Madhu mita

Drama Inspirational

4.3  

Madhu mita

Drama Inspirational

ବନାରସୀ ପାଟ

ବନାରସୀ ପାଟ

7 mins
321


 


"ଓହୋ..ତୁମ ଉପରେ ଏଇ ମେରୁନ୍ ରଙ୍ଗ ଭଲ ଦେଖାଯିବ.."କହିଲେ ଭଦ୍ରଲୋକ ।


"ନା ମ..ଏଇଟା ଭାରି ଓଲ୍ଡ କଲର୍.. ଲେଟ୍ ମୀ ଟେକ୍ ଦିଶ ଅଫିସିଆଲ୍ ଗ୍ରେ..!"ମହିଳା ଜଣକ ଉତ୍ତର ଦେଲେ।


ଦୀର୍ଘ ସମୟ ଧରି ଦୁହିଁଙ୍କ ଭିତରେ ବଚସା ଚାଲିବା ପରେ ଗୋଟିଏ ବି ପାଟ ନ କିଣି ଦୁହେଁ ପରସ୍ପର ଉପରେ ପାଟି କରି ସୋ ରୁମ୍ ବାହାରକୁ ଚାଲିଗଲେ।କେତେ ଚେଷ୍ଟା କଲା ଦୀପୁ..ସେମାନଙ୍କୁ ରଖିବାକୁ।କିନ୍ତୁ ପାରିଲାନି ।


ମାଲିକ ଏବେ ପୁଣି ପାଟି କରିବେ।ଦିନକୁ ଅତି କମରେ ଦଶ ଖଣ୍ଡ ପାଟ ବିକ୍ରୀ ନ କଲେ ଅପାରଗ କହିବେ ସମସ୍ତଙ୍କୁ।ହେଲେ ପାଟ ବିକ୍ରୀ କଣ ଏତେ ସହଜ କଥା ?ତା ଛଡା ଯଦି ଗ୍ରାହକ ନେବନି ଏଇ ସେଲସ ମ୍ୟାନ କଣ କରି ପାରିବ? ସେତିକି ବୁଝିବା କ୍ଷମତା ନାହିଁ ମାଲିକଙ୍କର।ଯେଉଁଦିନ ବିକ୍ରୀ ମନ ପାଇଲାନି ସେହି ଦିନର ଅଧା ଦରମା ନିଶ୍ଚୟ କାଟି ଦେବେ।


ଏମିତି ଅନେକ କଥା ଭାବି ଭାବି ଖେଳେଇ ହୋଇ ପଡିଥିବା ପାଖାପାଖି ଶହେ ପାଟକୁ ସଜାଡି ରଖୁଥିଲା ସେ।ହଠାତ୍ ଏକ ସୁନ୍ଦର ନାଲି ଜରିପକା ବନାରାସୀ ପାଟ ଦେଖି ଆଉଁସି ପକେଇଲା।


"ଆରେ..ଏଇଟା କେମିତି ବାହାରିଗଲା?"ମନକୁ ମନ କହିଲା ଆଉ ତରବର ହୋଇ ସବୁଠୁ ତଳେ ସାଇତି ରଖିଦେଲା।ଯେମିତି ଆଉ କାହା ନଜର ପଡ଼ିବନି ତା ଉପରେ।


ଦୀପୁର ସାଙ୍ଗମାନେ ମଧ୍ୟ ଜାଣିଥିଲେ।ସେ ଏହି ପାଟ କେତେଦିନ ହେଲା ସାଇତି ରଖିଛି।ଆଉ ସମସ୍ତଙ୍କୁ କହିଛି ଏଇଟା ଯେମିତି କାହାକୁ ବିକିବେନି।ସେ ନିଜେ ଏଇଟା ନେବ..ତା ଦେଈ ପାଇଁ।କେତେ କଣ କରିନି ତା ଦେଈ ତା ପାଇଁ!!ମା ବାପା କାହାକୁ ସେ ଦେଖିନି।ଆଖି ଖୋଲିଲା ଏ ଦେଈ କୋଳରେ।ତାକୁ ପାଠ ପଢ଼େଇ ମୁଠିଏ ଖୁଏଇ ତା ଦେଈ ନିଜ ବାଳୁତ ଆଉ ଯୌବନ ବଳି ପକେଇଛି।ଏବେ ସେ ଏଇ ଦୋକାନରେ ସେଲସ ମ୍ୟାନ୍ ଚାକିରୀ ପାଇଲାରୁ ଆଉ ଦେଈକୁ ବାହାର ଘରେ କାମ କରିବାକୁ ପଡୁନି। 


ଗତଥର ସେ ଗାଆଁକୁ ଗଲାବେଳେ ପଡିଶା ଘର ବାଙ୍କୁ ମଉସା ତା ଦେଈ ପାଇଁ ଗୋଟିଏ ବାହାଘରିଆ ପ୍ରସ୍ତାବ ଆଣିଥିଲେ।ଖୁସିରେ ଗୋଡ଼ ତଳେ ଲାଗୁ ନ ଥିଲା ଦୀପୂର।ବର ନିଜର ଗୋଟିଏ କିରାଣୀ ଦୋକାନ କରିଛି।ଆଉ ଚିନ୍ତା ନାହିଁ।ତା ଦେଈ ବାହା ହୋଇଗଲେ ସେ ଯେଉଁଠି ଚାକିରି କରୁଛି ସେଇଠି ସବୁଦିନ ପାଇଁ ରହିଯିବ।ଗାଁରେ କଣ ଅଛି ଯେ?ଏବେ ଦେଈ ଅଛି ଯେ ଗାଆଁକୁ ସେ ଆସୁଛି ଛୁଟି ପାଇଲେ।ଆଉ ସହରରେ ମଧ୍ୟ ମାଲିକର ଦୋକାନକୁ ଲାଗି ସବୁ ସେଲସ ମ୍ୟାନ ଗୋଟିଏ ଘରେ ଭାଇ ଭାଇ ପରି ରହୁଛନ୍ତି।ଏଇଠି ଗାଁରେ ବାଙ୍କୁ ମଉସାଙ୍କ ଗୋଟିଏ ବଖରା ଭଡା ନେଇ ଭାଇ ଭଉଣୀ ରହୁଥିଲେ।ଦେଈ ପଳେଇଲେ ଏଇ ବଖରା ବି ଛାଡ଼ିଦେବ।ଦେଈ କାମ କରି ତାକୁ ଏତେ ବଡ଼ କରିଛି।ସେ ଏଇ ଚାକିରି କରିବା ଚାରି ମାସ ଭିତରେ ପଇସା ଯୋଗାଡ଼ କରି ଚାଲିଛି ..ଦେଈ ବାହାଘରେ କିଛି ନ ହେଲେ ବି ସେଇ ନାଲି ଜରିପକା ବନାରସୀ ପାଟ ନିଶ୍ଚୟ ଦେବ।ବରଘର କିଛି ଆଉ ଚାହାନ୍ତି ନାହିଁ।ତଥାପି ସେ ଭାବିଛି ବାସନ କୁସନ ସହିତ ଗୋଟିଏ ଗଦି ପଲଙ୍କ ଦେବ।ଏତେ ସପନକୁ ରାତି କାହିଁ?ଚାରି ମାସର ଦରମାରୁ ବାସନ କିଛି କିଣି ସାରିଛି।ମାଲିକଙ୍କ ବଡ଼ ଭାଉଜ ସହ ଥରେ କଥା ହୋଇ ତାଙ୍କର ଗଦି ପଲଙ୍କ ନେବାକୁ କଥା ପକ୍କା କରି ସାରିଛି ଦୀପୂ।ତା ପଇସା ତା ମାସକ ଦରମାରୁ ମାଲିକ କାଟିବେ।ଏଥର ଖାଲି ଏଇ ବନାରସୀ ପାଟ ଆଣିବା ବାକି ଅଛି।ତେଣୁ ଦୀପୁ ତାକୁ ଯତ୍ନରେ ସମସ୍ତଙ୍କୁ ଲୁଚେଇ ସଜାଡି ରଖିଛି।


"ତୋ ଦୁଇ ମାସର ଦରମା ପୁରା ଦେଲେ ବି ପାଟ କିଣିବାକୁ କମ୍ ପଡ଼ିବ।କେମିତି କିଣିବୁ?"ପଚାରିଲା ସାଙ୍ଗ ବାନା..


"ଉପରେ ବସିଛି ନା ସେ ଚକାଆଖି।କିଛି ଯୋଗାଡ଼ କରିଦେବ ରେ।" ଉପରୁ ଉପରୁ ବାନାକୁ କହିଲା ଦିପୂ।କିନ୍ତୁ ମନ ଭିତରୁ ଦକା ଥିଲା..କେମିତି ନବ ସେ ପାଟ?ଆଉ ମାସେ ରହିଲା ଦେଈ ବାହାଘର।ପଇସା କେଉଁଠୁ ଆଣିବ ସେ ପାଟ ପାଇଁ?ଭାବି ଭାବି ଦୋକାନ ସିଡି ତଳକୁ ଝାଙ୍କି ଅନ୍ୟମନସ୍କ ହୋଇ ଦେଖୁଥିଲା ଦୀପୁ।ଦେଖିଲା ମାଲିକ ତାଙ୍କ କାରରୁ ଓହ୍ଲାଇ ତରବର ହୋଇ ଦୋକାନ ଭିତରେ ପଶିଗଲେ କିନ୍ତୁ କାର ଡୋର୍ ଚାବି ପକେଇ ନାହାନ୍ତି।ସେକଥା ସେ ତାଙ୍କୁ ଜଣେଇବାକୁ ଗଲା ବେଳେ ଦେଖିଲା ଜଣେ ଲୋକ ସେ ଗାଡ଼ି ପାଖକୁ ଧୀରେ ଧୀରେ ଲାଗି ଲାଗି ଯାଉଛି। ଦିପୁ ତାକୁ ଦେଖି ସନ୍ଦେହରେ ଆଉ ଟିକେ ଆଗକୁ ବଢିଲା।ସେ ଲୋକଟି ଦିପୁକୁ ଦେଖି ପାରୁ ନ ଥିଲା।କାରଣ ଦିପୁ ସିଡି ତଳେ ତଳେ ଆଗେଇ ଯାଉଥିଲା।ଲୋକଟି ଗାଡ଼ି କବାଟ ଖୋଲି ପଛପଟ ସିଟ୍ ରୁ ଗୋଟିଏ ବ୍ୟାଗ୍ ଉଠେଇ ଆଣିବା ବେଳେ ଦିପୁ ତାକୁ ଜୋର କରି ଧରି ପକେଇଲା ଆଉ "ଚୋର" "ଚୋର" ପାଟି କଲା।ଅଳ୍ପ ସମୟ ଭିତରେ ସେ ଚୋର ଧରା ହୋଇଗଲା।ମାଲିକ ସବୁ ଦେଖି ଦିପୂକୁ କୁଣ୍ଢେଇ ପକେଇଲେ।ସେ ଯେଉଁ ବ୍ୟାଗ୍ ବଞ୍ଚେଇଲା ସେଇଟା ଟଙ୍କା ବ୍ୟାଗ୍ ଥିଲା।ଲକ୍ଷାଧିକ ଟଙ୍କା ମାଲିକ ସେଥିରେ ରଖି ବ୍ୟାଙ୍କ୍ ଯିବାକୁ ବାହାରିଥିଲେ।ଏଇ ଦୋକାନର କ୍ୟାସ କାଉଣ୍ଟର ରୁ ଆଉ ପଇସା ନେବାକୁ ବ୍ୟସ୍ତ ହୋଇ ଆସିଥିଲେ।ଏଇ କରୋନା ବେମାରୀ ମାଡି ଆସିଲାଣି ଦେଶକୁ ଦେଶ।କେତେବେଳେ କେଉଁ କଥା। କାଳେ ବେପାର ଉପରେ ଅସୁବିଧା ହେବ..ଲାଭ ଟିକକ ବ୍ୟାଙ୍କରେ ରଖିଦେଲେ ଯାଇ ରକ୍ଷା।ତେଣୁ ସେ ତରବର ହୋଇ କାମ ସାରୁଥିଲେ।


ଟଙ୍କା ଚୋରି ହେବାରୁ ବଞ୍ଚେଇବା ଯୋଗୁଁ  ଖୁସି ହୋଇ ସେ କିଛି ଟଙ୍କା ବାହାର କରି ଦୀପୁକୁ ଦେବାକୁ ଚାହିଁବାରୁ ଦିପୁ ମନା କଲା।ଏଇଟା ହିଁ ଠିକ୍ ସୁଯୋଗ !


"ଆଜ୍ଞା..ଟଙ୍କା କଣ ହେବ ମୋର?ଦରମା ତ ନେଉଛି।ଯଦି କିଛି ଦେବେ ହେଲେ ମୋ ଦେଈ ପାଇଁ ଗୋଟିଏ ବନାରସି ପାଟ ନେଇଥାନ୍ତି।ପରେ ନ ହେଲେ ଦରମାରୁ କାଟି ସୁଝିଦେବି.."ହାତ ଯୋଡ଼ି ନୀରିହ ଭାବରେ କହିଗଲା ଦିପୁ।ମାଲିକ ଟିକେ ଆଶ୍ଚର୍ଯ୍ୟ ହେଲେ କିନ୍ତୁ ପରେ ସବୁ ଶୁଣି ବୁଝି ଖୁସିରେ ତାକୁ ସେହି ନାଲି ଜରୀପକା ପାଟ ନେବାକୁ ଅନୁମତି ଦେଲେ।


ଦିପୁର ଆଖି ଛଳଛଳ ହୋଇଗଲା।ମାଲିକଙ୍କୁ ସେ କେତେ କଣ ଭାବିଥିଲା।ହେଲେ କେତେ ଦୟାବନ୍ତ ସେ !ମନକୁ ମନ ହାତ ଯୋଡ଼ି ହୋଇଗଲା।


ଏଣେ ବାଙ୍କୁ ମଉସା ଜଣେଇ ଦେଲେ ଆଉ ଦଶ ଦିନ ପରେ ବାହାଘର କରିବାକୁ ବର ଘର କହିଲେଣି। କରୋନା ପ୍ରଭାବ ବିସ୍ତାର କରିବା ଆଗରୁ ସେମାନେ ଏଇ କାମ ସାରି ଦେବାକୁ ଇଚ୍ଛା କରୁଛନ୍ତି।କେତେ ଦେଶରେ ତାଲା ବନ୍ଦ ହେଲାଣି।କେଜାଣି ଏଇଠି ଯଦି ସେମିତି କିଛି ହୁଏ !କଣ ବା କରିଥାନ୍ତା ଦିପୁ?ହଁ ଭରିଦେଲା।ଆଉ ପାଞ୍ଚ ଦିନ ଅଛି ପହିଲା ପାଇଁ।ଦରମା ପାଇ ସିଧା ବାହାରିବ ଗାଆଁକୁ।ବାହାଘର ଯୋଗାଡ଼ ଆଉ ବା କଣ?ସବୁ କଥାବାର୍ତ୍ତା ତ ମଉସା କରି ଦେଲେଣି।ସେ ଖାଲି ଏଇ ପାଟ ନେଇ ପହଞ୍ଚିବ।ମନକୁ ମନ ହସିଦେଲା ଦିପୁ।ତା ଦେଈ ଏଇ ପାଟ ପିନ୍ଧି ଦେବୀଟେ ପରି ଦିଶିବ।


କିନ୍ତୁ…!!


ସବୁ ଓଲଟ ପାଲଟ ହୋଇଗଲା।ହଠାତ୍ ପୁରା ଦେଶରେ ଲକ୍ ଡାଉନ୍ ଘୋଷଣା ହେଲା।କିଏ କୁଆଡେ ଯାଇ ପାରିଲେନି। ଦିପୁକୁ କାନ୍ଦ ମାଡ଼ିଲା।ଏମିତିରେ ଦେଈ କି ବାଙ୍କୁ ମଉସା ପାଖରେ ଫୋନ୍ ନାହିଁ।ସେମାନେ ଗାଁ ସରପଞ୍ଚ ପାଖରୁ କରନ୍ତି।ଆଉ ଦିପୁ ମଧ୍ୟ ବାନା ଫୋନରେ କଥା ହୁଏ।ତା ପାଖରେ ଫୋନ କୁଆଡୁ ଆସିବ?ଆଉ ଏବେ ମାତ୍ର ପାଞ୍ଚ ଦିନ ପରେ ଦେଈ ବାହାଘର।ଆଉ ଲକ୍ ଡାଉନ୍ ହେଇଗଲା।କଣ କରିବ ସେ?


ବିକଳ ହୋଇ ସବୁକଥା ଦେଈ ଆଉ ମଉସାଙ୍କୁ କହିଲା।ଦେଈ ମନା କରିଲା।ତା ଭାଇ ନ ଥିଲେ ସେ ବେଦୀ ଚଢ଼ିବନି।କିନ୍ତୁ ମଉସା ଵୁଝେଇଲେ।ବର ଘର ମନ ବଦଳିଗଲେ ଫେରେ ଅଡ଼ୁଆ ହେବ।ଲକ୍ ଡାଉନ୍ ଯୋଗୁଁ ସବୁ ଅସୁବିଧା।ତଥାପି ସେମାନେ ଘରକୁ ଚାଲି ଚାଲି ଆସି ସିନ୍ଦୂର ପିନ୍ଧେଇ ଝିଅକୁ ବୋହୂ କରି ନେଇଯିବେ କହିଛନ୍ତି।ଥରେ ବାହାଘର ହେଇଗଲେ ଦିପୁ ନ ହେଲେ ତା ଦେଈ ଶାଶୁଘର ଯାଇ ତାକୁ ଦେଖି ଆସିବ।


ବେଶ୍..ସେଇୟା ହେଉ।ସମସ୍ତଙ୍କ ମନକୁ ଏକଥା ପାଇଲା।ଠିକ୍ ତିଥିରେ ଆଗ ବାହାଘରଟା ସରିଯାଉ।


ଦିପୁ ଆଖିରେ ନିଦ ନାହିଁ।ଦେଈ ବାହା ହେବ।ସେ ଦେଖି ପାରିବନି?ତାକୁ ବାଟେଇ ଶାଶୁଘରେ ଛାଡ଼ି ଆସିବନି??ଏମିତି କେତେ କଣ ଭାବି ଭାବି ମନକୁ ଦୃଢ଼ କଲା ଆଉ ପାଟଟାକୁ ବାନ୍ଧି କାଖରେ ଧରି ଚାଲି ଚାଲି ଗାଆଁ ଆଡେ ବାହାରିଗଲା।


ବାଟରେ କେତେ ପୋଲିସ !କେତେ କଥା !ଉତ୍ତର ଦେଇ ଦେଇ ଥକି ଯାଉଥିଲା।ଶେଷରେ ଗାଆଁକୁ ଗଲା ପରେ ମଧ୍ୟ ଘରକୁ ନ ଯାଇ ଗାଆଁ ମୁଣ୍ଡ ସ୍କୁଲ ଘରେ ଚଉଦ ଦିନ ରହିବାକୁ କୁହାଗଲା।ଆଉ ଉପାୟ ନାହିଁ।ଗୋଡ଼ ଖଣ୍ଡିଆ ହୋଇ ରକ୍ତ ବାହାରି ଆସିଥାଏ କିନ୍ତୁ ମନକୁ ମନ ଶୁଖି ମଧ୍ୟ ଯାଉଥାଏ।ଚାରିଦିନ ଚାଲି ଚାଲି ସେ ଆସି ଗାଁରେ ପହଞ୍ଚିଲା।


ସ୍କୁଲ୍ ଘରେ ଅନ୍ୟ ପ୍ରବାସୀମାନଙ୍କ ସହ ତାକୁ ଅଲଗା ରହିବାକୁ ହେଲା।ମନଟା ମାନୁନି।ଦେଈ ବାହାଘର ସରି ଯାଇଥିବ କି??କେମିତି ଖବର ଟିକେ ନେବ?ସେଠି ଫୋନ୍ ମଧ୍ୟ ମନା..!!କିଛି ସମୟ ଛାଡ଼ି ଟିକେ ପାଟଟାକୁ ଆଉଁସି ଦେଉଥାଏ ଆଉ ତା ପରେ ସାଇତି ରଖି ଦେଉଥାଏ ନିଜ ବ୍ୟାଗ୍ ଭିତରେ।


ଚାହୁଁ ଚାହୁଁ ଚଉଦ ଦିନ ବିତିଗଲା।ଦିପୁ କ୍ଵାରେଣ୍ଟାଇନ ସେଣ୍ଟର ରୁ ବାହାରିଲା ଆଉ ଦୋୖଡି ଦୋୖଡି ସିଧା ଆସି ଘରେ ହାଜର ହେଲା।ସଞ୍ଜ ନଇଁ ଆସୁଥାଏ।ଦିପୁ ଭାବୁଥିଲା ଦେଈ ବାହା ହୋଇ ଚାଲି ଯାଇଥିଲେ ବି ବାଙ୍କୁ ମଉସା ଏବେ ଘରେ ଥିବେ।ତାଙ୍କଠୁ ଦେଈର ଖବର ନେଇ ସେ ସକାଳୁ ବାହାରି ଯିବ ତା ଦେଈ ଶାଶୁଘର।ଆଉ ତାକୁ ପାଟ ଦେଇ ଖୁସି କରେଇ ଦେବ।ହେଲେ…


ତା ଘର ଦୁଆରଟା ଯେ ଖୋଲା ଅଛି..!!ବୋଧେ ମଉସା ଭିତରେ ଥିବେ।ଆଉ ଟିକେ ପାଖକୁ ଗଲାରୁ ଦିପୁକୁ କାହାର କାନ୍ଦିଲା ପରି ସ୍ଵର ଶୁଭିଲା।ମନକୁ ପାପ ଛୁଇଁଲା।ଦେଈ କଣ ଘରେ ଅଛି ?ଆଉ କାନ୍ଦୁଛି ?କଣ ହେଲା ?କଣ ହେଇଛି ତା ଦେଈର ?


ଡରି ଡରି ଦରଜା ଖୋଲି ଭିତରକୁ ଆସିଲା ଦିପୁ।ତାକୁ ଦେଖି ତା ଦେଈ ବସିବା ଜାଗାରୁ ଉଠି ଆସି ତାକୁ କୁଂଢ଼େଇ ପକେଇଲା ଓ ପିଲାଙ୍କ ପରି କାନ୍ଦି ଉଠିଲା।ପିଲା ଦିନରୁ ଏତେ ମନୋବଳ ନେଇ ଦୃଢ଼ ହୋଇ କାମ କରି ଆସୁଥିବା ତା ଦେଈକୁ ଏମିତି କାନ୍ଦିବା ଦେଖି ଦିପୁ ଭାରି ଆଶ୍ଚର୍ଯ୍ୟ ହେଉଥାଏ। ବୋଧ କରିବାକୁ ଭାଷା ବି ପାଉ ନ ଥାଏ।ହେଲେ ବି ତାକୁ ବୁଝେଇ ପାଣି ଗ୍ଲାସେ ଦେଲା ଆଉ ପାଖରେ ଥିବା ଲଣ୍ଠନକୁ ଟିକେ ଉପରକୁ ଉଠେଇ ରଖିଦେଲା ଯେମିତି ଦେଈର ମୁହଁ ତାକୁ ଦେଖାଯିବ।ଏଥର ପଚାରିଲା କଣ ହେଇଛି ତାର?


"ସବୁ ମୋ ପୋଡ଼ା କପାଳ ଦିପୁ।ସେମାନଙ୍କ ଆଡୁ ସବୁ ଠିକ୍ ଚାଲିଥିଲା।ହେଲେ ତାଙ୍କୁ କୁଆଡେ କରୋନା ହେଇଗଲା।ମୋ ସହ ବାହାଘର ଠିକ୍ ହେଲାପରେ ତାଙ୍କର ଏମିତି ହେଇଥିବା କଥା କହି ସେମାନେ ବାହାଘର ଭାଙ୍ଗିଦେଲେ ରେ..!!"କହି ଦେଈ ପୁଣି କାନ୍ଦିବାକୁ ଲାଗିଲା।


ଏତିକି ବେଳେ ବାଂକୁ ମଉସା ବି ଆସି ଯାଇଥାନ୍ତି ସେଠାକୁ।ସେ କହିଲେ "ପୁଅର ରୋଗ ହେଲା ବୋଲି ସେମାନେ ଟିକେ ବ୍ୟସ୍ତ ହେଲେ ରେ ଦୀପୁ। ତୋତେ ଜଣେଇବାକୁ ବାନାକୁ ଫୋନ୍ କଲି।ସେ କହିଲା ତୁ ଗାଆଁକୁ ଆସି ଗଲୁଣି।ତୋ ବାଟ ଚାହିଁ ବସିଥିଲି।କାଲି ସକାଳୁ ଯିବା ଆମେ ସାଙ୍ଗ ହୋଇ ।ପଚାରିବା ଏଥର ସେମାନେ ବାହାଘର କରେଇବେ କି ନାହିଁ..!!"


"କିଛି ଦରକାର ନାହିଁ।"ଦୃଢ଼ କଣ୍ଠରେ କହିଲା ଦିପୁ.."ଯେଉଁ ଲୋକ ଏମିତି ଗୋଟିଏ କଥା ପାଇଁ ଆଜି ଦେଈକୁ ଦୋଷ ଦେଲେ ସେମାନେ କାଲି ଆହୁରି କେତେ କଥା କହି ଚାଲିବେ।ଏମିତି ମନ ରଖିଥିବା ଲୋକଙ୍କ ଘରକୁ ମୋ ଦେଈ ଯିବନି।"


"ହେଲେ ଦିପୁ..!!ଏତେ ଭଲ ଘର ଛାଡ଼ିଦେଲେ ଆଉ ଥରେ ପାଇବୁ କି ରେ?"ପଚାରିଲେ ମଉସା।


ଦିପୁ କହିଲା.."ନ ମିଳୁ।ଆଜିଯାଏଁ ଦେଈ ପାଖରେ ମୁଁ ଥିଲି।ଏବେ ଦେଈ ମୋ ପାଖରେ ରହିବ।ବାହା ହଉ କି ନ ହେଉ।କିନ୍ତୁ ଖାଲି ବଡ଼ ଘର ଦେଖି ନୁହେଁ ଭଲ ମନ ଦେଖି ମୋ ଦେଈ ବାହା ହେବ ଭବିଷ୍ୟତରେ..!!"


ଦେଈ ପାଖକୁ ଯାଇ ତା ଲୁହ ପୋଛି ଦେଲା ଆଉ କହିଲା.."ଦେଈ...ତୋ ସୌଭାଗ୍ୟ ଯୋଗୁଁ ମୁଁ ଭଲରେ ଆସିଗଲି।ଏମିତି ଲୋକ ସହ ଯୋଡ଼ି ହେବାରୁ ଆମେ ବଂଚିଗଲେ।ଏସବୁ ପାଇଁ ଖୁସି ହୁଅ।କାନ୍ଦୁଛୁ କାହିଁକି?? ଆଚ୍ଛା ଶୁଣ..ମୁଁ ତୋ ପାଇଁ ଗୋଟିଏ ବନାରସୀ ପାଟ ଆଣିଛି। କାଲି ସକାଳୁ ସେଇଟାକୁ ପିନ୍ଧି ତୁ ମୋ ସାଙ୍ଗରେ ବାହାରିବୁ ଆଉ ଆମେ ସହରକୁ ଚାଲିଯିବା।ବୁଝିଲୁ?"


"ହେଲେ ମୁଁ ବୋହୂ ହେଲା ପରେ ପିନ୍ଧିବାକୁ ତୁ ଏ ପାଟ ଆଣିଥିଲୁ ନା ଦିପୁ..??"କହିଲା ଦେଈ..


"ତୋ ପାଇଁ ଆଣିଛି।ବୋହୁ ହୁଅ କି ନାହିଁ ସେଥିରେ କିଛି ଫରକ୍ ନାହିଁ।ଆଉ ଶୁଣ ଦେଈ..ଖାଲି ଏଇ ଗୋଟାକ ନୁହଁ ଏମିତି ଶହେ ପ୍ରସ୍ତାବ ଗଲେ ବି ତୋ ଆଖିରେ ଲୁହ ଆଣିବୁନି କହି ଦେଉଛି।ମଣିଷ ନିଜ ମଣିଷପଣିଆ ଛାଡ଼ିଦେଲେ ଆଉ ତାକୁ ମଣିଷ କହିବା କି?ରୋଗ ହେଲେ ବୋହୂର ଦୋଷ କହୁଥିବା ଲୋକ ମଣିଷ ନୁହନ୍ତି ଲୋ।ତୁ ଉଠ..ମୁହଁ ଧୋଇ ଦେ।ଆଉ କେବେ ଲୁହ ଗଡ଼େଇବୁ ନାହିଁ।ହେଲା??"କହି ଦିପୁ ବାହାରିଗଲା ରୋଷେଇ ଘର ଆଡେ।ରାତି ଖାଇବା ଯୋଗାଡ଼ କରିବାକୁ।


ତା ପରଦିନ ସକାଳୁ ଉଠି ସେ ଦେଖିଲା ତା ଦେଈ ସେହି ନାଲି ଜରିପକା ପାଟ ପିନ୍ଧି ଠିଆ ହୋଇ ତାକୁ ଦେଖି ହସୁଛି...ଠିକ୍ ନୂଆ ଆଶା ନେଇ ଉଦୟ ହୋଇଥିବା ସେ ନାଲି ସୂର୍ଯ୍ୟଟେ ପରି..!!


ହାତ ବଢ଼େଇ ଦେଈ ହାତ ଧରି ଦିପୁ ବାହାରିଗଲା..ଏକ ନୂତନ ଆବେଗରେ..ନୂଆ ଉତ୍ସାହ ସହିତ.. ଵାଙ୍କୁ ମଉସାଙ୍କ ଆଶୀର୍ବାଦ ନେଇ..ଏକ ନୂଆ ସ୍ବପ୍ନ ସନ୍ଧାନରେ !


Rate this content
Log in

Similar oriya story from Drama