Bibhu Samanta

Classics

3  

Bibhu Samanta

Classics

ଚୌଧୁରୀ ଘରର ଚାନ୍ଦ

ଚୌଧୁରୀ ଘରର ଚାନ୍ଦ

11 mins
387


ପୂର୍ଣ୍ଣିମା ଆସିବାକୁ ଆଉ ଚାରିଦିନ ବାକି ଅଛି। ତଥାପି ଝଲସି ଉଠୁଛି ସୁଜନପୁର ଗାଁ ଦାଣ୍ଡ। ରାସ୍ତା ସାରା ଟିମଟିମ ଲିଚୁ ମାଳର ତୋରଣ। ପଥଧାରେ ରଙ୍ଗୀନ ବାରଲାଇଟ ସଲଜ ଆମନ୍ତ୍ରଣ। ଉତ୍ତରପଟେ ଥିବା ବରଗଛରେ ମାଇକରେ ଶୁଭୁଚି ଅନୁରାଧା ପୌଡ଼ୱାଲ ଙ୍କ ଭାଵପୂର୍ଣ ଭଜନ " କଳିଆରେ ମନ ବୋଲି , ତୋର କିଛି ନାହିଁ...."ଆକର୍ଷକ ଆଲୋକର ତୋରଣ, ଅଗଣା ରେ ତାରା ଫୁଲ ପରି ପଡିଛି ରଙ୍ଗୀନ ରୋଷଣୀ । ଟଣା ହୋଇଛି ସମିଆନା, ଝଲମଲ ରେଶମୀ କପଡ଼ା ର। କାଗଜ ତିଆରି ପତାକାରେ ଛନ୍ଦାଛନ୍ଦି ଛାତ, ତା ଦେହରୁ ଲମ୍ବି ଆସିଛି, ଗେଣ୍ଡୁମାଳର ଝରା ସବୁ, ଆଉ ଝୁଲୁଥିଲା ମନ ମୋହୁ ଥିବା ରଜନୀଗନ୍ଧାର ସୁରମ୍ୟ ଶୃଙ୍ଖଳ ସବୁ । କେତେ କୁଣିଆ ମୈତ୍ରଙ୍କ ସୁଅ ଛୁଟୁ ଥାଏ। ବାରିପଟୁ ଶୁଭୁଥାଏ ଗୋଟେ ବିରାଟ ଭୋଜିର ସମ୍ମିଲିତ ସ୍ୱର । ଏଇ ବୋଧେ ଡାଲିରେ ଛୁଙ୍କ ଦିଆହେଲା। ଶୁଦ୍ଧ ଗୁଆଘିଅର ବାସ୍ନା ଚାରିଆଡେ। ଅଗଣା ମଝିରେ ନିରୀହ ଚଉରା ଟି ଏସବୁର ମୂକସାକ୍ଷୀ। ତାକୁ କିଏ ଗୁଡେଇ ଦେଇଛି, ମଖମଲି ଲାଲ କପଡା ଖଣ୍ଡେ। ଆଉ ତା ଚାରିପଟେ ବାଉଁଶର ଛୋଟ ଚୌହଦିଟିଏ। ସୁରଭିତ କୁସୁମରେ ସୁସଜିତ । ତାକୁ ଆଉଜା ହେଇ ଥୁଆ ହେଇଛି, ରାଧାକୃଷ୍ଣ, ନିତାଇ ଗୌର, ଚୈତନ୍ୟ, ଆଉ ଲକ୍ଷ୍ମୀ ନାରାୟଣ ଙ୍କ ଫୋଟୋ ସବୁ। ଧୂପ ବାସ୍ନା ରେ ଉଲ୍ଲସି ଯାଉଛି ରାସ୍ତା। ଦୀପଟିଏ ମିଞ୍ଜି ମଞ୍ଜି ହେଇ ନିଜର ଅସ୍ତିତ୍ବ ରକ୍ଷାରେ ନିର୍ଲିପ୍ତ ତନ୍ମୟିନୀ ଟିଏ ପରି। ସୁମିଷ୍ଠ ନୈବେଦ୍ୟ ର ବିନମ୍ର ଆତ୍ମପ୍ରକାଶ । ଜାଣିବାକୁ ବାକି ନାହିଁ ଯେ, କାହା ଘରେ କଣ ଗୋଟେ ଆୟୋଜନ ହୋଇଛି। ହଁ, ଆଜି ଚୌଧୁରୀ ଘରେ ଅଷ୍ଟପ୍ରହରି ନାମଯଜ୍ଞ। ଏସବୁ କୁଆଡେ ତାଙ୍କ ଗେଲ୍ହି ଝିଅ ଚାନ୍ଦ ପାଇଁ।


ହଁ , ଚାନ୍ଦ, ଜହ୍ନିଫୁଲ, ଜହ୍ନରାତି ଆଉ ଜରିଲଗା କଣ୍ଢେଇ ପରି ସତେଜ,ସ୍ନିଗ୍ଧ ଆଉ ସୁନ୍ଦର। ସେ ଖୁବ ଭଲପାଏ ଜୀବନକୁ । ଖୁସି ଟିଏ ଦେଇ ପାରିଲେ ନିଜେ ଖୁସି ହେଇଯାଏ। ସେ ଖେଳେ ପ୍ରଜାପତି ଙ୍କ ସାଙ୍ଗେ, ମିତ ବସେ ତାରା ଙ୍କ ସାଙ୍ଗେ, ଆଉ ଆଦର କରେ ରାସ୍ତାରେ ବୁଲୁଥିବା କୁନି କୁକୁରଛୁଆ ମାନଙ୍କୁ। ସ୍କୁଲ ଯିବା ରାସ୍ତାରେ ଭେଟ ହେଇଗଲେ, ତାଙ୍କ ସାଙ୍ଗେ ଗପ ଯୋଡି ବସେ। ପରିଛନ୍ନତା ଭୁଲି ଟାଣି ଆଣେ କୋଳକୁ। ଛାତିରେ ଧରି କେତେ ଗେଲ କରେ। ତାଙ୍କ କାନରେ କଣ ସବୁ କୁହେ। ନିଜ ଟିଫିନ୍ ବାକ୍ସ ଖୋଲି ସେମାନଙ୍କୁ ଖାଇବାକୁ ଦିଏ। ମନ ଭରିଲା ଯାଏ ସେ ଖେଳେ ତାଙ୍କ ସହ। ତା ଆଚାର ବ୍ୟବହାର ରେ ସମସ୍ତେ ଖୁସି। ତାକୁ କୁଆଡେ ମୋହନୀ ମନ୍ତ୍ର ଜଣା, ସେ ପରକୁ ନିଜର କରିପାରେ। ଗାଁ ଭାଲୁକାଣୀର ସଜାସଜି ହଉକି କୁଆଁର ପୁନେଇର ପୁଚି ଖେଳ,ସେ ନ ଆସିଲେ ସବୁ ଫିକା ଲାଗେ। ଚୌଧୁରୀ ଘର ଝିଅ ବୋଲି କେବେ ଗର୍ବ ନାଇଁ ତା ପାଖେ, ସେ ସମସ୍ତଙ୍କ ସାଙ୍ଗେ ହସିକି କଥା ହୁଏ। ସେ ପାଇଁ ତାର ଭାରି ଆଦର, ସବୁ ସାହିରେ। ସେ ଭଲପାଏ ଜହ୍ନରାତିରେ ଗାଁ ଦାଣ୍ଡରେ ଖେଳିବାକୁ। ଏ ଚାନ୍ଦ ସେ ଚାନ୍ଦ ସାଙ୍ଗେ ଲୁଚକାଳି ଖେଳେ। ନଡ଼ିଆ ବହୁଙ୍ଗା ଫାଙ୍କରେ ଦିଶିଗଲେ ଜହ୍ନ ଟିକେ ସେ ଲୁଚିପଡ଼େ ଖୁଣ୍ଟ ପଛେ। ଧୀରେ ବହାରିକି ପୁଣି ଦେଖେ ସେ ଅଛି ନା ଗଲାଣି, ତାରା ମାନଙ୍କୁ ଅଭିଯୋଗ କରେ ଜହ୍ନ ନାଁରେ। ସେ ଜହ୍ନ ପରି ଏ ଜହ୍ନ ବି କେବେ ଦେଖେନି ଧନୀ ଗରିବ, ଉଚ୍ଚ ନୀଚର ଭେଦଭାବ। ଛୋଟ ଚାନ୍ଦ ଟି ଧୀରେ ଧୀରେ ବଡ ହୁଏ। ବୟସ ତ ଡେଣା ଲଗା ଚଢେଇ, ସେ କୋଉ ରହିପାରେ ଯେ ବେଶି ସମୟ। କିଶୋର ଯାଇ ଯୌବନ ଆସେ। ଅଳସୀ ମଲ୍ଲି ରେ ସଜେଇ ହେଇ, କୁରେଇ ଫୁଲରେ ଗଭା ମଣ୍ଡେଇ, ଆଉ କୃଷ୍ନଚୁଡା ପାଖୁଡ଼ାରେ ପାଦ ପକେଇ। ତାରୁଣ୍ୟ ର ସ୍ବପ୍ନ ସବୁକୁ, କଳ୍ପନା କାନଭାସରେ ଅଙ୍କା ସରିଥାଏ। ବାକିଥାଏ ରଙ୍ଗ ଦେବାକୁ। କଜଳ ଟଣା ଆଖି ଦିଟା ଖୋଜି ବୁଲେ, ବ୍ୟତିକ୍ରମ ଟିଏ। ଯେ ହେଇଥିବ ସବୁଠୁ ନିଆରା ସବୁଠୁ ସୁନ୍ଦର।


ନଦୀପଠା କୁ ଲାଗି ଛୋଟ ଆମ୍ବ ତୋଟା ଟିଏ। ତା ଭିତରେ ଥାଏ କଣ୍ଟେଇ, ଚାର, ଆଉ ଖିରିକୋଳିର ଗଛ ସବୁ। ପ୍ରାୟେ ସମସ୍ତେ ଯାନ୍ତି ସେଠିକୁ, ଆମ୍ବ ଖାଇବାକୁ, ନହେଲେ ନଈ କୁଳର ଥଣ୍ଡା ପବନ ଖାଇବାକୁ। ଭାରି ଶାନ୍ତି ଲାଗେ ଜାଗାଟି। ଘରର ସମସ୍ୟା ଠୁ ଦୂରରେ, କିଛି ଖାଲି ସମୟ ମିଳିଯାଏ ନିଜ ସାଙ୍ଗେ ଗପିବାକୁ। ନିଜକୁ ପୁଣି ସଜାଡି ଜୀବନ ସହ ଯୁଝି ହେବାକୁ। ଏଠି ନୀରବତା ବି ଗପ କହେ। କୋଇଲି ଗୀତ ଗାଏ। ଆଉ କୁମ୍ଭଟୁଆ ମାନେ ଗପ ବୁଝିଲା ପରି ହୁଁ ମାରନ୍ତି। ସମୟ ଟା ମଳୟ ସାଜି ବୋହିଚାଲିଥାଏ ଅବୀରତ। ଚାନ୍ଦ ର ସେ ଜାଗା ଟା ଭାରି ପସନ୍ଦ। ସେ କୁହେ, ମୋ ପାଇଁ ଏଇଠି ଗୋଟେ ଘର ବନେଇ ଦିଅନ୍ତା କି କେହି, ମୁଁ ଆଉ ଯାନ୍ତିନି ସେ ଭିଡ ଭର୍ତ୍ତି ଗାଁ ଭିତରକୁ। ଏଠି ତ କୋଳି ଖାଆନ୍ତି, ନଈ ପାଣି ପିଅନ୍ତି ସଞ୍ଜ ହେଲେ ମନ ଖୋଲି ମୋ ଜହ୍ନ ସାଙ୍ଗେ ଗପନ୍ତି। ଆଉ ତାକୁ ଦେଖିଦେଖି ଶୋଇ ପଡନ୍ତି। ଯେତେ ଥର ଗଲେ ବି ସେଠିକୁ ନୂଆ ନୂଆ ଲାଗେ ତାକୁ। ଗୋଟେ ବୁଧବାରିଆ ଖରାବେଳ ଟାରେ ଚାନ୍ଦର କୋଳି ଖାଇବାକୁ ମନହେଲା। ସେ ଡାକିଲା ତା ସାନ ଭଉଣୀ ମୁନିକୁ। ବହୁତ ସାନ ସେ ଚାନ୍ଦ ଠୁ, କିନ୍ତୁ ଚାନ୍ଦ ର ଭାରି ପ୍ରିୟ ସେ, ଦିଜଣଙ୍କ ଙ୍କ ପୁରା ଘନିଷ୍ଠ ସମ୍ପର୍କ। ଚାନ୍ଦ ଯେତେବେଳେ ଯାହା କହେ ସେ ମନା କରେନି। ଚାନ୍ଦର ସେ ଖେଳସାଥୀ। ଦି ଜଣ ହାତ ଧରାଧରି ହେଇ ବାହାରିଲେ ନଦୀ ଆଡେ। ପହଞ୍ଚି ଗୋଟେ କଣ୍ଟେଇ କୋଳି ବୁଦାରୁ କୋଳି ତୋଳୁତୋଳୁ ଶୁଭିଲା ଏକ ବଂଶୀ ସ୍ୱର, ଅାନମନା ହେଇପଡ଼ିଲା ସେ। ହାତ ଯାଉ ଯାଉ ଅଟକି ଗଲା କୋଳି ପାଖକୁ। ଜଡ଼ ପଲଟିଗଲାକି ସେ। ସେ ସୁରରେ ଥିଲା ଏକ ଅଦ୍ଭୁତ ଆକର୍ଷଣ ଟିଏ। କାହିଁ କେବେ ତ ଶୁଣିନି ଏମିତି ବଂଶୀ ସୁର ,କାହାର ଏ ସୁର ଯେ, ଯାହା ପାଇଁ ଏ ତୋଟା ଟି ତନ୍ମୟୀ ରାଧିକା ସାଜିଛି। ପାଦ ଆପେ ଟାଣି ହେଇଗଲା ସେ ଆଡକୁ, ବାକି ରହିଗଲା କୋଳି ଖାଇବାର ଆଶା। ଯାଉଯାଉ କେତେବେଳେ ଯେ କଣ୍ଟେଇ କୋଳି କଣ୍ଟା ତା ଫ୍ରକ ଲାଗି ଚିରି ଯାଇଛି, ତାର ଧ୍ୟାନ ନାହିଁ। ଯାଇକି ପହଂଚି ଦେଖେ ତ , ଜଣେ ଯୁବକ, ତା ଠୁ ଟିକେ ବଡ଼ ହେବ ବୋଧେ, ଆଖି ବନ୍ଦ କରିକି ବଂଶୀ ବାଉଛି। ଇସ୍ , କେତେ ସୁନ୍ଦର ସେ ସୁର। ହଜି ଯାଇଛି ନିଜେ ତା ଭିତରେ। ସେ ନିଜେ ବି ଜାଣିନି ତା ପାଖେ କେତେବେଳୁ ଚାନ୍ଦ ଆଉ ତା ସାନ ଭଉଣୀ ଆସି ଠିଆ ହେଲେଣି।


ପ୍ରକୃତିସ୍ଥ ହେଲାପରେ ଚାନ୍ଦ ଆଉ ତା ସାନ ଭଉଣୀ କୁ ଦେଖି ସେ ସାମାନ୍ୟ ହସିଦେଲା। ଚାନ୍ଦ କିନ୍ତୁ ଏବେ ବି ସେମିତି ଥାଏ, ଅଲଗା ଦୁନିଆରେ। ହାତରେ ଧରିଛି, କଣ୍ଟେଇ କୋଳିରୁ କିଛି। ଆଉ ତା ପିନ୍ଧା ଜାମା ଟା ଛିଣ୍ଡି କି ଝୁଲୁଛି। ତାକୁ ଦେଖି ଜୋରେ ହସିଦେଲା ସେ। କିଏ ଇଏ ପିଲା? କଣ ତାର ପରିଚୟ, କୋଉଠି ତା ଘର? ସମ୍ବିତ ଫେରି ପାଇଲା ପରେ ସଂକୋଚ ବୋଧ କଲା ଚାନ୍ଦ, ଦୂରରୁ ପିଲାଟା ତାକୁ ସେମିତି ଚାଁହୁଛି, ଲାଜରେ ଲଇଁ ଗଲା ଆଖିପତା। ପ୍ରେମର ଫୁଲଶର ତା ଠିକ ନିଶାନ ଭେଦ କରିଛି ବୋଧେ। ଏ ଲାଜ ତା ଆଦ୍ୟ ରାଗିଣୀ। ସେ କିଛି ନ କହି ଦୌଡ଼ି ପଳେଇଲା ସେଇଠୁ। ଘରେ ଆସି ଖବର ନେଲା, ସେ କୁଆଡେ କୁମ୍ଭାର ଘର ପିଲାଟି। ନାଁ ତାର ଉଦୟ। ସହରରେ ରହି ପାଠ ପଢ଼େ। ଏବେ ଫେରିଛି। ସେ ଗାଁ ସହିତ ସେତେଟା ପରଚିତି ନାହିଁ। ସେ ବି ଚାନ୍ଦ ପରି, ସବୁ ବେଳେ ଖୁସି ରହିବାକୁ ଭଲପାଏ। ଯେ କୌଣସି ପରିସ୍ଥିତି ରେ ସୁଖ ଟିକେ ଖୋଜିନିଏ ନିଜ ପାଇଁ। ଚାନ୍ଦ ଖବର ନେଇଛି ଏତିକି ତା ବାବଦରେ। ଏବେ ଖାଲି ଦିନ ରାତି ସେ ଆମ୍ବ ତୋଟା କଥା ଭାବୁଛି। ପୁଣି କେବେ ଶୁଣିବ ସେ ସେଇ ସୁରକୁ। ସେ ଯାଇଥିବ ଆଉ ସେ ପୁଅ ତା ଯଦି ନ ଆସିବ, ମନଟା ଖଟା ହେଇଯିବନି ତ! ପୁଣି ସେଦିନ ଯୋଉ ଅବସ୍ଥାରେ ସେ ତାକୁ ଦେଖିଲା, ହେ ଭଗବାନ! ତାର ଯଦି ମନେ ପଡ଼ିଯାଏ ସେ କଥା। ସେଥିପାଇଁ ସେ ଯାଇନି କିଛିଦିନ ହେଲା, ଆଉ ଆମ୍ବ ତୋଟା ଆଡେ। ହାର ମାନିଗଲା ସଂଶୟ ସେ ଗଲା ପୁଣି, ଟାଣି ହେଇ। ପୁଣି ସେ ଆମ୍ବ ତୋଟା ଆଡେ। 

ଆଜି କିନ୍ତୁ ଏଠି ପୁରା ନୀରବତାର ଘନଛାୟା। କେହି କୁଆଡେ ବି ନାହାନ୍ତି। ଏଇ ଗଛ ଗୁଡା ବି ଯେମିତି ଅଭିମାନରେ ଖୋଜୁଛନ୍ତି ସେଇ ବଂଶୀ ତାନ କୁ। ଅପେକ୍ଷା କଲା ଚାନ୍ଦ। କଥା ହେଲା ପବନ ସାଙ୍ଗେ, ତାଗିଦ କରି କହିଲା ତୁ ଯଦି ଜାଣିଥିଲୁ କହିଲୁନି କାହିଁକି? ମୁଁ ଆସି ନଥାନ୍ତି। ଏବେ କଣ କରିବି ଯେ!

ସେ ସୁରଟାକୁ ହିଁ ଭଲ ପାଇ ବସିଛି ଚାନ୍ଦ। ସେ ସୁର ତୋଳୁଥିବା ମଣିଷଟା କୁ କେତେ ବା ଜାଣେ ସିଏ? ଏମିତି ଭାବିଭାବି ଫେରି ଆସିବାକୁ ବାହାରିଲା ବେଳକୁ। ପଛରୁ ପୁଣି ଥରେ ଭିଡି ଧରିଲା ସେ ସୁର ଟି ତାକୁ। ତାକୁ ବାନ୍ଧିନେଲା ଯେମିତି, ପୁଣି ଲେଉଟିଲା ସୁର ର ଅନ୍ୱେଷଣରେ। ଯାଇ ଭେଟିଲା ପୁନଶ୍ଚ ସେହି ପୁଅ କୁ। ଉଦୟ କୁ। ଆଜି ଗୋଟେ ନୂଆ ସୁର ତୋଳିଛି ସେ। ବହୁତ ମିଠା। ତାଙ୍କ ଦାସେରି ଆମ୍ବ ଠୁ ବି ମିଠା। ତାକୁ ଦେଖିଲା ପରିକା ଠିଆ ହେଲା ଦୂରରେ। ଲୁଚି ଲୁଚି ଗଛ ପଛ ପଟେ। ଆଉ ତା ମୂର୍ଚ୍ଛନା ରେ ହଜିଗଲା କେତେବେଳେ ନିଜେ ଜାଣି ପାରିନି। ଏମିତି ସବୁଦିନ ହେବାକୁ ଲାଗିଲା। ଲୁଚିଲୁଚି ବଂଶୀ ଶୁଣିବା କଥା ଉଦୟ ଜାଣିପାରିଲା।


ଧରା ପଡ଼ିଗଲାସେ ଉଦୟ ପାଖେ ଦିନେ। ଲୁଚି ଆସିଲାବେଳେ ଉଦୟ ଦେଖି ଡାକିଦେଲା ତାକୁ। "ରୁହ, ତୁମେ ସବୁଦିନ ଲୁଚିଲୁଚି କାହିଁ ମୋ ବଂଶୀ ଶୁଣ?" 

କଣ କହିବ ସେ ଜାଣିପାରିଲାନି। ଲାଜରେ ମୁହଁ ତଳକୁ କରି ସେମିତି ଠିଆ ହେଲା ସେ। 

ଦେଖ, ତମେ ଯଦି କିଛି ନ କୁହ ମୁଁ କାଲି ଠୁ ଆଉ ବଂଶୀ ବଜେଇବିନି।

ସେ ଏଥର ମୁହଁ ଖୋଲିଲା ଡରି ଡରି। କହିଲା- ନାଇଁ,ସେମିତି କୁହନି। ମୋତେ ସ୍ୱର ତା ଖୁୁବ ଭଲ ଲାଗେ ତ , ମୁଁ ଚାଲି ଆସେ। ସେଦିନ ଯେମିତି ମୁଁ ତୁମ ସାମ୍ନାରେ ଠିଆ ହେଇଥିଲି। ମତେ ଖୁବ ଲାଜ ଲାଗିଥିଲା। ଆଉ ସାହସ ନଥିଲା ସାମ୍ନା କରିବାକୁ। 

ଅପରାଧୀ ଟେ ପରି ଥରିଥରି କହିଲା। 

ସାମାନ୍ୟ ହସିଦେଲା ଉଦୟ, କହିଲା ଓଃ ଏଇ କଥା? ମୁଁ ସେମିତି କିଛି ଭାବିନି , ମତେ ଡରନି। ଏବେ ସାମ୍ନାରୁ ଶୁଣିବାକୁ ଆସିବ ତୁମେ। ଚାନ୍ଦ କହିଲା ନା ମୁଁ ପାରିବିନି। 

- ତାହେଲେ, ମୁଁ ବି କାଲି ଠୁ ଆସିବିନି ଆଉ। 

ଚାନ୍ଦ କିଛି କହିଲାନି ଆଉ । ଖାଲି ଏମିତି ଚାହିଁଲା, ଯେ ସେ ଚାହାଣୀର ଭାଷା ବୁଝିଗଲା ଉଦୟ। ସେ ବି ଆଖିରେ ଉତ୍ତର ଦେଲା, ହେଲା ବାବା ଆସିବି ଏବେ। ଆଖି କହିପାରେ, ଆଖି ବୁଝି ବି ପାରେ। ଓଠ ରେ ହସ ଖେଳିଗଲା ଏକ ସାଙ୍ଗେ। ଆଉ ଗୋଟେ ଆଲେଖା ପ୍ରତିଶୃତି ରେ ବନ୍ଧା ହେଲେ ଦି ଜଣ। ପ୍ରେମ ତା ରଙ୍ଗ ଦେଖେଇବା ଆରମ୍ଭ କରିସାରିଲାଣି।


ଚାନ୍ଦ କୁ ଏଇ କଥା କେଇ ପଦ ଭାରି ଭଲ ଲାଗିଲା। ସେ ସୁର କୁ ଭଲ ପାଉଥିଲା ଏବେ, ସୁର ତୋଳୁଥିବା ମଣିଷ ଟା ଭଲ ଲାଗୁଥିଲା ତାକୁ। ସେମାନେ ଭେଟ ହୁଅନ୍ତି, ସେଇ ଆମ୍ବ ତୋଟାରେ, ମନ ଭରି ବଂଶୀ ଶୁଣେ ସେ, ଅଳ୍ପ କଥା ହେଇ ଚାଲିଆସେ ସେ। ଉଦୟ କହେ ଏତେ ଲୋକ ଥାଉ ଥାଉ ତମକୁ କାହିଁକି ଏତେ ଭଲ ଲାଗେ ମୋ ସୁର? ମୁଁ ତ ସେମିତି କାହାଠୁ ଶିଖିନି, ଖାଲି ଏମିତି ମନକୁ ଯାହା ଆସେ ତାକୁ ସୁରରେ ରଙ୍ଗ ଭରେ। 

ଚାନ୍ଦ କହେ ନା ମୁଁ ଜାଣିନି କାହିଁକି ଏତେ ଭଲ ପାଏ ମୁଁ ଏ ସୁରକୁ। କାନରେ ପଡିଲେ, ସିଧା ହୃଦୟ କୁ ଛୁଇଁଯାଏ। ଯାହା କାମ କଲେ ବି ଅନ୍ୟମନସ୍କ ହେଇ ପଡେ। ଆଉ ସବୁ ଭୁଲି ତୁମ ସୁର ରେ ହଜିଯାଏ ମୁଁ। ଏବେ କାହିଁକି କେଜାଣି ଏମିତି ଲାଗୁଚି, ଯେମିତି ତୁମକୁ ମୁଁ ଆଗରୁ ଜାଣିଛି। ବହୁ ଆଗରୁ ଆମ ପରିଚୟ। ସତରେ ଏତେ ଦିନ ମୁଁ କେମିତି ଥିଲି ତୁମ ବିନା ନିଜେ ବି ଜାଣି ପାରୁନି। 

ଉଦୟ କହେ ମତେ ବି ସେମିତି ଲାଗେ। ଦିନ ରାତି ତୁମକୁ ମୁଁ ଖୋଜେ । ମୋ ବଂଶୀର ସୁରରେ ତୁମର ଆବାହନ। ତୁମକୁ ଦେଖିଦେଲେ ଆଖି ବନ୍ଦ କରି ବି ତୁମ କୁ ସାଇତି ନିଏ ମନ ଭିତରେ। ଯେମିତି ମୋ ସୁର ତୁମକୁ ହିଁ ଖୋଜୁଥିଲା ଏତେ ଦିନଯାଏ। ଇଚ୍ଛା ହୁଏ ତୁମ ସାଥେ ଏମିତି ରହି ବଂଶୀ ଶୁଣଉଥାନ୍ତି କି। 

ଏତିକି ବେଳେ ବାଜି ଉଠିଲା, ରାଧା ମାଧବ ମନ୍ଦିର ର ଘଣ୍ଟି ଟି। ଆଉ ଫେରି ଆସନ୍ତି ସେମାନେ ନିଜ ନିଜ ଦୁନିଆ କୁ। 

କେତେଦିନ ଦୁନିଆ ଠୁ ଲୁଚି ରହନ୍ତା ବ କଥାଟି। ଧୀରେ ଧୀରେ କଥାଟି ଦି ଜଣଙ୍କ ଘରେ ପଡିଲା। ସାମାଜିକ ପ୍ରତିବନ୍ଧକ ସେତେବେଳେ ବି ଥିଲା ଏବେ ବି ଅଛି। ଏମାନେ ଆଜି ଯାଏ ବୁଝି ନାହାନ୍ତି ରାଧାକୃଷ୍ଣ ଙ୍କୁ। କିନ୍ତୁ ବିମାନ ରେ ବସେଇ ଦୋଳଯାତ୍ରା କରନ୍ତି। ଅଯଥା ଆୟୋଜନ ସବୁ।


ପ୍ରେମ କୁଆଡେ କାହାକୁ ବାଧା ଦିଏନା । ପ୍ରେମ,ଦେହ ର ମାୟାରୁ ଢେର ଉଚ୍ଚରେ। ଏଠି ଖାଲି ଗୋଟେ ଦରଦୀ ମନର ନିରୀହ ଦସ୍ତଖତ ଆଉ ଜଣେ ତା ନିଚ୍ଛକ ପ୍ରତିଫଳନ ମାତ୍ର। ଏଇ ତ ପ୍ରେମ, ଜଣେ ବୁଝିଯାଏ ଆଉ ଗୋଟେ ହୃଦୟର ଅକୁହା କଥାକୁ। ଆଖିରୁ ପଢିପାରେ, ସବୁ କିଛି। ଲାଗିଗଲା ପ୍ରତିବନ୍ଧ, ଚାନ୍ଦ ହେଲା ନଜର ବନ୍ଦୀ। ଚୌଧୁରୀ ବଂଶ ର ବୁନିୟାଦି ପରମ୍ପରା ଉପରେ, ପ୍ରଶ୍ନ ଚିହ୍ନ ଟିଏ ଲଗେଇଚି ସେ। ଦିନେ ଲୋକଙ୍କ ପାଇଁ ସୁନାଝିଅ ଆଜି ସେମାନଙ୍କର ଚର୍ଚା ର ବିଷୟ। ଚାନ୍ଦ ଝୁରି ହେଉଥିଲା ବଂଶୀ ସୁର କୁ। ତା ଛାତ ରୁ ଦିଶିଯାଏ, ଆମ୍ବତୋଟା ।ଶୁଣିବାକୁ ଚେଷ୍ଟା କରି ବି ଶୁଣିପାରେନି ସେ ସୁରକୁ ସେ। କେବେ କାହାକୁ ମନ କଥା କହିନି କି ମାଗିନି ସେ କିଛି। ଆଜି କାହିଁକି ଅ ଆଖିରୁ ଲୁହ ଶୁଖୁନି ଯେ। ସେପଟେ ଅନେକ ଧମକଚମକ ଦିଅା ହେଇଚି ଉଦୟ କୁ। ସେ ବି ଖୋଜୁଥାଏ ବାଟଟେ ଚାନ୍ଦ ସଂଗେ କଥା ହେବାକୁ।

ଦିନେ ଚାନ୍ଦ ଲୁଚିଲୁଚି ଗଲା ନଦୀପଠା ଆଡେ। ସାନ ଭଉଣୀକୁ କହିଦେଲା ଉଦୟ କୁ ଡାକିବାକୁ। ସବୁ ହେଲା ଅନେକ ଫନ୍ଦି ଫିକର ବାହାନା ପରେ।


ଉଦୟ ମାଡ ଖାଇ ଦେହ ସାରା ଦାଗ ଲାଗିଛି। ମୁଣ୍ଡରେ ପଟି ବି ପଡିଛି। କୋଉ କୋଉ ଜାଗାରେ ରକ୍ତ ଜମାଟ ବାନ୍ଧି, ପାଚିଲା ଜାମୁ କୋଳି ପରି ଦିଶୁଚି। ଚାନ୍ଦ ର ବି ବାହାଘର ଠିକ ହେଇ ସାରିଛି। ଚାନ୍ଦ କହିଲା - କଣ ପାଇଁ ଏତେ କଷ୍ଟ ସହିଲ ମୋ ପାଇଁ। ଏ ଋଣ କେମିତି ସୁଝିବି ମୁଁ। ମୁଁ କହି ଦେଇଛି ଯେ ସବୁ ଭୁଲ ମୋର ବୋଲି। ତା ପାଇଁ ଯାହା ଶୁଣିଲେ ବି ମୁଁ ରାଜି। ତମେ ଭଲରେ ରୁହ । ତମ ଖୁସି ପାଇଁ ମୁଁ ବାହା ହେଇ ଯାଉଛି। ଗଲା ପୂର୍ବରୁ, କିଛି ମାଗିବି ଦେବ ମୋତେ? ମନା କରିବନି ମୋତେ, ଭିକ ମାଗୁଛି ମୁଁ।

ଲୁହ ଗୁଡା ଜମା ବନ୍ଦ ହେଉ ନଥିଲେ। ଆଖିରୁ ଆଖିକୁ ସଂକ୍ରମିତ ହେଇ ଗଲେ। ଓଦା ହେଲା ଆମ୍ବ ତୋଟା ର ଭୂଇଁ। 

ଉଦୟ କହିଲା, - ଏ ଦାଗ ଏ କଷ୍ଟ ତୁମଠୁ ଦୁରେଇବା କଷ୍ଟ ରୁ ବଡ ନୁହେଁ । ତୁମେ ସାଙ୍ଗରେ ଥିଲେ ମୁଁ ଏମିତି ମାଡ ଖାଇବାକୁ ରାଜି, ସବୁଦିନ। ହସି ହସି। କାହିଁକି ତମେ ମାନି ନେଲା ସବୁ ଦୋଷ, ବେଶିରୁବେଶି ସେମାନେ ମତେ ମାରି ଦେଇ ଥାନ୍ତେ। ଏଇୟା ତ? ମାରି ଯାଇଥାନ୍ତି । କେତେ ମରୁଛନ୍ତି ସବୁଦିନ। ମତେ ବ କିଏ କାହିଁ ଖୋଜିଥାନ୍ତା ଯେ। ମୁଁ ବା କଣ ଦେଇ ପାରିବି, ଚୌଧୁରୀ ଘର ର ଅଲିଆଳି କନ୍ୟାକୁ। ଜୀବନ ଟା ଯଦି ଯାଏ ତା ପାଇଁ ତାହେଲେ ଦେଲା ପରି ଲାଗିବ। ନହେଲେ ତା ସବୁ ତୁଚ୍ଛ ତା ଆଗେ।

-ସେମିତି କୁହନି ଉଦୟ। ମୁଁ କୋଉ କଷ୍ଟରେ ସେ କଥା ମୁଁ ହିଁ ଜାଣିଛି। ସମୟ ନାଇଁ ମୋ ପାଖେ। ଦୁରେଇ ଯାଉଛି ବୋଲି ଦୁଃଖ କରିବନି। କିଛି ସମ୍ପର୍କ ଆତ୍ମାର ଥାଏ ,ତମେ ଠିକସେମିତି। ମତେ ଭୁଲିଯିବନି କେବେ। ମତେ ତମ ବଂଶୀ ଟା ଦିଅ। ମୁଁ ତାକୁ ନେଇ ସାରା ଜୀବନ କାଟି ଦେବି। ଦିନେ ୟାରୀ ପ୍ରେମ ମତେ ଟାଣି ଆଣିଥିଲା ତୁମ ପାଖକୁ। ଆଜି ତାକୁ ନେଇ ଯାଉଛି ମୁଁ ମୋ ସାଙ୍ଗରେ। ଏତିକି ତ ଦୟା କର।

ଉଦୟ ପାଇଁ ତା ଆତ୍ମା ଥିଲା ସେ ବଂଶୀ, ତା ସହିତ ତା ସମ୍ପର୍କ କାହିଁ କୋଉ ଯୁଗରୁ। କଥା ଦେଇଛି, ଦେବାକୁ ତ ପଡିବ। କଂପିଲା ହାତରେ, ଦେଇ ଦେଲା ବଂଶୀକୁ ଚାନ୍ଦ ହାତରେ। ଆଉ ପରାଜିତ ନାୟକ ଟିଏ ବିଦାୟ ନେଲା , ଏ ଆଖିର ଅଂଚଳରୁ। ଦୂର କେଉଁ ଗଛ ଆର ପଟୁ ରୁ ଶୁଭୁଥିଲା କାନ୍ଦିବାର କଇଁ କଇଁ ସ୍ୱର ଟି। ଆଉ ଚାନ୍ଦ ବଂଶୀ ଟି ଧର ଚାଲିଗଲା ବିପରୀତ ଦିଗରେ, ଆଲୋକ ସୁସଜିତ ତା ଚୌଧୁରୀ ଭବନ ଆଡେ। 

ଖୁବ ଯାକଯମକ ରେ ବାହାଘର ହେଲା ଚାନ୍ଦର ପାଖ ଗାଁ ଜମିଦାର ଘରର ଏକ ମାତ୍ର ପୁଅ ସଂଗେ। ସମସ୍ତେ ଖୁସି ଥାନ୍ତି। ସମସ୍ତେ ସାମିଲ ଥିଲେ ସେ ବାହାଘରରେ। ତା ଗାଁ ଲୋକ, ସାଙ୍ଗ ସାଥି, ବନ୍ଧୁ ବାନ୍ଧବ, କେବଳ ଜଣକୁ ଛାଡି। ଗାଁ କମ୍ପୁଥାଏ ରୋଷଣୀ ଆଲୁଅ ଆଉ ନାଚ ଗୀତରେ। ସେ ସେମିତି ପଡିଥାଏ ତା ଭଙ୍ଗା ଚାଲିଆର ଅପନ୍ତରା ଅନ୍ଧାର ଘର ଟାରେ।

ଶାଶୂଘରେ ସବୁ କାମ ସରିଲେ , ଲୁଚି ଲୁଚି ସେ ବଂଶୀ ସାଥିରେ କଥା ହୁଏ । ତା ସୁଖଦୁଃଖ ବ୍ୟଥା ବେଦନା ସବୁ ବାଢିଦିଏ ତା ପାଖେ। ଛାତିରେ ଧରି କାନ୍ଦେ। ଅନେକ ସମୟ ଯାଏ। ନୀରବରେ। ଦିନେ କେହି ସେଇ ବଂଶୀ ଟି ନେଇଗଲା ତା ଜାଗାରୁ। ଖୋଜିଲା ପାଗେଳି ଙ୍କ ପରି ପାଇଲାନି। ଵ୍ୟସ୍ତ ହେଇ ପଡ଼ିଲାସେ, କାନ୍ଦି ପକେଇଲା ଭୋଭୋ ହେଇକି। ଯେତେ ପଚାରିଲେ ବି କହିଲାନି। ହଠାତ୍, ଦେଖିଲା, ଛୋଟ ପିଲା ଟିଏ ଭଙ୍ଗାବଂଶୀ ଟି ଧରି ବଜେଇବାକୁ ଚେଷ୍ଟା କରୁଚି ଆଉ ସେ ବାଜୁନି। ଚିହ୍ନିିଦେଲା ତା ବଂଶୀ ବୋଲି। ପାଖକୁ ଯାଇ ଦେଖିଲା ଆଉ ଜୋରେ କାନ୍ଦିଲା କେହି ଯେମିତି ଚାଲିଗଲା ତା ନିଜର। ସବୁ କିଛି ଚାଲିଗଲା ତାର। ଭାରି କଷ୍ଟରେ ନିଜକୁ ସଜାଡ଼ିଲା ସେ। ଆଉ ରାତି ହେବା ଯାଏ ଅପେକ୍ଷା କଲା। ଦାଣ୍ଡ ଦରଜା ଡେଇଁ ସେ ଚାଲିଲା ତା ଗାଁ ରାସ୍ତାରେ। ଚହଳ ପଡିଗଲା ଗାଁରେ ଜମିଦାର ଘର ବୋହୁ ଘରେ ନାହିଁ । କେତେ ଲୋକ ଚାରି ଆଡ଼େ ଖୋଜିବାରେ ଲାଗିଗଲେ। ବିଲ ଗୋହିରୀ ରୁ ଶୁଭୁଥିଲା ସମାନଙ୍କ ସ୍ୱର। ଚାନ୍ଦ ଏବେ ଧାଇଁଲା, ଅଣନିଶ୍ୱାସୀ ହେଇ। ବିଲ ହିଡରେ କେତେ ପଡି ଉଠିକି ଧାଇଁଲା ଜଣା ନାହିଁ। ପାଦ ଖଣ୍ଡିଆ ହେଇ ରକ୍ତ ଛୁଟୁଛି, ତାର ନିଘା ନାଇଁ। ସେ ଧାଇଁଛି କୁଆଡେ କେଜାଣି। ଦୂରରୁ ଦେଖିଲା ଯୁଇ ଟେ ଜଳୁଛି। ଆଉ କିଛି ଲୋକ କଥା ହେଉଛନ୍ତି, ଆହା ଉଦୟ ଟା ଆଜି ଚାଲିଗଲା।କେତେ ସୁନ୍ଦର ପିଲାଟି ସତେ। ଚାନ୍ଦ ଆଉ ସହି ପାରିଲାନି। ଆତ୍ମାର କଥା ମନେ ପଡ଼ିଲା ତାର। ସେ ଶୁଣିଥିଲା ଆତ୍ମା କାଳେ ମରେନି ଜମା। ସେ ଉଦୟ କୁ ମନେ ମନେ ଏତିକି କହିଲା ଏକା ଚାଲିଯିବ କେମିତି। ସମ୍ପର୍କ ପା ଆତ୍ମାର। ତମ ବିନା ମୁଁ କଣ ଯେ? ଆଉ ଡେଇଁ ପଡିଲା ନଦୀକୁ। ଅନେକ ଖୋଜା ଖୋଜି ପରେ ତା ପିନ୍ଧା ଶାଢ଼ୀ ଟା ମିଳିଲା।


ଗୋଟେ ବର୍ଷ ପରେ ,ଆଜି ସେଇ ଚାନ୍ଦ ପାଇଁ ନାମଯଜ୍ଞ। କୀର୍ତନିଆ ଙ୍କ କଣ୍ଠରେ ଅପୂର୍ବ ମହା ମନ୍ତ୍ର ଟି।" ହରେ କୃଷ୍ଣ ହରେ ରାମ " କହିପାରିବ ଏ ହରେ ଟି କିଏ? ଇଏ ପା କୃଷ୍ଣଙ୍କ ହରା ଶକ୍ତି, ଯାହା ବିନା କୃଷ୍ଣ ଅସମ୍ପୂର୍ଣ୍ଣ। ପ୍ରେମର ବର୍ତ୍ତାବହ ଚିନ୍ମୟ ସ୍ୱରୂପ ଟିଏ।ଯୁଗଳ ମୂର୍ତ୍ତିର ସ୍ମରଣ ମାତ୍ରେ ପ୍ରାଣୀ ତରି ଯାଏ ଭବତରଙ୍ଗିଣି। ଆଉ ସେମିତି ପ୍ରେମକୁ ବିରୋଧ କରି ଏ ନାମଯଜ୍ଞ ର କଣ ବା ମହତ୍ଵ। ଖାଲି ଲୋକ ଦେଖାଣିଆ ମାତ୍ର। ସମସ୍ତେ କାନ୍ଦୁଛନ୍ତି । ହେଲେ କାହାରି ଆଖିରେ ଲୁହ ନାଇଁ । କେଜାଣି କାହିଁକି ଚାନ୍ଦ ବି ଚାଲି ଆସିଛି ଆଜି, ଅନ୍ଧାରିଆ କୋଣରେ ଚୌକି ଟେ ପକେଇ ଦି ପାପୁଲିରେ ମୁହଁକୁ ରଖି ସବୁ ଦେଖୁଛି। ହସୁଛି, ମନ ଖୋଲା ସ୍ମିତ ହାସ୍ୟଟେ। ଭାରି ଖୁସି ସେ। ଶଣୁଛି ମହାମନ୍ତ୍ର କୁ । ଅପୂର୍ବ ତେଜ ତା ଦେହରୁ। ଏବେ ସେ ଆଗ ଅପେକ୍ଷା ବେଶି ସୁନ୍ଦର ଆଉ ସତେଜ ଦିଶୁଚି। ଆମ୍ବତୋଟା ଆଡୁ ଏବେ ବି ଶୁଭୁଚି, ବଂଶୀସ୍ଵନ । ସେଇ ରାଗରେ, ସେଇ ସୁରରେ ଯେ ଅବୀରତ କହିଚାଲିଛି ପ୍ରେମ ଶାଶ୍ୱତ,ପ୍ରେମ ଚିରନ୍ତନ ଆଉ ପ୍ରେମ ହିଁ ଟାଣି ଆଣେ ପରମାତ୍ମା କୁ ଏ ଧରାକୁ। ପ୍ରେମ ପାଇଁ ସେ କେବେ ରାମ ,କେବେ ଶ୍ୟାମ।


Rate this content
Log in

Similar oriya story from Classics