ପ୍ରଥମା
ପ୍ରଥମା


ଶୋଇଲା ବେଳକୁ ତାର ସବୁଦିନ ଏଇ ଫର୍ମାସୀ । ଭାରୀ ଚିଡିଯାଏ ଝୁନା ନୂଆ ଭାଉଜର କଥାରେ। ଅବଶ୍ଯ ଭାଉଜ ତା କ୍ଳାସ୍ ମେଟ୍ ହେବେ। ଏକା ବ୍ଯାଚ୍ ରେ ମ୍ଯାଟ୍ରିକ୍ ଦେଇଥିଲେ । ତା ବୋଲି ଭାଉଜ ତ ବୋହୂଟେ । ଏତେ ସ୍ମାର୍ଟନେସ୍ ଦେଖେଇ ହଉଛନ୍ତି କାହିଁକି ମ ?କଲେଜରେ ପଢିଲେ କଣ ହେଲା ଆମଠୁ ତ ସେମାନେ ଅଧିକ ଧନୀ ନୁହନ୍ତି । ତେବେ ଏତେ ଫୁଲେଈ କାହିଁକି କେଜାଣି ?ହଁ ହେଇଥାନ୍ତେ ଅବା ଧନୀ ଘରର ଝିଅଟେ !!ମନେ ମନେ ଚିଡି ଯାଏ ଝୁନା ।
"ଏଇ ରାତିଟାରେ ତମେ ଗୀତ ଗାଇବ ନା କଣ ?"ମନର ବିରକ୍ତିକୁ ନଲୁଚେଇ ଝୁନା ପଚାରେ ।
"ହଁ ଗାଇବି । ବେଶୀ ବଡ ପାଟିରେ ନୁହଁ ମ । ବାହାରକୁ ଶୁଭିବନି । "
"ହେଲେ ପାଖ ଘରେ ବୋଉ ବାପା ଶୋଇଛନ୍ତି । ସେମାନଙ୍କୁ ଶୁଭିବନି ?ସେମାନେ ଶୁଣିଲେ କଣ ଭାବିବେ ?"
"କଣ ଭାବିବେ ?ଆମେ ତ ଏକା ବୟସର । ଦିଜଣ ସାଙ୍ଗ ଭଳି ଚଳିବା ବୋଲି ବାପା କହନ୍ତି । ଶୋଇଲା ବେଳେ ଏମିତି ଟିକେ ମଜା କଲେ ସେ ପୁଣି ଖରାପ ଭାବିବେ କାହିଁକି ?"
"ସାଙ୍ଗ କଣ ମ। ତୁମେ ପରା ଘରର ବୋହୂ। ବୋହୂ ଚଳଣୀ କଣ ଜାଣିନ? କିଛି ବି ତ ଶିଖିକି ଆସିନ । "
ଭାଉଜକୁ ପଛ କରି ଝୁନା ଶୋଇ ପଡେ । ନୂଆ ଭାଉଜର ଚାଲି ଚଳଣୀ ତାର ଟିକେ ବି ପସନ୍ଦ ହୁଏନି । ଘରର ବୋହୂ ବୋଲି ଆସିଲା ଦିନୁ ପୁରା ଘର ମଣିଷ ଭଳି ଚଳିବେ । ପର ଘରର ଝିଅ ବୋଲି ତାଙ୍କର ସତେ କି ହେଜ ରହେନି । ସେଥର ମାମୁଁ ଆସିଥିଲେ । ସିଧା ଯାଇ ମାମୁଁଙ୍କୁ ମୁଣ୍ଡିଆ ମାରି ଦୁଃଖସୁଖ ପକେଇ ଦେଲା । '"ମାଈଁଙ୍କି କାଇଁ ଆଣିଲେନି ?ତାଙ୍କ ଦେହ କେମିତି ଅଛି ?ଘରେ ଆଉସବୁ ଭଲ ତ?"
କୋଉ ନୂଆବୋହୂ ଏଗୁଡା କରେ ?ପାଠ ପଢିଛି ବୋଲି କଣ ବୋହୂ ଚଳଣୀ ଶିଖିବନି ।
ହେଲେ ନୂଆବୋହୂ ଏସବୁରେ ନଥାଏ । ଯୋଉଟା ମାନବିକତା ଦୃଷ୍ଟିରୁ ଠିକ୍ ଭାବେ ସେଇଟା ସେ କରେ । କିଏ କଣ ଭାବିବ ଏକଥା ଭାବିକି କାମ କରିବା ସେ ଶିଖିନି ବୋଧେ । ସେଇଥି ପାଇଁ ତ ସେ ନଦୀଟିଏ ନହେଲେ ବି ତା ଚାରିପଟେ ଅନେକ ତରଙ୍ଗ । ଅନେକ ଚିରାଚରିତ ଚଳଣୀ ବାହାରେ ତା କାମ । ତେଣୁ ପଛ ଆଡେ ଫୁସ୍ ଫାସ୍ ଟା ତା ନାଁରେ ବେଶୀ ହୁଏ। ହେଲେ ସେ କେମିତି ଏସବୁକୁ ଶୁଣି ନଶୁଣିଲା ଭଳି ରହିପାରେ ଏକଥା ଝୁନା ବୁଝି ପାରେନି । ଏତେ ପାଖର ମଣିଷଟା ପୁଣି ଅନ୍ଯ ବୋହୂମାନଙ୍କ ଭଳି ବୋହୂଟେ ତ। ତଥାପି ତା ଚାଲିଚଳଣୀ ,କଥାବାର୍ତା ପୁରା ଅଲଗା କେମିତି ?ଓଢଣା ପକେଇ ବି ଅନେକ କିଛି କରେ ଯାହା ଅନ୍ଯମାନେ ଭାବି ମଧ୍ଯ ପାରନ୍ତିନି । ସବୁ କଥାରେ ଏମିତି ଦିଗ ଦେଖାଏ ଯୋଉଟା ସମସ୍ତେ ଗ୍ରହଣ କରନ୍ତି । କିନ୍ତୁ ବୋହୂଟେ ହେଇ ଏତେ ବଡବଡ କଥା କହୁଛି ବୋଲି କେହି ସହଜ ହେଇ ପାରନ୍ତିନି। ସେଥିପାଇଁ ତାକୁ ନେଇ ଚିରକାଳ ଅନେକ ଚର୍ଚା । ହେଲେ ଝୁନା ଦେଖିଛି ପ୍ରଥମା ହେଇ ନୂଆ କିଛି କରିବାର ସାହସ ତାଠି ଅଛି । ସେଇ ବିଶ୍ବାସରେ ତା ନୂଆଭାଉଜ ସବୁ ତରଙ୍ଗକୁ ଏଡେଇ ଯାଇଛି । ନଦୀ ଭଳି ଆଗକ ଚାଲଛି । ଯେହେତୁ ପ୍ରଥମା ,ନୂଆ କିଛି କରିବାର ସତ୍ ସାହସ ତାଠି ଅଛି ।