Sanuja Meghamala

Drama Romance

5.0  

Sanuja Meghamala

Drama Romance

ଚିତଉ ପିଠା

ଚିତଉ ପିଠା

8 mins
451


ଘନ କୁହୁଡି ଭରା ଧୁଆଁଳିଆ ଶୀତଳ ଆକାଶରେ ଧୋବ ଫରଫର ପୁନେଇ ଜହ୍ନଟା ଆଦିତ୍ୟକୁ ପିଲାଦିନେ ମାଟି ପଲମରେ ଫୁଲି ଉଠୁଥିବା ଚିତଉ ପିଠା ପରି ଦେଖାଯାଉଚି । କେମିତି ଦେଖା ନ ଯିବ ଯେ…ମାନୀ ଆଜି ତା ପସନ୍ଦର ଚିତଉ ପିଠା କରିଚି। ତା ନାକରେ ସଦ୍ୟ ଚିତଉ ପିଠାର ବାସ୍ନା ଭରି ଯାଉଚି । ସେ ବିଭୋର ହେଉଚି,ଆହ୍ଲାଦିତ ହେଉଚି, ମନେପଡି ଯାଉଛନ୍ତି ସେଇ ଦିନମାନ,ଧୂଳି ଧୂସରିତ ପିଲାଦିନ,ପୁଣି ନିଆରା ଚିତଉ ପିଠାର ସୁନ୍ଦର ମିଠାଳିଆ ସ୍ମୃତି । ଚିତଉ ପିଠା ପାଇଁ ସେ ଜେଜେମାକୁ ବାର ଘର ବୁଲାଉ ଥିଲା । ସାଙ୍ଗ ସାଥିରେ କାହା ଘରେ ଚିତଉ ପିଠା ଦେଖିଲା ମାନେ ଜେଜେମା କାନି ଭିଡ଼ି ଧରି ତଳେ ଗଡ଼ି କାନ୍ଦୁଥିଲା । ମା କୁ କହିଲେ ମନା କରିଦିଏ ସୁବିଧା ନାହିଁ କେତେ କାମ ପଡ଼ିଚି । ହେଲେ ଜେଜେମା ଯେମିତି ହଉ ପିଠା ଖୋଇବା ବ୍ୟବସ୍ଥା କରିବ ତା ପାଇଁ । ଛୁଆବେଳ କି ଅଝଟ,ଅବୁଝା ପଣ ଏବେ ଭାବୁଚି ମାଆକୁ କେତେ କଷ୍ଟ ହେଉଥିବ ସତେ । କେବେ କେବେ ଅତି ସମ୍ପର୍କ ଥିବା କାହା ଘର ହେଲେ ଜେଜେମା ଯାଇ ତା ପାଇଁ ମାଗି ଆଣୁଥିଲା ତା ପୁଣି ବାପାଙ୍କ ଅଜାଣତରେ । ବାପା ଜାଣିଲେ ତା ଠାରୁ ବେଶୀ ଜେଜେମାକୁ ଦି ପଦ ଅଭିମାନରେ କହୁଥିଲେ, ଏମିତି ଛୁଆ ବେଳୁ ପିଲାଙ୍କୁ ତାଙ୍କ ଚାହିଦା ମୁତାବକ ଜିନିଷ ଦେଲେ ସେମାନେ ଭଲ ମଣିଷ ହେଇପାରନ୍ତି ନି ,ଏତେ ଗେହ୍ଲା ଭଲ ନୁହେଁ ବୋଉ। ତା ଠୁ ଅଧିକ କିଛି କୁହନ୍ତି ନାହିଁ କାଳେ ଜେଜେମା ମନ କଷ୍ଟ କରିବ । ବାପା ଗାଆଁ ମାଇନର ସ୍କୁଲରେ ଶିକ୍ଷକ ।ତାଙ୍କର କଠୋର ଅନୁଶାସନ ବାପ୍ ରେ ଏବେ ତ ସଖାଳୁ ଡେରି ପର୍ଯ୍ୟନ୍ତ ଶୋଇ ହେଉଚି ସେତେବେଳେ ଅନ୍ୟ ଦିନ ଯାହା ଏଇ ଶୀତ ଦିନରେ ବି ସାଢ଼େ ଚାରିଟା ରାତିରୁ ଉଠେଇବେ, ବ୍ରାହ୍ମ ମୁହୂର୍ତ୍ତ ଇଶ୍ଵର ଉପାସନାର ସମୟ । ଦିଅଁ ଉଠି ସାରିଲେଣି ଆଉ ଶୋଇବ ଅଳସୁଆ ହବ । ସେଇ ସକାଳୁ ନିଦୁଆ ଆଖିରେ ପ୍ରାର୍ଥନା ବୋଲା ହେବ , ଆହେ ଦୟାମୟ ବିଶ୍ବବିହାରୀ ଆଖି ଖୋଲୁ ନଥିବ (ଇଛାହେଉଥିବ କହିବାକୁ ଦୟା ମୟ ନା ଆହୁରି କିଛି, ଶୋଇବାକୁ ଟିକେ ଦଉ ନାହାନ୍ତି ସକାଳୁ ) ନିଜେ ପାଖରେ ବସି ପଣିକିଆ(ଗୁଣନ ଖନ୍ଦା) ଘୋଷେଇବେ ଟିକେ ବଡ଼ ହେଲା ପରେ ସଂସ୍କୃତ ଶ୍ଳୋକ, ଧାତୁ ରୂପ ,ଶବ୍ଦ ରୂପ ବା ଇତିହାସ, ଭୂଗୋଳ ଇତ୍ୟାଦି ପଢ଼ାଉଥିଲେ । ସକାଳୁ ପଢ଼ିଲେ ଏ ସବୁ ସହଜରେ ମନେ ରହିବ । ଗାଧୋଇବା ,ଖାଇବା , ସ୍କୁଲ ଯିବା, ଖେଳିବା ସବୁ ସମୟ ଅନୁଯାୟୀ ରୁଟିନ ବନ୍ଧା ନିୟମ। ବାପା ଥିଲେ ଘରେ ଛୁଞ୍ଚି ପଡି ଗଲେ ବି ଶବ୍ଦ ଶୁଭିବ । ବାପା କେବେ ମାରିବା ମନେ ପଡୁନି ଆଦିତ୍ୟର ତଥାପି କେତେ ଭୟ ବାପାଙ୍କୁ । ବାପାଙ୍କ ଅନୁଶାସନ , ଉଚିତ୍  ଅନୁଚିତ୍ ର ଫରକ୍,କାହା ସହିତ ସାଲିସ ନ କରିବାର ଶିକ୍ଷା ଆଜି ଜୀବନ ସଂଗ୍ରାମରେ ସହଜରେ ହାରି ଯିବାକୁ ଦିଏନି ତାକୁ ।

   ତାର ଚିତଉ ପିଠା ପ୍ରତି ଦୁର୍ବଳତା ଦେଖି ଦେଖି ମାଆ  ପ୍ରାୟ ସବୁଦିନ ରାତିରେ ତା ପାଇଁ ଚିତଉ ପିଠା ଓ କ୍ଷୀର ରାତ୍ରୀଭୋଜନରେ ବ୍ୟବସ୍ଥା କରିଦେଲେ। ସବୁ ଦିନ ଝିଂଝଟରୁ ତ୍ରାହି ଆପେ ମନ ଛାଡି ଯିବ ଖାଇ ଖାଇ ଆଦି କିନ୍ତୁ ସେଥିରେ ଭାରି ଖୁସି । ଏଇ ଶୀତଦିନେ ଚୂଲି ପାଖରେ ବସି ଗରମ ଗରମ ଚିତଉ ପିଠା ଖାଇଲା ବେଳେ ଥୁରୁ ଥୁରୁ ଜାଡ କୁଆଡେ ଛାଡ଼ି ପଳାଏ ।ପିଠା ଖାଇବ ଅଥଚ ହାତରେ ଟିକେ ପିଠା ପଛର କଳା ଲାଗିଗଲେ ଗଲା ସେ କଳା ତେଲିଆ ହାତକୁ ଗରମ୍ ପାଣିରେ ଧୋଇ ଜେଜେମା ନିଜ ଲୁଗା କାନିରେ ପୋଛି ସଫା କଲା ପରେ ଯାଇ ଖାଉଥିଲା । ତାର ମଲି ଫୁଲ ପରି ସଫେଦ୍ ହାତରେ,ତୋଫା ଗୋରା ପିଠାଟା କେଡେ ସୁନ୍ଦର ଦେଖାଯାଏ, ହସ ହସ ପୁନେଇ ଜହ୍ନ । ସେ ପିଠାକୁ ଥାଳିଆ ସହିତ ଟେକି ନାକ ପାଖକୁ ନେଇ ଆହା... ହା...କି ବାସ୍ନା... କହୁଥିବ ଆଉ ମାଆ ହସୁଥିବ.... ଆଉ ଜେଜେମା ରାଗିକି କହିବ ହସୁଚୁ କଣ ଖାଇବା ଦରବ ଶୁଙ୍ଘି ଦେଲେ ବିଷ ହେଇଗଲା । ଏମିତି ଏମିତିରେ ତା ପିଲାଦିନ ପୁଣି  ଗାଆଁ ସ୍କୁଲରୁ ପାଠ ପଢା ସରିଗଲା ।

ଜୀବନର ଆଉ ଗୋଟେ ପୃଷ୍ଠା ଆରମ୍ଭ ହେଲା ।ଭଲ କଲେଜରେ ଉଚ୍ଚଶିକ୍ଷା ପାଇଁ ତାକୁ ସହରରେ ହଷ୍ଟେଲରେ ରହିବାକୁ ପଡିଲା ମାଆ ବାପା ଜେଜେମା ,ଘର, ସାଙ୍ଗ ,ଗାଆଁ ସବୁ ଛାଡ଼ିବାକୁ ପଡ଼ିଲା । ନୂଆ ଜୀବନ ଗୋଟେ ଛାଞ୍ଚରୁ ବାହାରି ଆଉ ଗୋଟେ ଛାଞ୍ଚ ଭିତରେ ନିଜକୁ ଫିଟ୍ କରିବା କଷ୍ଟକର । ତାକୁ adjust କରିବାକୁ କଷ୍ଟ ହେଉଥିଲା। ବିପରୀତ ପରିସ୍ଥିତିରେ ଖାପ ଖୁଆଇ ଚଳିବା ହିଁ ଜୀବନ ପ୍ରଥମେ କଷ୍ଟ ହୁଏ ପୁଣି ଦେହ ସୁହା ହୋଇ ଅଭ୍ୟାସରେ ପରିଣତ ହୋଇଯାଏ।

 ଥରେ ଛୁଟିରେ ହଷ୍ଟେଲରୁ ଘରକୁ ଯାଇ ପହଁଚିଲା ପରେ..

ତାର ପିଲାଦିନର ଗାଆଁ ଓ ସ୍କୁଲ ସାଙ୍ଗ ମାନିନୀ ଅତି ଆଦରରେ ପ୍ରଥମ ଥର  ତା ପାଇଁ ଚିତଉପିଠା ନିଜ ହାତରେ ତିଆରି କରି ଆଣିଥିଲା । ପିଠା ପଛ ପଟ ବେଶୀ କଳା ଥିଲା। କଳା ରଙ୍ଗ ପ୍ରତି ତାର ଗୋଟେ କେମିତି ବିରକ୍ତି ଭାବ। ଭଲ ଲାଗି ନ ଥିଲା ଆଦିତ୍ୟକୁ ବାଧ୍ୟ କରି ଖୋଇଲା ବେଳେ ପିଠା କେମିତି ହୋଇଚି ମାନୀ ଉତ୍ସାହରେ ପଚରିଦେଲା ।  ମାନୀକୁ ସବୁବେଳେ ଚିଡ଼େଇବା ଅଭ୍ୟାସ । ଉତ୍ତରରେ ସେ ଠିକ୍ ତୋରି ପରି ହୋଇଚି କହିଦେଲା । ହାତ ଯାକ କଳା ଲାଗି ଗଲା ଛି ... କାହିଁକି ଏମିତି ହଇରାଣ କରୁଚୁ କହ ତ । ମାନୀ ଶ୍ୟାମଳୀ ରଙ୍ଗର ଝିଅ...କଥାଟା ତାକୁ ଖୁବ୍ ବାଧିଲା ନିଶ୍ଚୟ ,କିଛି ନ କହି ଫେରିଗଲା ଅଭିମାନରେ । ପରେ ଅବଶ୍ୟ ମାଆ କହିଲେ ତୋ ଜେଜେମା ୩ /୪ ଦିନ ହେବ ତାକୁ କହିଥିଲେ । ଆଦି ସହରରୁ ଆସିବ ତାକୁ ନିଜ ହାତ ତିଆରି ଚିତଉ ପିଠା ଆଣି ଖାଇବାକୁ ଦେବୁ । ଆଜି ତୋ ପାଇଁ ଖୁସିରେ କରିଥିଲା । ତୁ ଏମିତି କହି ତା ମନ ଭାଙ୍ଗି ଦେଲୁ । ସବୁ ଶୁଣି ସେ ମାନୀକୁ ମନେଇବାକୁ ବହୁ ଚେଷ୍ଟା କରିଚି କିନ୍ତୁ  ସେଇଦିନ ଠୁ ଯେତେ ଚାହିଁଲେ ବି ମାନୀ ତା ସାମନାକୁ ଆସେନି କଥା ହେବା ତ ଦୂର । ଯେତେ ଥର ସାମନା ହେଇଚି ମାନୀ ମୁହଁ ଫେରାଇ ଚାଲି ଯାଇଚି କେବେ ହେଲେ ଥରେ ତା ସହିତ କଥା ହେବାର ସୁଯୋଗ ଦେଇ ନାହିଁ ।କିନ୍ତୁ ମାନୀ ଯେ ତା ଖବର ରଖେ ନାହିଁ ସେ କଥା ନୁହେଁ..ମାଆ ଓ ଜେଜେମାଙ୍କ ଠାରୁ ଆଦିର ଭଲ ମନ୍ଦ ପଚାରି ବୁଝେ । କେତେ ଅଭିମାନ ସତରେ ।ଆଦିତ୍ୟ ନିଜେ ମାନୀ କଥା ବେଶୀ କିଛି ପଚାରି ପାରେନି କେମିତି କାହାକୁ କହିବ ଯେ ! ମାନୀର ସରଳ ସ୍ଵଭାବ ଆଦିକୁ ବେଶୀ ଆକର୍ଷିତ କରିଛି କ୍ରମଶଃ ମାନୀ ପ୍ରତି ତାର ଦୁର୍ବଳତା ବଢ଼ି ଯାଇଚି । ମାନୀ ତା ମନ ଭିତରେ ଘର କରି ସବୁ ଦିନ ପାଇଁ ରହିଯାଇଛି। ମାନୀ ରଙ୍ଗ କମ୍ ହେଲେ କଣ ହେଲା ଆକର୍ଷଣୀୟ ଚେହେରା ତା ଉପରୁ ସହଜରେ ଆଖି ଫେରାଇ ପାରେନି ଆଦିତ୍ୟ ଦୂରରୁ ଦେଖି। ମାନୀ ର କଥା କୁହା ଢଳ ଢଳ ଆଖି ,ହସ ହସ ମୁହଁ ଆଦିତ୍ୟ ର ବନ୍ଦ ଆଖିରେ ବି ନାଚି ଯାନ୍ତି ।ଥରେ କଥା ହୁଅନ୍ତା କି ! ମାନୀ ତାକୁ ବୁଝେଇ ଦିଅନ୍ତା ଆଦିତ୍ୟ ।ସେ ତ  ସବୁ ଦିନ ଏମିତି ହିଁ ତାକୁ ଚିଡାଏ ସେଦିନ କେମିତି ବୁଝି ପାରିଲା ନାହିଁ ମାନୀ କେଜାଣି ?ଅଭିମାନରେ କଥା ବନ୍ଦ କରିଦେଲା ଛୋଟ ସୁଯୋଗ ଟେ ନଦେଇ । ଭାବିଥିଲା ଚାକିରି କଲା ପରେ ମାନୀକୁ ପ୍ରପୋଜ କରି ସରପ୍ରାଇଜ୍ ଦବ। ଖୋଲା ଆଖିର ସ୍ବପ୍ନଟା ଏବେ ସତ ହେଲା ପରି ଲାଗୁଚି। ଏଇ କିଛିଦିନ ହେଲା ମାତ୍ର ସେ ନୂଆ ହୋଇ join କଲା ଇଞ୍ଜିନିୟର ଭାବେ ।ଏଥର ଗାଆଁକୁ ଗଲେ ମାନୀକୁ କହିବ ସେ ତାକୁ କେତେ ଭଲ ପାଏ ବୋଲି। ତା ବିନା ସେ ବଞ୍ଚି ପାରିବନି । ନିଜକୁ ପ୍ରସ୍ତୁତ କଲା ଏଥର ସେ ମାନୀକୁ ତା ମନ କଥା କହିବ ।ସବୁ ସ୍ଵପ୍ନ ଭାଙ୍ଗିଗଲା.. ମାଆଙ୍କ ଫୋନରେ ।ମାଆ କହିଦେଲେ ମାନୀର ବାହାଘର ଠିକ୍ ହୋଇଗଲା । ଅସମ୍ଭବ ,ମାନୀ ଆଉ କାହା ହାତ ଧରି ବୋହୂ ହୋଇ ଚାଲିଯିବ !ସେ ଭାବି ପାରୁ ନଥିଲା ଆଗକୁ । ପିଲା ଦିନେ ବୋହୂ ଚୋରିଖେଳ, ମିଛିମିଛିକା କଣ୍ଢେଇ ବାହାଘର କଲା ବେଳେ ମାନୀ ତ ସବୁବେଳେ ତାର ସ୍ତ୍ରୀ ହୋଇ ଥାଏ। ଆଉ କିଏ ହେଲେ ମାନୀ ଖେଳିବ ନାହିଁ।ଧମକ ଦେଇ ଥିଲା ଆଦିତ୍ୟର ସାର୍ଟ୍ କଲାର ଭିଡ଼ି ତୁ ମୋ ଛଡା ଆଉ କାହାକୁ ବାହା ହେଇ ପାରିବୁନି । ସେଇ ମାନୀ ଏବେ ଆଉ ଜଣକୁ ସତ ସତିକ ବାହା ହେଇଯିବ ! ସ୍କୁଲ ହେଉ ବା ଘର ମାନୀ ସବୁ ବେଳେ ତା ପାଖେ ପାଖେ ରହିଥିବ । ସବୁ ଦୋଷ.. ସବୁ ଭୁଲ୍ ନିଜ ଉପରକୁ ନେଇଯିବ ଆଦିକୁ କେହି ପଦେ କହିବା ପୂର୍ବରୁ। ଜେଜେମା ସବୁବେଳେ କହୁଥିଲା ...ମାନୀକୁ ଘରକୁ ବୋହୂ କରି ଆଣିବା । ସେ ହିଁ ଆମ ଟୋକାକୁ ଠିକ୍ ବାଟ କଢ଼େଇ ନେବ ଅଥଚ ମାନୀର ବାହାଘର କେମିତି ହଠାତ୍ ସ୍ଥିର ହେଇଗଲା । ଜେଜେମା,ମାଆ, ବାପା କେହି କିଛି ବି କହିଲେନି। ଏମିତି କଣ ହୁଏ ?

କେଉଁ ଥିରେ ମନ ଲାଗୁ ନ ଥିଲା ଆଦିତ୍ୟର ।ସେ ତର ବର ହୋଇ ଗାଆଁକୁ ବାହାରିଗଲା। ଗ୍ରାମଦେବତୀଙ୍କ ମେଳଣ ପଡିଆର ବଉଳ ଗଛ ମୂଳ ଚାନ୍ଦିନୀରେ ମାନୀ ବସିଚି। ତାକୁ ଦେଖି ତା ଗୋଡ଼ ଅଟକି ଗଲା। ପାଟିରୁ ବାହାରି ପଡିଲା ମାନୀ ,ତୁ ମୋତେ ସତରେ ଭୁଲି ଗଲୁ ଏକା ଏକା ବାହା ହେବା  ନିଷ୍ପତ୍ତି ନେଇ ଗଲୁ, ଥରୁ ଟିଏ ମୋ କଥା ଭାବିଲୁନି... ମୋତେ ପଚାରିଲୁ ନାହିଁ... ଏତେ ପର ହୋଇଗଲି ତୋ ପାଇଁ ।ମୋ ଉପରେ ତୋର ଏତେ ଘୃଣା,ଅଭିମାନ ନା ଭରସା ପାଇଲାନି ।ମାନୀ ପାଦରେ ଭୂଇଁରେ ଗାର କାଟୁ କାଟୁ କହିଲା...ନାଇଁରେ ତୋ ଉପରେ କଣ ରାଗି ହୁଏ? ତୁ ମୋ ପିଲା ଦିନର ସାଙ୍ଗ। ଖେଳ ଖେଳରେ ତୋତେ କଣ କହିଥିବି ମୋର ମନେ ନାହିଁ । ମୁଁ କିନ୍ତୁ ତୋତେ କେବେ ପ୍ରେମ କରିନି । ବାହା ହେବାର ସ୍ଵପ୍ନ ଦେଖିନି। ତୁ ଦୂର ଆକାଶର ଜହ୍ନ ।ସହରରେ ପାଠ ପଢିଚୁ ,କେତେ ପରୀ ତୋ ବାଟ ଅନେଇ ବସିଥିବେ । ତୁ ଖୁସିରେ ରହିଲେ ମୋତେ ଭଲ ଲାଗିବ। ।ମୋର ତୋ ଉପରେ ଅଭିମାନ ନାହିଁ। କେତେ ବେଳୁ ଆସିଲୁଣି ଭୋକ ଲାଗୁ ଥିବ ଘରକୁ ଚାଲ ଖାଇବୁ । ମୋ ବାହାଘର କଥା ଛାଡ଼ । ଦେଖ୍ ମୁଁ କାଳୀ ଝିଅ ..ବହୁ ଜାଗାରୁ ବାହାଘର ଭାଙ୍ଗି ଏବେ ତ ସ୍ଥିର ହୋଇଚି । ବାପା ମା ଯୋଉଠି ଠିକ୍ କଲେ ବାହା ହୋଇଯିବା କଥା । ସବୁ ଝିଅ ଯେମିତି ବାହା ହୁଅନ୍ତି ମୋର ସେମିତି ବାହାଘର ହେଉଚି ତୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।ଜୀବନଟା ପିଲାଦିନର ବୋହୂ ଚୋରି କି କଣ୍ଢେଇ ବାହାଘର ନୁହେଁ ଏଠି ବାସ୍ତବତାକୁ ସାମନା କରିବାକୁ ପଡେ ।ମୁଁ ଜାଣିବାରେ ତୋ ମୋ ଭିତରେ ସେମିତି କିଛି ସଂପର୍କ ନ ଥିଲା ।ଆମେ ସ୍କୁଲ ସାଙ୍ଗ ଥିଲେ ମାତ୍ର ଅନ୍ୟ ସବୁ ସାଙ୍ଗ ମାନଙ୍କ ପରି । ଆଦିର ମନ ଭାଙ୍ଗିଗଲା । ସେ ଭାବିଥିଲା ସେଇଠୁ ଫେରି ଯିବ ଘରକୁ ନ ଯାଇ ପାଦ ବଢୁ ନ ଥିଲା ଆଗକୁ  । ମାନୀ ପଚାରିଲା କେତେଦିନ ପାଇଁ ଆସିଚୁ ଦୁଇ ଦିନ ପରେ ନିର୍ବନ୍ଧ । ସୁବିଧା ହେବ ଯଦି ରହିବୁ ଭଲ ଲାଗିବ ଆଦି ଉତ୍ତର ଦେଇଥିଲା ତୋ ଖୁସି ପାଇଁ ଏତିକି ତ କରିପାରିବି ରହିବି ନିଶ୍ଚୟ ।

    ଘରେ ପହଞ୍ଚିଲା ବେଳକୁ ବାପା ବଡ଼ ବ୍ୟସ୍ତ ହୋଇ ଘର ଭିତରକୁ ପଶି ଆସିଲେ। ଆଦି ଆସିବାର ଖୁସିକୁ ଭୁଲି ମାଆକୁ ଡାକିଲେ...ବୁଝିଲ ..ମାନୀଟାର ବାହାଘର ଭାଙ୍ଗି ଗଲା ମ ସେମାନେ ଏବେ ଖବର ପଠେଇଚନ୍ତି । ଶୀଘ୍ର ଯାଇ ମାନୀ ବୋଉକୁ ବୋଧ କର..ବଡ଼ ବିକଳ ହେଇ କାନ୍ଦୁଚି । ବାପାଙ୍କ ମୁହଁ ଉପରେ କଥା କହି ପାରୁ ନ ଥିବା ଆଦିତ୍ୟ ସାହସ କରି ବାପା ମୁଁ ଗୋଟେ କଥା କହିବାକୁ ଚାହୁଁଚି,ବାପାଙ୍କ ଉତ୍ତରକୁ ଅପେକ୍ଷା ନ କରି ଚଟାପଟ୍ କହି ପକେଇଲା... ଆପଣଙ୍କର ଯଦି କିଛି ଆପତ୍ତି ନ ଥାଏ ତାହେଲେ ମୁଁ ମାନୀକୁ ମୋ ଜୀବନ ସାଥୀ କରିବାକୁ ଚାହୁଁଛି । ବାପା ହସିଲେ କହିଲେ ତୁ ଆଉ ଥରେ ଭାବି ଚିନ୍ତି କହ ! ଆମେ ତ ଖୁସି ହେବୁ ମାନୀ ପରି ଝିଅକୁ ବୋହୂ ରୂପେ ପାଇଲେ ।ଜେଜେମା ଦଉଡ଼ି ଆସି କହିଥିଲା ଭାବିବ କଣ ବା ଆରେ ଭାବିବ କଣ ? ଯୋଉ ବରକୁ ଯୋଉ କନିଆଁ ଉପର ବାଲା ପଠେଇଛି ନା ପ୍ରଜାପତି ଘଟସୂତ୍ର ।

ଆଉ ଡେରି ନାହି ତାଙ୍କ ଘରେ ଶୁଭ ଖବର ତମେ ଦି ଜଣ ଦେଇ ଆସିବ ନା ମୁଁ ଯିବି ।ଯେଉଁ ଦିନ ନିର୍ବନ୍ଧ ହବାର ଥିଲା ସେଇ ଦିନ ହବ । ମାନୀ ଆମ ଘରକୁ ବୋହୂ ହୋଇ ଆସିବ । ଡେରି କରନି। ମାନୀ ବୋହୂ ହୋଇ ଆସିବା କେତେବର୍ଷ ହେଲାଣି ଏବେ ଜେଜେମା ବି ଚାଲିଗଲାଣି । ସମୟ କାହାକୁ ଅପେକ୍ଷା କରିନି। ମାନୀ ଆସି ଆଦିତ୍ୟକୁ ହଲେଇଲା ... କଣ ଭାବୁଛ ଏତେ... ଚାଲ ଭିତରକୁ ଥଣ୍ଡାରେ ଦେହ ପୁରା ବରଫ ପରି ଲାଗୁଚି। ସେ ମାନୀ ଆଡ଼କୁ ଟିକେ ଚାହିଁ ହସିଦେଇ କହିଲା ଜହ୍ନ ଭିତରେ ମାନୀକୁ ଆଉ ମାନୀ ଭିତରେ ଜହ୍ନକୁ ଦେଖୁଚି କିଏ ବେଶୀ ସୁନ୍ଦର....ମାନୀ କହିଲା ମିଛ କହିଲ ,ଜହ୍ନ ଭିତରେ ଚିତଉ ପିଠା ଦେଖା ଯାଉଥିବ ମୁଁ ଜାଣେ । ଝିଅ ଜାହ୍ନବୀ ଚିଲାଉଥିଲା, ପାପା Plz ଆସ ମୋ ହାତଟା ପୁରା black ହେଇଗଲା ଏ..ହେ...। ମାନୀ ଆସ୍ତେ କହୁଥିଲା... ଠିକ୍ ତମ ପରି ହେଇଚି । ଆଉ ଆଦିତ୍ୟ ହସୁଥିଲା ଗୋଟେ ପ୍ରାପ୍ତିର ହସ.... ପୂର୍ଣ୍ଣତାର ହସ...।



Rate this content
Log in

Similar oriya story from Drama