ବିଦେଶୀ ବୋହୂ
ବିଦେଶୀ ବୋହୂ
ଇଭା ଜିଦ୍ ରେ ଅଟଳ ଅନିର୍ବାଣ ଙ୍କ ସହିତ ଭାରତ କୁ ଆସିବ। କିଛି ଉପାୟ ନ ପାଇ ଅନିର୍ବାଣ ନେଇଆସିଲା ଇଭାକୁ।
ବିବାହ ପରେ ଏହା ଭିତରେ ପାଞ୍ଚ ବର୍ଷ ବିତି ଯାଇଛି। ମା କେବେ ବି ଖୋଜି ନାହାନ୍ତି ପୁଅ ବୋହୂ ଙ୍କୁ।
ଅନିର୍ବାଣ ଭୁଲ କରିଛି ବୋଲି ମା ସେଇ ଦିନ ରୋକ ଠୋକ କହି ଦେଇଥିଲେ, ଯେଉଁଦିନ ସେ ଇଭାକୁ ବାହା ହେବାର ପ୍ରସ୍ତାବ ରଖିଥିଲା।
କାନଡାରେ ଗୋଟାଏ କମ୍ପାନୀରେ ସାଥୀ ହୋଇ କାମ କରିବା ଓ ପରସ୍ପରକୁ ସହାନୁଭୂତି ଦେଖେଇବା ଭିତରେ କେତେବେଳେ ଯେ ଉଭୟେ ଉଭୟଙ୍କୁ ଭଲ ପାଇ ବସିଥିଲେ, ଅଜଣା ଥିଲା ଦୁଇ ଜଣଙ୍କୁ। ସେମାନେ କଣ ଜାଣିଥିଲେ ପ୍ରେମ କଣ ପ୍ରେମ ଗୋଟାଏ ଅନୁଭବ, ଅଙ୍କୁରିତ ହୁଏ ହୃଦୟରୁ। ଧୀରେ ଧୀରେ ଅନିର୍ବାଣ କୁ ଲାଗିଲା, ସେ ଇଭାକୁ ହୃଦୟ ଦେଇ ବସିଛି ।
ମା ରାଜି ହେଲେନି। ଭାବିଲା ମା ଙ୍କୁ ବୁଝେଇ ଦେବ। ମା କଣ କେବେ ରାଗି ପାରେ ! ସେ ତ ଗୋଟାଏ ହୃଦୟରେ ଗଢା ମାଂସ ପେଶୀଟିଏ। ହୃଦୟ ଟିଏ ଛାଡ଼ିଦେଲେ ମା ପାଖରେ ଆଉ ଥାଏ କଣ ଛୁଆ ମାନଙ୍କ ଦୁଃଖରେ ତରଳି ଯାଏ ତାର ମାଂସପେଶି ଆଉ ହାଡ଼ ସବୁ। ବାହା ହୋଇଗଲା ଇଭାକୁ କାନଡାର ଏକ ପାଞ୍ଚ ତାରକା ହୋଟେଲରେ। ଦୁଇ ଭାଇ, ଭାଉଜ ଓ ମା ଫ୍ଲାଇଟ ଟିକେଟ ଫେରେଇ ଦେଲେ ଅନିର୍ବାଣ ପାଖକୁ। ଅନେକ କଟୁ କଥା କହିଲେ। ନିଜ ଘର କଥା କାହିଁକି କହିବ ସେ ଇଭା କୁ
କମ୍ପାନୀର ଭାରତରେ ଅନ ସାଇଟ୍ ୱାର୍କ ପାଇଁ ଅନିର୍ବାଣ କୁ ବେଙ୍ଗାଲୁରୁ ଆସିବାକୁ ହେବ। ମାସକର କାମ। ୱାର୍କ ପ୍ଲେସ ରେ ଫେମିଲି ରଖିବା ସମ୍ଭବ ନୁହେଁ। ଇଭାର ଜିଦ୍ କିନ୍ତୁ ସାଥିରେ ଆସିବ !
କିଛି ଉପାୟ ନ ଥିଲା, ମା ଦେଖିଲେ ଖୁସି ହେବ ଭାବି ସଲ୍ଟ୍ ଲେକ୍, କୋଲକତାରେ ପହଞ୍ଚିଲା ଇଭାକୁ ନେଇ।
ମା ସାନ ପୁଅକୁ ଦେଖି ବହୁତ ଖୁସି ହେଲେ ସତ । କିନ୍ତୁ ଇଭା ପାଇଁ କିଛି ପ୍ରତିକ୍ରିୟା ନ ଥିଲା।
ମା ! ଇଭା ତୋ ପାଖରେ ମାସେ ରହିବ, ମୁଁ ବେଙ୍ଗାଲୁରୁ ଯାଉଛି ଅଫିସ୍ କାମରେ। ସେଇଦିନ ସଂଜ ଫ୍ଲାଇଟରେ ଅନିର୍ବାଣ ବେଙ୍ଗାଲୁରୁ ଚାଲିଗଲା। ଯେଉଁ ମା ଉପରେ ଏତେ ଭରସା କରି ଅନିର୍ବାଣ ନିଶ୍ଚିନ୍ତ ରେ ବାହାରି ଗଲା, ସେ ମା କିନ୍ତୁ ଚୁପ୍ ରହିଲେ। ଖୁସି ନ ଥିଲେ ସେ ବୋହୂ ଇଭା ଉପରେ।
ବେଙ୍ଗଲୀ ମା ଟିଏ ପାଇଁ ଇଂଲିଶ ରେ କଥା ହେବା ଏତେ ସହଜ ନ ଥିଲା, କିନ୍ତୁ ମା ପାଇଁ କଣ ଭାଷାର ଆବଶ୍ୟକତା ଥାଏ ପୃଥିବୀର ସବୁଦେଶ ଭାଷା ହିଁ ଛୁପି ରହିଥାଏ ମା'ର ହସ ଭିତରେ। ଦୁଇ ଭାଉଜ ଇଭା କୁ ଦେଖିଲେ ମୁହଁ ବୁଲେଇ ନିଅନ୍ତି।
କେତେ ସ୍ନେହ କାଙ୍ଗାଳି ଥିଲା ଇଭା । ଭାରତର ସଂସ୍କୃତି, ସଂସ୍କାର ବାବଦରେ ଅନେକ କଥା ଶୁଣିଥିଲା ସେ ଅନିର୍ବାଣ ପାଖରୁ। ପାଶ୍ଚାତ୍ୟ ଅପଭ୍ରଂଶ ସଂସ୍କୃତିରେ ପଥର ପାଲଟି ଯାଇଥିବା ଇଭା କୁ କିଛି ଫରକ୍ ପଡିଲାନି। କିଛି ପାର୍ଥକ୍ୟ ସେ ବାରି ପାରୁ ନ ଥିଲା ଭାରତ ଓ କାନାଡ଼ାର ସଂସ୍କାର ଭିତରେ । ସୁମଧୁର ହସ ଟିଏ ହିଁ ଥିଲା ତାର ପ୍ରତିକ୍ରିୟା ସମସ୍ତଙ୍କ ପାଇଁ।
ରାତିରେ ଅନିର୍ବାଣ ଫୋନ କରିଥିଲା ମା'କୁ
ମା, ମୁଁ ହସି ହସି ବେଦମ ହୋଇଗଲି, ଚେଆର ଉପରୁ ତଳକୁ ଖସି ପଡ଼ିଲି। ତୁ ଭାତ ସାଥିରେ ଦୁଇ ପଟ ରୁଟି ଦେଇଥିଲୁ ଇଭା କୁ। ରୁଟି ଭିତରେ ଭାତକୁ ରଖି ରୋଲ୍ କରି ଖାଇଛି, ବହୁତ ଭଲ ଲାଗିଲା ତାକୁ। ତତେ କୁଆଡେ ପଚାରିଲା ଡାଲି କେମିତି ଖାଇବ। ତୁ କଣ କହିଲୁ ସେ ବୁଝିଲା ନି। ଗ୍ଲାସରେ ରଖିଛି, ରାତିରେ ଶୋଇବା ବେଳକୁ ପିଇବ।
ମା ସତରେ ତୁ କଣ ଏବେ ବି ରାଗିଛୁ ଭାଉଜ ମାନଙ୍କ ପରି ସେ ବି ଗୋଟାଏ ଝିଅ। ରକ୍ତ ମାଂସରେ ଗଢା। ତୋ ପାଖରୁ ସ୍ନେହ ଟିକିଏ ପାଇଲେ ତରଳି ଯିବ। ମା ସ୍ନେହରେ ଅମାପ ଶକ୍ତି ଥାଏ, ଏଭା ରେଷ୍ଟ ଭାଙ୍ଗି ଚୁରମାର ହୋଇଯାଏ ନା ମା
ଜୀବନରେ ଭାତ ଓ ରୋଟି ପ୍ରଥମ ଥର ପାଇଁ ଦେଖୁଛି, କେମିତି ଖାଇ ବାକୁ ହୁଏ ବୁଝେଇ ଦେବୁ। ତୋର ସ୍ନେହ ଭରା ଭାଷା ନିଶ୍ଚୟ ବୁଝିବ, ମା କିଛି ନ କହି ଫୋନ ରଖିଦେଲେ।
ଭାଉଜମାନେ ବିରକ୍ତ ହୋଇ ମା'ଙ୍କୁ କହିଲେ, ଠାକୁର ଘର ଅପବିତ୍ର ହୋଇଗଲା। ଦେଖ ତମ ବିଦେଶୀ ବୋହୂ କେମିତି ଫୁଲ ଧୂପ ଦେଇ ପୂଜା କରିଛି। କେମିତି ସାହାସ କଲା ସେ। ତା'ର ଜାତି ଫାତି କଣ ଆମେ ଜାଣିଛେ ଦେଖ ! ଧୂପ କାଠି ଓଲଟା ହୋଇ ଜଳୁଛି ଧୂପ ଦାନିରେ।
ମା ରାଗିଲେ ଇଭା ଉପରେ।
ଠାକୁର ଘର ଆଡେ ହାତ ଦେଖେଇ କହିଲେ ... ନୋ...
ଇଭା ହସିଦେଲା।
ଦୁଇ ତିନି ଦିନ ବିତି ଗଲାଣି ଏହା ଭିତରେ...
ଆଜି ରାତିରେ ଇଭା କୁ ଖାଇବାକୁ ଦେଇ ନାହାନ୍ତି ସେମାନେ। "କଷ୍ଟ ପାଉ ! ଅନିର୍ବାଣ କୁ କହୁ, ସେ ଆସି ନେଇଯାଉ ତା ଜ୍ଵାଳା ଆଉ ସହି ହେବନି"।
ରାତିରେ ମା କାଶୁଥଲେ, କାଶ ବଢ଼ି ବଢ଼ି ଚାଲିଲା, ଅସମ୍ଭାଳ ହୋଇ ପଡ଼ୁଥିଲା ମା'ଙ୍କ କାଶ। କଷ୍ଟ ହେଲା ଇଭା କୁ। ଡୋର ଖୋଲି ବାହାରକୁ ଦେଖିଲା। ଦୁଇ ଭାଉଜ ଶୋଇଛନ୍ତି ଯେ ଯା ରୁମରେ। କିଛି କଥା ବି ଶୁଭୁଥିଲା ଇଭା କୁ ସେମାନଙ୍କ ରୁମ୍ ଭିତରୁ। ବୁଝି ପାରୁ ନ ଥିଲା ସେ...ମା କାଶୁଛନ୍ତି, କେହି ବାହାରକୁ ଆସୁ ନାହାନ୍ତି କାହିଁକି ?
ଭୟ ବି ଲାଗୁଥାଏ, ଧୀରେ ଧୀରେ ପାଦ ଚାପି ମା'ଙ୍କ ରୁମରେ ପହଂଚି ପିଠିରେ ହାତ ଆଉଁସି ଦେଲା ଇଭା। କାଶି କାଶି ବେଦମ ହୋଇଯାଇଥିବା ମା ହସି ଦେଲେ। ସ୍ନେହ ମମତାର ଉଷ୍ମତା ରେ କେତେ ବଡ଼ ବଡ଼ କଷ୍ଟ ବି ବାଷ୍ପ ହୋଇଯାଏ। ମା'ର କାଶ ଉଭେଇଗଲା। ମା ହାତ ବୁଲାଇ ଆଣିଲେ ଇଭା ର ମଥା ଉପରେ। ସିନ୍ଥିରେ ସିନ୍ଦୂର ଗାର। ବିଶ୍ୱାସ ର ବାହାରେ ଥିଲା ମା'ଙ୍କ ପାଇଁ । ସିନ୍ଦୂର କଣ ସେ ନିଜେ ନାଇଁଛି। ପରି ଠାରୁ ବି ସୁନ୍ଦର ଲାଗୁଥିଲା ଇଭା ।
ସଂସ୍କାର କିଛି ନୁହଁ, ଇଚ୍ଛା ଶକ୍ତିର ଗୋଟାଏ ଅଦ୍ଭୁତ ପ୍ରଭାବ, ମଣିଷ ଆପେ ଆପେ ଶିଖିନିଏ ସବୁ କିଛି।
ମା ହୃଦୟରେ ଅଜସ୍ର ଶିହରଣ, ଇଭା କେତେ ଅଲଗା ଦୁଇ ବୋହୂଙ୍କ ଠାରୁ। ହୃଦୟ ରେ ଜାଗାଟିଏ ବନିଗଲା ଇଭା ପାଇଁ। ମା ହୃଦୟ ର ଦୈର୍ଘ୍ୟ, ପ୍ରସ୍ଥ ଅମାପ। ସମସ୍ତଙ୍କ ପାଇଁ ଜାଗା ଥାଏ। କିନ୍ତୁ ସମସ୍ତେ କଣ ଜାଗା ପାଆନ୍ତି ଯା ଶୋଇ ପଡ଼
ଆଉ ବୁଝିବାକୁ କଷ୍ଟ ହେଲାନି ମା କଣ କହୁଥିଲେ ..ମା'ର ହସ ଭିତରେ ହିଁ ଭାଷା ଲୁଚି ରହିଥାଏ।
ଇଭା ଯାଇ ଶୋଇଲା ନିଜ ରୁମ ରେ।
କବାଟ କିଏ ଠକ୍ ଠକ୍ କଲା,
ଇଭା ଡରିଗଲା Who is there...
ଇଭା ଖୋଲ ମା ବୋଧ ହୁଏ...
ଇଭା ଆସ୍ତେ କରି ଡୋର ଖୋଲିଲା
ମା କ୍ଷୀର ଗ୍ଲାସ୍ ଟିଏ ଧରି ଛିଡା ହୋଇଛନ୍ତି,
Why Mom ଆଜି ରାତିରେ ତୁ କିଛି ଖାଇନୁ
ନେ, କ୍ଷୀର ପିଇ ନେ...
ସୂକ୍ଷ୍ମ ହସଟିଏ ଦେଇ ମା ହାତରୁ କ୍ଷୀର ଧରି ନେଲା ଇଭା । ଜୀବନରେ ପ୍ରଥମ ଥର ମା'ର ସ୍ନେହ ପାଇ ଖୁସିରେ ଗଦ ଗଦ ହୋଇଗଲା ସେ । କାନାଡ଼ାରେ କଣ ଏ ସବୁ ଥାଏ ମା'ର ଆଖପାଖ ରେ ମମତାର ମହ ମହ ବାସ୍ନା। ଅଜଣା ମୃତବତ୍ ସମ୍ପର୍କ ଜୀବନ୍ତ ହୋଇ ଉଠିଲା କେଉଁ ଏକ ସ୍ୱର୍ଗୀୟ ସ୍ପର୍ଶରେ। ସେଇଥି ପାଇଁ ନାରୀର ଅନ୍ୟତମ ରୂପରେ ମା ହିଁ ସର୍ବଶ୍ରେଷ୍ଠ। କ୍ଷୀର ପିଇ ନିଘୋଡ଼ ନିଦରେ ଶୋଇଗଲା ଇଭା।
ସକାଳ ହେଲା, ମା ସାନ ପୁଅକୁ ଫୋନ ଲଗେଇଲେ
ଅନିର୍ବାଣ ! ଇଭା ଛ ମାସ ରହୁ , ମୋ ପାଖରେ। କିଛି ଶିଖିନି। ଜାଣିଛୁ,ସେ ଆଜି, ଅଗରବତୀ କୁ ଧୂପ ଦାନୀ ରେ ଓଲଟା ରଖି ଜଳେଇଥିଲା ଠାକୁର ଘରେ । ଓଃ, ଭାରି ବୋକି ଟା, ଠିକ୍ ଅଛି। ସବୁ ଶିଖିବ ସେ ଧୀରେ ଧୀରେ , ତା ପରେ ତୁ ତାକୁ ନେଇଯିବୁ, ସେ ପଟୁ ଅନିର୍ବାଣ ଖାଲି ହସୁଥିଲା ଗୋଟାଏ ମୃତବତ ସମ୍ପର୍କ ଜୀବନ ପାଇଛି ବୋଲି ବୋଧହୁଏ... କିମ୍ବା କେମିତି କହିବ ସେ ବି ଜଣେ ସଫ୍ଟୱାର ଇଂଜିନିୟର, ମୋ ସାଥିରେ କାମ କରେ। ଛୁଟି ନେଇ ଭାରତ ବୁଲିବା ପାଇଁ ଆସିଛି