Nityananda Nandi

Classics Inspirational

3  

Nityananda Nandi

Classics Inspirational

ଭଙ୍ଗା ସିଲଟ

ଭଙ୍ଗା ସିଲଟ

4 mins
386



ଭୋଳା ବସିଥାଏ କୋର୍ଟ ରୁମରେ ତା ଓକିଲ ସହିତ। ବାବୁଲା ମଧ୍ୟ ବସିଥିଲା ତା ଓକିଲ ସାଥିରେ, କୋର୍ଟ ଭିତରେ। ଜଜ୍ ବ୍ୟସ୍ତ ଥିଲେ, ଆସନ୍ତା ମାସ ପାଞ୍ଚ ତାରିଖରେ ଶୁଣିବା କହି ଜଜ୍ ବାହାରିଗଲେ କୋର୍ଟ ରୁମରୁ।


ଦଶ ବର୍ଷରୁ ଅଧିକ ହେବ, ଜମି ମାପକୁ ନେଇ ଦୁଇ ସାଙ୍ଗ ଭିତରେ ଏତେ ଝଗଡା ହେଲା ଯେ ଉଭୟେ ଉଭୟଙ୍କ ସାଙ୍ଗ ବୋଲି ଭୁଲିଗଲେ ସେମାନେ। ଭୋଳାକୁ ସରପଞ୍ଚ ସାହସ ଦେଲେ, ଡରିବୁନି। ଆମେ ପଛରେ ଅଛୁ। ବିରୋଧୀ ମାନେ ହାତ ମିଲେଇଲେ ବାବୁଲା ସହିତ। ଧାନ କଟା ସମୟରେ ପୁଣି ଥରେ ଝଗଡା ଆରମ୍ଭ ହୋଇ କଥାଟି ଗୋଷ୍ଠୀ ସଂଘର୍ଷ ପର୍ଯ୍ୟନ୍ତ ଚାଲିଗଲା। କେଶ ଚାଲିଲା। କୋର୍ଟ କଚେରୀ ଯାଇ ଯାଇ ଥକି ଗଲେଣି ଦୁଇଜଣ।


ଏହା ଭିତରେ ଦୁଇ ଦୁଇ ଥର ସରକାର ବଦଳି ଗଲେଣି। ସରପଞ୍ଚ ଦଳ ବଦଳେଇ ଏବେ ବାବୁଲା ପଟରେ।

କୋର୍ଟ କଚେରୀ ଯାଇ ଯାଇ ସବୁ ହରେଇ ସାରିଛନ୍ତି ଦୁଇ ବାଲ୍ୟ ବନ୍ଧୁ। ଗହଣା ଗାଣ୍ଠି , ଘରଡିହ ସବୁ ବିକି ସାରିଲେଣି। ମଜୁରୀ ଲାଗି ଚଳନ୍ତି। କୋର୍ଟ ରୁ ଷ୍ଟେ ଅର୍ଡର୍ ଆସିବା ପରେ ଦଶ ବର୍ଷ ହେଲା, ଜମି ପଡ଼ିଆ ପଡ଼ିଛି।


ଜିଦ୍ ଗୋଟାଏ ଅମାନିଆ ଭରପୁର ନଦୀର ସ୍ରୋତ ପରି। ଦୁଇ କୂଳ କୁ ଧସେଇ ନିଏ। ଅସହାୟତାକୁ ଦେଖି ଆଖ ପାଖରେ ଲୋକ ସବୁ ହସନ୍ତି। ଏକ ବିକଟାଳ ସାମାଜିକ ପରମ୍ପରା। ସମୟ କିନ୍ତୁ ଉପହାସ କରେ, ଦେଖି ନ ଦେଖିଲା ପରି ମୁହଁ ବୁଲାଇ ନିଏ..


କୋର୍ଟ ରୁମରୁ ବାହାରି ଫାଷ୍ଟ ପେସେଞ୍ଜର ଧରିବା ପାଇଁ ଦୁହେଁ ଦୌଡିଲେ ଷ୍ଟେସନକୁ। ଗୋଟାଏ ରାତି ହେଲେ ବି ଚୂଡା ମୁଢ଼ି ଖାଇ ପ୍ରାୟ ପ୍ରତିଥର ଷ୍ଟେସନରେ ଶୋଇବାକୁ ପଡୁଥିଲା ସେମାନଙ୍କୁ । ସମୟ ଅଛି ଯେତେବେଳେ, ଆଜି ଏଇ ମଉକା ହରେଇବାକୁ ଚାହୁଁ ନ ଥିଲେ ସେମାନେ। ଗାଡି ଷ୍ଟେସନ ଛାଡୁଥିଲା। କିଛି ଉପାୟ ନ ପାଇ ଗୋଟାଏ ବଗି ଭିତରେ ପଶିଗଲେ । ସାମ୍ନା ସାମ୍ନି ଦୁଇଟି ସିଟ୍ ଖାଲିଥିଲା। ତିନି ଚାରି ଘଣ୍ଟା ର ରାସ୍ତା। ଛିଡା ହୋଇ କଣ ଯାଇ ହୁଏ। ସାମ୍ନା ସାମ୍ନି ହୋଇ ବସିବାକୁ ବାଧ୍ୟ ହେଲେ କମ୍ପାର୍ଟମେଣ୍ଟ ଭିତରେ।

ବାବୁଲା କୁ ଲାଜ ଲାଗୁଥାଏ, ଶୋଇବାର ଅଭିନୟ କରି ଆଖି ବନ୍ଦ କରି ବସି ରହିଲା।

ଭୋଳା ଦେଖୁଥାଏ ବାବୁଲା କୁ।

ତିରିଶ ବର୍ଷ ତଳକୁ ଫେରିଗଲା ଭୋଳା। 

ବେଶ୍ ସଚଳ ଥିଲେ ବାବୁଲା ଘର । ତା ବାପା ଗାଆଁ ଗାଆଁ ବୋଲି ଛୁରୀ, କତୁରୀ ରେ ଧାର ଶାଣୁ ଥିଲେ। ମୋ ବାପା କିନ୍ତୁ ପାଗଳ ଥିଲେ। ମୋ କଥା କିଏ ଆଉ ବୁଝିବ ? ବହି, ବସ୍ତାନି ନାହିଁ। ଗାଆଁ ସ୍କୁଲରେ ଯାଇ ସେମିତି ବସୁଥିଲି। ଲେଖିବା ପାଇଁ ସିଲଟ ବି ନ ଥିଲା ମୋ ହାତରେ। ଶିକ୍ଷକ ପଚାରିଲେ ମିଛରେ କହୁଥିଲି, ବାପା କହିଛନ୍ତି ଆଗ ସପ୍ତାହ କୁ ପଞ୍ଚାୟତ ହାଟ କୁ ଯାଇ ମୋ ପାଇଁ ସିଲଟ କିଣିବେ !


ତା ଭିତରେ ଦୁଇଥର ହାଟ ପାଳି ଯାଇ ସାରିଥିଲା। ସେଦିନ ଶିକ୍ଷକ ମାରିବେ ବୋଲି ମୁଁ ଥରୁଥିଲି। ବାବୁଲା ପାଖରେ ବସେ, ଦୁଃଖ ସୁଖ ହୁଏ ମୋ ସାଥିରେ। ମୋ ଅବସ୍ଥା ଦେଖି ସେ ସମ୍ଭାଳି ପାରିଲାନି, ନିଜ ସିଲଟକୁ ଭାଙ୍ଗି ବଡ଼ ଖଣ୍ଡ ଟିକୁ ମୋତେ ଧରେଇଦେଲା। ପଚାରିଲି "ତୁ ଏ କଣ କଲୁ ବାବୁଲା" !!! ବାବୁଲା କହିଲା, "ବାପାଙ୍କୁ ମିଛ କହିଦେବି, କହିବି ହାତରୁ ଖସି ଯାଇ ସ୍ଲେଟ୍ ଭାଙ୍ଗିଗଲା। ସେ ମୋ ପାଇଁ ନୂଆ ସିଲଟ କିଣି ଦେବେ"। 


ସେତେବେଳେ ଏତେ ଛୋଟ ଥିଲି ଯେ କୃତଜ୍ଞତା କେମିତି ଦେଖେଇବାକୁ ହୁଏ ଜାଣି ନ ଥିଲି, ସେଦିନ ଖାଲି ଛୋଟ ହସଟିଏ ଦେଇ ପରିଶୋଧ କରିଥିଲି ତାର ସାହାଯ୍ୟ ର ମୂଲ୍ୟକୁ ।

 ଅ, ଆ ଶିଖିଲି ସେଇ ଭଙ୍ଗା ସିଲଟ ରେ। ବୋଉ ବାର ଘରେ କାମ କରେ। ବର୍ଷେ ପରେ ବୋଉ ମୋ ପାଇଁ ନୂଆ ସିଲଟ କିଣିଦେଲା।

ଏଇ ହେଉଛି ସେଇ ସାଙ୍ଗ ବାବୁଲା। ତା ଜମିକୁ ଲାଗି ଆମ ଜମି। ସବୁ ଠିକ୍ ଠାକ୍ ଥିଲା, ଦୁଇଜଣ ଙ୍କ ବାପା ବଞ୍ଚିଥିବା ବେଳେ... ସେମାନଙ୍କ ଅନ୍ତେ ଗାଆଁ ରାଜନୀତି ର ଶିକାର ହୋଇଗଲୁ ଆମେ ଦୁଇଜଣ। ଆମ ଭିତରେ ଭୁଲ ବୁଝାମଣା ସୃଷ୍ଟି କରି ସେମାନେ ମଜା ଦେଖିଲେ।

ଶେଷରେ ଆମେ ପାଇଲୁ କଣ ? ବାବୁଲା ମୋତେ ହରେଇଲା, ମୁଁ ମୋ ଜୀବନର ଶ୍ରେଷ୍ଠ ବାଲ୍ୟବନ୍ଧୁକୁ ହରେଇଲି। ଦିନେ ଭଙ୍ଗା ସିଲଟ ର ବଡ଼ ଭାଗ ମୋତେ ଦେଇ ବିପଦରୁ ରକ୍ଷା କରିଥିବା ସାଙ୍ଗ ପାଇଁ ମୁଁ କିଛି କରିପାରିଲିନି। ବରଂ ଅଧା କଡ଼ି ଜମି ଅଧିକ ମାରି ନେଇଛି ବୋଲି ମୋ ମନ ଭିତରେ ସନ୍ଦେହ ସୃଷ୍ଟି କରି ଗାଆଁ ଟାଉଟରମାନେ ମାତ୍ର ତିନିଟି ଭୋଟ ପାଇଁ ଗୋଟାଏ ମଧୁର ସମ୍ପର୍କକୁ ଛାରଖାର କରିଦେଲେ।

ବାବୁଲା କେତେ ନୀରିହ, ଅନେକ ଦିନ ପରେ ମୋ ପରି 

ହତଭାଗା ସାଙ୍ଗ ଆଗରେ ଶୋଇଛି ସେ, ନିର୍ଭୟରେ। ଯେତେ ଯାହା ହେଲେ ସାଙ୍ଗ ତ !!

ଚାଇ, ଚାଇ ଚିତ୍କାର କରି ଚା ବାଲା ଭିତରକୁ ପଶି ଆସିଲା।

******* 


ଭାବନା ରାଇଜ ରୁ ଫେରି ଆସିଲା ଭୋଳା । ଚା ବାଲାକୁ ଦଶ ଟଙ୍କା ବଢେଇ ଦେଲା। ଠାରି ଦେଇ ବାବୁଲାକୁ ଚା ଟିଏ ଦେବା ପାଇଁ କହିଲା। ଚା ବାଲା ଗରମ ଚା କପ୍ ବଢେଇ ଦେଲା ବାବୁଲା କୁ। ବାବୁଲା ଚା କପ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। 

ଭୋଳା ମୃଦୁ ହସ ଦେଇ ଠାରି ଦେଲା, ଚା ପିଇ ନେ ବାବୁଲା...

ବାବୁଲା ହସିଦେଲା।


ଚା କପ୍ କୁ ଥୋଇଦେଇ କୁଣ୍ଢେଇ ପକେଇଲା ସେ ଭୋଳା କୁ। ଭୋଳା ନିଜ ଆଖିର ଲୁହକୁ ସମ୍ଭାଳି ପାରିଲାନି। 

ରାସ୍ତା ଭଟକି ଅଲଗା ହୋଇ ଯାଇଥିବା ଝରଣା ପାହାଡିଆ ଅଙ୍କା ବଙ୍କା ରାସ୍ତା ଦେଇ ସଂଘର୍ଷ କରେ ନିଜ ଅସ୍ତିତ୍ଵ ପାଇଁ ସିନା। କିନ୍ତୁ ମନ ବୁଝୁ ନ ଥାଏ। ଅଚାନକ ସାଥି ଝରଣା ସହିତ ଭେଟ ହୁଏ, ଆଉ ଥରେ ମିଶି ଯାଆନ୍ତି ସେମାନେ, ନୂଆ ଜୀବନଟିଏ ଆବିଷ୍କୃତ ହୁଏ...ବିରାଟ ସମ୍ଭାବନା ଆଖି ଆଗରେ ନାଚିଯାଏ।


ଷ୍ଟେସନ ରେ ଓହ୍ଲାଇବା ପରେ ବାବୁଲା ଭୋଳା କୁ ଟାଣି ନେଇଗଲା ଗୋଟାଏ ଝୁମ୍ପୁଡି ହୋଟେଲକୁ। ମନ ଭରି କି ବରା ଘୁଗୁନି ଖାଇଲେ ସେମାନେ।

ମୁହଁ ଅନ୍ଧାର, ବାବୁଲା ସାଥିରେ ଭୋଳା ଚାଲିଲା ଗାଆଁ ଆଡ଼କୁ। ଭୋଳା ପଚାରିଲା 

-ବାବୁଲା ! ଘର ଚଳେଇବା ଆଉ ସମ୍ଭବ ନୁହଁ, ମୋ ଜମିଟି କୁ ତୁ କିଣି ନେ, ନା ଜମି ରହିବ ନା ଝଗଡା ରହିବ। 

-ନା... ଷ୍ଟେ ଉଠିଯାଉ ଜମି ଉପରୁ , ଜମି ମଝିରୁ ମାଙ୍କଡ଼ା ପଥରକୁ ଉଠେଇଦେଇ ଦୁଇଜଣ ମିଶି ଚାଷ କରିବା ବଞ୍ଚିଥିବା ପର୍ଯ୍ୟନ୍ତ। ଦେହର ଝାଳ ରକ୍ତ ମିଶେଇଦେବା ସେଇ ଜମିରେ। ଦେଖିବୁ, ଖୁବ୍ ଲାଭ ହେବ।

ଲାଭାଂଶ ଭାଗ କରି ନେବା। ଆମ ଅନ୍ତେ ଆମ ପୁଅମାନେ ଭାଗ କରିନେବେ ଜମିଟିକୁ !!! ଅନ୍ଧାର ଭିତରେ ବାବୁଲା କୁ ଧରି ଫୁଟ୍ ଫୁଟ୍ କରି କାନ୍ଦିଲା ଭୋଳା। 


ସାଙ୍ଗର ଅସଲି ପରିଚୟ ବୁଝାପଡେ ଅଡ଼ୁଆ ପରିସ୍ଥିତିରେ। ଖୁସି ମୁହୂର୍ତ୍ତରେ ତ ସମସ୍ତେ ସାଙ୍ଗର ଅଭିନୟ ହିଁ କରନ୍ତି। ଜୀବନର ସତରଞ୍ ଖେଳର ଜଟିଳତମ ଏ ମୁହୂର୍ତ୍ତ !! କିଏ କେତେବେଳେ କେମିତି ଗୁଟି ଚଲାଏ, ବୁଝି ହୁଏନି। ପ୍ରକୃତ ସାଙ୍ଗର ପରିଚୟ କିନ୍ତୁ ଅତି ନିଆରା।


-ମୁଁ ରାଜି... ଆଜିଠୁ ଗାଆଁ ରେ ଆଉ କାହା କଥା ଶୁଣିବାନି, ଭୋଳା କହିଲା। 

ଘର ମୁହାଁ ଚାଲିଲେ ଦୁଇ ସାଙ୍ଗ। ପଶ୍ଚିମ ଆକାଶରେ ଜହ୍ନଟିଏ ଜନ୍ମ ନେଇ ସାରିଥିଲା ସେତେବେଳକୁ। ଶୀତଳ ଆଲୋକ ଗାଆଁ ଭିତର ଅନ୍ଧାରକୁ ଗ୍ରାସ କରୁଥିଲା ଧୀରେ ଧୀରେ... ଅନେକ ଦିନ ପରେ ଦୁଇ ବନ୍ଧୁର ମିଳନ, ଗପ କଣ ସରୁଛି !!!

ଲୋକମାନେ ଭୁଟଭାଟ କରୁଥିଲେ, ଆଜି ସୂର୍ଯ୍ୟ ପଶ୍ଚିମରେ ଉଦୟ ହୋଇନି ତ !....




Rate this content
Log in

Similar oriya story from Classics