STORYMIRROR

SUKANTA KHANDA

Children

3  

SUKANTA KHANDA

Children

ବର୍ଣ୍ଣବୋଧ-୩

ବର୍ଣ୍ଣବୋଧ-୩

3 mins
169


ଆଜି ମାର୍ଗଶିର ମାସ ଶେଷ ଗୁରୁବାର। ଘରେ ମାଆ ଓ ଖୁଡୀ ପୂଜାର୍ଚ୍ଚନା ପରେ ରୋଷେଇ କରିବାରେ ମଗ୍ନ ତ ଭୁରୁଭୁରୁ ଗନ୍ଧ ଝରକା ଫାଙ୍କରେ ଭାସି ଆସୁଛି। ଯାହା ପେଟର ଭୋକ ଓ ଜିଭର ଲାଳସା ବଢି଼ ଯିବାର କଥା ହେଲେ ସରୋଜର ମନ ମୋଟେ ସେପରି କିଛି ବି ହେଉ ନାହିଁ। ଆଜି ବିଦ୍ଯାଳୟରେ ଗୁରୁଜୀ ଅନୁସାର,ବିସର୍ଗ,ଚନ୍ଦ୍ରବିନ୍ଦୁ ଓ ହଳନ୍ତ ଯୋଗ ବିଷୟରେ ଆଲୋଚନା କରିବେ ତେଣୁ ଆଗତୁରା ବର୍ଣ୍ଣବୋଧ ବହିକୁ ପଢୁଛି ଯାହା ଗୁରୁଜୀଙ୍କ ପଢେ଼ଇବା କ୍ଷଣି ଯେମିତି ଯଥାଶୀଘ୍ର ସେ ମନେରଖି ପାରିବ। ମନର ମଧ୍ଯରେ ସାଇତି ରଖି ନ ପାରିବ ତ ପାଠରେ ବହୁତ ପଛକୁ ଖସିଯିବ। ସରୋଜର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଏହି କି ଏ ବର୍ଷ ନିଶ୍ଚୟ ପରୀକ୍ଷାରେ ଭଲ ନମ୍ବର ରଖି ଗୁରୁଜୀଙ୍କ ଦୃଷ୍ଟି ଆକର୍ଷଣ କରିବ। ସରୋଜ ସକାଳେ ନିଜର କାମରେ ଲାଗି ପଡି଼ଲା। ନିଜର ପାଠପଢା଼ ପରେ ଗାଧୁଆ ଓ ଖାଦ୍ଯ ଖାଇବା ପରେ ବିଦ୍ଯାଳୟ ଚାଲିଗଲା। ସରୋଜର ଆଜିକାଲି ଫଳନ୍ତି ଗଛପରି ନମ୍ରତା ଗୁଣ ଫୁଟି ଆସିଛି। ତାର ସର୍ବଦା ମୁଣ୍ଡଟେକି ଚାଲିବା ହେଉ ନାହିଁ ତ ଗୁରୁଜୀଙ୍କର ଅପାର କରୁଣା ବୋଧହୁଏ ପଡି଼ଛି ବୋଲି ତାର ବାପା ଓ ମାଆଙ୍କର ମନ ମଧ୍ଯରେ ଖେଳି ଗଲାଣି। ସେମାନେ ଗୁରୁଙ୍କ ଉଦ୍ଦେଶ୍ଯରେ ଦୁଇ ହାତ ମଧ୍ଯ ଯୋଡି଼ ଦେଉଛନ୍ତି।

        ସରୋଜ ବିଦ୍ଯାଳୟରେ ଯଥା ସମୟରେ ପହଞ୍ଚିଲା। ସଫେଇ କାର୍ଯ୍ଯ ସହିତ ପ୍ରାର୍ଥନା ସଭାରେ ଯୋଗ ଦେଲା ପରେ ଏକ କରି ବିଦ୍ଯାଳୟରେ ପ୍ରବେଶ କରୁକରୁ ଗୁରୁଜୀ ଆସି ହାଜର ହୋଇଗଲେ। ଗୁରୁଜୀଙ୍କ ଉପସ୍ଥାନ ପରେ ପ୍ରଥମ ପିରିୟଡ଼ରେ ଆଜି ମଧ୍ଯ ବର୍ଣ୍ଣବୋଧ ବହିକୁ ବାହାର କରିବା ପାଇଁ ଆଦେଶ ଦେଲେ ତ ସଭିଙ୍କ ପରି ସରୋଜ ମଧ୍ଯ ନିଜର ବର୍ଣ୍ଣବୋଧ ବହି ବାହାର କଲା। ଗୁରୁଜୀ କହିଲେ,"ବାପା ! ଆଜିର ପାଠ ଅନୁସାର ଯୋଗ ଯଥା- ଅ+ ଂ=ଅଂ,କ+ ଂ=କଂ ପୁଣି ଏଠାରେ ଦୁଇ ଓ ତିନୋଟି ଅକ୍ଷରରେ ଶଦ୍ଦ ଯୋଡା଼ ଯାଇଛି ଯଥା-କଂସ,ହିଂସା ଓ ସଂସାର ପରି ଶଦ୍ଦ ଇତ୍ଯାଦି। ତଳକୁ ଦେଖ ତ କେଡେ଼ ସୁନ୍ଦର ଭାବରେ ଗୀତଟିଏ ଲେଖା ଯାଇଛି ଯଥା- 

   "ହଂସ ଖେଳୁଛି ନଦୀ ତୀରେ

    ବଂଶୀ ବାଜୁଛି ନଦୀ ତୀରେ।"

ତଳକୁ ଦେଖ ଏଠାରେ ବିସର୍ଗ ଯୋଗ ଯୋଡା଼ ଯାଇଛି ଯଥା-ଆ+ ଃ=ଆଃ,କଃ+ ଃ=କାଃ ଓ ମା+ ଂ=ମାଂ। ପୁଣି ଦୁଇ,ତିନି ଓ ଚାରି ଟିକିଆ ଅକ୍ଷରରେ ଯଥା-ଦୁଃଖୀ,ଦୁଃଖୀତ ଓ ଦୁଃସାହସ ଆଦି। ଏଠାରେ ମଧ୍ଯ ସୁନ୍ଦର ନୀତିବାଣୀଟିଏ ଲେଖା ଯାଇଛି ଗୀତ ମାଧ୍ଯମରେ ଯଥା-

"ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ

      ଲାଗିଛି ସଦା ସଂସାରେ

ଦୁଃସମୟେ କେବେ ଦୁଃଖୀତ ନ ହୋଇ 

      ହସି ଅପରକୁ ହସାରେ।"

ଏ କଥାଟି ସରୋଜକୁ ଅତ୍ଯନ୍ତ ପ୍ରଭାବିତ କଲା। ସେ ଲୁହ ଛଳଛଳ ହୋଇ କହିଲା,"ଗୁରୁଜୀ ! ଏ ସଂସାରରେ ଯଦି ଦୁଃଖ ପରେ ସୁଖ ଲାଗି ରହିଛି ତେବେ ଆମେ ସର୍ବଦା ସୁଖକୁ ଖୋଜିଥାଉଁ କାହିଁକି?" ପୁଣି ଯେବେ ଆମ ପାଖରେ ଦୁଃଖର ରାଜୁତି ରହିଥାଏ। ଆମେ ଭାଙ୍ଗି ତ ପଡୁ ତେବେ କେତେବେଳେ ଅନ୍ଯକୁ ଭଲା ହସିକି ହସାଇ ପାରିବା କୁହନ୍ତୁ ତ?" ଏ କଥାଟି ବଡ଼ ମର୍ମାନ୍ତିକ। ଗୁରୁଜୀ ମଧ୍ଯ ନିଜକୁ ବୁଝି ପାରୁ ନ ଥିଲେ କି ଜଣେ ଲୋକ ଦୁଃଖ ପାଉଥିବାବେଳେ କେମିତି ଭଲା ଅନ୍ଯକୁ ସତ୍ଯରେ ହସିକି ହସାଇ ପାରିବ?

       ଗୁରୁଜୀ ଟିକିଏ ମଉନ ରହିଲେ ଆଉ କହିଲେ,"ବାପା ! ଏହି ନୀତିବାଣିଟି ବଡ଼ ମର୍ମାନ୍ତିକ ନିଶ୍ଚୟ। ଏହା ସଂସାରରେ ଜଣେ ସାଧାରଣ ମାନବ ପାଖରେ ଯୁକ୍ତିଯୁକ୍ତ କି କାର୍ଯ୍ଯକାରୀ ନୁହଁ। ଏହା କେବଳ ମହାମାନବ ପାଖରେ ହିଁ ହୋଇଥାଏ। ମହାମାନବମାନେ ସର୍ବଦା ପରର ମଙ୍ଗଳ କାମରେ ନିଜକୁ ଉତ୍ସର୍ଗ କରି ଦେଇଥାନ୍ତି। ଜନ କଲ୍ଯାଣ କରି ନ ପାରିବେ ତ ତାଙ୍କର ଜୀବନ ବ୍ଯର୍ଥ ବୋଲି ଅନୁଭବ କରିଥାନ୍ତି। ସେହିମାନଙ୍କ ପାଇଁ ହିଁ ଏହି ନୀତିବାଣୀଟି ଅଭିପ୍ରେତ। ସେମାନେ ନିଜେ କାନ୍ଦୁଥିବେ ଅଥଚ କେହି ପାଖରେ ପହଞ୍ଚିଗଲା ତ ତାଙ୍କର ମଙ୍ଗଳ କାମନାରେ ନିଜକୁ ସମର୍ପିତ କରିଦେବେ। ନିଜର ଦୁଃଖକୁ ଲୁଚାଇ ଅନ୍ଯର ପାଖରେ ସହିକି ହସାଇବାକୁ ଶତଚେଷ୍ଟା କରିବେ।" ଏ କଥାକୁ ସରୋଜ ଭଲ କି ଶୁଣୁଥିଲା ସେ ଅନ୍ତର୍ମନରେ ଶପଥ ନେଉଥିଲା କି ଭବିଷ୍ଯତରେ ମହାମାନବ ହେବାକୁ ଏବେଠୁ ଶପଥ ସହ କର୍ମ ଓ ଧର୍ମରେ ଲାଗି ପଡି଼ବ। ପରର ପାଇଁ ନିଜ ଜୀବନକୁ ସମର୍ପିତ କରିକି ହିଁ ରହିବ। ଗୁରୁଜୀ ସାମାନ୍ଯ ନୀରବ ରହିଲେ ଦ୍ବିତୀୟ ପିରିୟଡ଼ ଘଣ୍ଟା ବାଜି ଉଠିଲା। ସେତେବେଳକୁ ଅନ୍ଯ ଜଣେ ଗୁରୁଜୀ ପାଖରେ ଆସି ଠିଆ ହୋଇଥିଲେ କି ତାଙ୍କର ପିରିୟଡ଼ରେ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ପାଠଦାନ କରିବେ। ଏଥର ଗୁରୁଜୀ କହିଲେ,"ବାପା ! ବିଦାୟ ନେବାର ବେଳ ଆସିଗଲା। ମୁଁ ଆଜି ଲକ୍ଷ୍ଯ ରଖିଥିବା ବିଷୟକୁ ଶେଷ କରି ପାରିଲି ନାହିଁ। ଚନ୍ଦ୍ରବିନ୍ଦୁ ଓ ହଳନ୍ତ ଯୋଗ ପଢା଼ଇବାର ଥିଲା ହେଲେ ସମୟ ଅଭାବରୁ ଆସନ୍ତା କାଲିକୁ ହିଁ ପଢି଼ବା।" ଏଥର ଗୁରୁଜୀ ପ୍ରସ୍ଥାନ କଲେ ତ ସରୋଜ ଭକ୍ତି ଓ ଭାବରେ ବୁଡି଼ ଗୁରୁଜୀଙ୍କ ଉଦ୍ଦେଶ୍ଯରେ ଦୁଇହାତ ଯୋଡି଼ ଦେଲା। ଏହି ଭକ୍ତିର ଭାବ ଗୁରୁଙ୍କ ମାର୍ଫତରେ ସିଧା ଯାଇ ଶ୍ରୀ ଗଣେଶ ଓ ମାତା ସରସ୍ବତୀଙ୍କ ପାଖରେ ପହଞ୍ଚିଲା ତ ସେ ଦୁହେଁ ସରୋଜର କଣ୍ଠରେ ବସିବାକୁ ବାଧ୍ଯ ହେଲେ। ଏଥର ସରୋଜର ହୃଦୟ କୋଣରେ ପ୍ରେମ,ଭକ୍ତି ଓ ଜ୍ଞାନର ତରଙ୍ଗ ସୃଷ୍ଟି ହେଲା। ସେ ନିଜକୁ ସଂଜତ କରି କେବଳ ପାଠରେ ମନ ଦେଇ ବସିକି ପଢି଼ଲା।

      ସ୍ବର୍ଗରେ ଥାଇ ଶ୍ରୀ ଗଣେଶ ଓ ମାଆ ସରସ୍ବତୀ କିରିକିରି ହସି ପକେଇ ଆଶୀର୍ବାଦ ପ୍ରଦାନ କଲେ।

      କ୍ରମଶଃ...

         


Rate this content
Log in

Similar oriya story from Children