ପୁଡାଏ ପଞ୍ଚମୁରୁଜ
ପୁଡାଏ ପଞ୍ଚମୁରୁଜ


ତା ଯୋଗୁ ମୋର ସାରାଟା ଦିନ ଜୀବନ୍ତ ଲାଗେ ।କେତେ କଣ ସେ ଗପେ ତାର ଠିକଣା ନାଇଁ । ମୁଁ କେତେ ବୁଝେ କେତେ ବୁଝେନି । କାରଣ ମନଟା ମୋର ବି ସବୁବେଳେ ସ୍ଥିର ନଥାଏ । କେତେବେଳେ ଅନ୍ୟ କିଛି ଭାବୁଥାଏ ବି କି କଣ କରୁଥାଏ ।ସେ ମୋ ଅନ୍ଯମନସ୍କତାକୁ ବୁଝେନି ବୋଧେ ।ତେବେ ତା କଥା ମୋତେ ଏତେ ଭଲଲାଗେ ଯେ ତାକୁ ଜୋର କରି ଚୁପ୍ ବି କରେଇ ପାରେନି ।ସେ ଚୁପ୍ ହେଇଗଲେ ମୋତେ ବି କେମିତି ସଵୁ ଖାଲି ଖାଲି ଲାଗେ ।
ସବୁଠୁ ବୁଦ୍ଧିମତି ଝିଅଟେ ସେ ମୋର ସ୍କୁଲର ।ପଞ୍ଚମରେ ପଢେ ।ବାପା ନାଇଁ ତାର ।ସେ ଜନ୍ମ ହେଇ ନଥିଲା ତା ବାପା ମରିଗଲା ଗୋଟେ ଦୁର୍ଘଟଣାରେ ।ମାଆଟି ତାର ସବୁବେଳେ ଡରୁଆ ଆଖିରେ ମନର ଛବିଟି ଆଙ୍କି ବୁଲୁଥାଏ ।ଏ ସମାଜରେ ଝିଅକୁ ତାର କେମିତି ମଣିଷ କରିବ ସେଇ ଚିନ୍ତା ବୋଧେ ତାକୁ ଆକ୍ରାନ୍ତ କରି ରଖିଥାଏ ସବୁବେଳେ । ଝିଅ ତାର କିନ୍ତୁ ସେସବୁ ଆଶଙ୍କାକୁ ବୁଝିନି ଏଯାଏ ନିଶ୍ଚୟ ।ଫୁଲଟେ ଭଳି ମୁକ୍ତ ପବନରେ ଭାସୁଥାଏ ।କେମିତି କଣ କଥା କହେ କେଜାଣି ତା ଶ୍ରେଣୀର ସବୁ ନିଷ୍ପତି ହିଁ ଚୂଡାନ୍ତ ବୋଲି ଅନ୍ୟ ପିଲା ମାନି ନିଅନ୍ତି । କେହି ଅସନ୍ତୋଷ ବି ହୁଅନ୍ତି ନି ।
ଅବଶ୍ଯ ମୁଁ ବି ତ ତା କଥାରେ ବନ୍ଧା ହେଇଥାଏ ।ଦୀପାବଳି ପରଦିନ ସେ ଭାରୀ ଚୁପ୍ ଥିଲା । ସବୁଦିନ ଭଳି ପହଞ୍ଚିଲା ମାତ୍ରେ ତା କଥା ପେଡି ଖୋଲି ଦେଲାନି । ପ୍ରାର୍ଥନା ପରେ ଦୀପାବଳି କେମିତି ସବୁ ପାଳନ କଲ କହିଲା ବେଳେ ତା ମନଦୁଃଖର କାରଣଟା ବୁଝିଲି ।ମାଆ ତାର ପଞ୍ଚମୁରୁଜ କିଣି ଆଣିଛି ।ତାକୁ କିନ୍ତୁ ଦେଲାନି ରଙ୍ଗୋଲୀ କରିବାକୁ ।ପଞ୍ଚକରେ ଚଉରା ମୂଳେ ପକେଇବ ।କାରଣ ମାଆ ତାର ବିଧବା !!
ଆହା ,ତା ଦୁଃଖଠୁ ମୋ ମନ ଆହୁରି ଭାରାକ୍ରାନ୍ତ ହେଇପଡିଲା ।କୋଉଠି ସେ ପେଟରେ ଥିଲା ତା ବାପା ମଲା ।କାମ କଲେ ତାଙ୍କର ଚଳନ୍ତି ।ତାକୁ ଏକା ଛାଡି ତା ମାଆ କାମ କରିଯାଇଥିବ ଆଉ ତାକୁ ପାଳିଥିବ !! ରୀତିମତ ଏକ ସାଧନାର କଥା । କଅଁଳ ବୟସରେ ତା ଚାରିପଟେ କେତେ ଆଖିକୁ ଆଖିବୁଜି ଅଣଦେଖା କରିଥିବ । ନିଜ ଭିତରେ ବି କମ୍ ଯୁଦ୍ଧ କରୁଥିବ ସେ । ଅଳ୍ପ ବୟସର ବିଧବା । ତାଙ୍କ କୁଳରେ ବିଧବା ବିବାହ ଚଳେ । (ଉଚ୍ଚ କୁଳ ଭଳି ରକ୍ଷଣଶୀଳ ସେମାନେ ନୁହନ୍ତି ଯୋଉଟା କେବଳ ପୁରୁଷପାଇଁ ପ୍ରଜୁଯ୍ଯ ।)।
ତେବେ ଝିଅ ପାଇଁ ସେ ବାହା ହେଇନି ।"ଯେତେ ହେଲେ ସେ କଣ ତା ବାପା ହେଇପାରିବ "।
ଏଇ ତାର ଦୃଢୋକ୍ତି ।ତେବେ ସେ ପଞ୍ଚକ କରେ ଆଉ ଏଭଳି ଦଣ୍ଡ ପରଜନ୍ମରେ ନମିଳୁ ବୋଲି !! ସମାଜ ଦେବତା ଆଗେ ଏଇ ତାର ନିବେଦନ ।