ବୁଝାମଣା
ବୁଝାମଣା
ପୁଅ ପାଖକୁ ଫ୍ଲାଇଟ୍ରେ ଦିଲ୍ଲୀ ଯିବା ମାତ୍ର ଦୁଇ ଘଣ୍ଟା, ରାସ୍ତା ଜଣା ପଡେନି, ଉଡାଣ ଓ ଅବତରଣ ବେଳା ମଧ୍ୟ ଖୁବ୍ ମଜ୍ଜା ଲାଗେ ଆଭା ଙ୍କୁ, ହେଲେ ସ୍ଵାମୀ ନାପସନ୍ଦ କରନ୍ତି, ଟ୍ରେନ ଯିବାକୁ ପସନ୍ଦ କରନ୍ତି ତ ଆଭା ବୋର୍ ହୋଇଯାଆନ୍ତି। ଚିଡାନ୍ତି ସ୍ବାମୀଙ୍କୁ, ହେଲେ ବାଧ୍ୟବାଧ୍ୟକତାରେ ଯୋଉ ଦୁଇ ତିନି ଥର ଯାଇଛନ୍ତି , ଆଗରୁ ଆଭାଙ୍କୁ ତାଗିଦ, ମତେ ସେମିତି, ଏଇ ଦେଖ ବଉଦ, ଏଇ ଦେଖ ତାରା , ଏମିତି କିଛି ବି କହିବନି, ତ ଆଭା ମନେ ମନେ ବିରକ୍ତ ହେଲେ ବି ବାଟ ସାରା ସ୍ବାମୀଙ୍କୁ ଚିମୁଟି ଚିମୁଟି ତାଙ୍କ ସେନ୍ସେସନ୍ ରଖୁ ରଖୁ ଥରେ ଅପ୍ରସ୍ତୁତ ହେଇ ଯାଇଥିଲେ ଆଭା।
ଏମିତି ଥରେ ସ୍ବାମୀଙ୍କୁ ବ୍ୟସ୍ତ ହୁଅନାହିଁ, ଆଉ ଅଳ୍ପ ବାଟ କହି ତାଙ୍କ ମୁଣ୍ଡରେ ନବରତ୍ନ ତେଲ ପକାଇ ତାଙ୍କ ହାତ ମୁଠାରେ ହାତ ପକାଇ ସାନ୍ତ୍ଵନାମୂଳକ ପଦକ୍ଷେପ ଗ୍ରହଣ କରୁ କରୁ ,ପାଖ ସିଟରେ ବସିଥିବା ଅଣଓଡିଆ ପୁରୁଷ ଜଣେ ଆଭାଙ୍କୁ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହୁଁଥିବାରେ ଆଭା ଖାଲି ଅପ୍ରସ୍ତୁତ ହେଲେନି , ଲଜ୍ଜିତ ବି। ତଥାପି ସ୍ବାମୀଙ୍କୁ ମୃଦୁ ସମ୍ବେଦନ ଦେଇଚାଲିଥିଲେ ଆଭା।
ଘରେ ପହଞ୍ଚିଲା ପରେ କିନ୍ତୁ ସ୍ଵାମୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହେଲେ ତ ସ୍ଵାମୀ, ସମ୍ବିତ, ତାଙ୍କ ଜୀବନର ପୁରୁଣା ପୃଷ୍ଠାର କିଛି ଉଦ୍ଧୃତି ବାଖାଣିବାକୁ ଲାଗିଲେ। ପିଲାଦିନେ ରଜରେ ତାଙ୍କ ଗ୍ରାମରେ ହୋଇଥିବା ବାଉଁଶ ଦୋଳିରୁ ପଡ଼ିଯାଇ ଭୟଭୀତ ହୋଇଯାଇଥିଲେ। ତା ପରଠୁ ଆଉ କେବେ ବାଉଁଶ ଦୋଳିରେ ବସିନଥିଲେ ସେ, ହେଲେ ସାଙ୍ଗ ମାନେ ଥଟ୍ଟା ପରିହାସ କରିବାରୁ ବାଉଁଶ ଦୋଳି ରେ ନବସି, ଲୁହା ଶିକୁଳି ଦୋଳି ରେ ବସିଥିଲେ, ହେଲେ ପୂର୍ବ ଥର ଅପେକ୍ଷା ଅଧିକ ଜୋରରେ ପଡ଼ି ଭୟଭୀତ ହୋଇଯାଇଥିଲେ, ଆଉ ସେହି ଭଳି ଭୟ ଫ୍ଲାଇଟ୍ ରେ ହୁଏ ବୋଲି ବୁଝାଇବା ପରେ ଆଭା ତୁନି ପଡ଼ିଥିଲେ।
