STORYMIRROR

Sambit Srikumar

Drama Inspirational Others

3  

Sambit Srikumar

Drama Inspirational Others

ଚରିତ୍ର ସଂହାର

ଚରିତ୍ର ସଂହାର

3 mins
108

ଝିଅଟିଏ ହୋଇ ଜନ୍ମ ହେବା ଆମ ସମାଜରେ ପାପ ଭଳି ବିବେଚନା କରାଯାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପରାଧିନତାର ବେଡିରେ ଜୀଇଁବାକୁ ପଡେ ନାନା ପ୍ରକାର ଲାଞ୍ଛନା ସହି। ନିଜକୁ ଆନ ପାଇଁ, ପରିବାର ପାଇଁ ତିଳ ତିଳ କରି ଦଗ୍ଧ କରିବା ପରେ ମଧ୍ୟ ସମାନ ଅଧିକାର ସହ ସାମାଜିକ ସ୍ୱୀକୃତିରୁ ଆଜି ମଧ୍ୟ ବଞ୍ଚିତ ଝିଅମାନେ ଆମର ଏଇ ରୁଢ଼ିବାଦୀ ସମାଜରେ।

ଆଦ୍ୟାଶା ବା କିପରି ବାଦ ପଡିଥାନ୍ତା ଏ ଚିରାଚରିତ ରୀତିରୁ? ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଜନ୍ମ ତାର। ପୁରା ନାମ ଆଦ୍ୟାଶା ଅଭିଲିପ୍ସା ଆଚାର୍ଯ୍ୟ! ପିଲାଟି ଦିନରୁ ବଢିଛି ସେ କଠୋର ଅନୁଶାସନ ଓ ଶୃଙ୍ଖଳାରେ। ଧୂଳି ଖେଳ ଛାଡ଼ି ସ୍କୁଲ ଯିବାରେ ଲାଗିଲା ସେ। ପାଠ ପଢା ସହ ଖେଳ କୁଦ ଆଉ ଗୀତ ଗାଇବାରେ ଭାରି ସରସ।

ସମୟ ସୁଅରେ ବୟସର ପାହାଚରେ ପାଦ ରଖିଲା ଆଦ୍ୟାଶା। କି ବଡ଼ କି ସାନ ସମସ୍ତଙ୍କ ସହିତ ଖୁସି ମଜାରେ ବହୁତ କଥା ଲାଗେ ସେ। ବେଳେ ବେଳେ ଠୋ ଠୋ ହୋଇ ହସେ ତା ସାଙ୍ଗମାନଙ୍କ ସହ। ଯଦି ଘର ଲୋକଙ୍କ ଆଖିରେ ପଡ଼ିଯାଏ ଏକଥା, ବହୁତ ଗାଳି ଶୁଣିବାକୁ ପଡ଼େ ତାକୁ ସଣ୍ଠଣା ନାଁରେ।

ଆଦ୍ୟାଶାର ଗୋସେଇଁ ବାପା, ଆଦିକନ୍ଦ ଆଚାର୍ଯ୍ୟ ମକଦ୍ଦମଙ୍କୁ ରଘୁନାଥପୁର ଶାସନର ପ୍ରମୁଖ ମୁରବୀ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଣାଯାଏ। ନ୍ୟାୟ ଅନ୍ୟାୟ ପାପ ପୁଣ୍ୟ ଧର୍ମ ଅଧର୍ମର ବିଚାର କରନ୍ତି ସେ। ବଡ଼ ବିଚାରବନ୍ତ ଓ ଧର୍ମପରାୟଣ ବ୍ଯକ୍ତି ସେ! ତାଙ୍କ କଥାକୁ ଅନ୍ୟଥା କରିବାକୁ ଶକ୍ତି ନଥାଏ କାହାର। ବେଦର ଗାର ତାଙ୍କ ବଚନ! ସେଥିପାଇଁ ଆଜି ଯାଏଁ ବି ପାଞ୍ଚ ଖଣ୍ଡ ଗାଁର ଲୋକେ ପୋଲିସ ଥାନା କି କୋର୍ଟ କଚେରୀ ଯାଇନାହାନ୍ତି।

ମାଟ୍ରିକ୍ ପାସ୍ କରିବା ପରେ ଗୋସେଇଁ ବାପା ସ୍ଥିର କରିଥିଲେ ନାତୁଣୀକୁ ବାହାକରି ଦେବା ପାଇଁ ନିଜ ବାଲ୍ୟବନ୍ଧୁଙ୍କ ଅଧ୍ଯାପକ ଚାକିରି କରିଥିବା ନାତି ସହ ସଂପର୍କକୁ ସୁଦୃଢ଼ କରିବା ପାଇଁ। ମାତ୍ର ଆଦ୍ଯାଶା ଏଥିପାଇଁ ପ୍ରସ୍ତୁତ ନଥିଲା ଆଦୌ। ବହୁ ସଂଘର୍ଷ କରିବାକୁ ପଡିଛି ତାକୁ ଉଚ୍ଚଶିକ୍ଷା ପାଇଁ। ଏକା ଯିଦ୍ ତାର ପାଠ ପଢି ନିଜ ଗୋଡ଼ରେ ନିଜେ ଠିଆ ହେବ। କାହା ଉପରେ ବୋଝ ହେବନି କି କାହାର ଅଧିନତାରେ ବଞ୍ଚିବ ନାହିଁ। ଯେଉଁ ଦିନ ଆଦ୍ଯାଶା କଟକ କଲେଜରେ ନାମ ଲେଖାଇବାକୁ ଗୋଡ଼ କାଢ଼ିଲା ଘରୁ, ସେଦିନ ସେ ଏକ ରକମର ପର ହୋଇଯାଇଥିଲା ଗୋସେଇଁ ବାପାଙ୍କ ପାଇଁ। ଅବଶ୍ୟ ନନା ତାର ବରାବର ଲୁଚିଛପି କଟକ ଆସନ୍ତି ସୁଖ ଦୁଃଖ ବୁଝିବାକୁ।

ରଘୁନାଥପୁର ଶାସନର ପ୍ରଥମ ଝିଅ ଥିଲା ଆଦ୍ଯାଶା, ଯିଏକି କଲେଜ ମାଟି ମାଡିଲା। ଚାହୁଁ ଚାହୁଁ ବିତିଗଲା କିଛି ବର୍ଷ। ପାଠପଢ଼ା ସରିବା ପରେ ଆଦ୍ୟାଶା ଏବେ କଟକ ବଡମେଡିକାଲରେ ନର୍ସ। ଦିନେ ତାକୁ କାହା ସହିତ ବଡ ଜୋରରେ ହସି ହସି କଥା ହେଉଥିବାର ଦେଖିନେଲା ତାଙ୍କ ଗାଁର ଗାଇଗୋଠ ଚରଉଥିବା ମାଧିଆ ଦାସ, ଯିଏ ଆସିଥିଲା କଟକ ଚିକିତ୍ସା ପାଇଁ ଆଦ୍ୟାଶା ଭରସାରେ।

ପୂର୍ବାପର ଘଟଣା ନଜାଣି ସେ ଗାଁକୁ ଫେରି ଆସି ଗୋସେଇଁ ବାପାଙ୍କ ଆଗରେ ନାତୁଣୀର ଗୋପନ ପ୍ରୀତି ବଖାଣି ଦେଲା। ବନାଗ୍ନି ପରି ବ୍ଯାପିଗଲା ଏ ନିନ୍ଦା କଥା ନିମିଷକରେ। ଚାରି ଆଡେ ହୁରି ପଡିଗଲା। ଲୋକେ ଟୁପୁରୁ ଟାପୁରୁ ହେଲେ କେତେ କଥା ସେଥିରେ ଯୋଡା ଯୋଡି କରି। ଲଜ୍ଜାରେ ପରିବାର ଲୋକଙ୍କ ମଥା ନଇଁପଡ଼ିଲା ତଳକୁ। ଆଉ ସମ୍ଭାଳି ପାରିଲେନି ଗୋସେଇଁ ବାପା। କ୍ରୋଧରେ ଜର୍ଜରିତ ହୋଇ ନିଜ ହାତରେ ନାତୁଣୀର ଶ୍ରାଦ୍ଧ ବାଢିଦେଲେ ସମସ୍ତ ସଂପର୍କ ଚ୍ଛିନ୍ନ କରି।

ଏସବୁ କଥା ସହ ଅପରିଚିତା ଆଦ୍ଯାଶା ସାପ୍ତାହିକ ଛୁଟିରେ ଆସିଲା ଘରକୁ। ଘରର କବାଟ ତା ପାଇଁ ବନ୍ଦ ହୋଇଗଲା ଆପଣା ଛାଏଁ। କେହି ବି ତା ମୁହଁକୁ ଚାହିଁଲେ ନାହିଁ, କଥା ହେବା ତ ଦୂର। ଘର ଲୋକଙ୍କ ଏମିତି ବ୍ଯବହାରର କାରଣ ତା ପାଇଁ ଅଜଣା। ଯେବେ ତା ନିଜ ପରିବାରବର୍ଗଙ୍କ ଏପରି ବ୍ଯବହାର, ସାହି ପଡିଶା ଲୋକଙ୍କ କଥା କିଏ ପଚାରେ? କି ଅପରାଧ ବା ତାର?

ଫେରିଆସିଲା ସେ ଗାଁରୁ ଛାତିରେ ଛାତିଏ କୋହ ନେଇ। କାନ୍ଦିବା ପାଇଁ କେବେ ଚେଷ୍ଟା ବି କରିନି ସେ ଜୀବନରେ। ଅଶ୍ରୁ ମଣିଷକୁ ଦୁର୍ବଳ କରିଦିଏ ବୋଲି ପଢିଥିଲା କେଉଁଠି। ରୋଗୀ ସେବାରେ ନିଜକୁ ନିୟୋଜିତ କରିନେଲା ପୂର୍ବ ପରି ନିଜର ସବୁ କଷ୍ଟକୁ ଭୁଲିଯାଇ। ଏବେ ସେ ପୁଣି ହସିବାକୁ ଚେଷ୍ଟା କରୁଥିଲା ମନ ଖୋଲି।

ଅଚାନକ ଦିନେ ଖବର ପାଇଲା, ଗୋସେଇଁ ବାପାଙ୍କୁ ତାର ପକ୍ଷାଘାତ। ଏଇ ବଡମେଡିକାଲରେ ବିଛଣା ଉପରେ ପଡିଛନ୍ତି। ଚଳତଶକ୍ତି ହରାଇଥିଲେ ବି ଛୁଆଁଅଛୁଆଁ ନୀତିକୁ ଧରି ସେବିକାମାନଙ୍କୁ ଇଙ୍ଗିତରେ ପାଖକୁ ମଡାଇ ଦେଉନାହାନ୍ତି ଆଦିକନ୍ଦ ମକଦ୍ଦମ। ଏକଥା ଶୁଣି ଆଉ କେମିତି ବା ଧୈର୍ଯ୍ୟଧରି ରହିପାରିଥାନ୍ତା ଆଦ୍ୟାଶା?

ବସିବା ଜାଗାରୁ ଉଠି ଧାଇଁଲା ଗୋସେଇଁ ବାପାଙ୍କ ପାଖକୁ। ସବୁ ରାଗ ଅଭିମାନ ତାର ଦୂରେଇ ଗଲା ସେବିକାର କର୍ତ୍ତବ୍ୟ ଆଗରେ। ମନପ୍ରାଣ ଦେଇ ଦିନରାତି ସେବା ଶୁଶ୍ରୁଶା କଲା ତାଙ୍କର। ଧିରେ ଧିରେ ସୁସ୍ଥ ହେଉଥିବା ଆଦିକନ୍ଦ ଆଚାର୍ଯ୍ୟ ମକଦ୍ଦମ ନିଜର କୃତ କର୍ମ ପାଇଁ ପ୍ରାୟଶ୍ଚିତ କରୁଥିଲେ ଅଶ୍ରୁ ବିନିମୟରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama