Titi Sarangi

Classics

2  

Titi Sarangi

Classics

ଭୋକ

ଭୋକ

2 mins
549


ଘରକାମ କରୁ କରୁ ସେ ଫଟା କାନ୍ଥ ଫଟେଇ ଉଠିଥିବା ଗଛଟିକୁ ଦେଖେ। କେତେ ବା ମାଟି ! ହେଲେ ସେତିକି ମାଟିରେ ଜୀବନଟିଏ ଠିଆ ହେଇଛି କଅଁଳ ପତ୍ର ମେଲି । କଣ ତାର ଭବିଷ୍ଯତ ସେ ନିଜେ ବି ଜାଣିନି । ତଥାପି ମୁଣ୍ଡ ହଲେଇ ଖେଳୁଛି ପବନ ସାଥୀରେ । ଆଲୁଅ ମୁହାଁ ହେଇ ଦେଖୁଛି ଆକାଶକୁ । ସେଇଠୁ ସେ ବୁଝିଗଲା ଜଗତ ଆଉ ଜଗଦୀଶ୍ବରଙ୍କ ସହିତ ଜୀବନର ଏକ ନିବିଡ ସଂପର୍କ ଅଛି । ସେ ବି ପାଳିବ ନିଜ ଜୀବନକୁ ବୋଲି ପ୍ରତିଜ୍ଞା କଲା ନିଜ ସାଥୀରେ ।

ହଁ କାଲି ଗାଈକୁ ଘାସ ଦିମୁଠା ଦେଇ ଆଉଁସି ଦେଲା ବୋଲି କେତେ ଟାପରା ଶୁଣିଲା ଶାଶୁଘରୁ । ମଡର୍ଣ୍ଣ ଫାମିଲିରେ କୁଆଡୁ ଗୋଟେ ନିପଟ ମଫସଲୀଆଣୀ ଆସି ଜୁଟିଛି । ଗୁହାଳକୁ ଯାଇ ସେଇ ମୁକ ପଶୁମାନଙ୍କ ନୀରବ ଚାହାଣୀ ଭିତରେ ସେ ଖୋଜି ପାଏ ନିରୁତା ଭଲ ପାଇବା । ସେ କଥା ସେ କାହାକୁ କହି ପାରେନି । ସତରେ ସେ ମଫସଲିଆଣୀଟେ । ନହେଲେ ଦିପହରେ ବାସନ ମାଜିବାକୁ ଆସିଥିବା ଚାକରାଣୀ ସାଙ୍ଗରେ ବସି ଗପ ଯୋଡନ୍ତା ? ସେମାନେ ଛୋଟ ଲୋକ । ମୁଣ୍ଡରେ ବସେଇଲେ ଆଉ କଥା ମାନବେନି । କିନ୍ତୁ ଏତିକି ଟେକ୍ନିକ୍ ସେ ଜାଣିନି । "ଗୋଡ ତଳର ଲୋକଗୁଡାକୁ ମୁଣ୍ଡରେ ବସାନି "କହିଲେ ଓଲଟା ଯୁକ୍ତି କରେ ।

"ଗୋଡ ତଳର କିଏ ମ। ସମସ୍ତେ ତ ସମାନ । ଆଉ ସତରେ ଯଦି ଗୋଡ ତଳର ତେବେ ତମମାନଙ୍କ ମୁଣ୍ଡଟା ତ ତା ଗୋଡ ଉପରେ ଥୁଆ ହେଇଛି । ଗାନ୍ଧୀ ବିନା ଇଣ୍ଡିଆ ଚଳିବ ,କିନ୍ତୁ ସେ ନହେଲେ ତମର ଦିନେ ବି ଚଳେନି । ସମସ୍ତଙ୍କ ଅଣ୍ଟା ପିଠି ଧରି ଯାଏ "।

"ବାଃ ,ତୋର ଖୁରାକୁ ଜୁହାର । ଭୁଲ୍ କରିବୁ ,କହିଲେ ପୁଣି ଜବାବ ଦେବୁ । ଗୋଠ ଖଣ୍ଡିଆଟେ ।'

ହଁ ସେ ଗୋଠ ଖଣ୍ଡିଆ । ମୁଖା ପିନ୍ଧା ଜୀବନ ଭିତରେ ସତ ମୁହଁଟେ ଖୋଜେ । ଉପରେ ଉପରେ କୋଳାକୋଳି ଭିତରେ ସେ ସତସତିକା ଭଲ ପାଇବା ଟିକେ ପାଇଁ ଝୁରି ମରେ । ବଂଶ ଭିତରେ ଥିବା ଆଡବାୟା ପୁଅଟିକି ଅକୁଣ୍ଠ ଭଲ ପାଏ । ସେ ଟୋକା ବି ସେମିତି । ତା ଆସିବା ବାଟକୁ ଚାହିଁ ବସିଥାଏ । ଆଉ ଯେତେ ଯିଏ ଥିଲେ ବି ସେଇ ସାନ ମାଆଟି ତାର ଅତି ପ୍ରିୟ । ସମସ୍ତେ ଯୋଉ ବାଟରେ ଚାଲନ୍ତି ସେ ବାଟରେ ସେ ଚାଲି ଶିଖିନି । ଆଉ ତା ବାଟଟା ସବୁଦିନେ ଅଗମ୍ଯ। ସେ ବାଟେ କିଏ ବା କାହିଁକି ଚାଲିବ ? ତଥାପି ସେ ମନେ ପକାଏ ଜଗତ ଆଉ ଜଗଦୀଶ୍ବରଙ୍କ ସହିତ ତାର କିଛି ନା କିଛି ସମ୍ପର୍କ ଅଛି । ତା ସ୍ବପ୍ନ ଦେଖୁଥିବା ମନର ଭୋକକୁ ସେ ଅଣଦେଖା କରି ପାରେନି | ତେଣୁ ତ ସେ ବି ଜୀବନ ଜୀଇଁବାକୁ ଆଉ ଆକାଶମୁଖା ହେଇ ସ୍ବପ୍ନ ଦେଖିବାକୁ କେବେ ବି ଭୁଲେନି ।



Rate this content
Log in

Similar oriya story from Classics