Sudhir Mohapatra

Drama

3  

Sudhir Mohapatra

Drama

ବିନ୍ଦୁଏ ସିନ୍ଦୂର

ବିନ୍ଦୁଏ ସିନ୍ଦୂର

4 mins
570



ଖୁବ୍ ପାଟିକରି ଚିଲୋଉଥିଲା ସନ୍ତୋଷ । ଖାଲି ପାଟି ତ କରୁ ନ ଥିଲା ମନଇଚ୍ଛା ଫିଙ୍ଗିଚାଲିଥିଲା ଥାଳି,ଗିନା, ଗ୍ଲାସ୍ । ମଝିରେ ମଝିରେ କହି ଚାଲିଥିଲା , ଏଠି ଗୋଟେ ଖେଳଘର ଲାଗିଚି । ମଣିଷ ଦିନସାରା ଗଧ ଖଟଣି ଖଟି ବୋହି ଆଣିବ - ଯାହାର ଯାହା ଦରକାର । ହେଲେ, ଖାଇଲା ବେଳକୁ ମୁଠେ ଶାନ୍ତିରେ ଖାଇବାକୁ କେହି ଦେବେନି । ଏଗୁଡାକ କ’ଣ ମଣିଷ ଖାଆନ୍ତି ? କୋଉ ଗୋଟିଏ ତରକାରିର ସୁଆଦ କି ଶବଦ ନାଇଁ । ଆରେ ପରିବାରର ଦେଖାରଖା କରିବି ବୋଲି , କ’ଣ ଏ ଗଧ,ଘୁଷୁରୀଙ୍କ ଭଳି ଯାହାତାହା ଖାଇବି ! ବହୁତ ହେଇଗଲା, ଆଉ ଏଣିକି ସହି ହବନି । ଭିତର ଘରକୁ ଅନାଇ କହିଲା, ଭାଇ , ଭାଇ ! ତୁ ତୋ’କଥା ଏଣିକି ଦେଖେ । ମୁଁ ଆଉ କାହାରିକୁ କିଛି କହିପାରିବିନି , କି ଖରାପ ହେଇପାରିବିନି -ହେଲା !

ରୀତା, ଆଖି ମନ୍ଥି ମନ୍ଥି ସନ୍ତୋଷ ପାଖକୁ ଚାଲି ଆସିଲା । ପଚାରିଲା, କ’ଣ ହେଇଚି ସନ୍ତୋଷ , ଏତେ ଜୋର୍ରେ ପାଟି କରୁଚ କାହିଁକି ? ଦେଖ , ଯାହା କହିବାର କଥା ମତେ କହ । ଏ ଅକର୍ମଣ୍ୟ ଭାଇଟାକୁ କହିକି ଆହୁରି ତାଙ୍କ ମୁଣ୍ଡରେ ଅଧିକ ଚିନ୍ତା ବଢଉଚ କାହିଁକି ? କ’ଣ ହେଇଚି କହିଲ ?

ସନ୍ତୋଷ ଆହୁରି ଅଧିକ ଜୋର୍ରେ ପାଟି କରି କହିଲା, କ’ଣ ହେଇଚି ? ତଳେ ବିଛାଡି ହୋଇ ପଡିଥିବା ଖାଦ୍ୟକୁ ଦେଖାଇ କହିଲା, ଏସବୁ କ’ଣ ତମ ଆଖିକୁ ଦେଖାଯାଉନି ଭାଉଜ ! 

: ରୀତା କହିଲା, କ’ଣ ବିଲେଇ ପକେଇ ଦେଇଚି ସନ୍ତୋଷ ?

: ସନ୍ତୋଷ ଗମ୍ଭୀର ସ୍ୱରରେ ଉତର ଦେଲା , ନାଃ । ବିଲେଇ କାହିଁକି ପକେଇବ । ତେବେ, ......ବିସ୍ମୟରେ ପଚାରିଲା ରୀତା ।

: ମୁଁ ପକେଇଚି । କିଏ ଖାଇଥାନ୍ତା ଯେ, ମୁଁ ଖାଇଥାନ୍ତି ବୋଲି । ଛିଃ ଛିଃ... ଏସବୁ କ’ଣ କୁକୁର ଖାଆନ୍ତି ?

: ରୀତାକୁ ବହୁତ କଷ୍ଟ ହେଲା । ସେ ଆଉ ସମ୍ଭାଳି ପାରିଲାନି । କହିଲା, ନା - ଏସବୁ ଏ ଘରେ ରହୁଥିବା ବେରୋଜଗାର କୁକୁର ଖାଆନ୍ତି । କଥାଟା ମହେଶ ଆଡକୁ ଗଲା । ସେ ନିରବରେ ମୁହଁ ପୋତି ବସିରହିଲା । ରୀତା ଉଦ୍ଦେଶ୍ୟରେ କହିଲା, ରୀତା ! ତମେ ଟିକେ ତୁନି ହୁଅ । ପିଲାଟା ଦିନସାରା ଖଟି ଖଟି ଆସୁଚି । ଯଦି କୋଉ ଖାଦ୍ୟଟା ତାକୁ ରୁଚିକର ହେଇନି , ସେ ଯଦି କିଛି କହୁଚି ତେବେ ତମେ ଟିକେ ନୀରବ ରହିଗଲେ ହ’ନ୍ତାନି ?

: ଆଖିରୁ ଧାର ଧାର ହୋଇ ଲୁହ ଗଡିଯାଉଥିଲା । ଗୋବର ହାତରେ ମୁଣ୍ଡର ଚୁଟିକୁ ଟେକି ନ ପାରି କହୁଣୀରେ ଟିକେ ମୁହଁ ଉପରକୁ ଟେକି ଦେଇ କହିଲା, ସନ୍ତୋଷ ! ପାରୁଚ ଯଦି ତମ ମନ ଯେମିତି ଖୁସୀ ହେବ ସେମିତି କର । ହେଲେ, ଅଯଥାରେ ଘରେ ଅଶାନ୍ତି ସୃଷ୍ଟି କରନି । ମତେ ସଫାସଫା କହିଲ, ତମେ କ’ଣ ଚାହଁ ?

: ଦୀର୍ଘଶ୍ୱାସ ଛାଡି ସନ୍ତୋଷ କହିଲା, ମୋର ଭାଇଭାଗ ଦରକାର । ମୁଁ ଏ ଜଂଜାଳରୁ ମୁକ୍ତି ଚାହେଁ ।

: ଖୁବ୍ ଜୋର୍ରେ ହସିଲା ରୀତା । ତାତ୍ସଲ୍ୟସ୍ୱରରେ କହିଲା, ଓଃ ଏଇକଥା ତେବ । ତାହା ହେଲେ ସିଧା ସିଧା ନ କହି, ଏତେ ଅଭିନୟ କରିବା କ’ଣ ଦରକାର କହିଲ ? 

ମୁଁ ସିନା ଆଜି ପର ହେଇଗଲି । ହେଲେ, ତମ ଭାଇ ? ମୁଁ ଜାଣିନି ତମ ଭାଇ ଭାଇ ଭିତରେ କ’ଣ ସମ୍ପର୍କ ଥିଲା । ମାତ୍ର ବିଭା ହେଇ ଆସିବା ପରେ ତମ ଭାଇଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି ଆସିଚି ମୁଁ । ମୋ’ ପାଇଁ କେବେ କିଛି ଖୋଜିନି । ସହଜେ ଦଇବ ତ ମୋ’ ଖୋଜିବାର ଅଧିକାର ସବୁଦିନ ପାଇଁ ଛଡେଇ ନେଲା - କହି କହି କୋହମୋହ ହୋଇ କାନ୍ଦିବାକୁ ଲାଗିଲା ରୀତା । ମହେଶ ତା’କୁ ପ୍ରବୋଧନା ଦେଇ କହିଲା, ଛିଃ ତମେ ଏମିତି ଅଧୈର୍ଯ୍ୟ ହୁଅନି ରୀତା , ସବୁ ଠିକ୍ ହେଇଯିବ । ମହେଶର ମୁହଁକୁ ଅଣ୍ଡାଳି ଅଣ୍ଡାଳି ଆହୁରି କାନ୍ଦିଲା ସେ । କହିଲା, ତମେ ପରା କହୁଥିଲ , ବାପା ଓ ବୋଉ ଚାଲିଯିବା ପରେ ଏ ସନ୍ତୋଷ ଆଉ ନୟନା ତମର ଦୁଇ ଆଖିର ତାରା ଥିଲେ । ହେଲେ, ଆଜି କ’ଣ ଏସବୁ ହେଇଗଲା ? ନୟନା ଚାଲିଗଲା ତା’ ସୁଖ ପାଇଁ । ଆଉ , ଏ ସନ୍ତୋଷ ମିଛ ଅପବାଦ, ମିଛ ବାହାନା ଦେଖାଇ ଚାଲିଯିବାକୁ ବସିଛନ୍ତି । 

: ଯାଆନ୍ତୁ ରୀତା, ସମସ୍ତେ ଚାଲି ଯା’ନ୍ତୁ । ଆଉ ତମର ଯଦି ଇଚ୍ଛା ହଉଚି ଏ ଜଂଜାଳରୁ ମୁକ୍ତ ହେବା ପାଇଁ ତେବେ ଏ ଅକର୍ମଣ୍ୟ ଅପଦାର୍ଥଟାକୁ ଛାଡି ଚାଲିଯାଇପାର । ମୁଁ ବି ଚାହୁନି , ତମର ଦୀର୍ଘ ଭବିଷ୍ୟତକୁ ମୋ’ପରି ଏକ ଦୁଃସାଧ୍ୟ ରୋଗୀର ସେବାରେ ସେବାରେ ଜୀବନ ଜୀଇବାକୁ । 

: ହଁ , ଭାରି ସ୍ୱାର୍ଥପର ତୁମେ । ଭାରି ସ୍ୱାର୍ଥପର ତୁମ ଭାଇ, ଭଉଣୀ ସମସ୍ତେ । ହେଲେ, ଆଉ କୋଉ ସୁଖପାଇଁ ମୁଁ ତୁମକୁ ଛାଡି ଆଉ କୁଆଡେ ଚାଲିଯିବି କହିଲ ? ବିନ୍ଦୁଏ ସିନ୍ଦୂର ମୋହରେ ସେଦିନ ମୁଁ ଚାଲି ଆସିଥିଲି ତମ ହାତ ଧରି । ଜାଣି ନ ଥିଲି ସିନ୍ଦୁରର ଆକର୍ଷଣକୁ । ଆଜି ଜାଣୁଚି ସିନ୍ଦୂର ପାଇଁ କୋଉଠି ସମ୍ପର୍କର ସୁତାଟା ଘସିମାଜି ସରିସରି ଯାଉଚି ତ , କୋଉଠି ସେଇ ବିନ୍ଦୁଏ ସିନ୍ଦୂର ସମ୍ପର୍କର ବେଡିରେ ଛନ୍ଦି ଦଉଚି ପାଦଦୁଇକୁ । 

ପାଖରେ ଥିବା କୋଉ ଅଶିଏ କାଳର ମସିଆ ବେତ ପେଟେରାକୁ ଖୋଲିଲା ରୀତା । ବହୁ ଦିନରୁ ସାଇତି ରଖିଥିବା ତା’ ବୋଉ ଦେଇଥିବା ସିନ୍ଦୂର ଫରୁଆଟିକୁ କାଢି ଆଣି ବାରମ୍ବାର ଦେଖୁଥିଲା । ବୋଉ ତା’ହାତକୁ ବଢେଇ ଦେଇ କହିଥିଲା , ମାଆ ଲୋ ! ଏ ସିନ୍ଦୂର ଫରୁଆଟିକୁ ପାଖରେ ସଦାବେଳେ ରଖିଥିବୁ । ବଜାରରେ ମିଳୁଥିବା ସିନ୍ଦୂରର ମୂଲ୍ୟ ଯାହା , ତୁ ଗୋଟିଏ ଫରୁଆ ପରେ ଆଉ ଗୋଟିଏ ଫରୁଆ କିଣି ଆଣିପାରିବୁ । ହେଲେ, ଏ ଫରୁଆଟି ଯେତେବେଳେ ଦୁଇଟି ହୃଦୟକୁ ବାନ୍ଧିବାର ଚିହ୍ନ ହେଇଯାଏ , ସେତେବେଳେ ବିନ୍ଦୁଏ ସିନ୍ଦୂର ସିନ୍ଧୁଏ ସମ୍ପର୍କଠାରୁ ଆହୁରି ଅଧିକ ହୋଇଯାଏ । 

ବିନ୍ଦୁଏ ସିନ୍ଦୂର ପାଇଁ ଘର ଛାଡି ଚାଲିଯିବାକୁ ଚାହିଁଥିଲା ସନ୍ତୋଷ । ଧାଇଁ ଆସି ଭାଉଜର ପାଦ ତଳେ ପଡି ବିକଳ ହେଇ କାନ୍ଦିଲା । କହିଲା, ଭାଉଜ ମୋତେ କ୍ଷମା କରିଦିଅ । ମୁଁ କାହା ମଥାରେ ଟୋପାଏ ସିନ୍ଦୂର ଆଙ୍କିଦେବାକୁ ତୁମମାନଙ୍କଠାରୁ ଦୂରେଇ ଯିବାକୁ ଚାହୁଁଥିଲି । ହେଲେ, ଆଜି ବୁଝିପାରୁଚି ବିନ୍ଦୁଏ ସିନ୍ଦୂର ମୋ’ଭାଇ ସହ ଯୋଡିଦେଇଥିବା ସମ୍ପର୍କକୁ ଯଦି ଅଧିକରୁ ଅଧିକ ମଜବୁତ୍ କରି ପାରୁଚି , ତେବେ ମୁଁ କାହିଁକି ସମ୍ପର୍କଠୁ ଦୂରେଇ ଯିବି ?

ଯିଏ ଆସିବ , ସିଏ ବି ଏ ବିନ୍ଦୁଏ ସିନ୍ଦୂରର ମହତ୍ୱ ବୁଝିପାରି ଆସିବ ତ ଆସୁ .... ନଚେତ୍ ନଆସୁ ।

ସମସ୍ତେ ଏକା ସ୍ୱରରେ ହସିବାକୁ ଲାଗିଲେ । ସନ୍ତୋଷର ମୁଣ୍ଡକୁ ରୀତା ଆଉଁସୀ ଦଉଥିଲା । ମହେଶର ପାଦତଳେ ବସି ମୁହଁକୁ ତା’ର ଏକଲୟରେ ଦେଖୁଥିଲା ସନ୍ତୋଷ । 



Rate this content
Log in

Similar oriya story from Drama