ଚୌକି
ଚୌକି
ଛାତ ଉପରେ ଠିଆ ହୋଇ ଫୁଲକୁଣ୍ଡଗୁଡିକୁ ସଜାଡି ପାଣି ଦେବା ସଙ୍ଗେ ସଙ୍ଗେ ଡାଳ କାଟି ଗଛଗୁଡିକୁ ସାଇଜ କରିବା ସମୟରେ ଚାରି ପାଞ୍ଚ ଘର ଛଡ଼ା ରବିସାରଙ୍କ ଛାତ ଦୃଷ୍ଟି ଗୋଚର ହୁଏ, ଆଜି ଯେଉଁଠି ବହୁତ ଫୁଲ ଗଛ ସବୁ ଫୁଲ ଫୁଟି ଡାଳ ଭାଙ୍ଗୁଛନ୍ତି, ହେଲେ ରବିସାର ଆଉ ନାହାଁନ୍ତି କି ତାଙ୍କ ସ୍ତ୍ରୀ ବି ଚାଲିଗଲେଣି ଏ ଦୁନିଆଁରୁ ଏଇ କିଛି ଅଳ୍ପ ବର୍ଷ ହେଲାଣି l
ରବିସାର ମୋ ସ୍ୱାମୀଙ୍କ ଗୁରୁ ହୋଇଥିବାରୁ ମୁଁ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନରେ ସାର ଡାକି ତାଙ୍କଠୁ ବି ବାପର ସ୍ନେହ ଆଶା କରେ ହେଲେ ସେ ମତେ ଗୁରୁମାଆ ଡାକି କୁହନ୍ତି, ଏ ଡା଼କରୁ ବଳି ମଧୁର ଓ ସମ୍ମାନୀୟ ଶବ୍ଦ ଆଉ ନାହିଁ ତ ମୋ ମନ ବୁଝିଯାଏ, ମୋ ଲିଖିତ କ୍ଷୁଦ୍ର ଗଳ୍ପ ଓ କବିତା ଶୁଣି ସେ ଖୁସି ହୁଅନ୍ତି ଆଉ ତାଙ୍କ ଘରକୁ ଗଲେ ସାଦା ପାନ ଖିଲ ଭାଙ୍ଗି ଦିଅନ୍ତି l
ଘରକୁ ଫେରିବା ପରେ ମୋ ପାଟିର ଅଇଁଠା ପାନକୁ ତଥା ସିଠାକୁ ବି ଛଡେଇ ମୋ ପୁଅ ଝିଅ ଖାଇବାକୁ ହୁଅନ୍ତେ ମୁଁ ତାଙ୍କୁ ବାରଣ କରେ ଆଉ କାଲି ସାରଙ୍କ ଘରକୁ ଗଲେ ତୁମ ଦୁହିଁଙ୍କ ପାଇଁ ତାଙ୍କଠୁ ମାଗିଆଣିବି କୁହେ l
ସତକୁ ସତ ତା ଆରଦିନ ମୁଁ ଖୋଲିକି କହେ ସେକଥା ଆଉ ସାର ଦିଅନ୍ତି ନିଜ ହାତରେ ଛୋଟ ଛୋଟ ପାନ ଖିଲ ଦୁଇଟି ଭାଙ୍ଗି ପିଲାଙ୍କ ପାଇଁ, ତ ପିଲାଏ ସେବେଠୁ ମୋ ସଙ୍ଗେ ବାହାରନ୍ତି ତାଙ୍କ ଘରକୁ ସନ୍ଧ୍ୟାରେ ଯିବାକୁ, ତ ସାରଙ୍କ ଘରକୁ ଯିବା ମୋର ବନ୍ଦ ହୁଏ, ହେଲେ ସାର ଆସନ୍ତି, ଅଭିମାନ କରନ୍ତି, କାହିଁ ଯାଉନି ତାଙ୍କ ଘରକୁ ପଚାରିବସନ୍ତି ତ ମୁଁ ପୁଣି ଯାଏ ପିଲାଙ୍କୁ ଟ୍ୟୁସନ ସାରଙ୍କ ଜିମା ଦେଇ l
ଟ୍ୟୁସନ ସାରି ପିଲା ଦୁହେଁ ମୋ ପାଖେ ହାଜର ହୋଇଯାନ୍ତି ତ ମୁଁ ଆସିବାକୁ ବାହାରେ, ହେଲେ ଅଟକାଇ ଦିଅନ୍ତି ସାର, କାହିଁ କୁଆଡ଼ ଶିକ୍ଷଣୀୟ କଥା କୁହନ୍ତି, ସାମାଜିକତା କଥା ଓ ବ୍ୟବହାର ଏତେ ଦେଖାଉଥିବା ସାର ସେଦିନ ତାଙ୍କ ଘରେ ପଡ଼ିଥିବା ଆରାମ ଚୌକିଟିରେ ବସିପଡୁଥିବା ମୋ ପୁଅ ଝିଅ ଦୁହିଁଙ୍କୁ ହାତଧରି ଉଠାଇ ଦେଇଥିଲେ. ପିଲାଙ୍କ ଦୁଷ୍ଟାମୀରେ ସାର ବିରୋଧ କଲେ ମୁଁ କେବେ କିଛି ଭାବୁନଥିଲେ ବି ସେଦିନଠୁ ଆଉ ଯାଇନଥିଲି ତାଙ୍କ ଘରକୁ, ଏମିତିକି ଛାତ ଉପରେ ଥିବା ଶୁଖିଲା ଗେଣ୍ଡୁ ଫୁଲ ଦିଟା ଦେବାକୁ ପରୋକ୍ଷରେ ମନା କରିଦେଇଥିଲି l
ସେ ଚଉକିଟି ସାରଙ୍କ ଜେଜେଙ୍କ ଚଉକି ଜାଣିବା ଓ ସେଥିରେ ସେ ଆଉ କାହାକୁ ବସାଇ ଦେଉନଥିବା ଜାଣିବା ବେଳକୁ ସାର ଆଉନଥିଲେ, ଫୁଲ ଗୁଡା ଛୁଇଁ ଦେଇ ସାରଙ୍କ କଥା ମନେ ପଡି ହୃଦୟଥରା ଦୀର୍ଘନିଃଶ୍ୱାସଟିଏ ବାହାରି ଆସୁଥାଏ ମୋର. ଅଳୀକ ସଂସାରରେ କିଏ କେତେଦିନର କୁଣିଆ ଭିତରେ ମାନ ଅଭିମାନ ରାଗ ରୁଷାର କିଛି ବି ମାନେ ନାହିଁ. ପ୍ରତ୍ୟେକ ମନୁଷ୍ୟ ଫୁଲ ପରି କୋମଳ ହେବା ନିହାତି ଜରୁରୀ ବୋଲି ଭାବି ଦୁଇ ଟୋପା ଅଶ୍ରୁକୁ ପଣତରେ ପୋଛି ନେଉଥିଲି ଯାହା l