ଚିଠି
ଚିଠି
ଯେତେ ଯାହା କାମ ଥାଉ , ଆଉ ଯେତେ ବ୍ୟସ୍ତ ଥିଲେ ମଧ୍ୟ ସକାଳୁ ସକାଳୁ ଏକାଠି ବସି ଚା ପିଇବା ଅଭ୍ୟାସ ଆମର ବହୁ ପୁରୁଣା ।ସେତିକି ସମୟ କମ ସେ କମ୍ ଆମେ ଦୁଇ ଜଣ ମନ ଖୋଲା କଥା ହେଇ , ପୁଣି ଦୈନଦିନ କାମ ପାଇଁ ready ହେଇଯାଉ।ଆଜି ସକାଳୁ ଚା କପ୍ ଦିଟା ଥୋଇ ଦେଇ ମୁଁ କହିଲି, ଦେଖ ତ କୋଉ କପ୍ ରୁ ବେଶୀ ବାମ୍ଫ ଉଠୁଚି, ଇଏ କହିଲେ ତମ କପ୍ ରୁ ବାହାରୁ ଥିବ,ଦିନ ଯାକ ସବୁବେଳେ ଫଁ ଫଁ ହବ ନା ..... ସେଇଥିପାଇଁ।
ମୋ ଚା ପୁରା ଥଣ୍ଡା ..... ମୋ ପରି ... ହସିଲେ ....।ମୁଁ ଜାଣିଲି ମୋତେ ଚିଡ଼େଇବା କେବଳ ଉଦ୍ଦେଶ୍ୟ ତଥାପି ପାଟିରୁ ବାହାରି ପଡ଼ିଲା ଆହା । କଥା କଟା କଟିରେ ନରମ ନରମ ଶାନ୍ତ ଶୀତୁଆ ସକାଳଟା ବେକାର ହେଇଯିବ । କହିଲି ଠିକ୍ ଅଛି ତମେ ଥଣ୍ଡା ଚା ପିଇ ଦିଅ ମୁଁ ଶୀତ ସକାଳର ଗରମ ଚାହା ଟା ହିଁ ପିଉଚି। ଚା ପିଉଚୁ ହଠାତ୍ ମୋ ଫୋନ ଟା ବାଜି ଉଠିଲା ।ଏତେ ସକାଳୁ କିଏ? ଉଠେଇବା ପୂର୍ବରୁ କଟିଗଲା ।ପୁଣି ଥରେ ଫୋନ ବାଜିଲା ,ଇଏ ଉଠିକି ଫୋନ ଟା ଦେଲେ, କହିଲେ ...ପିଙ୍କି ମାଇଁ ଫ୍ରେଣ୍ଡ୍ ।ପିଙ୍କି ଏତେ ସକାଳୁ ! ମୁଁ ଫୋନ ଉଠେଇ Hallo କଲାବେଳକୁ ସେ ବଡ ଉତ୍ସାହର ସହ ଗେହ୍ଲେଇ ହେଇ କହିଲା ବୁଝିଲୁ ଏବେ ସକାଳୁ ସକାଳୁ ଶୁକ ଦେଈ ସହିତ ଦେଖାହେଇ ଗଲା ବା , ସେ ତୋ କଥା ପଚାରୁଥିଲା ।
ମୁଁ ଉତ୍ତର ଦେଲି, ନିଦ ଛାଡିନି, ସ୍ଵପ୍ନ ଦେଖୁଚୁ ନା କଣ?ଛୁଆଙ୍କୁ ଇତିହାସ ପଢ଼ାଉଥିଲୁ କି ? ଶୁକ ଦେଈ କିଏ ଲୋ ? ଖୁକୁ ଦେଈ (ତା ବଡ଼ ଭଉଣୀ) କଥା କହୁଚୁ ଟି ?
ସେ ଟିକେ ରାଗିକି କହିଲା ,କୋଉ ଦୁନିଆରେ ଭାସୁଚୁ!
ଶୁକ ଦେଈକୁ ଭୁଲି ଯାଇଛୁ। ଆଉ ସେ ବିଚରା ଏତେ ବର୍ଷ ପରେ ତୋତେ ମନେ ରଖିଚି । ଟିକିଏ ନିଠେଇ କହିଲା ... ବୁଝିଲୁ ତୁ ଆଉ ମଣିଷ ହେବୁନି , ହଷ୍ଟେଲର ଶୁକ ଦେଈ ..ତୋ ଫୋନ no ନେଇଚି ସେ ,ତୋ ସହିତ କଥା ହେବ । ମୁଁ କହିଲି ହଁ ... ହଁ...ମନେ ପଡ଼ିଲା ।ତୁ ଜାଣି ପାରିଲୁ ତାକୁ ,କେମିତି ଅଛି ଶୁକ ଦେଈ... ପିଙ୍କି କହିଲା ମୁଁ ନୁହେଁ ସେ ମୋତେ ଅଳ୍ପ ଅଳ୍ପ ଜାଣିପାରିଲା, ତମ ମାନଙ୍କ କଥା ବି ସବୁ ପଚାରିଲା ।କହିଲା ଆଜି ଯାହା ସେ ପାଇଛି କେବଳ ସମ୍ଭବ ହୋଇଛି" ମନ ଦେଈ "ଏବଂ" ସୁନି ଦେଈ"(ଏ ନାଆଁ ମୋର ଶୁକ ଦେଈ ଦେଇଥିଲା) ପାଇଁ। ମୁଁ ପଚାରିଲି କଣ କରୁଚି ଏବେ, ତା ସ୍ବାମୀ ତା ସହିତ ରହୁଚି ନା ।ପିଙ୍କି କହିଲା ମୁଁ କଣ ଜାଣିଥିଲି ,ଆରେ ଯେଉଁଠୁ କ୍ଷୀର ସକାଳୁ ଆଣେ, ସେ ହେଲା ଶୁକ ଦେଈ ସ୍ଵାମୀ ଭାସ୍କର ଭାଇର ଘର । ୧୨ /୧୫ ଟା ଗାଈ ରଖିଚି ।ଆଲୋ ତାର ଦି ଟା ପୁଅ ,ବଡ଼ ମାଟ୍ରିକ ଫେଲ ହେଇ ,ବାପା ସଙ୍ଗେ କ୍ଷୀର ବେପାର ବୁଝୁ ଚି ଆଉ ସାନ ଟା କଲେଜ ରେ +୨ପଢୁଛି ପରା । ଏତେ ଦିନ ଭିତରେ ଶୁକ ଦେଈକୁ ଆଜି ପ୍ରଥମ ଥର ପାଇଁ ଦେଖିଲି। ଏତେ ବର୍ଷ ପରେ ସେ ତମ ମାନଙ୍କୁ ଭୁଲି ପାରିନି, ଆ ଠାରୁ ବଡ଼ ଖୁସି ଖବର କଣ କିଛି ଅଛି , କହନି.....।ଏବେ ମୋର ସବୁ ମନେ ପଡି ଯାଇଥିଲା ଗୋଟି ଗୋଟି କରି ପୁରୁଣା କଥା।
ଶୁକ ଦେଈ ...ଆମ ହଷ୍ଟେଲର ଅନେକ ସେବିକା ମାନଙ୍କ ଭିତରୁ ଜଣେ।. ବୟସ ୨୪ / ୨୫ ବର୍ଷ ।ହଳଦୀ ତକ ତକ ସୁନ୍ଦର ଗୋରା ଚେହେରା। ଟଣା ଟଣା ଆଖି , ଲମ୍ବା ବେଣୀ ଥିରି ଚାଲି , କିନ୍ତୁ ସବୁବେଳେ ଗୋଟେ ଲୁହ ଛଳ ଉଦାସିଆ ମୁହଁ, ସହଜରେ ହସି ପାରେନି ଜମା।କାହା ସହିତ ମିଶି ବି ପାରେନି । କାହାକୁ ମନ କଥା କହି ପାରେନି। ଅନ୍ୟ ଅନ୍ତେବାସିନୀ ମାନେ ତାକୁ ଭଲ ପାଇ ପାରନ୍ତି ନାହିଁ।କିନ୍ତୁ ମୋ ଆଖି ତାର ସେଇ ଉଦାସ ପଣର କାରଣ ଖୋଜୁଥିଲା। ଏମିତି ତ କେହି କାହାକୁ ସହଜରେ କହିଦେଇ ପାରିବନି ମୋର ଅସୁବିଧା କଣ,ଦୁଃଖ କଣ , ବା ସମସ୍ୟା କଣ, ସେତିକି ଆତ୍ମୀୟତା ହେବା ନିହାତି ଜରୁରୀ।ହଷ୍ଟେଲ ଭିତରେ ଆମ ରୁମ୍ ର ଗୋଟେ ସ୍ଵତନ୍ତ୍ର ଛାପ ଥିଲା । ଯାହାକୁ ସମସ୍ତେ ମାନନ୍ତି,ଆମେ ଆଠ ଜଣ ଗୋଟେ ରୁମ୍ ରେ ରହୁଥିଲେ ବି କେବେ ଛୋଟ ଭୁଲ ଅବୁଝାମଣା ହୋଇନାହିଁ।ସାଧାରଣ ଭାବେ ସମସ୍ତେ ସେବିକା ମାନଙ୍କ ନା ଧରି ଡ଼ାକିଲେ ବି ଆମେ ଅପା, ଦେଇ , ନାନୀ ଏମିତି ସମ୍ବୋଧନ କରୁଥିଲୁ। ମୁଁ ଯେହେତୁ ସମସ୍ତ ଙ୍କ ସହିତ ସହଜରେ ମିଶି ପାରେ ,ସେହି ଦୃଷ୍ଟିରୁ ଶୁକ ଦେଈର ଦୁଃଖର କାରଣ କଣ ବୁଝିବାର ଦାୟିତ୍ଵ ମୋତେ ଦିଆଗଲା। ମୁଁ ତାର ନିକଟ ତର ହେବାକୁ ଚେଷ୍ଟା କଲି,..
ସେ ମଧ୍ୟ ମୋ ପାଖରେ ସହଜ ହେଇ ଆସ୍ତେ ଆସ୍ତେ ତା କାହାଣୀ ପେଡ଼ି ଖୋଲିବା ଆରମ୍ଭ କଲା।
ଅଭାବୀ ପରିବାର ଭିତରେ ଏଡେ ସୁନ୍ଦରୀ ଝିଅ । ବହୁ ପ୍ରସ୍ତାବ ଆସିଲା ।କଲିକତାରେ ବାବୁ ଘରେ ପାଣି ଦେଇ ଦି ପଇସା ରୋଜଗାର କରୁଥିବା ଜୁଆଁଇ ଦେଖି ବାପା ମା ରାଜି ହେଇ ଗଲେ। ହଉ ପଛେ ୩୦ ବର୍ଷ । ୧୮ ବର୍ଷ ରେ ତୋଳା କନିଆଁ ହେଇଶାଶୁ ଘର ଚାଲି ଗଲା ଅନେକ ସୁଖର ସ୍ଵପ୍ନକୁ କାନିରେ ବାନ୍ଧି ଶୁକ ସବୁ ଝିଅଙ୍କ ପରି । ବାହାଘରର କିଛି ଦିନ ବି ବେଶ୍ ହସ ଖୁସିରେ କଟେଇ ଦେଲା ସେ । ଅନେକ ପ୍ରତିଶ୍ରୁତି ଦେଇ ବୁଢୀମା ପାଖରେ ଶୁକକୁ ଏକା ଛାଡ଼ିଦେଇ ଗଲା ତା ସ୍ବାମୀ ଭାସ୍କର । ସେଇ ଗଲା ଯେ ଗଲା ଫେରିବା ନା ଧରିଲାନି। ଆଖି ପାଣି ଆଖିରେ ମାରି ଅପେକ୍ଷା କଲା ବରଷେ କାଳ ଶୁକ ତାର ଫେରିବା ବାଟକୁ। ତା ଭିତରେ ଶାଶୁର ଯେତେ ଗଞ୍ଜଣା ଟାହି ଟାପରା ,ଯଦି ଫଳନ୍ତି ଗଛ ହେଇ ଥାଆନ୍ତୁ ମରଦ ପିଲା ଆଉ କୁଆଡେ ମୁହଁ ମାରି ନ ଥାଆନ୍ତା କେମିତି ସ୍ତ୍ରୀ ହେଇଚୁ କେଜାଣି ବାନ୍ଧି ରଖି ପାରିଲୁ ନାହିଁ। ବାଂଝ ଟା ,ଛୁଆପିଲା କୋଳରେ ଥିଲେ ମାୟା ଲାଗି ଥାଆନ୍ତା ମିଣିପି ଟା ଆଖି କାନ ବୁଜି ପଳେଇ ଆସନ୍ତା ।ଏମିତି ଶୁଖିଲା କାଠ ଗଡକୁ କିଏ ଆଡ ଆଖିରେ ଚାହିଁବ ,କାହିଁକି ଚାହିଁବ ବି ! କୋଉ ସୁଖ ତାକୁ ଦେଲୁ ଯେ ! ଏବେ କଲିକତା ଫେରନ୍ତା ଲୋକ ମାନେ କୁହନ୍ତି ଭାସ୍କର ଗୋଟେ ମାଇକିନା ପାଲରେ ପଡି ଯାଇଛି। ସେଠୁ ଆସିବାର ଯୁ ନାହିଁ। ଘରକୁ ବି ପଇସା ପଠ ଉନି। ଶାଶୁ ବୋହୂ ଦିଟା ଚଳିବେ କେମିତି? ବୁଢୀ ଶୁକ ବାପାକୁ ଡାକି ଝିଅକୁ ପଠେଇ ଦେଲା। ବଢିଲା ଝିଅ ଏକା ଛାଡ଼ି କାମ ଧନ୍ଦାରେ ଯାଇ ପାରୁନି , ତମ ମଉନ ମୁହିକୁ ଫେରେଇ ନିଅ ।ସ୍ଵାମୀକୁ ବାନ୍ଧି ରଖି ପାରିନି କି ଘର ସଂସାର କରିବ !ୟେ ବୁଢୀ ବୟସରେ ପର ଘରେ କାମ କଲେ ପେଟ ପୋଷିବି। ଯଦି ଟୋକା ଫେରିବ ତମ ଝୁଅକୁ ଆଣିବି । ଅଦ୍ଭୁତ ଏ ଦୁନିଆ ନିୟମ ,ସବୁ ଭୁଲ୍ କେବଳ ନାରୀ ମାନଙ୍କର.. କେତେ ଜଣ ବୁଝନ୍ତି ତାଙ୍କ ଦୁଃଖ ,ସମସ୍ୟା ଆଉ ଆଶା ସ୍ଵପ୍ନର କଥା। ଝିଅ ଟିଏ ପାଇଁ ସ୍ଵପ୍ନ ଦେଖିବା ମନା। ତା ହସ କାନ୍ଦ ର ମୂଲ୍ୟ ନାହି, ସେ ଅନ୍ୟ ମାନଙ୍କ ହାତର କଣ୍ଢେଇ।ଏମିତି କେତେ ଦିନ ଚାଲିବ! କେତେ ଶୁକ ମାନଙ୍କର ସ୍ଵପ୍ନ ଏମିତି ହଜି ଯାଏ ସାରା ରାତି ତକିଆ ଭିଜେଇ.. ଦିନରେ କାନ୍ଦି ବା ବି ମନା।
ଦୁର୍ଭାଗ୍ୟ ନା ବିଡମ୍ବନା କାହାକୁ କହିବେ ।
କି ବାହା ହେଲା କେଜାଣି ସବୁ ସୁଖ ଶିରୀ ସପନ ହଜିଗଲା ଶୁକ ର । ଲୁଚେଇ ଲୁଚେଇ କାନ୍ଦିବା ଟା ସାର ହେଲା।କାହାକୁ କହିବ, କିଏ ବୁଝିବ ଯେ । ଯାହା ହେଉ ଆଉ କାହା ଉପରେ ବୋଝ ନ ହୋଇ ଭାଇ ବୁଝି ଦେଇଥିବା ଏଇ ହଷ୍ଟେଲକୁ ଚାଲି ଆସିଲା ସେ ।କିଛି ନ ହେଲେ ଖାଇ ପିଇ ମାସକୁ ଦି ହଜାର ଟଙ୍କା। । ମାସ ଶେଷ କୁ ଦରମା ମିଳି ଗଲେ ଭାଇମାନେ ପଇସା ନେଇ ଯାଆନ୍ତି।ଛୁଟି ହେଲେ ସେ ଘରକୁ ଯାଏ। କିଏ ବା ତାକୁ ଅପେକ୍ଷା କରିଛି ସେ ଭାଇ ବାପା ପାଇଁ ସୁନା ଅଣ୍ଡା ଦେଉଥିବା କୁକୁଡ଼ା । ତା ରୋଜଗାରରେ ଫୁର୍ତ୍ତି କରୁଛନ୍ତି କେହି ବୁଝନ୍ତିନି ତା ମନ କଥା ଏମିତିକି ଜନମ କଲା ମାଆ ବି. ନୁହେଁ । କ୍ରମଶଃ ତାର ବଞ୍ଚିବାର ଆଗ୍ରହ କମି କମି ଯାଉଥିଲା। ଆମେ ଠିକ୍ କଲୁ କିଛି ନ ହେଲେ ବି ଭାସ୍କର ପାଖକୁ ଶୁକ ଦେଈ ମନ କଥା ଚିଠି ମାଧ୍ୟମରେ ଜଣେ ଇବୁ । ତେଣୁ ଦିନେ ରାତିରେ ମନୋରମା ଏବଂ ମୁଁ ଶୁକ ଦେଈକୁ କହିଲୁ,ଭାସ୍କର ଭାଇନା ଙ୍କୁ ତୁ ଯାହା କହିବାକୁ ଚାହୁଁଚୁ କହ ଆମେ ତାଙ୍କ ପାଖକୁ ଚିଠି ଟେ ଲେଖିବା, ଚେଷ୍ଟା କରିବା । ହାତ ବାନ୍ଧି ବସିଲେ ସେ ଫେରି ଆସିବ ନାହିଁ ସେ ଲାଜ ଲାଜ ହୋଇ ତା ମନ କଥା କହୁଥାଏ ,ଆଉ ମନୋରମା ଲେଖୁଥାଏ... ତାର ଦେଶୀ ଶବ୍ଦକୁ ଆମେ ଦି'ଜଣ ସଦ୍ୟ ପଢିଥିବା ଉପନ୍ୟାସ ଭାଷା ରେ ବର୍ଣ୍ଣନା କରି ପ୍ରେମ ଭରା ଚିଠିଟେ ଲେଖି ଦେଲୁ।ତାକୁ ଦେଲୁ posting କରିବାକୁ।ଆଶ୍ଚର୍ଯ୍ୟ ର କଥା ସକାଳୁ ଦେଖିଲା ବେଳକୁ ସେଦିନ ଶୁକ ଦେଈ ଭାରି ଖୁସି ଖୁସି ହାଲକା ହାଲକା ଲାଗୁଥାଏ। ଦୁଃଖର କଥା ସେ ଚିଠି ର ଉତ୍ତର ଆସିଲା ନାହିଁ।ୟା ପରେ ଏମିତି ପ୍ରାୟ ୩/୪ ମାସ ଆମେ ସମସ୍ତଙ୍କୁ ଲୁଚାଇ ରାତି ଅଧରେ ଚିଠି ଲେଖି ଚାଲିଲୁ ପ୍ରାୟ ପ୍ରତି ସପ୍ତାହରେ ଗୋଟେ। ।ତଥାପି ଉତ୍ତର ନାହିଁ। ଆସ୍ତେ ଆସ୍ତେ ଶୁକ ଦେଈ ପୁଣି ଉଦାସ ହେଇଗଲା ।ନୂଆ କରି ପୁଣି ଥରେ ଦେଖିବା ଆରମ୍ଭ କରିଥିବା ସ୍ଵପ୍ନ ଗୁଡା ଭାଙ୍ଗି ଗଲେ। ଆମ ମନ ବି ଖରାପ ହେଇଗଲା ।ତଥାପି କଥା ହେଲା କାଳେ ଠିକଣା ଭୁଲ୍ ଥିବ ... December ଛୁଟିରେ ଶୁକ ଦେଈ ଗାଆଁ କୁ ଗଲେ ପୁଣି ଥରେ ଠିକଣା ଯୋଗାଡ଼ କରିବ ।
ଛୁଟିରେ ଯେତେବେଳେ ଘରକୁ ଗଲୁ ମୋ ମୁଣ୍ଡରେ ଗୋଟେ ଅଦ୍ଭୂତ idea ଜୁଟିଗଲା । ଦୁଇ ଟି ଚିଠି ବାମ ହାତରେ ଲେଖିବା ଆରମ୍ଭ କଲି ଗୋଟିଏ ଶୁକ ଦେଈ ପାଖକୁ ତା ସ୍ବାମୀ ଭାସ୍କର ଭାଇନା ନାମରେ ପ୍ରେମ ଭରା ଅନେକ ପ୍ରତିଶ୍ରୁତି ଦେଇ, ସମୟ ସୁବିଧା ଦେଖି ଶୀଘ୍ର ତାକୁ ଦେଖା କରିବାର ଆଶ୍ୱାସନା ଦେଇ ଏବଂ ଅନ୍ୟଟି ନିଜ ତରଫରୁ ଭାସ୍କର ଭାଇନା ପାଖକୁ ।ଏବଂ ସେଥିରେ ସତ୍ୟପାଠ କଲା ପରି ଲେଖିଦେଲି ଭାଇନା ନମସ୍କାର ନେବେ। ପୂର୍ବ ରୁ ଆପଣଙ୍କ ଏହି ଠିକଣା ରେ ଶୁକ ଦେଈ ଅନେକ ଚିଠି ଦେଇଛନ୍ତି,ଯେହେତୁ ସେ ଲେଖି ଜାଣି ନାହାନ୍ତି, ସେ ଯାହା କହନ୍ତି ଆମେ ଲେଖିଦେଉ ।ତେବେ କୌଣସି ଗୋଟିଏ ଚିଠି ର ଉତ୍ତର ନ ପାଇ ସେ ଧର୍ଯ୍ୟ ହରା ହେଇ ଗଲେଣି ତାଙ୍କର ସବୁ ଦମ୍ଭ ଭାଙ୍ଗି ଗଲାଣି ହୁଏ ତ କେତେବେଳେ ଜୀବନ ହାରି ଦେଇ ପାରନ୍ତି ବହୁତ୍ ଅନ୍ୟ ମନସ୍କ ରହୁଛନ୍ତି ,ଦୟା କରି ତାଙ୍କ ଚିଠି ର ଉତ୍ତର ଦିଅନ୍ତୁ ଓ ଥରେ ତାଙ୍କ ଅବସ୍ଥା ନିଜ ଆଖିରେ ଦେଖି ଯାଆନ୍ତୁ। ସେମିତି ଦେଖିଲେ ଜଣେ ଅଜଣା ପୁରୁଷ ପାଖକୁ ଥିଲା ଏହା ମୋର ପ୍ରଥମ ଏବଂ ଶେଷ ଚିଠି।ଏମିତି ଜଣଙ୍କ ପାଖକୁ ଚିଠି ଟି ଲେଖିଥିଲି ନା ସେ ମୋର ବାପା ଭାଇ ବା କୌଣସି ଆତ୍ମୀୟ ଥିଲେ ନା ବି ଥିଲେ ପ୍ରେମିକ .... ଏବେ ଭାବିଲେ ହସ ଲାଗୁଚି କି ଚିନ୍ତାଧାରା ଥିଲା ସେତେ ବେଳେ କେଜାଣି । କେବଳ ସେ ଠିକଣା ଟା ଠିକ୍ କି ନାହିଁ ଭାବି ଏମିତି କରିଦେଇଥିଲି। ସେଇ ଚିଠିଟି ସବୁଦିନ ମୋ ପାଇଁ ଅଭୁଲା ହୋଇ ରହିଛି । ସେ ଚିଠି ବିଷୟ ରେ କେଉଁଠି ସହଜ ରେ କହି ହୁଏନି।
କଲେଜ ଖୋଲିଗଲା ଆମେ ହଷ୍ଟେଲ ଫେରି ଆସି ଥାଉ।ରାତିରେ ବସିଛୁ ମନୋରମା ଆଉ ମୁଁ ।ଶୁକ ଦେଈ ବଡ଼ ଖୁସି ରେ ଧାଇଁ ଆସି କହିଲା, ଦେଈ ମ କହିଲ ଆଜି ମୁଁ କାଇଁ ଏତେ ଖୁସି ଅଛି।ମୋ ପାଟିରୁ ବାହାରି ପଡ଼ିଲା କାଇଁ ଭାସ୍କର ଭାଇ ଆସିଚି କି? ତା ଆଖି ଛଳ ଛଳ ହେଇଗଲା କହିଲା ନାଇଁ ମ ଦେଇ ତୁମ ତୁଣ୍ଡ ସୁତୁଣ୍ଡ ହଉ.. ଆସିବ କି କଣ ପଢ ଆଗେ ଚିଠି ଦେଇଛି କଣ ଲେଖିଛି ରସିକ ନାଗର ।ଚିଠି ଟା ଯେତେ ବେଳେ ବାହାର କଲା ମୋ ଛାତି ଭିତର ଟା ଧଡ ଧଡ଼ ହେଇଗଲା। ମନୋରମା ବଡ଼ ଖୁସି ରେ ଚିଠି ଖୋଲି ପଢିଲା..। ମଝି ରେ ମଝିରେ ଶୁକ ଦେଈ ଖୁସି ରେ କହୁଥାଏ ପୁଅର ଚେତା ପଶୁଚି ଦେଈ, ଏଣିକି ବାଟକୁ ଆସିବ । କେତେଦିନ ଆଉ ସେ ବାରବୁଲି ତାକୁ ବାନ୍ଧି ରଖିବ .... ଚିଠି ଟି ପଢି ସାରି ମନୋରମା ଓଲଟା ପାଲଟ କରି ଦେଖିଲା,ମରା ଯାଇଥିବା ପୋଷ୍ଟାଲ ଷ୍ଟାମ୍ପ ରୁ ସବୁ ଜାଣି ଗଲା ,ମୋତେ ଚାହିଁଲା। ତା ପରେ ଶୁକ ଦେଈ କି କହିଲା ଆଜି ମୁଣ୍ଡ ତଳେ ଚିଠି ଦେଇ ଯା ଶାନ୍ତି ରେ ଶୋଇ ପଡ଼ିବୁ।ସେ ଫେରିଗଲା ପରେ କହିଲା, ତା ଖୁସି ପାଇଁ ଏମିତି ଭୁଲ୍ ହଜାରେ ଥର କରିବା ।ମୁଁ ତାକୁ ମୋ ଦ୍ଵିତୀୟ ଚିଠି କଥା କହିଲି ମୁଣ୍ଡ ରେ ହାତ ଦେଇ କହିଲା ପାଗଳ କଣ କରିଛୁ? ଏମିତି ପିଲାଙ୍କ ପରି କାମ କିଏ କରେ। ଜଣା ପଡ଼ିଲେ ହଷ୍ଟେଲରୁ ବିଦା ହେବା ସୁନିଶ୍ଚିତ ! କଲେଜ ... କଣ କରିବା...। ମୁଁ ସାହସ ବାନ୍ଧି କହିଲି କିଛି ହବନି ଚାଲ୍ ଶୋଇବା। ମନ ଭିତରେ ଭୟ ଥିଲେ ବି, ସବୁ କାମ normal ଚାଲିଥାଏ । ଯେହେତୁ କିଛି ଖବର ଭାସ୍କର ଭାଇନା ପାଖରୁ ଆସିଲା ନାହିଁ ଆମେ ନିଶ୍ଚିନ୍ତ ହେଇଗଲୁ ଚିଠି ର ଠିକଣା ଭୁଲ୍ ଥିଲା। ଆଶ୍ବସ୍ତ ବି ଲାଗିଲା ରୁମ୍ ର ଅନ୍ୟ ସାଙ୍ଗ ମାନେ ଜାଣି ନ ଥାନ୍ତି ବାରମ୍ବାର ପ୍ରଶ୍ନ କରି ତମେ ଦି ଜଣ ରାତିରେ ବାହାରେ କଣ କଥା ହଉଚ... ଆମକୁ କିଛି କହୁନ... ମୁଁ କହିଦିଏ କଲେଜ election ବିଷୟ ରେ କଥା ହଉଚୁ । ମୁଁ ଛିଡ଼ା ହେବି. ତ . କଣ କହୁଛ ...ସେଇ ପ୍ଲାନ୍ ଓ programme କିପରି ହେବା ଉଚିତ୍. Discussion ଚାଲିଛି ... ଫାଇନାଲ ହେଲେ ସବୁ ଜାଣିବ ।ଏକାଠି ଗ୍ରୁପ୍ ହେଲେ ଅନ୍ୟ ମାନେ ଜାଣି ଯିବେ।କଥା ସେଇଠି ସରିଯାଏ। ଏଇ ଭିତରେ ଗୋଟେ ଅଭାବନୀୟ ପରିସ୍ଥିତି ଆସିଗଲା ,ଜାନୁଆରୀ ଶେଷ ସପ୍ତାହ କ୍ଲାସ୍ ସାରି ଫେରିଲା ବେଳକୁ ଦେଖିଲୁ ଶୁକ ଦେଈ ମୁଣ୍ଡରେ ହାତେ ଲୁଗା ଦେଇ କାହା ସହିତ ବଡ଼ ଖୁସି ରେ ଲାଜେଇ ଲାଜେଇ ଗପୁଚି। ଚୋର ମନ ଚୋର ଗଣ୍ଠି ରେ" ,ମନ ଓ ମୁଁ ସେତିକି ଦେଖି ପଛକୁ ଫେରି ଲାଇବ୍ରେରୀ କୁ ଚାଲିଲୁ....।ଜାଣି ଗଲୁ ଆଜି ବେଳା ଖରାପ ଏତେ ପିଲାଙ୍କ ଆଗରେ ଅବସ୍ଥା କଣ ହବ? ଡର ରେ ପାଦ ପଡୁ ନ ଥାଏ ।ପଛରୁ ଶୁକ ଦେଈ ର ଦେଈ... ଦେଈ... ଡାକ ଶୁଣି... ନ ଶୁଣିଲା ପରି ପକେଇଲୁ।କାନ୍ଦ ବି ଲାଗୁଥାଏ । କିଛି ସମୟ ପରେ ପିଙ୍କି ଲାଇବ୍ରେରୀରେ ପହଞ୍ଚି କହିଲା , ଶୁକ ଦେଈ ସ୍ବାମୀ ଆସିଚି ! ତାକୁ ନେଇକି ଯିବ ,ତମେ ଦି' ଟା ଚାଲ ସେ ଅପେକ୍ଷା କରିଛି।ଆମେ ତର ତର ହୋଇ ବାହାରି ଆସିଲୁ, ଶୁକ ଦେଈ ଆମକୁ ଧରି ଜୋର ରେ କାନ୍ଦିଲା କିଛି ବୁଝି ହେଉ ନ ଥାଏ । ଦେଈ ମାନେ ମୁଁ ଯାଉଚି,ତୁମେ ସବୁ ତୁମ ଦିହ ର ଯତ୍ନ ନେବ ,ଖାଇବ ଠିକ୍ ଟାଇମ ରେ।ଆଶ୍ଚର୍ଯ୍ୟ ଲାଗୁଥାଏ , ଏ ସେଇ ଶୁକ ଦେଈ ନା ଯାହା ପାଟିରୁ କଥା ବାହାରେନି ଆଜି ସେ ତା ସ୍ବାମୀ ଫେରି ଆସି ବାରେ କେଡେ ଚଳ ଚଞ୍ଚଳ ପ୍ରଗଲଭା...
ସତରେ କେତେ ଶୀଘ୍ର କ୍ଷମା କରିଦିଏ ଜଣେ ସ୍ତ୍ରୀ ତାର ଇପ୍ସିତ ପୁରୁଷ କୁ ।ଭରସା ବି କରେ ଆଉ ଭୁଲି ପାରେନା ନିଜ ପ୍ରିୟ ମଣିଷକୁ ।ମୁଁ ହଠାତ୍ ତାର ଚାକିରି ଛାଡ଼ି ଦେଇ ସ୍ବାମୀ ସହିତ ଫେରିଯିବାକୁ ବିରୋଧ କଲି। ବୁଝେଇଲି ବି ଥରେ ଧୋକା ଖାଇଲା ପରେ ଏତେ ଶୀଘ୍ର ବିଶ୍ୱାସ କରିବା ଉଚିତ୍ ନୁହେଁ । କାଲି ଯଦି ସେ ଛାଡ଼ି ଦେଇ ପୁଣି ଫେରିଗଲା... ତେବେ ତା ହାତରେ ଏଇ ହଷ୍ଟେଲ ଚାକିରିଟି ନଥିବ।ସେ ବୁଝିଲାନି ସବୁକୁ ପଛକରି ସ୍ବାମୀ ହାତ ଧରି ବାହାରିଗଲା।ମୋ ମନ ଭିତରେ ସେତେ ବେଳେ ତା ପାଇଁ କେବଳ ଗୁଡାଏ ଭୟ ଜମାଟ ବାନ୍ଧି ରହି ଗଲା। ସେ topic ସେଇଠି ସରି ଯାଇଥିଲା।
ତଥାପି ଆଜି ଏତେ ଦିନ ପରେ ସେ ସ୍ବାମୀ ଓ ପୁଅ ସହିତ ସୁଖର ସଂସାର କରିଚି ଶୁଣି ମନେ ମନେ ଖୁସି ହେଲି ଏବଂ ଇଶ୍ଵରଙ୍କ ଉଦ୍ଦେଶ୍ୟରେ ହାତ ଟେକି ପ୍ରଣାମ କଲି। ଭୁଲ୍ ହେଉ ବା ଠିକ୍ ହେଉ ସେତେବେଳର ମୋର ସେଇ ପିଲାଳିଆମୀରେ ଗୋଟେ ପରିବାର ହସି ଉଠିଛି ଆ ଠାରୁ ବଡ଼ ଉପଲବ୍ଧି କଣ ହୋଇପାରେ ?