STORYMIRROR

Sunanda Mohanty

Abstract Classics Children

3  

Sunanda Mohanty

Abstract Classics Children

ବନ୍ଧୁ

ବନ୍ଧୁ

2 mins
278


ଅନେକ ଥର ମିଛ କହି ଠକିଲେଣି ଆଈ ନାତୁଣୀ କି, ଏଇ ଯେମିତି ଠିକ ସମୟରେ ଖାଇଦେ ସମୁଦ୍ର ଦେଖି ଯିବା । କେବେ ପଣିକିଆ ଘୋଷା ଦେଇ ଦେଲେ ରାଜନଅର ଦେଖିଯିବା, ପୁଣି କେବେ ଠିକ ସମୟରେ ଶୁଆଇ ଦେଇ ଉଠିଲେ ବଡ଼ମନ୍ଦିର ଯିବା, କହି ଦେଇ କାମ ହାସଲ ହେଲା ପରେ ଆଉ ଆଈ ଧରାଛୁଆଁ ଦିଏନି ନାତୁଣୀକୁ, ତ ଏଣିକି ନାତୁଣୀ ମନମାରି ଆଉ ଠିକ ଠିକ କଥା ମାନିଲାନି ତ ଆଈ ସେଦିନ ବାଧ୍ୟ ହୋଇ ନେଇଗଲେ ନାତୁଣୀକୁ ସମୁଦ୍ର କୂଳ ।

   ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥାଏ ନାତୁଣୀ, କେତେ ପ୍ରଶ୍ନ ଆଈ ଜାଣିଛନ୍ତି ଆଉ ଅନେକ ପ୍ରଶ୍ନର ଉତ୍ତର ଆଇଙ୍କୁ ବି ଜଣା ନାହିଁ ତ ନାତୁଣୀକୁ ସନ୍ତୁଷ୍ଟ କରିବାକୁ ଓଟ ପିଠିରେ ବସାଇ ମଜ୍ଜା ନେଲେ, କଙ୍କଡା ଶାମୁକା ଗୋଟେଇ ମନ ଜିତିଲେ, ଆଉ ଆଜି ରାତିର ପାଠ ଠିକ ଠିକ ମନେ ରଖିବାକୁ କହୁଥିଲେ ନାତୁଣୀକୁ ତ ନାତୁଣୀ କହୁଥିଲା ତୁମେ ତ କହୁଥିଲ ଜଗନକୁ ଦେଖାଇନେବ । ଆଈ ଆଉ ଏଡେଇ ପାରିଲେନି ସମୁଦ୍ର କୂଳରୁ ଯାଇ ପଶିଲେ ମନ୍ଦିରରେ ଆଉ ଇଏ ଅରୁଣଖମ୍ବ, ଇଏ ଜଗମୋହନ, କାଶୀବିଶ୍ଵନାଥ ଆଉ ଦେଖେ ବାଇଶପାହାଚ। 

   ଖୁସିରେ ବାଇଶ ପାହାଚ ଗଣି ଗଣି ନାତୁଣୀ ଯେବେ ପଚାରିଲା ଏହି ଦ୍ୱାରରେ ସିଂହ କାହିଁ ଅଛନ୍ତି? ଆଈ କହୁଥିଲେ ଏଟା ପରା ମୁଖ୍ୟ ଦ୍ୱାର, ଏହାର ନାମ ସିଂହଦ୍ୱାର। ବୁଝିଲାନି ନାତୁଣୀ, ଆଈ ଭିଡିନେଲେ ଜଗନ୍ନାଥଙ୍କ ଭିତର ବେଢାକୁ ଆଉ ଅପଲକ ନୟନରେ ଚତୁର୍ଦ୍ଧା ତିନି ମୂର୍ତ୍ତୀଙ୍କୁ ଚାହିଁ ଭାବ ବିହ୍ଵଳ ହୋଇଗଲା ବେଳେ ନାତୁଣୀ ଆସ୍ତେ ପଚାରୁଥିଲା ତୁମ ବନ୍ଧୁ ଜଗନ କିଏ? ଜଗନ୍ନାଥଙ୍କୁ ଦେଖାଇ ଆଈ କହିଲେ ଜଗତର ରାଜା ସେ ଜଗନ୍ନାଥ, ସେଇଥିପାଇଁ ତାଙ୍କ ମୁଖ୍ୟ ଦ୍ୱାରରେ ପରା ଜଙ୍ଗଲର ରାଜା ସିଂହ ମୂର୍ତ୍ତୀ ଦ୍ଵୟ ଅବସ୍ଥିତ ଆଉ ତା ନାମ ସିଂହଦ୍ୱାର ।

   କଣ ବୁଝିଲା କି ନାହିଁ ଆହୁରି କେତେ ପ୍ରଶ୍ନ ପଚାରିବାକୁ ଯାଇ ରହିଗଲା ନାତୁଣୀ, କାରଣ ଆଈ କେତେ କଣ ଜଣାଣ ଭଜନ କରୁଥିଲେ ଜଗନ୍ନାଥଙ୍କୁ ଚାହିଁ ଚାହିଁ, ଛୁଆଟା କୁଣ୍ଢେଇ ଧରିଥିଲା ଗରୁଡ଼ସ୍ତମ୍ଭକୁ ଥରକୁ ଥର, ଆଉ ବାମ ଡାହାଣ ହୋଇ ଦେଖୁଥିଲା ଜଗତର ବନ୍ଧୁ ଚତୁର୍ଦ୍ଧାଙ୍କୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract