Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

KRUTIBAS NAYAK

Children


4  

KRUTIBAS NAYAK

Children


ବନମାଳୀ

ବନମାଳୀ

6 mins 153 6 mins 153

 

ବନମାଳୀ କେଡେ ସୁନ୍ଦର ନା'ଟିଏ । କିନ୍ତୁ ଗାଁ,ର ଲୋକେ ତାକୁ ଡାକନ୍ତି ବନା । ତା'ର ଅଜା ମଜାରେ ଡାକନ୍ତି ବାନା । ଆଈ ଶ୍ରଦ୍ଧାରେ ପୁଣି ଡାକନ୍ତି-ବୁନୁ । ସେ ଷଷ୍ଠ ଶ୍ରେଣୀରେ ପାଠ ପଢେ । ଟିଭିରେ କ୍ରିକେଟ ଖେଳ ଦେଖି ଭାରି ଖୁସିହୁଏ । ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ଖେଳ ହେବ ଜାଣିଲେ-ତାକୁ ଭୋକ-ଶୋଷ କି' ନିଦ ହୁଏନାହିଁ । ସେ ଜେଜେଙ୍କ ପାଖକୁ ଯାଇ ପଚାରେ-" ଏଥର କିଏ ଜିତିବ, ତମେ କୁହ ତ ଜେଜେ !"

ଜେଜେ କ୍ରିକେଟ ଖେଳ ବିଷୟରେ କିଛି ଜାଣନ୍ତି ନାହିଁ । ସେ କହନ୍ତି-" ଯାହାର ଭାଗ୍ୟରେ ଥିବ ସେ ଜିତିବ ।"

ତା'ପରେ ସେ ଜେଜେମାଆଙ୍କ ପାଖକୁ ଯାଇ ସେଇକଥା ପଚାରେ । ଜେଜେମାଆ ତାକୁ କୋଳେଇ ନେଇ ଦୁଇଟି ଆଙ୍ଗୁଳି ଦେଖାଇ ସେଥିରୁ ଗୋଟାଏ ଧରିବାକୁ କହନ୍ତି । ହାତର ବିଶି ଆଙ୍ଗୁଳିକୁ ବୁନୁ ଧରି ପକାଇଲେ, ଜେଜେମାଆ କହନ୍ତି-"ଏଥର ପାକିସ୍ତାନ ଜିତିବ ।" ସେହିପରି କେବେ ଯଦି ମଝି ଆଙ୍ଗୁଳିକୁ ସେ ଧରି ପକାଏ, ଜେଜେମାଆ ହସି ହସି କହନ୍ତି -"ଏଥର ଭାରତ ଜିତିବ ।"

ଏମିତି ପ୍ରତିଥର ଖେଳ ପୂର୍ବରୁ ହୁଏ ।

ଭାରତ ଜିତିବା କଥା ଜେଜେମାଙ୍କ ମୁହଁରୁ ଶୁଣିବାକୁ ବୁନୁକୁ ଭାରି ଭଲଲାଗେ । ସେ ନାଚିନାଚି ବଡ଼ ପାଟିରେ କହେ-"ଆଜି ଖେଳ ଶେଷ ହେବାଯାଏ, ମୁଁ ଟିଭି ଦେଖିବି । "

ମାଆ ତା' କଥାଶୁଣି ଗର୍ଜି ଉଠନ୍ତି- "ଆରେ ! ହୋମୱାର୍କ ସବୁ ଯାହା ଦିଆଯାଇଛି, ତାକୁ ଶେଷ କରି ସାରିଛୁ ତ ?"

ତାଙ୍କ କଥାଶୁଣି ବନମାଳୀ ତରବର ହେଇ ପଢ଼ାଘରେ ପଶିଯାଏ । ଘଣ୍ଟାକ ଭିତରେ ଫେରି ଆସି କହେ- " ମାଆ ! ସବୁ ପଢ଼ାକାମ ଶେଷ କରିଦେଇଛି ।"

ଖେଳ ଆରମ୍ଭ ହେବା ଆଗରୁ ସେ ଟିଭି ଆଗରୁ ଜଗି ବସେ । ଟସ ପଡ଼ିଲେ, ଆଖି ତରାଟି ଚାହେଁ । କିଏ ଟସ ଜିତିଲା । ଭାରତ ଟସ ଜିତିଥିଲେ, ସେ ପୁଣି ଅପେକ୍ଷା କରେ, କିଏ ଆଗ ବ୍ୟାଟିଂ କରୁଛି । ଜେଜେଙ୍କ ପାଖକୁ ଧାଇଁଯାଇ ଖବର ଦେଇଦିଏ- "ଭାରତ ଟସ ଜିତି ବ୍ୟାଟିଂ ଆରମ୍ଭ କରିଦେଲା ଜେଜେ ।"

ଜେଜେ କହନ୍ତି-" ସବୁକିଛି ଭାଗ୍ୟରେ ଥିଲେ ମିଳେ । ତାଙ୍କ ଭାଗ୍ୟରେ ଥିଲା, ତେଣୁ ସେ ଜିତିଲେ । ହାରିବା ଜିତିବା ସବୁ ଭାଗ୍ୟରେ ଆଗରୁ ଲେଖାହେଇ ରହିଛି । ଭାଗ୍ୟରେ ନଥିଲେ, ବଢ଼ା ହେଇଥିବା ଭାତ ଗୁଣ୍ଡାଙ୍କ ପେଟକୁ ଯାଇ ପାରେନା । ପାଠପାଇଁ ତୋ ମାଆ ତୋତେ କେତେ ଗାଳି-ମାଡ଼ ଦେଉଛି କିନ୍ତୁ ତୋ ଭାଗ୍ୟରେ ନଥିଲେ କ'ଣ ପାଠ ହେଇଯିବ ? କେବେ ନୁହଁ ।"

ଏମିତି ପ୍ରତ୍ୟେକ କଥାରେ ଜେଜେ ଭାଗ୍ୟର ଦୋଷ ଦିଅନ୍ତି । ତାଙ୍କର କଥା ଶୁଣିଶୁଣି ବନମାଳୀ ବୁଝିଗଲା ଯେ, ସବୁକିଛି ଯଦି ଭାଗ୍ୟ ଉପରେ ନିର୍ଭର କରେ ତେବେ ଏତେ ପରିଶ୍ରମ କରିବା କ'ଣ ଦରକାର ? ଯାହା ହେବାର ଅଛି ତାହା ହିଁ ହେବ । ଏକଥା ତା' ମୁଣ୍ଡରେ ବସା ବାନ୍ଧି ରହିଗଲା । ତେଣୁ ସେ ତା' ଭାଗ୍ୟକୁ ଆଗରୁ ପରୀକ୍ଷା କରିନେବାକୁ ଉପାୟ ଖୋଜି ବୁଲୁଥିଲା । ଯଦି ଭାଗ୍ୟରେ ନଥିବ, ସେ କାହିଁକି ଏତେ ମାଡ଼-ଗାଳି ଖାଇ ପାଠ ପଢିବ ? ଥରେ ବାପାଙ୍କ ଟେବୁଲ ଉପରେ ଥୁଆ ହେଇଥିବା ଗୋଟେ ଟଙ୍କାକିଆ ମୁଦ୍ରାକୁ ଉଠେଇ ମୁଣ୍ଡରେ ଛୁଆଁଇ କହିଲା- "ଯଦି ଉପରକୁ ହେଡ଼ ରହେ, ତେବେ ମୋର ପାଠ ହେବ । ନଚେତ ମୋ ଭାଗ୍ୟରେ ପାଠନାହିଁ ବୋଲି ସମସ୍ତଙ୍କୁ କହିଦେବି । ସେ ମୁଦ୍ରାଟିକୁ ଟସ ପକାଇ ସାରି ଯାଇ ଦେଖେ ତ ଅଶୋକ ସ୍ତମ୍ଭ ଚିତ୍ରଟି ତଳକୁ ରହିଯାଇଛି । ଟଙ୍କାଟିକୁ ଉଠାଇ ଆଣି ସେ ଗୋଟାଏ ଦୀର୍ଘଶ୍ଵାସ ପକାଇଲା । ଜେଜେଙ୍କ ପାଖକୁ ଯାଇ କହିଲା-" ଜେଜେ ! ଟସ ପକେଇ ଦେଖିଲି, ମୋ ଭାଗ୍ୟରେ ତ ପାଠନାହିଁ । ଅଯଥାରେ ମୁଁ ଆଉ ଏତେ କଷ୍ଟକରି ପଢ଼ିବି କାହିଁକି ?"

ଜେଜେ କହିଲେ-" ହଉ ତୁ ଚିନ୍ତା କରନା । ଆମର ତ ଜମିବାଡି ବହୁତ ଅଛି । ତୋ ବାପାର ବି ବେପାର ଚାଲିଛି । ଆଜିକାଲି ଆଉ କାହାକୁ କି ଚାକିରୀ ମିଳିଯାଉଛି ଯେ, ତୁ ଏତେ କଷ୍ଟକରି ପାଠ ପଢ଼ିବୁ ? କିନ୍ତୁ ଶୁଣ, ଏକଥାକୁ କେବେ ବି ତୋ ମାଆ ଆଗରେ କହିବୁ ନାହିଁ । ସେ ଶୁଣିଲେ, ତୋତେ ମାଡ଼ଦେବ, ଆଉ ମୋ ଉପରେ ଗରଗର ହେବ ।"

ବନମାଳୀ ଜାଣେ- ଜେଜେ ହେଉଛନ୍ତି, ତା' ବାପାଙ୍କର ବାପା । ତାଙ୍କର ମୁଣ୍ଡବାଳ ପାଚି ଝୋଟ ହେଲାଣି । ସିଏ ଯାହା କହନ୍ତି, ତାକୁ ସମସ୍ତେ ମାନନ୍ତି । ତାଙ୍କକଥା କ'ଣ କେବେ ଭୁଲ ହେବ ? ସତରେ ମୋ ଭାଗ୍ୟରେ ପାଠନାର୍ହି । ତେଣୁ ଆଜିଠାରୁ ଆଉ ପାଠ ପଢ଼ିବି ନାହିଁ କି ସ୍କୁଲକୁ ଯିବିନାହିଁ । ମୋ ଭାଗ୍ୟରେ ଯାହାଥିବ ସେଇୟା ହେବ । ଏଭଳି ଧାରଣା ବନମାଳୀର ମନ ଭିତରେ ଦୃଢ଼ହେଇ ରହିଗଲା ।

ବାପା-ମାଆଙ୍କ ଗାଳି-ମାଡ଼ ଭୟରେ ସେ ସିନା ବହିକୁ ଧରି ବସେ, କିନ୍ତୁ ସେ ତା' ଭାଗ୍ୟକଥାକୁ ଚିନ୍ତା କରୁଥାଏ । ଘରପାଠ ଠିକ ଭାବରେ କରୁ ନଥିବାରୁ ସ୍କୁଲର ଶିକ୍ଷକମାନେ ତା' ଉପରେ ସବୁବେଳେ ବିରକ୍ତ ହୁଅନ୍ତି । ସ୍କୁଲରେ ବି ଗାଳି-ମାଡ଼ ଖାଏ । ଏହା ଭିତରେ ସେ ତା' ସାଙ୍ଗମାନଙ୍କୁ ଜେଜେ କହିଥିବା ଭାଗ୍ୟଫଳ କଥା କହିଦେଇଥାଏ । ତା'ର ଭାଗ୍ୟରେ ପାଠନାହିଁ ବୋଲି ସମସ୍ତେ ଶୁଣିଥିଲେ । ସେମାନେ ବି କେତେଥର ଟଙ୍କାକୁ ଟସ ପକେଇ ନିଜର ଭାଗ୍ୟକୁ ପରୀକ୍ଷା କରିଛନ୍ତି । କିନ୍ତୁ ଅଧିକାଂଶ ପିଲା, ସେ ଟସ ପକା ଭାଗ୍ୟଫଳକୁ ବିଶ୍ୱାସ କରି ପାରୁ ନଥିଲେ । କିନ୍ତୁ କିଛି ପିଲା ବନମାଳୀ ଭଳି ନିଜର ଭାଗ୍ୟରେ ପାଠନାହିଁ ବୋଲି ଧରି ନେଇଥିଲେ । ସେମାନେ ଭାଗ୍ୟବାଦୀ ବନମାଳୀର ଅନ୍ତରଙ୍ଗ ସାଙ୍ଗ ଭାବରେ ଗଣାହେଲେ ।

ସତକୁ ସତ ସେହି ଭାଗ୍ୟଵଦୀ ପିଲାମାନେ ଆଉ ପାଠରେ ମନ ଦେଲେନାହିଁ । ଅଧିକ ଖେଳାବୁଲା କଲେ । ନିଜ ନିଜ ଭିତରେ ମାଡ଼-ଗୋଳ, ଝଗଡ଼ା କଲେ । ଅଧିକାଂଶ ସମୟରେ ସେମାନେ ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଗପ-ସପ କଲେ । ସେମାନେ ପାଠ ପଢ଼ାରେ ହେଳା କରିବାରୁ ଧୀରେ ଧୀରେ ପାଠରେ ଦୁର୍ବଳ ହେବାରେ ଲାଗିଲେ । ଶିକ୍ଷକମାନେ ଜାଣି ପାରୁ ନଥିଲେ କେତେଜଣ ପିଲା ଆଗଭଳି ଆଉ ପାଠରେ ମନ ଦେଉନାହାନ୍ତି କାହିଁକି ? କିଛିଦିନ ପରେ ଜଣା ପଡ଼ିଲା-କେତେଜଣ ପିଲା ଘରୁ ବାହାରି ଆସୁଛନ୍ତି ସତ, କିନ୍ତୁ ସ୍କୁଲରେ ପହଞ୍ଚୁ ନାହାନ୍ତି । ବାହାରେ କୁଆଡେ ବୁଲାବୁଲି କରି ଘରକୁ ଠିକ ସମୟରେ ଫେରୁଛନ୍ତି ।

ଏ' ଖବର ପ୍ରଧାନ ଶିକ୍ଷକଙ୍କ କାନରେ ପଡ଼ିଲା । ସେ ଭାବିଲେ, ଶିକ୍ଷକମାନେ ବୋଧହୁଏ ଭଲକରି ପାଠ ପଢ଼ାଉ ନାହାନ୍ତି କିମ୍ବା ଅଧିକ ଗାଳି-ମାଡ଼ ଦେଉଥିବାରୁ ପିଲାମାନେ ଭୟରେ ଏମିତି କରୁଛନ୍ତି । ତେଣୁ ସେ ଦିନେ ବନମାଳୀର ଶ୍ରେଣୀ ଭିତରକୁ ଆସି ସମସ୍ତଙ୍କ ସହିତ କଥାହେଲେ । ସେତିକିବେଳେ ଅସଲ କଥାଟା ଜଣା ପଡ଼ିଗଲା । ଜଣେ ପିଲା କହିଲା- "ସାର ! ବନମାଳୀର ଜେଜେ ତାକୁ କହିଦେଇଛନ୍ତି, ତା' ଭାଗ୍ୟରେ ପାଠନାହିଁ । ସେ ଟସ ପକେଇ ପରୀକ୍ଷା କରିଛି । ଆଉ କେତେଜଣ ପିଲା ବି ଟସ ପକେଇ ତାଙ୍କର ଭାଗ୍ୟ ପରୀକ୍ଷା କରି ନେଇଛନ୍ତି । ତାଙ୍କର ଭାଗ୍ୟରେ ବି ପାଠ ନାହିଁ, ବୋଲି କହି ସେମାନେ ଆଉ ପାଠ ପଢୁ ନାହାନ୍ତି । ସେଇଥିପାଇଁ କେତେଜଣ ପିଲା ସ୍କୁଲକୁ ଠିକ ଭାବରେ ଆସୁ ନାହାନ୍ତି । ବନମାଳୀ ହେଉଛି- ଭାଗ୍ୟବାଦୀ ପିଲାଙ୍କର ରିଂ ମାଷ୍ଟର ।

ସବୁକଥା ଜାଣିପାରି ତା'ପରଦିନ ସକାଳୁ ସକାଳୁ ପ୍ରଧାନ ଶିକ୍ଷକ ବନମାଳୀର ଘରେ ପହଞ୍ଚିଲେ । ସମସ୍ତଙ୍କ ଉପସ୍ଥିତିରେ ସେ ବନମାଳୀକୁ କହିଲେ-" କାଲି ଜଣେ ସିଦ୍ଧ ପୁରୁଷ ସାଧୁବାବା ଆମ ସ୍କୁଲକୁ ଆସିବେ । ସେ ବହୁତ ବଡ଼ଜ୍ଞାନୀ ମଣିଷ । ସମସସ୍ତଙ୍କର ଭାଗ୍ୟ ଭବିଷ୍ୟତ ବିଷୟରେ କହିବେ । ତେଣୁ ସବୁପିଲା ସ୍କୁଲକୁ ଆସିବ । ତୁ ସମସ୍ତଙ୍କୁ ଡ଼ାକି ସାଙ୍ଗରେ ନେଇନେବୁ ।"

ବନମାଳୀ ସବୁ ସାଙ୍ଗ-ସାଥୀଙ୍କୁ ଡ଼ାକିନେଇ ସେଦିନ ଯଥେଷ୍ଟ ଆଗରୁ ସ୍କୁଲରେ ପହଞ୍ଚିଗଲା ।

ସାଧୁବାବା ଜଣକ ମନ୍ତ୍ରପାଠ କରି ତାଙ୍କ ମୁଣାରୁ ସୁନାରେ ତିଆରି ମୁଦ୍ରାଟିଏ ବାହାର କରି କହିଲେ- " ପିଲାମାନେ ମୁଁ ଆଜି ତୁମମାନଙ୍କର ଭାଗ୍ୟ ପରୀକ୍ଷା କରି କହିଦେଇପାରିବି ଯେ, ତୁମର ପାଠ ହେବ କି ନାହିଁ । ତମେ ଜଣେ ପିଲା ମୋ ପାଖକୁ ଆସିବ । ଏହି ସ୍ଵର୍ଣ୍ଣମୁଦ୍ରା ହେଉଛି-ଧର୍ମ ମୁଦ୍ରା । ଏହାକୁ ତମେ ନିଜେ ଟସ ପକେଇବ । ହେଡ଼ ପଡ଼ିଲେ ତୁମର ପାଠ ହେବ । ଟେଲ ପଡ଼ିଲେ-ପାଠ ହେବନାହିଁ । କିନ୍ତୁ ଗୋଟିଏ କଥା-ଯିଏ ତା' ଭାଗ୍ୟ କଥା ଜାଣି ପାରିବ ସେ ଆଉ କାହାକୁ କହିବ ନାହିଁ । ନିଜ ମନ ଭିତରେ ରଖିବ । ନହେଲେ ମୋ ମନ୍ତ୍ର କାମ ଦେବନାହିଁ । "

ଜଣକ ପରେ ଜଣେ ସେହି ଧର୍ମ ମୁଦ୍ରାକୁ ଧରି ଟସ ପକେଇଲେ । ନିଜ ନିଜର ଭାଗ୍ୟଫଳ ଜାଣି ସବୁ ପିଲା ଖୁସି ରହିଥା'ନ୍ତି । ପ୍ରଧାନ ଶିକ୍ଷକ କହିଲେ-"ଆଜି ସାଧୁବାବା ଠିକ ଭାବରେ ମନ୍ତ୍ର ପଢି ଟସ ପକେଇ ଥିବାରୁ ତମର ଭାଗ୍ୟ ଫଳ ତୁମେ ଜାଣିଗଲ । ଯେଉଁମାନଙ୍କର ଭାଗ୍ୟରେ ପାଠ ଅଛି, ସେମାନେ ଆଜିଠାରୁ ଠିକ ଭାବରେ ମନଦେଇ ପାଠ ପଢିବ । ସେଇମାନେ ବଡ଼ ହେଲେ, ଭଲ ଚାକିରୀ ପାଇବେ । ବହୁତ ଆଗକୁ ଯାଇ ପାରିବେ ।"

ସତକୁ ସତ ସେହିଦିନଠାରୁ ସବୁ ପିଲା ନିୟମିତ ସ୍କୁଲକୁ ଆସିଲେ । ଘରପାଠ ବି କରି ଆଣିଲେ । ସ୍କୁଲରେ ଆଉ କେହି ମାଡ଼ ଖାଇଲେ ନାହିଁ । ବାର୍ଷିକ ପରୀକ୍ଷା ସରିଲା ।

ସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଆସିଥିଲେ । ବିଭିନ୍ନ କ୍ଷେତ୍ରରେ ଭଲ କାମ କରିଥିବା ପିଲା, ଆଉ ଅଧିକ ମାର୍କ ରଖିଥିବା ପିଲାଙ୍କୁ ସେ ପୁରସ୍କାର ଦେଲେ । ବନମାଳୀ ସବୁଠାରୁ ଅଧିକ ମାର୍କ ରଖିଥବାରୁ ତା' ନାଁ' ଆଗ ଡକାହେଲା । ମଞ୍ଚ ଉପରେ ମୁଖ୍ୟ ଅତିଥି ତାକୁ କୁଣ୍ଢେଇ ପକେଇ କହିଲେ-" ତମର ନାଁ' ବନମାଳୀ ମହାପାତ୍ର ? ତମର ଜେଜେ କହିଥିଲେ ନା' ତମର ଭାଗ୍ୟରେ ପାଠନାହିଁ ବୋଲି । ତମେ ଆଜି କେମିତି ସବୁଠାରୁ ଅଧିକ ମାର୍କ ରଖି ପାରିଲ ଜାଣିଛ ? ତୁମର ପ୍ରଧାନଶିକ୍ଷକଙ୍କ ଅନୁରୋଧରେ ମୁଁ ସେଦିନ ସାଧୁବାବା ହେଇ ଆସିଥିଲି । ତମର ଭାଗ୍ୟ ପରୀକ୍ଷା କରିଥିଲି । ସେହି ଧର୍ମ-ମୁଦ୍ରଟିକୁ ତୁମକୁ ଦେଖାଇବାକୁ ସାଙ୍ଗରେ ଆଣିଛି । ଦେଖ, ଏଇ ମୁଦ୍ରାର ଦୁଇପାଖରେ କେବଳ ହେଡ଼ ଚିତ୍ର ରହିଛି । ଯେମିତ ଯିଏ ପକେଇଲେ ବି କେବଳ ହେଡ଼ ପଡ଼ିବ । ଠିକ ସେଇମିତି ଆମର ଭାଗ୍ୟରେ କେବଳ ଭଲ ହିଁ ରହିଛି କିନ୍ତୁ ଏଥିପାଇଁ କଠିନ ପରିଶ୍ରମ ଆଉ ନିଷ୍ଠା ଆତ୍ମ-ବିଶ୍ୱାସ ଦରକାର । ଏହି ତିନୋଟି ଜିନିଷ ସମସ୍ତଙ୍କୁ ବଡ଼ ମଣିଷରେ ପରିଣତ କରିଥାଏ । ଆଜିଠାରୁ ତୁମେ ସମସ୍ତେ ମୋ କଥାକୁ ମନେରଖି ମନଦେଇ ପାଠ ପଢ଼ । ଆମର ଭାଗ୍ୟ ଆମ ହାତରେ ଅଛି । ଅନ୍ଧ-ବିଶ୍ୱାସ, ତନ୍ତ୍ର-ମନ୍ତ୍ରଦ୍ୱାରା କେହି କେବେ ବି ବଡ଼ ହେଇପାରି ନାହିଁ । ଆଜି ମୁଁ ବହୁତ ଖୁସି ଯେ, ସେଦିନ ସାଧୁବାବା ହେଇ ଆସି ତମମାନଙ୍କର ଭାଗ୍ୟକୁ ମୁଁ ବଦଳେଇ ଦେଇପାରିଛି । ଏଥିପାଇଁ ତୁମର ପ୍ରଧାନ ଶିକ୍ଷକ ଆଉ ବନମାଳୀକୁ ମୁଁ ବିଶେଷ ଧନ୍ୟବାଦ ଜଣାଉଛି ।"

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କଥା ଶେଷରେ କରତାଳିରେ ମଞ୍ଚସ୍ଥଳ ପ୍ରକମ୍ପିତ ହେଇଗଲା ।


Rate this content
Log in

More oriya story from KRUTIBAS NAYAK

Similar oriya story from Children