Nityananda Nandi

Classics Inspirational

4  

Nityananda Nandi

Classics Inspirational

ବଡ ଝିଅ...

ବଡ ଝିଅ...

5 mins
252


 


ଗୋରା ତକ୍ ତକ୍ ଝିଅଟି, ନାଁ ଝରଣା। 

ବାପା ମା ଅତି ଶ୍ରଦ୍ଧାରେ ନାଁ ଟି ରଖିଛନ୍ତି ବୋଧେ !! 


ଝରଣା କିନ୍ତୁ କଳ କଳ ନାଦ କରି ଏତେ ଦୂର ଆଗେଇ ଆସିଛି ଯେ ସେ ଆଉ ଫେରି ପାରୁନି । ନଦୀଟିଏ ଚାହିଁ ଲେ ବି କଣ ଫେରିପାରେ , ପ୍ରଥମରୁ ହିଁ ବାଛି ନେଇଥାଏ ଅଫେରା ରାସ୍ତାକୁ। 

ସାତୋଟି ଫଗୁଣ ବିତେଇଚ୍ଛି ଝରଣା ସୌଦାମିନୀଙ୍କ ଘରେ। ଘୋର ଯୌବନ ଭିତରେ ପାଦ ଥୋଇଛି ସେ, ମନ ଭିତରେ ପୂର୍ବପରି ଆଉ ସ୍ଥିରତା ନାହିଁ। ବୟସର ଉତ୍ତାପରେ ମନ ଆଉ ହୃଦୟ ତରଳି ଯାଏ, ସବୁ ଘଟିଯାଏ ଅଜାଣତରେ, ଝରଣା କିଛି ବୁଝିପାରେ, କିଛି ବୁଝି ପାରେନି।


ସାତ ବର୍ଷ ତଳର କଥା। ସୌଦାମିନୀ ଜିଦ୍ କଲେ ସୁବ୍ରତଙ୍କ ପାଖରେ, ଝିଅଟିଏ ଦେଖ ।ଆମ ପ୍ରଭାକୁ କାଖେଇବ, ଖେଳେଇବ। ମୋ ଦେହରେ ଜମାରୁ ବଳ ନାହିଁ, ଝିଅକୁ କଣ କାଖରେ ଧରି ବୁଲି ପାରିବି !!


ଅଚାନକ ଛୋଟ ଝିଅ ଝରଣାର ପ୍ରବେଶ ଅନେକ ବଦଳେଇ ଦେଲା ସୌଦାମିନୀଙ୍କ ଜୀବନକୁ।


ନିଜ ଝିଅ ପ୍ରଭାର ଯତ୍ନ ନେଉଥିବା ଝରଣା କେତେବେଳେ କେଜାଣି ନିଜ ଝିଅଠୁ ବଳି ଯାଇଛି ସୌଦାମିନୀଙ୍କ ନଜରରେ, ସେ ନିଜେ ବି ବୁଝିବାକୁ ଚେଷ୍ଟା କରି ନାହାନ୍ତି। ସ୍ନେହ, ଶ୍ରଦ୍ଧାର ହିସାବ ଅଲଗା। କିଛି ବାଦଲ ଆକାଶକୁ ଲାଖି ରହେ ଯେତେ ବାଆ ବତାସ ଆସୁ ନା କାହିଁକି !!! ସ୍ନେହର ଶକ୍ତିକୁ ମାପି ହୁଏନି, ଅଠା କାଠି ପରି ଲାଖିଯାଏ, ମନ ପିପାସୁ ହୃଦୟଟା ଠିକ ସେମିତି। ଝରଣା ଅତି ପ୍ରିୟ ସୌଦାମିନୀ ଙ୍କ ଜୀବନରେ ...


ଝରଣା, ପ୍ରଭା କୁ ନେଇ ସୌଦାମିନୀ ଓ ସୁବ୍ରତଙ୍କ ଛୋଟ ପରିବାର। ଭରପୁର ଉପଭୋଗ କରିଛନ୍ତି ପ୍ରତିଟି ମୁହୂର୍ତ୍ତକୁ। ପ୍ରଭା ର ହାତ ଧରି ଚାଲିବା ଠୁ ଆରମ୍ଭ କରି ହାତ ଛାଡି ଚାଲିବା ଭିତରେ ଅନେକ କୁହା ଅକୁହା କଥା ଘଟି ଯାଇଛି ସେମାନଙ୍କ ଭିତରେ। ସବୁ କଥା ମିଶିଯାଇ ଉପନ୍ୟାସଠୁ କମ ନୁହେଁ ସେମାନଙ୍କ ଜୀବନର ଗପ ସବୁ।



ସବୁଦିନ ସମାନ ଯାଏ ନି, ସାତ ଆଠ ବର୍ଷ ପରେ ଆଜି ଝରଣା କୁ ଫେରି ଯିବାକୁ ହେଵ ତା ଘରକୁ, ଡାକରା ଆସିଛି।


ଆଜି ବିଦାୟ ବେଳାଟି ସୌଦାମିନୀ ଙ୍କୁ କଷ୍ଟ ନ ଦେବ ବା କିପରି। ଝରଣାର ବାପା ମା ଖବର ପଠେଇ ଛନ୍ତି କାଲି ଭୋର ବସରେ ତାକୁ ପଠେଇ ଦିଅ। ବସ୍ତିରେ ବାର ଲୋକ ବାର କଥା ହେଉଛନ୍ତି। ତାକୁ କିଛି ଦିନ ଘରେ ରଖିବୁ। ବର ଖୋଜିବୁ ତା ପାଇଁ, ବଡ ହେଲାଣି !!!!


ପର ଝିଅ, କିଛି କହିବାର ଅଧିକାର ନ ଥିଲା ସୌଦାମିନୀଙ୍କ ପାଖରେ। ବହୁ କଷ୍ଟରେ ମନକୁ ବୁଝେଇ ଶୁଝେଇ ସଂଜରୁ ପ୍ରସ୍ତୁତ ହେଲେ ଝରଣାର ବିଦାୟ ପର୍ବ ପାଇଁ। ସବୁଠୁ କଷ୍ଟ ଥିଲା ପ୍ରଭା କୁ କଣ କହି ବୁଝେଇବେ, ଦିଦି ସବୁଦିନ ପାଇଁ ଚାଲି ଯାଉଛି ବୋଲି !!  


ଆଙ୍ଗୁଳି ଧରି ଚଲା ଶିଖେଇଥିବା ମଣିଷଟିଏ ହାତ ଛାଡି ଚାଲି ଯିବାର ଯନ୍ତ୍ରଣାଟି ବୋଧେ କ୍ଷତ ବିକ୍ଷତ କରେ ଅଜାଣତରେ। ପ୍ରୀତିପୂର୍ଣ୍ଣା, ରସମୟୀ ରାତି ଅପସରି ଗଲେ ପୃଥିବୀକୁ କଷ୍ଟ ହୁଏ। କୋଳଟା ଫାଙ୍କା ଫାଙ୍କା ଲାଗେ। ବୁଝି ପାରେନି ଅଚାନକ ପୃଥିବୀଟା, ଏମିତି କଣ ଘଟିଗଲା। ରାତି ସହ ସମ୍ପର୍କ କଣ ଗୋଟେ ଦିନ ପାଇଁ ଚୁକ୍ତି !!!! ସବୁକିଛି ଜଳିଯିବା ପରେ ଭିତରେ ବଞ୍ଚିଥିବା ଅବଶିଷ୍ଟ ନିଆଁ ବେଶି କଷ୍ଟ ଦିଏ।

ସେମିତି କଷ୍ଟ ପାଇବ ପ୍ରଭା, ଝରଣା ଚାଲିଯିବା ପରେ।


ରାତି ଆଠଟା, ଝରଣା ପ୍ରଭାକୁ ଗୀତ ଗାଇ ଗାଇ ଶୁଏଇ ଦେଲା, ଝରଣା ଗୀତ ଗାଇଲେ ପ୍ରଭା ଶୋଇଯାଏ। ଝରଣା ବହୁ କଷ୍ଟରେ ଶେଷ ଗୀତଟିଏ ଗାଇଲା ପ୍ରଭା ପାଇଁ। ପ୍ରଭା କିଛି ଜାଣିନି, ଶୋଇଗଲା ନିର୍ଭୟରେ, ସବୁଦିନ ପରି। ନୀଳ ଟିକିଲି ପାଇଁ ପ୍ରଭା ର ଦୁର୍ବଳତା। ନୀଳ ଟିକିଲି ପାକେଟ ସେ କିଣିଛି ପ୍ରଭାପାଇଁ। ପ୍ରଭା ର ତକିଆ ତଳେ ରଖି ଦେଇ ଆସିଲା ସେ, କିଛି ଦିନ ପିନ୍ଧିବ, ମନେ ରଖିବ ଦିଦି କୁ ସବୁଦିନ ପାଇଁ। ଝରଣାକୁ ଆଖି ଦଳି ଦଳି ଘରୁ ବାହାରି ଆସିବାର ଦେଖି, ନିଜକୁ ସମ୍ଭାଳି ପାରିଲେନି ସୌଦାମିନୀ। ବାରଣ୍ଡାକୁ ଯାଇ ଲୁଗା କାନିରେ ଆଖି ପୋଛି ହେଲେ।


ଘର ଭିତରକୁ ପଶି ଆସି ଅତି ନିର୍ଦ୍ଦୟ ଭାବେ ପ୍ରଭା ଶୋଇଥିବା ଘର କବାଟ କୁ ବନ୍ଦ କରିଦେଲେ ବାହାର ପଟୁ। ପ୍ରଭାର ଦୁଃଖ ତାଙ୍କ ପାଇଁ ଅସହ୍ୟ ହେବ। ସେ ଜାଣି ନ ପାରୁ, ଝରଣା ଦିଦି ଚାଲି ଯିବ ବୋଲି !! କାନ୍ଦିବ, ବହୁତ କଷ୍ଟ ହେବ ସୌଦାମିନୀ ଙ୍କୁ। 

ସେ ସେମିତି ଶୋଇଥାଉ, ସକାଳେ ଉଠି ପଚାରିଲେ କହିବି, ଝରଣା କୁ ବାଘ ଖାଇ ଯାଇଛି !!! ଅତି ନିଷ୍ଠୁର ହେବାର ଅଭିନୟ ନ କଲେ ଅଡ଼ୁଆ ଏଇ ସମ୍ପର୍କର ଗପଟି ଆହୁରି ଦିଶାହୀନ ହୋଇଯିବ। ସୁନାମୀ ଆସି ଚାଲିଯାଉ, କାହାର କିଛି କ୍ଷତି ନ ହେଉ !! ଆଖିର କୋହ ଆଖିରେ ଶୁଖି ଗଲେ କିଛି ଫରକ୍ ପଡେନି ଦୁନିଆକୁ। ନିଜ ଦୁଃଖକୁ ନିଜେ ହଜମ କରି ପାରିବା ଭିତରେ ହିଁ ସବୁ ସଫଳତା ଛୁପି ରହିଥାଏ ବୋଲି, ପ୍ରଥମ ଥର କରି ବୁଝିଲେ ସୌଦାମିନୀ।


ରାତି ସାରା ବସି ଝରଣାର ବେଗ ପେକ୍ କରୁଥାନ୍ତି ସୌଦାମିନୀ। ଏମିତି କିଛି ନାହିଁ, ଯାହା ସେ ଝରଣାର ବେଗ ଭିତରେ ରଖି ନାହାନ୍ତି। 

ଦୁଇଟି ବ୍ଲାଉଜ ଦେଇଛି। ତୋ ବୋଉ ପାଇଁ। ଝରଣା ଖୁସି ହେଲା।


ମାଆ ! ଏତେ କଣ୍ଢେଇ, କାହା ପାଇଁ ?


ପ୍ରଭା ବଡ ହେଲାଣି, ସେ କଣ ଆଉ ଖେଳୁଛି!! ତୋ ଝିଅ ଖେଳିବ। ଲାଜରେ ଜିଭ କାମୁଡି ପକେଇଲା ଝରଣା। ହସି ଦେଲା ସୌଦାମିନୀ ଙ୍କୁ ଦେଖି।


ସାଲ, ସୁଇଟର, ପାନିଆ, ବିନ୍ଦି, ଅତର, ନେଲପାଲିସ, ସବୁ କିଛି ଏଟାଚି ଭିତରେ ସଜାଇ ରଖିଲେ ସୌଦାମିନୀ। ସ୍ନେହ ମମତା ରେ ଘାଣ୍ଟି ହୋଇ ଅତ୍ୟଧିକ ବହଳତା ବିଶିଷ୍ଟ ଦ୍ରବଣକୁ ଅତିକ୍ରମ କରିବା ପରେ ମା ଟିଏ ନିଜ ଝିଅ, ଆଉ ପର ଝିଅ ଭିତରେ ପାର୍ଥକ୍ୟ କୁ ମିଟେଇ ଦେଇଥାଏ ଅଜାଣତରେ।


ବିଗ ସପର ଭିତରେ ପତଳା କନ୍ଥା, କମ୍ବଳ, ପୋଷାକ ପତ୍ର ଭରିବା ସମୟରେ ଗୋଟାଏ ଗୋଟାଏ କରି ଦେଖାଉ ଥାଆନ୍ତି ଝରଣାକୁ। ଝରଣା ର ଖୁସି କହିଲେ ନ ସରେ । 

ତୁ ସବୁଦିନ କହୁ ନା ମାଆ ! ମୋତେ ଟିକିଏ ବେଶି କଫି ଦିଅନ୍ତ ନି ! ଦେଖ ! କଫି କପ ଦେଇଛି ଏହା ଭିତରେ। ଜାର ଭିତରେ କଫି ପାଉଡର, ଘରେ ପହଞ୍ଚି ଯେତେ ଇଚ୍ଛା ପିଇବୁ।

ଦେଖ ! ଏଇ ବେଗ ଭିତରେ ଇନର, ନାପକିନ ସବୁ ରଖିଛି। ବାହାଘର ପର୍ଯ୍ୟନ୍ତ ଆଉ କିଣିବାକୁ ପଡ଼ିବନି। ପୁଣି ଥରେ ଲାଜେଇଗଲା ଝରଣା।


ଗୋଟାଏ ହେଣ୍ଡ ବେଗ ଭିତରେ ଘଡି, ବ୍ରସ, କୋଲଗେଟ, ସେପ୍ଟି ପିନ, ହେଆର କ୍ଲିପ୍, ବସ ଟିକେଟ ରଖି ସୌଦାମିନୀ ସବୁ ବୁଝେଇ ଦେଲେ ଝରଣା କୁ। ବସ ରେ ବସିଲେ ବାନ୍ତି ହୁଏ ବୋଲି ବାନ୍ତି ଔଷଧ ତା ହାତରେ ଧରେଇଦେଲେ। 


ମାଆ ! ବ୍ରେଡ ଦେଇଛ ! କାହିଁକି ???


ଭବାନୀପାଟଣା ରୁ ଥୁଆମୁଳ ରାମପୁର ଜାଣିଛୁ, କେତେଦୂର। ସତୁରୀ ରୁ ଅଧିକ ହେବ। ସମସ୍ତେ କହନ୍ତି ଛ ଘଣ୍ଟା ଲାଗେ, ରାସ୍ତାରେ ବାଘ ଚାଲେ ବୋଲି ଶୁଣିଛି। ଗାଡିରୁ ଜମାରୁ ବାହାରିବୁ ନି। ସେଇଥି ପାଇଁ ବ୍ରେଡ୍ ଦେଇଛି, ପାଣି ବୋତଲ ଦେଇଛି। ବସ ଭିତରେ ବସି ଖାଇନେବୁ।

ଭୋର ଚାରିଟା, ସାଢେ଼ ପାଞ୍ଚଟାରେ ବସ।


ମାଆ ଗୋଟାଏ କଥା କହିବି ! ମୋତେ ଲାଗୁଛି ବାପ ଘରକୁ ତ ନୁହେଁ, ମୁଁ ମୋ ଶାଶୁ ଘରକୁ ଯାଉଛି ...ଝରଣା ଭାବବିହ୍ଵଳ ହୋଇ କହି ପକେଇଲା ସୌଦାମିନୀ ଙ୍କୁ।


ଆଉ ସମ୍ଭାଳି ପାରିଲେନି ସୌଦାମିନୀ , ଅଭିନୟ ସମ୍ଭବ ହୁଏନି ସବୁବେଳେ। ଦୁଃଖ ର ପ୍ରାକୃତିକ ଚାପରେ ହୃଦୟ ଟି ମହମ ପରି ତରଳି ଯାଏ। ଝରଣା କୁ କୋଳେଇ ନେଇ କାନ୍ଦିଲେ, କେହି କାହାକୁ ଛାଡ଼ୁ ନ ଥାଆନ୍ତି, କାନ୍ଦ ବୋବାଳି ଶୁଣି ସୁବ୍ରତ ବାହାରି ଆସିଲେ ବାହାରକୁ।

ସୌଦାମିନୀ କୁ ସାନ୍ତ୍ଵନା ଦେଲେ, ଠିକ୍ ଅଛି। ଚୁପ ହୋଇଯାଅ। ଝରଣାକୁ ଆମେ ବାହା ଦେବା। ଧରିନିଅ ସେ ଆମ ବଡ ଝିଅ, ତା ବାପା ମାଆଙ୍କୁ ବୁଝେଇବା ଦାଇତ୍ୱ ମୋ ଉପରେ ଛାଡିଦିଅ।...

ସୌଦାମିନୀ, ଆଉ ଝରଣା ଜାବୁଡ଼ି ଧରି ଥାଆନ୍ତି ଉଭୟେ ଉଭୟଙ୍କୁ।

ନିସ୍ତବ୍ଧତା ଘରକୁ କାବୁ କରିନେଲା ଅଚାନକ, ରାତିର ଅନ୍ଧାର ଭିତରୁ କେହି ଯେମିତି କହୁଥିଲା.. ଝରଣା କେବେ କଣ ନିଜ ଜନ୍ମସ୍ଥାନ କୁ ଫେରେ, ନିରନ୍ତର ଆଗକୁ ଚାଲିଥାଏ, ଜୀବନ ସନ୍ଧାନରେ । ଯେଉଁ ସମୁଦ୍ରରେ ସ୍ନେହ, ଶ୍ରଦ୍ଧା ଭରି ହୋଇ ରହିଥାଏ, ସେଇ ସମୁଦ୍ରରେ ଝରଣା ତ ମିଶିଯାଏ ସବୁ ଦିନ ପାଇଁ।

***

ସକାଳ ହେଲା, ସୁବ୍ରତ, ସୌଦାମିନୀ, ପ୍ରଭା ଓ ଝରଣା ସବୁ ଶୋଇଛନ୍ତି ନିଘୋଡ଼ ନିଦରେ। ବସ ସବୁଦିନ ପରି ଚାଲି ଯାଇଥିଲା ଥୁଆମୁଳ ରାମପୁର...କିନ୍ତୁ ଝରଣା ଯାଇନି....ବଡ ଝିଅ ହୋଇ ରହିଗଲା ଝରଣା ଭବାନୀପାଟଣା ରେ....ସବୁଦିନ ପାଇଁ।

ଏନ୍ ନନ୍ଦି






Rate this content
Log in

Similar oriya story from Classics