STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ଭାବଗ୍ରାହୀ

ଭାବଗ୍ରାହୀ

4 mins
200


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାର ତୁଳନା ନାହିଁ। ଭକ୍ତଙ୍କ ଭାବାବେଗକୁ ସଠିକ ଭାବରେ ବେଶ୍ ବୁଝନ୍ତି ସେ। ସେଥିପାଇଁ ତ ନାମ ବହିଛନ୍ତି ଭାବଗ୍ରାହୀ। ପତିତଜନଙ୍କୁ ଉଦ୍ଧାର କରିବା ପାଇଁ ଉଡୁଛି ତାଙ୍କର ପତିତପାବନ ବାନା। ବରଷକେ ଥରେ ସେ ନିଜର ନୀଳ କନ୍ଦରରୁ ଓହ୍ଲାଇ ଆସନ୍ତି ବଡଦାଣ୍ଡକୁ କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ, ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ରଥଯାତ୍ରାର ପାବନ ଅବସରରେ। ବେଶ୍ ଗହଳି ପ୍ରିୟ ଆମ କଳା ଠାକୁର। ଗହଳି ନଲାଗିଲେ ମନ ତାଙ୍କର ବିରସ ହୋଇଯାଏ।

ତାଙ୍କର ମହିମା ଯେତେ ବଖାଣିଲେ ବି ସରେ ନାହିଁ। ସେ ଅସରନ୍ତି କିମ୍ବଦନ୍ତୀ ଓ କାହାଣୀର ଭଣ୍ଡାର। ଅନେକ ମତବାଦ ଏବଂ ପନ୍ଥର ସମାଗମ ଘଟିଛି ତାଙ୍କରି ପାଖରେ। ଯାହାର ଯେଉଁ ଭାବ ତାହାକୁ ସେହି ଭାବରେ ସେ ଦର୍ଶନ ଦିଅନ୍ତି। ସାଧାରଣ ଭାବେ ଇତିହାସର ପୃଷ୍ଠା ରାଜା ମହାରାଜାଙ୍କ କାହାଣୀରେ ପୂର୍ଣ୍ଣ। କିନ୍ତୁ ପୁରୁଷୋତ୍ତମ କ୍ଷେତ୍ରର ଇତିହାସ ଭକ୍ତଙ୍କ ମହିମାରେ ମହିମା ମଣ୍ଡିତ। ଗଣପତି ଭଟ୍ଟଙ୍କ ଠାରୁ ଆରମ୍ଭ କରି ସାଲବେଗଙ୍କ ପର୍ଯ୍ୟନ୍ତ ବେଶ୍ ପ୍ରଶସ୍ଥ ଏବଂ ସୁଦୀର୍ଘ ଏହି ଫର୍ଦ୍ଦ।

ଆମ ଗାଁର ପିତେଇ ମାଉସୀ। ଏତେ ବଡ଼ ଦୁନିଆଁରେ ତାର ଜଗନ୍ନାଥଙ୍କ ବିନା ନିଜର ବୋଲି ଦ୍ବିତୀୟ କେହି ନାହାଁନ୍ତି। ପର ଘରେ ପାଇଟି କରି ପେଟ ପୋଷେ ନିଜର। ଯାହି ତାହି ଶାଗ ପଖାଳରେ ଚଳିଯାଏ ତାର ଦିନ। ହେଲେ ଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ ତାର ମନ ସଦାସର୍ବଦା ବ୍ଯାକୁଳ। ଜଗନ୍ନାଥଙ୍କ ନାମ ଶୁଣିବା ମାତ୍ରେ ଭାବ ବିହ୍ୱଳିତ ହୋଇ ପଡେ ମାଉସୀ। ଜୀବନରେ ତାର ଜଗନ୍ନାଥ ଦର୍ଶନ ବାଦ ଆଉ କିଛି ଅଭିଳାଷା ନାହିଁ। ହେଲେ ପୁରସ୍ତମ ଯିବା ପାଇଁ ତାର ସମ୍ବଳ ନାହିଁ।

ପିତେଇ ମାଉସୀର ଜଗନ୍ନାଥଙ୍କ ଉପରେ ବଡ଼ ଅଭିମାନ। ବୟସ ଆସି ଚାରି କୋଡ଼ି ହେଲାଣି କିନ୍ତୁ ଥରୁଟିଏ ମଧ୍ୟ ପୁରସ୍ତମ କ୍ଷେତ୍ରର ଡ଼ୋରି ଲଗିଲା ନାହିଁ ତାର। କେତେ କାକୁତି ମିନତି ହୁଏ ଲୋକଙ୍କ ପାଖରେ ତାକୁ ଟିକେ ପୁରୀ ନେଇ ତା ଜଗା ସହ ଭେଟ କରାଇଦେବା ପାଇଁ। ହେଲେ ସଭିଏଁ ତାକୁ ପାଗେଳୀ କହି ତାଚ୍ଛଲ୍ୟ କରନ୍ତି ସିନା ତା'ର ଏଇ ଆଶା କେହି ବି ପୁରଣ କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।

ଠାକୁର ଘରେ ସଞ୍ଜ ସକାଳରେ ଆଳତି ପାଇଁ ବସିଥିବ ସବୁ ବେଳେ। ଯେତେ ଯାହା କାମ ଥିଲେ ବି ସବୁ ପଛରେ ପକାଇ ସେ ହାଜର ହୋଇ ଯାଏ ଠାକୁର ଘରେ। ମୁଣ୍ଡିଆ ମାରିବା ସମୟରେ ଗୁଣୁଗୁଣୁ ହୋଇ କେତେ କଣ କହେ ଠାକୁରଙ୍କୁ କେହି ଜାଣନ୍ତି ନାହିଁ। ବହକାଲିଆ ପିଲାଏ ତାକୁ ଏଥିପାଇଁ ବହୁତ ଥଟ୍ଟା କରନ୍ତି ହେଲେ ତାର ଏସବୁ ପ୍ରତି ନିଘା ନଥାଏ। ସିଏ ଭଲ ତ ତାର ଜଗା ଭଲ। ଆଉ କାହା ସହ ତାର ସମ୍ପର୍କ ବା କଣ? ଏଇ ଦୁନିଆ ଯାହା ଭାବିଲେ ଭାବୁ ତାର ବା କି ଯାଏ? କେବେ କେବେ ସେ ବହକାଲିଆ ପିଲାମାନଙ୍କୁ ପ୍ରତ୍ୟୁତ୍ତରରେ କହେ, "ମୋ ଜଗାର ହାତ ଗୋଡ଼ ନଥାଇ ଯଦି ସେ ଚାଲି ପାରୁଛି, ପାଟି ନଥାଇ ଯଦି ଷାଠିଏ ପଉଟି ଖାଇପାରୁଛି ମୁଁ କାହିଁକି ତାକୁ ଦେଖି ପାରିବି ନାହିଁ?" ବୁଢୀ ମାଉସୀ କଥାର ଉତ୍ତର କାହାରି ପାଖରେ ନଥାଏ। ଅଗତ୍ୟା ସଭିଏଁ ନିଜ ନିଜର ରାସ୍ତାରେ ଚାଲିଯାଆନ୍ତି।

ବେଳେ ବେଳେ ପିତେଇ ମାଉସୀର ମନରେ କ୍ଷୋଭ ଆସେ। ମନେ ମନେ ତାର ଜଗାକୁ ପଚାରେ, "ତୁ ସିନା ଭାବକୁ ନିକଟ ଅଭାବକୁ ଦୂର। ମୁଁ ତ ନିହାତି ଅଭାବୀ ମଣିଷଟିଏ, ସେଇଥିପାଇଁ ମୋତେ କି କରି ଦେଲୁ ପର?" କିନ୍ତୁ କେବେ ବି ତାକୁ ଜଗାର ଉତ୍ତର ମିଳେ ନାହିଁ। ତଥାପି ତା ମନରେ ଦୃଢ଼ ବିଶ୍ବାସ ଦିନେ ନା ଦିନେ ତାର ଜଗା ସହ ଭେଟ ହେବ ଶିରି କ୍ଷେତ୍ରରେ।

କେତେ ଦିନ ବା ଆଉ ଜଗନ୍ନାଥ ଖେଳି ଥାନ୍ତେ ଲୁଚକାଳି ପିତେଇ ମାଉସୀ ସହ? ତରଳିଗଲା ତାଙ୍କର ହୃଦୟ ସରଳ ନିଷ୍କପଟ ପିତେଇ ମାଉସୀ ପାଇଁ। ହାରିଗଲେ ମହାପ୍ରଭୁ ତାର ନିର୍ଭେଜାଲ୍ ଭକ୍ତି ଆଗରେ। ବଡ଼ ଠାକୁର ତାଙ୍କ ବଡପଣରେ ଲଗାଇ ଦେଲେ ଡୋରି ଏଥର ପିତେଇ ମାଉସୀର। ଟାଣିଆଣିଲେ ତାକୁ ନିଜ ପାଖକୁ, ଶିରିକ୍ଷେତ୍ରକୁ। ଆପଣା ସହ ଭେଟ କରାଇବାକୁ। ଟଙ୍କ ତୋରାଣି ନିର୍ମାଲ୍ଯ ଅବଢ଼ା ଟିକେ ଶ୍ରଦ୍ଧାରେ ଖୁଆଇ ଦେବାକୁ।

ସେବର୍ଷ ରଥଯାତ୍ରା ସମୟରେ ବସିବା ଜାଗାରୁ ଉଠି ଧାଇଁଲା ପିତେଇ ମାଉସୀ ତାର ଜଗାକୁ ଦେଖିବାକୁ। ଗାଁ ଦାଣ୍ଡରେ ଦଳେ ଭକ୍ତ ଯାଉଥିଲେ ସଂକୀର୍ତ୍ତନ କରି କରି ପୁରସ୍ତମ ଧାମ। ସେମାନଙ୍କ ସହ ମାଉସୀ ଚାଲିଲା ପୁରୀ। କେତେ ବେଳେ ପହଞ୍ଚିଲା ତାକୁ ଜଣା ନାହିଁ। ବଡଦାଣ୍ଡରେ ତିନି ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବାକୁ ପ୍ରସ୍ତୁତ। ଅସମ୍ଭବ ଗହଳି, ସୋରିଷ ମୁଠାଏ ପକାଇବାକୁ ବି ଜାଗା ନାହିଁ। ହେଲେ ତାର ଜଗା କାହିଁ? କେଉଁଠି ଭେଟିବ ତାର ଜଗାକୁ?

ଘଣ୍ଟ ଘଣ୍ଟା କାହାଳୀ ମାଦଳର ଶବ୍ଦରେ ଫାଟିପଡୁଛି ସମଗ୍ର ପରିବେଶ। ହରିବୋଲ ହୁଳହୁଳିରେ କାନ ଅତଡା ପଡୁଛି। ଡାହୁକ ଡାକୁଛି ତୁହାକୁତୁହା। ଭାବ ବିହ୍ୱଳ ଭକ୍ତଙ୍କ ଠେଲାପେଲାରେ ଉଛୁଳି ଉଠୁଛି ବଡଦାଣ୍ଡ। ଏତେ ଲୋକଙ୍କ ମଧ୍ୟରେ କେଉଁଠି ବା ପିତେଇ ମାଉସୀ ପାଇବ ତାର ଜଗାକୁ? ଏମିତି ଭାବୁ ଭାବୁ କାନ୍ଦି ପକାଇଲା ସେ। ଉପାୟଶୂନ୍ୟ ହୋଇ ସଭିଙ୍କୁ ପଚାରୁଥାଏ ସେ, "ମୋ ଜଗାକୁ କେଉଁଠି ଦେଖିଛ କି? ମୋତେ ଟିକେ କୁହ ମୁଁ ବି ଦେଖିବି..."

ଯେତେବେଳେ ବଡଦାଣ୍ଡକୁ ଆସିଲାଣି ଆଉ କଣ ସେ ଫେରିଯିବ ତାର ଜଗାକୁ ନଭେଟି? କେବେ ଏମିତି କଣ ହୋଇପାରେ? କେଜାଣି କାହିଁକି ମନ ମାନୁ ନଥିଲା ପିତେଇ ମାଉସୀର। ଜଗାକାଳିଆ ବଡ଼ ଛଳିଆ! ଘର୍ଘର ନାଦ କରି ତିନି ରଥ ଗଡୁଥାଏ ବଡ଼ଦାଣ୍ଡରେ। ପିତେଇ ମାଉସୀ ଭିଡ଼ ଭିତରେ ହଜିଯାଇଥାଏ। ସନ୍ଧ୍ୟା ପୂର୍ବରୁ ତିନି ରଥ ପହଞ୍ଚିଗଲେ ଶରଧାବାଲିରେ। ଏଠି ବି ଭିଡ଼। ବେଳକୁ ବେଳ ବଢ଼ୁଥାଏ ସିନା କମିବାର ନାଁ ଧରୁ ନଥାଏ।

ଆରମ୍ଭ ହେଲା ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ। ଜନ ସମୁଦ୍ରରେ ମାଉସୀ ଭାସି ଭାସି ଯାଉଥାଏ ଗୁଣ୍ଡିଚା ମନ୍ଦିର ଭିତରକୁ। ମନ୍ଦିର ପାଖରେ କର୍ତ୍ତବ୍ୟରତ ଜଣେ ଆରକ୍ଷୀ ଅଧିକାରୀଙ୍କର ନଜର ପଡିଲା ମାଉସୀ ଉପରେ। ନେତ୍ରହୀନ ବୁଢୀଟିଏ ଦୁଇ ହାତ ଉପରକୁ କରି ମାଡି ଚାଲିଛି ଆଗକୁ ଆଗକୁ। ତତକ୍ଷଣାତ୍ ତା ପାଖକୁ ଯାଇ ହାତ ଧରି ଭିଡ଼ ଭିତରୁ ବାହାରକୁ ନେଇ ଆସିଲେ ଆଉ ବିରକ୍ତ ହୋଇ ପଚାରିଲେ, "ମାଉସୀ, ତୋର ତ ଆଖି ନାହିଁ। କାହାକୁ ଦେଖିବାକୁ ଏ ଭିଡ଼ ଭିତରେ ଏମିତି ମାଡ଼ିଯାଉଛୁ? ଦଳାଚକଟାରେ ତୋର କିଛି ହୋଇଗଲେ କିଏ ବୁଝିବ?"

ମାଉସୀ ହସି ହସି କହିଲା, "ମୋର ସିନା ଆଖି ନାହିଁ, ମୋ ଜଗାର କେଡ଼େ କେଡ଼େ ଚକା ଆଖି। ମୁଁ ତାକୁ ନଦେଖି ପାରିଲେ ନାହିଁ। ସେ ତ ମୋତେ ଦେଖିବ ନା...."

ବିସ୍ଫାରିତ ନେତ୍ରରେ ପିତେଇ ମାଉସୀକୁ ଚାହିଁ ରହିଥିଲେ ଆରକ୍ଷୀ ଅଧିକାରୀ ଆଉ ମନେ ମନେ ଭାବୁଥିଲେ ନଟନାଗରଙ୍କ ବିଚିତ୍ର ଲୀଳା ବିଷୟରେ। ପିତେଇ ମାଉସୀର କଥାରେ ତାଙ୍କର ଧ୍ୟାନ ଭଗ୍ନ ହେଲା। ମାଉସୀ ପଚାରୁଥିଲା,"ପୁଅରେ, ପାରିବୁକି କହି ମୋ ଜଗା କୋଉଠି?"

ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ ଆରକ୍ଷୀ ଅଧିକାରୀ ଜଣକ। ମାଉସୀର ହାତ ଧରି ଭିଡ଼ ଆଡେଇ ନେଇଗଲେ ତାକୁ ଆଡ଼ପ ମଣ୍ଡପ ପାଖକୁ। ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖାଇ ଦେଇ କହିଲେ, "ମାଉସୀ, ଦେଖ୍ ତୋ ଜଗାକୁ!" ଏକଥା ଶୁଣି ମାଉସୀ ନାଚି ଉଠିଲା ଖୁସିରେ। ମୁଖରେ ତାର ଫୁଟି ଉଠିଲା ଅନିର୍ବଚନୀୟ ଆନନ୍ଦର ଲହରୀ। ଅନ୍ତର୍ମନରେ ଦର୍ଶନ ଲାଭ କରି ମାଉସୀ ଭୁଲିଯାଇଥିଲା ଚର୍ମ ଚକ୍ଷୁ ନଥିବାର ଦୁଃଖ।

ଏହି ଲୀଳା ଅବଲୋକନ କରି ଯୋଡ଼ହସ୍ତରେ ଆରକ୍ଷୀ ଅଧିକାରୀ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା ପୂର୍ବକ କହୁଥିଲେ;

"ହେ ଭାବ ବିନୋଦିଆ

କାଳିଆ ଠାକୁର

ତୁମ ମହିମା ଅପାର

ତୁମେ ଅଗତିର ଗତି

ମୁହିଁ ମୂଢ଼ ମତି

କ୍ଷମା କର ବାରେ

ଆହେ କାଳିଆ ଠାକୁର...."



Rate this content
Log in

Similar oriya story from Classics