ଶଦ୍ଦ ଓ ସମୟ
ଶଦ୍ଦ ଓ ସମୟ
ଶଦ୍ଦ ଓ ସମୟ
ସୁକାନ୍ତ ଖଣ୍ଡା
ତନ୍ମୟ ପ୍ରତିଦିନ ବିଛଣାରୁ ଉଠେ ଆଉ ଈଶ୍ୱରଙ୍କୁ ପ୍ରଣାମ ପୂର୍ବକ ନିଜର ନିତ୍ୟକର୍ମ ପରେ ପାଠ ପଢ଼ାରେ ଲାଗିପଡେ। ଏ ଅଭ୍ୟାସ ଦେଖି ଅଜାଙ୍କର ମନ ଭାରି ଖୁସି ମାତ୍ର ତାରି ଭିତରେ ଗୋଟିଏ ଖରାପ ଆଭାସ ଦେଖି ଦୁଃଖ ମଧ୍ୟ କରନ୍ତି। ଏହି ଖୁସି ଓ ଦୁଃଖ ମିଶା ହୃଦୟରେ ଅଜା ତନ୍ମୟକୁ ବାହାରକୁ ନେଇଯାଆନ୍ତି ଆଉ ଈଶ୍ୱରଙ୍କ ବିଶ୍ଵ ଦରବାର ଉପରେ ଦୃଷ୍ଟି ନିକ୍ଷେପ କରିବାକୁ କୁହନ୍ତି। ତନ୍ମୟ ବିଶ୍ଵ ଦରବାରକୁ ଦେଖନ୍ତି କିନ୍ତୁ କିଛି ବି ଉତ୍ତର ବାହାର କରିବାରେ ଅସଫଳ ହୁଅନ୍ତି। ଅଜା କୁହନ୍ତି,- "ଧନ ଈଶ୍ୱରଙ୍କ ଏ ନୈସର୍ଗିକ ଶୋଭାରେ ଅନନ୍ତ ପ୍ରେମମୟ ଶଦ୍ଦ ଅଛି ଯାହା ଜଣଙ୍କୁ ପ୍ରେମ ଓ ଧର୍ମ କରିବାରେ ସହାୟକ ହୋଇଥାଏ। ତୋତେ ଏହି ଈଶ୍ୱରଙ୍କ ନୈସର୍ଗିକ ଶୋଭା ଭିତରୁ ଅନନ୍ତ ଶଦ୍ଦ ବାଛି ହୃଦୟ କୋଣରେ ଧାରଣ କରିବାକୁ ହେବ ଯାହା ନିଜେ ଓ ନିଜର ଜୀବନ ପଥ ବଦଳେଇ ସୁଖ ଓ ସନ୍ତୋଷ ପାଇବୁ ଅନ୍ୟଥା ନିଜେ ବାରମ୍ବାର ଝୁଣ୍ଟି ପଡ଼ିବା ଦ୍ଵାରା ଅନନ୍ତ ଲୁହ ଗଡ଼େଇ ଅନୁତାପ କରିବାକୁ ପଡ଼ିବ।"
ଏ କଥା ତନ୍ମୟ ମୋଟେ ବୁଝି ପାରୁ ନ ଥାଏ। ତାର ତ ସୁନ୍ଦର ଅଭ୍ୟାସ ଅଛି କି ସକାଳୁ ଉଠିବା ଈଶ୍ୱରଙ୍କୁ ପ୍ରଣାମ କରିବା ଓ ପାଠ ପଢିବା ଇତ୍ୟାଦି ମାତ୍ର କ'ଣ ଏମିତି ନୀଚ କଥା ଧାରଣ କରିଛି ଯେ ଅଜା ବ୍ୟତିବ୍ୟସ୍ତ ହୋଇ ପଡୁଛନ୍ତି। ତନ୍ମୟର ମନ ଯେମିତି ବୁଝେ ନାହିଁ ସେଇଟା କ'ଣ? ସେ ଅବଶ୍ୟ ତାର ସାନ ଭଉଣୀକୁ ଟିକିଏ ମିଛ କହେ,ଅପଶଦ୍ଦ ପ୍ରୟୋଗ,ଚିଡ଼ାଏ ଓ ଡରାଏ..।
ବିଚାରୀ ରିନୁ ବି କରେ କ'ଣ? ବଡ଼ ଭାଇଙ୍କ ପାଖରେ ଦଣ୍ଡେ ବସିବା କି ରହିବା ହୁଏ ନାହିଁ ପୁଣି ଭଲରେ କଥାବାର୍ତ୍ତା ମଧ୍ୟ ହୁଏ ନାହିଁ। ଏ କଥାକୁ ଅଜା ମର୍ମେମର୍ମେ ଅନୁଭବ କରି ଆସୁଥିଲେ। ତେଣୁ ବାହାରକୁ ନେଇ ଈଶ୍ୱରଙ୍କ ବିଶ୍ଵ ଦରବାର ଦେଖେଇ ସତ୍ୟ ଓ ଶୁଦ୍ଧତା ଶିକ୍ଷା ଦେବାକୁ ଅଣ୍ଟା ଭିଡୁଥିଲେ ମାତ୍ର କୌଣସି ମତେ ଶେଷ ପର୍ଯ୍ୟାୟରେ ପହଞ୍ଚିପାରୁ ନ ଥିଲେ।
ସେ ଦିନ ତନ୍ମୟ ଓ ଅଜା ନିଜ ଗ୍ରାମ ଟାଙ୍ଗରତଳି ପାଖରେ ଥିବା ବେଲ ପାହାଡ଼ ନିକଟରେ ବୁଲୁଥିଲେ। ସଂଜର ସୌନ୍ଦର୍ଯ୍ୟ ତାକୁ ଆନନ୍ଦ ଦେଉଥିଲା ମାତ୍ର ପାଖ ଶାଳ ଗଛ ଡାଳରେ ବସିଥିବା ଏକ ଶୁଆକୁ ଦେଖିବା କ୍ଷଣି ହିଁ ଅପଶଦ୍ଦ ପ୍ରୟୋଗ କଲା ତ ଶୁଆ ଚଢ଼େଇ ରାଗରେ ଉଡିଯାଇ ପାଖ ଘରୁ ଏକ ନିଆଁଲଗା କାଠି ଥଂଟରେ ଧରି ଉଡ଼ି ଆସିଲା ଓ ତନ୍ମୟ ମୁଣ୍ଡ ଉପରେ ପକାଇ ଦେଲା। ଏ ଦୃଶ୍ୟ ପାଖରେ ଥାଇ ଅଜା ଦେଖୁଥିଲେ। ସେ ଦେଖିଲେ ତନ୍ମୟର ମୁଣ୍ଡବାଳ ପୋଡ଼ିବା ଆରମ୍ଭ ହେଲାଣି ଯଥାଶୀଘ୍ର ପାଖକୁ ଯାଇ ନିଆଁକୁ ଅକ୍ତିଆର ନ କଲେ ନ ଚଳେ। ତନ୍ମୟ କାନ୍ଦିବା ଆରମ୍ଭ କଲା ମାତ୍ର ଅଜା ଆଶ୍ଵାସନା ଦେଇ କହିଲେ,-"ଧନ ଆଜି ଯାହା ତୋର ଉପରେ ହେଲା ତାକୁ ହିଁ ଅନେକ ଦିନ ଆଗରୁ ହେବାର ଥିଲା। ମୁଁ ତ ଆଗରୁ ତୋତେ ଦେଖି ଆସୁଥିଲି ଓ ସଜାଡ଼ିବା ଆରମ୍ଭ କରୁଥିଲି ମାତ୍ର ତୋତେ ସଜାଡି ପାରୁ ନ ଥିଲି। ତୋର ଅନେକ ଭଲଗୁଣ ଥିବା ସତ୍ତ୍ଵେ ଏହି ମନ୍ଦ ଅଭ୍ୟାସ ଦ୍ଵାରା ସାନ ଭଉଣୀ ରିନୁକୁ ପ୍ରତିଦିନ ଅପଶଦ୍ଦ ପ୍ରୟୋଗ କରୁଥିଲୁ। ସେ ତୋତେ ବଡ଼ଭାଇ ବୋଲି କୌଣସି ପ୍ରତିଶୋଧ ନେଉ ନ ଥିଲା ମାତ୍ର ଏ ଶୁଆ ଚଢ଼େଇଟି ତୋତେ ଉପଯୁକ୍ତ ଶିକ୍ଷା ପ୍ରଦାନ କରିଛି ଯଦି ଆଜି ସୁଧାର ନ ଆଣିବୁ ତ ଆଗକୁ ଭୟଙ୍କର ଭାବରେ ଖାଲରେ ପଡ଼ିଯିବୁ।" ବାସ ! ଏତିକି କହି ନୀରବ ରହିଲେ ତ ତନ୍ମୟ କହିଲା,-"ଅଜା ଆପଣ କୁହନ୍ତୁ ତ ମୋର ଭୁଲ ରହିଲା କେଉଁଠି?" ଅଜା କହିଲେ,- "ଧନ ବିଶ୍ୱାସ ଓ ସୁଯୋଗ ଥରେ ଆସି ଚାଲିଗଲେ ଆଉ ଫେରି ଆସେ ନାହିଁ। ଠିକ୍ ସେହିପରି ଶଦ୍ଦ ଓ ସମୟ ଥରେ ଚାଲିଗଲେ ଆଉ ଫେରି ଆସି ନ ଥାଏ।" ବାସ୍ ! ଏତିକି କହି ନୀରବ ରହିଲେ ତ ତନ୍ମୟ ଆଖିରେ ଲୁହ ବୋହିଗଲା ସେ କହି ଉଠିଲା,-"ଅଜା ଆଜିଠାରୁ କାହାର ବିଶ୍ୱାସରେ ସର୍ବଦା ଆସିବି। ସେ ରିନୁ ହେଉ କି ଚଢ଼େଇ। ବିଶ୍ଵାସର ସହ ପ୍ରେମ ପୂର୍ବକ ବାର୍ତ୍ତାଳାପ କରିବି ଓ ସୁଯୋଗକୁ ମଧ୍ୟ ହାତଛଡ଼ା କରିବି ନାହିଁ।
ଟିକିଏ ରହି ନିଜର ଲୁହକୁ ପୋଛି ପୁଣି କହିଲା,-"ଅଜା ସୁନ୍ଦର ଶଦ୍ଦ ପ୍ରୟୋଗ କରିବି ଯେମିତି ଶତ୍ରୁ ବି ନିଜର ହେବାକୁ ବେଶୀ ସମୟ ଲାଗିବ ହିଁ ନାହିଁ ପୁଣି ସମୟକୁ ମଧ୍ଯ ହାତଛଡ଼ା କରିବି ନାହିଁ କାରଣ ସମୟ ତ କାହାକୁ ପାଖରେ ହିଁ ଦଣ୍ଡେ ରହି ନ ଥାଏ।" ଏତିକି କହି ଅଜାଙ୍କ ପାଖରେ ହାତ ଯୋଡ଼ି ଠିଆ ହେଲା ତ ଅଜା କହିଲେ,-"ଧନ ମୋର ପାଖରେ ଅନୁତାପ କି କ୍ଷମା ମାଗିବା ଦରକାର ନାହିଁ। ସେ ଶୁଆ ଚଢ଼େଇ ଆଉ ରିନୁ ପାଖରେ ହିଁ ତୋତେ ନିଜର ଭୁଲ ସ୍ବୀକାର କରିବାକୁ ହେବ।" ଏ କଥା ଶୁଣି ତନ୍ମୟ ସେ ଶୁଆ ଚଢ଼େଇ ଆଡ଼କୁ ଅନେଇଁ ନିଜର ଭୁଲ ସ୍ବୀକାର କଲା ତ ଶୁଆ ଚଢ଼େଇ ଉଡ଼ି ଆସି ତନ୍ମୟ କାନ୍ଧରେ ବସି ପ୍ରତିଶୋଧ ନେଇ ଥିବା କାରଣରୁ ନିଜର କୃତଜ୍ଞତା ଜଣାଇଲା। ସେ ଯଥାଶୀଘ୍ର ଉଡ଼ି ଯାଇ ନିଜ ବସାରୁ ସେଓ ଫଳଟିଏ ନେଇଆସି ତନ୍ମୟକୁ ଉପହାର ଦେଲା। ଏବେ ଶୁଆ ଚଢ଼େଇ ଓ ତନ୍ମୟର ବନ୍ଧୁତା ହୋଇଗଲା। ତନ୍ମୟ ନିତି ସଞ୍ଜରେ ଆସିଲେ ଶୁଭ ବାର୍ତ୍ତାଳାପ ହେବ ବୋଲି କଥା ଦେଇ ଅଜାଙ୍କ ସାଥିରେ ଫେରି ଆସିବାକୁ ବସିଲା। ଅଜା ତନ୍ମୟକୁ କୁଣ୍ଢାଇ ଭିଡ଼ି ଧରିଲେ। ଦୁଇ ଅଜା ଓ ନାତିଆଙ୍କ ଆଖିରେ ଆନନ୍ଦର ଚିହ୍ନ।
ଶୁଆ ପାଖରେ ଥାଇ ଅପଲକ ନୟନରେ ଅନାଇଁ ରହିଲା।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
