Narendra Prasad Behera

Classics

2  

Narendra Prasad Behera

Classics

ଦସ୍ଯୁ ରତ୍ନାକର କିପରି ବାଲ୍ମୀକି

ଦସ୍ଯୁ ରତ୍ନାକର କିପରି ବାଲ୍ମୀକି

3 mins
560


    ବର୍ଷ ପରେ ବର୍ଷ ବତି କ୍ରମେ ଷାଠିଏ ହଜାର ବର୍ଷ ଅତିକ୍ରାନ୍ତ ହୋଇଗଲା । କିନ୍ତୁ ରତ୍ନାକରର ମୁଖରୁ ରାମ ନାମ ଉଚ୍ଚାରଣ ବନ୍ଦ୍ ହେଲାନାହିଁ । ରତ୍ନାକର ନିଶ୍ଚଳ ମନରେ ରାମ ନାମ ଜପ କରିବାରେ ଲାଗିଥାଏ । ରାମ ନାମରେ ମନୋନିବେଶ ହେତୁ ରତ୍ନାକର ନିଜର ସମସ୍ତ ବାହ୍ଯଜ୍ଞାନ ହରାଇ ବସିଲା । କେବଳ ରାମ ନାମ ହିଁ ତା'ର ସାର ହେଲା । ନିଶ୍ଚଳ ଭାବରେ ଦୀର୍ଘକାଳ ବସିରହିବା ଫଳରେ ରତ୍ନାକର ଦେହକୁ କେନ୍ଦ୍ରକରି ଉଇମାନେ ହୁଙ୍କା ରଚନା କଲେ । ଉଇମାନେ ରତ୍ନାକରର ସମସ୍ତ ରକ୍ତ ମାଂସକୁ ଖାଇ ଶେଷ କରିଦେଲେ । ରତ୍ନାକରର କେବଳ ହାଡକଙ୍କାଳ ମାତ୍ର ଥାଏ । ରାମ ନାମ ପ୍ରଭାବରୁ ତା' ଦେହରୁ ପ୍ରାଣ ଯାଉ ନଥାଏ । ସେହି ଉଇହୁଙ୍କା ମଧ୍ଯରୁ ରତ୍ନାକରର ରାମ ନାମ ଉଚ୍ଚାରଣ ଧୀର ଭାବରେ ଶୁଣାଯାଉଥାଏ । ଦୀର୍ଘକାଳ ବିତିଯିବା ମଧ୍ଯରେ ବହୁ ବୃକ୍ଷଲତା ଚତୁଃପାର୍ଶ୍ଵରେ ଉଠିବାରୁ ସ୍ଥାନଟି ବୃକ୍ଷଲତାରେ ମନୋରମ ହୋଇଥାଏ । ଏହିପରି ଭାବରେ ଷାଠିଏ ସହସ୍ରବର୍ଷ ବିତିଗଲା । ମର୍ତ୍ତ୍ଯଭୂମିରେ ଯାହା ଷାଠିଏ ସହସ୍ର ବର୍ଷ , ବ୍ରହ୍ମଲୋକରେ ଵ୍ରହ୍ମାଙ୍କୁ ତାହା ନିମିଷେ ସମୟ ମାତ୍ର । ବ୍ରହ୍ମଲୋକରେ ହଠାତ୍ ବ୍ରହ୍ମାଙ୍କ ମନରେ ରତ୍ନାକର କଥା ଉଦିତ ହେଲା । ରତ୍ନାକର କଥା ମନେପଡିବାରୁ ଵ୍ରହ୍ମା ସଙ୍ଗେ ସଙ୍ଗେ ଵ୍ରହ୍ମଲୋକରୁ ଆସି ରତ୍ନାକର ଯେଉଁ ସ୍ଥାନରେ ବସି ରାମ ନାମ ଜପ କରୁଥିଲା ସେହି ସ୍ଥାନରେ ଆସି ଉପସ୍ଥିତ ହେଲେ । ବହୁ ବୃକ୍ଷଲତା ପରିବେଷ୍ଟିତ ଉଇହୁଙ୍କା ମଧ୍ଯରୁ ରତ୍ନାକର ରତ୍ନାକର ଜପ କରୁଥିବା ରାମ ନାମ ବାହାରକୁ ଶୁଣାଯାଉଥାଏ । ରତ୍ନାକର ଯେ ନିଶ୍ଚଳ ଭାବରେ ବସି ନିଶ୍ଚଳ ମନରେ ରାମ ନାମ ମଧ୍ଯଗତ ହୋଇ ରାମ ନାମ ଜପ କରୁକରୁ ଉଇହୁଙ୍କାରେ ପରିଣତ ହୋଇଛି , ଅଥଚ ସେଥିପ୍ରତି ରତ୍ନାକରର ଦୃଷ୍ଟି ନାହିଁ, ଏହା ଦେଖି ବ୍ରହ୍ମା ସନ୍ତୋଷଲାଭ କଲେ । ସେ ଜାଣିପାରିଲେ ଯେ ରାମ ନାମ ଜପ କରିବା ଫଳରେ ରତ୍ନାକରର ସମସ୍ତ ପାପ ଭସ୍ମୀଭୂତ ହୋଇଛି । ବ୍ରହ୍ମା ରତ୍ନାକରକୁ ଡାକଦେଇ ଉଚ୍ଚଧ୍ବନିରେ କହିଲେ--ଆସ ରତ୍ନାକର, ଆସ ଆସ । ତୁମ୍ଭର ସମସ୍ତ ପାପ ଧ୍ବଂସପ୍ରାପ୍ତ ହୋଇଛି । ତୁମେ ବର୍ତ୍ତମାନ ନିଷ୍ପାପ ଓ ପରମଧାର୍ମିକ । ହେ ମହାତ୍ମା, ଏବେ ତୁମ୍ଭେ ମୋ ପାଖକୁ ଆସ । 

   ବ୍ରହ୍ମାଙ୍କର ଡାକ ଶ୍ରବଣକରି ରତ୍ନାକରର ଜ୍ଞାନୋଦୟ ହେଲା । ରତ୍ନାକର ହୁଙ୍କାରୁ ବାହାରି ଵ୍ରହ୍ମାଙ୍କ ସମୀପକୁ ଆସିଲାବେଳେ ରତ୍ନାକରର ଦେହରେ ସୂର୍ଯ୍ଯଙ୍କର ତେଜଭଳି ତେଜୋରାଶି ପରିସ୍ଫୁଟିତ ହେଉଥାଏ । ରତ୍ନାକର ଵ୍ରହ୍ମାଙ୍କ ସମୀପକୁ ଆସି ବ୍ରହ୍ମାଙ୍କର ଚରଣ ବନ୍ଦନା କଲେ । ପରମସ୍ନେହରେ ଵ୍ରହ୍ମା ରତ୍ନାକରକୁ କହିଲେ--ହେ ରତ୍ନାକର, ତୁମ୍ଭେ ନିଷ୍ପାପ ହୋଇ ଉଇହୁଙ୍କା ମଧ୍ଯରୁ ବାହାରି ଥିବାରୁ ତୁମ୍ଭର ଆଜି ପୁନର୍ଜନ୍ମ ହେଲା ଵୋଲି ଜାଣ । ଉଇହୁଙ୍କାର ଅନ୍ୟ ନାମ ବଲ୍ମୀକ । ତୁମ୍ଭେ ନିଷ୍ପାପ ହୋଇ ବଲ୍ମୀକ ମଧ୍ଯରୁ ବାହାରିଥିବାରୁ ଆଜିଠାରୁ ତୁମ୍ଭର ନାମ ହେଲା ବାଲ୍ମୀକି । ଏଣିକି ତୁମ୍ଭେ ଋଷିମାନଙ୍କ ମଧ୍ଯରେ ଶ୍ରଷ୍ଠ ଋଷି ହେଲ । ରାମ ନାମ ଜପକରି ରାମନାମ ପ୍ରଭାବରୁ ତୁମ୍ଭେ ଆଜିଠାରୁ ବ୍ରହ୍ମର୍ଷି ହେଲ । ଏଣିକି ଯୁଗ ଯୁଗ ଧରି ତୁମ୍ଭେ ରାମ ନାମ ଜପ କରୁଥିବ । ହେ ବ୍ରହ୍ମର୍ଷି ବାଲ୍ମୀକି, ତୁମ୍ଭେ ହିଁ ରାମାୟଣ ରଚନା କରିବ ଏବଂ ତୁମ୍ଭ ରଚିତ ସେହି ରାମାୟଣ ଗ୍ରନ୍ଥ ବାଲ୍ମୀକି ରାମାୟଣ ନାମରେ ସର୍ବଜନବନ୍ଦ୍ଯ ହୋଇ ରହିବ । ଫଳରେ ତୁମ୍ଭେ ମହାତ୍ମା ରୂପେ ସମଗ୍ର ଜଗତରେ ଖ୍ଯାତି ଅର୍ଜନ କରିବ । ବାଲ୍ମୀକିଙ୍କୁ ଏହା କହି ବ୍ରହ୍ମା ହଂସବାହନରେ ବସି ବ୍ରହ୍ମଲୋକକୁ ଗମନ କଲେ । ଏହାପରେ ବାଲ୍ମୀକି ଏକ ଆଶ୍ରମ ସ୍ଥାପନ କରି ରହିବା ପାଇଁ ଏକ ପଵିତ୍ର ସ୍ଥାନ ଖୋଜିବାରେ ଲାଗିଲେ । ଶେଷରେ ବନ ମଧ୍ଯସ୍ଥ ତମସାନଦୀ ନିକଟରେ ସେ ଗୋଟିଏ ସ୍ଥାନ ନିରୂପଣ କରି ସେଠାରେ ଏକ ଆଶ୍ରମ ସ୍ଥାପନ କଲେ ଓ ସେହିଠାରେ ରହି ରାମ ନାମ ଜପ କରିବାରେ ଲାଗିଲେ । କିଛିଦିନ ପରେ ଭରଦ୍ବାଜ ମୁନି ଆସି ମହର୍ଷି ବାଲ୍ମୀକିଙ୍କର ଶିଷ୍ୟ ହେଲେ ଓ ମହର୍ଷି ବାଲ୍ମୀକିଙ୍କୁ ଗୁରୁରୂପେ ପାଇ ଭରଦ୍ବାଜ ପରମ ସନ୍ତୋଷଲାଭ କଲେ । ଉଭୟ ଗୁରୁଶିଷ୍ଯ ସେହି ଆଶ୍ରମରେ ରହି ଫଳମୂଳ ଆହାରରେ ଜୀବନ ରକ୍ଷାକରି ରାମ ନାମ ଜପକରିବାରେ ଲାଗିଲେ ।

   ତମସାନଦୀଠାରୁ କିଛି ଦୂରରେ ବାଲ୍ମୀକି ଆଶ୍ରମ । ବଡ଼ ପବିତ୍ର ଏ ସ୍ଥଳୀ । ଏହି ଆଶ୍ରମର ଚତୁଷ୍ପାର୍ଶ୍ଵରେ ମହାରଣ୍ଯ ବ୍ଯାପି ରହିଥାଏ । ସେଠାରେ ସବୁ ସମୟରେ ଷଡ଼ଋତୁର ଶୋଭା ବିରାଜମାନ କରୁଥାଏ । ପଥକ୍ଳାନ୍ତ ପଥିକମାନେ ସେଠାରେ ପହଞ୍ଚି ସର୍ବବିଧ ଫଳମୂଳ ପାଇ ନିଜର କ୍ଷୁଧା ମେଣ୍ଟାଉଥାନ୍ତି । ବହୁ ହିଂସ୍ରଜନ୍ତୁ ଓ ଅନ୍ଯାନ୍ଯ ଜୀବ ସେହି ବନ ମଧ୍ୟରେ ବାସ କରୁଥାନ୍ତି । କିନ୍ତୁ ମହର୍ଷି ବାଲ୍ମୀକିଙ୍କ ପ୍ରଭାବ ହେତୁ ସେହି ହିଂସ୍ରଜନ୍ତୁମାନଙ୍କଠାରେ କୌଣସି ହିଂସ୍ର ଭାବ ନଥାଏ । ସବୁ ପ୍ରାଣୀ ଏକ ପରିବାରଭଳି ସେହି ମହାରଣ୍ଯ ମଧ୍ଯରେ ବାସ କରୁଥାନ୍ତି । ରାମ ନାମର ମହିମା ଅପାର । ତେଣୁ ମହର୍ଷି ବାଲ୍ମୀକିଙ୍କ ଆଶ୍ରମ ଥିବା ସେହି ମହାରଣ୍ଯ ମଧ୍ଯରେ ସର୍ବତ୍ର ଅହିଂସା ଭାବ ବିରାଜମାନ କରୁଥାଏ ।



Rate this content
Log in

Similar oriya story from Classics