Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Shaktiprava Mishra

Others Thriller

5.0  

Shaktiprava Mishra

Others Thriller

ଚିନା ମା'

ଚିନା ମା'

4 mins
461


ବୁଝିଲୁ ଗୀତା, ଝିଅ ସହିତ ଏମିତି ଲାଗେନା । ଟଙ୍କା ସଂଚି କ’ଣ ଉପରକୁ ନେବୁ ? ମୁହଁ ଉପରେ ରୋକଠୋକ ମନା କରିଦେଉଛୁ । ଛୁଆ ବଡ଼ ହେଲାଣି । ଏତିକି ତ ଧ୍ୟାନ ରଖିବୁ ତୁ !

ତୁ ଦେଖୁଛୁ ନା ଅପା କେମିତି ଜବାବ ପଣି ଦେଉଛି ସିଏ । କାଲି ତାକୁ ହଜ଼ାରେ ଟଙ୍କା ଦେଇଥିଲି । ଆଜି ପୁଣି ମାଗୁଛି । ହିସାବ ମାଗିଲେ ତର ତୋଫାନ ଦେଖାଉଛି । ଟଙ୍କା ଗୁଡା କ’ଣ ଗଛରେ ଫଳୁଛି ? ପୁଣି ଆଜି ଗୁରୁବାର । ଗୁରୁବାରରେ ମୁଁ ଘରୁ ଟଙ୍କା କାଢେନି ସେ ଏକଥା ଜାଣିକରି ମୋତେ ରଗଉଛି । ପିଲା ଗୁଡାଙ୍କର ସବୁକଥା ମାନିଗଲାରୁ ଏମିତି ହଉଛନ୍ତି ଏମାନେ ।

ତା ବୋଲି ତୁ ତାକୁ ଏମିତି ଅପମାନ ଦେଲା ଭଳି କଥା କହିବୁ ?

ଟିଂ ଟଙ୍ଗ... ଟିଂ ଟଙ୍ଗ

ରହ..ମ ଆଗ ଦୁଆର ଖୋଲେ ମୁଁ । କିଏ ସେପଟେ ଡାକିଲାଣି ।

ଆରେ ଆରେ ଚିନାମା...ତମେ ? କେବେ ଆସିଲ ? ସାମ୍ନା ଘର ମା’ କହୁଥିଲେ ତମେ କୁଆଡେ କାମ ଛାଡ଼ିଦେଲ ତାଙ୍କର ?

ନାଇଁ ମ ମା’ କାମ କାହିଁକି ଛାଡ଼ିବି । ଝିଅଟା ତ ଭଲ ପାଇକରି ବାହା ହେଇଥିଲା । ତା ଶାଶୂ ଘର ଲୋକ ଆସି ଡେଲିଭରି ବେଳେ ସାହାଯ୍ୟ କରିବାକୁ ମନା କରିଦେଲେ । ବାଧ୍ୟ ହେଇ ଚାରିମାସ ଛୁଟି ମାଗିଲି ମା’ ମାନଙ୍କୁ । ସମସ୍ତେ ଏତେଦିନ ଛୁଟି ଦେବାକୁ ମନା କରିଦେଲେ । ମୋ ପାଖରେ ଚାରା କ’ଣ ଥିଲା ଯେ । ଘର ଯାଉ ପଛେ ଝିଅ କଥା ତ ଆଗ ଭାବି ପଳେଇଲି ତା ପାଖକୁ । ଏବେ ପୁଣି ନୂଆଘର ଖୋଜୁଛି ।

ସରସ୍ଵତୀ ତୁମଘରେ କାମ କରୁଛି ତ ମା’ ?

ହଁ.. କାଇଁ କ’ଣ ହେଲା କି ?

ନାଇଁ.. ତାର ଡାଇବିଟିସ ବହୁତ ବଢିଯାଇଥିଲା ବୋଲି କିଛି ଘର ଛାଡ଼ିଦେଵ କହୁଥିଲା ତ.. ମୋ ଘର ସିଏ ଛାଡିବନି । ସିଏ ଛାଡିଲେ ତ ମୁଁ ତମକୁ ଖୋଜିଥାନ୍ତି ।

ହଁ ମା’...ଭଲ ମାଲିକର ଘର କିଏ କାହିଁକି ଛାଡିବ ଯେ !

ଆଉ ତୋ ପୁଅ ପରା କ୍ୟାମ୍ପସ ପାଇଗଲା ?

ତମେ କେମିତି ଜାଣିଲ ମା’ ?

ସରସ୍ଵତୀ କହିଲା । ଭଲ ଖବର ଟିଏ କ’ଣ ଲୁଚିରହେ ? କାହାଠୁ ଶୁଣି ମୋତେ ଆସି କହିଲା ।

ହଁ ମା’ ଆଜି ରାତିରେ ହାଇଦ୍ରାବାଦ ଯିବ । ତା ଜିନିଷପତ୍ର ବନ୍ଧାବନ୍ଧିରେ ଲାଗିଛି ସିଏ । ପିଲାଟାକୁ ଏତେଦୂର ଛାଡିବାକୁ ମନ ହଉନି । ସମସ୍ତଙ୍କର ପିଲାମାନେ ବାପା ମାଙ୍କ ପାଖରେ ରହି କାମଦାମ କରୁଛନ୍ତି । ଇଏ ଭଲ ପଢିଲାରୁ ଦୂରକୁ ଚାଲିଯାଉଛି । ପାଠ ପଢେଇ ଭୁଲ କଲିକି ମା’ ? କାହିଁକି କେଜାଣି ମନଟା ଆଦୌ ବୁଝୁନି ।

ତମେ ଭାରି ଭାଗ୍ୟବତୀ । ଆମମାନଙ୍କ ଘରର ପିଲାମାନେ କ୍ୟାମ୍ପସ ପାଉନାହାନ୍ତି ଅଥଚ ତମ ପୁଅ ଗୋଟିଏ ଥରରେ ଭଲ କମ୍ପାନୀରେ ଚାକିରୀ ପାଇଛି ।

ଆଦିବାସୀ ଘରର ଲୋକ ମୁଁ । କୋଉ ମାଳ ଜଙ୍ଗଲରୁ ଆସି ଏଠି କାପିଟାଲରେ ରହିଲି । ବରଟା ତ ଆଉ ଗୁଟେ ମାଇକିନା ଧରି ପଳେଇଲା । ଏଠି ପରଘରେ କାମକରି ଚାରିଟା ଛୁଆଙ୍କୁ ବଡ଼ କରୁଛି ମୁଁ ।

ମା କହୁଥିଲ ପରା ତମ ଭଉଣୀ ଘର ଡ଼ଶଟିଙ୍ଗ ହେବ ।

ତା ଦେହ ଭଲ ନାହିଁ ବୋଲି ସେ ପରା ମୋ ଘରେ ଅଛି । ତୋ ଆଖି ସାମ୍ନାରେ ବସିଛି । ଆଉ କିଛିଦିନ ଯାଉ ।

କ୍ରିଙ୍ଗ କ୍ରୀଙ୍ଗ କ୍ରୀଙ୍ଗ..

ହଁ ବାବୁ, ପାକିଙ୍ଗ ସରିଗଲା ?

କରୁଛି ମା’, ଆଉ କିଛି ବାକି ଅଛି । କରିଦେବି । ତୁ ବ୍ୟସ୍ତ ହନା । ମା’ ଆଉ ଗୁଟେ କାମ କରିଦେଇପାରିବୁ ତୁ ? କୋଉଠୁ ହେଲେ ଆଉ ପାଞ୍ଚଶହ ଟଙ୍କା ଯୋଗାଡ଼ କରିଦେ ମା’ । ଏତେ କମ ଟଙ୍କାରେ ନୂଆ ଜାଗାରେ ଚଳିବାକୁ କଷ୍ଟ ହେବ ମା’ । କାହାଠୁ ମାଗିକରି ଆଣିଥା । ଦରମା ପାଇଲେ ମୁଁ ସଙ୍ଗେସଙ୍ଗେ ଶୁଝିଦେବି ।

ହଉ ଦେଖୁଛି ଧନ । ତୁ ଫୁନ ରଖେ ।

ଚିନା ମା’ କୋଳରେ ଫୋନ ଧରି କିଛି ସମୟ କ’ଣ ଭାବି କହିଲା, ହଉ ମା' ମୁଁ ଆସୁଛି । ଦିନ ଠିକକରି କହିବ ତ କେବେ ତମ ଭଉଣୀ ଘରକୁ ଯିବା ।

ଚିନା ମା' ଆଗକୁ ବଢ଼ୁଥିଲା । ଗୀତା ତାକୁ ଟିକେ ରହିବାକୁ କହିଲା । ଘର ଭିତରକୁ ଯାଇ ଆଲମୀରାରୁ ପାଞ୍ଚଶହ ଟଙ୍କିଆ ନୋଟଟିଏ ଆଣି ତା’ ହାତରେ ଗୁଂଜିଦେଇ କହିଲା,ଏ ଟଙ୍କା ରଖ ।

ଚିନା ମା’ ଖୁସିରେ ଗଦଗଦ ହୋଇ କହିଲା, ମା’ ମୋ ଚିନ୍ତା ଦୂର କରିଦେଲ ତୁମେ । ଆଜି ତ ଗୁରୁବାର । ନହେଲେ ଏବେ ତମ ଘର ଡ଼ଶଟିଙ୍ଗ କାମଟା ସାରିଦେଇଥାନ୍ତି । ତମେ ଜମା ଚିନ୍ତା କରିବନି । ଚିନା ମା’ ଟଙ୍କା ଖାଇଯିବନି । ରବିବାର ଦିନ ଆସି ତମ କାମଟା ନିଶ୍ଚୟ କରିଦେବି ।

ମୋର ତରତର ନାହିଁ । ତୁମ ସୁବିଧାରେ ଆସି କାମ କରିବ । କିନ୍ତୁ ପୁଅକୁ କହିଦେବ ସେ କ୍ୟାମ୍ପସ ପାଇଲା ବୋଲି ଏ ଟଙ୍କା ମୁଁ ତାକୁ ଖୁସିରେ ଦେଇଛି । ତମ କାମ ପଇସା ଅଲଗା ଦେବି । ଚିନା ମା’ ଆହୁରି ଖୁସିହୋଇ ତା ଘରକୁ ଚାଲିଗଲା ।

ଗୀତା ମୁହଁକୁ ଚାହିଁ ଅପା ତାର କହିଲା, ଗୁରୁବାର କହି ଝିଅକୁ ଟଙ୍କା ଦେବାକୁ ମନା କରିଦେଲୁ । ଅଥଚ ଏଠି ବାହାର ପିଲାଟେ ପାଇଁ ତୋ ନିୟମ କୁଆଡେ ଗଲା ?

ଗୀତା କହିଲା, ଅପା କଥା ନିୟମରେ ନାହିଁ । ଚିନାମାର ପୁଅ କଥା ଶୁଣିଲୁ ତ ! ବସ୍ତିର ପିଲାଟିଏ ଇଂଜିନିଅରିଂ ପାସ କରି କ୍ୟାମ୍ପସ ପାଇଛି । ପାଞ୍ଚଶହ ଟଙ୍କା ପାଇଁ କେମିତି ମା କୁ ଗୁହାରି କରୁଥିଲା ସିଏ ତୁ ଶୁଣିଲୁ ତ ? ପିଲାଟି ଜୀବନରେ ଦୁଃଖ କଷ୍ଟକୁ ଆପଣେଇ ଆଗକୁ ବଢିବାର ସ୍ୱପ୍ନ ଦେଖୁଛି । ସେ ଜାଣିଛି ଟଙ୍କାର ମୂଲ କ’ଣ । ଜୀବନରେ ସେ କେବେ ହାରିବ ନାହିଁ । ଜୀବନର ମୂଲକୁ ତଉଲିବାର ତାକତ ତା ପାଖରେ ଅଛି । ଏମିତି ପିଲା ଟିଏକୁ ସାହାଯ୍ୟ କରିବା ତ ଧର୍ମ । ଧର୍ମକାମ ପାଇଁ ଦିନବାର କେବେବି ପ୍ରତିବନ୍ଧକ ସାଜିବା ଉଚିତ ନୁହେଁ ।

ଆମ ପିଲାମାନେ ତ ଜନ୍ମରୁ ପାଟିରେ ରୁପା ଚାମଚ ଧରି ବଡ଼ ହେଲେ । ସେଥିପାଇଁ ତାଙ୍କ ଆଖିରେ ବାପ ମା’ ଙ୍କର ପରିଶ୍ରମ ଆଉ ଝାଳବୁହା ଧନର କିଛି ମୂଲ୍ୟ ନାହିଁ । ସବୁ ମିଳିଗଲା ପରେ ବି ନ ମିଳିବାର ଭୋକ ଶୋଷରେ ଏମାନେ ଗ୍ରସ୍ତ । ଅପା, ଭୋକର ଏଇ ଅଗ୍ନିକୁଣ୍ଡ ଭିତରକୁ ଯାହା ଯିବ କେବଳ ଜଳି ପୋଡି ପାଉଁଶ ହେବା ସାର । ତା’ ଠୁ ତ ଢେର ଭଲ ଅନ୍ତତଃ ଏ ଟଙ୍କା କେଉଁ ଗରିବ ବ୍ୟକ୍ତିର ଆବଶ୍ୟକତା ବେଳେ ତ କାମରେ ଲାଗିଲା ।


Rate this content
Log in