Padmalaya Padhy

Classics

4.6  

Padmalaya Padhy

Classics

ଚୁଇଁ

ଚୁଇଁ

7 mins
755



ଅର୍ଣ୍ଣବ ସହିତ ଡିଭୋର୍ସ ହେଲା ପରେ ଏଇ ବେଳାଭୂମି ହିଁ ସିପ୍ରା ପାଇଁ ପାଲଟି ଯାଇଥିଲା ଗୋଟିଏ ସାହାରା l ଏଇଠି ଆସି ଅର୍ଣ୍ଣବ ସହ କଟାଇଥିବା କେତୋଟି ହାତଗଣତି ମୁହୂର୍ତ୍ତ କୁ ଭାବିଲେ ଭଲ ଲାଗେ l ଅର୍ଣ୍ଣବ କଣ ସିପ୍ରା କୁ ଏଇଭଳି ମିସ କରୁଥିବ ? ଯଦିଓ କରୁଥିବ ତେବେ କୋଉଠି ଥାଇ ମନେ ପକାଉଥିବ l ସତରେ ସେ ନିଜେ ଗୋଟିଏ ମସ୍ତ ବଡ଼ ବୋକା l ସେ ଝୁରୁଛି ବୋଲି ସମସ୍ତେ ଝୁରିବେ ନା କଣ l ସମସ୍ତଙ୍କର କଣ ଗୋଟିଏ ପ୍ରକାର ମନ ?


ମୋତେ ବୁଝିବାକୁ ଚେଷ୍ଟା କର l ମୋ ଜୀବନ କୁ ମୁଁ ନୂଆ ପ୍ରକାରେ ଜିଇଁବାକୁ ଚାହୁଁଛି l ନୂଆ ନୂଆ ଆଡ଼ଭେନଚର କରିବାକୁ ଚାହୁଁଛି l ମୋ ଜୀବନ ର ଲକ୍ଷ୍ୟ ଚାକିରୀ ପ୍ରୋମସନ କିମ୍ବା ପିଲା ଛୁଆ ନୁହେଁ l ତେଣୁ ଏବେ ସମୟ ଆସିଛି ଆମେ ଅଲଗା ହୋଇଯିବା ଓ ଯିଏ ଯାହାର ଜୀବନ ଜିଇଁବା l ଅର୍ଣ୍ଣବ ର ପଦେ କଥା ସିପ୍ରା ର ଜୀବନରେ ଅସରନ୍ତି ଭୁମିକମ୍ପ ଆଣିବାକୁ ଯଥେଷ୍ଟ ଥିଲା l


ଯଦି ଏତେ କଥା ଥିଲା ବାହା କାଇଁ ହେଉଥିଲ ତୁମେ ?

ଥରେ ଗୋଟେ ଭୁଲ ନିଷ୍ପତ୍ତି ନେଇଯିବା ମାନେ ନୁହଁ ଜୀବନ ସାରା ତାହାକୁ ହିଁ ନିଭାଇ ଚାଲିଥିବା ? ଅର୍ଣ୍ଣବ ଉତ୍ତର ଦେଇଥିଲା l ତା ପରେ ଆଉ କିଛି କହିବା ଶୁଣିବାକୁ ବାକି ନଥିଲା l ବିବାହ ର ମାତ୍ର ବର୍ଷେ ହୋଇଥିଲା l ଭାବିଥିଲା ଅର୍ଣ୍ଣବ କୁ ଭଲ ଭାବେ ଚିନ୍ହିବ ଓ ମନ ଭରି ଭଲ ପାଇବ l ହେଲେ କିଛି ହେଲା ନାହିଁ l ହଉ l ଯାହା କପାଳ ରେ ଲେଖା ହୋଇଛି l ଅର୍ଣ୍ଣବ କଥା ଭାବି ଭାବି ବେଳ ଜଣା ପଡୁନି l ଯିଏ ଗଲା ଗଲା ତା କଥା ଭାଳିଲେ କି ଲାଭ l


ପାଖରେ ମସଲା ମୁଢି ବିକ୍ରି କରୁଥିବା ସ୍ତ୍ରୀ ଲୋକଟି ଆସି ଡେରା ଜମେଇଲାଣି l ବିକ୍ରି ବେଶୀ ହୁଏନାହିଁ ତାର କିନ୍ତୁ ପ୍ରତିଦିନ ସିପ୍ରା ସେଇ ସ୍ତ୍ରୀ ଲୋକଟିକୁ ସମୁଦ୍ର କୂଳ ରେ ଦେଖେ l ପସରା ମେଲାଇ ଆସି ବସିବ ଏବଂ ଖବର କାଗଜ ପଢ଼ିବ ବସି l ସତେକି ଗୋଟେ ବହୁତ ବିଜ୍ଞ ଜ୍ଞାନୀ ଲୋକ ପରି l ଆଇ ଏ ଏସ ଦେଲା ପରି ଲାଗୁଥିବ ୟାକୁ ! ଗର୍ବୀ ବି ବହୁତ ଲାଗେ ନହେଲେ ସିପ୍ରା ବସିଥାଏ ପାଖରେ ଏଇ ସ୍ତ୍ରୀ ଲୋକଟି ବୁଲିକି ଥରେ ବି ଦେଖିବାକୁ ନାହିଁ l ଥରେ ସିପ୍ରା ନିଜ ଆଡୁ ପଚାରିଥିଲା ଯେ ତୁମ ନାଁ କଣ ଓ କେଉଁଠି ରହୁଛ

ବୋଲି l ଗର୍ବୀ ସ୍ତ୍ରୀ ଲୋକଟି ତା ନାଁ ଅମରୀ ବୋଲି କହି ପୁଣି ଖବର କାଗଜ ରେ ମୁଣ୍ଡ ପୋତି ଦେଇଥିଲା l


ହେଲେ ସାଙ୍ଗରେ ଯୋଉ ଛୋଟ ଝିଅଟିକୁ ଆଣିଥିଲା ଯିଏ ତା ନାଁ ଚୁଇଁ ବୋଲି ନିଜେ କହିଥିଲା l ଚାରି ପାଞ୍ଚ ବର୍ଷ ର ଝିଅଟି ଥୟ ହୋଇ ବସିଥାଏ ମା ପାଖରେ l ସାଧାରଣତଃ ଏ ବୟସରେ ଏତେ ଧୀରସ୍ଥିର ପିଲା କାହାର ଦେଖି ନଥିଲା ସିପ୍ରା l କୌତୁହଳ ରେ ଝିଅଟି କୁ ଦେଖୁଥିଲା ଧ୍ୟାନ ଦେଇ l ଝିଅଟି ଗୋଟିଏ ଧ୍ୟାନସ୍ଥ ଯୋଗୀ ଙ୍କ ଭଳି ପ୍ରତୀୟମାନ ହେଉଥିଲା l ପାଖକୁ ଡାକିଲା ସିପ୍ରା l

ତୋ ନାଁ କଣ ?

ଚୁଇଁ l

ଭଲ ନାଁ ?

ଚୁଇଁ l

କଣ ପଢ଼ୁଛୁ ?

ଘରେ ପଢୁଛି l

କୋଉ କ୍ଲାସ ରେ ପଢୁଛି କହି ପାରୁ ନାହିଁ l ଅକ୍ଷର ଶିଖୁଥିବ ପରା l ବୋଧେ ଝିଅର ମା ଟିକିଏ ଅସନ୍ତୁଷ୍ଟ ମନେ ହେଉଥିଲା l ତା ପରିବାର ବିଷୟରେ ଏତେ କଥା ଜଣାଇବାକୁ ଚାହୁଁ ନଥିଲା କି କଣ l ଝିଅଟି କିନ୍ତୁ ମା ପରି ନୁହେଁ l ସତେ ଯେମିତି ହସିବା ପାଇଁ ସୁଯୋଗ ଖୋଜୁଥାଏ l ଡାକିବା ମାତ୍ରେ ଚାଲି ଆସେ ପାଖକୁ l ଆହୁରି ଅନେକ ପ୍ରଶ୍ନ ର ଉତ୍ତର ଦେଇଥାନ୍ତା ସେଦିନ କିନ୍ତୁ ତା ମା ଡାକିବାରୁ ଚାଲିଗଲା l ଏଣିକି ନିତି ଦେଖା ହେଲା ଚୁଇଁ ସହିତ l ଖାସ ଚୁଇଁ ପାଇଁ ହିଁ ସମୁଦ୍ର କୂଳ କୁ ଯାଉଥିଲା ସିପ୍ରା l ଏତେ କମ ବୟସ ରୁ ହସି ହସି ଅଜଣା ଆଗନ୍ତୁକ କୁ ସ୍ୱାଗତ ଜଣାଉଥିଲା ଚୁଇଁ l ଥରେ ଚୁଇଁ ପାଇଁ କେତେଟା କିଟକାଟ ଚକଲେଟ ନେଇ ଯାଇଥିଲା ଯେ ତା ମାଆର ସେଇ ବିକଟାଳ ଚାହାଣି ଦେଖି ଦ୍ଵିତୀୟ ଥର ଆଉ ସାହାସ କରି ପାରି ନଥିଲା l


ମାଡାମ ! ଆମେ ଆତ୍ମ ସମ୍ମାନ ର ସହ ବଞ୍ଚିବାକୁ ଚାହୁଁଚୁ l ଏସବୁ ଆଉ ମୋ ଝିଅକୁ ଦେବେ ନାହିଁ l ଏମିତିରେ ବି ଅଜଣା ଅଶୁଣା ଲୋକଙ୍କ ସହ କଥା ହେବାପାଇଁ ମୁଁ ତାକୁ ଛାଡେ ନାହିଁ l ଏକା ବେଳକେ ସିପ୍ରା ର ମୁହଁରେ ଥାପଡ଼ ଟି ଏ ବାଜିଲା ଯେମିତି l ଗୋଟେ ବୁଲାବିକାଳୀ ସ୍ତ୍ରୀ ଲୋକର ପୁଣି କେତେ ଫୁଟାଣି ଦେଖ l ଏମାନଙ୍କୁ ଦୟା ? ୟାର ପୁଣି ଆତ୍ମ ସମ୍ମାନ ? ମାଇଁ ଫୁଟ ।


ତା ପରେ ସିପ୍ରା କେତେଥର ଭାବିଚି ଚୁଇଁ ଠୁ ଦୁରେଇ ଯିବା ପାଇଁ l ହେଲେ ଚୁଇଁ ର ମୋହ ତାକୁ ଦୂରେଇବାକୁ ଦେଇନାହିଁ l ଚୁଇଁ ର ହସ ଚୁଇଁ ର ଅଭିମାନ ରେ ମୁହଁ ଫୁଲାଇବା ଚୁଇଁ ର ହାତ ଧରି ଟାଣି ଟାଣି ଲହରୀ ପଛରେ ଗୋଡ଼ାଇବା ର ମୋହ ହିଁ ସିପ୍ରା କୁ ନିତି କୂଳ କୁ ଭିଡି ଆଣିଥାଏ l ଯେଉଁଦିନ ପାଗ ଖରାପ ଥାଏ ଆସି ହୁଏନି କି ଚୁଇଁ ଆସି ନଥାଏ ସେଦିନ ରାତିରେ ସିପ୍ରା କୁ ନିଦ ହୁଏନି ଜମା l ହେଲେ କରିବ କଣ ? ଚୁଇଁ ର ଘର ଠିକଣା ପଚାରି ବୁଝିଥିଲେ ବି ତା ମା ଲାଗି ତାଙ୍କ ଘର କୁ ଯିବାକୁ ମନ ହୁଏନି l ଏମିତି ଚୁଇଁ ସହିତ ଯେତେ ଦେଖା ସାକ୍ଷାତ ଚାଲିଥାଏ ସିପ୍ରା ର ଚୁଇଁ ପ୍ରତି ମୋହ ସେତେ ବଢ଼ିବାରେ ଲାଗିଥାଏ l


ହଠାତ ଚୁଇଁ ର ଆସିବା ବନ୍ଦ ହୋଇଗଲା l ମା ଝିଅ ଦୁହେଁ ଆଉ ଆସିଲେ ନାହିଁ l ସବୁଦିନ ସିପ୍ରା ଭଗବାନଙ୍କୁ ଡାକି ଡାକି ଯାଏ ଯେ ଚୁଇଁ ସହିତ କେମିତି ଟିକେ ଦେଖା ହୋଇଯାଉ କିନ୍ତୁ କିଛି ଲାଭ ହୁଏନାହିଁ l ଦିନେ ପାଖରେ ଚା ବିକୁଥିବା ଲୋକଟିକୁ ଚୁଇଁ ବିଷୟରେ ପଚାରିଲା l ସିପ୍ରା କୁ ସେ ଯାହା କହିଲା ଶୁଣିକି ହୋସ ଉଡ଼ିଗଲା ସିପ୍ରାର l


ଚୁଇଁ ର ମା ପୁଣି କାହାକୁ ଦ୍ଵିତୀୟ ବିବାହ କରିଛି l ସେ ଲୋକଟି ଚୁଇଁ କୁ ପାଖରେ ରଖିବାକୁ ଚାହୁଁନି l ତେଣୁ ତା ମା ଚୁଇଁ କୁ ଗୋଟିଏ ନିଃସନ୍ତାନ ଦମ୍ପତ୍ତି ଙ୍କ ହାତରେ ଟେକି ଦେଇଛି l ସ୍ତବ୍ଧ ହୋଇ ଯାଇଥିଲା ସିପ୍ରା l


ଏବେ କୁଆଡେ ଗଲା ଲୋ ତୋର ଆତ୍ମ ସମ୍ମାନ ? ନିଜ ପିଲାକୁ ଆଉ କାହାକୁ ବିକ୍ରି କରିଦେଲା ବେଳେ ଆତ୍ମ ସମ୍ମାନ କୁଆଡେ ଗାଧୋଇ ଯାଇଥିଲା ? ତାହା ପୁଣି ଦ୍ଵିତୀୟ ବିବାହ କରିବୁ ବୋଲି ? ଯେମିତି ହେଲେ ସେ ଚୁଇଁ ର ମା କୁ ପଚାରିବ ଏକଥା l ହେଲେ ଦେଖା ହେଲେ ତ ? ପୁଣି ଚୁଇଁ ର ମୁହଁ ବି ତ ଆଉ ଦେଖିବାକୁ ମିଳିବନି l କୋଉଠି ଥିବ ଚୁଇଁ ? ସତରେ କଣ ସିପ୍ରା କୁ ମନେ ରଖିଥିବ ? ରୀତିମତ କାନ୍ଦି ପକାଇଥିଲା ସିପ୍ରା l


ଚା ବିକାଳୀ ମସଲା ମୁଢିବାଲା ସମସ୍ତେ କହିଲେ ସେଇ ଗୋଟେ କଥା l ଗୋଟିଏ ମେକାନିକ ସାଙ୍ଗେ ପୁଣି ଚୁଇଁ ର ମା କୁଆଡେ ପଳାଇ ଯାଇଛି l ସେଇ ମେକାନିକ ତାକୁ ବହୁତ ସାହାଯ୍ୟ କରିବାର ସମସ୍ତେ ଦେଖିଛନ୍ତି l ଆଉ ଚୁଇଁ କୁ ମଧ୍ୟ କେତେ ଜଣ ନିଃସନ୍ତାନ ଦମ୍ପତ୍ତି ଝିଅ କରିବାକୁ ମାଗି ସାରିଥିଲେ l ସେ ଭିତରୁ ଚୁଇଁ କୁ କାହା ହାତରେ ଟେକି ଦେଇ ମେକାନିକ ଟୋକା ସାଙ୍ଗେ ଚାଲିଗଲା l ସ୍ୱାମୀ ଠାରୁ ଛାଡ଼ବାଡ଼ ହୋଇ ଆଉ କେତେଦିନ ଏକୁଟିଆ ରହିଥାନ୍ତା ସେ ? ଦେହର ଭୋକ ବୋଲି ଗୋଟେ ଅଛି ନା ?


ସିପ୍ରା ଭାବେ ସେ ତ ଆଜିଯାଏଁ ଭାବି ଆସୁଥିଲା ଯେ ସେ ଅର୍ଣ୍ଣବ କୁ ମାନସିକ ସ୍ତର ରେ ହରାଇଛି ଏବଂ ମିସ ମଧ୍ୟ କରୁଛି l ହେଲେ ସିପ୍ରା ର ବି ଦେହ ର ଭୋକ ରହିଥିବ l ସେମିତି କେମିତି ହେବ ? ସେ ତ ଆତ୍ମା ର ମିଳନ ରେ ବିଶ୍ୱାସ କରେ l ଛାଡ଼ ! ଏ ସବୁ କଥା ସେ କାହାକୁ ବୁଝାଇବ ? ବୁଝିବା ଅବସ୍ଥାରେ କିଏ ଅଛି କି ?


ଅନେକ ଦିନ ପରେ ଚୁଇଁ ର ମା କୁ ଅନତି ଦୂର ରେ ଲାଇଟ ହାଉସ ଆଡକୁ ମୁହଁ କରି ବସିବା ଦେଖି ସିପ୍ରା ଆଗେଇ ଯାଇ ତା ସାମ୍ନା ରେ ଠିଆ ହୋଇ ଯାଇଥିଲା l ଅମରୀ ର ଧ୍ୱସ୍ତ ବିଧ୍ୱସ୍ତ ଚେହେରା l କେବେଠାରୁ ନା ମୁଣ୍ଡ ରେ ତେଲ ଲାଗିନାହିଁ ନୁଖୁରା ମୁଣ୍ଡ l ସମ୍ପୂର୍ଣ୍ଣ ରୂପେ ମଣିଷ ଟା ଭୁଷୁଡ଼ି ପଡିଛି l ସାଙ୍ଗରେ ପୁଣି ଚୁଇଁ ନାହିଁ l ଆଜି ଆଉ ଖବର କାଗଜ ପଢ଼ୁ ନାହିଁ ତ ? ବୋଧେ ଆଇ ଏ ଏସ ପରୀକ୍ଷା ରେ ପାସ ହେଇଗଲା କି କଣ l ସିପ୍ରା କୁ ମଜା ଲାଗୁଥିଲା l ହଠାତ ସାମ୍ନା ରେ ସିପ୍ରା କୁ ଦେଖି ଅମରୀ ଚମକିଲା ନାହିଁ କି ବ୍ୟସ୍ତ ବି ହେଲାନାହିଁ l ପୂର୍ବ ର ସେଇ ଦମ କିନ୍ତୁ ନଥିଲା l କେବଳ ଆଖି ଦୁଇଟିରେ ଦୁଇ ବୁନ୍ଦା ଲୁହ ଟଳ ଟଳ ହେଉଥିଲା ଯାହା l

ଚୁଇଁ କାହିଁ ?

ସିଏ ତ ନାହିଁ ମାଡାମ l

କାଇଁ କୁଆଡେ ଗଲା କି ? ବିକ୍ରି କରିଦେଲୁ ତାକୁ ? ଏବେ ତୋର ଆତ୍ମ ସମ୍ମାନ କୁଆଡେ ଆତ୍ମହତ୍ୟା କରିବାକୁ ଚାଲିଗଲା କି ? ବାହା ହେବା ପାଇଁ ନିଜ ଝିଅକୁ ବି ଶେଷରେ ?


ମାଡାମ ଆପଣ ବି ସେଇ ମାନଙ୍କ କଥା କୁ ବିଶ୍ୱାସ କରୁଛନ୍ତି ? ଚୁଇଁ ର ବାପା ଙ୍କ ଦେହ ଖରାପ ଥିଲା ବୋଲି ଚୁଇଁ କୁ ନେଇ ଯାଇଥିଲି ମାଡାମ l ଦୁଇ ବର୍ଷ ହେଲା ତା ବାପା ହସ୍ପିଟାଲ ରେ ବୋନ କ୍ୟାନ୍ସର ରେ ପଡି ପଡି ପନ୍ଦର ଦିନ ତଳେ ଚାଲିଗଲେ l ଯେଉଁ ହସ୍ପିଟାଲ ରେ ସିଏ ଥିଲେ ମୁଁ ସେଇଠି ଜଣେ ସଫେଇ କର୍ମଚାରୀ ଭାବେ କାମ କରେ l 

ଆଉ ଚୁଇଁ ? ସିଏ କୁଆଡେ ଗଲା ?

ତାକୁ ଦୀନବନ୍ଧୁ ଚ୍ୟାରୀଟେବଲ ସ୍କୁଲ ରେ ନାଁ ଲେଖାଇ ଦେଲି l ତା ବାପା ଗଲା ପରେ ଚୁଇଁ କୁ ସମ୍ଭାଳିବାକୁ ଏକୁଟିଆ ଆଉ ଦମ ନାହିଁ ମୋର l ଆମ ପରି ଲୋକ ମାନଙ୍କ ପିଲା ମାନଙ୍କୁ ସେଠି ମାଗଣା ରେ ଶିକ୍ଷା ଦେବାର ବ୍ୟବସ୍ଥା ହୋଇଛି ବୋଲି ଶୁଣିଲି l ରହିବା ଖାଇବା ସବୁ ମାଗଣା l

ଓହୋ ହେଲେ ଏଥର ତୁ ଆରାମ ରେ ବାହା ହୋଇ ପାରିବୁ l

ଏକୁଟିଆ ଦେଖିଲେ ସମସ୍ତେ ସେମିତି କହିବେ ମାଡାମ l ଆପଣ ବି ଶେଷକୁ ଏ ସବୁ ଉଡ଼ା କଥାରେ ବିଶ୍ୱାସ କରୁଛନ୍ତି ?

ସିପ୍ରା ଖୁସି ଥିଲା ଯାହା ହେଉ ଚୁଇଁ ଏଇ ଟାଉନ ରେ ହିଁ ପଢୁଛି l ଯେତେବେଳେ ଚାହିଁଲେ ଦେଖା ହୋଇ ପାରିବ l ଭଗବାନଙ୍କ ଦୟାରୁ ଯା ହେଉ ଚୁଇଁ ର ପାଠ ପଢା ର ବ୍ୟବସ୍ଥା ବି ହେଇଗଲା l ଏଥର ସିପ୍ରା ଫେରିବାକୁ ବାହାରିଲା l

ହଉ ଅମରୀ ଏଥର ତୁ ବସି ଖବର କାଗଜ ପଢୁଥା, ମୁଁ ଆସୁଛି l ମୁଁ ଖବର କାଗଜ କେବେ ବି ପଢେ ନାହିଁ ମାଡାମ l ସମୟ ର ଅଭାବ କିମ୍ବା ଆଗ୍ରହ ର ଅଭାବ ଜାଣିନାହିଁ l କେତେବର୍ଷ ତଳ ର କାଗଜ ସେଇଟା l ଚୁଇଁ ବାପା ଙ୍କ ଫଟୋ ବାହାରିଥିଲା ତ l ତେଣୁ ତାକୁ ସାଇତି ରଖି ନିତି ଦେଖିଲେ ଲାଗେ ଯେମିତି ତା ବାପା ମୋ ପାଖରେ ଅଛନ୍ତି l ଚୁଇଁ ର ବାପା ଜଣେ ବିଶିଷ୍ଟ ଭାରତ୍ତୋଳନକାରୀ ଥିଲେ l ବୟସ ଥିଲା ବେଳେ କେତେ ଦେଶ ବିଦେଶ ଯାଇ ନାମ କମାଇଛନ୍ତି l ବିଧିର ବିଧାନ ଦେଖନ୍ତୁ l ବୋନ କ୍ୟାନ୍ସର ରେ ପଡିଲେ ଯେ ତାଙ୍କ ଚିକିତ୍ସା ରେ ହିଁ ସବୁ ସଞ୍ଚୟ ଉଡ଼ିଗଲା l ଜଣେ ବାବୁ ହସ୍ପିଟାଲ ରେ ଦୟା ଦେଖାଇ ମୋ ପାଇଁ ଖାଲି ଥିବା ସଫେଇ କର୍ମଚାରୀ ଚାକିରୀ ଖଣ୍ଡିଏ ଯୋଗାଡ଼ କରିଥିବାରୁ ହିଁ ଦାନାପାଣି ଚାଲୁଛି l ଆଉ ଏବେ ତ ଚୁଇଁ ର ବି ଆଡ଼ମିସନ ହେଇଗଲା l

କିନ୍ତୁ ମାଡାମ ଆପଣ କାହିଁକି ବହୁତ ଟେନସନ ରେ ଥିଲା ଭଳି ଲାଗୁଛନ୍ତି l ଦୁଃଖୀ ଦୁଃଖୀ ରହୁଛନ୍ତି ?

ହଁ ମୋର ଡିଭୋର୍ସ ହେବାର ଅନେକ ଦିନ ବିତିଗଲେ ହେଁ ତାକୁ ଭୁଲି ପାରୁନି l ବହୁତ ଭଲ ପାଉଥିଲି ତାକୁ l ଏବେ ବି ପାଉଛି କହୁ କହୁ ଶ୍ୱାସରୁଦ୍ଧ ହୋଇଗଲା ସିପ୍ରାର l


ମାଡାମ ତେବେ ତ ଆପଣଙ୍କର କିଛି ବି କ୍ଷତି ହୋଇନାହିଁ ବୋଲି ଭାବନ୍ତୁ l କେମିତି କହିଲେ ? ଶୁଣନ୍ତୁ l ଆପଣ ତାକୁ ଭଲ ପାଉଥିଲେ ସେ କିନ୍ତୁ ଆପଣଙ୍କୁ ପାଉ ନଥିଲା l ତେଣୁ ସେ ଆପଣଙ୍କୁ ଛାଡିବା ପରେ ବି ଆପଣଙ୍କର କିଛି ହାନି ନାହିଁ l ବରଂ ତାର ହିଁ ଶହେରୁ ଶହେ ପ୍ରତିଶତ କ୍ଷତି l ସେ ଗୋଟେ ପ୍ରଗାଢ଼ ସ୍ନେହୀ କୁ ହରାଇଲା l


ସେଇଟା ହିଁ ଆମର ଭୁଲ ମାଡାମ l ଆମକୁ କେହି ଛାଡି ଚାଲିଗଲେ ଆମେ ଏକାବେଳେ ଦୁଃଖ ଦରିଆରେ ବୁଡିଯାଉ l କିନ୍ତୁ ଥରେ ଚିନ୍ତା କଲେ ଜାଣିବା ଆମକୁ ଯିଏ ଛାଡିଦେଲା ସେ ଆମକୁ ଦେଇଛି କଣ ? ବରଂ ଆମେ ତାକୁ ପ୍ରାଣଭରି ଭଲ ପାଇବା ଅଜାଡି ଦେଲେ l ତେବେ ସେ ଆମକୁ ଛାଡିଲେ ଆମର ଅସୁବିଧା କଣ ହେଲା ? କିଛି ନାହିଁ l ଆମକୁ ଛାଡି ସେ ଆମ ସ୍ନେହ ରୁ ସାରା ଜୀବନ ପାଇଁ ବଞ୍ଚିତ ହେଲା ନା ନାହିଁ ? ଆମ ପରି ତାକୁ ଆଉ କେହି ସେତିକି ଭଲ ପାଇ ପାରିବ କି କୁହନ୍ତୁ ? କେବେ ନୁହେଁ l


ଅନେକ ଦିନ ଧରି ପିଞ୍ଜରା ମଧ୍ୟ ରେ ଆବଦ୍ଧ ହୋଇ ରହିଥିବା ସିପ୍ରା ର ମନଟି ଡେଣା ଲଗାଇ ଉଡି ଯାଇଥିଲା ନୀଳ ନୀଳ ଆକାଶ ବକ୍ଷ ରେ କେଉଁ ଗୋଟିଏ ସୁଦୂର ଇଲାକା ର ସନ୍ଧାନ ରେ l


Rate this content
Log in

Similar oriya story from Classics