Sambit Srikumar

Classics Inspirational Others

4.5  

Sambit Srikumar

Classics Inspirational Others

ଭୋକ

ଭୋକ

2 mins
123


ବିଶାଖାପାଟଣା! ଏଇ ଆମ ଭାଇଜାଗ୍। କେଜାଣି କାହିଁକି ଅତି ନିଜର ଲାଗେ ପୂର୍ବତଟର ଏହି ଶିଳ୍ପନଗରୀ, ସତେ କି ମୋ ଭୁବନେଶ୍ବର! ଅଫିସ୍ କାମରୁ ଟିକେ ଫୁରୁସତ୍ ପାଇଲେ ମୁଁ ଧାଏଁ ସିଧା ଆର୍ କେ ବିଚ୍ କୁ ମୁକ୍ତ ବାୟୁର ସନ୍ଧାନରେ।

ଏମିତି ଏକ ସନ୍ଧ୍ୟାରେ କ୍ଲାନ୍ତି ମେଣ୍ଟାଉ ଥିବା ବେଳେ ଅଜଣା କୋମଳ ହାତର ସ୍ପର୍ଶ ରେ ମୁଁ ଶିହରି ଉଠିଲି। ପଛକୁ ବୁଲି ପଡି ଦେଖେ ତ ପାଞ୍ଚ ଛଅ ବର୍ଷ ବୟସର ଝିଅଟିଏ। ଆଲୁରା କେଶ, ପିନ୍ଧିଛି ମଇଳା ଚିରା ଜାମା। ମୁହଁରେ ତାର ବିକଳ ଭାବ।

ହାତଠାରି କହିଲା, ଦୁଇ ଦିନ ହେଲା କିଛି ଖାଇ ନାହିଁ ବୋଲି। କାଳ ବିଳମ୍ବ ନ କରି ଦଶ ଟଙ୍କିଆ ନୋଟ୍ ଟେ ତା ହାତରେ ଗୁଞ୍ଜି ଦେଲି ମୁଁ ଯନ୍ତ୍ରବତ୍। ଅମଳିନ ହସ କେରାଏ ଫୁଟିଉଠିଲା ତାର କୁନି ଓଠ ଧାରରେ। ଯୋଡ ହସ୍ତରେ ଝିଅ ଟି ମୋ ପାଖରୁ ଚାଲିଗଲା।

ମୁଁ ଲକ୍ଷ୍ୟ କଲି ଯେ, ସେ ଯାଇ ସେଇ ନୋଟ୍ ଖଣ୍ଡିକ ଅନତି ଦୂରରେ ଥିବା ତାର ମାଆକୁ ଦେବା ପରେ ପୁଣି ଫେରି ଆସିଲା ଅନ୍ୟ ଲୋକଙ୍କ ଠାରୁ ମାଗିବା ପାଇଁ।

ସେଦିନ ରାତ୍ରିଭୋଜରେ ଆପ୍ଯାୟିତ କରୁଥାନ୍ତି ମୋର ଜଣେ ଧନାଢ୍ୟ ବ୍ୟବସାୟୀ ବନ୍ଧୁ ନିଜର ଏକମାତ୍ର ଅଲିଅଳି କନ୍ଯାର ଜନ୍ମଦିନର ଶୁଭ ଅବସରରେ। ନାନା ରକମର ସ୍ବାଦିଷ୍ଟ ବ୍ୟଞ୍ଜନର ଆୟୋଜନ। ଦେଶୀ ବିଦେଶୀ ଖାଦ୍ୟର ସୁରମ୍ୟ ପସରାରୁ ଭାସିଆସୁଥାଏ ଭୁରୁଭୁରୁ ବାସ୍ନା।

ଭୋଜନ ବିଳାସୀ ମନଟା ମୋର ଅଥୟ ହେଉ ଥାଏ ବେଳ କୁ ବେଳ ଖାଦ୍ୟ ପଦାର୍ଥର ଆଘ୍ରାଣରେ। କେକ୍ କଟା ପର୍ବ ସମାପନ ଅନ୍ତେ ଭୋଜନର ଆସର। ମୋର ଅତି ପ୍ରିୟ ସାମୁଦ୍ରିକ ଖାଦ୍ୟ ପରଶାଗଲା ଚକ୍ ଚକ୍ ରୂପା ଥାଳିରେ। ଖାଇବା ପାଇଁ ଉଦ୍ୟତ ହୁଅନ୍ତେ ଅଚାନକ ସେହି କୁନି ଝିଅଟିର ବିକଳ ମୁହଁ ଟି ଭାସି ଉଠିଲା ଖାଇବା ଥାଳିରେ...

ମୋର ସବୁ ଭୋକ ମରିଯାଇଥିଲା। ଅନ୍ତରାତ୍ମା ଧିକ୍କାର କରୁଥିଲା ମୋ ପାରିବା ପଣିଆକୁ। ଆଜି ବି ଅନେକ ଲୋକଙ୍କ ପାଇଁ ଦି ଓଳି ଦୁଇମୁଠା ଖାଇବା ଯୋଗାଡ କରିବା ପାଇଁ କେତେ ଯେ କଷ୍ଟ ନକରିବାକୁ ପଡୁଛି। ଜୀବନ ସଢୁଛି ଏଠି ରାସ୍ତା କଡରେ। ବଞ୍ଚୁଛି ଖାଇ ଅନ୍ୟର ଫିଙ୍ଗା ଯାଇଥିବା ବଳକା ଅଇଁଠା ଅଳିଆ ଗଦାରୁ।

ଯିଏ ଏଠି ଘିଅ ମହୁ କ୍ଷୀରି ପୁରୀରେ ଭାସୁଛି, ତାକୁ ବା କଣ ଫରକ ପଡୁଛି ଆଉ କାହା ପେଟର ଦାରୁଣ ଜ୍ବାଳା। ଭୋକିଲା ପେଟ ହିଁ କରାଇଥାଏ ପାପ। ସ୍ଵାଧୀନତା ପ୍ରାପ୍ତିର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ଯ ବୁଭୁକ୍ଷୁ ଜନତାର ଆକୁଳ କ୍ରନ୍ଦନ କଣ ଆମ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ନୁହେଁ କି? କେବେ ହେବ ଏ ଭୋକର ଅନ୍ତ? କ୍ଷୁଧା ମୁକ୍ତ ହେବ ଭାରତବର୍ଷ? 



Rate this content
Log in

Similar oriya story from Classics