sushama Parija

Drama Tragedy

3  

sushama Parija

Drama Tragedy

ବର୍ଷାର ତାଣ୍ଡବ

ବର୍ଷାର ତାଣ୍ଡବ

11 mins
7.2K


ଗତ ରାତିରୁ ଲଗାଣ ବର୍ଷାଟା ଲାଗି ରହିଛି । ସୁନୟନା ସକାଳ ସାଢେ ସାତଟା ବେଳୁ ଦାଣ୍ଡ ଦୁଆରେ ଅପେକ୍ଷା କରି ବସିଛି କେତେବେଳେ ବର୍ଷା ଟିକିଏ କମିବ ଆଉ ସେ କାମକୁ ଯିବ । ସ୍ଥାନୀୟ ଏକ ଅଫିସ୍ ରେ ସେ ଝାଡୁପୋଛା କରେ । ତା' ଘର ପାଖରୁ ଅଫିସ୍ ମାତ୍ର ପନ୍ଦର ମିନିଟ୍ ର ରାସ୍ତା । ନଅଟା ବେଳକୁ ବାବୁ ମାନେ ଅଫିସ୍ କୁ ଆସିବା ବେଳକୁ ତା'ର କାମ ପ୍ରାୟ ସରି ଯାଇଥାଏ । କାମସାରି ଘରକୁ ଫେରି ଆସିଲା ପରେ ସେ ଗାଧୁଆପାଧୁଆ ସାରି ମାଆଙ୍କୁ ରୋଷେଇରେ ସାହାଯ୍ୟ କରେ । ସନ୍ଧ୍ୟା ସମୟରେ କିଛି ସାନ ସାନ ପିଲାଙ୍କୁ ଟିଉସନ କରେ । ଏଇଟି ତା'ର ଦିନଚର୍ଯ୍ୟା । ଆଜି ଲାଗୁଛି ସବୁ ବିଗିଡି ଯିବ । ହାତରେ ଧରିଥିବା ମୋବାଇଲ୍ ଫୋନ୍ ରେ ଟାଇମ୍ ଦେଖିଲା ସେ। ଆଠଟା ବାଜି ଚାଳିଶ୍ ମିନିଟ୍ । କାନ୍ଦ କାନ୍ଦ ହୋଇଗଲା ସୁନୟନା । ଥରେ ଦି ଥର ଅଫିସ୍ ରେ ଡେରିରେ ପହଞ୍ଚିବାରୁ ବିରକ୍ତ ହୋଇ ଅଫିସ୍ ର କେୟାର ଟେକର ରବି ତା'କୁ ଗାଳି ଦେଉଥିଲା ବେଳେ ହଠାତ୍ ଥରେ ମ୍ୟାନେଜିଂ ଡାଇରେକ୍ଟର ବିଷ୍ଣୁ ବର୍ଦ୍ଧନ ସାର୍ ପଶି ଆସିଥିଲେ ସେ ରୁମ୍ କୁ । ଘରେ ଘଣ୍ଟା ଟିଏ ନଥିବାରୁ ସେ ସମୟ ଜାଣି ପାରିଲାନି ବୋଲି କୈଫିୟତ ଦେଉଥିବାର ଶୁଣି ସେ ଏଇ ପୁରୁଣା ମୋବାଇଲ୍ ଫୋନ୍ ଟି ଦେଇ ତା'କୁ କହିଥିଲେ ଆଉ କେବେ ଡେରି ନ କରିବା ଲାଗି । ଆଜି କିନ୍ତୁ ଏଇ ଅଲକ୍ଷଣା ବର୍ଷା ଟା ଲାଗି ପୁଣି ଡେରି ହେଲାଣି । ସାର୍ ଯଦି ଆଗରୁ ଆସିଯିବେ ଆଉ ତା'ର ରକ୍ଷା ନାହିଁ । ତା'କୁ ଏଭଳି ଡେରିରେ ପହଞ୍ଚିବାର ଦେଖି ଚାକିରୀରୁ ବାହାର କରିଦେବେ ନିଶ୍ଚୟ । ଏଇ ଚାକିରୀଟି ତା'କୁ ଅନେକ କଷ୍ଟରେ ମିଳିଛି, ଏଇଟା ତାଙ୍କର ପରିବାରର ଏକ ମାତ୍ର ରୋଜଗାରର ଉତ୍ସ, ଏଇଟା ଚାଲିଗଲେ ତାଙ୍କର ପରିବାର ଭୋକରେ ମରିଯିବା ସାର ହେବ । ଏମିତି ଅନେକ କଥା ଭାବି ଚାଲିଥିଲା ସୁନୟନା । ବାରମ୍ବାର ସମୟ ଦେଖୁଥିଲା ।

ଆଗରୁ ଏଇ ଅଫିସ୍ ରେ ତା' ମାଆ ଜାନକୀ ଝାଡୁପୋଛା କାମ କରୁଥିଲା । ତା' ବାପା ସନାତନ ମୂଲ ଲାଗିବାକୁ ଯାଉଥିଲା । ସେଇ ରୋଜଗାରରେ ତାଙ୍କର ଚାରି ପ୍ରାଣୀ କୁଟୁମ୍ବ ସୁରୁଖୁରୁରେ ଚଳୁଥିଲେ ।

ସୁନୟନା ଆଉ ତା'ର ସାନ ଭଉଣୀ ନିର୍ମଳା ଦୁଇଜଣ ଯାକ ପାଠ ପଢୁଥିଲେ ସରକାରୀ ସ୍କୁଲରେ । ସେତେବେଳକୁ ସୁନୟନା ନବମ ଶ୍ରେଣୀରେ ପଢୁଥାଏ ଆଉ ନିର୍ମଳା ପଞ୍ଚମ ଶ୍ରେଣୀରେ । ଦିନେ ରାତିରେ

ତା' ବାପାଙ୍କର ହଠାତ୍ ପେଟ ଯନ୍ତ୍ରଣା ଆରମ୍ଭ ହୋଇଗଲା , ବାପା ଲୋ ମାଆ ଲୋ ହୋଇ ତଳେ ଗଡୁ ଥାଆନ୍ତି, ଦୁଇ ଦୁଇଟି ଝିଅଙ୍କୁ ଧରି ଜାନକୀ କରିବେ ବା କ'ଣ ? ଅଦା, ଗୋଲମରିଚ, ଜୁଆଣି ଇତ୍ୟାଦି ଦେଇ ଘରୋଇ ଉପଚାର କରି କୌଣସି ପ୍ରକାରେ ରାତିଟା କଟେଇ ଦେଲେ । ସକାଳୁ ସକାଳୁ ତାଙ୍କୁ ନେଇକି ଗଲେ ଡାକ୍ତର ପାଖକୁ । ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର କହିଲେ କିଡ଼ନୀରେ ଷ୍ଟୋନ୍ ହୋଇଛି, ଅପରେସନ୍ କରିବାକୁ ପଡିବ । ଜାନକୀଙ୍କ ମୁଣ୍ଡରେ ବଜ୍ର ପଡିଲା । ଖଟିଖିଆ ଘରେ ଆଜି ମୂଲ ଲାଗିବାକୁ ନଗଲେ କାଲି ଉପାସ, ସେଥିରେ ଅପରେସନ କରିବା ଲାଗି ପଇସା କୋଉଠୁ ଆସିବ ? ବହୁତ

କଷ୍ଟରେ ନିଜର କାନଫୁଲ ହଳକ ବିକ୍ରି କରି ପାଞ୍ଚ ହଜାର ଟଙ୍କା ଯୋଗାଡ କରି ପହଞ୍ଚିଥିଲା ଡାକ୍ତରଖାନାରେ । ଆହୁରି ପାଞ୍ଚ ହଜାର ଦେଲେ ଅପରେସନ ହେବ ବୋଲି ଡାକ୍ତରବାବୁ କହିଲେ । କାନ୍ଦି ବୋବେଇ ନିଜେ କାମ କରୁଥିବା ଅଫିସ୍ ରେ ପହଞ୍ଚିଥିଲା ଜାନକୀ । ମ୍ୟାନେଜିଂ ଡାଇରେକ୍ଟର ବିଷ୍ଣୁ ବର୍ଦ୍ଧନ ସାର୍ ଙ୍କ ଗୋଡହାତ ଧରି ସବୁ କଥା କହି ନେହୁରା ହୋଇ ପାଞ୍ଚ ହଜାର ଟଙ୍କା ଅଗ୍ରୀମ ଦେବା ପାଇଁ ଅନୁରୋଧ କରିଥିଲା । ଦୟା ପରବଶ ହୋଇ ପାଞ୍ଚଦିନ ଛୁଟି ସହ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିଲେ ସାର୍ । କଷ୍ଟେମଷ୍ଟେ ଆଉ କିଛି ପଇସା ହାତ ଉଧାରି କରି ସନାତନର ଅପରେସନ କରେଇ ତା'କୁ ଘରକୁ ଆଣିଥିଲା ଜାନକୀ । ଅଫିସ୍ ର ପାଞ୍ଚ ଦିନର ଛୁଟି ସରିଯାଇଥିଲା କିନ୍ତୁ ସେ ସନାତନକୁ ଘରେ ଏକା ଛାଡ଼ି ଅଫିସ୍ ଯିବା ଲାଗି ସାହସ କରିପାରୁ ନଥିଲା କାରଣ ଏ ଯାଏଁ ତା'ର ଦୁର୍ବଳତା ସଂପୂର୍ଣ୍ଣ ଭାବେ ଦୂର ହୋଇ ନଥିଲା । ଏପଟେ ତା'ର ବିବେକ ବାଧା ଦେଉଥିଲା ଆଉ ଅଧିକ ଦିନ କାମ ବନ୍ଦ କରିବାକୁ । ତେଣୁ ସେ ବଡ ଝିଅ ସୁନୟନାକୁ ସ୍କୁଲ ବନ୍ଦ କରି ତା' ସହିତ ଅଫିସ୍ ରେ ଝାଡୁପୋଛା କାମ କରିବାକୁ ସାଥୀରେ ନେଲା । ଦୁଇଜଣ ମିଶି କାମ କରି ଦେଲେ କମ୍ ସମୟରେ କାମ ସରି ଯାଉଥିଲା ଏବଂ ଜାନକୀକୁ ପର୍ଯ୍ୟାପ୍ତ ସମୟ ମିଳୁଥିଲା ସନାତନର ସେବା ଶୁଶ୍ରୁଷା କରିବା ପାଇଁ । ଧୀରେ ଧୀରେ ସୁନୟନା କାମ ଶିଖିଗଲା । ଏପଟେ ସନାତନ ଆଉ କାମକୁ ଯାଇ ପାରୁ ନଥିଲା , କାରଣ ବିଗତ ଦିନର ମଦ ପିଇବାର ବଦଭ୍ୟାସ ଯୋଗୁ ତା'ର କିଡ଼ନୀ ଟି ନଷ୍ଟ ହେବାକୁ ଲାଗିଥିଲା । ଅଗତ୍ୟା ଜାନକୀ କୁ ସୁନୟନା କୁ ମଧ୍ୟ ସେଇ ଅଫିସ୍ ରେ କୁହାବୋଲା କରି ଝାଡୁପୋଛା କାମରେ ନିୟୋଜିତ କରିବାକୁ ପଡିଲା ନିଜ ପରିବାରର ଭରଣପୋଷଣ ନିମନ୍ତେ । ଜାନକୀ ନିଜେ ମଧ୍ୟ ଆଉ ଦୁଇଟା ଘରେ ଝଡାପୋଛା କାମ ଧରିନେଇଥିଲା । ଦୁଃଖ କଷ୍ଟରେ ସଂସାର ଚଳି ଯାଉଥିଲା ।

କଥାରେ ଅଛି ଦୁଃଖୀର ଦୁଃଖ ଅସରନ୍ତି । ଦିନେ ଅଫିସ୍ ରେ ନଇଁପଡ଼ି ଝାଡୁ କରୁ କରୁ ଜାନକୀ ଆଉ ଅଣ୍ଟା ସିଧା କରି ପାରିଲାନି , ଯନ୍ତ୍ରଣା ରେ ଚିତ୍କାର କରି ଉଠିଲାରୁ ସୁନୟନା ଦୌଡ଼ି ଗଲା ପାଖକୁ । ବହୁତ କଷ୍ଟରେ ଧରି ଧରି ତାକୁ ଘରକୁ ନେଇ ଗରମ ପାଣି ସେକ ଦେଇ ଟିକେ ଆରାମ ଲାଗିଲା ପରେ ସନ୍ଧ୍ୟାରେ ଡାକ୍ତରଙ୍କୁ ଦେଖାଇବାରୁ ସେ କହିଲେ ଆଣ୍ଠୁ ଗଣ୍ଠି ବାତ । ଏ ରୋଗ ପୁରାପୁରି କେବେ ବି ଭଲ ହୋଇ ପାରିବନି ।ବେଳକୁ ବେଳ ସବୁ ଗଣ୍ଠିକୁ ବ୍ୟାପିବ, ନିୟମିତ ଭାବରେ ଔଷଧ ଖାଇଲେ ଯନ୍ତ୍ରଣା କମିଯିବ କିନ୍ତୁ ପରିଶ୍ରମ ପଡିଲେ ପୁଣି ବାହାରିବ । ଥଣ୍ଡା ପବନ, ଥଣ୍ଡା ପାଣି ଏ ସବୁ ସଂସ୍ପର୍ଶରେ ଆସିଲେ ବେଶୀ ଯନ୍ତ୍ରଣା ବଢିବ ।

ମୁଣ୍ଡରେ ହାତ ଦେଲା ସୁନୟନା । ସେ ଜାଣିଥିଲା ତା' ମାଆ ର କାମ କେବଳ ପାଣି ରେ । ବାସନ ମକାରୁ ଘରପୋଛା , ଲୁଗାଧୁଆ ସବୁ ପାଣି ରେ ହିଁ କରିଥାଏ ମା' । ଯଦି ମା' କାମ ଛାଡି ଦେବ ତେବେ ସେମାନେ ଚଳିବେ କେମିତି ? ବାପାଙ୍କର ଚିକିତ୍ସା ହେବ କେମିତି ? ତାଙ୍କର ବାପାଘର ପଟରେ କିମ୍ବା ମା' ଘର ପଟରେ ଏମିତି କେହି ନଥିଲେ ଯିଏ ତାଙ୍କୁ ଏ ବିପଦ ସମୟରେ ଟିକିଏ ସାହାଯ୍ୟର ହାତ ବଢାଇବେ । ସବୁ ଆଡ଼କୁ ଭାବି ଚିନ୍ତି ଶେଷରେ ସ୍ଥିର କଲା ସୁନୟନା ଯେ ସେ ତାଙ୍କ ଘରର ସଂପୂର୍ଣ୍ଣ ଦାୟିତ୍ବ ନେବ । କାମ କରି ପଇସା ରୋଜଗାର କରି ଘର ଚଳେଇବା ସହିତ ବାପା ମାଆ ଙ୍କର ସେବା ଶୁଶ୍ରୁଷା କରିବ , ସାନ ଭଉଣୀ ନିର୍ମଳାକୁ ବାହା କରିବ , ବଞ୍ଚି ଥିବାଯାଏ ସେମାନଙ୍କୁ ଛାଡି କୁଆଡେ ଯିବନାହିଁ । ସେଇ ସଂକଳ୍ପ ନେଇ ସେ ଅଫିସ୍ ରେ ଜଣାଇ ଦେଲା ଯେ ତା' ମାଆ ଆଉ କାମକୁ ଆସିବନି, ଦୁଇ ଜଣଙ୍କ କାମ ସେ ଏକା କରିଦେବ । ଅଫିସ୍ କାମ କରିବା ସହିତ ଆଉ ଦୁଇ ଘର କାମ ଧରିନେଇଥିଲା ସେ, ଯାହା ବି ରୋଜଗାର ହେଉଥିଲା ଟାଣି ଓଟାରି ହୋଇ ଚଳି ଯାଉଥିଲେ ସେମାନେ । ସନାତନ ମଧ୍ୟ ସ୍ତ୍ରୀର ଏମିତି ଅବସ୍ଥା ଦେଖି ଖୁବ୍ ଦୁଃଖ କରୁଥିଲେ । ଧୀରେ ଧୀରେ ସୁସ୍ଥ ହେଲା ପରେ ଭାରି କାମ କରିବାକୁ ପାରୁନଥିଲେ ବୋଲି ଝିଅ ସହିତ ଯାଇ ଅଫିସ୍ ଓଳାପୋଛା କରିବା ଲାଗି ସାହାଯ୍ୟ କରୁଥିଲେ । ଏଇ ମଧ୍ୟରେ ସାନ ଝିଅ ନିର୍ମଳା ବି ମାଟ୍ରିକ ପରୀକ୍ଷା

ଦେଇ ସାରିଥିଲା । ବଡ ଝିଅ ସୁନୟନା ପାଇଁ ଅନେକ ବିବାହ ପ୍ରସ୍ତାବ ଆସୁଥିଲେ ମଧ୍ୟ ସେ ଏକା ଜିଦ୍ ଧରି

ବସିଥିଲା ବାହା ହେବ ନାହିଁ ବୋଲି ।

ବର୍ଷାର ବେଗ ଟିକିଏ କମିଯିବା ଦେଖି ସାନ ଭଉଣୀ ନିର୍ମଳାକୁ ଦୁଆର ମୁହଁରୁ ଡାକ ଛାଡିଲା ସୁନୟନା

'' ନିମ୍ମି, ଏ ନିମ୍ମି ! ଟିକେ ଛତାଟା ଧରି ଆସିଲୁ, ଅଫିସ୍ ଯାଏଁ ଯିବା , ଦୁଇ ଜଣ ମିଶି ଓଳା ଓଳି କରି ଦେବା ଯେ ଶିଘ୍ର କାମ ସରିଯିବ । ଦଶଟା ବାଜିଲାଣି , ସାର୍ ଆସି ଯିବେଣି, ଅଫିସ୍ ଝଡାପୋଛା ନହୋଇଥିବା ଦେଖି ଖୁବ୍ ରାଗୁଥିବେ । ଆରେ କୁଆଡେ ଗଲୁ ମ ? ଚଞ୍ଚଳ ଆ '' । ଅପାର କାନ ଫଟା ଚିତ୍କାର ଶୁଣି ନସର

ପସର ହୋଇ ଛତାଟାଏ ଧରି ଘରୁ ବାହାରି ଆସିଲା ନିର୍ମଳା । ଦୁଇ ଭଉଣୀ ଯାକ ସେଇ ଟିପି ଟିପି ବର୍ଷାରେ ଛତାତଳେ ଅଧା ଅଧା ଓଦା ହୋଇ ଧାଇଁଲେ ଅଫିସ୍ କୁ । ଅଫିସ୍ ରେ ପହଞ୍ଚିଲା ପରେ ତରବର ହୋଇ କାମସାରି ଘରକୁ ଫେରି ଯିବାକୁ ବାହାରିଲା ବେଳକୁ ଦିନ ବାରଟା । ଅସରାକୁ ଅସରା ପ୍ରବଳ ବର୍ଷା ଲାଗି ରହିଛି ତା' ସାଙ୍ଗକୁ ଘଡ଼ଘଡ଼ି ବିଜୁଳି । ଗତ କାଲି ରାତିରେ ବଜ୍ରପାତରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଟିଭି ସମାଚାରରେ ଦେଖିଥିବା ନିର୍ମଳାର ଛାତି ଭୟରେ ଧଡଧଡ ହେଉଥାଏ । ଖାଲି ଅପାର ଡରରେ ସିଏ ଘରୁ ବାହାରି ଆସିଲା ସିନା ତା'ର ମୋଟେ ଇଚ୍ଛା ନଥିଲା ଆସିବା ଲାଗି । ସେ ମନେ ମନେ ଭାବୁଥାଏ ଅପା ଅଟୋରିକ୍ସା ଟିଏ କରନ୍ତାନି ଘରକୁ ଫେରିବା ଲାଗି । ମେଘଢାଙ୍କି ଦିନଟା ରାତି ଭଳିଆ ଦିଶୁଛି, ସେଥିରେ ପୁଣି ଘଡ଼ଘଡ଼ି ବିଜୁଳି, ଖୁବ୍ ଡର ଲାଗୁଥାଏ ନିର୍ମଳାକୁ । ସୁନୟନାର ହାତ ଟିକୁ ଚାପି ଧରି ଅଫିସ୍ ର ପାହାଚରୁ ଓହ୍ଲାଇଲା ସେ । ଅଫିସ୍ ପାଖରେ ଛିଡ଼ା ହୋଇ ଥିବା ଅଟୋରିକ୍ସାଟିଏ ଆଗେଇ ଆସିଲା ତାଙ୍କ ଆଡ଼କୁ ' ଆସନ୍ତୁ ଘରେ ଛାଡି ଦେବି' କହିଲା ଡ୍ରାଇଭର୍ ଟି । ନିର୍ମଳାର ଆଗେଇ ଯାଉଥିବା ପାଦ ଦୁଇଟି ଥମିଗଲା ,ସୁନୟନାର ରୁକ୍ଷ ସ୍ବର ' ଦରକାର ନାହିଁ ' ଶୁଣି। ମନକୁ ମାରି ସେ ସୁନୟନାର ହାତଧରି ପାଦ

ବଢାଇଲା ଆଗକୁ ଆଗକୁ । କିଛି ବାଟ ଗଲା ପରେ ଗୋଟିଏ ଔଷଧ ଦୋକାନ ପାଖରେ ଅଟକିଲେ ସେମାନେ ବାପା ମାଆଙ୍କର ଔଷଧ କିଣିବା ଲାଗି । ପର୍ସରୁ ବାହାର କରି ପ୍ରେସ୍କ୍ରିପସନ୍ ଟି ବଢାଇ ଦେଲା

ସୁନୟନା । ଦୋକାନୀ ଔଷଧ ଖୋଜିବାରେ ଲାଗି ଗଲା । ଚାରୋଟି ଔଷଧରୁ ଦୁଇଟି ମିଳିଲା ଆଉ ଦୁଇଟି ମିଳିଲାନି । କ'ଣ କରିବ ସୁନୟନା ? ଔଷଧ ନଖାଇଲେ ମାଆ ରାତିରେ ଶୋଇ ପାରିବନି, ଯନ୍ତ୍ରଣାରେ ସାରାରାତି ଛଟପଟ ହେବ । ଦୋକାନୀ ପିଲାଟି କହିଲା ଆଗରେ ଦୁଇ ତିନୋଟି ଔଷଧ ଦୋକାନ ଅଛି, ଦେଖନ୍ତୁ କାଳେ ସେଠାରେ ମିଳିଯିବ । ଅନନ୍ୟୋପାୟ ହୋଇ ସୁନୟନା ନିର୍ମଳାକୁ କହିଲା '' ଏତେ ବର୍ଷାରେ ଭିଜି ଭିଜି ଦି'ଜଣ ଯାକ କୁଆଡେ ବୁଲିବା , ତୁ ଏଇଠି ଏଇ ସାମନା ବେଞ୍ଚ୍ ଉପରେ ବସିଥା କି ମୁଁ ଔଷଧଟି ଖୋଜି ନେଇ କରି ଆସୁଛି । କୁଆଡ଼େ ଯିବୁନି ଏଇଠି ଥିବୁ । ଔଷଧ ଦୋକାନୀ ଟି ମଧ୍ୟ ତତ୍ପର ହୋଇ କହି ଉଠିଲା '' ସେ ଏଇଠି ବସି ଥାଉ , ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି '' ।

ନିର୍ମଳାକୁ ଔଷଧ ଦୋକାନରେ ବସାଇ ଛତାଟି ଧରି ବାହାରି ଗଲା ସୁନୟନା ଆଗକୁ ନମିଳିଥିବା ଔଷଧ ଦୁଇଟି ଖୋଜିବାକୁ ସେଇ ବର୍ଷାରେ । ଚାରି ପାଞ୍ଚଟି ଦୋକାନ ବୁଲିଲା ବେଳକୁ ସେ ଅଧାରୁ ଅଧିକ ଓଦା ହୋଇ ସାରିଥିଲା ଛତାଟି ଧରିଥିବା ସତ୍ତ୍ୱେ ମଧ୍ୟ । ସେତେବେଳକୁ ଅଧ କିଲୋମିଟର ବାଟ ଚାଲିଚାଲି ଆସି ସାରିଥିଲା ସେ। ପ୍ରାୟ ଅଧଘଣ୍ଟାଏ ଧରି ଏ ଦୋକାନରୁ ସେ ଦୋକାନ ଘୁରି ବୁଲୁଛି ସେ । ଶେଷରେ ଗୋଟିଏ ଦୋକାନରେ ଔଷଧଟି ମିଳିଗଲା ତା'କୁ । ଔଷଧ କିଣି ସାରି ସେ ପଛକୁ ଫେରିଲା । ତା'କୁ ଲାଗିଲା

କିଛି ଲୋକ ତାକୁ ଅନୁସରଣ କରୁଛନ୍ତି । ପଛକୁ ବୁଲି ପଡି ଚାହିଁଲା ସେ, ଦେଖିଲା ତିନି ଜଣ ଯୁବକ ତା' ପଛେ ପଛେ ଆସୁଛନ୍ତି । ସେମାନଙ୍କ ରଙ୍ଗ ଢଙ୍ଗ ଠିକ୍ ଲାଗିଲାନି ତା'କୁ , ସେ ଜୋର ଜୋର ଚାଲିବାକୁ ଆରମ୍ଭ କଲା । ଯୁବକ ମାନଙ୍କର ପାଦର ଗତି ମଧ୍ୟ ବଢିଗଲା ଅନୁରୂପ ଭାବେ । ହଠାତ୍ ତାଙ୍କରି ଭିତରୁ

ଜଣେ ଆଗେଇ ଆସି ସୁନୟନାର ସାମନାରେ ଠିଆହୋଇ ତା' ହାତରେ ଥିବା ଛତା ଟିକୁ ଧରି ପକାଇଲା ।

ଅନ୍ୟ ଦୁଇ ଜଣ ଦୁଇ ପଟରୁ ଆସି ତା'କୁ ଟଣା ଓଟରା କରିବା ଆରମ୍ଭ କରିଦେଲେ । ସେମାନଙ୍କର ଅତର୍କିତ ଆକ୍ରମଣରେ ଭୟଭୀତ ହୋଇ ଚିତ୍କାର କରି ଉଠିଲା ସୁନୟନା । ବଞ୍ଚାଅ ବଞ୍ଚାଅ ବୋଲି ସେ ଖୁବ୍ ଜୋର୍ ରେ ପାଟି କରି ଉଠିଲା ସେ । ବର୍ଷା ଯୋଗୁ ଜନଗହଳି କମ୍ ଥିଲା , ଯେଉଁମାନେ ବି ଥିଲେ ତାଙ୍କ ଭିତରୁ କେହି ତାକୁ ରକ୍ଷା କରିବାକୁ ଆସିନଥିଲେ କାରଣ ସେତେବେଳକୁ ଯୁବକ ମାନଙ୍କ ମଧ୍ୟରୁ ଜଣେ ଛୁରୀ ଟିଏ ବାହାର କରି ସାରିଥିଲା । କିଂକର୍ତ୍ତବ୍ୟବିମୂଢ ହୋଇ ସୁନୟନା କାନ୍ଦିବାକୁ ଲାଗିଲା । ହଠାତ୍ ତା' ଦେହରେ ଏତେ ବଳ କୋଉଠୁ ଆସିଲା କେଜାଣି ସେ ତା' ସାମନାରେ ଛିଡା ହୋଇଥିବା ଲୋକଟିର ମର୍ମସ୍ଥଳକୁ ଦେଲା ଗୋଟାଏ ଗୋଇଠା । ଯନ୍ତ୍ରଣାରେ ଛଟପଟ ହୋଇ ସୁନୟନାର ଛତାମିଶା ହାତକୁ ଛାଡି ଦେଇ ସେଦୁଇ ଆଣ୍ଠୁ ସନ୍ଧିରେ ହାତ ଦେଇ ବସି ପଡିଲାରୁ ସୁନୟନା ସେଇ ଛତାକୁ ଖଣ୍ଡା ଭଳିଆ ବୁଲେଇ ବୁଲେଇ ଆକ୍ରମଣ କରିବାକୁ ଲାଗିଲା ଅନ୍ୟ ଦୁଇ ଜଣଙ୍କୁ। ଦେବୀ ଦୁର୍ଗା ମହିଷାସୁରକୁ ଗୋଡେଇ ଗୋଡେଇ ମାରିଲା ଭଳି ସୁନୟନା ରାସ୍ତାରେ ଗୋଡେଇ ଗୋଡେଇ ଛତାରେ ପିଟିଲା ସେମାନଙ୍କୁ। ସେତେବେଳକୁ ନୀରବ ଦର୍ଶକ ମାନଙ୍କ ମଧ୍ୟରୁ କେତେକଙ୍କର ନିଦ ଭାଙ୍ଗିଥିଲା , ସେମାନଙ୍କ ଭିତରୁ କିଛି ଲୋକ ବାହାରି ଆସି ଯୁବକ ମାନଙ୍କୁ ସୁନୟନା ସହିତ ମିଶି ପିଟିବାରେ ଲାଗିଗଲେ । ତଳେ ପକାଇ ବିଧା ଗୋଇଠା ମାରି ମାରି ଲହୁ ଲୁହାଣ କରି ପକାଇଲେ । ସେମାନଙ୍କ ଅବସ୍ଥା ଦେଖି ଦୟା ହେଲା ସୁନୟନାର । ସେ କହିଲା '' ଥାଉ ସେତିକି, ବହୁତ ମାଡ ଖାଇ ସାରିଲେଣି ସେମାନେ , ତାଙ୍କୁ ପୋଲିସରେ ଦେଇ ଦିଅନ୍ତୁ, ଆଇନ୍ କୁ ହାତକୁ ନିଅନ୍ତୁ ନାହିଁ '' । ପାଟି ଗୋଳ ଶୁଣି ସେତେବେଳକୁ ପୋଲିସ୍ କନେଷ୍ଟବଳଟିଏ ପହଞ୍ଚି ଥିଲା ସେଠାରେ । ସେ ସେଇ ଯୁବକ ମାନଙ୍କୁ ଧରି ନେଇଥିଲା ଥାନାକୁ । ରାସ୍ତାରେ ଇତସ୍ତତଃ ଅବସ୍ଥାରେ ପଡିଥିବା ତା'ର ପର୍ସ୍ ଆଉ ଔଷଧ ପୁଡ଼ିଆକୁ ଗୋଟାଗୋଟି କରି ସାରିଲା ବେଳକୁ ସୁନୟନାର ମନେ ପଡିଲା ନିର୍ମଳା କଥା । ସତେ ତ ! ଅନେକ ସମୟ ଆଗରୁ ତା'କୁ ଆର ଔଷଧ ଦୋକାନରେ ବସାଇ ଦେଇ ଆସିଥିଲା ସିଏ । ଏମିତି ଦୁର୍ଘଟଣାଗ୍ରସ୍ତ ନହୋଇଥିଲେ ସେ କେତବେଳ ଠାରୁ ଫେରି ଯାଆନ୍ତେଣି ଘରକୁ । ତା'ର ଏମିତି ଡେରି ଦେଖି ନିଶ୍ଚିତ ଡରି ଯାଇଥିବ ନିର୍ମଳା , ଏଇ କଥା ଭାବି ଭାବି ତରତର ହୋଇ ଚାଲିବାକୁ ଆରମ୍ଭ କଲା ସେଅପା ଯିବାର ପ୍ରାୟ ଅଧଘଣ୍ଟାଏ ହେଲାଣି । ଗୋଟିଏ ଯାଗାରେ ବସି ବସି ନିଦ ଲାଗିଲାଣି ନିର୍ମଳାକୁ । ଶୋଷରେ ତଣ୍ଟି ଶୁଖିଗଲା ପରି ଲାଗିବାରୁ ସେ ଔଷଧ ଦୋକାନୀକୁ କହିଲା '' ଅଙ୍କଲ୍ ! ପାଣି ଗ୍ଲାସ୍ ଟିଏ ମିଳିବ ?'' ଦୋକାନୀଟି ଉତ୍ତର ଦେଲା '' ହଁ , ଅଛି ଯେ, ଏଠି ଦୋକାନରେ ନାହିଁ । ଦୋକାନର ପଛ ପଟେ ମୋର ଘର, ସେଇଠି ଅଛି । ତମେ ସେଇଠିକି ଯାଅ , ପାଣି ପିଇ ଦେଇ ଆସିବ , ଡରିବାର କିଛି ନାହିଁ , ମୁଁ ଏଇଠି ଅଛି, ତମ ଅପା ଆସିଲେ କହି ଦେବି '' । ଦୋକାନୀର କଥା ଶୁଣି ବସିଥିବା ବେଞ୍ଚରୁ ଉଠି ଦୋକାନ ପଛପଟେ ଥିବା ଘରଟି ଭିତରକୁ ପାଣି ପିଇବାକୁ ଗଲା ନିର୍ମଳା । ପାଣି ଟ୍ୟାପ୍ ଟି ଖୋଲି ଗ୍ଲାସ୍ ଟିଏ ଧରି ପାଣି ଭରୁଛି ତା'କୁ ଲାଗିଲା ତା' ପଛପଟେ କିଏ ଜଣେ ଠିଆ ହୋଇଛି । ପଛକୁ ବୁଲି ଚାହିଁଲା ବେଳକୁ

ଦୋକାନୀ ଅଙ୍କଲ୍, ତାଙ୍କର ଆଖି ଦିଓଟି କେମିତି ବାଘର ଆଖି ଭଳିଆ ଲାଲ୍ ଆଉ ହିଂସ୍ର ଦିଶୁଛି, ଭୟରେ ଶିହରି ଉଠିଲା ନିର୍ମଳା । ' ଅପା ଲୋ ' ବୋଲି ବିକଟ ଚିତ୍କାର କରି ବାହାରକୁ ବାହାରି ଆସିଲା ବେଳକୁ ବାଘର ଶକ୍ତ ପଂଝା ଚାପି ଧରିଲା ତା' ପାଟିକୁ। ବାଘ ରୂପୀ ଦୋକାନୀ ଅଙ୍କଲ୍ ର ଦୁଇଟି ଶକ୍ତିଶାଳୀ ବାହୁରେ କବଳିତ ନିର୍ମଳାର କ୍ଷୀଣ ଶରୀରରେ ହାଡ଼ ସବୁ ମଡମଡ ହୋଇ ଭାଙ୍ଗି ପଡିବା ଭଳି ଲାଗୁଥିଲା, ଶ୍ଵାସ ରୁଦ୍ଧ ହୋଇ ଆଖି ଦୁଇଟି ବାହାରକୁ ବାହାରି ଆସିଲା ଭଳି ମନେହେଲା ନିର୍ମଳାର । ଶୂନ୍ୟେ ଶୂନ୍ୟେ ଟେକି ନେଇ ଘରେ ପଡିଥିବା ଖଟ ଉପରେ ନିର୍ମଳାକୁ ଫୋପାଡି ଦେଇ ତା'କୁ ମାଡି ବସିଲା ମଣିଷଖିଆ ବାଘଟି। ନିଜର ସବୁ ବଳ ଖର୍ଚ୍ଚ କରି ଯେତେ ଛାଟି ପିଟି ହେଲେ ବି ତା' କବଳରୁ ନିଜକୁ ମୁକୁଳାଇ ପାରୁନଥିଲା ନିର୍ମଳା । ତା'

ପାଟିରୁ ଖାଲି ଗଁ ଗଁ ଶବ୍ଦ ବାହାରୁ ଥିଲା ଆଉ ଆଖିରୁ ଲୁହ ଧାର । ଆକସ୍ମିକ ଭାବେ ତା' ଉପରେ ମାଡି ବସିଥିବା ଲୋକଟିର ଚୁଟିକୁ ଧରି ଭିଡିନେଇ ଫୋପାଡ଼ି ଦେଲା କେହିଜଣେ । ତଳେ ପକାଇ ଲାତ ଘୁଷି ମାରି ମାରି ଲହୁ ଲୁହାଣ କରି ପକାଇଲା ତା'କୁ । ଆଗନ୍ତୁକର ନିର୍ଘାତ ମାଡରେ ବେହୋସ୍ ହୋଇ ଗଲା ନର ରୂପୀ ରାକ୍ଷସଟି । ଭୟରେ ଥରିଥରି ଆଶ୍ଚର୍ଯ୍ୟରେ ଚାହିଁଥିବା ନିର୍ମଳାକୁ ଉଠାଇ ମୁହଁ ହାତ ଧୋଇ ବାହାରକୁ ଆସିବାକୁ କହି କବାଟ ଖୋଲି ବାହାରକୁ ବାହାରି ଗଲା ଆଗନ୍ତୁକ ଜଣକ । ନିଜକୁ ପ୍ରକୃତିସ୍ଥ କରି ଧୁଆଧୋଇ ହୋଇ ବାହାରକୁ ବାହାରି ଆସି ଦେଖିଲା ନିର୍ମଳା ଔଷଧ ଦୋକାନ ପାଖରେ ସକାଳର ସେଇ ଅଟୋ ଡ୍ରାଇଭର୍ ଟି ଅଟୋରିକ୍ସାଟି ଧରି ଅପେକ୍ଷା କରି ବସିଛି ତା'କୁ । ନିର୍ମଳା ଠିକ୍ ଚିହ୍ନି ପାରିଲା , ଇଏ ସେଇ ତ୍ରାଣକର୍ତ୍ତା , ଯିଏତା'କୁ ଏଇ ଟିକିଏ ଆଗରୁ ସେ ମଣିଷଖିଆ ବାଘ ମୁହଁରୁ ରକ୍ଷା କରିଥିଲେ ।

ଅଟୋରିକ୍ସା ପାଖକୁ ଯାଇ ନଇଁପଡ଼ି ତାଙ୍କୁ ପ୍ରଣାମ କଲା ବେଳକୁ ଧଇଁ ସଇଁ ହୋଇ ଚାଲି ଚାଲି ଆସି ପହଞ୍ଚିଥିଲା ସୁନୟନା । ଅପାକୁ ଦେଖି ଥମି ଯାଇଥିବା କୋହଟି ଦ୍ୱୀଗୁଣିତ ବେଗରେ ବାହାରି ଆସିଲା ନିର୍ମଳାର। ଭୋ ଭୋ କରି କାନ୍ଦି କାନ୍ଦି ସୁନୟନାକୁ କୁଣ୍ଢାଇ ଧରି ତା' ସହିତ ଘଟିଥିବା ଘଟଣା ସବୁ ଗୋଟି ଗୋଟି କରି କହିଗଲା ସୁନୟନା ଆଗରେ । ଆଶ୍ଚର୍ଯ୍ୟ ହୋଇ ସବୁ କଥା ଶୁଣୁଥିଲା ସୁନୟନା । ଅଟୋରିକ୍ସା ଡ୍ରାଇଭର୍ ଟିକୁ କୃତଜ୍ଞତା ଜଣାଇବାକୁ ଭାଷା ନଥିଲା ତା' ମୁହଁରେ , କେବଳ ଲୁହ ଭରା ଆଖିରେ ଦୁଇ ହାତ ଯୋଡ଼ି ମୁଣ୍ଡ ନୁଆଁଇ ପ୍ରଣାମ ଜଣାଇଲା । ଦୁଇ ଭଉଣୀଙ୍କୁ ନିଜ ଅଟୋରିକ୍ସା ବସାଇ ଘରକୁ ନେବା ବାଟରେ ଅଟୋ ଡ୍ରାଇଭର୍ ଟି କହିଥିଲା ଯେ ନିର୍ଘାତ ବର୍ଷାରେ ଜନାକୀର୍ଣ୍ଣ ରାସ୍ତାରେ ଦୁଇ ଭଉଣୀଙ୍କୁ ଚାଲି ଚାଲି ଯିବାର ଦେଖି କିଛି ଅନିଷ୍ଟ ଆଶଙ୍କା କରି ତାଙ୍କର ପିଛା କରିଥିଲେ ସିଏ। ପୁନର୍ବାର ବଡ ଭଉଣୀ ସାନ ଭଉଣୀକୁ ଏକୁଟିଆ ଔଷଧ ଦୋକାନରେ ବସାଇ ଆଗକୁ ଯିବାର ଦେଖି ସେ ସାନ ଭଉଣୀଟିକୁ ଏକା ଛାଡ଼ି ଯିବାକୁ

ଉଚିତ୍ ମନେ ନକରି ଅଟୋରିକ୍ସାଟି ଅନତି ଦୂରରେ ରଖି ସେଇଠି ବସି ରହିଥିଲେ । ସାନ ଭଉଣୀର ଦୋକାନ ପଛକୁ ଯିବା ଏବଂ ସେଠାରୁ ଅନେକ ସମୟ ଧରି ନଫେରିବା ଦେଖି ସନ୍ଦେହ ହୋଇଥିଲା ତାଙ୍କର ।

ତେଣୁ ସେ ଦୁଃସାହସ କରି ସେ ଘରର କବାଟ ଭାଙ୍ଗି ଭିତରକୁ ପଶିଲେ । ସେଠି ଯାଇ ଯାହା କିଛି ଦେଖିଲେ ତାଙ୍କ ରକ୍ତରେ ନିଆଁ ଲାଗିଗଲା । ଟିକିଏ ରହି ଡ୍ରାଇଭର୍ ଟି ସଂକୋଚରେ କହିଲା ''ବାକୀ କାହାଣୀ ତ ଆପଣ ସାନ ଭଉଣୀଙ୍କ ମୁହଁରୁ ଶୁଣି ସାରିଛନ୍ତି । ମୁଁ ଯାହା କରିଛି କେବଳ ମାନବିକତା ଦୃଷ୍ଟିରୁ କରିଛି ଏହାକୁ ଅନ୍ୟଥା ଭାବିବେ ନାହିଁ ''।

ନିଜ ଭିତରେ ନିଜେ ଆତ୍ମଗ୍ଳାନିରେ ସଢି ଯାଉଥିଲା ସୁନୟନା । ସକାଳେ ଅଫିସ୍ ରୁ ଫେରିବା ବେଳେ ଏଇ ଅଟୋରିକ୍ସା ଡ୍ରାଇଭର୍ ଟି ଡାକିବାରୁ ସେ ତା'କୁ ଅସଭ୍ୟ , ବଦ୍ ମାସ୍ ଲୋକଟିଏ ଭାବି ଘୃଣାରେ ମୁହଁକୁ ଛିଞ୍ଚାଡି ' ଦରକାର ନାହିଁ ' କହି ମୁହଁ ଫେରାଇ ନେଇଥିଲା ଆଉ ସେଇ ଲୋକଟି ଏବେ ତା' ଭଉଣୀର ଇଜ୍ଜତ୍ ବଞ୍ଚାଇ କେଡେ ବିନମ୍ର ଭାବରେ ମଣିଷ ପଣିଆର ବୟାନ କରୁଛି । ଆଉ ଯେଉଁ ସଭ୍ୟ ଶିକ୍ଷିତ

ଔଷଧ ଦୋକାନୀଟିକୁ ଭରଷା କରି ନିଜ ସାନ ଭଉଣୀ ନିର୍ମଳାର ଦାୟିତ୍ବ ଦେଇ ସେ ଯାଇଥିଲା ସେ କ'ଣ କଲା ? ଶ୍ରଦ୍ଧା ଆଉ ଭକ୍ତିରେ ଅଟୋରିକ୍ସା ଡ୍ରାଇଭର୍ ଟି ପାଖରେ ମୁଣ୍ଡ ନଇଁ ଯାଉଥିଲା ସୁନୟନାର ।

ଘରେ ପହଞ୍ଚିଲା ବେଳକୁ ବର୍ଷାର ତାଣ୍ଡବ ସରିଯାଇଥିଲା ଏବଂ ଆକାଶ ନିର୍ମଳ ଦିଶୁଥିଲା ।


Rate this content
Log in

Similar oriya story from Drama