ଭଲ କଲୁ
ଭଲ କଲୁ
ଖୁସି ଲାଗେ ସୁନୀତା ସହିତ କଥା ହେଇଗଲେ।ଗତ ତିରିଶ ବର୍ଷର ବନ୍ଧୁତା।ଆଜିକାଲି ହୁଏତ ଏତେ ବର୍ଷ ପରେ କେହି କାହାରିକୁ ଆଉ ଚିହ୍ନିବେ ନାହିଁ।କିନ୍ତୁ ଆମ ଜମାନାରେ ବନ୍ଧୁତା ଏଇ ଦିନେ ଦୁଇ ଦିନ ପାଇଁ କରା ଯାଉ ନ ଥିଲା ନା।ତେଣୁ ତ ବିବାହର ଏତେ ବର୍ଷ ପରେ ମଧ୍ୟ ଆମ ସଂପର୍କ ସେହିପରି ଅଛି।ଆହୁରି ସୁବିଧା ହେଇଯାଇଛି ଗୋଟିଏ ସହରର ରହଣି।ପରସ୍ପର ସହ ପ୍ରତ୍ୟେକ ଦିନ ଦେଖା ନ ହେଲେ ମଧ୍ୟ ଦି ପଦ କଥା ହେଇଗଲେ ଲାଗେ ମନରୁ ବୋଝ ଉତରିଗଲା।ପ୍ରାୟ ଜଳଖିଆ ଖିଆ ପର୍ବ ସାରିବା ପରେ ମୁଁ ଅପେକ୍ଷା କରେ ଏ ଅନ୍ତରଙ୍ଗ ଗପସପକୁ।ଆଉ ତା ପରେ ପୁଣି ଯାବତୀୟ କାମ।
ସବୁଦିନ ପରି ଆଜି ସକାଳେ ମଧ୍ୟ ଫୋନ୍ ଆସିବ ଭାବି ଅପେକ୍ଷା କରିଲି କିଛି ସମୟ।ତା ପରେ ସୁନୀତା କୁ ନିଜ ଆଡୁ ଫୋନ୍ କଲି।ଆରେ ! ସୁନୀତା ଫୋନ୍ ରେ ହିଁ କାନ୍ଦି ଉଠିଲା।"ଆରେ କଣ ହେଇଛି କହ!କାହିଁକି କାନ୍ଦୁଛୁ?"ମୋ ମନ ବ୍ୟସ୍ତ ହୋଇଉଠିଲା।"ବିନି!"କହିଲା ସୁନୀତା"ଗତ ସପ୍ତାହରେ ମୋ ପ୍ରୀତିକୁ ଦେଖିବାକୁ ଯେଉଁ ପୁଅଟା ଆସିଥିଲା "ହଁ ହଁ ଡାକ୍ତର ଅଛି ନା ସେ ବାଙ୍ଗାଲୋର ରେ!" କଥା ମଝିରେ କହିଲି।"ହଁ" କହିଲା ପୁଣି ସୁନୀତା "କଥା ଏକ ରକମ ପକ୍କା ହୋଇ ଆସିଥିଲା। ସେ ପୁଅର ମା କହିଥିଲେ ତାଙ୍କର ଯାନି ଯଉତୁକ ଦରକାର ନାହିଁ।ଆମେ କିନ୍ତୁ ଆମ ତରଫରୁ ପୁଅକୁ ନଗଦ ଦଶ ଲକ୍ଷ ଟଙ୍କା ଜିନିଷପତ୍ର ଆଉ କାର ଦେବୁ କହିଥିଲୁ।ଦି ଦିନ ତଳେ ତାଙ୍କର ଜଣେ ପାରିବାରିକ ବନ୍ଧୁ ଆସି ସେସବୁ ଦରକାର ନାହିଁ କିନ୍ତୁ ପୁଅ ପାଇଁ ଏଇଠି ଭୁବନେଶ୍ୱରରେ ଗୋଟିଏ ଇଣ୍ଡିପେଣ୍ଡେଣ୍ଟ ଘର କିଣିବାକୁ ଆଗ୍ରହ କଲେ।ଆଉ ଆମେ ଯେତେବେଳେ ଏଇଟା ଡିମାଣ୍ଡ ବୋଲି ଆପତ୍ତି କଲୁ ଆଜି ଖବର ପଠେଇଛନ୍ତି ତାଙ୍କ ପୁଅ କୁଆଡେ ଦି ବର୍ଷ ପାଇଁ ଆମେରିକା ଯିବ କୋର୍ସ୍ କରିବାକୁ ତେଣୁ ଏବେ ବାହାଘର ହେବନି "କ୍ରୋଧିତ ସୁନୀତା ଗୋଟିଏ ଗ୍ଲାସ୍ ପାଣି ପିଇ ପୁଣି କହିଲା"କଣ ଭାବୁଛନ୍ତି କି ନିଜକୁ?ଡାକ୍ତର ପୁଅ ହେଲା ବୋଲି କଣ ମୋ ଝିଅ ବାଟରେ ପଡ଼ିଛି କି?ଯୌତୁକ ଲୋଭ ଅଛି ତ ମୁହଁ ଖୋଲି ମାଗିବ।ଏ ଆଗରେ ପଦେ ଆଉ ପଛରେ ପଦେ କଣ ପାଇଁ?ଇଚ୍ଛା ହେଲେ ଆଗେଇବ ନ ହେଲେ ନାହିଁ।ଆମେ କଣ ତାଙ୍କ ଗୋଡ଼ ହାତ ଧରୁଥିଲୁ??ମୁଁ ସେମିତି ଲୋଭି ରାକ୍ଷସଙ୍କୁ ଘରେ ମୋ ଅଲିଅଳି କୁ ଟେକି ଦେବିନି।ମନା କରିଦେଲି ତାଙ୍କୁ"
"ଭଲ କଲୁ" ମୁଁ ମଧ୍ୟ କହିଉଠିଲି।ଏମିତି ଭଦ୍ରଲୋକ ଠାରୁ ଦୂରରେ ରହିଲେ ହିଁ ମଙ୍ଗଳ।
ସମୟ ଗଡି ଚାଲିଥାଏ।ଆଉ ମାସେ ପରେ ସୁନୀତା ର ମାମୁଁ ଝିଅ ଭଉଣୀ ତା ପୁଅ ବିନୟ ପାଇଁ ଏକ ପ୍ରସ୍ତାବ ନେଇ ଆସିଲେ।ଝିଅଟି MBA କରିଥାଏ।ଗୋଟିଏ ଚାଉଳରେ ଗଢା ।ଦେଖି ଆସିବା ପରେ ଆମେ ସମସ୍ତେ ବହୁତ ଖୁସି ଥାଉ।ମୁଁ ବି ଯାଇଥିଲି ଝିଅ ଦେଖିବାକୁ।ତାଙ୍କ ଘରର ସଭିଙ୍କ ବ୍ୟବହାର ଆଉ ଚାଲି ଚଳନ ଭାରି ବଢିଆ ଲାଗିଲା।ଆମେ ଆସି ସେ ବିଷୟରେ କଥାବାର୍ତ୍ତା ହେଲୁ।ଝିଅ ପୁଅ ବି ପରସ୍ପରକୁ ପସନ୍ଦ କରି ସାରିଥାନ୍ତି।ବାକି ରହିଲା ଏଇ ଦିଆନିଆ କଥା।ସୁନୀତା କି ତା ସ୍ବାମୀ କେହି ଏମିତି ଅର୍ଥପିପାସୁ ନୁହନ୍ତି।ତେଣୁ ସେ ଦିଗରୁ ଆମେ ନିଶ୍ଚିନ୍ତ ଥିଲୁ।
ଏ ଘଟଣାର ତିନିଦିନ ପରେ ସକାଳୁ ସୁନୀତାର ଫୋନ୍ ପାଇ ମୁଁ ଖୁସିରେ ପଚାରିଦେଲି ସେ ପ୍ରସ୍ତାବ କଥା।"ନିହାତି ଅଭଦ୍ର ଲୋକ ମାନେ ରେ "ସୁନୀତା ନାକ ଟେକି କହିଲା "ଅତି ନିମ୍ନ ଦୁନିଆଦାରି ଜାଣି ନାହାନ୍ତି।ଆରେ ମୋ ପୁଅ ଇଞ୍ଜିନିୟର।ଗୋଟିଏ ବୋଲି ପୁଅ ମୋର।ତାଙ୍କ ଝିଅ ରାଣୀ ହୋଇ ରହିବ ମୋ ଘରେ।ଆମର ସେମିତି ଡିମାଣ୍ଡ ନାହିଁ କହିଲେ କଣ ସେମାନଙ୍କ ସୋଉଜନ୍ୟ ନାହିଁ?ସେଦିନ କହୁଥିଲେ ପୁଅକୁ ଖାଲି ପନ୍ଦର ଲକ୍ଷ କ୍ୟସ୍ ଉପହାର ଦେଇଦେବେ।ମୁଁ କହିଲି ଖାଲି ପୁଅକୁ କାହିଁକି ଝିଅକୁ ବି ସେତିକି କ୍ୟାସ ଦେଇଦେଲେ ସେମାନେ ପରସ୍ପରର ସମାନ ହେଇଯିବେ।କଣ ଭୁଲ୍ କହିଲି କହ?ପୁଅ ପଢାପଢିରେ ଖର୍ଚ୍ଚ ଛାଡ ଏବେ ତା ବାହାଘର ସହ ଏବେ ଝିଅ ବାହାଘର ବି ଅଛି।ଆଉ ମୋ ପୁଅ କଣ ବାଟରେ ପଡ଼ିଛି କି ତାକୁ ଅଳ୍ପ ଟଙ୍କାରେ କିଣିନେବେ?ଦେବେ ଯଦି ଆମ ଇଚ୍ଛାରେ ଦିଅନ୍ତୁ ନ ହେଲେ ସେ ପ୍ରସ୍ତାବ ମୋର ଦରକାର ନାହିଁ।ମନା କରିଦେଲି"
"ଭଲ କଲୁ"ଏଥର ବି କହିଲି।ହେଲେ ଓଠ କୋଣରେ ଥିବା ହସ ଟିକକ ସୁନୀତା ଦେଖି ପାରି ନ ଥିବାରୁ ଏକ ଅନାହୁତ ବିପଦରୁ ବଞ୍ଚିଗଲି ବୋଲି ଭାବିଲି ।
