Madhumita Mishra

Classics

2  

Madhumita Mishra

Classics

ବ୍ୟୋମମିତ୍ରା

ବ୍ୟୋମମିତ୍ରା

40 mins
325


ବ୍ୟୋମମିତ୍ରା

ଗାଢ଼ ନାଲି ଲିପଷ୍ଟିକ୍ ଓଠରେ ଲଗେଇବା ପରେ ପୁଣି ଟିସୁ ପେପରରେ ଥରେ ଛୁଇଁ ଦେଇ ଦ୍ଵିତୀୟ ପରସ୍ତ ଲଗେଇଲା। ଆଖି ଉପରେ ଅଳ୍ପ ଆଇ ସ୍ୟାଡୋ ଲଗେଇବା ପରେ ସ୍ବର୍ଗ ଅପସରା ପରି ଦେଖା ଗଲା ମିତ୍ରା ବାଇଗଣୀ ରଙ୍ଗର ଶାଢ଼ୀ ପିନ୍ଧି ସେ କଣ୍ଡେଇଟେ ପରି ଦେଖା ଯାଉଥିଲା ଏମିତିରେ ସେ ଅପୂର୍ବ ସୁନ୍ଦରୀ। ଆଉ ଅଳ୍ପ ଟିକେ ସଜେଇ ହୋଇଗଲେ ତାର ସୌନ୍ଦର୍ଯ୍ୟ ଉପମା ଖୋଜି ପାଏନା


"କଣ ରେଡି" ପଚାରିଲେ ଶଙ୍କର..ମୁଣ୍ଡ ହଲେଇ ସମ୍ମତି ଦେଲା ମିତ୍ରା..ବାହାରିଗଲା ଆଗରୁ ଆର ରୁମ୍ ରେ ଥିବା ନିଜ ମା ଆଉ ବର୍ଷକର କୁନି ପୁଅ ବବଲୁକୁ ବିଦାୟ କହିବାକୁ ଗଲା


ଉଚ୍ଚଶିକ୍ଷିତା ମିତ୍ରା..ପଢା ସମାପ୍ତି ସହ ବିବାହ ବନ୍ଧନରେ ବାନ୍ଧି ହେଲା ପରେ ପାଠ ପଢାକୁ ମଧ୍ୟ ଏକ ଡୋରୀରେ ବାନ୍ଧି ପକାଇଛି। ଘରକରଣା ଶିଖିବାର ଆନନ୍ଦମୟ ପ୍ରୟାସରେ ଦିନରାତି ସେ ଏକ କରି ପକାଇଛି..ରୋଷେଇ ଶିକ୍ଷା ,ବୁଣାବୁଣି ଓ ନାନା ଯାବତୀୟ ଘର କାମରେ..ନିଜ ସ୍ବପ୍ନ କିମ୍ବା କ୍ୟାରିଅର ଏଥର ଏ ଚାରିକାନ୍ଥ ଭାବି ସେ ଖୁସି ମନରେ ନିଜ ଚାରି ବର୍ଷର ବୈବାହିକ ଜୀବନକୁ ଆଗେଇ ନେଉଛି...ସେ ଭିତରେ କୋଳକୁ ଆସିଛି ବବଲୁ.. ମିତ୍ରାର ମାତୃତ୍ଵ ତା ଜୀବନର ସର୍ବୋତ୍ତମ ଉପହାର ..ପୂର୍ଣ୍ଣ ହେବାର ଆନନ୍ଦରେ ଅଭିଭୂତ ହୋଇ ଯାଇଛି ମିତ୍ରା..କିନ୍ତୁ..


କେତେବେଳେ କେମିତି ଏକ ଖୟାଲି ସମୟରେ ସେ ଭରି ଦେଇଥିଲା ନିଜର ବାୟୋଡାଟା ଓ ଏକ ଘରୋଇ ଏୟାର ଲାଇନ୍ସ କମ୍ପାନୀରେ ବାହାରିଥିବା କିଛି ପଦବୀ ପାଇଁ ଶଙ୍କର ପଠେଇ ଦେଇଥିଲେ। ଏ ବିଷୟକୁ ମନରୁ କେତେବେଳେ ସେ ବାହାର କରି ଦେଇଥିଲା ସେ ନିଜେ ମଧ୍ୟ ଜାଣେନି। ବବଲୁ ଜନ୍ମ ସହିତ ସେ ଏତେ ପରିମାଣରେ ପରିବାର ମନସ୍କ ହୋଇଯାଇଥିଲା ଯେ ଏସବୁ ଆଉ କାହିଁକି ମନ ପକାନ୍ତା କିନ୍ତୁ ଭାଗ୍ୟ ଚକ୍ରରେ କିଛି ଅଲଗା ଲେଖା ହୋଇଥିଲା ବୋଧେ..ସେଥିପାଇଁ ତ ଗତ ଦୁଇ ଦିନ ତଳେ ତାଙ୍କ ଘରକୁ ଆସିଛି ଉକ୍ତ କମ୍ପାନୀର ଏକ ପତ୍ର.. ଇଣ୍ଟରଭିୟୁକୁ ଆସିବା ପାଇଁ..


" ତୁମେ ନିହାତି ଯିବା ଆବଶ୍ୟକ.." ଶଙ୍କର କହିଲେ..

ହେଲେ ..ମୁଁ କଣ ଚାକିରି କରି ପାରିବି ଆଉ ଚାକିରିର ଆବଶ୍ୟକତା ବା କଣ


"ଆରେ ..ଯଦି ସଫଳ ହେବା ପାଇଁ ସୁଯୋଗ ମିଳୁଛି ହାତଛଡ଼ା କାହିଁକି କରିବ? ତୁମ ସିଲେକ୍ସନ ହେଲେ ଚିନ୍ତା କରିବାନି


"କିନ୍ତୁ ଏତେ ଘଣ୍ଟା ମୁଁ କେମିତି ବାହାରେ ରହିବି ବବଲୁ"


"ତୁମ ମାଙ୍କୁ ଟିକେ କହିକି ଦେଖ। ଯଦି ଦୁଇ ଦିନ ପାଇଁ ଆସି ପାରନ୍ତେ ତା ପରେ ମୁଁ ନିଜେ ନେଇ ତାଙ୍କୁ ଗାଆଁ ରେ ଛାଡି ଆସିବି।"


ମିତ୍ରା କିଛି କହିଲାନି..


ପ୍ରତ୍ୟକ୍ଷ ନ ହେଲେ ବି ପରୋକ୍ଷରେ ସେ ଶଙ୍କରଙ୍କୁ ଭୟ କରେ ଭଲ ପାଇବା ସୀମା ଡେଇଁ ଏ ଅହେତୁକ ମନୋଭାବ କିପରି କେମିତି ତା ମନ ଭିତରେ ରହି ଯାଇଛି କେଜାଣି..!! ବୋଧେ ଏଇଥି ପାଇଁ ଯେ ସେ ନିଜଠାରୁ ବେଶୀ ଭଲ ପାଏ ତା ସ୍ବାମୀଙ୍କୁ..ସେଥିପାଇଁ ସେ ଭୟ କରେ ତାଙ୍କ ମନରେ ଆଘାତ ଦେବା ପାଇଁ। ଆଉ କେବଳ ଏ କାରଣରୁ ସେ ପ୍ରତିବାଦ କରେନି ଯାହା ଶଙ୍କର କୁହନ୍ତି.. ଯେତେ କଷ୍ଟ ହେଲେ ମଧ୍ୟ ସେ ସବୁବେଳେ ଚେଷ୍ଟା କରେ ତାଙ୍କୁ ଖୁସିରେ ରଖିବା ପାଇଁ। କିନ୍ତୁ..ହେଉ ତେବେ ସେଇୟା..ମା ଙ୍କୁ ଫୋନ୍ କରି ନିଜ ଚାକିରି ପାଇଁ ଆସିଥିବା ଚିଠି କଥା ଜଣାଈଲା..ଦୁଇ ଦିନ ପାଇଁ ଆସି ବବଲୁ ପାଖରେ ରହିବାକୁ କହିଲା। ଅବଶ୍ୟ ସେ ଜାଣେ..ମା ତାର କୌଣସି କଥା ପାଇଁ ମନା କରନ୍ତି ନାହିଁ। କିନ୍ତୁ ଘରେ ମା ବାପା ଓ ଛୋଟ ଭଉଣୀ ଛଡା ଆଉ କେହି ବି ତ ନାହିଁ..!! ଆଉ କିଏ ହୋଇଥିଲେ ଏମିତି ପରିସ୍ଥିତିରେ କେବେ କହି ନ ଥାଆନ୍ତା ଏପରି ଘରଦ୍ୱାର ଛାଡ଼ି ଆସିବା ପାଇଁ..ହେଲେ ମିତ୍ରା..!! ତା ପାଇଁ ତ ତା ସ୍ୱାମୀର ଖୁସି ଛଡା ଆଉ କିଛି ବି ମହତ୍ୱପୂର୍ଣ୍ଣ ନୁହେଁ.. ଅଗତ୍ୟା ..ମା ଙ୍କୁ ଗାଆଁରୁ ଡାକିଲା...ଆସିବା ପାଇଁ।। ବାପା କେବେ ମଧ୍ୟ ମା ଙ୍କୁ ଏକା କୁଆଡେ ଛାଡ଼ି ନାହାନ୍ତି.. ତେଣୁ ବାଧ୍ୟ ହୋଇ ଛୁଟି ନେଇ ସେମାନେ ଆସିଗଲେ …


ବାହାରିଗଲା ମିତ୍ରା..ଏକ ନୂଆ ରାସ୍ତାରେ..ଯେଉଁଠି ସେ ନିଜେ ମଧ୍ୟ ଜାଣି ନ ଥିଲା ଭବିଷ୍ୟ କଣ ରଖିଛି ସାଇତି କରି..! ଏୟାର ଲାଇନ୍ସ ଚାକିରି ପାଇଁ ସାରା ଭାରତରୁ କେତେ ପ୍ରାର୍ଥୀ ଆସିଥିଲେ। ଜଣେ ଆରକୁ ବଳି..। ଯୋଗ୍ୟତା ସହିତ ଉତ୍ତମ ଆଚରଣ ଓ ଉତ୍ତମ ବ୍ୟକ୍ତିତ୍ଵ ଥିଲା ସେମାନଙ୍କ ଚୟନର ପ୍ରଥମ ସୋପାନ।କିଏ ପଢାରେ ଆଗୁଆ ତ କିଏ ଖେଳରେ..କିଏ ସୁନ୍ଦର ବ୍ୟବହାର ଦେଖାଉଥିଲା ତ ଆଉ କିଏ ନିଜ ପରିଚିତ ଙ୍କ ପରିଚୟ ନେଇ ଆଗେଇ ଆସିଥିଲା..


ଜଣେ ଜଣେ କରି ଗୋଟିଏ ବଡ଼ ରୁମ୍ ଭିତରକୁ ଯାଉଥିଲେ ଭାଗ୍ୟ ପରୀକ୍ଷା ପାଇଁ..ଆଉ ନିଜ ନିଜ ଭାଗ୍ୟ ନେଇ ଫେରି ଆସୁଥିଲେ.. ମିତ୍ରା ନାମ ଡକା ଯିବାରୁ ସେ ଆଗେଇ ଗଲା..ଦରଜା ରେ ମୃଦୁ ଆଘାତ ଦେଇ ଆସ୍ତେ କରି ପଶିଲା ରୁମ୍ ଭିତରକୁ..


କିଛି ସମୟ ପାଇଁ ସବୁକିଛି ଭୁଲି ଯାଇଥିଲା ମିତ୍ରା..ସମସ୍ତଙ୍କୁ ଭୁଲି ଯାଇଥିଲା..କେବଳ ବାପାଙ୍କ କଥା ପଦକ ମନରେ ଆସୁଥିଲା ବାରମ୍ବାର..


" ଜୀବନ ଯୁଦ୍ଧରେ କେବେ ହାରିବା ପାଇଁ ଲଢେଇ କରିବୁନି ମା ପ୍ରତ୍ୟେକ ପାଦରେ ତୋ ପ୍ରଦର୍ଶନ ଉତ୍କୃଷ୍ଟ ହେବା ଆବଶ୍ୟକ। ତେଣିକି ଫଳ ଯାହା ହେଉ ନା କାହିଁକି…"


ଆଗରେ ଆଠ ଜଣ ଜଜ୍ ବସିଛନ୍ତି। କି ବାସ୍ନା ଆସୁଥିଲା ସେ ରୁମ୍ ଭିତରୁ..!! ସେମାନଙ୍କୁ ଦେଖିଲେ ସେମାନଙ୍କ ବ୍ୟକ୍ତିତ୍ଵ ସମ୍ପର୍କରେ ଏକ ଅଦ୍ୱିତୀୟ ଧାରଣା ହେବା ସ୍ଵାଭାବିକ ଥିଲା। ବସିବାର ଇଶାରା ପାଇ ସାମ୍ନା ଚେୟାର ରେ ବସିଗଲା ମିତ୍ରା…


" ନିଜ ବିଷୟରେ ଗୋଟିଏ ବାକ୍ୟରେ କୁହନ୍ତୁ.." ଥିଲା ପ୍ରଥମ ପ୍ରଶ୍ନ..


ଉତ୍ତର.." ପ୍ରତ୍ୟେକ ମୁହୂର୍ତ୍ତ ଉପଯୋଗ କରି କିଛି କରି ଦେଖେଇବାକୁ ଆଗ୍ରହୀ ଥିବା ଏକ ବ୍ୟକ୍ତି.."


ପ୍ରଶ୍ନ.."ନିଜ କ୍ଷମତା କିପରି ଉପଯୋଗ କରିବାକୁ ଚାହିଁବେ"


ଉତ୍ତର.."ସତ୍ ଉପାୟରେ.."


ପ୍ରଶ୍ନ.."କିଛି ଚ୍ୟାଲେଞ୍ଜ ଆସିଲେ ପ୍ରଥମେ କଣ କରିବାକୁ ପସନ୍ଦ କରିବେ?"


ଉତ୍ତର.."ଆତ୍ମବିଶ୍ବାସ ବଜାୟ ରଖିବାକୁ.."


ପ୍ରଶ୍ନ.."କେହି ସାହାଯ୍ୟ ନ କଲେ କଣ କରି ପାରିବେ ଭାବୁଛନ୍ତି?"


ଉତ୍ତର.."ନିଜ ସାହାଯ୍ୟ ନିଜକୁ ହିଁ କରିବାକୁ ହୋଇଥାଏ.."


ପ୍ରଶ୍ନ.."କର୍ତ୍ତବ୍ୟ ଯଦି କର୍ମକ୍ଷେତ୍ର ଓ ପରିବାର ଭିତରେ ଦ୍ଵନ୍ଦ ଆଣିବ ତେବେ କାହାକୁ ପ୍ରାଥମିକତା ଦେବେ?"


ଉତ୍ତର.."ସମୟ ଅନୁସାରେ ଯାହା ପ୍ରଥମ ଆବଶ୍ୟକତା ବହନ କରୁଥିବ.."


ପ୍ରଶ୍ନ.."ବେଳେବେଳେ ଅପ୍ରତ୍ୟାଶିତ କିଛି ପରିସ୍ଥିତି ଆସି ଯାଇଥାଏ..ତାକୁ ସାମ୍ନା କରିବାର ମୂଳ ମନ୍ତ୍ର ଗୋଟିଏ ଶବ୍ଦରେ କଣ କହିବେ?"


ଉତ୍ତର.."ସ୍ଥିତପ୍ରଜ୍ଞତା.."


ପ୍ରଶ୍ନ.." ଏ କଥାକୁ ବୁଝେଇ କହିଲେ ବର୍ତ୍ତମାନ.."


ଉତ୍ତର.."ଯେତେ ବଡ଼ ପ୍ରତିକୂଳ ପରିସ୍ଥିତି ଆସୁ ମନୁଷ୍ୟ ଯଦି ମନ ଉପରେ ନିୟନ୍ତ୍ରଣ ରଖି ଥରେ ଚିନ୍ତା କରେ ତେବେ ତାହାର ସମାଧାନ ନିଶ୍ଚୟ ପାଇବ।"


ପ୍ରଶ୍ନ.."ଅର୍ଥ ବା ପଇସା ର ମୂଲ୍ୟ କଣ ଆପଣଙ୍କ ପାଇଁ..??"


ଉତ୍ତର.."ବଞ୍ଚିବାର କେବଳ ଏକ ସାଧନ ବା ଆବଶ୍ୟକତା ପୁରଣର ମାଧ୍ୟମ..।"


ପ୍ରଶ୍ନ.."ଦେଣ ନେଣ ପ୍ରଥା ବନ୍ଦ କରିବାକୁ କିଛି ଉପାୟ ଅଛି..?"


ଉତ୍ତର.."ସଂଯମତା ହିଁ ଏକମାତ୍ର ଉତ୍ତର.."


ଯୁରୀ ମାନଙ୍କ ମୁଖରେ ସନ୍ତୋଷ ଠିକ୍ ବାରି ହୋଇଯାଉଥିଲା..ବୋଧେ ସେମାନେ ମିତ୍ରା ଦେଇଥିବା ଉତ୍ତର ପାଇ ଆନନ୍ଦିତ ଥିଲେ। ବାହାରେ ଫଳାଫଳ ପାଇଁ ଅପେକ୍ଷା କରିବାକୁ କହିଲେ।


କିଛି ସମୟ ପରେ ଲଞ୍ଚ ବ୍ରେକ ହେଲା। ତିରିଶ ହଜାର ପ୍ରାର୍ଥୀଙ୍କ ଭିତରେ କେବଳ ତିନି ହଜାର ପ୍ରାର୍ଥୀ ଭିତରକୁ ଡକା ହୋଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ଦୁଇ ଶହ ପ୍ରାର୍ଥୀଙ୍କ ନାମ ଘୋଷଣା କରାଗଲା। ଆଉ ସମସ୍ତଙ୍କୁ କୁହାଗଲା ଏକ ଘଣ୍ଟା ପରେ ପୁନଃ ଏକତ୍ରିତ ହେବା ପାଇଁ..


ସେ ବ୍ୟବଧାନରେ ମିତ୍ରା ଘରକୁ ଆସିଥିଲା। ମା ଙ୍କ ହାତ ତିଆରି ଖାଦ୍ୟ ଖାଇ ତୃପ୍ତ ହୋଇଯାଇଥିଲା। କିନ୍ତୁ ସେ ଗଲା ବେଳକୁ ବବଲୁ ଶୋଇ ପଡ଼ିଥିଲା। ଏଣୁ ମିତ୍ରା ମନ ଖୁସି ନ ଥିଲା। କିନ୍ତୁ ଏତେ ବଡ଼ ସଂଘର୍ଷ ମଧ୍ୟରେ ଯୋଗ୍ୟ ହୋଇଥିବାର ଆନନ୍ଦ ମଧ୍ୟ ଥିଲା। ଏକ ମିଶାମିଶି ମନୋଭାବ ଭିତରେ ଘଣ୍ଟା ଟି ଚାଲି ଯାଇଥିଲା। ପୋଷାକ ବଦଳାଇ ସେ ପୁଣି ଆଗେଇ ଯାଇଥିଲା ନୂତନ ଦିଗନ୍ତ ଦିଗରେ..!! ଏଥର ପିନ୍ଧିଥିବା ଗାଢ଼ ସବୁଜ ଶାଢ଼ୀ ରେ ସେ ଆହୁରି ଆକର୍ଷଣୀୟ ଦେଖା ଯାଉଥିଲା। ଶଙ୍କର ମଧ୍ୟ କିଛି କ୍ଷଣ ଏତେ ଗହଳି ଭିତରେ ଫୁଟି ଦେଖା ଯାଉଥିବା ନିଜ ପତ୍ନୀକୁ ଦେଖି କିଛି ଭାବି ଚାଲିଥିଲେ..


ସମସ୍ତ ପ୍ରତିଯୋଗୀ ମାନଙ୍କୁ ଦଶଟି ଗ୍ରୁପ୍ କରାଗଲା। ସେମାନଙ୍କ ମଧ୍ୟରେ ପୁଣି ବିଭିନ୍ନ ତର୍କ ବିତର୍କ ପ୍ରତିଯୋଗିତା କରାଗଲା। ଆଉ କୁହାଗଲା ବିଜୟୀ ପ୍ରତିଯୋଗୀଙ୍କୁ ବ୍ୟକ୍ତିଗତ ସମ୍ପର୍କ କରି ଜଣେଇ ଦିଆଯିବ।


ସନ୍ଧ୍ୟା ଆଗତ ପ୍ରାୟ। ଦିନସାରା ଏକ ଅଜଣା ପରିବେଶରେ ରହି ଘରକୁ ଆସିବା ପରେ ହାତ ପାଦ ଧୋଇ ପ୍ରଥମେ ବବଲୁକୁ କୋଳରେ ଧରି ମନ ପୁରେଇ ଗେଲ କରିଲା ମିତ୍ରା। ଦିନସାରା ମା ଠାରୁ ଦୂରେଇ ରହିଥିବା ଶିଶୁଟି ଅତି ଖୁସିରେ ଖିଲିଖିଲି ହୋଇ ହସି ଉଠିଲା। ସେ ହସ ସତେ ଯେମିତି ଦେବସୁଲଭ ଥିଲା। ମିତ୍ରା ର ମାତୃ ହୃଦୟ ସଂତୋଷରେ ଭରିଗଲା।ବର୍ଷକର ଶିଶୁ ଟି କେବଳ ମା ସ୍ତନ ଅମୃତ ଛଡା ଆଉ କିଛି ପିଉ ନ ଥିଲା। ଥରେ ମାତ୍ର ସିଝା ପରିବା ତାକୁ ଦିନରେ ଖୁଏଇ ଦିଆ ଯାଉଥିଲା। ମନ ଭରି ଶାଢ଼ୀ କାନିଟା ଘୋଡେଇ ଦେଇ ବବଲୁର ପେଟ ଭରିଦେଲା ମିତ୍ରା..!! ମା କୋଳରେ ଶୋଇ ମା ମୁହଁକୁ ଚାହିଁ ଅମୃତ ପିଉ ପିଉ ମାଆର ଲୋରୀ ଶୁଣି ଚରମ ତୃପ୍ତିରେ ଶୋଇ ପଡ଼ିଲା ବବଲୁ..ତାକୁ ଆସ୍ତେ ଖଟ ଉପରେ ଶୁଆଇ ଦେଇ ମିତ୍ରା ଅଳ୍ପ ହସିଲା ଓ ନିଜ ନଜରରୁ ନିଜ ସନ୍ତାନକୁ ରକ୍ଷା କରିବା ପାଇଁ ଆଖି କୋଣରୁ ଟିକେ କାଜଲ ବାହାର କରି ଛୁଆର କାନ ପାଖରେ ଲଗେଇଦେଲା...


ପରଦିନ ସକାଳୁ ତା ଘରଲୋକେ ଫେରି ଯାଇଥିଲେ। ଶଙ୍କର ନିଜ ଅଫିସ୍ ଯିବା ପରେ ମିତ୍ରା ଯାବତୀୟ ଘର କାମ ସାରି ଖେଳିବାକୁ ଆରମ୍ଭ କଲା ବବଲୁ ସହିତ। ଚାଲି ଶିଖି ନ ଥିବା ଛୁଆଟି ହାମୁଡି ହାମୁଡି ଘର ସାରା ଆଣ୍ଠୁଆ ଗୋପାଳ ସାଜି ବୁଲୁଥାଏ। ଆଉ ମିଛି ମିଛିକା ଲୂଚିବା ବାହାନା କରି ଯଶୋଦା ସାଜି ମିତ୍ରା ଏ ରୁମ୍ ରୁ ଆର ରୁମ୍ କୁ ହାମୁଡି ଯାଉଥାଏ..ନିଜ ପୁଅ ପରି..!!


କିଛି ସମୟ ଖେଳି ଥକିଗଲା ପରେ ବବଲୁ ଟିକେ ଶୋଇଗଲା। ଆଉ ମିତ୍ରା ଲାଗିଗଲା ଅଧା ଛାଡ଼ି ଦେଇଥିବା ଏକ ସ୍ୱେଟର ବୁଣି ପୂର୍ଣ୍ଣ କରିବାକୁ..


ଲ୍ୟାଣ୍ଡ ଲାଇନ୍ ବାଜି ଉଠିବାରୁ ବୁଣା ବନ୍ଦ କରି ସେ ଫୋନ୍ ଟି ଉଠେଇଲା..ଆଶ୍ଚର୍ଯ୍ୟ..!!ଏକ ଗୁରୁଗଂମ୍ଭୀର ଅଥଚ ମନୋମୁଗ୍ଧକର ସ୍ଵର ସେପଟୁ ମିତ୍ରା ର ସଫଳତା କଥା କହୁଥିଲା। ତାର ଚୟନ ହୋଇଯାଇଥିଲା । ଆସନ୍ତା ଚାରିଦିନ ପରେ ସିଧା ବିମାନବନ୍ଦର କୁ ଆସି ସେଠାରୁ ଅନ୍ୟ ସଦସ୍ୟ ମାନଙ୍କ ସହିତ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦେଲେ ବ୍ୟକ୍ତି ଜଣକ। ଦିଲ୍ଲୀରେ ସାତ ଦିନର ଟ୍ରେନିଂ ପରେ ପୋଷ୍ଟିଂ ହେବ…


ନିଜ ସଫଳତା ପାଇଁ ଖୁସି ହେବ କି ନାହିଁ ବୁଝି ପାରୁ ନ ଥାଏ ମିତ୍ରା


"ଆରେ!! ଅଭିନନ୍ଦନ..ଆଉ ଏତେ ଚିନ୍ତା କଣ କରୁଛ " ଏକରକମ ମିତ୍ରାକୁ ଶୂନ୍ୟରେ ଉଠେଇ ନେଇ ଶଙ୍କର କହିଲେ…


"ତୁମେ ଏତେ ଖୁସି ହେଉଛ କିନ୍ତୁ ମୁଁ ଦିଲ୍ଲୀ କିପରି ଯିବି ଆଉ କହିଥିଲ ଇଣ୍ଟରଭିଉ ଦିଅ ପରେ କଥା ହେବା.."


ମିତ୍ରା କଥା ଅଧାରୁ କାଟି ଶଙ୍କର କହିଲେ"ତୁମ ସିଲେକ୍ସନ୍ ହୋଇ ଯାଇଛି ..ଆଉ ୟା ଠାରୁ ବଡ଼ ଖବର କଣ ଥାଇପାରେ.. କେତେ ପ୍ରତିଯୋଗୀଙ୍କୁ ପଛରେ ପକାଇ ତୁମେ ଆଗେଇ ସାରିଛ। ତୁମେ ଜାଣିଛ ନା ମୁଁ ଏଥିପାଇଁ କେତେ ଖୁସି.. ଆରେ ଜିତି ଯାଇଛ ତୁମେ..ତେବେ ଏତେ ଦ୍ଵନ୍ଦ କାହିଁକି ବାକି ରହିଲା ଦିଲ୍ଲୀ ଯିବା କଥା ନା..ତେବେ ନ ଯିବ କାହିଁକି.."


"ବବଲୁ" ମିତ୍ରା ପ୍ରଶ୍ନ କଲା।


"ହୁଁ..ତୁମେ ଦିଲ୍ଲୀ ଯିବା ଦିନ ତକ ବବଲୁ କୁ ତା ଅଜା ଘରେ ଛାଡ଼ି ଦେବା। ଦିନ କେଇଟା କଥା। ତୁମେ ଆସିଲା ପରେ ଏ ବିଷୟ ଭାବିବା।" ସହଜରେ କହିଦେଲେ ଶଙ୍କର।


"କିନ୍ତୁ ଟ୍ରେନିଂ ଯିବା ଅର୍ଥ ଚାକିରି କରିବାକୁ ସହମତି ଦେବା। ଆଉ ମୁଁ ବବଲୁକୁ ଛାଡି ଚାକିରି କରିବା ସମ୍ଭବ ନୁହେଁ…!!"ମିତ୍ରା ନିରାଶ ହୋଇ କହିଲା।


"ଦେଖ ତୁମେ ଚାକିରି କଲା ପରେ ଆମେ କିଛି ବ୍ୟବସ୍ଥା କରିବା ନା। ଦୁନିଆରେ ସବୁ ସ୍ତ୍ରୀ କି ମା ଏପରି ଭାବି କଣ ଘରେ ବସି ରହୁଛନ୍ତି?? ତୁମେ ବିନା ଚିନ୍ତାରେ ଯାଅ। ମୁଁ ନିଶ୍ଚୟ କିଛି ଉପାୟ ବାହାର କରିଦେବି। ମୋ ଉପରେ ବିଶ୍ୱାସ ରଖ…"


" ମା ବାବାଙ୍କୁ ଜଣେଇବା ଆଉ ସେମାନଙ୍କ ମତ ନେବା। ତା ଛଡା ତୁମ ବୋଉ ବାପା ମଧ୍ୟ ଜାଣି ନାହାନ୍ତି କିଛି। ସେମାନଙ୍କୁ…"


" ଚିନ୍ତା କରନି। ବାପା ବୋଉକୁ ମୁଁ କହିଦେବି। ଆଉ ତୁମ ମା ବାବା କଣ କେବେ ନିଜ ନାତିକୁ ଘରେ ରଖିବାକୁ ମନା କରନ୍ତେ ନା କଣ" ହସି ଉଠିଲେ ଶଙ୍କର..ଆଉ ହସଟା କାହିଁକି କେଜାଣି ପ୍ରଥମ ଥର ପାଇଁ ମିତ୍ରାକୁ ପସନ୍ଦ ହେଲାନି…


ପୁଣି ଆସିଲେ ମିତ୍ରା ଘରଲୋକେ... ବବଲୁକୁ ନେଇ ଯିବା ପାଇଁ.. ଶଙ୍କରଙ୍କ ଖୁସି ଦେଖି ସମସ୍ତେ ଖୁସି ଥିଲେ। ସବୁବେଳେ ଅଳ୍ପ ହସୁଥିବା ଏହି ଲୋକଟି ହଠାତ୍ ମଜାଳିଆ ହୋଇ ଯାଇଥିଲା। ଆଉ ବହୁତ ପରିମାଣରେ ଆପଣାର ଲାଗୁଥିଲା… ମା ବାବାଙ୍କୁ କିଛି ପଚାରି ନ ଥିଲା ମିତ୍ରା.. ସେମାନେ ଆସିବା ଆଗରୁ ତ ଶଙ୍କର ନିଷ୍ପତ୍ତି ଶୁଣେଇ ଦେଇଥିଲେ ନା.. ଆଉ ଶଙ୍କର ଯାହା କୁହନ୍ତି ମିତ୍ରା ପାଇଁ ଯେ ତାହା ବେଦର ଗାର ଆଉ କଣ କହି ହୋଇଥାନ୍ତା ଏ ପରିସ୍ଥିତିରେ


ମା ବାବା ବବଲୁକୁ ସାଙ୍ଗରେ ନେଇଯିବା ପାଇଁ ପ୍ରସ୍ତୁତି କରୁଥିଲେ...ଆଉ ମିତ୍ରା ପ୍ରସ୍ତୁତ ହେଉଥିଲା ଏକ ନୂତନ ଯାତ୍ରା ପାଇଁ..


ନୂଆ କରି ସେ ଏକ ଏୟାର ବ୍ୟାଗ୍ କିଣିଲା। ଏକ ନୂଆ ହ୍ୟାଣ୍ଡ ବ୍ୟାଗ୍ ଆଉ କିଛି ଜରୁରୀ ସାମଗ୍ରୀ। ଏମିତିରେ ବିବାହ ପରେ ସେ ଶାଢ଼ୀ ପିନ୍ଧିବାକୁ ଭଲ ପାଏ। କିନ୍ତୁ ଏୟାର ଲାଇନସ୍ ଚାକିରି ଟ୍ରେନିଂ ପାଇଁ ଯାଉଥିବାରୁ କିଛି ନୂଆ ଡ୍ରେସ୍ ମଧ୍ୟ ନିଜ ସହ ରଖିଲା। ଯନ୍ତ୍ରବତ୍ ସବୁ କରି ଚାଲିଥିଲା।


କିନ୍ତୁ......ଦୀର୍ଘ ସାତ ଦିନ..!! ସେ ବବଲୁ ଠାରୁ କିପରି ଦୂରରେ ରହିବ


ସେ ଦିନ ଶୁକ୍ରବାର ଥାଏ.. ବବଲୁକୁ ସ୍ତନପାନ କରେଇବା ସମୟରେ ମା କୋଳରେ ଶୋଇ ପଡ଼ିଥିଲା ନିରୀହ ଛୁଆଟି କିଛି ବୁଝି ନ ପାରିଲେ ମଧ୍ୟ ବୋଧେ ଜାଣି ପାରୁଥିଲା ମା ମନର ଯନ୍ତ୍ରଣାକୁ..ତେଣୁ କେମିତି ଟିକେ ମଝିରେ ମଝିରେ ଅବୁଝା ହୋଇ କାନ୍ଦୁଥିଲା..କଥା କହି ପାରୁ ନ ଥିଲା..କିନ୍ତୁ ବିଭିନ୍ନ ସ୍ଵର କରି ବୋଧେ କିଛି କହି ଚାଲିଥିଲା… ଫ୍ଲାଇଟ ସମୟ ହୋଇ ଆସିଲା। ବବଲୁକୁ ମନ ପୁରେଇ ଦେଖି ଦେଇ ମା ବାବାଙ୍କୁ ପ୍ରଣାମ କରି ଶଙ୍କରଙ୍କ ସହ ବାହାରିଗଲା ମିତ୍ରା….


ବର୍ଷକର ଛୋଟ ଛୁଆଟି। ଝିଅ ଚାଲିଯିବା ପରେ ହିଁ ମିତ୍ରାର ମା ବାବା ନିଜ ନାତିକୁ ନେଇ ବାହାରି ଯାଇଥିଲେ ଗାଆଁକୁ..ସେମାନଙ୍କର ମନସ୍ଥିତି ମଧ୍ୟ ଅଦ୍ଭୁତ ଦ୍ଵନ୍ଦ ଦେଇ ଗତି କରୁଥିଲା। ଝିଅ ପାଖରେ ନାହିଁ। ଛୋଟ ପିଲାଟିର ଯତ୍ନ ସହ ତା କୁନି ମନୋବୃତ୍ତିର ଉଚିତ୍ ମୂଲ୍ୟାଙ୍କନ କରିବା ଦୂରୂହ ବ୍ୟାପାର ଥିଲା। ସନ୍ଧ୍ୟା ସମୟ କଟିଗଲା ଏକ ପ୍ରକାରର। କିନ୍ତୁ ରାତି..!! ମା କୁ ଦିନେ ଛାଡ଼ି ନ ଥିବା ପିଲାଟି ଖେଳୁ ଖେଳୁ ହାଲିଆ ହୋଇ ଶୋଇବାକୁ ଆରମ୍ଭ କରୁଥିଲା। କିନ୍ତୁ..


ଛାତିରେ ପକାଇ ଆଈ ଅଜା ତାକୁ ଶୁଏଇ ଦେବାକୁ ଚେଷ୍ଟା କଲେ। ବହୁତ ସମୟ ପରେ ତା ଆଖିକୁ ନିଦ ଆସିଲା। କିନ୍ତୁ.. ବବଲୁ ଯେ ବୋତଲରେ କ୍ଷୀର ପିଇ ଜାଣି ନ ଥିଲା ରାତିରେ ତା ପାଟି ଶୁଖି ଆସିବାରୁ ଆଈ ତା'ର ଏକ ପାତ୍ରରେ କ୍ଷୀର ଆଣି ତୁଳା ସାହାଯ୍ୟରେ ତା ଓଠ ପୋଛି ଚାଲିଥିଲେ..ଟୋପେ ଟୋପେ ପାଟି ପାଖରେ ଚିପୁଡ଼ି ଦେଉଥିଲେ...ବିଚରା ଛୁଆଟା..!! ଧୀରେ ଧୀରେ ଓଠ ଚାପୁ ଚାପୁ ଶୋଇ ଯାଇଥିଲା..ମା'ଙ୍କ ଆଖି କୋଣରେ ଲୁହ ଜକେଇ ଆସିଲା। ମୋ ମିତୁ ଏବେ କେମିତି ଥିବ କେଜାଣି ଟ୍ରେନିଂ କୁ ମୋବାଇଲ ଫୋନ ନେବା ମନା କରାଯାଇଥିଲା। ଅତଏବ ଅପେକ୍ଷା ସେପଟୁ କୌଣସି ଟେଲିଫୋନ ବୁଥ୍ ରୁ ଫୋନ୍ ଆସିବାକୁ ବୋଧେ ସକାଳୁ ହିଁ ଖବର ଜଣା ଯିବ ମା' ମନ..!! ମିତ୍ରା ପାଇଁ ନିଜ ବ୍ୟଗ୍ରତା ସମ୍ଭାଳିବେ ନା ବବଲୁ ଠାରୁ ଦୂରରେ ରହିଥିବା ଝିଅର ମନ କଷ୍ଟ ଭାବି ଦୁଃଖୀ ହେବେ ଆଉ ଏ ପରିସ୍ଥିତିରେ ନିଦରେ ଶୋଇ କିଛି ସ୍ବପ୍ନ ଦେଖି ନିଷ୍ପାପ ବବଲୁ ହଠାତ୍ ହସି ଉଠିବା ଦେଖିବାରୁ ସେ ମଧ୍ୟ ହସି ଉଠିଲେ..ଆସ୍ତେ କରି ବବଲୁ ଉପର ଚାଦରକୁ ଆଉ ଟିକେ ଭଲକରି ଘୋଡେଇ ଦେଲେ…


ମୋବାଇଲ୍ ନେବାକୁ ମନା କରା ଯାଇଥିଲା। ଅବଶ୍ୟ ସେତେବେଳେ ଦୁନିଆ ଏତେ ଡିଜିଟାଲାଇଯେଡ୍ ହୋଇ ନ ଥିଲା.. ତଥାପି..ମୋବାଇଲ୍ ଫୋନ୍ ଅଳ୍ପ ବହୁତ ବ୍ୟବହାର ହେଉଥିଲା..। ଶଙ୍କର ହାତ ହଲେଇ ଚାଲି ଯାଇଥିଲେ ଦୂରକୁ.. ଆପଣା ଦୁନିଆ ସବୁ ପଛକୁ ରହି ଯାଇଥିଲା।


ମିତ୍ରା ଚାରିପାଖରେ ଥିଲା ଏକ ଅଜଣା ପରିବେଶ ଓ କିଛି ଅଚିହ୍ନା ମୁହଁ.. କିଛି ସମୟ ମଧ୍ୟରେ ସମସ୍ତେ ସମସ୍ତଙ୍କ ନାମ ସହ ପରିଚିତ ହୋଇ ଯାଇଥିଲେ। ମିତ୍ରା ଜଣେ ମାତ୍ର ବିବାହିତା ଥିଲା ..ଅନ୍ୟ ସମସ୍ତେ ଅବିବାହିତ। ଯଦିଓ ତିନି ଜଣ ପୁରୁଷ କର୍ମୀ ତାଠ୍ରୁ ବୟସରେ ବଡ଼ ଥିଲେ… କିଛି ସମୟ ମଧ୍ୟରେ ସବୁ ଟ୍ରେନି ମାନେ ମିତ୍ରାକୁ ଦିଦି ଦିଦି କହି ଡାକିବା ଆରମ୍ଭ କରି ସାରିଥିଲେ.. 


ଏକ ନୂତନ ଜୀବନ ସମସ୍ତଙ୍କୁ ବାହୁ ପ୍ରସାରି ଅପେକ୍ଷା କରିଥିଲା…


ରାତି ପହଞ୍ଚିଲା ବେଳେ ପ୍ରାୟ ସାଢେ଼ ଦଶଟା.. ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରୁ ବାହାରି କନୌଟ୍ ପ୍ଲେସରେ ଥିବା ସଂରକ୍ଷିତ ପଞ୍ଚତାରକା ହୋଟେଲରେ ପହଞ୍ଚୁ ପହଞ୍ଚୁ ଏତେ ଡେରି ହୋଇଯାଇଥିଲା ..ଆଉ ସମ୍ଭବ ନ ଥିଲା ଫୋନ୍ କରିବା ପାଇଁ। ଅଗତ୍ୟା ଡିନର କରି ରୁମ୍ କୁ ଯିବାକୁ ସମସ୍ତେ ବାହାରିଲେ। ଟ୍ରେନିଂ ପାଇଁ ଆସିଥିବା ଅଠେଇଶ ଜଣଙ୍କ ପାଇଁ ଦୁଇ ଜଣକୁ ଗୋଟିଏ ହିସାବରେ ଚଉଦଟି ରୁମ୍ ବୁକ୍ ହୋଇଥିଲା। ମିତ୍ରା ସହିତ ଶ୍ୱେତା ନାମ୍ନୀ ଗୋଟିଏ ଝିଅ ରହିବା ନିଷ୍ପତ୍ତି ହୋଇଥିଲା। ରୁମ୍ କୁ ଗଲା ବେଳେ ମିତ୍ରା ହୋଟେଲ୍ ରିସେପସନିଷ୍ଟ୍ କୁ ଅନୁରୋଧ କରି ଫୋନ୍ କରିବାକୁ ସୁଯୋଗ ପାଇଲା..ହେଲେ ଏତେ ରାତିରେ ଯଦି ମା ବାବାଙ୍କ ନମ୍ବର ଲଗାଏ..ତେବେ ସମସ୍ତଙ୍କ ଅସୁବିଧା ହେବ। ତା ଛଡା ବବଲୁ ମଧ୍ୟ ରାତି ଅଧିଆ ଉଠି ହଇରାଣ ହେବ। ତେଣୁ ଭାବିଲା କେବଳ ଶଙ୍କରଙ୍କୁ ଜଣେଇ ଦେବା ହିଁ ଉଚିତ୍…


ପ୍ରଶସ୍ତ ଥିଲା ହୋଟେଲ୍ ରୁମ୍... ଶ୍ଵେତା ଆଉ ମିତ୍ରା ବହୁତ ଭଲ ବନ୍ଧୁ ହୋଇ ସାରିଥିଲେ। ଗ୍ରାଜୁଏସନ୍ କରି ଏଭିଏସନ୍ ଟ୍ରେନିଂ ନେଉଥିବା ଶ୍ଵେତା ଖଟରେ ପଡୁ ପଡୁ ଶୋଇ ଯାଇଥିଲା।ଏପ୍ରିଲ୍ ମାସର ଗରମରେ ଏସି ହୱା ବାଜିବା ପରେ ମଖମଲି ଶେଯରେ କାହାକୁ ବା ନିଦ ଆସି ନ ଥାଆନ୍ତା. ତା ଛଡା ଏତେ ଛୋଟ ବୟସରେ ଏପରି ସଫଳ ହେବା କଣ କମ୍ କଥା କି.. ଚାକିରି ତାଳ ଗଛ ଛାଇ..ଏତେ ପ୍ରତିଯୋଗିତା ଏ ଦୁନିଆରେ.. ବବଲୁ ବଡ଼ ହେଲା ବେଳେ ଆହୁରି ବଢ଼ି ଯାଇଥିବ ଏ ଦୌଡ.. ବବଲୁ.. ମନ ବିଚଳିତ ହୋଇ ଉଠିଲା ମିତ୍ରାର.. ଭାରି ଏକା ଲାଗୁଥିଲା। ଛାତିଟା ଧଡ୍ ଧଡ଼ ହେଉଥିଲା..ଏତେ ଖାଲି ତାକୁ କେବେ ଲାଗିନି। ମା ବାବା ଶଙ୍କର ସମସ୍ତଙ୍କଠାରୁ ଅଲଗା ହେବା କଷ୍ଟ ପଛରେ ପକାଇ ବବଲୁ ଠାରୁ ଦୂରକୁ ଆସିବା ଯନ୍ତ୍ରଣା କାହିଁକି କେଜାଣି ବେଶୀ ଆକ୍ତା ମାକ୍ତା କରି ପକାଉଥିଲା...ଆଖିରୁ ଅମାନିଆ ଲୁହ ଗଡି ଆସିଲା ବେଳେ ଚଟ୍ କରି ପୋଛିଦେଲା ମିତ୍ରା.. କାଳେ କାନ୍ଦିଲେ ଛୁଆର ଅନିଷ୍ଟ ହେବ.. ସେମିତି ଶୋଇ ରହି ଈଶ୍ୱରଙ୍କୁ ଧ୍ୟାନ କଲା ଓ ମନ୍ତ୍ର ପଢି ଚାଲିଲା…କାଳେ ନିଦ ଟିକେ ଆସିଯିବ..


ପରଦିନ ସକାଳୁ ନିଜ ଅଭ୍ୟାସରେ ଭୋରରୁ ଉଠି ଯାଇଥିଲା ମିତ୍ରା..ନିତ୍ୟକର୍ମ ସାରି ଆସିଲା ଯାଏଁ ଶ୍ୱେତା ସେମିତି ଶୋଇଥାଏ। ତାକୁ ଦେଖି ନିଜ ପୁରୁଣା ଅନୂଢା ଦିନର ସ୍ମୃତି ସବୁ ଉଙ୍କି ମାରିଲେ ତା ମନରେ..କିନ୍ତୁ ଅଳ୍ପ ହସି ସେ ଶ୍ୱେତାକୁ ଉଠେଇ ଦେବାକୁ ବାଧ୍ୟ ହେଲା। କାରଣ ଟ୍ରେନିଂ ଇନଚାର୍ଜ କହିଥିଲେ ସାତଟା ସୁଦ୍ଧା ରେଡି ହୋଇ ଆସିଯିବା ପାଇଁ। ସମସ୍ତଙ୍କ ସହିତ ମିତ୍ରା ମଧ୍ୟ ଆସିଲା ଟ୍ରେନିଙ୍ଗକେନ୍ଦ୍ରର ପରିଚାଳକଙ୍କ ପାଖକୁ। ପ୍ରତ୍ୟେକଙ୍କୁ ସମୟ ଦିଆଗଲା ନିଜ ନିଜ ଘରକୁ ଫୋନ୍ କରି ବାହାରି ଯିବା ପାଇଁ। ଅଳ୍ପ ସମୟ ମଧ୍ୟରେ କେବଳ ନିଜ କୁଶଳ ଖବର ଜଣେଇବା ଓ ପରିବାରର କୁଶଳ ବାର୍ତ୍ତା ପଚାରି ହେଲା। ମନ କଣ ସେତିକିରେ ପୁରୁଛି.. କିନ୍ତୁ ଆଉ ଉପାୟ ବି କିଛି ନ ଥିଲା।


ଠିକ୍ ସମୟରେ ଏୟାର କଣ୍ଡିସନିଂ ବସ୍ ଆସି ପହଁଚିଗଲା। ଦିଲ୍ଲୀର ବ୍ୟସ୍ତବହୁଳ ରାସ୍ତାରେ ଆଗେଇ ଚାଲିଥିଲା ମିତ୍ରା ନୂତନ କିଛି ଶିଖିବା ପାଇଁ..ଏକ ପ୍ରଶସ୍ତ ପ୍ରକୋଷ୍ଠ ମଧ୍ୟରେ ପ୍ରୋଜେକ୍ଟର ଦ୍ଵାରା ଜଣେ ଜଣେ ଅଧିକାରୀ ଆସି ଦେଖେଇ ଦେଇ ଗଲେ..ବିମାନ ବିଷୟରେ ପୁଙ୍ଖାନୁପୁଙ୍ଖ ଜ୍ଞାନ ଦେଇ ଚାଲିଲେ..ଦ୍ୱିପହର ଖାଦ୍ୟ ଗ୍ରହଣ କରିବା ସମୟରେ ଜଣେ ସୈାମ୍ୟଦର୍ଶୀ ଯୁବକ ରତନ ଆସି ମିତ୍ରା ସହ ବନ୍ଧୁତା କରିବାକୁ ଚାହିଁଲେ। ସେ ଉକ୍ତ କମ୍ପାନୀର ଏକ ସମ୍ମାନଜନକ ପଦବୀରେ ଥାଆନ୍ତି। କିଛି କ୍ଷଣ କଥାବାର୍ତ୍ତା ହେବା ଭିତରେ ଜଣା ପଡିଲା ସେ ଶଙ୍କରଙ୍କୁ ମଧ୍ୟ ଭଲ ରୂପେ ଚିହ୍ନି ଥିଲେ। ପରିଚୟ ପାଇଲା ପରେ ମିତ୍ରା ଆଶ୍ବସ୍ତ ହେଲା। ଯା ହେଉ କେହି ଜଣେ ପରିଚିତ ଏଠି ମିଳିଲେ ତ.


ସବୁଠାରୁ କଡା ନୀରିକ୍ଷକ ଆବ୍ରହମ୍ ସାର୍ ସନ୍ଧ୍ୟାରେ ଆସିବେ ବୋଲି ସମସ୍ତେ ସତର୍କ ହୋଇ ଯାଉଥିଲେ। ଟ୍ରେନୀ ମାନେ ତ ନୂଆ..କିଏ ଏ ଆବ୍ରହମ ସାର୍ ଭାବି ବିଚଳିତ ହେବା ସ୍ଵାଭାବିକ ଥିଲା। ସତରେ ..ତାଙ୍କ ପ୍ରବେଶ ହିଁ ସୂଚେଇ ଦେଲା ..ତୀବ୍ର ଚମ୍ପା ପରଫୁମ୍ ବାସ ରୁମ୍ ସାରା ଖେଳିଗଲା। ମିତ୍ରା ଦେଖୁଥିଲା..ପାଖାପାଖି ସାତ ଫୁଟ ଉଚ୍ଚତା ଓ ଆକର୍ଷଣୀୟ ଚେହେରା ଥିଲା ତାଙ୍କର। ତା ସହ ତାଙ୍କ କେଶବିନ୍ୟସ ତଥା କଥା କହିବା ଶୈଳୀ ସମସ୍ତଙ୍କ ମନ କିଣି ନେଇଥିଲା। ବିମାନ ସମ୍ପର୍କରେ ଜ୍ଞାନ ସହିତ ପବ୍ଲିକ ଡିଲିଂ ଓ ଟ୍ରବୁଲ୍ ହ୍ୟାଣ୍ଡେଲିଂ ଉପରେ ଗୁରୁତ୍ବ ଦେବାକୁ କହିଲେ ସେ। ତା ସହ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କଲେ ଯେ ଚୟନ ହୋଇଥିବା ଏହି ଅଠେଇଶ ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ଚବିଶ ଜଣ ଅଫିସିଆଲ୍ ନିଯୁକ୍ତି ପାଇବେ । ସେମାନଙ୍କ ଚୟନ ଏହି ଟ୍ରେନିଂ ସମୟର କାର୍ଯ୍ୟକଳାପ ଓ ଦକ୍ଷତା ଫଳରେ ସ୍ଥିର ହେବ। ଆଉ ବାକି ଚାରିଜଣ ନିଜ ଯାତ୍ରା ଏଇଠି ସମାପ୍ତ କରିବେ। ସେମାନଙ୍କ ଫେରନ୍ତା ଯାତ୍ରା ଖର୍ଚ୍ଚ ମଧ୍ୟ କମ୍ପାନୀ ବହନ କରିବ..


ଏକ ରକମ ଭୟ ଖେଳିଗଲା ସମସ୍ତଙ୍କ ମଧ୍ୟରେ..ଏତେ ଦୂର ଆସିବା ପରେ କଣ ଖାଲି ହାତରେ ଫେରି ଯିବାକୁ ହେବ?


ଝାନଶିରୁ ଆସିଥିବା ମିନାକ୍ ଲୁହ ଭର୍ତ୍ତି ଆଖିରେ କହିଲା "ମୋ ଜେଜେ ମୋତେ ଏହି ୟୁନିଫର୍ମ ରେ ଦେଖିବେ ବୋଲି ପ୍ରାଣ ଧରି ରହିଛନ୍ତି। ଆଉ ଯଦି ମୁଁ ହାରି ଯାଇ ଫେରେ…"


କୋଲକାତାର ଅନିମା କହିଲା " ମୋ ଭାଇ ମୋତେ ମାରିଦେବ। ସେ ତା ସାଙ୍ଗମାନଙ୍କୁ ବଡ଼ ପାର୍ଟି ଦେଇଥିଲା ମୋ ଚାକିରି ହେବା ଖୁସିରେ। ଆଉ ଏବେ ଯଦି କହିବି ସେଇଟା ହୋଇନି..ତେବେ.."


ଏମିତି ପ୍ରାୟ ସମସ୍ତେ ସେଦିନ ବସରେ ରୁମକୁ ଆସିବା ବେଳେ ବାଟରେ ସେହି କଥା ହିଁ ହେଉଥିଲେ। ଚୁପ୍ ଥିଲା କେବଳ ମିତ୍ରା.. ତାକୁ ପଚରା ଯିବାରୁ ସେ କହିଲା.."ହାରିଗଲେ ନିଜକୁ ନିଜେ କେବେ କ୍ଷମା ଦେଇ ପାରିବିନି,ସତକଥା। କିନ୍ତୁ ମୁଁ କେବେ ଦୁଃଖୀ ହେବିନି। ବରଂ ଖୁସି ହେବି। କାରଣ ମୋ ସନ୍ତାନ ଓ ପରିବାରର ଯତ୍ନ ପୂର୍ବପରି ଆରାମରେ ନେଇ ପାରିବି.."ହଠାତ୍ ସମସ୍ତେ ହସି ଉଠିଲେ। କେବଳ ଦିଦି ହିଁ ଏ ଚାକିରୀକୁ ଅପ୍ସନାଲ୍ ନେଉଛନ୍ତି ଆଉ ଦରକାର ପଡିଲେ ଗୋଟିଏ ପଦବୀ ଆରାମରେ ମିଳିଯିବ.. କହି ମଜା କଲେ। ମିତ୍ରା ମଧ୍ୟ ମୁଣ୍ଡ ହଲେଇ ହଁ ଭରି ଖୁସି ହେଲା। ଯା ହେଉ ..ସାମୟିକ ଚିନ୍ତା ଟିକକ ଦୂର କରିବା ପାଇଁ ତାର ଏପରି ମନ୍ତବ୍ୟ ଯଥେଷ୍ଟ ଥିଲା। ଗମ୍ଭୀର ହୋଇଯାଇଥିବା ବାତାବରଣ ଟିକେ ତ ହାଲୁକା ହୋଇଯାଇଥିଲା…


ସନ୍ଧ୍ୟାରେ ସମୟ ପାଇଲା ମିତ୍ରା...ଟିକେ ବବଲୁ ସହ କଥା ହେବାକୁ। ଗତ କାଲି ଯାଏଁ ତାର ପ୍ରତ୍ୟେକ ମୁହୂର୍ତ୍ତ ବିତି ଯାଉଥିଲା.. ବବଲୁ ସହ ନାନା ଗପ ଗପିବାରେ.. ଦରୋଟି ଭାଷାରେ ଯେତେବେଳେ ସେ ଖାଲି ଅସ୍ପଷ୍ଟ କିଛି କହିବାକୁ ଆରମ୍ଭ କରେ.. ମିତ୍ରା ସବୁ କାମ ଛାଡ଼ି ଖୁସିରେ ତାକୁ ଚାହୁଁଥାଏ। ଆଉ ଆଜି..ଦିନସାରା ଥରୁଟିଏ ବି ଶୁଣିନି ତା ସ୍ଵର..


"ବବଲି.." ଡାକିଲା ମିତ୍ରା.. ଫୋନ୍ ରେ..ଜାଣି ପାରିଲା କି ନାହିଁ କେଜାଣି ପିଲାଟା..ଫୋନରୁ କିଛି ସ୍ଵର ଶୁଣା ଯାଉ ନ ଥିଲା.. ଶେଷରେ ମା କହିଲେ "ତୋ ସ୍ଵର ଫୋନ୍ ଭିତରୁ କେମିତି ଆସୁଛି ଭାବି ତୋ ପୁଅ ରିସିଭର ଧରି ଏପଟ ସେପଟ କରି ଖାଲି ଦେଖୁଛି।" ହସିଲା ମିତ୍ରା..ତାକୁ ସବୁକିଛି ସତସତିକା ଦେଖିଲା ପରି ଲାଗିଲା। ତା ବବଲୁ କେମିତି ଫୋନ୍ ଧରି ଆଶ୍ଚର୍ଯ୍ୟ ହୋଇ ଦେଖୁଥିବ ନା.. " ଏ ବବଲି..ଟିକେ କଥା ହେବୁନି ଧନ ମାମା ସାଙ୍ଗରେ!!" ବିକଳ ହୋଇ ମିତ୍ରା ପଚାରିଲା। କିନ୍ତୁ..ନା ସେପଟୁ କିଛି ଉତ୍ତର ଆସିଲା ନା ଅଧିକ ସମୟ ଯାଏଁ ଉତ୍ତର ପାଇଁ ଅପେକ୍ଷା କରିରହି ହେଲା.. ଅଗତ୍ୟା ଫୋନ୍ କାଟିବାକୁ ବାଧ୍ୟ ହେଲା ଏକ ଅସଫଳ ମା…


ଛାତିରେ ଅସହ୍ୟ ଯନ୍ତ୍ରଣା। ଛୁଆ ହଠାତ୍ ଫିଡିଂ ବନ୍ଦ କରିଦେଲେ ଏପରି ହୁଏ ବୋଲି ମିତ୍ରା ଶୁଣିଥିଲା। କିନ୍ତୁ.. ଏସବୁ ଯେ ତାକୁ ସାମ୍ନା କରିବାକୁ ହେବ କେବେ କଳ୍ପନା କରି ନ ଥିଲା। ବାଧ୍ୟ ମାତୃତ୍ଵର ବୋଝ ଯୋଗୁଁ ତାକୁ ଜ୍ଵର ଆସିଯାଇଥିଲା। କିନ୍ତୁ..କାହାକୁ କିଛି ଜଣା ନ ଗଲା ପରି ବାହାରି ଯାଇଥିଲା ଟ୍ରେନିଂ ପାଇଁ। ଘରକୁ ଫୋନ୍ କରି ମା ଙ୍କୁ ଏ ବିଷୟ ପଚାରିବ ଭାବିଲା ହେଲେ ମା ଆହୁରି ବ୍ୟସ୍ତ ହୋଇଯିବେ..ତେଣୁ ଚୁପ୍ ରହିଲା। ଗୋଟିଏ ପାରାସେଟାମଲ୍ ଆଣି ଖାଇ କଷ୍ଟ ଲୁଚାଇ ହସିବାକୁ ଚେଷ୍ଟା କଲା। ପ୍ରଥମ ଥର ନିଜ ମନ ନ ଚାହିଁ ମଧ୍ୟ କିପରି ଜଣେ ହସ ଖେଳେଇ ପାରେ..ସେ ଶିଖି ପାରିଲା...ଯୋଗକୁ ସେଦିନ ଟ୍ରେନିଂରେ ସେହି ବିଷୟ ହିଁ ଶିକ୍ଷା ଦିଆଗଲା। ନିଜ ବ୍ୟକ୍ତିଗତ ମନୋଭାବ ଲୁଚାଇ ଅତିଥିମାନଙ୍କୁ କିପରି ସହାସ୍ୟ ବଦନରେ ସ୍ବାଗତ କରାଯିବା ଆବଶ୍ୟକ ତାହା ସେ ଅକ୍ଲେଶରେ କରି ପାରିଲା..


ଟ୍ରେନିଂରେ କଥାବାର୍ତ୍ତା ଠାରୁ ଆରମ୍ଭ କରି କିପରି ଚାଲିବା ଉଚିତ୍ ଆଉ କିପରି ଠିଆ ହେବା ବା ବସିବା ଉଚିତ୍ ସବୁ ଟିକିନିଖି ଶିଖେଇ ଦିଆ ଯାଉଥିଲା। କେତେ ଉପରକୁ ମୁହଁ କରି ସାମ୍ନା ବ୍ୟକ୍ତି ସହ ଆଖିରେ ଆଖି ମିଶେଇ କଥା ହେବାକୁ ପଡିବ ଓ କେତେ ଡିଗ୍ରୀ ହସ ନିଜ ଚେହେରାରେ ରଖିବାକୁ ହେବ ତାହା ରୀତିମତ ଅଭ୍ୟାସ କରାଗଲା। କିପରି କେଶବିନ୍ୟାସ ଓ ପରିଧାନ ହେବ ଆଉ କିପରି ମେକ୍ଅପ୍ ନିଆଯିବ ସବୁ ଗ୍ରୁମିଂ ପାଇଁ ଅଲଗା ଅଲଗା ଅଧିକାରୀ ଆସି ଶିଖେଇ ଦେଇ ଯାଉଥିଲେ। ଦିନକୁ ଦିନ ପ୍ରତ୍ୟେକ ଟ୍ରେନୀ ନିଜ ଭିତରେ ସୁପ୍ତ ରହିଥିବା ନୂଆ ବ୍ୟକ୍ତିତ୍ଵର ସନ୍ଧାନ ପାଉଥିଲେ ଯେପରି…


ମିତ୍ରା ଆଲଫା ବିଟା ଚାର୍ଲିର ସାଙ୍କେତିକ ଭାଷା ଶିଖିଥିବା ବେଳେ ବବଲୁ ନିଜ ପ୍ରଥମ ପାଦ ପକେଇ ଚାଲି ଶିଖିବାକୁ ଲାଗିଥିଲା। ଶଙ୍କରଙ୍କ ସହ କଥା ହେବା ଅପେକ୍ଷା ବବଲୁର ସ୍ଵର ଶୁଣିବା ପାଇଁ ମିତ୍ରାର ଅଧୀରତା ବଢ଼ିବାରେ ଲାଗିଥିଲା। ବବଲୁ ନୂଆ ନୂଆ ଶବ୍ଦ ଶିଖୁଥାଏ। ତା ବିଷୟରେ ପଚାରିଲେ ଶଙ୍କର ମଧ୍ୟ ଏତେ କିଛି କହୁ ନ ଥିଲେ। ଦୁଇ ପଦ କଥା ହୋଇଯିବା ପରେ ଚୁପ୍ ରହି ଯାଉଥିଲେ । ମିତ୍ରା ସେ କଥାକୁ ଏତେ ଗୁରୁତ୍ବ ଦେଲାନି। କାରଣ ସେ ଜାଣେ..ଶଙ୍କର ନିଶ୍ଚୟ କିଛି ସମାଧାନ କରି ସାରିଥିବେ। ସେ ମଧ୍ୟ ଜାଣିଛନ୍ତି ଚାକିରି କରିବାକୁ ମିତ୍ରା ବାହାରି ଗଲେ କଣ ସବୁ ଅସୁବିଧା ହେବ। ତା ଛଡା ଗାଆଁରେ ରହୁଥିବା ତା ଶାଶୁ ଶ୍ୱଶୁରଙ୍କୁ ସେ କେତେଥର ଆସି ସାଙ୍ଗରେ ରହିବାକୁ କହିଛି। କିନ୍ତୁ ବବଲୁ ଜନ୍ମ ହୋଇ ନ ଥିବାରୁ ସେମାନେ ସବୁବେଳେ କହୁଥିଲେ ଛୁଆ ଆସିଗଲା ପରେ ସେମାନେ ଆସିଯିବେ। ବୃଦ୍ଧ ବୟସରେ ପିଲାଙ୍କ ଠାରୁ ଦୂରେଇ ରହିବାକୁ କିଏ ବା ପସନ୍ଦ କରିବ.. ଅତଏବ ମିତ୍ରା ଏକ ରକମ ନିଶ୍ଚିତ ଥାଏ ଶଙ୍କର ଏ ଭିତରେ ସେମାନଙ୍କ ସହ କଥା ହୋଇ କିଛି ନିଷ୍ପତ୍ତି ନେଇ ସାରିଥିବେ..ଏତିକି ବିଶ୍ୱାସ ତାର ଅତୁଟ ଅଛି ତାଙ୍କ ଉପରେ…


ଛ' ଦିନ ବିତି ଯାଇଥିଲା। ଆସନ୍ତା ଦିନ ବୋଧେ ସେମାନେ ଫେରି ଯିବେ.. ଆବ୍ରହମ ସାର୍ ଆସୁଥିଲେ ସନ୍ଧ୍ୟାରେ। ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ..। ଟିକେ ଆଗରୁ ଖାଇବା ସାରି ଆସିବା ବେଳେ ଝାଡ଼ଖଣ୍ଡରୁ ଆସିଥିବା ପିନାକୀ ଖସି ପଡି ଯାଇଥିଲା ଓ ଖଣ୍ଡିଆ ହୋଇଯାଇଥିଲା ତା ଗୋଡରେ। ଟିକେ ରକ୍ତ ବାହାରି ଆସିବା ଦେଖି ସଙ୍ଗେ ସଙ୍ଗେ ମିତ୍ରା ନିଜ ପର୍ସ୍ ରୁ ସିନ୍ଦୁର ଟିକେ ବାହାର କରି ପକେଇ ଦେଇଥିଲା। ଘରଣୀ ହିସାବରେ ଏସବୁ ପ୍ରାଥମିକ ଚିକିତ୍ସା ଏକ ସାଧାରଣ କଥା। ହେଲେ ସଙ୍ଗେ ସଙ୍ଗେ ଏପରି ଏକ ଆଣ୍ଟିସେପଟିକ ଦେଇ ରକ୍ତସ୍ରାବ ବନ୍ଦ କରି ସାହାଯ୍ୟ କରିଥିବାରୁ ସମସ୍ତେ ଅଭିଭୂତ ହୋଇ ଯାଇଥିଲେ। ଏମିତିରେ ଦିଲ୍ଲୀ ରହଣି ସମୟରେ ମିତ୍ରା ସବୁ ଟ୍ରେନୀ ମାନଙ୍କ ପ୍ରିୟପାତ୍ର ହୋଇ ସାରିଥିଲା। ଏହି ଘଟଣାଟି ସେ ଭିତରୁ ଏକ ଉଦାହରଣ ମାତ୍ର..ଏତେ ସ୍ୱଳ୍ପ ଦିନ ଭିତରେ ଏ ଅଠେଇଶ ଜଣ ବହୁତ ଭଲ ବନ୍ଧୁ ହୋଇ ଯାଇଥିଲେ। ସମସ୍ତେ କିନ୍ତୁ ଡରୁଥିଲେ..କେଉଁ ଚାରିଜଣ ଏଥର ନିରାଶ ହୋଇ ଫେରି ଯିବେ..


ଚିରାଚରିତ ଢଙ୍ଗରେ ଆସିଲେ ଅାବ୍ରହମ ସାର୍। ଜଣ ଜଣ କରି ସମସ୍ତଙ୍କ ବିଷୟରେ ନିଜ ମତାମତ ଦେଲେ। କୌଣସି ମଧ୍ୟ ଘଟଣା ତାଙ୍କ ନକରରୁ ଲୁଚି ପାରି ନ ଥିଲା। ଏମିତିକି ଏଇ ପିନାକୀର ଖଣ୍ଡିଆ କି ମିତ୍ରାର ଉପସ୍ଥିତ ବୁଦ୍ଧି କଥା। ଭୂରି ପ୍ରଶଂସାରେ ପୋତି ପକାଇଲେ ସେ। ବହୁତ ଖୁସି ହେଲେ ସମସ୍ତେ। ଆବ୍ରହମ ସାର୍ ଏହା ମଧ୍ୟ କହିଲେ ଯେ କୌଣସି ଟ୍ରେନୀ ଫେରି ଯାଉ ନାହାନ୍ତି ନିଜ ଯାତ୍ରା ଅଧାରୁ..ଏ କଥା ଶୁଣି ସମସ୍ତେ ଏକା ଥରେ ଖୁସି ହୋଇ ଚିତ୍କାର କଲେ। ଏହା ପରେ ସେ ଘୋଷଣା କଲେ ଯେ ବିମାନବନ୍ଦର ଫ୍ଲୋର ଅଭ୍ୟାସ ପାଇଁ ଆଉ ପାଞ୍ଚ ଦିନ ଅଧିକ ରହିବାକୁ ହେବ ଦିଲ୍ଲୀରେ। ସେ ଅନୁଯାୟୀ ଘର ଲୋକଙ୍କୁ ଜଣେଇ ଦିଆ ଯିବାକୁ ସେ ସୁଚେ଼ଇ ଦେଲେ।


ଠପ୍ ଠପ୍ କରି ଦୁଇ ବୁନ୍ଦା ଲୁହ ଝରି ଆସିଲା ମିତ୍ରା ଆଖିରୁ..କାହାକୁ ଦେଖା ନ ଗଲା ପରି ପୋଛି ପକାଇଲା ବେଳେ କିନ୍ତୁ ଦେଖି ଦେଇଥିଲେ ରତନ…!!


ଜଣ ଜଣ କରି ସମସ୍ତଙ୍କ ଘରକୁ ଫୋନ୍ କରି ଆଗାମୀ ପାଞ୍ଚ ଦିନର ଅଧିକ ରହଣି ବିଷୟରେ ଜଣାଇଥିଲେ ନିଜେ ଆବ୍ରହାମ ସାର୍। ମିତ୍ରା ବିଷୟ ଜଣେଇବାକୁ ସେ ଶଙ୍କରଙ୍କ ନମ୍ୱର୍ ଲଗେଇଲେ। ଅଳ୍ପ ହସିଲା ମିତ୍ରା..ଏଥର ତା ବିଷୟରେ ନିଷ୍ପତ୍ତି ନେବାକୁ ଶଙ୍କରଙ୍କ ଅଧିକାର ଅଛି.. ବିବାହିତା ସେ..ତେଣୁ… ଅବଶ୍ୟ ଯଦି ତା ବାବାଙ୍କୁ ପଚରା ଯାଇଥାନ୍ତା ସେପଟୁ ଆସୁଥିବା ଉତ୍ତର ପାଇଁ ଉତ୍କଣ୍ଠା ରୁହନ୍ତା। କିନ୍ତୁ ସେ ଜାଣେ ଶଙ୍କରଙ୍କ ଉତ୍ତର କଣ ହେବ.. ଏଣୁ ଚୁପଚାପ୍ ରୁମ୍ ବାହାରକୁ ଚାଲି ଆସିଲା। ଆହୁରି ପାଞ୍ଚ ଦିନ.." ଭାଉଜ"ଡାକରେ ପ୍ରକୃତିସ୍ଥ ହେଲା। ସାମ୍ନାରେ ରତନ ଠିଆ ହୋଇଥିଲେ। "ମୁଁ ବୁଝି ପାରୁଛି। ଏତିକି କରି ପାରିବି ଆପଣଙ୍କୁ ମୋ ମୋବାଇଲ ଦେଇ ଦେବି। ଯେତେବେଳେ ଚାହିଁବେ ପୁଅ ସହ ଗପି ପାରିବେ.." ଏତିକି ଶୁଣି ସେତେବେଳୁ ଦବେଇ ରଖିଥିବା ଲୁହ ଦି ଧାର ବାହାରିଗଲା। ନିଜକୁ ସମ୍ଭାଳି ନେଇ କୃତଜ୍ଞତା ଜଣେଇ ମିତ୍ରା ପୁନଃ ରୁମ୍ ଭିତରକୁ ଗଲା…


ଆରମ୍ଭ ହୋଇଯାଇଥିଲା ଫ୍ଲୋରର ପ୍ରକୃତ ଟ୍ରେନିଂ.. ୟୁନିଫର୍ମ ପିନ୍ଧି ସମସ୍ତେ ସମ୍ପୂର୍ଣ୍ଣ ଅଲଗା ଦେଖା ଯାଉଥିଲେ ଆଉ ଏକା ଭଳିଆ ମଧ୍ୟ। ଚଉଦ ଜଣ ସେକ୍ୟୁରିଟି ଅଫିସର ହିସାବରେ ଆଉ ଅନ୍ୟ ଚଉଦ ଜଣ ବିମାନବନ୍ଦର ପରିଚାଳକ ହିସାବରେ ନିଜ ନିଜ ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରି ସାରିଥିଲେ। ଟିକେଟ ପଞ୍ଜିକରଣ ଠାରୁ ଆରମ୍ଭ କରି ସହାୟତା କେନ୍ଦ୍ର ସମ୍ଭାଳିବା, କନଭେୟର ବେଲଟ ଚଲେଇବା, ବ୍ୟାଗାଜ୍ ଟ୍ୟାଗ୍ ଲଗେଇବା,ସ୍ବାଗତ ଓ ବିଦାୟ ସମୟର ପରିଚାଳନା ତଥା ବିମାନ ସମର୍କରେ ଘୋଷଣା କରିବା ଠାରୁ ଆରମ୍ଭକରି ଲୋଡ୍ ସିଟ୍ ତିଆରି କରିବା,ଯାଞ୍ଚ କରି ଜିନିଷପତ୍ର ସୁରକ୍ଷିତ କରିବା ଆଦି ପ୍ରତ୍ୟେକ ବିଷୟରେ ସମସ୍ତେ ନିଜ ନିଜ ଦାୟିତ୍ୱ ସମ୍ଭାଳି ଚାଲିଲେ..। ଏକ ନୂତନ ଜୀବନଶୈଳୀ ଆରମ୍ଭ ହୋଇ ସାରିଥିଲା। ଉତ୍ସାହ ତଥା ଆଗ୍ରହ ହିଁ ଆଗକୁ ନେଇ ଯାଉଥାଏ। ଏ ନୂଆ ଟିମ୍ ନିଜ ନିଜ ସହଯୋଗିତା ପାଇଁ ସବୁଠି ପ୍ରଶଂସା ପାଉଥାଏ। ଗତ କିଛି ଦିନ ତଳେ ଏ ଏଭିଏସନ ଦୁନିଆରୁ ପୁରା ଅଲଗା ଥିବା ଏ ଆଗନ୍ତୁକମାନେ ଏକାକାର ହୋଇ ସାରିଥିଲେ ବ୍ୟୋମଯାନ ସହିତ ଜଡିତ ଥିବା ଅନ୍ୟ ସଦସ୍ୟ ମାନଙ୍କ ସହିତ। ଦକ୍ଷତା ପ୍ରତିପାଦନ କରି ସାର୍ଟିଫିକେଟ ଆଉ ନିଯୁକ୍ତି ପତ୍ର ପାଇବା ପରେ ସେମାନଙ୍କ ଟ୍ରେନିଂ ସମାପ୍ତି ଆଡ଼କୁ ଗତି କରୁଥିଲା...


ସନ୍ଧ୍ୟାରେ ଥାଏ ଏକ କକ୍ଟେଲ୍ ପା ର୍ଟି..ନୂଆ ସଦସ୍ୟମାନଙ୍କୁ ବିଦାୟ ଦେବାର ପର୍ବ। ମିତ୍ରାର ମନ ଆଉ କେଉଁଠି ଲାଗୁ ନ ଥାଏ..ନିଜ ବ୍ୟାଗ୍ ସବୁଠାରୁ ପ୍ରଥମେ ସେ ହିଁ ସଜାଡି ଦେଇଥାଏ.. । "ଶ୍ୱେତା.. ମୋର ହନୁମାନ ଚାଳିଶା ବହି ତୁମ ପାଖରେ ଥାଉ। ରାତିରେ ମୁଣ୍ଡ ତଳେ ରଖି ଶୋଇବ। ସ୍ବପ୍ନ ଦେଖି ବହୁତ ଚମକୁଛ ତୁମେ.."କହିଲା ମିତ୍ରା। ହସି ହସି ଶ୍ବେତା କହିଲା " ମିତୁ ଦି..ଆପଣ ନା ସତରେ ଜଣେ ଗେଲୁ ମାମା..ଚାଲନ୍ତୁ ପାର୍ଟି ଟାଇମ୍ ହେଲାଣି। ବାଇ ଦ ୱେ..କଣ ପିନ୍ଧିବେ କହିଲେ.." ମିତ୍ରା କିନ୍ତୁ ମନା କଲା ତଳକୁ ଯିବା ପାଇଁ। ସେ ପାର୍ଟି ଫାର୍ଟି ତାକୁ ଭଲ ଲାଗେନା। ତା ଛଡା ସେ ଶୁଣି ସାରିଛି ଆଜି ପାର୍ଟିରେ ଧିମ ଆଲୁଅରେ ନାଚ ଗୀତ ସବୁ ହେବ। ବଡ଼ ବଡ଼ ଅଫିସର ମାନେ ଆସୁଥିଲେ। କକ୍ ଟେଲ୍ ପାର୍ଟି ମାନେ କଡା ପାନୀୟ ବି ତ ସାଧାରଣ କଥା। ଏସବୁ ତାକୁ କେବେ ପସନ୍ଦ ନୁହେଁ। ଶ୍ବେତାକୁ କହିଲା କେହି ପଚାରିଲେ କହିଦେବ ତା ମୁଣ୍ଡ ବିନ୍ଧୁଛି। ଶ୍ୱେତା ଚାଲିଗଲା ପରେ ସେ ନିଜ ଭାବନା ରାଜ୍ୟରେ ବୁଡିଗଲା। କାଲି କିପରି ସେ ପହଞ୍ଚିଯିବ ତା ପରିବାର ପାଖରେ..!!ତା ବବଲୁ..ଏତେଦିନ ପରେ ତାକୁ ଦେଖି କେମିତି ରିଆକ୍ଟ କରିବ କେଜାଣି.. ତା ମା ବାବା..ଶାଶୁ ଶଶୁର ଆଉ ଶଙ୍କର….


ଫ୍ଲାଇଟ୍ ଡେରି ଥିଲା। ଘଣ୍ଟାଏ ଡେରି ମଧ୍ୟ ବେଶୀ କଷ୍ଟ ଲାଗୁଥିଲା ଶଙ୍କରଙ୍କୁ.. ମିତ୍ରା ଆସିବା ସମୟ ଯେତେ ଅଧିକ ପାଖେଇ ଆସୁଥିଲା ତାଙ୍କ ହୃତସ୍ପନ୍ଦନ ମଧ୍ୟ ସେତେ ବଢ଼ି ବଢ଼ି ଚାଲିଥିଲା। ଲ୍ୟାଣ୍ଡ କଲା ପରେ ଜଣେ ଜଣେ କରି ଯାତ୍ରୀ ଆସୁଥିଲେ ଡିପାର୍ଚର୍ ଗେଟ୍ ଆଡ଼କୁ...ତାରା ଗହଣରେ ଚନ୍ଦ୍ର ପରି ସଜଫୁଟା ଏକ ପଦ୍ମ ପରି ମିତ୍ରା ସ୍ମିତ ହସି ଆଗେଇ ଆସୁଥିଲା..ବ୍ୟଗାଜ୍ ଗ୍ରହଣ କରି ସେ ଆସିଲା ପାଖକୁ..ଆହୁରି ପାଖକୁ…ଏତିକି ଦିନ ଭିତରେ ତା ସୌନ୍ଦର୍ଯ୍ୟ ଆହୁରି ବଢି ଯାଇଥିଲା.. ଆତ୍ମବିଶ୍ବାସର ସ୍ପର୍ଶ ପାଇ..ବିଜୟିନୀ ସାଜି ଆଗେଇ ଆସୁଥିଲା ସେ...ତା ଚାଲିରେ ଝଲକୁଥିଲା ସଫଳତା ଆଉ ହସରେ ଆତ୍ମୀୟତା...


ସାମ୍ନାରେ ଶଙ୍କର ଠିଆ ହୋଇଥିଲେ। ଯଥାମାନ୍ୟ କରି ସମସ୍ତେ ପରସ୍ପର ଠାରୁ ବିଦାୟ ନେଇ ସାରିଥିଲେ। ବନ୍ଧୁମାନେ ଚାଲିଯିବା ପରେ ଏଥର ପାଖକୁ ଆସିଲା ମିତ୍ରା.."କେମିତି ଅଛ ମିିତୁ?" ଶଙ୍କରଙ୍କ ଏ ପ୍ରଶ୍ନରେ ଚମକି ପଡ଼ିଲା ମିତ୍ରା... ଆଜିଯାଏଁ କେତେଥର ସେ ଅଭିମାନ କରିଛି ଶଙ୍କର ତାକୁ ନାମ ଧରି ଡାକି ନାହାନ୍ତି ବୋଲି..ହେଲେ ସେ ସବୁବେଳେ କୁହନ୍ତି " ତୁମେ ତ ମୋ ପାଖରେ ଅଛ। ଦୂରକୁ ଗଲେ ସିନା ନାଁ ଧରି ଡାକିବି.."ତେବେ..ତେବେ ଆଜି କଣ ସେ ତାଙ୍କଠାରୁ ଦୂରକୁ ଚାଲି ଯାଇଛି ଛାତିଟା ଧଡ଼ ଧଡ଼ ହେଲା। ନିଜକୁ ପ୍ରକୃତିସ୍ଥ କରି ନେଲା ମିତ୍ରା...ଏମିତି କଣ ସେ ଭାବୁଛି ଯେ ରାତି ହୋଇଯାଇଥିବାରୁ ବାହାରେ ଖାଇ ଦେଇ ଘରକୁ ଯିବା କହିଥିଲେ ଶଙ୍କର।"ଗାଆଁକୁ" ଆଶ୍ଚର୍ଯ୍ୟ ହୋଇ ପଚାରିଲା ମିତ୍ରା।" କାଲି ସକାଳୁ ଯିବା..ଏତେ ରାତିରେ ଯିବା ତ ଉଚିତ ହେବନି" ସହଜ ଭାବରେ ଉତ୍ତର ଦେଇଥିଲେ ଶଙ୍କର। ମିତ୍ରାକୁ କିନ୍ତୁ ଭାରି ଅସହଜ ଲାଗୁଥିଲା। ଶଙ୍କର ପ୍ରଥମେ ବବଲୁ ପାଖକୁ ଯିବାକୁ କହିବେ ବୋଲି ସେ ଭାବିଥିଲା। ଏମିତିରେ ଗାଆଁକୁ ଯିବାକୁ ଟ୍ରେନ ଧରି ହୋଇଥାନ୍ତା କିମ୍ବା ସେମାନେ ଏକ ଗାଡ଼ି ଭଡ଼ା କରି ପାରିଥାନ୍ତେ..ତଥାପି.. କିନ୍ତୁ ଶଙ୍କର କହିବା କଥା ଉପରେ ସେ ତ କିଛି କୁହେନା ତେଣୁ ବାଧ୍ୟ ଶିଶୁ ପରି ଚୁପ୍ ରହିଲା। ଖାଇସାରି ଦୁଇଜଣ ଘରକୁ ଆସିଲେ…ମିତ୍ରାର ଖାଦ୍ୟ ଗ୍ରହଣରେ ମଧ୍ୟ ଏକ ଆଭିଜାତ୍ୟ ଅଭ୍ୟାସର ଝଲକ ସ୍ପଷ୍ଟ ଦେଖା ଯାଉଥିଲା...


ତାଲା ଖୋଲି ଭିତରକୁ ଆସିଲା ବେଳେ ମିତ୍ରାକୁ ଭାରି ଖାଁ ଖାଁ ଲାଗିଲା। ଘରେ ବବଲୁର ଅନୁପସ୍ଥିତି ତାକୁ ଅସହ୍ୟ ଲାଗୁଥିଲା.. ପୋଷାକ ବଦଳେଇବାକୁ ଯାଇ କପବୋର୍ଡ ଖୋଲି ଦେଖିଲା ବବଲୁର ଗୋଟିଏ ବି ପୋଷାକ ନାହିଁ। ତା ଖେଳନା କି ଅନ୍ୟ ବ୍ୟବହୃତ ଜିନିଷ ମଧ୍ୟ ଦେଖା ଯାଉ ନ ଥିଲା। ଆଶ୍ଚର୍ଯ୍ୟ ହେଲା ମିତ୍ରା। 


"ବବଲୁ କିଛି ଦିନ ପାଇଁ ହିଁ ତ ଗାଁକୁ ଯାଇଛି। ହେଲେ ତାର ସବୁ ଜିନିଷ କାହିଁକି ନାହିଁ? "ପଚାରିଲା ମିତ୍ରା।" ଆରେ ଏବେ କଣ ଆମେ କହି ପାରିବା କିଛି? କେତେ ଦିନ ତାକୁ ସେଠି ରହିବାକୁ ପଡ଼ିବ.. ତେଣୁ ମୁଁ ତାର ସବୁ ଜିନିଷ ଦେଇ ଦେଇଛି। ବବଲୁ ଆସିଲା ବେଳେ ପୁଣି ନେଇ ଆସିବାନି।"ଶଙ୍କରଙ୍କ ଏ ଉତ୍ତର କିନ୍ତୁ ତାକୁ ସନ୍ତୋଷ ଦେଇ ପାରିଲାନି। ଏବେ କହି ହେବନିର ମାନେ କଣ ଶଙ୍କର ଏତିକି ଦିନ ଭିତରେ କଣ ତେବେ କିଛି ନିଷ୍ପତ୍ତି ନେଇ ନାହାନ୍ତି କାହା ସହ କିଛି କଥା ହୋଇଛନ୍ତି ନା ନାହିଁ ପଚାରିବାକୁ ଆଗେଇ ଆସିବା ବେଳେ ତାଙ୍କ ଗମ୍ଭୀର ମୁହଁ ଦେଖି ମିତ୍ରା ଚୁପ୍ ହୋଇଯାଇଥିଲା। କିନ୍ତୁ ପ୍ରକୃତରେ ଗୋଟିଏ ମିନିଟ୍ ସେ ଆଉ ନିଜକୁ ଅଟକେଇବାକୁ ଚାହୁଁ ନ ଥିଲା। ତାର ଏମିତି ବ୍ୟସ୍ତତା ଦେଖି ଶଙ୍କର କହିଲେ " ଚାଲ..ବରଂ ଷ୍ଟେସନରେ ରାତିଟା ରହିଯିବା..ରାତି ତିନିଟାରେ ଯେଉଁ ଟ୍ରେନ ବାହାରିବ ସେଥିରେ ଗାଆଁକୁ ଯିବା.."ଖୁସି ହୋଇ ହସିଦେଲା ମିତ୍ରା। ତା ଆଖିରେ ଚମକ୍ ବାରି ହୋଇ ଯାଉଥିଲା…


ଷ୍ଟେସନରେ ପହଞ୍ଚି ବେଞ୍ଝ ଉପରେ ଦୁହେଁ ବସି ବହୁତ କିଛି ଗପିଲେ। ମିତ୍ରାର ଟ୍ରେନିଂ କଥା.. ଆଉ ଶଙ୍କରଙ୍କ ଅଫିସ୍ କଥା। ବବଲୁ ଚାଲିବାକୁ ଆରମ୍ଭ କରିବା କଥା ଜାଣି ମିତ୍ରା ବହୁତ ଖୁସି ହେଉଥିଲା। ଅବଶ୍ୟ ଜିନିଷ ପତ୍ର ଧରି ଆଗରୁ ଅଳ୍ପ ଠିଆ ହେଉଥିଲା କିନ୍ତୁ ଆପେ ପାଦ ଉଠେଇ ପାରି ନ ଥିଲା। "ଯା ହେଉ ମା କୋଳରୁ ଓହ୍ଲେଇ ଛୁଆଟି ଚାଲି ଶିଖିଗଲା" କହିଲେ ଶଙ୍କର..ଆଉ ଦୁହେଁ ହସି ଉଠିଲେ। "ଆଛା ତୁମେ କେତେ ଦିନ ତଳେ ବବଲିକୁ ଦେଖିଥିଲ?" ପଚାରିଲା ମିତ୍ରା। କିନ୍ତୁ ଶଙ୍କର ଏତିକି ଦିନ ଭିତରେ ଥରେ ବି ଗାଆଁକୁ ଯାଇ ନ ଥିବା ଶୁଣି ବହୁତ ଆଶ୍ଚର୍ଯ୍ୟ ହେଲା। ବିବାହ ପରଠୁ ପ୍ରତି ସପ୍ତାହରେ ଶଙ୍କର ଗାଆଁକୁ ଯାଆନ୍ତି। ବାପଘର ଓ ଶାଶୁଘର ଗୋଟିଏ ଜାଗାରେ ହୋଇଥିବାରୁ ଦୁହେଁ ଏଇୟା କରିବା ଏକ ଅଭ୍ୟାସ ଥାଏ। ମିତ୍ରା ଯଦି କେବେ ଯାଇ ନ ପାରିଛି କିମ୍ବା ବବଲୁ ଦେହ ଖରାପ ଥାଏ ତେବେ ମଧ୍ୟ ଶଙ୍କର ଯିବାଟା କେବେ ବନ୍ଦ କରି ନାହାନ୍ତି। ହଁ ଯଦି ଶାଶୁ ଶଶୁର ଏମାନଙ୍କ ଘରକୁ ଆସିଥାନ୍ତି କିମ୍ବା ଆଉ କେଉଁଆଡେ ଯାଇଥାନ୍ତି ତେବେ କଥା ଅଲଗା..ତା ହେଲେ ଆଜି ଏ ବ୍ୟତିକ୍ରମ କାହିଁକି..


ଅବୁଝା ମିତ୍ରାର କୌଣସି ପ୍ରଶ୍ନର ମନଲାଖି ଉତ୍ତର ନ ଥିଲା ଶଙ୍କରଙ୍କ ପାଖରେ। ତଥାପି ସେ ପଚାରିଲା" ଆଛା.. ବବଲିକୁ ରଖିବା ପାଇଁ ଅଜା ଆଉ ଜେଜେ ଭିତରେ ଟଣା ଓଟରା ହୋଇ ଗଲାଣି ନା ନାହିଁ ଏମିତିରେ ଅଜା ଘରେ ଗୋଟିଏ ଦିନ ରହିଗଲେ ଜେଜେ ପାଟି କରନ୍ତି। ତାଙ୍କ ଘରକୁ ଆସିଯିବା ପାଇଁ ଜିଦ୍ କରନ୍ତି। ଆଉ ଏବେ ତ ଛୁଆଟା ଏକା ଅଛି। ସମସ୍ତଙ୍କ ସ୍ନେହ ତା ଉପରେ ଅଜାଡି ହୋଇ ଯାଉଥିବ ନା.." ଶଙ୍କର କିଛି ଉତ୍ତର ଦେବା ପୂର୍ବରୁ ଟ୍ରେନ ଆସିଯାଇଥିଲା ଓ ସେକଥା ସେତିକିରେ ହିଁ ରହି ଯାଇଥିଲା…


ଆସିଯାଇଥିଲା ସେ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ..ଷ୍ଟେସନରୁ ଆସି ଘର ସାମ୍ନାରେ ଠିଆ ହୋଇଥିଲା ମିତ୍ରା.. ଡୋର୍ ବେଲ୍ ଶୁଣି ଆନନ୍ଦରେ ପାଟି କରି ଆସୁଥିଲା ବବଲୁ..ପଛରେ ଆଈ ଆସୁଥିଲେ..କିନ୍ତୁ ସେ ନିଜ ଛୋଟ ଛୋଟ ପଦ୍ମ ପରି ଗୋଲାପି ପାଦ ପକେଇ ଆଗେଇ ଆସିଲା ଦଶ ପାହୁଣ୍ଡ...ଆଃ..କି ଶାନ୍ତି ଦେଲା ସେଇ ଗୋଟିଏ ଝଲକ .. ଗୋରା ତକ୍ ତକ୍ ଦେହରେ ଗୋଟିଏ ଗାଢ଼ ନୀଳ ବାନୀୟନ୍ ଓ ଅଣ୍ଟାରେ ରୂପା ଘାଘୁଡି ମାଳ..ହାତରେ ସୁନା ବଳା ଦୁଇଟି..ଦୋୖଡି ଆସୁ ଆସୁ ଖୁସିରେ ପାଦ ଟଳମଳ ହେଲା ଓ ମିତ୍ରା ବଢ଼େଇ ଥିବା ମମତା ବନ୍ଧନରେ ବବଲୁ ଆସି ବାନ୍ଧି ହୋଇ ରହି ଯାଇଥିଲା...ଆଣ୍ଠେଇ ବସିଥିବା ମିତ୍ରା ଆଖିରେ ଆନନ୍ଦ ଅଶ୍ରୁ..ମନ ଭରି ଚୁମା ଦେଇ ଚାଲିଲା ସେ ସେମିତି ବାହାରେ ଠିଆ ହୋଇ..ଗୋଲ ଗୋଲ କରି ଦୁଇଥର ବୁଲିଲା ବବଲୁକୁ ଧରି..ମା ପୁଅଙ୍କ ଏ ଖୁସି ମିଳନ ଦେଖି ସମସ୍ତେ ତୃପ୍ତ ହୋଇ ଯାଇଥିଲେ.. ବବଲୁ ମଧ୍ୟ ତାର ତଳ ଦାନ୍ତ ଦୁଇଟି ଦେଖେଇ ହସୁଥିଲା ଠିକ୍ ବାଳ ଗୋପାଳ ପରି.. ଆଈ ଲଗେଇ ଦେଇଥିବା ଗୋଲ କଳା ଟିପାଟି ତା ମୁହଁକୁ ବେଶ୍ ମାନୁଥିଲା..ଦୀର୍ଘ ତିନିଶହ କୋଡ଼ିଏ ଘଣ୍ଟା ପରେ ମା ପୁଅ ଦେଖୁଥିଲେ ପରସ୍ପରକୁ..!!


ଆଗ୍ରହ ସହିତ ବବଲୁ କେତେ କଣ କହି ଚାଲିଥିଲା। ବାରମ୍ବାର ଚାଲିବାକୁ ଚେଷ୍ଟା କ ରି ଝୁଣ୍ଟି ପଡୁଥିଲା। ଆଉ ତାର ଏ ମନମୋହକ ଲୀଳା ଆଗରେ ସବୁ କଥାବାର୍ତ୍ତା ଫିକା ପଡି ଯାଇଥିଲା.."ମିତୁ..ଆମ ଘରକୁ ବାହାରିବା ଏଥର..ବୋଉ ବାପା ବି ଆମ ପାଇଁ ଜଗି ବସିଥିବେ.." କହିଲେ ଶଙ୍କର। ସବୁବେଳେ ଏମିତି ହିଁ ହୁଏ। ମିତ୍ରା ତା ପିତ୍ରାଳୟରେ ରହିବାକୁ ସମୟ ପାଏ ନାହିଁ। ଆସିବା ସଙ୍ଗେ ସଙ୍ଗେ ଶଶୁର ଘରକୁ ଯିବାକୁ ହୁଏ.. ଅଗତ୍ୟା ବବଲୁକୁ ଧରି ସେମାନେ ବାହାରିଗଲେ..


ମିତ୍ରା ଗୋଟିଏ ଜିନିଷ ବୁଝି ପାରୁ ନ ଥାଏ..ତା ଅନୁପସ୍ଥିତିରେ ଗୋଟିଏ ଜାଗାରେ ଥାଇ ମଧ୍ୟ ତା ଶାଶୁଘର ଲୋକେ ବବଲୁକୁ ଦେଖିବାକୁ ମଧ୍ୟ ଆସି ନାହାନ୍ତି କି ସାଙ୍ଗରେ ନେଇ ନାହାନ୍ତି କିପରି.. ଚାକିରି କରି ପ୍ରଥମ ଥର ଯାଇଥାଏ ମିତ୍ରା ନିଜ ଶାଶୁଘର...ସମସ୍ତଙ୍କ ଖୁସି ଦେଖି ତାକୁ ଭାରି ଖୁସି ଲାଗିଲା। ଆଉ ଯେତେବେଳେ ଶଶୁର କହିଲେ"ଆମ ଶଙ୍କର ସବୁବେଳେ ଚାହୁଁଥିଲା ତା ସ୍ତ୍ରୀ ଚାକିରି କରିଥାଉ ବୋଲି। ଯା ହେଉ ତା ଇଚ୍ଛା ପୂରଣ ହେଲା.. " ମିତ୍ରା ଆଶ୍ଚର୍ଯ୍ୟ ହେଲା। ତାକୁ କେବେ ଶଙ୍କର କହି ନ ଥିଲେ ଏପରି କିଛି ଆଗରୁ। ତା ନ ହେଲେ ବବଲୁ ଆସିବା ଆଗରୁ ତ ସେ…ହଉ ଛାଡ଼..ଗତସ୍ୟ ଶୋଚନା ନାସ୍ତି.. ବର୍ତ୍ତମାନ ଯଦି ସେ ଶଙ୍କରଙ୍କ ଇଚ୍ଛା ପୁରା କରୁଛି ତେବେ….


ସନ୍ଧ୍ୟା ହେବା ଆଗରୁ ସେମାନେ ପୁଣି ମିତ୍ରା ଘରକୁ ଆସିଗଲେ। ବହୁତ ଥର ଭାବିଲା ସେ ପଚାରିବ ତା ଅନୁପସ୍ଥିତିରେ ବବଲୁ ପାଖକୁ ସେମାନେ କାହିଁକି ଥରେ ବି ଯାଇ ନାହାନ୍ତି କି ଫୋନ୍ କରି ନାହାନ୍ତି..କିନ୍ତୁ ସୌଜନ୍ୟତା ତା ପାଟି ବନ୍ଦ କରିଦେଲା। ଏଥର ସେମାନଙ୍କୁ ଫେରି ଯିବାକୁ ହେବ...କାଲିଠାରୁ ସେ ଜଏନ କରିବାକୁ ହେବ.. ବାଟରେ ପ୍ରଶ୍ନୀଳ ଛଳଛଳ ଆଖିରେ ଚାହିଁଲା ମିତ୍ରା..

"ମୋତେ ଟିକେ ସମୟ ଦିଅ ..ଏତେବଡ଼ କଥା ବାପାଙ୍କୁ କହିବାକୁ ଟିକେ ସମୟ ଦରକାର୍.."କହିଲେ ଶଙ୍କର..

କଣ ଏତେ ବଡ଼ କଥା ଯେ ସେ ଆହୁରି ସମୟ ମାଗୁଛନ୍ତି.. ତଥାପି ପ୍ରଚଣ୍ଡ ବିଶ୍ୱାସ ଅଛି ଶଙ୍କରଙ୍କ ଉପରେ ତାର..ସେ ନିଶ୍ଚୟ କିଛି କରିବେ..ତେବେ..ତେବେ କଣ ପୁଣି ଥରେ.. ବବଲୁଠୁ ଦୂରକୁ.. କୋଳରେ ବସିଥିବା ଗଳାର ମାଳିକୁ ଆଉ ଟିକେ ଭିଡ଼ି ଧରିଲା ସେ…"ଧନରେ.." କହିବାକୁ ଚେଷ୍ଟା କଲା ହେଲେ….!!


କାଳେ ମା ବାପାଙ୍କୁ ଚାଲି ଯାଉଥିବା ଦେଖି ଛୋଟ ପିଲାଟି କାନ୍ଦି ଉଠିବ ଆଉ ସେମାନଙ୍କ ଯିବା ଅସମ୍ଭବ ହେବ ତେଣୁ ମିତ୍ରାର ଭଉଣୀ ବବଲୁକୁ ପାଖରେ ଥିବା ପାର୍କକୁ ନେଇଗଲା ଓ ମିତ୍ରା ଶଙ୍କରଙ୍କ ସାଙ୍ଗରେ ବାହାରିଗଲା ମନ ଦୁଃଖରେ ...କର୍ମକ୍ଷେତ୍ରକୁ…ତା ପରଦିନ ସକାଳେ…


ଭୋରରୁ ଉଠି ରୋଷେଇ ସାରିଦେଲା ମିତ୍ରା..ଦୁଇଜଣ ଖାଇ ଦେଇ ଚାଲିଯିବେ ନିଜ ନିଜ ଗନ୍ତବ୍ୟ ଦିଗରେ.. ମିତ୍ରା ପ୍ରସ୍ତୁତ ହେଉଥିଲା... ୟୁନିଫର୍ମ ପିନ୍ଧି ମେକ୍ ଅପ୍ ନେଲା ବେଳେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ ଶଙ୍କର..ଏଇ ମାତ୍ର ଦିନ କେଇଟା ଭିତରେ କେତେ ପରିବର୍ତ୍ତନ ହୋଇଯାଇଛି ତାଙ୍କ ପତ୍ନୀ ଭିତରେ.. ଏକ ପୋଖତ ଵ୍ୟୋମକର୍ମୀ ପରି ଅଳ୍ପ ସମୟ ମଧ୍ୟରେ ନିଜକୁ ସଜେଇ ଦେଲା ସେ..ଏସବୁ ଏତେ ଶୀଘ୍ର ଏତେ ନିଖୁଣ କେମିତି କରି ଦେଉଛି ମିତ୍ରା.. "ଯିବା.." ପଚାରି ଦେଇ ହାତକୁ ଟିଫିନ୍ ବକ୍ସ ବଢେଇ ଦେଲା ହାତକୁ..ଆରେ ଏତେ ବ୍ୟସ୍ତତା ଭିତରେ ମିତ୍ରା ଭୂଲିଯାଇନି ଟିଫିନ୍ ତିଆରି କରିବାକୁ.. ଶଙ୍କର ଯେ ତା ହାତରନ୍ଧା ପସନ୍ଦ କରନ୍ତି..ଆଉ ସେଥିପାଇଁ କେବଳ ଘରେ ରୋଷେଇୟା ଥିବା ପରେ ମଧ୍ୟ ମିତ୍ରା ହିଁ ତାଙ୍କ ପାଇଁ ଜଳଖିଆ ସଜାଡି ଦିଏ। କେବଳ ସେ ନୁହେଁ ତାଙ୍କ ଅଫିସର କର୍ମଚାରୀ ବନ୍ଧୁମାନେ ମଧ୍ୟ ତା ହାତରନ୍ଧାର ବହୁତ ତାରିଫ କରନ୍ତି.. ଜାଣେ ସେ। ଖାସ୍ ସେଇଥିପାଇଁ କେତେଥର ଶଙ୍କର ସେମାନଙ୍କୁ ଘରକୁ ଡ଼ାକି ଆଣିଛନ୍ତି ଆଗରୁ… ଆଉ ସେଥିପାଇଁ ଆଜି ମଧ୍ୟ ସେ କୌଣସି ଭୁଲ୍ କରିବାକୁ ପସନ୍ଦ କରିନି...ବାହାରକୁ ବାହାରି ଗଲା ବେଳେ କଲୋନୀର ଜଣେ ବ୍ୟକ୍ତି ମିତ୍ରାକୁ "ଗୁଡ ମର୍ଣ୍ଣିଂ ମାଡ଼ମ "କହିବା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ମିତ୍ରା..କାଲି ଯାଏଁ "ଭାଉଜ ନମସ୍କାର "କହୁଥିଲା ବେଳେ ଆଜି ହଠାତ୍ ଏପରି ସମ୍ବୋଧନ..


"ମାଡ଼ମ..ଆପଣ ତ ଏବେ କର୍ମଜୀବୀ" କହି ହସୁଥିଲେ ଶଙ୍କର..। ସତରେ..ଭେକ ଦେଖି ଭିକ ମିଳେ ବୋଲି ଯାହା ଶୁଣିଥିଲା ସେକଥା ଆଜି ନିଜେ ଅଙ୍ଗେ ନିଭାଇଲା...ବାଃ ବାଃ ରେ ଦୁନିଆ…


ଜୀବନ କେମିତି ଏକ ମେସିନ ପରି ଗତିଶୀଳ ହେଉଥିଲା..ସକାଳୁ ନିତ୍ୟ ନୈମିତ୍ତିକ ଚିରାଚରିତ ଢଙ୍ଗରେ ଆରମ୍ଭ ହୋଇ ଦିନରେ କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ସହ ସନ୍ଧ୍ୟାରେ ନେଇ ଆସୁଥିଲା କେମିତି ଏକ ହା ହତାଶ ଭାବ.. ଶଙ୍କର ପ୍ରତିଦିନ ସଂଧ୍ୟା ହେଉ ହେଉ ପହଞ୍ଚି ଯାଉଥିଲେ ଏୟାର ପୋର୍ଟରେ..କେବେ ମଧ୍ୟ ଏମିତି ସମୟାନୁବର୍ତ୍ତିତା ଦେଖେଇ ନ ଥିଲେ ସେ..କେତେ ଝଡ଼ ଖଞ୍ଜା ଏକା ସହିବାକୁ ହେଇଛି ମିତ୍ରାକୁ..ଏତିକି ଯଦି ସେ ସବୁବେଳେ କରନ୍ତେ… ତା ସହ ପ୍ରତି ସପ୍ତାହ ଶେଷରେ ଶେଷ ଟ୍ରେନ ଧରି ଗାଆଁକୁ ଯିବା..ଆଉ ସକାଳୁ ସକାଳୁ ଶାଶୁଘରକୁ..ସେଇଠି ପହଞ୍ଚିବା ପରେ ବବଲୁକୁ ଶାଶୁ ଶଶୁରଙ୍କ ପାଖରେ ଛାଡି ଦେଇ ନିଜେ ରୋଷେଇ ଘରକୁ ଚାଲିଯିବାକୁ ହୁଏ..ଆଉ ସନ୍ଧ୍ୟାରେ ପୁଣି ଛୁଆଠାରୁ ଲୁଚି ଫେରି ଆସିବାକୁ ବୁଏ.. ଓଃ..ଆଖି ବନ୍ଦ ହୋଇଯାଉଛି..ରାସ୍ତା ଦେଖା ଯାଉନହିଁ..ଯାତ୍ରା କିନ୍ତୁ ଅସମାପ୍ତ.. ଆଉ କେତେ ସଂଘର୍ଷ.. କେତେ ପରୀକ୍ଷା ଯେ ବାକି ଅଛି କିଏ ବା ଜାଣିଛି..ନା..ଆଉ କିଛି ଭାବି ଲାଭ ନାହିଁ…!!


ଅଫିସରୁ ଘରକୁ ଆସିବା ବେଳେ ଶଙ୍କର ମିତ୍ରାକୁ କୁହନ୍ତି..କେଉଁଦିନ ମନ ପସନ୍ଦର ହୋଟେଲ୍ ଯିବା ପାଇଁ..ଅଥବା କିଛି ଶପିଂ କରିବା ପାଇଁ କିମ୍ବା କେଉଁଠି ଅନ୍ୟ କିଛି ମନୋରଂଜନ କରିବା ପାଇଁ..ହେଲେ ଦିନସାରା ପରିଶ୍ରମ କରି ଥକି ଯାଇଥିବା ଦେହ ନା ଏଥିପାଇଁ ହଁ କରିପାରେ ନା ସନ୍ତାନ ଠାରୁ ଦୂରରେ ରହି ବିଳପି ଉଠୁଥିବା ମା ମନ କେବେ ଅନୁମତି ଦେଇପାରେ.. ଆଶ୍ଚର୍ଯ୍ୟ ହୁଏ ମିତ୍ରା..ଶଙ୍କର ଏମିତି କେମିତି କଥା ସବୁ କହି ପାରୁଛନ୍ତି ଅଥଚ ସେ କଥା ଉଠାଉ ନାହାନ୍ତି ଯାହା ବର୍ତ୍ତମାନର ମୁଖ୍ୟ ବିଷୟ.. ବବଲୁ….


କହିଦେଲା ମିତ୍ରା.." ବବଲୁ ଠାରୁ ଦୂରରେ ରହି ଭାରି କଷ୍ଟ ହେଲାଣି। ମିନିଟ୍ ଘଣ୍ଟା ଦିନ ସପ୍ତାହ ଯାଇ ଏବେ ଏକ ମାସ ବିତି ଯାଇଛି..ତୁମେ…" 


" କଣ କରିବା କୁହ.. ବାପାଙ୍କୁ ଆମ ପାଖକୁ ଆସିଯିବା କଥା କହିବାକୁ ସାହାସ ପାଉନି.." କହିଲେ ଶଙ୍କର..


" କଥା ତ ହେବାକୁ ପଡ଼ିବ..ସେମାନେ ଆସିଗଲେ ଆମ ଘର ପୁରି ଉଠିବ.."ମିତ୍ରା ଆଖିରେ ଆଶାର ଆଲୋକ..


"ଜାଣିଛି। ବିବାହ ପରଠୁ ତୁମେ ଯୌଥ ପରିବାର ପସନ୍ଦ କର ବୋଲି ସବୁବେଳେ ଏଇୟା ଚାହଁ..କିନ୍ତୁ ବାବାଙ୍କୁ କହିବାକୁ ମୋତେ ସାହସ ପାଉନି.."ଶଙ୍କର ସ୍ପଷ୍ଟ କହିଲେ…


"ତେବେ ମୁଁ କଥା ହେବି କି " ପଚାରିଲା ମିତ୍ରା।


ମୁଣ୍ଡ ହଲେଇ ହଁ କହିଦେଲେ ଶଙ୍କର.. 

କେବଳ ଆଉ ଦୁଇଦିନ ବାକି..ରବିବାର ସାପ୍ତାହିକ ଛୁଟି ନୁହେଁ ଏୟାର ଲାଇଂସରେ..କିନ୍ତୁ ମିତ୍ରାର ପରିସ୍ଥିତି ଦେଖି ସବୁ ସହକର୍ମୀ ମାନେ ତାକୁ ରବିବାର ଛୁଟି ନେବାକୁ ସହମତି ଦେଇଥାନ୍ତି। ଅନ୍ୟ ମାନଙ୍କ ଛୁଟି କିନ୍ତୁ ସପ୍ତାହର ଅନ୍ୟ ଦିନରେ ହୁଏ। ଅତଏବ ଏଥର ମିତ୍ରା ଗାଆଁକୁ ଗଲେ ନିଶ୍ଚୟ କଥା ହେବ ଶଶୁରଙ୍କ ସହ…


ଶନିବାର ରାତିରେ ବାହାରିଲା ବେଳେ ଶଙ୍କର ତା ସହ ଯିବାକୁ ମନା କଲେ। ତାଙ୍କ ଦେହ ଟିକେ ଭଲ ଲାଗୁ ନ ଥିଲା। ତେଣୁ ମିତ୍ରା ଏକା ଏକା ବାହାରିଗଲା। ଆଗରୁ ଘର ବାହାରକୁ କେବେ ଏକା ଯାଇ ନ ଥିବା ଝିଅଟି ଏବେ ନିଜ ସନ୍ତାନ ପାଇଁ ଏକାଜୀ ଚାଲିବା ଶିଖିଗଲାଣି… ଘରେ ପହଞ୍ଚୁ ପହଞ୍ଚୁ ରାତି ହୋଇଗଲାଣି.. ବବଲୁ ସେତେବେଳେ ଶୋଇ ଯାଇଥିଲା ଅଗତ୍ୟା ସକାଳୁ ହିଁ ଯାହା ତା ସହ ଖେଳି ହେବ.. କଥା ହୋଇହେବ.. ସକାଳୁ ଉଠିବା ସଙ୍ଗେ ସଙ୍ଗେ ମିତ୍ରା କିନ୍ତୁ ପ୍ରଥମେ ଶଙ୍କରଙ୍କୁ ଫୋନ୍ କଲା,କେଜାଣି କେମିତି ଅଛନ୍ତି ସେ.. କଥା ହୋଇପାରିବା ଅବସ୍ଥାରେ ନ ଥିଲେ ଶଙ୍କର..ତାଙ୍କୁ ଯେ ଭୀଶଣ ଜ୍ଵର..


ଆଖି ଓଦା ହୋଇ ଆସିଲା ମିତ୍ରାର..ବିକଳ ହୋଇ ମାଙ୍କୁ ଚାହିଁଲା..


"ଯା ମା..ଏଇ ସଙ୍ଗେ ସଙ୍ଗେ ଶଙ୍କର ପାଖକୁ ଯା। ବବଲୁ ଉଠିଗଲେ ପୁଣି ତୋ ଯିବାରେ ଅସୁବିଧା ହେବ.."କହିଲେ ମା ଆଉ ମିତ୍ରା ବାହାରିଗଲା ଘରୁ। ଟ୍ରେନ ନ ଥିବାରୁ ବାପା ତାକୁ ବସ୍ ରେ ବସାଇ ଦେଲେ..ଆଉ ସେ ଶଙ୍କରଙ୍କ ପାଖକୁ ଫେରିଗଲା..


ଦେହରେ ଅସମ୍ଭବ ତାତି..ପାଣି ପଟି ଦେଇ ଚାଲିଛି ମିତ୍ରା..ହେଲେ ଜର କମୁନି। ସନ୍ଧ୍ୟା ମଧ୍ୟ ବଢ଼ି ଚାଲିଥାଏ। କାହାକୁ କହିବ ସେ.. କିଏ ସାହାଯ୍ୟ କରିବ.. ଶେଷରେ ନିଜ ଅଫିସ୍ ର ଜଣେ ବନ୍ଧୁଙ୍କୁ କହିଲା। ସେ ସଙ୍ଗେ ସଙ୍ଗେ ତାଙ୍କ ଗାଡ଼ି ଧରି ଆସି ଶଙ୍କରଙ୍କୁ ହସପିଟାଲ ନେଇଗଲେ.. ଭାଇରାଲ ଇନଫେକ୍ସନ ହୋଇଥିଲା। ଇନଜେକସନ୍ ଲାଗିଲା ପରେ ଜର ଟିକେ ଓହ୍ଲାଇ ଗଲା ଓ ମିତ୍ରା ଶଙ୍କରଙ୍କ ସହ ଘରକୁ ଆସିଲା। ତା ପରଦିନ ସକାଳେ ମିତ୍ରା କିପରି ତାଙ୍କୁ ଛାଡି ଅଫିସ୍ ଯିବ ଭାବୁଥିଲା.. ଶଙ୍କର ମଧ୍ୟ ତାକୁ ପାଖରେ ରହିବାକୁ ଅନୁରୋଧ କଲେ। ଏମିତିରେ ମନଇଚ୍ଛା ଛୁଟି ନେବା ଅସମ୍ଭବ ଥିଲା। ଏଣୁ ମିତ୍ରା ନିଜ ଷ୍ଟେସନ ଇନଚାର୍ଜ୍ ଙ୍କୁ ଅନୁରୋଧ କରି ଆଗାମୀ ରବିବାର ଛୁଟି ବାତିଲ କରେଇ ସେ ଦିନଟି ଛୁଟି ନେଲା। କୌଣସି ଛୁଟି କି କୌଣସି ଚାକିରି ଶଙ୍କରଙ୍କ ଠାରୁ ତ ଉର୍ଦ୍ଧ୍ବରେ ନୁହେଁ..


ମଦନ ଆସି ରହିବା ପରଠୁ ମିତ୍ରାର ସବୁ କାମ ସେ କରି ଦେଉଥିଲା। ବବଲୁ ଜନ୍ମ ହେବା ପରେ ମିତ୍ରାର ବାପା ତାକୁ ପଠେଇ ଦେଇଥିଲେ। ରୋଷେଇ କାମ ସହ ଘର ସଫାସଫି ମଧ୍ୟ କରିଦେଉଥିଲା..ଆଜି କିନ୍ତୁ ମିତ୍ରାକୁ ସୁଯୋଗ ମିଳିଛି। ଶଙ୍କର ଆଣ୍ଟିବାୟୋଟିକ ଖାଇ ଶୋଇ ପଡିନା ପରେ ସେ ଝାଡୁ ଧରି ଘର ଝାଡ଼ିବା ଆରମ୍ଭ କଲା..ଗୋଟି ଗୋଟି କରି ସବୁ ଜିନିଷ ପୋଛି ଲାଗିଲା..ଘର ସାରା ସଫା କରିବା ପରେ ନିଜକୁ ନିଜେ କହିଲା.."ନା..ଆଉ ନୁହେଁ..ଏଇ ରବିବାର ମଧ୍ୟ ଛୁଟି ମିଳିବ ନାହିଁ। ଶଶୁରଙ୍କୁ କହିବା ସମ୍ଭବ ହୋଇପାରୁନି। ଆଜି ସେ ଫୋନ୍ ରେ ହିଁ ଏଠାକୁ ଆସିବା କଥା କହିଦେବ..ହଁ..ସେଇୟା ହିଁ କରିବ..!!"


" ବାବା ପ୍ରଣାମ.. ମିତ୍ରା କହୁଛି.."କହିଲା ସେ..


" ହଁ ରେ ମା କହ..ଶଙ୍କର ଦେହ କେମିତି ଅଛି? କାଲି ତୁ ଆସି ବ୍ୟସ୍ତରେ ଚାଲିଗଲୁ ଶୁଣିଲି.."ଶ୍ୱଶୁରଙ୍କ ସ୍ଵର..


" ହଁ ବାବା.ସେ ଭଲ ଅଛନ୍ତି।..କିନ୍ତୁ ଭାରି କଷ୍ଟ ହେଲାଣି..ଗୋଟିଏ ଅନୁରୋଧ ଥିଲା..ଅନୁମତି ଦେଲେ କୁହନ୍ତି.." 

ଆତୁର ହୋଇ କହିଲା ସେ..


"ହଁ.. କହ..ଏତେ ଦ୍ଵନ୍ଦ କାହିଁକି..?" ନିର୍ଭୟ ଦେଲେ ଶ୍ୱଶୁର..


"ବାବା..ମୋ ବିବାହ ପରଠୁ ଆମେ ଭାବୁଥିଲେ ନା ଆପଣ ଆଉ ଗାଆଁରେ ନ ରହି ଏଇଠି ଆମସଂଗେ ରହିବେ ବୋଲି.. ବର୍ତ୍ତମାନ ତ ବବଲୁ ଅଛି। ଆଉ ମଦନ ମଧ୍ୟ..ଯଦି ଆପଣମାନେ ଏଠାକୁ ଆସି ଯାଅାନ୍ତେ… "


"ତା ହେଲେ ଆମେ ପିଲା ଜଗିଥାନ୍ତୁ ଆଉ ତମେ ଦୁହେଁ ଆରାମରେ କାମ କରନ୍ତ ନା କଣ " କଥା ଅଧାରୁ କାଟି କହିଲେ ଶ୍ୱଶୁର..


" ନା ବାବା ସେକଥା ନୁହେଁ..କିନ୍ତୁ ବବଲୁ ଟା ସେଇଠି ଅଛି..ତାକୁ ଟିକେ ଦେଖି ହେଉନି..ଆଉ ଆପଣମାନେ ମଧ୍ୟ ଏକା ଅଛନ୍ତି…ଆପଣଂକ ଯତ୍ନ..."ବୁଝାଇବାକୁ ଚେଷ୍ଟା କଲା ମିତ୍ରା।


" ଆଉ ସେଥିପାଇଁ ଏ ବୟସରେ ତୁମମାନଙ୍କ ପରିଚୟରେ ମୁଁ ପରିଚିତ ହେବି ଏକଥା ଭାବି ପାରୁଛ ଥାଉ..ଆମେ ଏତେ ଅସହାୟ ହୋଇ ଯାଇନୁ ଯେ ପୁଅ ଘରେ ଯାଇ ବେବୀ ସିଟର କାମ କରିବୁ…"ଫୋନ୍ କଟି ଯାଇଥିଲା..


ଏକରକମ ଥରୁଥିଲା ମିତ୍ରା..ନିଜ ନାତି ନାତୁଣୀ ସହ ରହୁଥିବା ଜେଜେ ଜେଜମା ବେବୀ ସିଟର ହୋଇଯାଆନ୍ତି ତେବେ ମିତ୍ରାର ମା ବାପା କଣ ବେବୀ ସିଟର.. ଆଉ ପୁଅ ବୋହୁ ଘରେ ରହିଲେ ବାପର ପରିଚୟ ଚାଲିଯାଏ.. ଏ କି ଅଦ୍ଭୁତ ମନସ୍ଥିତି.. ବୁଝି ପାରୁ ନ ଥାଏ ସେ..କିଛି ଅଯାଚିତ ଭାବ ଗ୍ରାସ କରି ଦେଇଥାଏ..କିନ୍ତୁ ସେଇଟା କ୍ରୋଧ ଘୃଣା କି ଆଉ କଣ ସେ ନିଜେ ବୁଝି ପାରୁ ନ ଥାଏ… ଆଉ ଶଙ୍କର..ସେ ସବୁ ଶୁଣି ଶଶୁରଙ୍କୁ ସମର୍ଥନ କଲେ..


"ଦେଖ..ଆମେ ସେମାନଙ୍କୁ ଏପରି କହି ପାରିବାନି । ତୁମେ ଘରେ ଥିଲା ବେଳେ କଥା ଅଲଗା ଥିଲା। କିନ୍ତୁ ବର୍ତ୍ତମାନ..ଟିକେ ବୁଝିବାକୁ ଚେଷ୍ଟା କର.."ଶଙ୍କର କହିଲେ…

ତେବେ ବବଲୁ..


ମିତ୍ରା ମନଟା ଖାଲି ଗୋଳେଇ ଘାଣ୍ଟି ହେଉଥାଏ। କେତେ ଖୁସି ଥିଲା ସେ..ତା ଘର ପୁରି ଉଠିବ..ପୁଅ ସ୍ବାମୀ ଶାଶୁ ଶ୍ୱଶୁର..!! ଆଉ ହେଲା କଣ.. ଜୀବନ କଣ ଯେ ଆଉ ନୂଆ ମୋଡ ନେଇ ଚାଲିଛି.. ଏତିକିବେଳେ ଆଉ ଗୋଟିଏ ଖବର ତାକୁ ଦୋହଲାଇବା ପାଇଁ ଯଥେଷ୍ଟ ଥିଲା..ତା ବଡ଼ ଯା କୁଆଡେ ତାଙ୍କ ଘର ପାଖ ପ୍ଲେ ସ୍କୁଲ୍ ରେ ଚାକିରି କରିବା ଆରମ୍ଭ କରିଦେଲେ.. ଦିନେ ନାହିଁ କାଳେ ନାହିଁ କେବେ ଘରୁ ବାହାରିବାକୁ ଭାବି ନ ଥିବା ଏ ମହିଳା ଆଜି ତା ସହ ସମକକ୍ଷ ହେବା ପ୍ରୟାସରେ କଣ କରି ବସିଲେ ସତେ.. ଏ କଣ ଅସହିସ୍ତ୍ନୂତା.. ନା ଅାସ୍ପର୍ଦ୍ଧା..

" ଦେଖିଲୁ ମିତା.."କହିଲେ ଶାଶୁ.."ଆମ ବବି ତ ଚାକିରି କରିଲା ନା କିନ୍ତୁ ସେ ଆମକୁ ତା ଛୁଆ ଜଗିବାକୁ ତ କହିଲାନି.. ଆଉ ପିଲାମାନଙ୍କ କଥା କଣ ସେମାନେ ତ ଏମିତି ବଡ଼ ହୋଇଯାଆନ୍ତି.. ଏଗୁଡ଼ିକ ସବୁ ଘରେ ହେଉଛି ନା..ଏତେ ବଡ଼ କଥା କଣ ଅଛି ଏଥିରେ"


ଉତ୍ତର ନ ଥିଲା ମିତ୍ରା ପାଖରେ..କିପରି ବୁଝେଇବ ସେ.. ତୃତୀୟ ଶ୍ରେଣୀ ଯାଏଁ ପଢିଥିବା ତା ଶାଶୁ ଏମିତି କଣ ଯେ କହୁଛନ୍ତି ଜୀବନ ସାରା ଘର କୋଣରେ ପଡି ରହିଥିବା ମନ ତାଙ୍କର କିପରି କହୁଛି ପିଲାମାନେ ଏମିତି ବଡ଼ ହୋଇଯାଆନ୍ତି… ଆଉ ବାର ବର୍ଷର ହେଲାଣି ଯା ଙ୍କ ପୁଅ.. ସେ ପୁଣି ପ୍ଲେ ସ୍କୁଲ୍ ଟିକୁ ଯାଉଛନ୍ତି ଘର ପାଖରେ.. ମୋଟେ ଦୁଇ ଘଣ୍ଟା.. ତା ସହ ମିତ୍ରାର ଏଭିଏସନ ଚାକିରି ଆଉ ବର୍ଷକର ବବଲୁର ପରିସ୍ଥିତି କଣ ସମାନ .. ତା ଛଡା ଏଇ ସାଙ୍ଗରେ ରହିବା କଥା ପାଇଁ ସେମାନେ ଆଗରୁ ତ ଖୁସିରେ ରାଜି ଥିଲେ ହେଲେ ଏବେ ଯେତେବେଳେ ଏହା ଏତେ ଜରୁରୀ..ଏମିତି କଣ ସବୁ ଭାବନା ଆସୁଛି.. ଏମିତି କାହିଁକି ହୁଏ.. ଜୀବନ କଣ ପରୀକ୍ଷା ନେଇ ନେଇ କେବେ ଥକି ଯାଉନି..


କିନ୍ତୁ ନା.. ଜୀବନ କେବଳ ଏତିକିରେ ସୀମିତ ରଖି ନ ଥିଲା ନିଜ ଆହ୍ୱାନକୁ.. ବବଲୁ କାହିଁକି କେଜାଣି ଦିନକୁଦିନ ଚିଡିଚିଡା ହୋଇ ଯାଉଥିଲା.. ଡାକ୍ତରଙ୍କୁ ପଚାରିବାରୁ ସେ କହିଲେ," ଏ ବୟସରେ ମା ବାପା ଠାରୁ ଅଲଗା ରହିବା ବୋଧେ ଛୁଆଟି ସହଜରେ ଗ୍ରହଣ କରି ପାରୁନି..ଆଖି ଆଗରେ ସେ ଦେଖୁଛି..ତାକୁ ଆପଣମାନେ ଛାଡ଼ି ଯିବା..ସେଇଟାକୁ ବୋଧେ ତା ମନ ବିଦ୍ରୋହ କରୁଛି.."


" ପ୍ରତି ସପ୍ତାହରେ ନ ଯାଇ କିଛି ଦିନ ଗଡ଼ିଗଲା ପରେ ଗଲେ ଭଲ ହେବ.."କହିଲେ ଶଙ୍କର..


ଚୁପ୍ ରହିଲା ମିତ୍ରା..କଣ ବା କହନ୍ତା.. ଦିନକୁ ଦିନ ବବଲୁ ବଡ଼ ହେଉଥିଲା..କେବଳ ଚାଲିବା କି ଖାଇବା ପିଇବା ଛଡା ଏଥର ତା ଶିକ୍ଷା ଆରମ୍ଭ କଥା ମଧ୍ୟ ଭାବିବାକୁ ପଡ଼ିବ..


"ଏଇ ତ ସମସ୍ୟା ଆରମ୍ଭ..ଛୁଆ ମା ବାପାଠାରୁ ଦୂରରେ ରହିଲେ କେତେ ଅସୁବିଧା ହୁଏ। ତା ଛଡା କେବଳ ଆମଦାନୀ ଟିକେ ବଢିବା ଆଶାରେ ଆମେ ମଧ୍ୟ କେତେ ଅସୁବିଧା ସହୁଛେ…"କହିଲା ମିତ୍ରା…


" ତୁମ ଆମଦାନୀ ମୋତେ କେବେ ଦରକାର୍ ନାହିଁ। ଏକଥା ମନେ ରଖିଥିବ। ଆଉ ବାକି ରହିଲା ବବଲୁ କଥା..ସେ ଧୀରେ ଧୀରେ ବଡ଼ ହେଲେ ବୁଝିଯିବ।" ଶଙ୍କରଙ୍କ ଦୃଢେ଼ାକ୍ତି…


"ମାନେ…"ମିତ୍ରା କଥା ଅଧାରେ ରଖି ଶଙ୍କର ଫୋନରେ କାହା ସହ ଗପିବା ଆରମ୍ଭ କରିଦେଇଥିଲେ...


ଦୁଇ ଦିନ ହେଲା ବବଲୁକୁ ଡାଇରିଆ ହୋଇଛି..ଛୁଆର ଦେହ ଭୀଷଣ ଖରାପ୍.. ଏପଟେ ମିତ୍ରାର ହେଡ ଅଫିସ୍ ରୁ କିଛି ନୀରିକ୍ଷକ ଆସୁଥିଲେ.. ନୂଆ ନିଯୁକ୍ତି ପାଇଥିବା ଏ ଟିମ୍ ର କାର୍ଯ୍ୟଦକ୍ଷତାକୁ ପରୀକ୍ଷା କରିବା ପାଇଁ..ଏହା ଏକ ସାଧାରଣ ପ୍ରକ୍ରିୟା..ତା ପରେ ହିଁ ସେମାନଙ୍କୁ ପୁରା ଦରମା ମିଳିବ(ଆଗରୁ ଅଧା ଦରମା ଆଉ ବଳକା ଆଲାଉଏନସ ମିଳୁଥିଲା)। ମିତ୍ରା ଖାଲି କାନ୍ଦୁଥାଏ..ତା ଧନର ଦେହ ଏତେ ଖରାପ ହୋଇଛି। ତା ବାପା ଛୁଟି ନେଇ ଘରେ ଅଛନ୍ତି। ତରଳ ଝାଡ଼ା ବନ୍ଦ ହେଉନି। ଡାକ୍ତର କହିଛନ୍ତି ଔଷଧ କାମ ନ କଲେ ଆଉ ଚାରି ପାଞ୍ଚ ଘଣ୍ଟା ପରେ ତାକୁ ହସ୍ପିଟାଲରେ ଜଏନ କରିବାକୁ ପଡ଼ିବ..ଆଉ ଏମିତି କ୍ଷେତ୍ରରେ କଣ ମା ହୋଇ ସେ ଏଇଠି ରହି ପାରିବ..


" ମୁଁ ଆଉ ପାରୁନି..ଯାହା ହେଲେ ହେଉ..କିନ୍ତୁ ମୁଁ ବବଲୁ ପାଖକୁ ଯିବି.."କାନ୍ଦି କାନ୍ଦି କହିଲା ମିତ୍ରା..


" ପିଲାଙ୍କ ପରି କଣ ହେଉଛ ତୁମେ କଣ ଡାକ୍ତର ତା ଛଡା ବବଲୁ ପାଖରେ ସମସ୍ତେ ତ ଅଛନ୍ତି। ତୁମେ ଆଜି ଚାଲିଗଲେ ଏ ପରୀକ୍ଷା କେମିତି ଦେବ.. ତୁମ ଦରମା ମୋ ପାଇଁ ଅନାବଶ୍ୟକ..କିନ୍ତୁ ତୁମେ ଏତେ ବାଟ ଆସି ଏମିତି ପିଠି ଦେଖେଇବ.. "ରାଗିଯାଇ କହିଲେ ଶଙ୍କର..


"ସମସ୍ତେ ଅଛନ୍ତି ମାନେ କଣ ଛୁଆଟି ତା ମାଆ କୁ ଖୋଜୁନି.. ତୁମ ଦେହ ଖରାପ୍ ଥିଲା ବେଳେ କଣ ମୋ ଉପସ୍ଥିତି ଆବଶ୍ୟକ ନ ଥିଲା ପରୀକ୍ଷା ଯାହା ହେବାର ଥିବ ହେବ ଦେଖାଯାଉ.. "ମିତ୍ରା ଲୁହ ପୋଛି କହିଲା।


"ତୁମେ ତ ଏମିତି କାନ୍ଦୁଛ ଯେମିତି କେହି…" କଥା କହୁକହୁ କଣ କହିଗଲେ ସତେ ଶଙ୍କର..


କଟା ଗଛ ଡାଳଟେ ପରି ହଠାତ୍ ଖସି ତଳେ ବସିପଡ଼ିଲା ମିତ୍ରା..ଛାତି ଭିତରେ କେହି ଯେମିତି ତୀକ୍ଷ୍ଣ କିଛି ବିଦ୍ଧ କରିଦେଲା..


"ମୁଁ ଏତେ ଯୁକ୍ତି କରିପାରିବିନି। ତୁମର ଯାହା ଇଚ୍ଛା ତାହା କର.." କହି କବାଟ ବନ୍ଦ କରି ଚାଲିଗଲେ ଶଙ୍କର…


ମିତ୍ରା କାନରେ ଖାଲି ଗୋଟିଏ ବାକ୍ୟ ଶୁଭୁଥାଏ.. 


ଗଲାଥର ସେ ଆସିଯିବା ପରେ ବବଲୁ ସହ କଥା ହେବା ବେଳେ ଫୋନରେ ସେ କହୁଥିଲା..

"ମାମା ପଳୁଲି...ମାମା ପଲୁଲି…!!"


ନୂଆ କଥା ଶିଖିଥିବା ଛୁଆଟି ମା ଚାଲିଯାଇଥିବା ଜାଣି କହିଥିବା ଏ ବାକ୍ୟଟି ଭାଙ୍ଗି ଦେଉଥିଲା ମିତ୍ରାକୁ..ନିରୀହ ଶିଶୁଟି କଣ ପାଇଲା ସତେ ପାଟି ଖୋଲିବା ଆଗରୁ ଯନ୍ତ୍ରଣାଦାୟ ବିରହ.. ମାର ପଣତ କାନି ଧରି ଉଠିବା ବୟସରେ ସେ ତାକୁ ଛାଡ଼ି ଦେଇଛି.. "ମାମା ପଲୁଳି" କହି ନିଜ ଲୁହ ନିଜ କୁନି କୁନି ହାତରେ ପୋଛିବାକୁ.. ଅକୁହା ଶବ୍ଦରେ କେତେ ବ୍ୟଥା ଭରି ଦେଇଛି ସେ ସତରେ ଏତେ କଷ୍ଟ ସେ କରୁଛି ତେବେ କାହା ପାଇଁ ଆଜି ଦୁର୍ବଳ ହୋଇ ପଡିଥିବା ବାଳୁତ କାଲି ମଜଭୁତ ଯୁବକ ହୋଇ ଠିଆ ହୋଇପାରିବ.. ହୋଇଥାନ୍ତା କି ତା ପରିସ୍ଥିତି କଠିନ ଯେ ତା ଦରମାକୁ ଚାହିଁ ରହିଥାନ୍ତା ତା ପରିବାର ତେବେ କଥା ଭିନ୍ନ ହୁଅନ୍ତା..କିନ୍ତୁ କେବଳ ଏକ ଚାଲେଞ୍ଜ ପରି ତୁଚ୍ଛ ମନୋବୃତ୍ତି ପାଇଁ ନିଜ ଜନ୍ମିତ ସନ୍ତାନ ସହ ସେ ଏ କଣ କରୁଛି..


ଆଉ କିଛି ଭାବି ପାରୁ ନ ଥିଲା ମିତ୍ରା..ଫୋନ୍ କଲା ଶଙ୍କରଙ୍କୁ...ସ୍ଵିଚ ଅଫ୍..ହସିଲା ସେ ...ଯେତେବେଳେ ଏମିତି ତାଙ୍କ କଥା ନ ରହିବା ଲକ୍ଷ୍ୟ କରନ୍ତି ଶଙ୍କର ଫୋନ୍ ବନ୍ଦ କରି ଦିଅନ୍ତି..ତେଣୁ କାଗଜ କଲମ ଉଠେଇ ତାଙ୍କ ଉଦ୍ଦେଶ୍ୟରେ ଲେଖିଲା..


"ଆଜି ଏକ ମା ଜିତିଯାଉଛି..ଏକ ନାରୀ ମା ଆଗରେ ହାରିଯାଇଛି.."


ଡାଇନିଂ ଟେବୁଲ୍ ଉପରେ ରଖି ଷ୍ଟେସନକୁ ଫୋନ୍ କଲା। ହେଲେ ଗାଁକୁ ଯିବା ପାଇଁ ପରବର୍ତ୍ତୀ ଟ୍ରେନ ଆଉ ତିନି ଘଣ୍ଟା ପରେ ଆସିବ..ନା ଆଉ ସମୟ ନାହିଁ..ଅଗତ୍ୟା ଏକ କ୍ୟାବ୍ ସଂରକ୍ଷଣ କରି ଛୁଟି ଆସିଲା ସେ ତା ବବଲି ପାଖକୁ..


ଦୁର୍ବଳ ହୋଇଯାଇଥାଏ ଛୁଆଟି.. ମାଆକୁ ଦେଖି କ୍ଷୀଣ ହସ ହସିଦେଲା। ମିତ୍ରାର ବାପା ତାକୁ ନେଇ ହସ୍ପିଟାଲରେ ଆଡମିଟ୍ କରେଇ ଦେଲେ। ସାଲାଇନ ଲାଗିବା ପରେ ଧୀରେ ଧୀରେ ବବଲୁର ସ୍ଥିତି ସୁଧୁରିବା ଆରମ୍ଭ ହେଲା। ଘରେ ସମସ୍ତଙ୍କ ସ୍ନେହ ଓ ଯତ୍ନ ପାଇ ତା ବାଳ ଗୋପାଳ ପୁଣି ହସି ଉଠିଲା…


ଦୁଇ ଦିନ ପରେ..


ଶଙ୍କର ବବଲୁ କଥା ନ ପଚାରିବା ନେଇ ମିତ୍ରା ପରିବାର ଚିନ୍ତିତ ଥିଲେ। କଣ ହୋଇଛି ସେମାନଙ୍କ ମଧ୍ୟରେ ମିତ୍ରା ଆଉ କିଛି ଲୁଚାଉ ନାହିଁ ତ… କେତେ କଣ ସହିବେ ସେମାନେ ମଧ୍ୟ ଦିନରାତି ଛୋଟ ପିଲାଟିର ମନ ଧରି ତା ଯତ୍ନ ନେଉଛନ୍ତି ସେମାନେ.. ଏ ବୟସରେ ବବଲୁ ସହ ଦୋୖଡି ଚାଲିଛନ୍ତି। ଆଉ ଏ ସବୁ ଗୋଳମାଳିଆ ପରିସ୍ଥିତି.. ସମ୍ଭାଳିବା ପାଇଁ ମିଛ କହିଲା ମିତ୍ରା..ଶଙ୍କର ଯାଇଛନ୍ତି ସହର ବାହାରକୁ। ନେଟୱର୍କ ଲାଗୁ ନ ଥିବ..କିନ୍ତୁ ନିଜକୁ କି ମିଛ କହି ଭୁଲାଇବ ସେ ଜାଣେ ଶଙ୍କରଙ୍କ ଜିଦ୍..କେବେ ମଧ୍ୟ ନିଜ ଆଡୁ ବୁଝାମଣା ହାତ ବଢାଇବେ ନାହିଁ..କିନ୍ତୁ ଏଥର କଥା କେବଳ ତାର କିମ୍ବା ତା ପରିବାରର ନ ଥିଲା..ଏଥର କଥା ଥିଲା ତାଙ୍କ ପୁଅର…

କିଛି ଭାବି ଷ୍ଟେସନ ଇନଚାର୍ଜ୍ର ଙ୍କୁ ଫୋନ୍ କଲା…ସବୁ ସତକଥା ଏକ ନିଃଶ୍ୱାସରେ କହିଗଲା।


"ବ୍ୟସ୍ତ ହୁଅନ୍ତୁନି ମିତ୍ରା.."ସେ କହିଲେ "ଅଫିସରେ ମୁଁ ସମ୍ଭାଳି ନେବି। ଆପଣଂକ କାର୍ଯ୍ୟଦକ୍ଷତା ବିଷୟରେ ମୁଁ ହିଁ ରିପୋର୍ଟ ଦେବି। ଆଉ ମୁଁ ଜାଣେ ଆପଣ କେତେ ପ୍ରତିଭାଶାଳୀ। ଆପଣଙ୍କ ସହିତ ଟେଲିଫୋନିକ୍ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରେଇ ଦେବି। ତା ଛଡା ଆପଣଙ୍କ ସମସ୍ୟା ସମାଧାନ ପାଇଁ ମଧ୍ୟ ମୋ ପାଖରେ ଏକ ଉପାୟ ଅଛି।"


ଆଗ୍ରହରେ ପଚାରିଲା ମିତ୍ରା ସେ ଉପାୟ ବିଷୟରେ..


"ଆପଣ ନିଜ ଦେହ ଅସୁସ୍ଥତା ଦର୍ଶେଇବେ କମ୍ପାନୀ ଆଗରେ। ଏକ ମେଡ଼ିକାଲ ସାର୍ଟିଫିକେଟ ତିଆରି କରନ୍ତୁ..ଆଉ ପଠେଇ ଦିଅନ୍ତୁ। ତା ହେଲେ ଆପଣ କିଛି ଦିନ ଆରାମରେ ଛୁଟିରେ ରହି ପାରିବେ। ଅବଶ୍ୟ ନୋ ଓ୍ୱର୍କ ନୋ ପେ ହେବ..କିନ୍ତୁ ଆପଣ ପୁଣି ଜଏନ କରି ପାରିବେ। ହଁ.. ଏଇକଥା କେବଳ ମିତ୍ରା ଆପଣଙ୍କ ପାଇଁ..ମନ ରଖିବେ। ଆଉ କାହାରିକୁ ଯେମିତି ଜଣା ଯିବନି ମୁଁ ଏପରି ପରାମର୍ଶ ଦେଇଛି। ବୁଝିଲେ ତ..ମନ ଠିକ୍ ରହିଲେ ଆପଣ କାମରେ ଧ୍ୟାନ ଦେବେ ନା.."


କୃତଜ୍ଞତାରେ ଭରା ତା ଆଖିରେ ଲୁହ ଆସିଗଲା.. ଦେଵଦୂତ ପରି ସାହାଯ୍ୟ କରିଲେ ସାର୍..ଯା ହେଉ..ବର୍ତ୍ତମାନ ତ କିଛି ରାସ୍ତା ଦେଖାଗଲା..


ଅଭିମାନରେ ତିନି ଦିନ ବିତିଗଲା। କିନ୍ତୁ ଧୀରେ ଧୀରେ ମିତ୍ରା ମନ ବିଚଳିତ ହୋଇ ଉଠୁଥିଲା..ଶଙ୍କର ଭଲ ଅଛନ୍ତି ତ.. ଫୋନ୍ ଲଗାତାର ସ୍ୱିଚ ଅଫ୍ ଦେଖଉଥିଲା.. ଗତ ଥର ପରି ତାଙ୍କ ଦେହ..ନା ନା ..ତାକୁ ଯିବାକୁ ହିଁ ହେବ। ବବଲୁ ମଧ୍ୟ ଏବେ ଟିକେ ଭଲ ଅଛି। ଯେତେ ଯାହା ହେଲେ ମଧ୍ୟ ଶଙ୍କର ଏମିତି ଚୁପ୍ ରହି ନ ଥାନ୍ତେ..ତା ଛଡା ଆଜି ତ ଶନିବାର..ସେ ଗାଁକୁ ଅସିଯାଇଥାନ୍ତେ.. ଅଗତ୍ୟା ସେ ଫେରି ଯିବାକୁ ବାହାରିଲା। କିନ୍ତୁ ନିଜ ବ୍ୟସ୍ତତା କଥା ଘରେ କାହାକୁ କହିଲାନି।


" ସେ ଆଉଟ୍ ଅଫ୍ ଷ୍ଟେସନ ଅଛନ୍ତି। ମୁଁ ଭାବୁଛି ମଦନକୁ ସାଙ୍ଗରେ ନେଇ ଯିବି.." କହିଲା ସେ। କିନ୍ତୁ ପ୍ରକୃତରେ ଶଙ୍କରଙ୍କ ପାଇଁ ସେ ଚିନ୍ତିତ ଥିଲା। ଯଦି ସତରେ ତାଙ୍କ ଦେହ...ତେବେ ଏକୁଟିଆ ସେ ଆଉ କେତେ ଲଢିବ.. ମଦନ ଥିଲେ ଟିକେ ସାହାଯ୍ୟ ହେବ..


ଡୋର୍ ବେଲ୍ ଶୁଣି ଶଙ୍କର ଆସି କବାଟ ଖୋଲିଲେ। ଖୁସି ହେଲା ମିତ୍ରା। ଯା ହେଉ ସେ ସୁସ୍ଥ ଅଛନ୍ତି..ସୋଫା ଉପରେ ବସି ନୀଉଜ୍ ପେପର ପଢୁଥିଲେ..ସେଦିନ ରବିବାର। ତେଣୁ ..

ମଦନ ତା କାମରେ ଲାଗିଯାଇଥିଲା। ମିତ୍ରା ମଧ୍ୟ ସପ୍ତାହ ସାରାର କପଡା ସଫା କରି ଚାଲିଥିଲା..ନିୟମିତ ଅଭ୍ୟାସରେ ବଜାରରୁ ଚିକେନ ମଗାଇ ଶଙ୍କରଙ୍କ ପ୍ରିୟ ବଟର ଚିକେନ ଆଉ ବିରିୟାନି କରିଥିଲା..ଖାଇ ସାରି ଶୋଇବା ଶଙ୍କରଙ୍କ ଛୁଟିଦିନିଆ ଅଭ୍ୟାସ..ସେ ସେଇୟା ହିଁ କରିଥିଲେ।


ଆଶ୍ଚର୍ଯ୍ୟ ହେଉଥିଲା ମିତ୍ରା..ପଦୁଟିଏ କଥା ହୋଇ ନାହାନ୍ତି ସେ ଏ ପର୍ଯ୍ୟନ୍ତ. ଆଉ ବବଲୁ..ତା କଥା କିଛି ବି ପଚାରୁ ନାହାଁନ୍ତି.. ଏକଥାକୁ ଠିକ୍ ଦେଖି ପାରୁଥିଲା ମଦନ..ସନ୍ଧ୍ୟା ଚା ସହିତ ଛଣା ପକୋଡ଼ି ଖାଇ ଶଙ୍କର ବାଲକୋନିରେ ବସିଥିବା ବେଳେ ସେ ପଚାରିଦେଲା…

"ଭାଇ..ସକାଳୁ ଆମେ ଆସିଲୁଣି.. ବବଲୁ କଥା କିଛି ଆପଣ ପଚାରି ନାହାନ୍ତି ଯେ.. ମଦନ ଆଖିରେ ଲୁହ..


" ସେମିତି କିଛି କହିବାର ଥିଲେ କୁହା ହୋଇଯାଇଥାନ୍ତା ନା.."ଶଙ୍କରଙ୍କ ଆଖିରେ କ୍ରୋଧ..


" ତଥାପି ଭାଇ..ଏଡିକି ବକଟେ ପିଲା..ଏତେ ସୀରିଅସ ଥିଲେ..ଆଉ ଆପଣ.."ଅଭିଯୋଗ କଲା ମଦନ..


" ତୋର ତ ଭାରି ସାହସ ଦେଖୁଛି। ମୋ ମୁହଁରେ ମୋ କଥାକୁ ଭୁଲ୍ କହୁଛୁ.."କ୍ରୋଧରେ କହିଲେ ଶଙ୍କର..


" ନାଇ ଭାଇ..ମଣିଷ ତ..ଦେଖି ସହି ପାରିଲିନି.."ମଦନ କହିଲା..


" ତୋତେ ବରଂ ମୁଁ ସହୁଛି। ତୁ କଣ କାହାକୁ ସହିବୁ ତୋତେ ବିନା କାରଣରେ ମାସକୁ ମାସ ଦରମା ଦେଇ ମୁଁ ଖାଲିଟାରେ ପୋଷିଛି.."ଶଙ୍କର କହି ଉଠିଲେ..


" ଭାଇ..ସେମିତି କହିବେନି..ମୁଁ ଖଟୁଛି ଆଉ ଖାଉଛି.."ଏଥର ମଦନ ପ୍ରତିବାଦ କଲା


" ହଁ..ଜଣଙ୍କ କାମ ଦୁଇଜଣ କରି ଖାଉଚ୍ଛ..ଜଣକ ପାଇଁ ଯେତିକି ଖର୍ଚ୍ଚ ହୁଅନ୍ତା ଦୁଇଜଣଙ୍କ ପାଇଁ ମୋତେ ଶସ୍ତା ପଡି ଯାଉଛି ନା.."ଶଙ୍କର ଅତି ଚଢା ଗଳାରେ କହିଲେ


"ଭାଇ ଆପଣ ମୋ ସହିତ ମିତୁ ଅପାଙ୍କୁ ବି ପୋଷୁଛନ୍ତି କହି ଦେଇଛନ୍ତି.."ଆଶ୍ଚର୍ଯ୍ୟ ହେଲା ମଦନ


" ତୋ ଅପା କଣ ପବନ ଖାଇ ରହୁଛନ୍ତି କି? ଆଉ ତା ଛଡା ଦୁଇ ପଇସାର ମୁଣ୍ଡ ନାହିଁ ବଢି ବଢ଼ି କଥା କହୁଛୁ ଏଇ ମୁହୂର୍ତ୍ତରେ ବାହାର ମୋ ଘରୁ…"ଠିଆ ହୋଇ ଗର୍ଜନ କଲେ ଶଙ୍କର ଆଉ ନିଜେ କ୍ରୋଧରେ ବେଡ଼ରୁମ ଭିତରକୁ ଯାଇ କବାଟ ବନ୍ଦ କରିଦେଲେ।


ମିତ୍ରା ଆଁ କରି ସବୁ ଦେଖୁଥାଏ..ମଦନ ଏତେ କଥା ଶୁଣିବା ପରେ ଆଉ କ୍ଷଣଟିଏ ମଧ୍ୟ ରହିବାକୁ ଚାହୁଁ ନ ଥିଲା। କିନ୍ତୁ ଭାରି କଷ୍ଟ ହେଲା ତାକୁ ଏ ସବୁ ଶୁଣି..ଏ କିପରି ଅମାନୁଷିକ ବ୍ୟବହାର.. ଏତେ ଦିନ ସେ ଏଇଠି ଥିଲା ଆଉ ଜାଣିଛି ଶଙ୍କର କେମିତି ବଦରାଗୀ.. ହେଲେ ଆଜି..ଆଜି ମଣିଷପଣିଆ ଟିକକ ଅଛି କି ନାହିଁ ସେ ସନ୍ଦେହରେ ପଡି ଯାଇଥିଲା.. ମଦନକୁ ରୋକିବା ସମ୍ଭବ ନ ଥିଲା। କିନ୍ତୁ ହାତ ଯୋଡ଼ି ମିତ୍ରା ତାକୁ ତା ବାପାଙ୍କ ଗାଆଁକୁ ନ ଯିବାକୁ ଅନୁରୋଧ କଲା।


" ତୁ ତୋ ଗାଆଁକୁ ଚାଲି ଯା ମଦନ..ଆମର ବନ୍ଧନ ବୋଧେ ଏତିକି ଯାଏଁ ଥିଲା..ବାପା ମା ଏସବୁ ଯେମିତି କେବେ ନ ଜାଣନ୍ତି..ମୁଁ କହିଦେବି ତୋ ଗାଁରେ କିଛି ଜରୁରୀ କାମ ଆସିଗଲା ତେଣୁ ତୁ ଚାଲିଗଲୁ। କାମିକା ପିଲା ତୁ..କାମ କରି ଚଳିଯିବୁ…"ମିତ୍ରା ଲୁହ ଭର୍ତ୍ତି ଆଖିରେ କହିଲା।


" ହଁ ଅପା..ମୁଁ ତ ଚାଲିଯିବି ଆଉ ଚଳିଯିବି ହେଲେ ତୁମେ..ଆଉ ବବଲୁ.. ତୁମମାନଙ୍କ କଥା ଭାବିଲେ ମୁଣ୍ଡ ଖରାପ୍ ହୋଇ ଯାଉଛି…" ମଦନ ମୁଣ୍ଡରେ ହାତ ଦେଇ କହିଲା।


କ୍ଷୀଣ ହସରେ ମିତ୍ରା ଲୁହ ସବୁ ଲୁଚାଇ ଦେଲା। ମଦନ ଏତେ ସେବା କରିଛି। ହଠାତ୍ ଏପରି କାମରୁ ବାହାର କରିଦେବା କୌଣସି ପ୍ରକାରେ ମନୁଷ୍ୟୋଚିତ ନୁହେଁ..କିନ୍ତୁ ତାକୁ ଉପଯୁକ୍ତ ପ୍ରାପ୍ୟ କିଛି ଦେଇଦେବା ପରି ପରିସ୍ଥିତି ମଧ୍ୟ ମିତ୍ରାର ନାହିଁ..ଟିକେ ଭାବି ନିଜ ହାତରୁ ସୁନାମୁଦି ବାହାର କରି ଦେଇଦେଲା ଆଉ କହିଲା ତାକୁ ବିକି କିଛି ମାତ୍ରାରେ ଭରପାଇ କରି ଦେବାକୁ..ଅନିଚ୍ଛା ସତ୍ତ୍ବେ କାନ୍ଦି କାନ୍ଦି ଚାଲି ଯାଇଥିଲା ମଦନ.. ବବଲୁ ସହିତ ଆଉ ଦେଖା ହୋଇ ପାରିବନି ବୋଲି। କିନ୍ତୁ ମଝିରେ ମଝିରେ ଫୋନ୍ କରିବାକୁ ଅନୁମତି ଟିକକ ମାଗି ନେଇଥିଲା…


ଗମ୍ଭୀର ଥିଲା ବାତାବରଣ.. କେହି କାହା ସହ କଥା ହେଉ ନ ଥିଲେ..ନୀରବତା ଭଙ୍ଗ କରି ମିତ୍ରା କହିଲା..


" ବବଲୁ ବହୁତ ଦୁର୍ବଳ ହୋଇଯାଇଛି.."


"ହଁ..ଦେହ ଖରାପ ଥିଲା ନା.."


" ଆମକୁ ବହୁତ୍ ଖୋଜୁଛି.."


" କହିଥିଲି ନା ବୟସ ବଢ଼ିଲେ ଆପେ ଠିକ୍ ହୋଇଯିବ…


" ତା ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଯାଇଛି..କ୍ରୋଧୀ ହୋଇଯାଉଛି.."


" ପଢା ଆରମ୍ଭ ହୋଇଗଲେ ଠିକ୍ ହୋଇଯିବ ମନକୁ.."


" ପାଠ ଆରମ୍ଭ କରିବାକୁ ଆହୁରି କେତେ ସମୟ ବାକି। ଏବେ ତ କିଛି ବ୍ୟବସ୍ଥା କରିବାକୁ ହେବ ନା.."


" ଏବେ କି ବ୍ୟବସ୍ଥା କାହିଁକି କଣ ତାକୁ ତା ଅଜା ଆଈ ରଖି ପାରିବେନି"


" ଏମିତି କଣ କହୁଛ ଆମେ କଣ ଏମିତି ତାଠୁ ଦୂରରେ ରହିଥିବା"


" କଣ ହୋଇଗଲା ସେଇଠୁ ଯଦି ବବଲୁ ଏତେ ବୋଝ ଲାଗୁଛି ତେବେ ବୋର୍ଡିଁ ସ୍କୁଲରେ କଥା ହୋଇ ତାକୁ ଜଏନ କରିଦେବା ଝିଂଝଟ ଖତମ୍.."


"ଝିଂଝଟ୍ ବବଲୁ ଆମ ବର୍ତ୍ତମାନ.. ଆମ ଭବିଷ୍ୟତ ..ଆମ ଜୀବନର ଅମୂଲ୍ୟ ରତ୍ନ..ତାକୁ ନେଇ ଏମିତି କଣ କହୁଛ"


" ଯେତେବେଳେ ଦେଖ ଖାଲି ପିଲା ପିଲା.. ଆରେ ଏମିତି କେତେ ପିଲା ଜନ୍ମ ହୁଅନ୍ତି..ତା ବୋଲି କଣ ଜୀବନଟା ସାରା ଆଉ କେହି ଏନଜୟ କରନ୍ତିନି ମଣିଷ କେତେ କଷ୍ଟରେ ରୋଜଗାର କରେ..ଆଉ ଖାଲି ଏ ପିଲା ଝିଲା.. ହରିବଲ.."


" ହଁ..ତୁମ ଖୁସି ପାଇଁ ତ ମୁଁ ରୋଜଗାରକ୍ଷମ ହୋଇଗଲି ନା.. କିନ୍ତୁ ବବଲି ପ୍ରତି ଏ କି କଥାବାର୍ତ୍ତା କରୁଛ?"


"କଣ ଭୁଲ୍ କହିଲି ଆଉ କି ରୋଜଗାର କଥା କହୁଚ୍ଛ ତୁମ ଅର୍ଜିତ ଧନ କେବେ ମୋର ଦରକାର୍ ନାହିଁ..ଆଉ କେବେ ସେ ରୋଜଗାର କଥା କହିବନି। ତା ଛଡା କେତେ ଖର୍ଚ୍ଚ ହେଉଛି ଜାଣି ପାରୁଛ ଏଇ ପ୍ରତି ସପ୍ତାହରେ ଯେମିତି ଖାଲି ଦୌଡୂଛ"


" ପ୍ରତି ସପ୍ତାହରେ ଆମେ ଆଗରୁ ବି ଯାଉଥିଲେ..ସେତେବେଳେ କଣ ଖର୍ଚ୍ଚ ହେଉ ନ ଥିଲା.."


" ନିଜ ମା ବାପାଙ୍କ ପାଇଁ ଖର୍ଚ୍ଚ ହିସାବ କରାଯାଏ ନାହିଁ.."


" ତେବେ କଣ ସନ୍ତାନ ପାଇଁ ହିସାବ କରାଯାଏ"


" ବହୁତ୍ କଥା କହିଲଣି ..ନିଜକୁ କଣ ଭାବୁଛ ତମ ଅସ୍ତିତ୍ବ କେବଳ ମୋ ପାଇଁ..ମୋ ବିନା ତୁମର ପରିଚୟ କିଛି ନୁହେଁ.. ଏକଥା ଭୁଲି ଯିବନି କେବେ.."


"ସେକଥା ମୁଁ କେବେ କହିନି କି ଭାବିନି। ତୁମର କୌଣସି କଥାରେ ମୋର ପ୍ରତିବାଦ ନାହିଁ। କିନ୍ତୁ ଆମ ବବଲି ପାଇଁ ତୁମର ଏ ମନଭାବ ମୋତେ ଭାରି କଷ୍ଟ ଲାଗୁଛି। କଣ ସତରେ ଏବେ ଆମେ ଛୁଆଟାକୁ ଆମ ପାଖକୁ ଆଣିବା ନାହିଁ.."


" ଥରେ କହିଲେ ବୁଝା ପଡୁନି କି ତୁମକୁ ମହାରାଣୀ ପରି ବସି ଖାଲି ଅର୍ଡର୍ ଦେବା ଶିଖିଛ..ଭଲ ହେଲା ସେ ମଦନ ଚାଲିଗଲା। କାଇଁ ମୋ ବୋଉ ଏତେ କାମ କରୁଥିଲା କେବେ ଥକିଯାଇନି ତ.. ବବଲୁ ବବଲୁ ଶୁଣି ଶୁଣି ବିରକ୍ତ ଲାଗିଲାଣି। ପିଲା ନୁହେଁ ତ ଗୋଟେ ଭୀଷଣ ମୁଣ୍ଡବିନ୍ଧା..ଭଲ ହୋଇଛି ସେ ଟିକେ ଦୂରରେ ଅଛି। ନ ହେଲେ ରାତି ରାତି ଶୋଇବା ଅସୁବିଧା ହେଉଥିଲା। ଓଃ..ବିରକ୍ତ ହୋଇ ଗଲିଣି ମୁଁ। ଏଥର ଆଉ ତା ନାଁ ନେବନି। ମୋ ପତ୍ନୀ ହୋଇ ମୋ ସହିତ ଖୁସିରେ ରହିବାକୁ ହେଲେ ଏ ସବୁ କଥା ଭୁଲିଯାଇ କାମରେ ମନ ଦିଅ। କାଲି ଜଲଦି ବାହାରିବ। ତମକୁ ଏର୍ୟାରପୋର୍ଟ୍ ରେ ଛାଡ଼ିଦେଇ ମୁଁ ଅଫିସ ଚାଲିଯିବି। ଆଉ ସେ ବବଲୁ ଫବଲୁ କଥା ଏଥର ବନ୍ଦ କର.."


ଆଖିରୁ ଲୁହ ଶୁଖୁ ନ ଥାଏ। କେତେ ଦିଅଁ ଦେବତା ମାନସିକ କରିବା ପରେ ସନ୍ତାନ ସୁଖ ଜୀବନକୁ ଆସିଛି। ସତରେ କଣ ଶଙ୍କରଙ୍କ ପତ୍ନୀ ବବଲୁର ମା ହୋଇ ପାରିବନି..


ସକାଳୁ ନିୟମରେ ସବୁ କାମ କରି ଚାଲିଲା ମିତ୍ରା। ୟୁନିଫର୍ମ ପିନ୍ଧି ସଜେଇ ହେଲା। ଟିଫିନ୍ ଭରି ଶଙ୍କରଙ୍କ ହାତକୁ ବଢ଼େଇ ଦେଲା। କିନ୍ତୁ ଆଉ ଟିକେ କାମ ବାକି ଥିବାରୁ ତାଙ୍କ ସହିତ ନ ଯାଇ ପରେ ଯିବି କହିଲା। କବାଟ ବନ୍ଦ କରିବା ବେଳେ ତାକୁ ଦେଖାଗଲା.. ବବଲୁ ଗ୍ରିଲ ଦେଇ ଦୁଇ ହାତ ବାହାରକୁ ବାହାର କରି ବିକଳ ହୋଇ କହୁଛି..


"ମାମା..ଆଚ.. ଅାଚ ମାମା…"ଚମକ୍ ଭରା ଆଖି ଦୁଇଟି ଲୁହରେ ଛଳ ଛଳ ହୋଇ ଉଠିଛି…!!


ଲୁହ ପୋଛିଦେଇ କ୍ୟାବ ଡାକି ଗାଆଁକୁ ଗଲା ମିତ୍ରା। ସତକୁ ସତ ବବଲୁ ଠିଆ ହୋଇଥିଲା.. ଗ୍ରିଲ୍ ପାଖରେ..ହାତ ବଢ଼େଇ… ଶଙ୍କର ବବଲୁକୁ ବହୁତ୍ ମନେ ପକାଉଛନ୍ତି ଆଉ ତେଣୁ ସେ ନିଜ ସାଙ୍ଗରେ ତାକୁ ନେଇ ଯିବାକୁ ଆସିଛି ବୋଲି ଘରେ କହିଲା। ଶଙ୍କର ଅଫିସରୁ ଆସିବା ପୂର୍ବରୁ ଆସି ନିଜ ଘରେ ପହଞ୍ଚି ଯାଇଥିଲା। ପତ୍ନୀ ଓ ମା ଭିତରେ ଥିବା ଦ୍ଵନ୍ଦରେ ମା ସମ୍ପୂର୍ଣ୍ଣ ରୂପେ ଜିତି ଯାଇଥିଲା।


"ମୁଁ ଘରେ ଅଛି। ତୁମେ ଆଉ ଏୟାରପୋର୍ଟ ଯାଅନାହିଁ.." କହିଲା ଶଙ୍କରଙ୍କୁ..


ସନ୍ଧ୍ୟା ସମୟ..ଶଙ୍କର ଘରକୁ ଆସିଲା ବେଳକୁ ଅଗଣାରେ ଖେଳୁଥିଲା ବବଲୁ..ଟିକେ ଦୁର୍ବଳ ହୋଇଯାଇଥିଲା। କିନ୍ତୁ ବହୁତ ଖୁସି ଜଣା ପଡୁଥିଲା। ତାକୁ ଦେଖି ସବୁକିଛି ବୁଝିଗଲେ ଶଙ୍କର।


"ଓଃ..ତେବେ ନିଜ ମୂର୍ଖତା ଦେଖେଇ ଦେଲ ନା ବୁଦ୍ଧି ଟିକେ ଥିଲେ ଟ୍ରକ୍ ଡାକି ନିଜ ଜିନିଷ ସବୁ ନେଇ ଚାଲି ଯାଇଥାନ୍ତ। ବେଶ୍..ଠିକ୍ ଅଛି। ଏଥର ନିଜ ସ୍ଵାଧୀନତା ଭୁଲିଯାଇ ଏ ଚାରିକାନ୍ଥ ଭିତରେ ଏମିତି ପଡ଼ିଥାଅ.." କହିଲେ 

ଆଉ ତା ପରଦିନ ଅଫିସ୍ ଯାଇ ଫୋନ୍ କଲେ..


" ସବୁବର୍ଷ ପରି ଏ ବର୍ଷ ମଧ୍ୟ କାର୍ତ୍ତିକ ମାସ ଆମ ସହ ରହିବା ପାଇଁ ବାବା ବୋଉ ଗାଆଁରୁ ଆସୁଛନ୍ତି। ସ୍ତ୍ରୀ ହେବା ଯୋଗ୍ୟତା ତ ତୁମର ନାହିଁ ଅନ୍ତତଃ ବୋହୂ ହିସାବରେ ନିଜ କର୍ତ୍ତବ୍ୟ ଟିକେ କରିପାରିବ ନା ନାହିଁ.. "ଶଙ୍କର କହୁଥିଲେ..


ଅଳ୍ପ ହସି ମିତ୍ରା କହିଲା" କାର୍ତ୍ତିକ ମାସ ବିନା ପିଆଜ ରସୁଣ ରୋଷେଇ ହେବ। ପରିବା ଆଣିବା ବେଳେ ଟିକେ ମନେ ରଖିବ.."


ବବଲୁ ଛୋଟ ଛୋଟ ପାଦରେ ଏ କୋଣରୁ ସେ କୋଣ ଘୁରି ବୁଲୁଥିଲା ମୁକ୍ତ ପ୍ରଜାପତିଟିଏ ପରି..ଶାଢ଼ୀ କାନି ଅଂଟାରେ ବାନ୍ଧି ବାସନ ମାଜିବା ବେଳେ ଦେଖିଲା ମିତ୍ରା..ଝରକା ଦେଇ ମୁକ୍ତ ଆକାଶରେ ଏକ ଫ୍ଲାଇଟ ଉଡି ଯାଉଥିଲା। ମୁରୁକି ହସି ଵ୍ୟୋମ ସହିତ ମିତ୍ରତା ତୁଟାଇ ଆଠ ଘଣ୍ଟିଆ ସ୍ଵାଧୀନତା ଅପେକ୍ଷା ଚବିଶ ଘଣ୍ଟିଆ ପରାଧିନ ଅପମାନ ଭରା ଜୀବନକୁ ସାଦରେ ସ୍ଵୀକାର କରି ନେଇଥିବା ମିତ୍ରା 'ଵ୍ୟୋମାମିତ୍ରା ' ରୁ ହୋଇ ଯାଇଥିଲା…


               " ( ଖରାପ୍) ମା"


ଅନ୍ତ ହିଁ ଆରମ୍ଭ...



Rate this content
Log in

Similar oriya story from Classics