Satyabati Swain

Classics

2  

Satyabati Swain

Classics

*ବୀର ମୋ ପୁଅ*

*ବୀର ମୋ ପୁଅ*

7 mins
296


ଏଇ ଆମ ବୀପୁଲ୍ ବାବୁ ଶୋଭନ୍ ବାବୁଙ୍କ ପୁଅ ଜଣେ ବଡ଼ ଅଫିସର। ଭାରି ବିଲେଇ,କୁକୁର,ଓ ମାଙ୍କଡ଼ ପାଳିବା ସଉକ୍। ଏଇ ପଶୁ ଜନ୍ତୁଙ୍କ ପାଇଁ ଯେଉଁ ଆଦର ଯତ୍ନ,ଖର୍ଚ୍ଚ ଏଥିରୁ ଯଦି କାଣିଚାଏ ନିଜ ବାପାଙ୍କ ପ୍ରତି ରୁହନ୍ତା କଣ ବେଦ ଅଶୁଦ୍ଧ ହୋଇ ଯାଆନ୍ତା ମୁଁ ଅଷ୍ଟମ ପାସ୍ ଗାଉଁଲି ଗଦେଇ ପୁଅ ବୀର ଗାଉଁଣିଆଁ ଏଇ ପଶୁ ପ୍ରେମ ଓ ବୁଢା ବାପାଙ୍କୁ ଅପ୍ରେମ,ଅବହେଳା କଥା ମୋ ମଗଜରେ ପଶିପାରେ ନାହିଁ। ବଡ଼ବାବୁ ଏବେ ପ୍ରମୋ ସନ ପାଇ ବୁଢ଼ାବାବୁ ପଦକୁ ଉନ୍ନୀତ ହୋଇଛନ୍ତି। ଷ୍ଟୋର ଘରେ ଥିବା ମା ଙ୍କ ଦସ୍ତା ବାକ୍ସ ଧୂଳି ଧୁସରିତ ହୋଇ ପଡିଲା ପରି ବଡ଼ ବାବୁ ଏଡ଼େ ବଡ଼ ତ୍ରି ତଳ ପ୍ରସାଦର କେଉଁ ଏକ ଘର କୋଣେ ପଡିଛନ୍ତି। ଅବହେଳିତ

,ଅଯତ୍ନ,ଅଶ୍ରଦ୍ଧା ,ଅଚଳି ପାଞ୍ଚଶହ ଟଙ୍କା ପରି।


ଏଣୁ ବୀପୁଲ୍ ବାବୁଙ୍କ ପାଖକୁ ମୋର ଆସିବା ସ୍ପୃହା କମି ଗଲାଣି। ଖାଲି ବାପ ରାଣ ଢ଼ିଙ୍କି ଗିଳି ବୋଲି ଆସିବାକୁ ବାଧ୍ୟ ହେଉଛି। ଯେଉଁ ଘରକୁ ଆସିବା ପାଇଁ ଉତ୍ସୁକତା ସହ ଅନେଇଁ ବସୁଥିଲି ଆଠ ଦିନ ଆଗରୁ ସେଠିକୁ ଆଦୌ ଆସିବାକୁ ମନ କହୁ ନାହିଁ। କେଜାଣି ସେ ଘରେ ପଶିଗଲେ ଅଜବ ଗୋଟେ ଛଟପଟ ଭାଵ ଗ୍ରାସ କରୁଛି।


ବର୍ଷକୁ ଭୁବନେଶ୍ୱର ବୀପୁଲ୍ ବାବୁଙ୍କ ଘରକୁ,ରଜ, ଦୋଳ ଓ ଦଶହରା ଏହିପରି ତିନି ଥର ଆସେ। ମୋତେ ଯେତେବେଳେ ପାଞ୍ଚ ବର୍ଷ ହୋଇଥିଲା ସେବେଠାରୁ ଆସୁଛି। ସେବେ ମୋ ବାପାଙ୍କ ସହ ଆସୁଥିଲି। ଏବେ ବାପା ମରିଗଲାରୁ ମୁଁ ଆସୁଛି। ମୋ ସାଙ୍ଗରେ ଥରେ ଅଧେ ମୋ ଝିଅ ଆସିଥିଲା। କିନ୍ତୁ ଆଉ ଆସିବାକୁ ମନ କରେନି। ତାକୁ ଭଲ ଲାଗିଲା ନାହିଁ ବୋହୁ ମା ଓ ତାଙ୍କ ପୁଅଙ୍କ ବ୍ୟବହାର। ପିଲା ଲୋକ ସ୍ନେହକାଙ୍ଗାଳ ମନ। ମାର୍ ମାର୍ ଦୂର୍ ଦୂର୍ କେହି ହେଲେ ପିଲାମାନେ ପାଖ କଣ ପଶିବେ? ଆଜିକାଲି ଛୁଆଙ୍କ ସ୍ବାଭିମାନ ;ଆରେ ବାପରେ ବାପ ..ଆକାଶ ଛୁଆଁ।


କିନ୍ତୁ ଆଗେ ପିଲା ଦିନେ ମୁଁ ଅଳିତା ଲଗେଇ ବସୁଥିଲି ବାପାଙ୍କ ସହ ବଡ଼ ବାବୁଙ୍କ ପାଖକୁ ଆସିବାକୁ। ମୋ ବାପା ବଡ଼ ବାବୁଙ୍କ ଘର ଦ୍ୱାର,ଜମି ବାଡ଼ି ଜଗନ୍ତି। ଉଷୁନା ଓଅରୁଆ ଚାଉଳ,ମୁଗ ରଗଡା,ବଡି,ଆମ୍ବ, ପଣସ କଠା,ଅମୃତଭଣ୍ଡା,ଗୁଆ ,ତାଳ ସଜ,ଲେମ୍ବୁ

ଏପରି ଯେତେବେଳେ ଯାହା ବାବୁଙ୍କ ବାଡ଼ିରେ ଫଳୁଥିଲା ବାପା ଗୋଟିଏ ଅଟୋ କରି ନେଇକି ଆସୁଥିଲେ ଭୁବନେଶ୍ୱର। ବଡ଼ ବାବୁ ଓ ମା ଆମ ଆସିବା ଦେଖିଲେ ଭାରି ଖୁସି ହେଉଥିଲେ। ଘର ଲୋକ ପରି ଆଦର ଯତ୍ନ କରୁଥିଲେ। ଭଲ ମନ୍ଦ କରି ଖୁଆଉ ଥିଲେ। ଗଲା ବେଳେ ମୋ ପକେଟରେ ଗୁଞ୍ଜି ଦେଉଥିଲେ କିଛି ଟଙ୍କା। ନୂଆ ପୋଷାକ,ଖେଳନା ଓ ପଢିବା ପାଇଁ ଯାହା ଦରକାର। ମୋ ବୋଇ ପାଇଁ ଶାଢ଼ୀ ;ନୂଆ ପୁରୁଣା କରି ଗାଣ୍ଠିଏ ବାନ୍ଧୁଥିଲେ। ତା ସହ ସହର ମିଠାରୁ ଦି ପ୍ୟାକେଟ୍ ବୋଉ ପାଇଁ ଦେଉଥିଲେ। ବାପା ଯେତିକି ଆଣିକି ଆସୁ ନଥିଲେ ତାଠୁ ଅଧିକ ନେଇକି ଯାଉଥିଲେ। ଜିନିଷ ପତ୍ର ଭାରି ସିନା ଅଟୋ ବୋହି ନେଉଥିଲା;ଆମେ ବାପା ପୁଅ କିନ୍ତୁ ବୋହି ପାରୁ ନଥିଲୁ ସ୍ନେହ,ମମତା,ଆଦରର ବୋଝ। ଏଇ ବୋଝ ବୋହିବାର ଆନନ୍ଦ ଅବର୍ଣ୍ଣନୀୟ।


ବଡ଼ ବାବୁ ଶୋଭନ୍ ମହାପାତ୍ର ପୋଲିସ୍ ଚାକିରୀ କରୁଥିଲେ। ଭାରି କଡା ପୋଲିସ୍ ଅଫିସର୍ ଭାବେ ନାଁ ଥିଲା। ବଡ଼ ବାବୁଙ୍କ ନାଁ ଶୁଣି ଚୋର ଡକାୟତଙ୍କ ପିଳେହି ପାଣି ହୋଇ ଯାଉଥିଲା। ମା ସାଧା ସିଧା ହୃଦୟର ଜଣେ ସରଳ ମଣିଷ ଥିଲେ। ସ୍ନେହ ମମତା ହେଉ କି ଦାନ ଦକ୍ଷିଣା ହେଉ ସବୁଥିରେ ହାତ ଖୋଲି ଦେଉଥିଲେ। ଥରେ ଯିଏ ଭୁବନେଶ୍ୱର ବାବୁଙ୍କ ଘରକୁ ଆସିଥିବ,ସେ ଜୀବନ ସାରା ଝୁରି ହେଉଥିବ,ମା,ବଡ଼ ବାବୁ ଓ ଖାଇବା କଥା। ଗାଁ ଲୋକଙ୍କୁ ଏ ଦୁଇ ମଣିଷ ଦେଖିଲେ ଭାରି ଖୁସି ହୋଇ ଯାଉଥିଲେ। ପେଟ ପୁରାଇ ଖାଇବାକୁ ଦେବା ସହ ଗାଡ଼ି ଭଡା ବି ବଳେଇ ଦେଉଥିଲେ। ଦେବ ତୁଲ୍ୟ ଲୋକ ଆମ ମା ଓ ବାବୁ ଥିଲେ। ମୁଁ ତ ଭୁବନେଶ୍ୱର ଆସିବା ପାଇଁ ହେକୁଡି ଖାଉଥିଲି। ଯାଉଁ ଆସୁ ପଚାରୁଥିଲି "ବାପା କେବେ ଯିବା ଭୁବନେଶ୍ୱର।"


ଥରେ କିନ୍ତୁ ଦଶହରା ବେଳକୁ ଆସିଲା ବେଳକୁ ମା ଘରେ ନଥିଲେ। ମୁଁ ତନ୍ନ ତନ୍ନ କରି ମା ମା ଡାକି ସବୁ ଘର ଖୋଜି ଗଲି। ହେଲେ ମା କାହାନ୍ତି? କହିଥିଲେ ବୀରରେ ! ଏଥରକ ଦଶହରାକୁ ଆସିଲେ ସାଇକେଲଟିଏ ନେବୁ। ସେଇଥିପାଇଁ ଏଥରକ ଆସିବା ମୋର ସ୍ପେଶାଲ ଥିଲା। ମା କହିଛନ୍ତି ରଙ୍ଗ ରଙ୍ଗିଆ ସାଇକେଲଟିଏ ଦେବେ। ସାତ ବର୍ଷର କଅଁଳ ମନ ମୋର ମା ଙ୍କୁ ଦେଖିବାକୁ ଆକୁଳ ହେଉଥିଲା ଦୁଇଟି କାରଣରୁ। ଗୋଟିଏ ମା ଭାରି ସ୍ନେହୀ। ଅନ୍ୟଟି ମୋତେ ସାଇକେଲ ଦେବେ।


ବାପା କିନ୍ତୁ ଚୁପ୍ ଥାନ୍ତି। ମୁହଁକୁ ବାରମ୍ବାର ଗାମୁଛାରେ ପୋଛୁଥାନ୍ତି। ମୁଁ ସବୁ ଆଡୁ ବୁଲି ଆସି ପଚାରିଲି ବାପା ମା କାହାନ୍ତି? ବାପା ମୋତେ ଚୁପ୍ କରାଇ ଦେଇ କହିଲେ ରହ, କାଇଁକି ମା ମା ହେଉଛୁ। ବଡ଼ ବାବୁ ଶୁଣିବେ...


ମୋ ମା ମା ଡାକ ଶୁଣି ବଡ଼ ବାବୁ ଆସି କହିଲେ ଆରେ ବୀର!....ମା ଙ୍କୁ ଖୋଜୁଛୁ? କିରେ ଗଦେଇ ତୁ ବୀରକୁ କିଛି କହିନୁ? ବାପା ବଡ଼ବାବୁ ଙ୍କ କଥା ଶୁଣି ମୁଣ୍ଡ ତଳକୁ କରି କହିଲେ ପିଲା ଲୋକ ବାବୁ। ଭାରି ଭଲ ପାଏ ମା ଙ୍କୁ। ସେଇ ପାଇଁ....


ଆଛା ଠିକ୍ ଅଛି। ବୁଝିଲୁ ଗଦେଇ ଅପର୍ଣ୍ଣା ସାକ୍ଷାତ ଲକ୍ଷ୍ମୀ ହିଁ ଥିଲା। କାହାକୁ ସେ ଆପାଣାର କରିନି କହୁନୁ। କିନ୍ତୁ..

କଣ୍ଠ ବଡ଼ ବାବୁଙ୍କର ଓଦା ହୋଇ ଭାରି ଭାରି ଶୁଭିଲା। ମୁଁ କିଛି ବୁଝି ପାରୁ ନଥାଏ। ମୁଁ କହିଲି ମା କାହାନ୍ତି ବଡ଼ ବାବୁ? ମୋ ହାତ ଧରି ବଡ଼ ବାବୁ ତାଙ୍କ ବେଡ୍ ରୁମ୍କୁ ନେଇ କହିଲେ ହେଇ ଦେଖ୍ ସେଇଠି ତୋ ମା ଖୁବ୍ ଆରାମରେ ରହିଛି। ଦେଖୁନ ତୁ ଆସିବା ଦେଖି କେମିତି ଖୁସି ହେଉଛି।


ମୁଁ ହାଁ ..କରି ବଡ଼ ବାବୁ ମୁହଁକୁ ଅନେଇଁଥିଲି। ବାବୁ କଣ ପାଗଳ ହୋଇ ଯାଇଛନ୍ତି? ମା କାହାନ୍ତି? ଏଇଟା ବା ମାସ ଙ୍କ ଫୋଟୋ!!ଫୋଟୋ କଣ ହସନ୍ତି,ଖୁସି ହୁଅନ୍ତି,କଥା କୁହନ୍ତି!!


ମୋ ଆଖିର ଭାଷା ପଢ଼ି ନେଇ ବାବୁ କହିଲେ ବୁଝିଲୁ ବୀର ତୋ ମା ଏଣିକି ଏଇ ଫୋଟରେ ରହିବେ। ତୁ ଯେତେବେଳେ ଆସିବୁ ତାଙ୍କୁ ଏଇଥିରେ ଦେଖିବୁ। ତୋର ଯାହା ଦରକାର କହିବୁ। ସେ ସବୁ ଦେବେ?


ମୁଁ କାବା ହୋଇ କାନ୍ଦ କାନ୍ଦ ହୋଇ କହିଲି ଫୋଟୋ କଣ ଶୁଣି ପାରେ,କଥା କୁହେ? କେଉଁଠି ମୋ ମା..

ମୋତେ କୋଳକୁ ଟାଣି ନେଇ ବଡ଼ ବାବୁ ନିଜ ଆଖିର ଲୁହ ପୋଛି କହିଲେ ହଁ ରେ ବୀର ମାସେ ହେଲା ସେ ପରା ମୋ ସହ ସବୁଦିନେ କଥା ହେଉଛି ଏଇ ଫୋଟୋରେ ଥାଇ। ବୀପୁଲ୍ କୁ ଗେଲ ବି କରୁଛି। ତୁ କଣ କହିବୁ କହୁନୁ ସେ ଶୁଣିବେ ରେ।


ବାପା ମୋତେ ଟାଣି ନେଇ କହିଲେ କେତେ କଥା ପଚାରୁଛୁ। ଦେଖିଲୁ ତ ମା ଫୋଟୋରେ ଅଛନ୍ତି।


ସବୁ ମଣିଷ ଏମିତି ଫୋଟୋରେ ରହନ୍ତି କି ,ବାପା। ମୋ ଆକୁଳ ମନର କୋମଳ ଜିଜ୍ଞାସା।


ହଁ ସମୟ ପଡିଲେ ସବୁ ମଣିଷ ଫୋଟୋ ହୋଇଯାଆନ୍ତି ,କହିଲେ ବାପା।


ମୋତେ କାଇଁ କିଛି ଭଲ ଲାଗିଲା ନାହିଁ। ଦିନେ ହୋଇଛି କି ନାହିଁ ମୁଁ କହିଲି" ବାପା ଚାଲ ଗାଁ କୁ ଯିବା। ମା ଆସୁ ନାହାନ୍ତି ମୋତେ ଭଲ ଲାଗୁ ନାହିଁ।"


ବାପା କହିଲେ ସେମିତି କୁହନ୍ତି? ବାବୁ ଦେଖୁଛୁ ଏକା ଅଛନ୍ତି। ବୀପୁଲ୍ ବାବୁ ହଷ୍ଟେଲରେ। ପୂଜାରୀ ଓ କାମବାଲୀ ଯାହା ଅଛନ୍ତି। ଆମେ ଟିକେ ରହିଲେ ବଡ଼ ବାବୁଙ୍କୁ ଭଲ ଲାଗିବ। ତୁ ବାବୁଙ୍କ ସହ ଫୁଟ୍ ବଲ୍ ଖେଳିବୁ,ବଗିଚାରେ ବୁଲିବୁ,ବୁଝିଲୁ।


କାଇଁକି,ମା ବା ଅଛନ୍ତି। ମୁଁ କହିଲି।


ହା ତୁ ବୋକା ଟା.....ମା ପରା.....ମରି ଯାଇଛନ୍ତି।


ଓହୋ ଆମ ଗାଁ ଧନିଆ ବୁଢା ଯେଉଁ ମରିଗଲା ତାକୁ ନେଇ ପୋଡି ଦେଲେ ସେଇ ମଲା ବାପା।


ହଁ...ବାପାଙ୍କ ସକ୍ଷିପ୍ତ ଉତ୍ତର।


ମୁଁ ଟିକେ ଗୁମ୍ ହୋଇଗଲି। ମଲେ ତ ଦଣ୍ଡାରୁ କେହି ଆସନ୍ତି ନାହିଁ। ସେଇ ବୁଦାଳିଆ କିଆ ଗଛ ମୂଳେ ରୁହନ୍ତି ଆଈ କୁହେ। ଆମ ମା କଣ ସେମିତି ଦଣ୍ଡାରେ କିଆ ବୁଦା ମୂଳେ ଅଛନ୍ତି! ହେଲେ ଏଠି କିଆ ବୁଦା କାହିଁ ଯେ ବାପା....


ବାପା ବୁରକ୍ତ ହୋଇ କହିଲେ କି ପିଲା କେତେ କଥା ପଚାରୁଛି? ବାବୁ ଏବେ କେତେ ଦୁଃଖରେ। ୟାକୁ ଖେଳ ଲାଗିଛି।


ବାପାଙ୍କ ରାଗ ଦେଖି ମୁଁ ଚୁପ୍ ହୋଇଗଲି। ବଡ଼ ବାବୁଙ୍କ ସହ ବଗିଚାରେ ବୁଲିଲି ତାଙ୍କ ସହ ଫୁଟ୍ ବଲ୍ ଖେଳିଲି। ଆଠ ଦିନ ରହି ଆମେ ଗାଁକୁ ଆସିବାକୁ ବାହାରିଲୁ। ବାବୁ କହିଲେ ବୀରକୁ ଆଣି ଏମିତି ମଝିରେ ମଝିରେ ଆସୁଥିବୁ ଗଦେଇ। ଭାରି ଏକୁଟିଆ ଲାଗୁଛି। ବାପାଙ୍କ ଲାଲ୍ ଆଖିକୁ ଗାମୁଛାରେ ପୋଛି କହିଲେ ଆଜ୍ଞାବାବୁ,ଆସିବି।


ଅଟୋ ବାହାରେ ଅପେକ୍ଷା କରିଥାଏ। ମୁଁ ଭିତରକୁ ଦଉଡ଼ି ଯାଇ ମାଙ୍କ ଫୋଟୋ ପାଖରେ ପ୍ରଣାମ ହୋଇ କହିଲି" ମା ଯାଉଛି। ତୁମେ ତ ଫୋଟୋରେ ରହିଲା। ମୋ ସଙ୍ଗେ କଥା ହେଲ ନାହିଁ। ଆଉ ତୁମ ଘରକୁ ଆସିବି ନାହିଁ ମା। ତୁମ ବିନା ମୋତେ ଏଥରକ ଏଠି ଟିକେ ବି ଭଲ ଲାଗିଲା ନାହିଁ। ତୁମେ ଫୋଟୋ କାହିଁକି ହୋଇ ଗଲ?? ମୁଁ ଆସିବା ଯାଏ ଅପେକ୍ଷା କଲନି? ମା ଆସୁଛି। ମୋ ପଛରେ ବଡ଼ବାବୁ ମୋତେ କୋଳେଇ ନେଇ କହିଲେ ମା ନ ଥାଉ ମୁଁ ଅଛି। ମୋ ପାଖକୁ ଆସିବୁ ନାହିଁ,ବୀର!


ମୁଣ୍ଡ ଟୁଙ୍ଗାରୀ ସମ୍ମତି ଜଣାଇଁ ତଳକୁ ମୁହଁ ପୋତି ବାବୁଙ୍କୁ ପ୍ରଣାମ ହୋଇ ମୁଁ ଆସି ଅଟୋରେ ବସି ଦେଖେତ ଅଟୋ ପଛରେ ସାଇକେଲ।


ସାଇକେଲ୍ ଆଁ...ମା ପଠେଇଛନ୍ତି??


ହଁ... ମୋ ମୁଣ୍ଡ ସାଉଁଳେଇ କହିଲେ ବଡ଼ ବାବୁ।


ସେଇ ବଡ଼ବାବୁ! ଆଜି ପକ୍ଷଘାତ ରୋଗୀ। ଡାହାଣ ହାତ ଓ ଗୋଡ଼ ଠିକ୍ ରେ କାମ କରୁ ନାହିଁ। ବାଁ ହାତରେ ବାଡିଟିଏ ଧରି ପାଦ ଘୋଷାରି ଘୋଷାରି ଚାଲୁଛନ୍ତି। ଗାଧୋଇବା,ଖାଇବା,ଝାଡା ପରିସ୍ରା ଯିବାରେ ଭାରି କଷ୍ଟ। ମୋତେ ଆସିବା ଦେଖିଲେ ବଡ଼ ବାବୁ ବହୁତି ଖୁସି ହୋଇଯାଆନ୍ତି। ମୁଁ ଘଷିମାଜି ଗାଧୋଇ ଦିଏ। ଖୁଆଇ ଦିଏ। ପୋଷାକ ପତ୍ର ସଫା କରିଦିଏ। ହ୍ବିଲ ଚେୟାରରେ ନେଇ ବଗିଚାରେ ବୁଲାଏ। ଫୁଟ୍ ବଲ୍ ଖେଳେ। ସେଇ ହ୍ବିଲ ଚେୟାରରେ ଥାଇ ବଡ଼ ବାବୁ ବାଁ ହାତରେ ବଲ୍ ଖେଳନ୍ତି। ଆହା ବଡ଼ ବାବୁଙ୍କ ମୁହଁ ହସରେ କି ସୁନ୍ଦର ଦିଶେ। ବିଚରା ବଡ଼ ବାବୁ ବୀପୁଲ୍ ବାବୁଙ୍କୁ ବାର ବର୍ଷ ହେଲା ବେଳେ ମା ହାର୍ଟ ଆଟାକ୍ ରେ ଏକା କରି ଫୋଟୋରେ। ଯାହା ପିଲା ମନ ମୋର ବୁଝି ପାରୁ ନଥିଲା। ସେତେବେଳେ। ଏବେ ନାତି,ନାତୁଣୀ,ପୁଅ,ବୋହୁ ସମସ୍ତେ ଥାଇ ବି ବଡ଼ ବାବୁ ଏକା.....


ଆଉ ଏଇ ବୀପୁଲ୍ ବାବୁ ସକାଳୁ ଉଠି ମାଙ୍କଡ଼,କୁକୁରଙ୍କ କଥା ଆଗ ବୁଝିବେ। ସେମାନେ ଝାଡା କଲେଣି କି ନାହିଁ। ତାଙ୍କ ପୋଷାକ ବଦଳା ଯାଇଛି କି ନାହିଁ ,ଖାଇଲେଣି କି ନାହିଁ। ତାଙ୍କ ଗଦି ସଫା ହୋଇଛି କି ନାହିଁ ନିଶ୍ଚିନ୍ତ ବୁଝନ୍ତି। କେବଳ ବୁଝନ୍ତି ନାହିଁ ଯାହା ନିଜ ବାବାଙ୍କ କଥା। ରଖିଛନ୍ତି ଜଣେ କେୟାର ଟେକର୍। ସେଇ ଯାହା କରେ। ବାବୁଙ୍କ ଘର ଭିତରକୁ କେହି ଯାଆନ୍ତି ନାହିଁ। ଏଇ ବୀପୁଲ୍ ବାବୁଙ୍କ ମୁହଁକୁ ଚାହିଁ ଏକା ଏକା ବଞ୍ଚୁଥିବା ମଣିଷଟିକୁ ଏବେ ସମ୍ପୁର୍ଣ୍ଣ ଏକା। ମନ କହୁଥିଲା ବଡ଼ ବାବୁଙ୍କୁ ଗାଁ କୁ ନେଇ ଯାଆନ୍ତି। ଯେତିକି ଦିନ ବଞ୍ଚିବେ ମୋ ପିଲା ମାନଙ୍କ ଗହଣରେ ବଞ୍ଚନ୍ତେ। କିନ୍ତୁ ଛୋଟ ମୁହଁରେ ବଡ଼ କଥା କେମିତି କୁହନ୍ତି। ଗାଁ ରେ ସ୍ନେହ ମମତା ସିନା ଭର୍ତ୍ତୀ ଆଉ ସବୁ ପରା ଅଭାବ...। ପୁଣି ବୀପୁଲ୍ ବାବୁ ଯେଉଁ ମିଜାଜର ଲୋକ ସେ କଣ ବଡ଼ ବାବୁଙ୍କୁ ଛାଡିବେ? ନିଜ ନାକ କଟିଯିବ।


ଏଥରକ ବଡ଼ବାବୁ ବହୁତ ଦୁଃଖୀ ଦୁଃଖ ଲାଗୁଥିଲେ। ଫେରିଲା ବେଳେ ମୁହଁଟା ତାଙ୍କର କାନ୍ଦ କାନ୍ଦ ଲାଗୁଥିଲା। ମୁଁ ପାଦ ଧୂଳି ନେଇ ଆସିଲା ବେଳେ "କହିଲି ମୁଁ ପୁଣି ଆସିବି ବାବୁ।"


ବଡ଼ ବାବୁ ବାଁ ହାତ ମୋ ମୁଣ୍ଡ ଉପରେ ଥୋଇ କହିଲେ ଆଉ ଦରକାର ହେବନି ବୀର।


କିନ୍ତି କାହିଁକି? ମୁଁ ବିସ୍ମୟ ହୋଇ ପଚାରିଲି।


ବଡ଼ ବାବୁ ହସି ଦେଇ କହିଲେ ତୁ ଖୁବ୍ ଶୀଘ୍ର ବୁଝି ଯିବୁ,ଯା ଏଥର।


ଗୁଡୁ ପୁଟୁ ମନ ନେଇ ଗାଁ କୁ ସିନା ଆସିଲି,କିନ୍ତୁ ଶୋଇ ପାରିଲି ନାହିଁ। ବଡ଼ ଏମିତି କାହିଁକି କହିଲେ?


ଏପରି ଭାବି ଭାବି କେତେବେଳେ ନିଦ ଲାଗି ଯାଇଛି। ସକାଳ ଆଠଟା ବେଳେ ମୋ ସ୍ତ୍ରୀ ହଲେଇ ଦେଇ ଡାକି କହିଲା "ହେଇ ଦେଖିଲଣି!ଆହେ ଶୋଇଛ କଣ?


ମୋ ମୁଣ୍ଡରେ ତ ବଡ଼ ବାବୁଙ୍କୁ ନେଇ ଚିନ୍ତାର ଭୂତ ସବାର ହୋଇଥିଲା। ମୁଁ ଧଡ଼ପଡ଼ ହୋଇ ନିଦ ବାଉଳାରେ କହି ଉଠିଲି ବଡ଼ ବାବୁ...


ବୀର .....ଶୋଇଛୁ ଏଯାଏ।


ମୁଁ କଅଁ ଟିକେ ସଫା କରି ଦଉଡ଼ି ଗଲି ଦାଣ୍ଡ ଘରକୁ। ବଡ଼ ବାବୁ ଚେୟାର୍ ଉପରେ ବସି ହସୁଥିଲେ।


ମୁଁ ଆଖି ମଳି ମଳି ମୋ ସ୍ତ୍ରୀକୁ କହିଲି"ଏ ସୁନା ଟିକେ ଚୁମୁଡ଼ିଲୁ,ଯାହା ଦେଖୁଛି ସତ ତ....


ବଡ଼ ବାବୁ କହିଲେ ହଁ ବୀର ତୋତେ କାଲି କହୁ ନଥିଲି ତୋତେ ଆଉ ଭୁବନେଶ୍ୱର ଆସିବାକୁ ପଡିବ ନାହିଁ। ମୁଁ ଖୁବ୍ ଚିନ୍ତା କରି ନିଷ୍ପତ୍ତି ନେଇ ଭୋର ପାଞ୍ଚଟାରୁ ଡ୍ରାଇଭରକୁ କହି ଚାଲି ଆସିଲି। ମୁଁ ଓ ଏ ଡ୍ରାଇଭର ଆଜିଠାରୁ ଗାଁ ରେ ତୋ ପାଖେ ରହିବୁ।


ବାବୁ.....କହି ପଡ଼ି ଗଲି ତାଙ୍କ ପାଦ ତଳେ। ବ୍ୟସ୍ତ ହୋଇ କହିଲି ଏ ସୁନା ଆଲୋ ଠିଆ ହୋଇଛୁ କଣ ବା କୃଷ୍ଣ ଠାକୁର ଆସିଛନ୍ତି ବିଦୁର ଘରକୁ। ଯା ଯା ଚା କର,ରୋଷେଇ ବସା। ମୁଁ ବାଡ଼ି ଗାଡ଼ିଆରୁ ଜାଲ ଖେପାଏ ପକାଇ ଆସେ।


ଏବେ ବଡ଼ ବାବୁ ବହୁତି ଖୁସି ଗାଁ ଲୋକଙ୍କ ସାଙ୍ଗରେ ରହି। ଭଲ ବି ହୋଇ ଗଲେଣି। ଦୁଇଟି ଯାକ ଗୋଡ଼ ଥାପି ଚାଲି ପାରୁଛନ୍ତି ମୋ ପିଲା ମାନଙ୍କ ସ୍ନେହ,ଶ୍ରଦ୍ଧା ଓ ସେବା ଶ୍ରୁଶ୍ରୁଷା ଫଳରେ। ତାଙ୍କ ଘର ଗାଁ ପିଲାଙ୍କ ମେଳରେ ଘୋ ଘୋ। ବଡ଼ ବାବୁ ଏବେ ଚାଖୁଛନ୍ତି ଜୀବନର ପ୍ରକୃତ ସ୍ୱାଦ। ଗାଁ ଲୋକେ ବି ତାଙ୍କ ପରାମର୍ଶ ନେଇ ଅନେକ ଉନ୍ନତି ପଥରେ।


ବଡ଼ବାବୁ ମୋ ପିଠି ଥାପୁଡ଼େଇ କୁହନ୍ତି" ବୀର ମୋ ପୁଅ"


Rate this content
Log in

Similar oriya story from Classics