Narendra Prasad Behera

Tragedy Classics

2.4  

Narendra Prasad Behera

Tragedy Classics

ମହାଭାରତ କଥା-୫

ମହାଭାରତ କଥା-୫

4 mins
389



 ଆତ୍ମହତ୍ୟା କରିବି ଆତ୍ମହତ୍ୟା କରିବି ବୋଲି ଦୁର୍ଯ୍ୟୋଧନ ପିତାଙ୍କୁ କାହିଁକି କହିଲେ । 


    ଗୁପ୍ତଚର ଦ୍ବାରା ରାଜା ଦ୍ରୁପଦ ସବୁ ଘଟଣା ଜାଣିପାରି ପାଣ୍ଡବମାନଙ୍କୁ ନିଜ ପ୍ରସାଦକୁ ନିମନ୍ତ୍ରଣ କରି ସେଠାରେ ରଖାଇଲେ । ଇତିମଧ୍ୟରେ ପାଣ୍ଡବମାନେ ବଞ୍ଚିଛନ୍ତି ଏବଂ ପାଞ୍ଚାଳ ରାଜାଙ୍କର ଅତିଥି ହୋଇ ରହିଛନ୍ତି ବୋଲି ଜାଣି ଭୀଷ୍ମ ଧୃତରାଷ୍ଟ୍ରଙ୍କୁ ସମସ୍ତ କଥା ଜଣାଇ ନିଜେ ରଥରେ ଯାଇ ଦ୍ରୌପଦୀଙ୍କ ସହିତ ସେମାନଙ୍କୁ ସସମ୍ମାନରେ ହସ୍ତିନାପୁରକୁ ନେଇ ଆସିଲେ । ତାଙ୍କର ଜ୍ଯେଷ୍ଠପୁତ୍ର ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ମାରି ଦେବାକୁ ବାରମ୍ବାର ଉଦ୍ଯତ ହେଉଥିବା ଜାଣି ଧୃତରାଷ୍ଟ୍ର ଭୀଷ୍ମଙ୍କ ସହିତ ପରାମର୍ଶ କରି ତାଙ୍କ ରାଜ୍ୟକୁ ଦୁଇଭାଗ କରିଦେଇ ପାଣ୍ଡବମାନଙ୍କୁ ଅର୍ଦ୍ଧେକ ଭାଗ ପ୍ରଦାନ କରି ଇନ୍ଦ୍ରପ୍ରସ୍ଥକୁ ପଠାଇଦେଲେ । ପାଣ୍ଡବମାନେ ହସ୍ତିନାପୁରରୁ ଯାଇ ଇନ୍ଦ୍ରପ୍ରସ୍ଥ ନଗରୀରେ ସପରିବାର ରହିବାକୁ ଲାଗିଲେ । ସେଠାରେ ସୁଖ ସମୃଦ୍ଧି ମଧ୍ୟରେ ଥାଇ ଯୁଧିଷ୍ଠିର ଏକ ରାଜସୂୟ ଯଜ୍ଞକରିଥିଲେ । ଯେଉଁଥିରେ ଅନେକ ଋଷିମୁନି ଓ ମାନ୍ଯଗଣ୍ଯ ରାଜା ଯୋଗ ଦେଇଥିଲେ ଏବଂ ବ୍ରାହ୍ମଣମାନଙ୍କୁ ଅନେକ ଧନରତ୍ନ ଦାନ କରାଯାଇଥିଲା । ଏସବୁ କଥା ଗୁପ୍ତଚର ଦ୍ବାରା ଦୁର୍ଯ୍ୟୋଧନର କର୍ଣ୍ଣଗୋଚର ହୁଅନ୍ତେ ସେ ଆହୁରି ଅଧିକ ଈର୍ଷାନ୍ବିତ ହୋଇ ପଡିଥିଲା ଏବଂ କିପରି ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟରୁ ବିତାଡିତ କରିବ, ଏଥିରେ ତାର କୁଚକ୍ରୀ ମାମୁଁ ଶକୁନି ସହିତ ମନ୍ତ୍ରଣା କରିଥିଲା । ଶକୁନି ଜଣେ ଖଳ ପ୍ରକୃତିର ବ୍ଯକ୍ତି ଥିଲେ । ସେ କହିଲେ, ଯୁଧିଷ୍ଠିର ଖୁବ୍ ପଶାଖେଳପ୍ରିୟ । କିପରି କପଟ କୌଶଳ ପ୍ରୟୋଗ କରି ପଶାଖେଳରେ ଜିତିବାକୁ ହୁଏ, ସେଇ ବିଦ୍ଯାଟି ମୋତେ ଖୁବ୍ ଭଲ ଭାବରେ ଜଣାଅଛି । ସୁତରାଂ ଏକ ପଶାଖେଳର ଆୟୋଜନ କରି ତୁମ ପିତାଙ୍କର ଅନୁମତି ନେଇ ପାଣ୍ଡବମାନଙ୍କୁ ନିମନ୍ତ୍ରଣ କର । 

    ଏହାପରେ ଦୁର୍ଯ୍ୟୋଧନ ଓ ଶକୁନି ଦୁହେଁ ଯାଇ ରାଜା ଧୃତରାଷ୍ଟ୍ରଙ୍କ ନିକଟରେ ପହଞ୍ଚିଲେ ।ଶକୁନି ରାଜାଙ୍କୁ ସମ୍ଵୋଧନ କରି କହିଲେ, ହେ ରାଜନ୍ , ତୁମର ପ୍ରିୟ ପୁତ୍ର ଦୁର୍ଯ୍ୟୋଧନ ଯୁଧିଷ୍ଠିରଙ୍କର ରାଜସୂୟ ଯଜ୍ଞର ବିବରଣୀ ଶୁଣି ଘୋର ବିଷାଦଗ୍ରସ୍ତ ଅବସ୍ଥାରେ ରହିଛି । ପାଣ୍ଡବମାନଙ୍କର ସୁଖସମୃଦ୍ଧି ହିଁ ତୁମ ପୁତ୍ରର ଅଶାନ୍ତିର କାରଣ ବୋଲି ଜାଣ । ଏକ ପଶାଖେଳରେ ସେମାନଙ୍କୁ ହରାଇ ସେମାନଙ୍କର ସମସ୍ତ ଐଶ୍ୱର୍ଯ୍ୟ ଓ ବିଭବ ଲୋପ କରିଦେବା ପାଇଁ ସେ ଚାହୁଁଛି । ତେଣୁ ଏକ ପଶାଖେଳର ଆୟୋଜନ କରିବା ପାଇଁ ଆପଣ ଅନୁମତି ଦିଅନ୍ତୁ । ଏହା ଶୁଣି ସାରିବା ପରେ ଅନ୍ଧରାଜା କହିଲେ, ବର୍ତ୍ତମାନ ତୁମେ ଯାହା କହିଲ ସେ ସମ୍ପର୍କରେ ବିଚାର କରିବାକୁ ଵିଦୁର ସହିତ ପରାମର୍ଶ କରି ଯାହାକିଛି ନିଷ୍ପତ୍ତି ଗ୍ରହଣ କରିବି । ଏତିକିବେଳେ ଦୁର୍ଯ୍ୟୋଧନ କ୍ରୋଧାନ୍ବିତ ହୋଇ କହିଉଠିଲା, ହେ ପିତା, ତୁମେ ଯାହାଙ୍କ ସହିତ ପରାମର୍ଶ କରିବାକୁ ଯାଉଛ, ସେ ମୋତେ ଆଦୌ ସ୍ନେହ କରନ୍ତି ନାହିଁ । ସେ ପାଣ୍ଡବମାନଙ୍କୁ ଖୁବ୍ ଭଲପାନ୍ତି । ପଶାଖେଳ କରିବା ପାଇଁ ସେ ଆଦୌ ରାଜି ହେବେ ନାହିଁ । ଆଉ ଆପଣ ଯଦି ଏଥିଲାଗି ଅନୁମତି ନ ଦେବେ , ତା' ହେଲେ ମୁଁ ନିଶ୍ଚୟ ଆତ୍ମହତ୍ୟା କରିବି । ଧୃତରାଷ୍ଟ୍ର ଜନ୍ମାନ୍ଧ ଥିବା ସହିତ ପୁତ୍ରମୋହରେ ମଧ୍ୟ ଅନ୍ଧ ଥିଲେ । ସେ ଦୁର୍ଯ୍ୟୋଧନ ମୁହଁରୁ ଆତ୍ମହତ୍ୟା କଥା ଶୁଣି ବିଚଳିତ ହୋଇ ପଡିଲେ ଏବଂ ପଶାଖେଳରେ ଵସିବା ପାଇଁ ପାଣ୍ଡବମାନଙ୍କୁ ଡାକି ଆଣିବା ସକାଶେ ବିଦୁରଙ୍କୁ ତତକ୍ଷଣାତ୍ ଆଦେଶ ଦେଲେ । ବିଦୁର ଏହା ଶୁଣି ଧୃତରାଷ୍ଟ୍ରଙ୍କୁ କହିଲେ, ହେ ଭ୍ରାତ, ତୁମେ ଏପରି ଏକ ଖେଳ ପାଇଁ ଅନୁମତି ଦେଇ ମସ୍ତବଡ଼ ଭୁଲ କାମ କରିବାକୁ ଯାଉଛ, ଯାହାକି ଆମମାନଙ୍କର କୁଳନାଶର ଏକ କାରଣ ହେବ । ଦୁର୍ଯ୍ୟୋଧନ ରାଗିଯାଇ ତଳେ ପାଦ କଚାଡିବାରେ ଲାଗିଥାଏ ଏବଂ ମୁଁ ଆତ୍ମହତ୍ୟା କରିବି, ମୁଁ ଆତ୍ମହତ୍ୟା କରିବି ଵୋଲି ଚିତ୍କାର କରୁଥାଏ । ଧୃତରାଷ୍ଟ୍ର ବିଦୁରଙ୍କ କଥା ପ୍ରତି କର୍ଣ୍ଣପାତ ନ କରି ଆଦେଶ ଦେଲେ , ତୁମେ ଏଇ ମୁହୂର୍ତ୍ତରେ ଯାଇ ପାଣ୍ଡବମାନଙ୍କୁ ପଶାଖେଳିବା ପାଇଁ ଡାକି ଆଣ ।

    ଜ୍ଯେଷ୍ଠଭ୍ରାତାଙ୍କର ଆଦେଶ ପାଳନ କରି ବିଦୁର ଭଗ୍ନ ହୃଦୟରେ ଯାଇ ପହଞ୍ଚିଲେ ଇନ୍ଦ୍ରପ୍ରସ୍ଥ ନଗରୀରେ ଏବଂ ପଶାଖେଳରେ ଯୋଗଦେବା ପାଇଁ ଧୃତରାଷ୍ଟ୍ରଙ୍କ ଆଦେଶ କଥା ପାଣ୍ଡବମାନଙ୍କୁ ଜଣାଇଲେ । ଯୁଧିଷ୍ଠିର ତାଙ୍କ ପିତୃବ୍ଯ ଧୃତରାଷ୍ଟ୍ରଙ୍କୁ ଖୁବ୍ ଭକ୍ତି କରୁଥିଲେ । ତେଣୁ ତାଙ୍କ ଆଦେଶକୁ ଅମାନ୍ୟ ନ କରି ସେ ଦ୍ରୌପଦୀ ଓ ଅନ୍ଯ ଭାଇମାନଙ୍କ ସହିତ ଆସି ହସ୍ତିନାପୁରେ ଦ୍ଯୁତକ୍ରୀଡା ସ୍ଥଳରେ ପହଞ୍ଚିଲେ । ସେମାନଙ୍କୁ ଦେଖି ଦୁର୍ଯ୍ୟୋଧନ ଘୋଷଣା କରି କହି ଉଠିଲା, ମୋ ପକ୍ଷରୁ ମୋର ମାମୁଁ ଶକୁନି ଖେଳରେ ବସିବେ । ଏପରି ଏକ ଅନୈତିକ ପଶାଖେଳର ଆଦୌ ପକ୍ଷପାତୀ ନ ଥିବା ପିତାମହ ଭୀଷ୍ମ ଏବଂ ବିଦୁରଙ୍କ ଛଡା ଦ୍ରୋଣ, କୃପ ଓ କର୍ଣ୍ଣ ଆଦି ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଓ ସଭାସଦଗଣ ସେଠାରେ ଉପସ୍ଥିତ ରହିଥାନ୍ତି । ଶକୁନିଙ୍କ ସହିତ ଖେଳରେ ବସି ଯୁଧିଷ୍ଠିର ପ୍ରତ୍ୟେକ ପାଳିରେ ହାରିଯିବାରେ ଲାଗିଲେ ଏବଂ ଖେଳରେ ସର୍ବସ୍ବାନ୍ତ ହୋଇ ଶେଷରେ ସେମାନଙ୍କର ଧର୍ମପତ୍ନୀ ପ୍ରାଣପ୍ରିୟା ଦ୍ରୌପଦୀଙ୍କୁ ମଧ୍ୟ ହରାଇ ବସିଲେ । ପଶାକାଠି ଚାଳନାରେ କପଟ କୌଶଳ ପ୍ରୟୋଗ କରି ଶକୁନି ଯୁଧିଷ୍ଠିରଙ୍କୁ ହରାଇଦେଇ ଅପଦସ୍ଥ କଲେ । ଦୁର୍ଯ୍ୟୋଧନ ଆନନ୍ଦରେ ଉଲ୍ଲସିତ ହୋଇ ତା' ତଳ ସାନଭାଇ ଦୁଃଶାସନକୁ ଆଦେଶ ଦେଲା ରାଜମହଲକୁ ଯାଇ ଦ୍ରୌପଦୀଙ୍କ ଚୁଟି ଧରି ସଭାକକ୍ଷକୁ ଟାଣି ଆଣିବା ଲାଗି । ଦୁର୍ଯ୍ୟୋଧନର ଆଦେଶ ପାଳନ କରି ଦୁଃଶାସନ ଏପରି କରିବାକୁ ଉଦ୍ଯତ ହେଉଥିବା ଦେଖି ଦ୍ରୌପଦୀ କାତର ହୋଇ ବଡ଼ ମା' ଗାନ୍ଧାରୀଙ୍କ ଆଶ୍ରୟ ନେବାକୁ ଧାଇଁ ଯାଇଥିଲେ । କିନ୍ତୁ ଦୁଃଶାସନ ସେଠାରେ ପହଞ୍ଚି ବଳ ପ୍ରୟୋଗ ପୂର୍ଵକ ଦ୍ରୌପଦୀଙ୍କ କେଶ ଧରି ଘୋଷାରି ଘୋଷାରି ଆଣି ସଭାଗୃହରେ ପହଞ୍ଚାଇଲା । ସେଠାରେ ସର୍ବସମକ୍ଷରେ ଦ୍ରୌପଦୀଙ୍କୁ ବିବସ୍ତ୍ର କରିବାକୁ ଦୁର୍ଯ୍ୟୋଧନ ଆଦେଶ ଦେଲା । ସଭାରେ ଉପସ୍ଥିତ ଥିବା କେହି ଜଣେ ହେଲେ ପ୍ରତିବାଦ କଲେ ନାହିଁ । ଦୁଃଶାସନ ଦ୍ରୌପଦୀଙ୍କ ଶରୀରରୁ ବସ୍ତ୍ର କାଢିବାକୁ ଉଦ୍ଯତ ହେଉଥିବା ଦେଖି ଦ୍ରୌପଦୀ ଚିତ୍କାର କରି ତାଙ୍କୁ ରକ୍ଷା କରିବା ଲାଗି ପତିମାନଙ୍କୁ ଡାକିଥିଲେ । କିନ୍ତୁ ପାଞ୍ଚଭାଇ ନତମସ୍ତକ ହୋଇ ବସି ରହିବାରୁ ଦ୍ରୌପଦୀ ଅସହାୟ ଅବସ୍ଥାରେ କାନ୍ଦି କାନ୍ଦି ଉପରକୁ ଦୁଇ ବାହୁ ତୋଳି ଡାକି ଛାଡିଲେ, ହେ ଗୋବିନ୍ଦ ମୋତେ ରକ୍ଷା କର, ମୋର ନାରୀତ୍ବ ବଞ୍ଚାଅ । ଏତିକିବେଳେ ଏକ ଅଲୌକିକ ଘଟଣା ଘଟିଲା । ଶୂନ୍ୟରୁ ଅବିଚ୍ଛିନ୍ନ ଭାବରେ ବସ୍ତ୍ରମାନ ଖସିଆସି ଦ୍ରୌପଦୀଙ୍କ ଶରୀରରେ ଗୁଡେ଼ଇ ହୋଇଯିବାକୁ ଲାଗିଲା । ଦୁଃଶାସନ ଶାଢି ଟାଣି ଟାଣି ଥକି ପଡିଲା । ସେଠାରେ ପାହାଡ ପରି ବସ୍ତ୍ର ହୋଇଗଲା । ଦ୍ରୌପଦୀଙ୍କୁ ବିବସ୍ତ୍ର କରି ପାଣ୍ଡବମାନଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟ ଦୁର୍ଯ୍ୟୋଧନର ପଣ୍ଡ ହୋଇଗଲା । ଏତିକିବେଳେ କ୍ରୋଧରେ ଜର୍ଜରିତ ହୋଇ ଭୀମ ଗର୍ଜନ କରି କହିଉଠିଲେ, " ଆରେ ପାପୀ ଦୁର୍ଯ୍ୟୋଧନ, ତୋର ମରଣ ବେଳ ପାଖେଇ ଆସିଲା । ଆଗାମୀ ଦିନରେ ଯଦି ହୁଏ, ତା' ହେଲେ ମୁଁ ଦୁଃଶାସନର ଛାତି ଫାଡି ରକ୍ତ ପିଇବି ଓ ମୋ ଗଦାରେ ତୋର ଉରୁ ଭଙ୍ଗ କରି ତୋତେ ଧରାଶାୟୀ କରି ଯମପୁରକୁ ପଠାଇବି । ମୋ ପ୍ରତିଜ୍ଞା ଅନ୍ଯଥା ହେବ ନାହିଁ । " ଏହି ସମୟରେ ଭୀଷ୍ମ ଧାଇଁ ଆସି ଧୃତରାଷ୍ଟ୍ରଙ୍କୁ ସମ୍ବୋଧନ କରି କହିଲେ, ହେ ଅନ୍ଧରାଜା , ତୁମେ ତୁମର କୁଳାଙ୍ଗାର ପୁତ୍ରମାନଙ୍କୁ ଏପରି ଅନୈତିକ କାର୍ଯ୍ୟ କରିବାକୁ ପ୍ରଶୟ ଦେଇ କୁଳନାଶ ଘଟଣାକୁ ଡାକି ଆଣୁଛ । ପାଣ୍ଡବମାନେ ପଶାଖେଳରେ ହାରିଯାଇଥିବା ସବୁକିଛି ତୁରନ୍ତ ଫେରାଇ ଦେଇ ସେମାନଙ୍କୁ ମୁକ୍ତ କର ।

    କ୍ରମଶଃ....


Rate this content
Log in

Similar oriya story from Tragedy