁଡିକ ବିତେ ଆୟା ଚିନ୍ନାମ୍ମା କୋଳରେ ଆଉ ଘରର ଅନ୍ୟ ଚାକରବାକରଙ୍କ ମେଳରେ । ବାପାମାଆଙ୍କ ମୁହଁ ଦେଖିବାକୁ କଅଁଳ ମନ ତାର ଡହଳବିକଳ ହୁଏ । ସେମାନଙ୍କୁ ବହୁତ ଝୁରେ । ସବୁବେଳେ ଗୁମ୍ ସୁମ୍ ରୁହେ । କିନ୍ତୁ ସେମାନଙ୍କ ପାଖରେ ତା ପାଇଁ ସମୟ ବା କାହିଁ?

ଦିନକୁଦିନ ଏକଜିଦିଆ ହେବାରେ ଲାଗିଲା ରୋହିତ୍, କାହାରି କଥା ଶୁଣିବା ନାରାଜ । ଯାହା ମନକୁ ଆସେ ତାହା କରେ ଆଗ ପଛ ବିଚାର ନକରି । ବଡ଼ ଲୋକର ପୁଅ ଆଗରେ କାହାର ବା ଶକ୍ତି ଅଛି କିଛି କହିବାକୁ? ସଭିଏଁ ଭାବନ୍ତି ହୁଏତ ବାପାମାଆଙ୍କର ତା ଜୀବନରେ ଅନୁପସ୍ଥିତି ଯୋଗୁଁ ଏପରି ହୋଇଯାଇଛି ସେ । ସ୍ନେହ କାଙ୍ଗାଳ ପିଲାଟା ବା କେଉଁଠୁ ପାଇବ ବାପାମାଆଙ୍କ ଅନାବିଳ ସ୍ନେହ ଶ୍ରଦ୍ଧା?

ପୁଅର ଏମିତି ହାବଭାବ କଥା ବିଷ୍ଣୁପ୍ରସାଦ ବାବୁଙ୍କ କାନରେ ବେଳେବେଳେ ପଡେ । ପିଲାଲୋକ ବଡ ହେଲେ ସୁଧୁରି ଯିବ ବୋଲି ଚିନ୍ତା କରି ହାଲକାରେ ନିଅନ୍ତି ସବୁ କଥାକୁ । ପୁଅକୁ ସ୍ନେହରେ ଆକଟ କରିବା ବଦଳରେ ସମସ୍ତ ଭୌତିକ ସୁଖ ଦେବାକୁ ଚେଷ୍ଟା କରନ୍ତି, ସମୟ ଦେଇ ପାରୁନଥିବାରୁ । ନିଜେ ଯାହା ନିଜର ପିଲାଦିନେ କରିପାରିନଥିଲେ ସେସବୁକୁ ପୁଅକୁ କରିବା ପାଇଁ ଉତ୍ସାହିତ କରନ୍ତି । ଏଥିରେ ରୋହିତ୍ ସାହସ ପାଏ, ଅର୍ଥର କଦର୍ଥ କରି ଆଗ ଅପେକ୍ଷା ଅଧିକ ବଦମାସି କରେ।

ବାଇକ୍ ଓ କାର୍ ଚଳାଇବାର ସୌଖୀନ ରୋହିତ୍ । ତାର ସାଙ୍ଗମାନେ ଯେବେ ସାଇକେଲ୍ ପାଇଁ ଘରେ ଅଳି କରୁଥିଲେ, ସେତେବେଳେ ସେ ସ୍ପୋର୍ଟସ୍ ବାଇକରେ ବୁଲୁଥିଲା ଦୃତଗତିରେ ସହରର ରାସ୍ତାଘାଟରେ ବିକଟାଳ ଶବ୍ଦ କରି । ଅନେକ ଥର ଟ୍ରାଫିକ୍ ପୋଲିସ୍ ହାତରେ ଧରାପଡି ଫାଇନ୍ ଗଣିଛି ଚାଲାଣ କାଟି । କିନ୍ତୁ ସୁଧୁରିବା ତ ସେ କେବେ ଠାରୁ ଭୁଲିଯାଇଛି । ବରଂ ଦିନକୁ ଦିନ ଗାଡିକୁ ନେଇ ବିଚ୍ ରାସ୍ତାରେ ଦୁଃସାହାସିକ ଷ୍ଟଣ୍ଟ୍ ଦେଖାଇବା ଅଭ୍ୟାସ ପୋଲୋଟି ଯାଇଥିଲା ତାର।

ଏବେ ଏବେ ଆଦ୍ୟ ତାରୁଣ୍ୟରେ ପାଦ ଥାପିଛି ରୋହିତ୍ । ମାଆବାପାଙ୍କ ପରି ସେ ବି ପାଲୋଟି ଯାଇଛି ଘର ପାଇଁ ଅତିଥି । ସଞ୍ଜ ନଇଁଲେ ପବ୍ ଯାଇ ସାଙ୍ଗମାନଙ୍କ ସହ ଫୁର୍ତ୍ତି କରି ପଇସା ଉଡେଇବା, ଆଉ ନିଶାର୍ଦ୍ଧରେ ଆଉଟର୍ ରିଂରୋଡ୍ରେ ସ୍ପିଡ୍ ବାଇକ୍ ରେସ୍ କରିବା ତାର ନିତିଦିନିଆ ଜୀବନ ଚର୍ଯ୍ୟା । ପ୍ରତିମାସରେ ନୂଆ ନୂଆ ଗାର୍ଲଫ୍ରେଣ୍ଡ୍! ଯୌବନକୁ ଭରପୁର ଉପଭୋଗ କରୁଥିଲା ରୋହିତ୍ । ସାରାରାତି ବାହାରେ କାଟେ, ବାପାମାଆ ନିଜ ନିଜ କାମରେ ବାହାରକୁ ଗଲେ ସେ ଫେରେ ଘରକୁ । କେବେ କେବେ ଫେରେନି । ତାର ଖବର ନେବାକୁ ବି କାହା ପାଖରେ ଫୁରୁସତ୍ ନଥାଏ ।

ରୋହିତର ବିଂଶତମ ଜନ୍ମଦିନ ଅବସରରେ ସକାଳୁ ସକାଳୁ ବିଷ୍ଣୁପ୍ରସାଦ ବାବୁ ଉପହାର ସ୍ୱରୂପ ଭେଟି ଦେଲେ ବ୍ରାଣ୍ଡ୍ ନ୍ଯୁ ବିଏମବ୍ଲ୍ୟୁ ଏସୟୁଭି! ସେଦିନ ପହିଲିବାର ସଭିଏଁ ଦେଖିଥିଲେ ଖୁସିର ଚମକ ରୋହିତ୍ ମୁହଁରେ ଅନେକ ଦିନର ବ୍ୟବଧାନ ପରେ । ଅମଳିନ ମୁଚୁକୁନ୍ଦ ହସ ଫୁଟିଉଠୁଥିଲା ତାର ଆରକ୍ତ ଅଧରରେ ଗାଡିକୁ ଦେଖି । କିନ୍ତୁ କେହି ବି ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିଲେ ଯେ, ସେଇ ହସ ହେବ ରୋହିତ୍ ଓଠର ଶେଷ ହସ !

ନୂଆ କାର୍ ପାଇ ରୋହିତର ଦେହରେ ସତେ ଯେମିତି ଡ଼େଣା ଲାଗି ଯାଇଥାଏ । ଆକାଶରେ ଉଡିବା ପରି ଲାଗୁଥିଲା ତାକୁ । ବାପାମାଆଙ୍କୁ ଧନ୍ୟବାଦ ଅର୍ପଣ କରି ଜୁବଲି ହିଲ୍ସରୁ ଆଉଟର୍ ରିଂରୋଡ୍ କେଇଟା ମିନିଟର ବ୍ୟବଧାନରେ ଅତିକ୍ରମ କରି ପୁଣି ଆସି ଘରେ ହାଜର । ବହୁତ ଖୁସି ଥିଲା ସେ ତା ବାପାମାଆଙ୍କ ଉପରେ । ବିଗତ ବର୍ଷମାନଙ୍କର ସବୁ ଅନାଦାର ଅବହେଳାକୁ ସେ ଭୁଲିଯାଇଥିଲା ଏଇ ଏସୟୁଭିର ମୋହରେ।

ସନ୍ଧ୍ୟାରେ ବାର୍ଥଡେ ପାର୍ଟି ହୋଟେଲ ପାର୍କ୍ ହୟାତରେ । ଖୁବ୍ ଏନଜୟ କଲା ରୋହିତ୍ । ତାକୁ ଖୁସି ଦେଖି ସମସ୍ତେ ଭାବୁଥିଲେ ଏବେ ପିଲାଟା ଦୁନିଆଁଦାରୀ ଶିଖିଗଲାଣି । ଆଗପରି ଆଉ ଗୁମ୍ ସୁମ୍ ରହୁନି । ମିଶାଣିଆ ହେଲାଣି । ଯାହା ବି ହେଉ ଏବେ ପୁଅ ପୁରା ପ୍ରସ୍ତୁତ ବିଷ୍ଣୁପ୍ରସାଦ ବାବୁଙ୍କ ବ୍ୟବସାୟ ସାମ୍ରାଜ୍ୟର ବୋଝ ନିଜ କାନ୍ଧରେ ବୋହିବା ପାଇଁ । ଉପସ୍ଥିତ ଅତିଥିମାନଙ୍କ ଭୁରିଭୁରି ପ୍ରଶଂସାରେ ମନେ ମନେ ଖୁସିରେ କୁରୁଳୁଥିଲେ ବିଷ୍ଣୁପ୍ରସାଦ ବାବୁ ଓ ମନ୍ଦିରା ଦେବୀ ।

ଧିରେ ଧିରେ ପାର୍ଟିର ଗହଳ ଚହଳ କମି କମି ଆସୁଥିଲା । ନିଶାର୍ଦ୍ଧର ସମୟ । ରୋହିତ୍ ହୋଟେଲରୁ ବାହାରି ଆସି ଗାଡିରେ ଚାଲିଲା ଆଉଟର୍ ରିଂରୋଡ୍ । ମହାନଗରର ରାସ୍ତାଘାଟ ସବୁ ଶୂନଶାନ । ଦେହରେ ଆଲକୋହଲର ବହଳ ନିଶା ସହ ମନ ଭିତରେ ଆକାଶରେ ଡେଣା ମେଲି ଉଡିବାର ମହୁଆ ନିଶା । କେହି କାହାରିକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ଗାଡିର ଗତି ଅସ୍ୱାଭାବିକ ! କିଛି କ୍ଷଣର ଅନ୍ତରରେ ଘଟିଗଲା ଦୁର୍ଘଟଣା ! ସହର ବାହାରକୁ ଯିବା ବାଟରେ ନିର୍ମାଣାଧୀନ ମେଟ୍ରୋ ରେଲ୍ ପିଲାର୍ ସହ ପିଟି ହୋଇ ଚୁରମାର ହୋଇଯାଇଥିଲା ଏସୟୁଭି ଗାଡ଼ିଟି ।

ସଦ୍ୟ ନୂତନ ଜନ୍ମ ଲାଭ କରିଥିବା ରୋହିତ୍ ଡ଼େଣା ମେଲି ଆକାଶରେ ଉଡିବା ପୂର୍ବରୁ ଝରିପଡିଥିଲା କକ୍ଷଚ୍ୟୁତ ଉଲକା ଖଣ୍ଡଟେ ପରି ଧରଣୀର କୋଳକୁ । ସମସ୍ତ ସୁଖ ଶାନ୍ତିକୁ ଭୌତିକ ପାର୍ଥିବ ପଦାର୍ଥରେ ତଲାସୁଥିବା ବିଷ୍ଣୁପ୍ରସାଦ ବାବୁ ଓ ମନ୍ଦିରା ଦେବୀଙ୍କ ବୁକୁଫଟା କ୍ରନ୍ଦନ ରାତ୍ରିର ଅମା ଅନ୍ଧକାର ମଧ୍ୟରେ ମିଳେଇ ଯାଉଥାଏ ଶୂନ୍ୟରେ ମହାଶୂନ୍ୟରେ...



Rate this content
Log in

Similar oriya story from Classics