ହୋଲି କାହିଁକି ପାଳନ କରାଯାଏ
ହୋଲି କାହିଁକି ପାଳନ କରାଯାଏ


ଆସ କିଛି ଜାଣିବା...........୧୪୫
ହୋଲି କାହିଁକି ପାଳନ କରାଯାଏ
ଭାରତ ପର୍ବପର୍ବାଣିର ଦେଶ ଅଟେ । ଭାରତୀୟ ହିନ୍ଦୁମାନେ ବେଶି ପର୍ବପର୍ବାଣି ପ୍ରିୟ ଅଟନ୍ତି । ବର୍ଷକ ବାରମାସ ଛଅ ଋତୁ । ଏହି ଛଅ ଋତୁରେ ଭାରତୀୟମାନେ ବିଭିନ୍ନ ମାସର ହିନ୍ଦୁ କ୍ଯାଲେଣ୍ଡର ଓ ପଞ୍ଜିକା ଅନୁସାରେ ପଡୁଥିବା ପର୍ବପର୍ବାଣି ପାଳନ କରିଥାନ୍ତି । ସେଥମଧ୍ଯରୁ ହୋଲି ପର୍ବ ଅନ୍ଯତମ । ଏହି ପର୍ବ ବସନ୍ତ ଋତୁରେ ପଡିଥାଏ । ଫଗୁଣ ମାସ ପୂର୍ଣ୍ଣିମାରେ ପଡୁଥିବାରୁ ଏହାକୁ କେହି କେହି ଫଗୁ ପୂର୍ଣ୍ଣିମା ବୋଲି ମଧ୍ୟ କହିଥାନ୍ତି । ଯେହେତୁ ବସନ୍ତ ଋତୁରେ ଏହି ପର୍ବ ହୋଲି ବା ଦୋଳଯାତ୍ରା ପଡେ ସେଥିପାଇଁ ବସନ୍ତ ଋତୁର ଏଇ ଖେଳକୁ ଭାଷା,ବର୍ଣ୍ଣ,ଲିଙ୍ଗ,ପ୍ରାନ୍ତ ଓ ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧାଗୋବିନ୍ଦଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇ ଦିନ ସବୁ ବିମାନଙ୍କୁ ଦୋଳମଣ୍ଡପରେ ବସାଇ ପାଞ୍ଚଦିନ ବ୍ଯାପୀ ପୂଜାର୍ଚ୍ଚନା କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା-ବାଦିପାଲା,ଯାତ୍ରା, ସର୍କସ ଖେଳ, ବିଭିନ୍ନ ସମାଜସେବୀ, ସାମାଜିକ ଅନୁଷ୍ଠାନ ଓ ସରକାରଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ଯାଦି ଅନୁଷ୍ଠିତ ହୋଇଥାଏ । ନାଚ,ଗୀତ ଓ ବାଦ୍ଯରେ ହୋଲି ମଣ୍ଡପ ବା ହୋଲି ପଡିଆ ମୁଖରିତ ହୋଇଉଠେ । ପୁନେଇ ଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଏହା ପରଦିନ ରଙ୍ଗଖେଳ ହୋଇଥାଏ । ଏଇ ଖେଳ ଏତେ ଲୋକପ୍ରିୟ ହୋଇଥାଏ ଯେ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ଏହାର ଆନନ୍ଦ ନେଇଥାନ୍ତି ।
ଓଡ଼ିଶାର ଦୋଳଯାତ୍ରା
ଓଡ଼ିଶାରେ ବାସକରୁଥିବା ଓଡ଼ିଆ ମାନେ ବର୍ଷକ ବାର ମାସ ଓ ଛଅ ଋତୁରେ ହିନ୍ଦୁ ପଞ୍ଜିକା ଓ କ୍ଯାଲେଣ୍ଡର ଅନୁସାରେ ପଡୁଥିବା ପର୍ବପର୍ବାଣି ଗୁଡିକୁ ପାଳନ କରିଥାନ୍ତି । ସେଥିମଧ୍ୟରୁ ହୋଲି ପର୍ବ ବା ଦୋଳଯାତ୍ରା ଅନ୍ଯତମ । ଏହି ପର୍ବ ଫାଲଗୁନ ପୂର୍ଣ୍ଣିମାରେ ପଡୁଥିବାରୁ ଏହାକୁ ଫଗୁ ପୂର୍ଣ୍ଣିମା ବୋଲି ବି କୁହାଯାଇଥାଏ । ଏହି ପର୍ବ ଫଗୁ ଦଶମୀରୁ ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ଯରେ , ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ଯକ୍ତି ବ୍ଯକ୍ତି ମଧ୍ୟରେ ଏକ ସ୍ନେହ ସଦଭାବ ଓ ପାରମ୍ପାରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ । ଦ୍ବାଦଶ ଶତାବ୍ଦୀର ଓଡ଼ିଆ ଜ୍ଯୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସମ୍ପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମତି ହୁଏ ଯେ ଅତି କମରେ ଦୀର୍ଘ ପ୍ରାୟ ଆଠଶହ ବର୍ଷତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରା ଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷ ହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅ ଦୋଳ ଏବଂ ଯେଉଁଠି ନଅ ଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବ ଦୋଳ ବୋଲି କୁହାଯାଏ । ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି। ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।