Narendra Prasad Behera

Classics

3  

Narendra Prasad Behera

Classics

ଭାଗବତ କଥା

ଭାଗବତ କଥା

4 mins
989


*ଭାଗବତ କଥା --୩୭*


*ପରୀକ୍ଷିତ ମହାରାଜାଙ୍କୁ ଶ୍ରୀକୃଷ୍ଣଙ୍କ ଜନ୍ମ କଥା କିଏ ଶୁଣାଇ ଥିଲେ*


  ପରୀକ୍ଷିତ ମହାରାଜା ଶୁକଦେବଙ୍କୁ କହିଲେ,ହେ ମହାତ୍ମା, ମୁଁ ଆପଣଙ୍କ ଶ୍ରୀମୁଖରୁ ହରିକଥା ଶ୍ରବଣ କରି ଅମୃତ ପାନ କରୁଛି । ମୁଁ ଅନଶନ କରିଛି,ଜଳପାନ ମଧ୍ଯ କରିନାହିଁ, କିନ୍ତୁ ମୋତେ କ୍ଷୁଧା ପିପାସାର ଅଭାବଜନିତ କଷ୍ଟ ବାଧୁ ନାହିଁ । ମୋତ ଶ୍ରୀଭଗବାନଙ୍କର ଜନ୍ମ ଓ ଲୀଳାର କଥା ବିସ୍ତାର ପୂର୍ବକ କହି ମୋର ପ୍ରକୃତ ତୃଷ୍ଣା ମେଣ୍ଟାନ୍ତୁ । 

  ଶ୍ରୀଶୁକଦେବ କହିଲେ,ହେ ରାଜନ,ବାସୁଦେବ ଶ୍ରୀକୃଷ୍ଣଙ୍କର କଥା ପ୍ରତି ଆପଣଙ୍କର ଅନୁରାଗ ଦେଖି ମୁଁ ଅତିଶୟ ଆନନ୍ଦିତ ହୋଇଛି । ତା'ଛଡା କୃଷ୍ଣକଥା ବର୍ଣ୍ଣନା କରିବାରେ ମଧ୍ଯ ମୋର ମହା ଆନନ୍ଦ । ଗଙ୍ଗାବାରି ଯେପରି ସବୁକିଛି ପବିତ୍ର କରିଦିଏ,ସେହିପରି ବାସୁଦେବଙ୍କ କଥା ଯେ କହେ,ସେ ପବିତ୍ର ହୁଏ ଏବଂ ଶ୍ରୋତା ମଧ୍ଯ ଶୁଦ୍ଧ ଓ ପବିତ୍ର ହୋଇଥାନ୍ତି । ବାତାବରଣ ମଧ୍ଯ ପବିତ୍ର ହୋଇଥାଏ । ସେ କହିଲେ-ଧରିତ୍ରୀ ମାତା ଦିନେ ଗୋଟିଏ ଗାଈରୂପ ଧାରଣ କରି ବ୍ରହ୍ମାଙ୍କ ନିକଟରେ ପହଞ୍ଚି ନିଜର ଦୁଃଖର କାହାଣୀ ଜଣାଇ କହିଲେ ପ୍ରଭୁ,ହିଂସାରେ ଉନ୍ମତ୍ତ ଦାନବକୁଳର ଭାର ମୁଁ ଆଉ ସହିପାରୁ ନାହିଁ । ଏପରି ଭାରାକ୍ରାନ୍ତ ଅବସ୍ଥାରେ ମୁଁ କେତେକାଳ ରହିବି ? ଆପଣ ଏହାର ପ୍ରତିବିଧାନ କରନ୍ତୁ । 

   ପୃଥିବୀର ଏହି କରୁଣ କ୍ରନ୍ଦନ ଶୁଣି ବ୍ରହ୍ମା ସମାଧିଯୋଗରେ ନିମଗ୍ନ ହେଲେ । ଧ୍ଯାନ ଭାଙ୍ଗିବା ପରେ ବ୍ରହ୍ମା କହିଲେ,ତୁମର ଏହି ଦୁଃଖର କଥା ଭଗବାନ ଜାଣିଛନ୍ତି । ସେ ଅବିଳମ୍ବେ ଧରାଧାମରେ ଅବତୀର୍ଣ୍ଣ ହେବେ ଏବଂ ବସୁଦେବ ଓ ଦେବକୀଙ୍କ ଔରସରୁ ଜନ୍ମ ହେବେ । ଇତି ମଧ୍ଯରେ ଦେବତାମାନେ ମଧ୍ଯ ନିଜ ନିଜ ପତ୍ନୀଙ୍କ ସହ ମର୍ତ୍ତ୍ଯଧାମରେ ଜନ୍ମଗ୍ରହଣ କରିବେ । ସହସ୍ରଶୀର୍ଷ ଅନନ୍ତଦେବ ପ୍ରଥମେ ଅବତୀର୍ଣ୍ଣ ହେବେ । ଯେଉଁ ଭଗବତୀଙ୍କର ମାୟାରେ ଏ ସଂସାର ମୋହିତ ସେ ମଧ୍ଯ ଯୋଗମାୟା ରୂପରେ ଜଗତରେ ଅବତୀର୍ଣ୍ଣ ହେବେ । 

  ମଥୁରାର ରାଜା ଉଗ୍ରେସନଙ୍କ ପୁତ୍ର କଂସ ଥିଲା ପ୍ରବଳ ପ୍ରତପୀ ଓ ଜଣେ ଅତ୍ଯାଚାରୀ । କିନ୍ତୁ ତାର ଭଗନୀ ଦେବକୀକୁ କଂସ ଖୁବ୍ ସ୍ନେହ କରୁଥିଲା । ଯଦୁବଂଶର ଜଣେ ସୁପୁରୁଷ ବସୁଦେବଙ୍କ ସହିତ ସେ ଜାକଜକମରେ ଦେବକୀଙ୍କର ବିବାହ ସମ୍ପନ୍ନ କଲା । କଂସ ଧନରତ୍ନ ଓ ସାମଗ୍ରୀ ଯୌତୁକ ଆକାରରେ ଦେଇ ଭଗନୀ ଦେବକୀ ଓ ବସୁଦେବଙ୍କୁ ନିଜ ରଥରେ ବସାଇ ବସୁଦେବଙ୍କ ଗୃହକୁ ଯାଉଥିବା ସମୟରେ ଆକାଶବାଣୀ ହେଲା - କଂସ, ତୁ ଯାହାକୁ ରଥରେ ବସାଇ ନେଉଛୁ,ସେଇ ତୋର ଭଗନୀ ଦେବକୀର ଗର୍ଭରୁ ଯେଉଁ ଅଷ୍ଟମ ସନ୍ତାନ ଜନ୍ମ ହେବ, ତାହା ହାତରେ ।ତୋର ପ୍ରାଣ ଯିବ ।

  ଦୈବବାଣୀ ଶୁଣି କଂସ ଚମକି ପଡିଲା । ମୋ ଭଉଣୀ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ହାତରେ ମୋର ପ୍ରାଣ ଯିବ ? ନାଁ ନାଁ ତା ହୋଇପାରିବ ନାହିଁ । ମୁଁ ମୋର ଭଉଣୀକୁ ହତ୍ଯା କରିଦେଲେ ନାଁ ତାର ପୁତ୍ର ଜନ୍ମ ହେବ ନାଁ ମୋତେ ମାରିବ । ନିଜର ସାନ ଭଉଣୀ ପ୍ରତି ରହିଥିବା ସ୍ନେହମମତା ଘଡିକେ ଲୋପ ପାଇଯାଇଥିଲା । କଂସ ରଥ ଚାଳନା ବନ୍ଦ କରି ଦେବକୀର କେଶକୁ ଧରି ଖଡ଼ଗରେ ତାର ମୁଣ୍ଡ କାଟି ଦେବାକୁ ଉଦ୍ଯତ ହେଉଥିବା ସମୟରେ, ବସୁଦେବ କଂସର ହାତକୁ ଧରିପକାଇ କହିଲେ-ନିଜ ଭଗନୀକୁ ହତ୍ଯା କରି ତୁମେ କାହିଁକି ନାରୀ ହତ୍ୟା ପାପ ଅର୍ଜନ କରିଵ ? ମୁଁ କଥା ଦେଉଛି ଦେବକୀର ଗର୍ଭଜାତ ସନ୍ତାନଗୁଡିକୁ ତୁମରି ହାତରେ ଅର୍ପଣ କରିଦେବି । ତୁମର ଯାହା ଇଛା ତାହା କରିବ । ବସୁଦେବଙ୍କ କଥା ଶୁଣି କଂସର କ୍ରୋଧ ପ୍ରଶମିତ ହେଲା । ଏହା ଫଳରେ ସେ ନିଜକୁ ନିରାପଦମଣି ଭଗନୀକୁ ବଧ କରିବା କାର୍ଯ୍ଯରୁ କ୍ଷାନ୍ତ ରହିଲା । କିନ୍ତୁ ସେ ଭଉଣୀ ଓ ତାର ପତି ବସୁଦେବଙ୍କୁ ଫେରାଇ ଆଣି ବନ୍ଦୀଶାଳାରେ ଭର୍ତ୍ତି କରିଦେଲା । ନିଜ ପିତା ରାଜା ଉଗ୍ରେସନ କାଳେ ଝିଅ ଜ୍ବାଇଁଙ୍କୁ କାରାଗାରରୁ ମୁକୁଳାଇ ନେଇଆସିବେ ଏହି ଆଶଙ୍କାରେ ସେ ପିତା ଉଗ୍ରେସନଙ୍କୁ ମଧ୍ଯ କାରାଗାର ମଧ୍ଯରେ ବନ୍ଦୀ କରି ରଖି ନିଜେ ରାଜସିଂହାସନରେ ବସିଲା । କଂସ ବଡ଼ ଦୁର୍ଦ୍ଦାନ୍ତ ପ୍ରକୃତିର ଥିଲା । ତାର ଅତ୍ଯାଚାର ସହି ନ ପାରି ଯଦୁବଂଶର ବହୁ ଲୋକ ଭୟଭୀତ ହୋଇ ଦଳ ଦଳ ହୋଇ ଅନ୍ଯ ଦେଶକୁ ପଳାଇ ଯାଇଥିଲେ । କଂସର ଅତ୍ଯାଚାର ଯୋଗୁଁ ଦେବତାମାନେ ମଧ୍ଯ ଆତଙ୍କିତ ହୋଇ ପଡିଲେ । 

  କାଳକ୍ରମେ ଦେବକୀଙ୍କ ଗର୍ଭରୁ ଗୋଟିକ ପରେ ଗୋଟିଏ ସନ୍ତାନ ଜନ୍ମ ହୋଇଥିଲେ ଏବଂ କଂସ ସଵୁ ଶିଶୁଙ୍କୁ ହତ୍ଯା କରିଥିଲା । ଦେଵକୀଙ୍କ ସପ୍ତମ ଗର୍ଭରେ ଥିଵା ଭୃଣକୁ ହରଣ କରି ନେଇ ଗୋପପୁରରେ ରହିଣୀଙ୍କ ଗର୍ଭରେ ସ୍ଥାପନ କରିବାକୁ ଶ୍ରୀଭଗବାନ ଯୋଗମାୟାଙ୍କୁ ଆଦେଶ ଦେଇଥିଲେ ଏବଂ ନନ୍ଦରାଜାଙ୍କ ପତ୍ନୀ ଯଶୋଦାଙ୍କ କନ୍ଯା ରୂପେ ନିଜେ ଜନ୍ମ ହେବାପାଇଁ ମଧ୍ଯ କହିଥିଲେ । ରୋହିଣୀଙ୍କ ଗର୍ଭରୁ ପ୍ରଥମେ ବଳରାମ ଜନ୍ମ ହେଲେ । ରୋହିଣୀ ଥିଲେ ନନ୍ଦ ରାଜାଙ୍କର ଅନ୍ଯତମ ପତ୍ନୀ ।

   ଏହାପରେ ଦେବକୀଙ୍କର ଅଷ୍ଟମ ଗର୍ଭରୁ କଂସର କାରାଗାର ମଧ୍ଯରେ ଏକ ମଙ୍ଗଳମୟ ମୁହର୍ତ୍ତରେ ଭଗବାନ ଶ୍ରୀକୃଷ୍ଣ ଭୂମିଷ୍ଠ ହେଲେ । ଦେଵକୀ ଓ ବସୁଦେଵ ଦେଖିଲେ କାରାଗାରର ରୁଦ୍ଧ ପ୍ରକୋଷ୍ଠକୁ ଉଜ୍ଜ୍ବଳ ଆଲୋକରେ ଉଦ୍ଭାସିତ କରି ସେମାନଙ୍କ ସମ୍ମୁଖରେ ସ୍ବୟଂ ବିଷ୍ଣୁ ଶଙ୍ଖ-ଚକ୍ର-ଗଦା-ପଦ୍ମ ଧରି ବିରାଜମାନ ହୋଇଛନ୍ତି । ଉଭୟ ସ୍ବାମୀ ସ୍ତ୍ରୀ ପ୍ରଣିପାତ କରି ନାନା ସ୍ତବସ୍ତୁତି କଲେ । ଭଗବାନ ସେମାନଙ୍କ ସ୍ତବରେ ସନ୍ତୁଷ୍ଟ ହୋଇ କହିଲେ- ତୁମ ଦୁହିଁଙ୍କୁ ପୂର୍ବଜନ୍ମରେ ମୁଁ କଥା ଦେଇଥିଲି ତୁମର ପୁତ୍ର ରୂପେ ଜନ୍ମ ହେଵି ଵୋଲି । ତେଣୁ ଏଜନ୍ମରେ ତୁମେ ମୋତେ ପୁତ୍ର ରୂପେ ପାଇଲ । ମୋତେ ବ୍ରହ୍ମ ଭାବି ହେଉ ବା ପୁତ୍ର ଭାବି ହେଉ ଚିନ୍ତା କଲେ ପରମ ଗତି ପ୍ରାପ୍ତ ହେବ । ଏଇ ଜନ୍ମରେ ମୋର ନାମ ହେଵ କୃଷ୍ଣ । ମୋତେ ତୁରନ୍ତ ନେଇ ଗୋପପୁରରେ ନନ୍ଦରାଜାଙ୍କ ଗୃହରେ ଯଶୋଦାଙ୍କ କୋଳରେ ଛାଡିଦେଇ ଆସ । ତାଙ୍କ କୋଳରୁ ସଦ୍ଯଜାତ କନ୍ଯାକୁ ନେଇଆସି ଏଠାରେ ରଖ । ଏହାକହି ଭଗବାନ ବିଷ୍ଣୁ ଅଦୃଶ୍ୟ ହେଲେ । 

   ଏହାପରେ ଵସୁଦେଵ ଶିଶୁକୁ ମସ୍ତକରେ ଧାରଣ କରି ବ୍ରଜଧାମ ଉଦ୍ଦେଶ୍ୟରେ ଯାତ୍ରା କଲେ । ଏହି ସମୟରେ କାରାଗାରର ଦ୍ବାର ସବୁ ଆପେଆପେ ଖୋଲିଗଲା ଏବଂ ପ୍ରହରୀମାନେ ଅଚେତ ଅବସ୍ଥାରେ ଶୋଇପଡିଲେ । ନିଶାର୍ଦ୍ଧ ସମୟ । ଅନ୍ଧକାର-ରାତ୍ରି । ଆକାଶରେ ଘଡ଼ଘଡି ଚଡ଼ଚଡି । ମୂଷଳ ଧାରାରେ ବର୍ଷା । ଵସୁଦେଵ କୃଷ୍ଣଙ୍କୁ ମଥାରେ ଧରି ଚାଲିଛନ୍ତି , ସେଇ ବର୍ଷାରେ ଏବଂ ଶିଶୁକୁ ବର୍ଷାରୁ ରକ୍ଷା କରିବା ଲାଗି ଅନନ୍ତ ନାଗ ସହସ୍ର ଫଣା ମେଲାଇ ଛତା ପରି ଢିଙ୍କି ରଖିଛନ୍ତି । ଵସୁଦେଵ ଯମୁନା ପାରିହେଵା ବେଳକୁ ବନ୍ଯାରେ ନଦୀ ଦୁଇକୂଳ ଉଛୁଳୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଵସୁଦେବ ଅକ୍ଲେଶରେ ନଦୀ ପାରି ହୋଇ ପହଞ୍ଚିଲେ ନନ୍ଦରାଜାଙ୍କ ଗୃହରେ । ସେ ଦେଖିଲେ ଯଶୋଦାଙ୍କ କୋଳରେ ଏକ ସଦ୍ଯଜାତ କନ୍ଯା ଶୋଇଛି । ସେ ଯଶୋଦାଙ୍କ କୋଳରେ ଶିଶୁରୂପୀ ଶ୍ରୀକୃଷ୍ଣଙ୍କୁ ଶୁଆଇ ଦେଇ କନ୍ଯାରୂପେ ଜନ୍ମିଥିବା ଯୋଗମାୟାଙ୍କୁ ଧରି କଂସର କାରାଗାର ମଧ୍ଯକୁ ସେହି ଅନ୍ଧକାର ରାତିରେ ଫେରି ଆସିଲେ । ଏତେ ଘଟଣା ଘଟିଗଲା ଅଥଚ ରକ୍ଷୀମାନେ କେହି କିଛି ଜାଣି ପାରିଲେ ନାହିଁ । ମାୟାର ପ୍ରଭାବରେ ସମସ୍ତେ ନିଦରେ ଢୁଳେଇ ପଡିଥିଲେ । 

   ଵସୁଦେବ କନ୍ୟାଟିକୁ ଆଣି ଦେବକୀଙ୍କ କୋଳରେ ରଖିଦେଲେ । ଶିଶୁଟିର କାନ୍ଦ ଶୁଣିପାରି ରକ୍ଷୀମାନେ ନିଦରୁ ଉଠିପଡି କଂସରାଜାଙ୍କୁ ଖବର ଦେଲେ । ନିଷ୍ଠୁର କଂସ ଧାଇଁ ଆସି କନ୍ଯାଟିକୁ ଧରି ଏକ ପଥର ଉପରେ କଚାଡି ଦେବା ମାତ୍ରେ କନ୍ଯା ଅଷ୍ଟଭୂଜା ମୂର୍ତ୍ତି ଧାରଣ କରି ଶୂନ୍ୟକୁ ଉଠିଯାଇ ଗମ୍ଭୀର ସ୍ବରରେ କହିଲେ-ରେ କଂସ,ତୋତେ ଯେ ବଧ କରିବ,ସେ ବର୍ତ୍ତମାନ ନନ୍ଦପୁରରେ ରହିଛି । ଏହା କହି ମହାମାୟା ଅନ୍ତର୍ଦ୍ଧାନ ହୋଇଯାଇଥିଲେ । 



ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର,


Rate this content
Log in

Similar oriya story from Classics