STORYMIRROR

SUKANTA KHANDA

Children Stories

4  

SUKANTA KHANDA

Children Stories

ଖୁଦୁରୁକୁଣୀ ଓଷା

ଖୁଦୁରୁକୁଣୀ ଓଷା

4 mins
8


ଗାଁ'ରେ ଖୁଦୁରୁକୁଣୀ ଓଷା ବସିଛି। ଝିଅମାନେ ମହାଆନନ୍ଦିତ ହେଉଛନ୍ତି। ଅନେକ ଦିନ ହେଲାଣି ଅସ୍ଥାନରେ ବସାଇ ବନ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଗାଁ'ର ଯେତେ ଝିଅ ସଭିଏଁ ଅବଶ୍ୟ ସାମିଲ ହୋଇ ସ୍ବତନ୍ତ୍ର ଧରଣର ଓଷା କରିବେ ବୋଲି ଏ ବର୍ଷ ଅଣ୍ଟା ଭିଡିଛନ୍ତି। ଗାଁ'ର ପ୍ରତିଟି ଲୋକଙ୍କୁ ଭୋଜି ମହୋତ୍ସବରେ ସାମିଲ କରିବେ। ଯେଉଁ ଝିଅମାନେ ଏ ଗାଁ'ରୁ ବିବାହ କରି ଅନ୍ୟତ୍ର ଚାଲି ଯାଇଛନ୍ତି ସେମାନଙ୍କୁ ଅର୍ଥାତ୍ ସସ୍ତ୍ରୀକ ନିମନ୍ତ୍ରଣ କରା ଯାଉଛି ଯିଏ ନ ଆସିବ ତାଙ୍କୁ ଅବଶ୍ୟ ତଣ୍ଡ ଗଣିବାକୁ ହେବ। ଏହି ମର୍ମରେ ବିବାହ କରି ଚାଲି ଯାଇଥିବା ଝିଅ ଓ ଜ୍ୱାଇଁ ସଜବାଜ କି ଠିକଣା ଦିନ ଅବଶ୍ୟ ନ ଗଲେ ନ ଚଳେ।

    ମାଆ ବନ ଦୁର୍ଗା ଦାଣ୍ଡକୁ ବାହାରିବା ଦିନ ହିଁ ବେଶୀ ଗହଳି ଚହଳି। ପ୍ରାୟତଃ ସବୁ ଝିଅମାନେ ଅର୍ଥାତ୍ ସସ୍ତ୍ରୀକ ଯଥା ସମୟରେ ଗତକାଲି ପହଞ୍ଚି ସାରିଲେଣି ଆଉ ଯେଉଁମାନେ ଆସିବା ହୋଇନି ଏବେ ଏବେ ପହଞ୍ଚିଯିବେ ବୋଲି ଆଶା କରୁଛନ୍ତି। ଝିଅ ମାନଂକ ଭିତରେ ଏକ ପ୍ରକାର ସୁନ୍ଦର ଆନନ୍ଦର ଲହରୀ। ନୂଆ ଆସିଥିବା ଅତିଥି ଅଭ୍ୟାଗତଙ୍କୁ ସ୍ବାଗତ ଓ ସମ୍ୱର୍ଦ୍ଧନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ସଭିଏଁ କର୍ମ ସମ୍ପାଦନ ପାଇଁ ଭାଗ ବଣ୍ଟା ସରିଛି। ଯିଏ କର୍ମରେ ଊଣା କରିବ ତ ଅବଶ୍ୟ ସମୁଚିତ ଶିକ୍ଷା ପାଇବେ ବୋଲି କମିଟିର ସଭାପତି ଓ ସମ୍ପାଦିକା ନିଷ୍ପତି ନେଇଛନ୍ତି। ଏଣୁ ସଭିଙ୍କର ଭକ୍ତି ହୃଦୟରେ ଓ ମାଆ ବନ ଦୁର୍ଗାଙ୍କ ପାଖରେ ଥାଉ କି ନ ଥାଉ କର୍ମରେ ମନ ଓ ପ୍ରାଣ ଦେଇ ଲାଗି ପଡିଛନ୍ତି। କର୍ମ ହିଁ ଧର୍ମ ବୋଲି ସମ୍ପାଦକ ଓ ସଭାପତି ମଧ୍ଯ ସଭିଙ୍କୁ ଭଲକି ବୁଝାଇ ସାରିଛନ୍ତି।

       ରବିବାର ଗାଁ ଦାଣ୍ଡକୁ ମାଆ ବନ ଦୁର୍ଗା ବାହାରିବେ ଓ ଭକ୍ତଜନଙ୍କୁ ଶୁଭାଶିଷ ପ୍ରଦାନ କରିବା ସହିତ ଆଶୀର୍ବାଦ ପ୍ରଦାନ କରିବେ। ପ୍ରତି ଝିଅଙ୍କର କାହିଁକି ସଂସାରର ରୋଗ,ଶୋକ ଓ ବ୍ୟାଧି ସହିତ ଦୁଃଖ ଦୁର୍ଦ୍ଦଶାକୁ ଦୂରେଇ ସୁଖ ଓ ସନ୍ତୋଷ ପ୍ରଦାନ କରିବେ। ଏ କଥା ପାଖରେ ଥାଇ ଶୁଣୁଥିଲା ଟିକି ଝିଅଟିଏ ଯାହାର ବୟସ ମାତ୍ର ପାଞ୍ଚ କି ସାତ ବର୍ଷ ହେବ। ସେ ବଡ଼ ଝିଅଙ୍କ ସହିତ ସାମିଲ ହେବାକୁ ଚାହିଁଲା ତ ସେମାନେ ତାକୁ ସ୍ନେହ ଓ ପ୍ରେମରେ ବୁଝାଇ ଦେଲେ କି କୁନି ତୋର ବୟସ ହେବା ପର୍ଯ୍ୟନ୍ତ ଅପେକ୍ଷା କର। ବୟସ ହେଲେ ଏ ଓଷା ଅବଶ୍ୟ କରିବୁ। ଟିକି ଝିଅଟି କିନ୍ତୁ ଏ ବର୍ଷ ହିଁ କରିବ ବୋଲି ସଂକଳ୍ପ କରିଦେଲା। ସାଙ୍ଗରେ ମିଶେଇବେ ନାହିଁ କହିବାରୁ ହୃଦୟରେ ଦୁଃଖ କି ଶୋକର ଛାୟା ଲେଶ ମାତ୍ର ହିଁ ନାହିଁ। କିନ୍ତୁ ମନ ଓ ଦୃଦୟରେ ଭକ୍ତିର ଭାବ ଅନନ୍ତ ଆସିଗଲା। ରାତି ନ ପାହୁଣୁ ନିତ୍ୟକର୍ମ ସହ ଗାଁ ଦାଣ୍ଡକୁ ନ ଯାଇ କୁମୁଟିଆ ନଦୀ କୂଳକୁ ଚାଲିଗଲା। କୁମୁଟିଆ ନଦୀ କୁଳୁକୁଳୁ ବୋହି ଯାଉଥାଏ। ସୁନ୍ଦର ଓ ମନୋରମ ପରିବେଶ ଭିତରେ କୁନି ବାଲିରେ ବନ ଦୁର୍ଗାଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା ଆରାଧନା କଲା। କୌଣସି ପୂଜା ସରଞ୍ଜାମ ନାହିଁ କିନ୍ତୁ ସେହି ବାଲିରେ ହିଁ ଅରୁଆ ଚାଉଳ,ଧୂପ,ଦୀପ,ଫୁଲ,ଚନ୍ଦନ, ଶଙ୍ଖ,ଘଣ୍ଟା,ଘଣ୍ଟି,ଢୋଲ ଓ ମହୁରୀ ଆଦି ସଜାଇ ବଡ଼ ଭକ୍ତିର ସହ ପୂଜା କରିବା ଆରମ୍ଭ କରିଦେଲା। ଏ ଖବର ଯଥାଶୀଘ୍ର ବନ ଦୁର୍ଗାଙ୍କ ପାଖରେ ପହଁଚିଗଲା। ବନ ଦୁର୍ଗା ନିରୀହ,ନିଷ୍କପଟ ଆଉ ସରଳ ମନ ପାଖରେ ବନ୍ଧା ପଡିଗଲେ। ସେ ବୁଢ଼ୀ ବେଶରେ ଆସି କହିଲେ-"କୁନି ! ତୋର ପୂଜା ଆସ୍ଥାନ ପାଖରେ ବସି ମୁଁ ବି ପୂଜା କରି ପାରିବି କି?" କୁନି କହିଲା-"ଆଈ ! ଏ ପୂଜା ତ କେବଳ ଝିଅ ମାନଙ୍କର ତୁମେ ତ ବୁଢ଼ୀ ଲୋକ ତୁମର କେଉଁ କାମରେ ଆସିବ ଶୁଣେ? ପୁଣି ଏ ପୂଜା କରିବା କ'ଣ ଠିକ୍ ହେବ?" କୁନି ଏକ ବିଶ୍ଵାସରେ କହିଗଲା। ବନ ଦୁର୍ଗା ରୂପକ ବୁଢ଼ୀ ଲୋକଟି କହିଲା-"କୁନି ! କାହାକୁ ପୂଜା କରିବାରେ ବୟସର ତାରତମ୍ୟ ଥାଏ ନା କ'ଣ? ଯିଏ ବୁଝିଲା ଧର୍ମ ହିଁ ଉଚ୍ଚତାର ପରିମାପକ ଅବା ହୃଦୟ କୋଣରେ ଯେବେ ଭକ୍ତିଭାବ ଜାଗ୍ରତ ହେଲା ତାକୁ ଭଲା ରୋକି ପାରିବ କିଏ? ସେ କାହାକୁ ବି ପୂଜା ଆରାଧନା କରି ପାରିବ, ନୁହେଁ କି?"

    ଟିକିଏ ରହି "ଛାଡ଼ ସେ କଥା। ଏଇ ଦେଖ ମୁଁ ପୂଜା ସରଞ୍ଜାମ ନେଇ କି ଆସିଛି।" ବନ ଦୁର୍ଗା ରୂପକ ବୁଢ଼ୀଟି କହିଲା। କୁନି କହିଲା-"ଆଈ ! ମୁଁ ଶୁଣିଛି ଭଗବାନଙ୍କୁ କୌଣସି ପୂଜା ସରଞ୍ଜାମ ଲୋଡା ହିଁ ନାହିଁ ତାଙ୍କୁ କୁଆଡେ଼ ଭକ୍ତିର ସହ ବାଲି,ଗୋଡ଼ି,ପଥର,ପତ୍ର ଓ ଫୁଲ ଯାହା ଦେଲେ ସନ୍ତୁଷ୍ଟ ଯଦି ଏହା ସତ୍ୟ ତେବେ ମୁଁ ବାଲିରେ ସବୁ ସରଞ୍ଜାମ ଆଗରୁ ପୂରା ସଜେଇ ରଖିଛି। କୁହନ୍ତୁ ତ ଏହା କ'ଣ ମାଆ ବନ ଦୁର୍ଗା ଗ୍ରହଣ କରି ପାରିବେ ନାହିଁ।" ଟିକି କୁନିର କଥାକୁ ଭଲା ଟାଳି ପାରିବ କେମିତି? ସେ କହିଲେ-"କୁନି ! ଯାହା କହିଲୁ ଅବଶ୍ୟ ସତ୍ୟ। ଭଗବାନ ତ ଭକ୍ତର ଭକ୍ତିରେ ବଶ ଆଉ ଦାସ। ସେ ଗ୍ରହଣ ନ କରିବେ କାହିଁକି?" କୁନି ମୁରୁକି ହସିଲା ଆଉ କହିଲା-"ଆଈ ! ଆସ ସାଙ୍ଗ ହୋଇ ମାଆ ଦୁର୍ଗାଙ୍କ ସକାଶେ ପୂଜା ଓ ପ୍ରାର୍ଥନା କରିବା।" ଦୁହେଁ ବସିଗଲେ କୁନି ନିଜର ଭକ୍ତିରେ ପୂରା ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଥିଲା। ସକାଳ ଆଠଟା ପୂର୍ବରୁ ପୂଜା ଆରମ୍ଭ ହୋଇ ସରିଗଲା। ବନ ଦୁର୍ଗା ରୂପକ ବୁଢ଼ୀ କହିଲା,"କୁନି ! ମୋର ଭୋଗ ସରଞ୍ଜାମ ତୋତେ ହିଁ ଖାଇବାକୁ ହେବ। ଆସ ତୋତେ ଆଗ ମୁଁ ଖୁଆଇ ଦିଏ। 

     କୁନି ଅଜଣା ଲୋକ ହେଲେ ବି ଦୀର୍ଘ ଦୁଇ ଘଣ୍ଟା ମିଶିକି ରହିଲେ। କୁନିକୁ ଖୁଆଇ ସାରିବା ପରେ ବନ ଦୁର୍ଗା ରୂପକ ବୁଢ଼ୀ ଲୋକଟି ଟିକିଏ ଦୂରକୁ ଚାଲିଗଲା। ମାତ୍ର କେଇ ପାଦ ଆଗକୁ ବଢିଛି କି ନାହିଁ କୁଆଡେ଼ ଅନ୍ତର୍ଦ୍ଧାନ ହୋଇଗଲା। କୁନି ଅପଲକ ନୟନରେ ଅନାଇ ରହିଲା କିଏ ସେ ବୁଢ଼ୀ ଯିଏ ତାକୁ ଖୁଆଇବା ନାମରେ ଆସି ଦୀର୍ଘ ଦୁଇ ଘଣ୍ଟା ତା ସହିତ ସମୟ କଟାଇ ଦେଲା। କୁନି କିଛି ବୁଝି ପାରିଲା ନାହିଁ ମାତ୍ର ତାର ପାଖକୁ କେତେ କେତେ ଭକ୍ତ ଆଦି ଉଭା ହୋଇଗଲେ। କାଉ ଓ କୋଇଲି ପରି ପକ୍ଷୀ। କୁକୁର ଓ ବିଲେଇ ପରି ପଶୁ। ଝିଟିପିଟି ଓ କଇଁଛ ପରି ସରୀସୃପ। କୁନି ଭୋଗ ସଭିଙ୍କୁ ପରଶିବାରେ ଲାଗିଛି ମାତ୍ର ଭୋଗ ବିଲକୁଲ୍ ସରୁ ହିଁ ନାହିଁ। ହଜାର ହଜାର ପଶୁ,ପକ୍ଷୀ ଓ ସରୀସୃପଙ୍କ ହାଟ। କୁନି କିନ୍ତୁ ମହାଆନନ୍ଦ ଲାଭ କରି ବାଣ୍ଟିବା କାମ ଚାଲୁ ରଖିଲା।

      ସକାଳ ଯାଇ ସଞ୍ଜ ହେଲାଣି କୁନିର ଦେଖା ହିଁ ନାହିଁ ସୁତରାଂ ଗଲା କୁଆଡେ଼? ଜଣେ କେହି ଆସିକି କହିଲା କି କୁନି କୁମୁଟିଆ ନଦୀ ପଥରେ ମେଳାମେଳା ପଶୁ,ପକ୍ଷୀ ଓ ସରୀସୃପଙ୍କ ମେଳରେ। ଘର ଲୋକେ ଯାଇ ଯାହା ଦେଖିଲେ ନିଜ ଆଖିକୁ ସୁଦ୍ଧା ବିଶ୍ୱାସ କରି ପାରିଲେ ନାହିଁ। ଗାଁ'ର ଲୋକଙ୍କୁ ଦେଖି ପାଖରେ ଥିବା ପଶୁ,ପକ୍ଷୀ ଓ ସରୀସୃପ ଦୂରକୁ ଚାଲିଗଲା 

   କୁନି ଘରକୁ ଆସିଲା ଘରେ ସଭିଙ୍କ ପାଖରେ ଯାହା କହିଲା ସଭିଏଁ ଆଶ୍ଚର୍ଯ୍ୟ ହୋଇଗଲେ। ସଭିଏଁ ବିଶ୍ୱାସ କରିବାକୁ ବାଧ୍ୟ କାରଣ ଏବେ ବି ଯେଉଁ ଭୋଗ ବଣ୍ଟା ହୋଇଛି କାଣିଚାଏ ସୁଦ୍ଧା ସରି ନାହିଁ। ଧନ୍ୟ କୁନି। ଧନ୍ୟ ତୁମର ମାତୃଭକ୍ତି। ତୁମକୁ ପାଇଁ ଏ ବାପା,ମାଆ ଓ ଏ ଗାଁ' ମଧ୍ୟ ଧନ୍ୟ ହୋଇଗଲା। 

     ଅଥଚ ଗାଁ'ର ମଝିରେ ଚାଲିଛି ଉତ୍ସାହ ଓ ଉଦ୍ଦୀପନାର ଭସାଣି ଶୋଭାଯାତ୍ରା।

  


Rate this content
Log in