ଈଶ୍ୱର ଜଡ଼ ଓ ପଥର
ଈଶ୍ୱର ଜଡ଼ ଓ ପଥର
ସ୍ଵର୍ଗରେ ଈଶ୍ଵର ଓ ପାର୍ବତୀ ବସି ମର୍ତ୍ତ୍ୟକୁ ଦେଖୁଥିଲେ। ମର୍ତ୍ତ୍ୟରେ ଜଣେ କୃଷକ ନିଜର କୋଡ଼ି ଓ ଶାବଳ ଧରି ପାହାଡ଼ କାଟିବାରେ ଲାଗି ପଡ଼ିଛି। ନିଜର କଠିନ ପରିଶ୍ରମ ବଳରେ ସେ ପାହାଡର ମେରୁଦଣ୍ଡ ଦୋହଲାଇ ସାରିଲାଣି ଆଉ ଅଳ୍ପ କେଇଦିନ ଭିତରେ ଏ ପାହାଡକୁ ଅବଶ୍ୟ ହଟାଇବାରେ ସକ୍ଷମ ହେବ। ପାହାଡ ନିଜର ମୃତ୍ୟୁ ସୁନିଶ୍ଚିତ ଜାଣି ଈଶ୍ୱରଙ୍କ ସମ୍ମୁଖରେ ଯାଇ ଗୁହାରି କରି କହିଲା-"ପ୍ରଭୁ ! ଆପଣ କିଛି ଗୋଟିଏ ବ୍ୟବସ୍ଥା କରନ୍ତୁ। ମୋର ଏ ବିଶାଳ ଦେହ ଭଗ୍ନ ହେବାକୁ ଯାଉଛି।" ପାହାଡର କଥା ଶୁଣି ଈଶ୍ଵର ସ୍ଵୟଂ ମନୁଷ୍ୟ ରୂପ ଧାରଣ କରି ମର୍ତ୍ତ୍ୟକୁ ଆସି କୃଷକ ପାଖକୁ ଗଲେ ଆଉ କହିଲେ -"ଭାଇ ! ଏହି ବିଶାଳ ପାହାଡକୁ ଭାଙ୍ଗିବା ଓ ଏତେ ପ୍ରାୟାସ କରୁଛ କାହିଁକି?" ମନୁଷ୍ୟ ରୂପି ଈଶ୍ୱରଙ୍କୁ କୃଷକ କହିଲା -" ଭାଇ ! ଈଶ୍ଵର ବଡ଼ ନିର୍ଦ୍ଦୟ ଏଇ ଦେଖୁନ। ପାହାଡ଼ ଏପଟେ ମୋର ଘର ଆଉ କ୍ଷେତ। ଏବେ ଏବେ ଆଷାଢ଼ ଯାଇ ଶ୍ରାବଣ ସରିବା ଉପରେ ଅଥଚ ମୋର କ୍ଷେତରେ ବର୍ଷା ବିଲକୁଲ ହେଉ ନାହିଁ। ଆକାଶରେ ବର୍ଷା ପ୍ରଚଣ୍ଡ ବେଗରେ ମାଡ଼ି ଆସୁଥିବ ଅଥଚ ଏହି ନିଲଠା ପାହାଡ଼ କି କୋପ ମୋର ପ୍ରତି କରିଛନ୍ତି କେଜାଣି ବର୍ଷାକୁ ବିଲକୁଲ୍ ଅଟକାଇ ଦେଉଛନ୍ତି। ପାହାଡର ସେପଟେ ସୁନାର ଫସଲ ଫଳୁଥିବ ଅଥଚ ପାହାଡ଼ ଏପଟେ କାହିଁକି ନୁହଁ? ଏଣୁ ଶପଥ ନେଇଛି ଏବେ ନ ହେଲେ ବି କେବେ? ଅବଶ୍ୟ ଏ ପାହାଡକୁ ଧ୍ଵଂସ ନ କଲେ ନ ଚଳେ।"
ବାସ୍ ! ଏତିକି କହି ନିଜର କର୍ମ ସମ୍ପାଦନ କରିବାରେ ଲାଗି ପଡ଼ିଲା। ଈଶ୍ଵର ଦେଖିଲେ କୃଷକ ନିଜ କର୍ମରେ ଅଟଳ। ସେ ଫେରିଆସି କହିଲେ-"ପାହାଡ଼ ! ଆଜିକାଲି ମନୁଷ୍ୟକୁ ଜିତିବା କାଠିକର ହେବ। ତାର କର୍ମ ଆଉ ଧର୍ମରେ ସେ ଅଟଳ ଏବେ ତୁମେ ନିଜେ ନିଜକୁ ସମ୍ଭାଳ।" ପଡ଼ାଡ କହିଲା-"ପ୍ରଭୁ ! ଆପଣ କ'ଣ ତାକୁ ଅଟକାଇବା ଅସମର୍ଥ?" ଈଶ୍ଵର କହିଲେ -" ପାହାଡ଼ ! ଆଜିକାଲି ପୂରା ମୁଁ ଅପାରଗ। ଦେଖୁନ,ଅଳ୍ପକେ ଦୂର ସ୍ଥାନର ଖବର ଜାଣି ପାରୁଛି। ଦେଶ ଆଉ ବିଦେଶର ଧର୍ମ,କର୍ମ ଓ ସଂସ୍କୃତିକୁ ଘରେ ଥାଇ ଦେଖୁଛି ଜାଣୁଛି। ମୁଁ ବନ୍ୟା କରିବାକୁ ଯିବି ତ ସେ ସତର୍କ,ବାତ୍ୟା କରିବାକୁ ଯିବି ତ ସତର୍କ,ଅଂଶୁଘାତ କରିବାକୁ ଯିବି ତ ସେ ସତର୍କ,ଭୂମିକମ୍ପ କରିବାକୁ ଯିବି ତ ସତର୍କ ଆଉ ଭୀଷଣ ଶୀତ କରିବାକୁ ଗଲେ ବି ସତର୍କ। ଆଜିକାଲି ମୁଁ ପଙ୍ଗୁ ଆଉ ଅଥର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୋର ହାତରୁ ମଣିଷ ସବୁ ଶାସନ ଛଡ଼ାଇ ନେଇ ସାରିଲାଣି।"
ଈଶ୍ଵର ପୂରା ନୀରବ ରହିଲେ। ପାହାଡର ଆକୁଳ ନିବେଦନ ଈଶ୍ଵର ରଖି ପାରିଲେ ନାହି। କୃଷକ କିନ୍ତୁ ନିଜ କଠିନ ଶ୍ରମ ଫଳରେ ପାହାଡକୁ ଭାଙ୍ଗି ଚୁନା କରିଦେଲା। ଆଜିକାଲି କୃଷକ ବହୁତ ସୁଖୀ। ଦିନେ ସେଇ ପାହାଡ଼ ପାଇଁ ତା ଜମିରେ ବର୍ଷା ବିଲକୁଲ ହେଉ ନ ଥିଲା। ଏବେ କୌଣସି ବାଦଲ ଆସିଲା ତ ଅସରାଏ ପାଣି ଢ଼ାଳି ଦେଇଗଲା। କୃଷକ ବିଲକୁଲ ଖୁସି ମାତ୍ର ପହାଡ ନିଜର ଭଗ୍ନ ହୃଦୟ ଧରି ନିତି କାନ୍ଦୁଛି।
ସତରେ ! ଈଶ୍ଵର କିନ୍ତୁ ଜଡ଼ ଓ ପଥର ନୁହେଁ ତ ଆଉ କ'ଣ?
