Titi Sarangi

Others

2  

Titi Sarangi

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

2 mins
522


ମୋ ବାହାଘର ଆଉ ଚାକିରୀ କରିବାର ପ୍ରାୟ କୋଡିଏ ବର୍ଷ ପରେ ମୁଁ ପଢୁଥିବା ଉଚ୍ଚ ପ୍ରାଥମିକ ସ୍କୁଲ୍ ବେଳର ସାଙ୍ଗଟେ ଫୋନ୍ କରିଥିଲା । ଅବଶ୍ୟ ତାକୁ କି ଅନ୍ଯ କୋଉ ସାଙ୍ଗକୁ ମୁଁ ଭୁଲି ନଥିଲି । ଜୀବନର ମୁହଁ ତ ସେଇ ପିଲାବେଳଟି । ମୁହଁକୁ ଛାଡି କଣ ଦେହ କଥା ଭାବି ହୁଏ ?ସେମିତି ପିଲା ଦିନକୁ ଭୁଲି ଜୀବନ ବି ଜୀଇଁ ହୁଏନା । କିନ୍ତୁ ସମୟ ସୁଅରେ ଭାସିଗଲା ବେଳେ ଅହୁରି ଅନେକ ଚରିତ୍ର ଘଟଣାକ୍ରମରେ ଜୀବନ ଭିତରକୁ ଆସନ୍ତି । ସେଥିପାଇଁ କାଳକ୍ରମେ ପଛ ଚରିତ୍ରମାନେ ପଛକୁ ଠେଲି ହେଇଯାନ୍ତି । ଏମିତି ପ୍ରାୟତଃ ପଛକୁ ଠେଲି ହେଇ ଯାଇଥିବା ମୋର ସେଇ ସାଙ୍ଗଟି ଆଜି ହଠାତ୍ ଫୋନ୍ କରି ମୋତେ ସର୍ପ୍ରାଇଜ୍ କରିଦେଲା । 

କଥାର ସତେ କି ସୁଅ ଛୁଟିଲା । ଢେଉ ଭଳି ହାବୁକା ମାରି ଠେଲି ହେଇ ଆସିଲା କେତେ ଖଟା ମିଠା ଘଟଣା ସ୍ମୃତି ସାଗର ଭିତରୁ । ସେଇ ପିଲା ବେଳ ଆଉ ତାକୁ ଧରି ରଖିଥିବା ସମୟ ଆଉ ଫେରିବନି । କିନ୍ତୁ ତାକୁ ଅତିକ୍ରମ କରି ବଡ ହେବାର ସ୍ବପ୍ନ ଦେଖୁଥିବା ଆଜିର ମନଟା ସେଦିନକୂ ବହୁତ ଝୁରେ । ସେଇଠି ଗୋଟେ କଅଁଳ ମୁହଁଥିବା ଷଠୀଘର ଥାଏ ଯାହା ଚାରିପଟେ ମାଆ ବାପା ଭାଇ ଭଉଣୀ ଜେଜେବାପା ଜେଜେମାଆ ବନ୍ଧୁ ବାନ୍ଧବଙ୍କ ଆଦର ପବନରେ ଗୋଳେଇ ହେଇ ବୁଲୁଥାଏ । ଆଜି ମୋ ସାଙ୍ଗଟି ଫୋନ୍ କରି ଅନେକ କିଛି ମନେ ପକେଇ ଦେଲା । କିଛି ସମୟ ପରେ କଥାର ସୁଅ ଏଇ ସମୟକୁ ଫେରିଲା । "ତୋ ବର କଣ କରନ୍ତି ?ତୋର ଛୁଆ ପିଲା କେତୋଟି ?"ଏଇ ଭଳି କିଛି ଔପଚାରିକ ପ୍ରଶ୍ନ ପଚରା ପଚରି ଭିତରେ ଦୁହେଁ ଦୁହିଁଙ୍କୁ ଛଳ କରି ନଥିଲୁ । ପିଲା ଦିନର ମିଠା ଆଉ ନିଛଳ ଭାବ ଏଇ ସମୟକୁ ସଂଚରି ଯାଇଥିଲା । 

ନିଷ୍କପଟ ଭାବେ ସାଙ୍ଗଟି କହିଲା ତା ଶାଶୁଘର ଆଉ ତା ବର କଥା । ସବୁ ତାର ଭଲ ବୋଲି ମୁଁ ଶୁଣିଥିଲି । ସେ ବି ଅରାଜି ହେଲାନି । ଯଦି ଖୋଜିବାପଣଟେ ତା ପ୍ରତି କାହାର ନାହିଁ ତେବେ ସେ ସୁଖୀ ନିଶ୍ଚୟ। ଧନୀ ଘର ସେମାନେ । ବର ବି ସରକାରୀ ଚାକିରିଆ । ଖାଇବା ପିନ୍ଧିବା ଅସୁବିଧା ଆଦୌ ନାହିଁ । ବଡ କୋଠା ଘରର ବୋହୁ । ବାସ୍ ସେତିକି ତା ପରିଚୟ । ତା ବର ଡେରିରେ ଫେରିଲେ ସେ ବିରକ୍ତ ହେଇ କିଛି କହି ପାରିବନି । ରାତି ଅଧରେ ବି କୁଣିଆ ଆସିଲେ ସେ ରାନ୍ଧି ବାଢିକି ଦବ । ହାଲିଆ ଲାଗୁଛି ମୁଁ କରିପାରିବିନି ବୋଲି କହି ପାରିବନି । ତା ହାତରେ ଟଙ୍କା ପଇସାଟିଏ ପଡେନି । ତା ନିଜ ଖର୍ଚ୍ଚ ସେ ବାପଘରୁ ଆଣେ । କିନ୍ତୁ ଘରେ ଯଦି କିଛି ଆର୍ଥିକ ସମସ୍ୟା ହୁଏ ତେବେ ସେ ଅଲକ୍ଷଣୀ ବୋଲି ଶୁଣିବାକୁ ବାଧ୍ୟ । ଏସବୁର ଉର୍ଦ୍ଧ୍ୱରେ ସେ ଭଲରେ ଅଛି ବୋଲି କହେ । କାରଣ ବାହାଘର ସରିଛି । ଯାହାକୁ ବାହା ହେଇଛି ତାକୁ ନା ତା ପରିବାରର କାହାକୁ ସେ ଆଗରୁ ଚିହ୍ନିଥିଲା । କିନ୍ତୁ ସମାଜର ନିୟମ ତାକୁ ମାନି ଚଳିବାକୁ ହେବ । ସେମାନେ ଯେମିତି ବି ହେଇଥାନ୍ତୁ ସେମାନଙ୍କୁ ଚଳେଇ ନେବା ଦାୟିତ୍ବ କେବଳ ଝିଅଟିର !!ଶେଷ ଆଡକୁ ତା ସ୍ୱର ଭାରୀ ହେଇ ଆସୁଥିଲା । "ଯା ବହୁତ ବେଳୁ ତୋ ସାଥୀରେ ଗପିଲିଣି । ରହୁଛି ଏଥର । କେବେ ଆସିବୁ ଫୋନ୍ କରିବୁ । "କହି ଫୋନ୍ କାଟିଦେଲା । 



Rate this content
Log in