Narendra Prasad Behera

Abstract

3  

Narendra Prasad Behera

Abstract

କାହିଁକି କଲେ ଅନୁତାପ

କାହିଁକି କଲେ ଅନୁତାପ

3 mins
230



  ଆଜି ନୁହେଁ, କାଲି ନୁହେଁ, ବହୁ ପୁରାତନ କାଳରୁ ଲୋକମାନେ ଗଛପତ୍ରକୁ ପୂଜା କରି ଆସୁଛନ୍ତି । ଆଜି ବି ଘରେ ଘରେ ତୁଳସୀ, ବଟ,ଅଶ୍ବତ୍ଥ, ଅଁଳା ଓ ଚମ୍ପା ଇତ୍ୟାଦି ବୃକ୍ଷକୁ ଲୋକମାନେ ଦେବୀ ଦେବତା ମନେକରି ପୂଜା କରୁଛନ୍ତି ।

ଦୈନନ୍ଦିନ ଅଁଳା,ତୁଳସୀ ବୃକ୍ଷକୁ ଦେଖିକରି ଲୋକମାନେ ନିଜ ନିଜର ଗତି ପଥରେ ଯାଆନ୍ତି । କାରଣ ତାଙ୍କର ବିଶ୍ୱାସ ଅଛି ଏହିସଵୁ ବୃକ୍ଷକୁ ଦର୍ଶନ କରି ଘରୁ ବାହାରକୁ ଗଲେ ଶୁଭ ଦାୟକ ହୋଇଥାଏ ବୋଲି । ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ଅଛି ଘରର ଡାହାଣ ପଟେ ଚଉରା କରି ତୁଳସୀ ବୃକ୍ଷ ରୋପଣ କଲେ ଘର ତଥା ପରିବାରର ମଙ୍ଗଳ ହୋଇଥାଏ । ଆହୁରି ମଧ୍ୟ ନୂତନ ଘର,ଗଡିଆ ଓ ପୋଖରୀ ପ୍ରତିଷ୍ଠା କରିବା ସମୟରେ ଲୋକମାନେ ତୁଳସୀ ବୃକ୍ଷର ପ୍ରତିଷ୍ଠା କରିଥାନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି ଆସନ୍ତୁ ଜାଣିବା ଏକ କାହାଣୀ ବିଷୟ ।

କାହାଣୀଟି ହେଲା-- ଗୋଟିଏ ଗ୍ରାମରେ ରାମଚନ୍ଦ୍ର ବୋଲି ଜଣେ ଲୋକ ବାସ କରୁଥିଲେ । ସେ ଅତ୍ଯନ୍ତ ଧର୍ମପରାୟଣ ଓ ପରୋପକାରୀ ଥିଲେ । ତାଙ୍କ ସହିତ ତାଙ୍କ ସହଧର୍ମିଣୀ ଓ ଦୁଇପୁଅ ରହୁଥିଲେ । ଦୁଇଭାଇ ଖୁବ୍ ଆନନ୍ଦରେ ଖେଳକୁଦରେ ମାତି ସମୟ କଟାଉଥିଲେ । ରାମଚନ୍ଦ୍ର ଗାଁ ଜମିଦାରଙ୍କ ପାଖରେ ଗୋମାସ୍ତା ହିସାବରେ ରହି ଜମିଦାରଙ୍କ ଖାତା କାମ କରୁଥିଲେ । ମାସ ଶେଷରେ ସେଥିରୁ ଯାହା ମିଳୁଥିଲା ତାଙ୍କ ପରିବାରର ଗୁଜରାଣ ମେଣ୍ଟୁ ନଥିଲା । କ୍ରମେ ପୁଅମାନେ ବଡ଼ ହେଲେ । ଘରର ଖର୍ଚ୍ଚ ମଧ୍ୟ ବଢିବାକୁ ଲାଗିଲା । ବାପା ରାମଚନ୍ଦ୍ର ତା'ର କୁଡିଆ ଆଗରେ ଦୁଇଟା ବୃକ୍ଷ ରୋପଣ କରିଥିଲେ । ସେ ଗୁଡ଼ିକ ଥିଲା ନିମ୍ଵ ଓ ଅଁଳା । ସେ ପ୍ରତିଦିନ ସ୍ନାନ ସାରିବା ପରେ ଦୁଇ ବୃକ୍ଷ ମୂଳରେ ପାଣି ଢାଳେ । ପ୍ରତିଦିନ ଘରୁ ବାହାରିବା ସମୟରେ ଏଇ ଦୁଇ ବୃକ୍ଷ ମୂଳରେ ଦଣ୍ଡବତ ହୋଇ ନିଜର ଗନ୍ତବ୍ଯ ପଥରେ ଯାଏ । ସମୟ ଅତିକ୍ରମ କରିବା ସାଙ୍ଗେ ସଙ୍ଗେ ପୁଅମାନଙ୍କର ବିବାହ ବୟସ ହେଲା । ରାମଚନ୍ଦ୍ର ମଧ୍ୟ ପୁଅମାନଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ କରିଦେଲେ । ପରିବାର ବଢିବା ସଙ୍ଗେ ସଙ୍ଗେ ଘରର ଖର୍ଚ୍ଚ ମଧ୍ୟ ବଢିଲା । ବାପପୁଅ ମିଶି ଯାହା ବି ରୋଜଗାର କଲେ ସେଥିରେ ପରିବାରର ଗୁଜରାଣ ମେଣ୍ଟାଇବା କଷ୍ଟସାଧ୍ଯ ହୋଇପଡିଲା । ପୁଅମାନେ ମନେ ମନେ ସ୍ଥିର କଲେ ବାପାଙ୍କୁ କିଛି କହିବେ । ଏମିତି ଦିନେ ରାମଚନ୍ଦ୍ର ଘର ଅଗଣାରେ ବସି କ'ଣ ଚିନ୍ତା କରୁଥାନ୍ତି । ଠିକ୍ ଏହି ସମୟରେ ଦୁଇପୁଅ ବାପାଙ୍କ ପାଖରେ ପହଞ୍ଚି କହିଲେ- ବାପା ଆପଣ ଭଗବାନଙ୍କୁ ଡାକନ୍ତୁ, ସେ ଆମ ପ୍ରତି କୃପା କଲେ ଆମ ପରିବାରର କୌଣସି ଅଭାବ ରହିବ ନାହିଁ । ଆମ୍ଭେ ସୁଖ ଶାନ୍ତି ଚଳିବା । ପିଲାଙ୍କ କଥା ଶୁଣି ବାପା ରାମଚନ୍ଦ୍ର ଘରୁ ବାହାରିବା ସମୟରେ ବୃକ୍ଷ ଦେବତାଙ୍କ ଆଗରେ ପୁଅ ମାନଙ୍କର ମଙ୍ଗଳ କାମନା ସହିତ ଅନ୍ଯର ଉନ୍ନତି ବି ମାଗିଲେ । ଏପରି କିଛି ଦିନ ବିତିଯିବା ପରେ ହଠାତ୍ ଦୁଇ ପୁଅକୁ ସରକାରୀ ଚାକିରୀ ମିଳିଲା । ସେମାନଙ୍କ ପାଖରେ ବେଶ୍ ଦୁଇ ପଇସା ହେଲା । ସେମାନେ ଭଲରେ ଚଳିଲେ । ନିଜର କୁଡିଆ ଘରକୁ ଭାଙ୍ଗି କୋଠାଘର ତିଆରି କଲେ । ହେଲେ ଜାଗା ଅଭାବ ହେତୁ ଘର ଆଗରେ ପୋଟିକ କରିବା ପାଇଁ ବାପାଙ୍କୁ ନ ପଚାରି ରାମଚନ୍ଦ୍ର ପୂଜା କରୁଥିବା ଗଛ ଦୁଇଟିକୁ କାଟି ପକାଇଲେ । ଯେଉଁ ବୃକ୍ଷ ମୂଳରେ ରାମଚନ୍ଦ୍ର ଭଗବାନଙ୍କୁ ଡାକି ଘରର ମଙ୍ଗଳ କାମନା କରୁଥିଲେ, ସେହି ବୃକ୍ଷକୁ ଘରର ପୋଟିକ ନିର୍ମାଣ ପାଇଁ ଦୁଇପୁଅ କାଟି ଦେଇଥିବା ଦେଖି ରାମଚନ୍ଦ୍ର ନୀରବରେ ବସିପଡିଲା । ପୁଅମାନଙ୍କୁ କ'ଣ କହିବ ବୋଲି ତା' ପାଟିରୁ ଭାଷା କିଛି ବାହାରିଲା ନାହିଁ । କାରଣ ତା'ର ଯେଉଁ ଅଭ୍ଯାସ ଥିଲା ବୃକ୍ଷକୁ ଦଣ୍ଡବତ କରି ଘରୁ ବାହାରିବା, ତାହା ଆଉ ହୋଇ ପାରିଲା ନାହିଁ । ତା'ର ବିଶ୍ୱାସ ଉପରେ ଧକ୍କା ଲାଗିଲା । ଧୀରେ ଧୀରେ ରାମଚନ୍ଦ୍ର ବେମାର ପଡିବାକୁ ଲାଗିଲା ଏବଂ ଶେଷରେ ଆରପାରିକୁ ଚାଲିଗଲା । ରାମଚନ୍ଦ୍ରଙ୍କ ମୃତ୍ୟୁ ପରେ ପରେ ଘରର ଯାଵତୀୟ ଅଘଟଣ ଘଟିବା ଆରମ୍ଭ ହେଲା । କାରଣ ଗଛକାଟି ନିଜର ଦୁର୍ଦ୍ଦିନକୁ ଦୁଇପୁଅ ଡାକି ଆଣିଥିଲେ । ଅବଶ୍ୟ ପରେ ଦୁଇଭାଇ ନିଜର ଭୁଲ୍ ବୁଝିପାରି ବହୁତ ଅନୁତାପ କଲେ, ହେଲେ ବାପା ରାମଚନ୍ଦ୍ର ଓ ତାଙ୍କର ବିଶ୍ୱାସକୁ କେବେବି ଫେରାଇ ଆଣିପାରିଲେ ନାହିଁ ।




Rate this content
Log in

Similar oriya story from Abstract