Nityananda Nandi

Classics Inspirational

3.4  

Nityananda Nandi

Classics Inspirational

ବଡ'ମା

ବଡ'ମା

5 mins
352


ବଡମା ଙ୍କ ଦେହ ହାତ ଥରୁଥାଏ, ମେଲେରିଆ ବୋଧେ। ବାଉଳି ଚାଉଳି ହେଉଛି ସେ ସକାଳ ପାଖରୁ। ଭାରି ଡରି ଗଲି। କଲେକ୍ଟର ଅଫିସରେ ବଡ ବାବୁଙ୍କ ସହିତ ଟିକେ ପରିଚୟ ଥିବାରୁ ତାଙ୍କୁ କହିଛି ଆମ୍ବୁଲାନ୍ସ ପଠେଇବା ପାଇଁ। କୋରାପୁଟ କିମ୍ବା ଜୟପୁର ସଦର ହସ୍ପିଟାଲକୁ ନେଇ ଯିବାକୁ ହେବ। ଘଣ୍ଟାଏ ଭିତରେ ଆମ୍ବୁଲାନ୍ସ ଆସିବ ବୋଲି ପ୍ରତିଶୃତି ଦେବାରୁ ମୁଁ ଟିକିଏ ନିଶ୍ଚିନ୍ତ ହେଲି। ଓଦା ପଟି ବାନ୍ଧିଦେଲି ତା ମୁଣ୍ଡ ଉପରେ। ମୁଁ ଆଉ ବଡମା, ଆମ ପରିବାର ମାନେ ଆମେ ଦୁଇ ଜଣ। ଅଙ୍ଗନବାଡ଼ି ସୁପରଭାଇଜର ରୂପେ ମୁଁ କାମ କରେ ବୋରିଗୁମ୍ମା ବ୍ଲକରେ। ଆନ୍ଧ୍ରପ୍ରଦେଶ ବୋର୍ଡରକୁ ଲାଗି ଆମ ଗାଁ। ପାଣି ଭାରି ଦୂଷିତ ବୋଲି ସମସ୍ତେ କହନ୍ତି। ପ୍ରାୟ ସମସ୍ତେ କିଡନୀ ରୋଗରେ ଆକ୍ରାନ୍ତ ସେଇ ଗାଆଁରେ। ଆମ ପରିବାରରେ ଆମେ ଦୁଇ ଜଣ ବାକି ଅଛୁ। ସମସ୍ତେ ଗଲେଣି, ଏଇ ଗୋଟାଏ ରୋଗରେ ଆକ୍ରାନ୍ତ ହୋଇ କି। ମୁଁ ସେଇ ଭୟରେ ଦଶ ବର୍ଷରୁ ଅଧିକ ହେବ ଗାଆଁ କୁ ଯାଇନି। ବଡ ମା ପାଞ୍ଚ ବର୍ଷ ହେଲା ମୋ ପାଖରେ ରହୁଛି। ଏଇ ଅତିକ୍ରାନ୍ତ ବୟସରେ ଇଚ୍ଛା ଆଉ ହୁଏନି, ସେ ଗାଆଁରେ ରହୁ ବୋଲି। କିଡନୀ ରୋଗକୁ ମୋର ଭାରି ଭୟ। ତା ଛଡା ମୋ ପାଖରେ ରହିଲେ ମୋତେ ଲାଗେ ଯେମିତି ମୋ ବାପା ବୋଉ ମୋ ସାଥିରେ ଅଛନ୍ତି। ସକାଳୁ ଉଠି ଗାଧୋଇ ପଡି ଚିତା ଚୈତନ୍ୟ କାଟି ଦୁଇ ତିନୋଟି ଥାଲକୁଡ଼ି ପତ୍ର ଚୋବେଇ ପାଣି ପିଏ। ତା ପରେ ମୁଁ କଣ ଖାଇବି, ମୁଁ କଣ ପିଇବି ସବୁ ବ୍ୟବସ୍ଥା କରେ ମୋ ପାଇଁ ମୋ ବଡମା , ନିଜ ଖାଇବା କଥା କିଛି ବୁଝେନି କେବେ। ନିଜ ରକ୍ତରେ ନ ହେଲେ ବି ସମ୍ପର୍କ ଟାକୁ ନିଜର କରିବାକୁ ରକ୍ତ କଥା ଜମାରୁ ଆସେନି, ଖାଲି ଇଚ୍ଛା ଶକ୍ତି ଥିଲେ ହେଲା। ସ୍ନେହ ମମତାର ପୃଥିବୀ କେତେ ଅଲଗା, ପରିଧି ଶୂନ୍ୟ ଏକ ଅନୁଭବ। ଆମ୍ବକସି ପରି ମହକେ। ମୋ ବୋଉ ଠୁ ବି ଏତେ ସ୍ନେହ ପାଇ ନ ଥିଲି ମୁଁ। କାମକୁ ବାହାରିବା ଆଗରୁ ମୋ ମୋପେଡ କୁ ପୋଛି ଚକ୍ ଚାକ୍ କରିଦିଏ। ଲଞ୍ଚ ବାକ୍ସଟାକୁ ଝୁଲେଇ ଦିଏ ଗାଡି ହେଣ୍ଡେଲ ଉପରେ। ଗାଡି ଷ୍ଟାର୍ଟ କଲା ବେଳକୁ ମୋ ଗାଲ କୁ ଟାଣି ଚାରି ପାଞ୍ଚ ଥର ଚୁମା ଖାଏ ମୋ ବଡମା। ଲାଗେ ଯେମିତି ଆନ୍ଧ୍ର ପ୍ରଦେଶର କିଛି ସଂସ୍କାର ଆମ ଓଡ଼ିଶାକୁ ଡେଇଁ ଆସିଛି। ଗାଡି ଷ୍ଟାର୍ଟ କରି ଆଗେଇଲା ବେଳକୁ ପଛରୁ ମୋ ବଡମା ଡାକ ଛାଡେ, ଆଲୋ ଡାବ ପିଇବାକୁ ଭୁଲିବୁନି। ପେଟ ଗରମ ହେଇଛି ବୋଲି କହୁଥିଲୁ କାଲି ରାତିରେ। ପଛରୁ ବଡମା ଡାକିଲେ ଲାଗେ ଯେମିତି ମୋ ବୋଉ ଡାକୁଛି। ଶବ୍ଦରେ ଯାଦୁ ଥିଲେ କୁସୁମିତ ହୋଇଯାଏ ମନଟା, ମନରେ ମହକ ଥିଲେ ସମ୍ପର୍କଟା ମିଠା ମିଠା ଲାଗେ। ଆମ ଦୁଇ ଜଣଙ୍କୁ ନେଇ ହସ ଖୁସିର ପୃଥିବୀଟିଏ ଗଢିଛି ମୋ ବଡମା ଆମ୍ବୁଲାନ୍ସ ଆସିନି, ବଡ ମା ଶୋଇ ଯାଇଛି, ଶୋଇ ଥାଉ। ବଡମା ର ବିଗ ସପର ବେଗ ଦେଖି ଚମକି ପଡିଲି, ନିଜ ଜିନିଷ ପତ୍ର ଗୋଛେଇଛି ବୋଧେ। ଶିବ ରାତିରେ ଗାଁରେ ମେଳା ବସେ। ଯିବ ବୋଲି କହୁଥିଲା । ସତରେ କଣ ଗାଆଁକୁ ଚାଲିଯିବ ସେ। ଏଇ ଅବସ୍ଥାରେ କେମିତି ଯିବ ! ଉଠି ଯାଇ ବେଗଟାକୁ ଢାଳି ଦେଲି। ଏଁ, ଇନଲେଣ୍ଡ ଲେଟର। ଗାଆଁ କୁ ଯାଇ ଚିଠି ପଠେଇବ ବୋଲି ଆଗୁଆ ଚିଠି ଲେଖିଛି ମୋ ନାଆଁ ରେ। ତା ଛଡା ଆମ ଗାଆଁ ରେ ପୋଷ୍ଟ ଅଫିସ ନାହିଁ। ଇନଲେଣ୍ଡ୍ ଲେଟର କିଣନ୍ତା ବା କୋଉଠୁ ? କଲମ ମାଗିବ କାହାଠୁ ? ଭାରି ଚତୁରୀ ମୋ ବଡ ମା। ପଢିଲି ବସି ତା ଚିଠିକୁ

ଉର୍ମି !

ସ୍ନେହ ନେବୁ, ଭଲରେ ପହଞ୍ଚିଲି। ମୋ ଦେହ ଭଲ ଅଛି। ଆଶାକରେ ତୁ ଭଲରେ ଥିବୁ। ତୋ ବାପା ବୋଉର ଶ୍ରାଦ୍ଧ ଏଇ ମାସରେ। ଚାରି ବର୍ଷ ହେଲା ଘରେ ଚାବି ପଡ଼ିଛି। ଲୋକେ କଣ କହିବେ। ଏ ବର୍ଷ ଘର ଲିପା ପୋଛା କରି ସେମାନଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିବି। ଦଶ ଜଣ ହରିଜନ, ବ୍ରାହ୍ମଣକୁ ଡାକି ଦହି ଚୁଡ଼ା ଖାଇବାକୁ ଦେବି। ଚେଷ୍ଟା କରିବୁ ଆସିବାକୁ। ଆମ ଗାଁ ପାଣି କୁ ତୋର ଭାରି ଭୟ। ତେଣିକି ତୋ ଇଚ୍ଛା। 

ଉର୍ମି ! ହସ କଥାଟିଏ ମନେ ପଡ଼ିଲା। ତୋ ବୋଉ ଓ ମୁଁ ନୂଆ ନୂଆ ବାହା ହୋଇ ଆସିଥାଉ। ମାସକୁ ଥରେ ଆମେ ସିନେମା ଦେଖି ଯାଉଥିଲୁ। ପଇସା ଗୋଟାଇବା କାଠିକର ପାଠ ଥିଲା ସେ ସମୟରେ। ତୋ ବୋଉ ଚୋରି କରୁଥିଲା ତା ବାପା ପକେଟରୁ, ମୁଁ ଚୋରି କରୁଥିଲି ତୋ ବଡ'ବାଙ୍କ ପକେଟ୍ ରୁ। ସେ ପୁଣି ପାଞ୍ଚ ପଇସା, ଦଶ ପଇସାର ଚୋରି। ଭାରି ଗରିବ ଥିଲୁ ଆମେ ସେତେବେଳେ। ତୋ ବୋଉ ଟା ଭାରି ମୂର୍ଖି ଥିଲା, ପାଠ ଘର ଶୂନ୍ୟ। ପଢି ପାରେନି, ମୁଁ ପୋଷ୍ଟର ଦେଖି ଆସି ତାକୁ କହିବି , କୋଉ ସିନେମା ଲାଗିଛି। ତୋ ଛୁଆ ବେଳ କଥା। ମନେ ଥିବ କି ନା କେଜାଣି। ତୋତେ ନେଇ ଆମେ ଆମେ "ଫୁଲ ଚନ୍ଦନ" ସିନେମା ଦେଖିବାକୁ ଯାଇଥିଲୁ। ତୁ, ମୁଁ ଆଉ ତୋ ବୋଉ। ମୋଟ ଆଠ ଟଙ୍କା ଥିଲା ଆମ ଦୁଇ ଜଣଙ୍କ ପାଖରେ, ଦୁଇ ଟଙ୍କା କମ୍ ପଡୁଥିଲା ତୋ ପାଇଁ। ଅଧା ଟିକେଟ। ପ୍ରଥମ ଶ୍ରେଣୀରେ ପଢ଼ୁଥିଲୁ ତୁ। ଦଶ ବର୍ଷ ରୁ କମ ହବନି ତୋ ବୟସ ସେତେବେଳକୁ। ତୋ ଚେହେରା ବି ଥିଲା ଡଉଲ ଡାଉଲ, ସେତେବେଳେ। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଟିକେଟ ଲାଗୁ ନ ଥିଲା। କଣ କଲି ଜାଣିଛୁ, ଭିତରକୁ ପଶିଲା ବେଳେ ତୋତେ କାଖେଇ ନେଲି। ଶୁଣିଥିଲି ,କାଖରେ ଥିଲେ ଟିକେଟ ଲାଗେନି। ଗାର୍ଡ ମୁଚୁକା ମାରି ହସୁଥିଲା, ତୁ ଲାଜରେ ମୁହଁ ବୁଲେଇ ନେଲୁ। ହେ ହେ ତୋ ବୋଉ, ବାପା, ବଡ ବାପା ସମସ୍ତଙ୍କ ସମାଧି ଉପରୁ ରଙ୍ଗ ଛାଡି ଗଲାଣି। ଚୁନ ପାଣି କରି ଲେପିବି, ଶ୍ରାଦ୍ଧ ଆଗରୁ। ଚିଠି ଲେଖିବା ଭାରି କଷ୍ଟ ଲୋ ଉର୍ମି। ମୋ ପାଇଁ ଛୋଟିଆ ଫୋନ ଟିଏ କିଣି ଦିଅନ୍ତୁନି। ହଁ, ସବୁଦିନ ଗୋଟାଏ ଲେଖାଏଁ ଡାବ ପି'ବୁ ରହିଲି, ତୋ ବଡମା। ଏତେ କଥା ମୋର ମନେ ନାହିଁ। ଭାରି ଇଚ୍ଛା ହେଲା, ବଡମା ଠିକ୍ ହୋଇଗଲେ ବୋରିଗୁମ୍ମା ସିନେମା ହଲକୁ ନେଇଯିବି। ଜହ୍ନମାମୁଁ ପତ୍ରିକାର ପ୍ରତିଟି ଗଳ୍ପରେ କାଳ୍ପନିକ ଚରିତ୍ର ସବୁ ମନକୁ ଚୋରେଇ ନିଅନ୍ତି, ପୁରୁଣା ଜହ୍ନମାମୁଁ କୁ ଖୋଜି ଖୋଜି ପଢୁଥିବା ମୋ ବଡ ମା ର ଚରିତ୍ର କିନ୍ତୁ କାଳ୍ପନିକ ନୁହେଁ। କେତେ ଜୀବନ୍ତ କଥା ଲେଖିଛି ତା ଚିଠିରେ। ଗ୍ରାମ୍ୟ ସଭ୍ୟତା, ପାରିବାରିକ ସଂସ୍କାର ସବୁ କିଛି। ଦୁଇ ଟୋପା ଲୁହ ନିଗିଡ଼ି ଆସିଥାଏ ମୋ ଗାଲ ଉପର ଦେଇ ବଡ ବାବୁଙ୍କ ଫୋନ ଆସିଲା। ଆମ୍ବୁଲାନ୍ସ ଡ୍ରାଇଭରକୁ ମେଲେରିଆ ହେଇଛି। ତମେ ତମ ବଡ ମା ଙ୍କୁ ବୋରିଗୁମ୍ମା ଡାକ୍ତରଖାନାରେ ଦେଖେଇ ଦିଅ।

ବଡମା ଙ୍କ ଦେହରେ ହାତ ବୁଲେଇଲି, ଖଇଫୁଟା ଜ୍ଵର। ପାଖ ଘର ଠେଲା ରିକ୍ସାକୁ ଡାକିଲି। ବଡ ମା ପାଖରେ ସେଦିନ ଅଧା ଟିକେଟ ପାଇଁ ପଇସା ନ ଥିଲା ବୋଲି ମୋତେ କାଖରେ ଧରି ସିନେମା ଘର ଭିତରକୁ ନେଇ ଯିବା କଥା ମନେ ପଡିଲା। ଶତ ସିଂହର ବଳ ମୋ ଭିତରେ ପଶି ଆସିଲା ଯେମିତି, କୁଆଡୁ କେଜାଣି। ବଡ ମାକୁ ଗୋଟେ ନିଃଶ୍ୱାସ ରେ ଉଠେଇ ଥୋଇଦେଲି ପଟା ରିକ୍ସା ଉପରେ। ଡାକ୍ତର କହିଲେ, "ସବୁ ଠିକ୍ ଅଛି। ଗୋଟେ ଇଞ୍ଜେକସନ ର କରାମତି ଦେଖ। ତାଙ୍କ ଚେତା ଫେରି ଆସିଛି। ଔଷଧ ଲେଖି ଦେଇଛି। ସବୁ ଠିକ୍ ହୋଇଯିବ ତିନି ଦିନରେ।" ମୋତେ ଦେଖି ବଡ ମା ହସି ଦେଲା। ଠିକ୍ ଅଛି ବଡମା ! ଏଥର ଗାଆଁ କୁ ଯାଇ ବାପା ବୋଉର ଶ୍ରାଦ୍ଧ ପାଳିବା, ରଙ୍ଗ ଲଗେଇବା ସେମାନଙ୍କ ସମାଧିରେ। ହରିଜନ ଓ ବ୍ରାହ୍ମଣଙ୍କୁ ଡାକି ଦହି ଚୂଡା ଖୁଏଇବା। ତୋ ପାଇଁ ଛୋଟିଆ ମୋବାଇଲ ଫୋନ କିଣି ଦେବି ବଡମା।

ଏବେ ଖୁସି ତ ! ବଡମା ଜିଭ କାମୁଡି ପକେଇଲା। ବୋଧେ ଭାବୁଥିଲା," ମୋ ଚିଠିଟା ଆଉ ଉର୍ମି ପଢି ନେଲା କି" ?

ଫେଁ କରି ହସି ଦେଲି ମୁଁ ମୋ ବଡ ମା ଆଗରେ।"

ଆଜି ମୁଁ ଅନେକ ଦିନ ପରେ ଗାଆଁ କୁ ଆସିଛି, ବଡମା ଙ୍କ ସମାଧି ଉପରେ ଧଳା ରଙ୍ଗ ଲଗାଉଥିଲି, ତାଙ୍କ ଶ୍ରାଦ୍ଧ ଆଜି। କିଡନୀ ରୋଗରେ ସେ ବି ଚାଲିଗଲା। ସିନେମା ଦେଖିଲା ପରି ସେଦିନ ଘଟିଥିବା ଘଟଣା ସବୁ ଆଖି ଆଗରେ ନାଚି ଯାଉଥିଲା।  ଏହା ଭିତରେ ମୋ ବାହାଘର ହେଇ ଯାଇଥାଏ ବାଲେଶ୍ଵର ସହର ରେ ଜଣେ ସ୍ଥାନୀୟ ଯୁବକ ସହିତ। ମୋ ବାହାଘର ଦେଖିବା ପାଇଁ ଆମ ଘରେ ଆଉ କେହି ବଞ୍ଚି ନ ଥିଲେ, ଦେଖିବ ଦେଖିବ କହି ବଡମା ବି ଚାଲିଗଲା। କେତେ ଭୟଙ୍କର ଏଇ କିଡନୀ ରୋଗଟା ! ମୁଁ କହିଲି ସବୁ କଥା ମୋ ସ୍ବାମୀଙ୍କୁ, ସେ ରାଜି ହୋଇଗଲେ କିଛି କରିବେ ବୋଲି। ପଚାରିଲି ବହୁତ ପଇସା ଲାଗିବ ନା ! କହିଲେ, "ପାଗଳୀ ! ସମସ୍ତଙ୍କୁ ଦିନେ ନା ଦିନେ ଯିବାକୁ ହୁଏ, ପଇସା ଛାଡି ଦେଇଗଲେ ସମ୍ପର୍କୀୟ ଜଣେ ଦୁଇ ଜଣ ସିନା ଭାରି ଖୁସି ହୁଅନ୍ତି, କେହି ଜାଣି ପାରନ୍ତି ନି କେତେ ଛାଡ଼ିଗଲେ। ସମାଜ ପାଇଁ କିଛି କରିଗଲେ କିନ୍ତୁ ଯୁଗ ଯୁଗ ପାଇଁ କଥାଟି ରହିଯାଏ"। ପଚିଶ ଲକ୍ଷ ଖର୍ଚ୍ଚ କରି ଆମେ ଦୁହେଁ ୱାଟର ପ୍ରୋସେସିଙ୍ଗସ ପ୍ଲାଣ୍ଟ ବସେଇ ଦେଇଛୁ ଆମ ଗାଁ ରେ। ଆପାତତଃ ଏଇ କିଡନୀ ରୋଗରେ ଆଉ କେହି ମରିବେ ନାହିଁ। ମନ ଦେଇ ପୂଜା କଲି ମୋ ବଡମା ଙ୍କ ସମଧିକୁ। ବଇଠା ଜାଳି ଭୂମିଷ୍ଠ ପ୍ରଣାମ କଲି । ସମାଧି ଉପରେ କାଉଟିଏ ବସି ପଡି କା କା ରଡି ଛାଡିଲା। ଏଇ ବୋଧେ ମୋ ବଡମା !

ଅମାନିଆ ଦୁଇ ଟୋପା ଲୁହ ଆଖି ବନ୍ଧ ଡେଇଁ ଆସିଲା ମୋ ଓଠ ପର୍ଯ୍ୟନ୍ତ ପୁଣି ଥରେ ମନେ ପଡିଗଲା , ମୋତେ କାଖେଇକି ସିନେମା ଘରକୁ ନେଇ ଯିବା କଥାଟା କାନ୍ଦୁ କାନ୍ଦୁ ହସି ପକେଇଲି ।


Rate this content
Log in

Similar oriya story from Classics