ବୋହୂ
ବୋହୂ
ଯେତେବେଳେ ଭାଉଜଙ୍କୁ ଦେଖୁଥିଲି ନାଲି ଶଙ୍ଖା ସହ ଶାଢ଼ୀକୁ ମ୍ୟାଚିଂ କରି ପାଣି ଚୁଡି, ସିନ୍ଥିରେ ନାଲି ସିନ୍ଦୂର ପିନ୍ଧି ରହୁଥିଲେ । ମଥାରେ ଓଢଣା ସର୍ବଦା ରହୁଥିଲା । ମୁଁ ଭାବୁଥିଲି ବୋହୂ ହେଲେ କେତେ ବଢିଆ । ଶାଢୀ, ଚୁଡି, ସିନ୍ଦୂର ଲଗେଇ ଟିପ୍ ଟପ୍ ହୋଇ ରହି ପାରିବ । କେତେବେଳେ କିଏ ଆସିଲେ ମୁଣ୍ଡିଆ ମାରିଲେ ହାତକୁ ଟଙ୍କା ମିଳୁଛି । ବେଶୀ ହେଲେ ଚା କପେ କରି ଆଣି ଦବାକୁ ପଡୁଚି । ତେଣୁ ସବୁ ସମ୍ପର୍କ ଭିତରୁ ବୋହୂ ହିଁ ଭଲ ଓ ନିଆରା ।
ଭାଉଜ ଆସିବାର ବର୍ଷେ ଭିତରେ ମୋର କଲେଜ ପଢା ଆରମ୍ଭ ହେଲା । ମୁଁ ସହରକୁ ଗଲି । ହଷ୍ଟେଲରେ ରହିବା, ନିଜ ଇଚ୍ଛା ଅନୁସାରେ ଚଳିବା, କାହାର ରୋକଠୋକ୍ ନାହିଁ । ତା ପରବର୍ତ୍ତୀ ସବୁ ପଢା ସହରରେ । ଚାକିରୀ ବି ସହରରେ । ଗାଁ କୁ କେବେ କେମିତି ଯାଏ । ଭାଉଜ ଆଉ ଆଗ ଭଳି ଟିପ୍ ଟପ୍ ରହୁ ନାହାନ୍ତି । ମୁଁ ଭାଉଜଙ୍କୁ ପଚାରିଲି, ହଠାତ୍ ଏମିତି ବୟସ୍କ ଭଳି କାହିଁକି ଲାଗୁଛ ? ଯେମିତି ମ୍ୟାଚିଂ ଚୁଡି ପିନ୍ଧୁଥିଲ ପିନ୍ଧୁନ । ମୁଣ୍ଡକୁ ଭଲରେ ନକୁଣ୍ଡେଇ ସବୁବେଳେ ଚୁଟିକୁ ଗଣ୍ଠି ପକେଇ ରଖୁଚ । ସେ କହିଲେ, ବୋଉ ଯିବା ପର ଠାରୁ ଘରର ସମ୍ପୂର୍ଣ୍ଣ ଦାୟିତ୍ୱ ମୋର । ପିଲାଙ୍କ ଜଞ୍ଜାଳ, ପରିବାର ଜଞ୍ଜାଳ ଭିତରେ ଛନ୍ଦି ହୋଇ ନିଜ ପାଇଁ ସମୟ କାଇଁ ?
ଯୋଉ ବୋହୂ ସମ୍ପର୍କ ମତେ ଭାରି ଭଲ ଲାଗୁଥିଲା, ଏବେ ସେଇ ସମ୍ପର୍କ ଯେ ଦାୟିତ୍ୱ ତଳେ ଦବି ଏମିତି ହେଇଯାଏ ଜାଣି ଆଉ ଭଲ ଲାଗିଲାନି ।
ଏଥର ମୋର ବୋହୂ ହେବା ପାଳି ଆସିଲା । ମୁଁ ଭାଉଜ ଭଳି ଟିପ୍ ଟପ୍ ରହିଲିନି । ମୋର ପରିପାଟୀ ଅଲଗା ଥିଲା । ଶାଶୁଘର ଗାଁ କୁ ଗଲେ ଶାଢୀ, ଚୁଡି ପିନ୍ଧେ । ହେଲେ ସିଫନ୍ ଶାଢୀ, ହାତରେ ପଟେ ସୁନା ଚୁଡିକୁ ପଟେ ନାଲି ଚୁଡି । ମୁଣ୍ଡରେ ଓଢଣା ଦିଏ ହେଲେ କେତେବେଳେ କାହାକୁ ଦେଖିଲେ । ନହେଲେ ସ୍ଲିଭ୍ ଲେସ୍ ବ୍ଲାଉଜକୁ ପତଳା ସିଫନ୍ ଶାଢ଼ୀ ମୋର କାନି ଉଡୁଥାଏ । ବଡ଼ ଦୁଇ ଯା ଟୁପୁରୁ ଟାପୁରୁ ହୁଅନ୍ତି । ହେଲେ ମୋର ଯାଏଆସେ କେତେ । ଦିନେ ଦିଦିନରେ ତ ସହରକୁ ଚାଲିଯିବି । ଶାଶୁ ଟିକେ ପୁରୁଣା କାଳିଆ ଢଙ୍ଗରେ କୁହନ୍ତି, ଟିକେ କାନି ଘୋଡେଇ ହୁଅ ।
ଶାଶୁଘର କଟକଣା ମତେ କିଛି ଭଲ ଲାଗେନି । ତେଣୁ ବିଭିନ୍ନ ବାହାନା କରି ଆଉ ସେ ଗାଁ କୁ ଗଲିନି । ମୋର ସ୍ଵାମୀ ଛୁଟିରେ ଏକୁଟିଆ ଯାଇ ବୁଲି ଆସନ୍ତି ।
ଶଶୁରଙ୍କ ଶ୍ରାଦ୍ଧ, ପୂଜା ପର୍ବ ଦିନ ମାନଙ୍କରେ ବିଭିନ୍ନ ବାହାନା କରେ । ଯଦି କେବେ କୌଣସି ବାଧ୍ୟକତାରେ ଯାଏ ଡେରିରେ ପହଞ୍ଚି ସହଳ ଚାଲିଆସେ । ମୁଁ ଚାକିରୀଆ । ତେଣୁ ସମୟ ନାହିଁ । ଆନ୍ତରିକତା ର ଅଭାବ ମଧ୍ୟ ରହିଛି ବୋହୂ ଦାୟିତ୍ବ ତୁଲେଇବା ପାଇଁ ।
ନାରୀ ସଶକ୍ତିକରଣ । ଏଇ ଟପିକ୍ ଉପରେ ଆଜି ମଞ୍ଚରେ କିଛି କହିବାକୁ ହେବ । ଔପଚାରିକ ସମ୍ବୋଧନ ପରେ କହିଲି, ମୁଁ ଏକ ସ୍ବାଧୀନ ଚେତା ନାରୀ । ମୋ ଶାଶୁଘର ପୁରୁଣା ବିଚାରର । ମୁଁ ବହୁତ ସଙ୍ଘର୍ଷ କରିଛି ନିଜ ସ୍ଵାଧୀନତା ବଜାୟ ରଖିବା ପାଇଁ । ସବୁ ବାଧାବିଘ୍ନ ଟପି ଆଜି ମୁଁ ନାରୀ ସଶକ୍ତିକରଣ ର ଉଦାହରଣ ପାଲଟି ପାରିଛି । ତାଳି ମାଡରେ ମୋ ଚାରିପାଖ ପ୍ରକମ୍ପିତ ହେଲା ।
ଘରକୁ ଆସି ଦେଖେ ତ ସ୍ଵାମୀ ଟିକେ ଅପସେଟ୍ ଜଣା ପଡୁଥିଲେ । ପୁଅ କହିଲା, ତୋ ଭାଷଣ ଟିଭିରେ ପାପା ଦେଖିବା ପରଠୁ ତାଙ୍କର ମୁଡ୍ ଅଫ୍ । ମୁଁ ବୁଝିଗଲି, ଶଶୁର ଘର ବିଷୟରେ ଟିକେ ବେଶୀ କହିଦେଲି । ମୋର କୌଣସି କଥାକୁ କେହି କେବେ ବିରୋଧ କରି ନାହାନ୍ତି । ଏବେ ମୁଁ ଭାବୁଥିଲି ଶାଶୁ ଘର ଲୋକେ ତ ଟିଭିରେ ଦେଖିଥିବେ । ସେମାନେ କଣ ଭାବୁଥିବେ ? ତଥାପି କହିତ ସାରିଛି ଆଉ କଣ କରି ପାରିବି ଭାବି ନୀରବ ରହିଲି ।
ସମୟର ସ୍ରୋତରେ ମୋର ବୋହୂ ଆସିଲା । ସହରରେ ତ ଘର କରିଛୁ । ସେ ଗାଁ କଣ ଜାଣିଲାନି । ବାହାଘର ଦିନ ରାତିରେ ହିଁ ଶାଢୀ ବଦଳେଇ ନାଇଟ୍ ସୁଟ୍ ପିନ୍ଧିଲା । ବାହାଘର ଦଶଦିନରେ ପୁଅ ବୋହୂ ଉଡିଗଲେ ଦୁବାଇ ।
ମୁଁ ତ ପର୍ବପର୍ବାଣି କିଛି କରେନି । ତେଣୁ ବୋହୂର ଅଭାବ ଅନୁଭୂତ ହୁଏନି । ସେମାନେ ତାଙ୍କ ଦୁନିଆରେ ଖୁସି । ଆଉ ଆମେ ? ଉପରକୁ ତ ନିଶ୍ଚୟ ଖୁସି । କିନ୍ତୁ ମନରେ ସେମାନଙ୍କ ବିଷୟରେ ଭାବେ । ହଠାତ୍ ମୋର ସ୍ଵାମୀ ହାର୍ଟ୍ ଆଟାକ୍ ରେ ଚାଲିଗଲେ । ପୁଅ ବୋହୂଙ୍କୁ ଖବର ଗଲା । ହଠାତ୍ ଏୟାର୍ ଟିକେଟ୍ ମିଳୁନି କହି ପୁଅ ଆସି ପାରିଲାନି । ଦେଢଶୁର ଙ୍କ ପୁଅ ମୁଖାଗ୍ନି ଦେଲା । କ୍ରିୟା ଧରିଲା । ଅବଶ୍ୟ ପୁଅ ତିନି ଦିନ ପରେ ଆସି ପହଞ୍ଚିଲା । ହେଲେ ବୋହୂ ଆସିଲାନି । ଓମେନ୍ ଏମପାଓ୍ଵାରମେଣ୍ଟ ଉପରେ ଇଣ୍ଟରନାସନାଲ୍ କନଫରେନ୍ସ ପାଇଁ ସେ ଏବେ ଆମେରିକାରେ । ମୋର ମନେ ପଡିଗଲା ମୋ ବୋହୂ ଦିନର କଥା ।
ବୋହୂ ଶଶୁରର ମୃତ୍ୟୁ ଶଯ୍ୟା ପାଖରେ ନହେଲା ନାହିଁ, ଦଶତୁଠରେ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେଲାନି କି ଶୁଦ୍ଧି ହେଲାନି । ଆଉ ପ୍ରତିବର୍ଷ ଶ୍ରାଦ୍ଧ ଦେବା ଆଶା ଅବା କଣ କରିବି । ମୋର ଅନୁଭବ ହେଲା ବୋହୂର ଦାୟିତ୍ୱ ଓ କର୍ତ୍ତବ୍ୟ ନାରୀ ସଶକ୍ତିକରଣ ଠାରୁ କୌଣସି ଗୁଣରେ କମ୍ ନୁହେଁ ।
ରାତି ପାହିଲେ ମାଣବସା ଗୁରୁବାର । ଯେମିତି ହେଲେ ବି ଗାଁ କୁ ଯିବାକୁ ମନସ୍ଥ କଲି । ଭୋରରୁ ଅଫିସ୍ କୁ ଛୁଟି ଆପଲିକେସନ୍ ମେଲ୍ କଲି, ଗାଁ ଅଭିମୁଖେ ବାହାରି ପଡିଲି । ଶୀତୁଆ ସକାଳ । ଚାରିଆଡ଼ ଘନ କୁହୁଡିର ଆବରଣ । ଘଣ୍ଟାକର ରାସ୍ତାକୁ ତିନି ଘଣ୍ଟା ଲାଗିଲା । ଏଇ ତିନି ଘଣ୍ଟା ମତେ ଯୁଗେ ପରି ଅନୁଭବ ହେଲା । ଦେହ ଥରୁଥିଲା । କିନ୍ତୁ ସଲ୍ କାଢି ମୁଁ ଏଇ ଶୀତକୁ ଅନୁଭବ କରୁଥିଲି । ଘର ଭିତରକୁ ପଶୁ ପଶୁ ଦେଢଶୁର ଙ୍କ ବୋହୂ ମୁଣ୍ଡରେ ଓଢଣା ଦେଇ ମତେ ମୁଣ୍ଡିଆ ମାରିଲା । କେମିତି ଗୋଟେ ଆତ୍ମସନ୍ତୋଷ ଲାଗିଲା । ଘର ଦୁଆର ଝୋଟି ପଡି ଝଟକୁଥିଲା । ମୋ ମନରେ ବୋହୂର ପ୍ରକୃତ ଅର୍ଥ ଓ ସେ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଆନ୍ଦୋଳିତ କରୁଥିଲା ।।
