Lipi Sahoo

Comedy

4.5  

Lipi Sahoo

Comedy

ବାତ୍ୟା ଉପାଖ୍ୟାନ

ବାତ୍ୟା ଉପାଖ୍ୟାନ

4 mins
207


ସକାଳୁ ସକାଳୁ ଧଣ୍ଡବାବୁଙ୍କ ମୁଣ୍ଡ ଏକଦମ୍ ଗଡବଡ ହେଇଯାଇଛି । ପତ୍ନୀ ଗୁଲୁରୀଙ୍କ ଅଦା ଆଉ ଗୁଜୁରାତି ପକା କଡ଼ା ଚାହା ବି ପାଣିଚିଆ ଲାଗିଲା । ପାଟିରୁ ବାହାରି ପଡ଼ିଲା କି ଚାହା ବନେଚ ??? ପୂରା ଗୋରୁ ମୂତ ଭଳି ଲାଗୁଚି, ଛେଃ !!


        ଗୁଲୁରୀ ସାଙ୍ଗେ ସାଙ୍ଗେ ଗୋଟେ ଢୋକ ପିଇ କହିଲେ, କ'ଣ ହେଲା ??? ଖାଲି କ୍ଷୀରରେ ବନେଇଚି । ତମକୁ ଗୋରୁ ମୂତ ଭଳି ଲାଗୁଚି ?? ଏମିତି କହୁଚ ସତେ ଯେମିତି ଗୋରୁ ମୂତ ବହୁତ ଥର ପିଇଚ । ମହମହ ଅଦା ଆଉ ଗୁଜୁରାତି ବାସ୍ନା ବାହାରୁଚି, କହିଲେ କ'ଣ ନା ..... ସଃ !!!


        କିଛି କୁହନା ସକାଳୁ ମୋ ମୁଣ୍ଡ ଖରାପ ହେଇ ଯାଇଛି । ଯେତେବେଳେଠୁ ଟିଭିରୁ ଶୁଣିଲିଣି ଯେ ବାତ୍ୟା ଆସୁଛି ।

        ଓଃ !! କଥାଟା ତା ହେଲେ ସେଇଠି । ହେଲେ ବାତ୍ୟା ତ ସମସ୍ତଙ୍କ ପାଇଁ ଆସୁଚି, ନା ଏକା ତମ ପାଇଁ କି ??? ତମ ମୁଣ୍ଡଟା କାଇଁ ଖରାପ ହେଇଗଲା ଶୁଣେ ....। ଯାହା ହେବ ସମସ୍ତେ ଭୋଗିବେ । ଏଇଟାକୁ କିଏ ଅଟକେଇ ଦେଇ ପାରିବନା କ'ଣ ???

       ତମେ ବୁଝୁନ । ଏକେ ତ କରୋନା ମାଡ଼ । ସମସ୍ତଙ୍କ ଅଣ୍ଟା ଭାଙ୍ଗି ଦେଇଛି । ସେଥିରେ ପୁଣି ବାତ୍ୟା । ଆଉ ୟେ ସଂସାର ରହିବ ନା ନାହିଁ ??

       

       ଆଛାଃ !!! ସଂସାର ଚିନ୍ତା ତମକୁ ଘାରିଚି ??

       ସେ ଚିନ୍ତା ତ ଅଛି । ତା ସହ, ଦେଖୁନ ଭଗବାନଙ୍କ ମୋ ସହ କ'ଣ ଦୁସମନି ମୁଁ ବୁଝି ପାରୁନି । ସବୁବେଳେ ମୋ ଉପରେ ଦାଉ ସାଧନ୍ତି ।


        ଆଖି ଫାଡି ଗୁଲୁରୀ ଅନେଇ ପଚାରିଲେ, କ'ଣ ଭଗବାନଙ୍କ ତମ ସହ ଦୁଷ୍ମନି ??? କାଇଁ ସେ ତମର କ'ଣ କଲେ କି ???

         

        କ'ଣ ନ କଲେ କହୁନ । ସରକାର କରୋନା ପାଇଁ ଖାଲି କହିଲେ ବାହାରକୁ ବାହାରନି ଜମ୍ମା, ହେଲେ ଭିଟାମିନ ଯୁକ୍ତ ସନ୍ତୁଳିତ ଖାଦ୍ୟ ଖାଅ ଯଦି ସୁସ୍ଥ ରହିବାକୁ ଚାହୁଁଚ। ଜଣେ ଯଦି ବାହାରକୁ ନ ଯିବ ପରିବାପତ୍ର ଆଉ ଫଳମୂଳ କୋଉଠୁ ଆଣିବ ??? ଏପଟୁ କହୁଛନ୍ତି ସେପଟୁ ବି କହୁଛନ୍ତି ।

     ଏଥିରେ ଭଗବାନଙ୍କ ଦୋଷ ରହିଲା କୋଉଠି ?? ଗୁଲୁରୀ ଆଶ୍ଚର୍ଯ୍ୟ ହେଇ ପଚାରିଲେ ।

        ତମେ କ'ଣ ସତରେ ବୁଝିପାରୁନ ??? କେତେ କଷ୍ଟ କରି ତୁଣ୍ଡ ଝାଳ ମୁଣ୍ଡରେ ମାରି ବାଡି ସଫା କଲି । କୋଡି ଖୁସେଇ କିଆରୀ କରି ଭେଣ୍ଡି, ବାଇଗଣ, ଶାଗ କେତେ ପ୍ରକାର ପରିବା ତଳି ଆଣି ବାଡ଼ିରେ ଲଗେଇଲି । ସାର ଦେବିନି ବୋଲି, ରାସ୍ତାଘାଟ ଗୁହାଳ ଗୁହାଳ ବୁଲିବୁଲି ଗୋବର ଆଣି ଖତ ଦେଲି । ସେ ସବୁ ଛନଛନ ହେଇ ବଢି କଷି ଧରି ଆସିଲା ବେଳକୁ ବାତ୍ୟା ଆସୁଛି । ସେ ସବୁର ଚିହ୍ନବର୍ଣ୍ଣ ଆଉ ରହିବ ତ ??? କେତେ ପରିଶ୍ରମ କରିଚି ତମେ ଦେଖିଚ । ଏଥି ପାଇଁ ଭଗବାନ ଦାୟୀ ନୁହଁ ତ ଆଉ କିଏ ?? କାହାର ସୁଖ ଦେଖି ପାରନ୍ତିନି 

ସେ । କୋଉଠି ଯଦି ଦେଖା ହୁଅନ୍ତେ ନା ସିଧା ସିଧା ପଚାରି ଦିଅନ୍ତି, ତମକୁ ତ ବସି ବସି ଖାଇବା ମିଳି ଯାଉଛି ନା ଆମ କଷ୍ଟ କୋଉଠୁ ବୁଝିବ ??? ଆମର ଖାଇବା ବ୍ୟବସ୍ଥା କରି ଦେଉନ, ତା ପରେ ଯେତେ ତାଣ୍ଡବ କରିବାର ଅଛି କରିବ । ଆମେ ବସି ବସି ସବୁ ଦେଖିବୁ । କିନ୍ତୁ ନାଃ, ସେ ସବୁ ତାଙ୍କ ଦ୍ଵାରା ହେଇ ପାରିବନି । ଖାଲି ଝଡ଼, ବାତ୍ୟା, ବନ୍ୟା ତାଙ୍କ ଦ୍ଵାରା ହେଇ ପାରିବ ।

         

        ଆରେ !! ସତେ ତ ସେ ବାଡିର କ'ଣ ହେବ ଏବେ ?? ମୁଁ କ'ଣ ପରିଶ୍ରମ କରିନି କି ବାଡିରେ ଏକା ତମେ କରିଚ ?? ମୁହଁ ଫୁଲେଇ ଗୁଲୁରୀ କହିଲେ ।

       କିଏ ମନା କଲା ତମେ କରିନ ବୋଲି । ହେଲେ ଏବେ ବୁଝିଲ ତ ମୋ ମୁଣ୍ଡ କାହିଁକି ଖରାପ ସକାଳୁ । ବର୍ଷା ପବନ ମାଡ଼ରେ ସେ ସବୁ ମରିଯିବେ । ସବୁ ପରିଶ୍ରମ ପାଣିରେ ପଡ଼ିଯିବ । 

       ତା ହେଲେ ଏବେ କ'ଣ କରିବା ??? କେତେ ସୁନ୍ଦର ସୁନ୍ଦର କଷି ସବୁ ଝୁଲିଚି ଗଛରେ । ଦେଖିଲେ ପେଟ ପୂରି ଯାଉଛି । ମରିଗଲେ ବହୁତ କଷ୍ଟ ଲାଗିବ । ମୁଣ୍ଡରେ ଗୋଟେ ଖୁରାଫତି ବୁଦ୍ଧି ଆସିଲା ହଠାତ୍ । ଚାଲ ବହୁତ ଗୁଡ଼ିଏ ମାଟିକୁଣ୍ଡ ନେଇ ଆସିବା ଲାଗିବ । ସେଥିରେ ଗଛ ଗୁଡ଼ିକୁ ଲଗେଇ ପିଣ୍ଡାରେ ରଖି ଦେବା । ବାତ୍ୟା ପରେ ପୁଣି ବାଡ଼ିରେ ଲଗେଇ ଦେବା ।

        ତମ ମୁଣ୍ଡ ଖରାପ ଅଛି ବୋଧହୁଏ । ଏତେ ଗୁଡେ ଗଛ ପାଇଁ ଏତେ କୁଣ୍ଡ ଏତେ କମ୍ ସମୟ ଭିତରେ କୋଉଠୁ ଆଣିବା, ପୁଣି ଏଇ ଲକଡାଉନ ବେଳେ ??? ରଖିବାକୁ ବି ବହୁତ ଜାଗା ବି ଦରକାର ନା ।

        କୁଣ୍ଡ ନ ହେଲା ନାଇଁ । ଘରେ ପୁରୁଣା ବଡ ବଡ ପ୍ଲାଷ୍ଟିକ ଡବା ଯୋଉ ଅଛି ତାକୁ କାଟି କି ସେଥିରେ କିଛି ଗଛ ଉଠେଇ ଲଗେଇ ଦେବା । ସବୁ ନ ହେଲା ନାହିଁ କିଛି ଗଛ ତ ବଞ୍ଚେଇ ଦେଇ ପାରିବା ।

         

       ଧଣ୍ଡବାବୁଙ୍କ ମନକୁ କଥାଟା ପାଇଲା । ଦୁଇ ପ୍ରାଣୀ ଡବା କାଟିବାରେ ଲାଗି ପଡିଲେ । ସଂଧ୍ୟା ହେଇଗଲା କଟାକଟି କାମ ସରିବା ବେଳକୁ । ଆଉ ସଂଧ୍ୟାରେ କ'ଣ ଗଛ ଉଠେଇବେ। ସକାଳେ ଗଛ ଉଠେଇବେ ବୋଲି ଚିନ୍ତା କଲେ ।

         ଟିଭିରେ ଅନବରତ କହି ଚାଲିଥାଏ କାଲି ଜମ୍ମା ଘରୁ ବାହାରନ୍ତୁ ନାହିଁ । ଘରେ ରୁହନ୍ତୁ । ପବନର ବେଗ ଅଧିକ ରହିବ । ହେଲେ ସେ ସବୁ ଧଣ୍ଡବାବୁ ଆଉ ଗୁଲୁରୀଙ୍କ କାନରେ ପଡୁ ନଥାଏ । ସେ ଦୁହିଁଙ୍କ ମନ ଥାଏ ବାଡି ଗଛମାନଙ୍କ ପାଖରେ । ରାତି ସାରା ଦୁହିଁଙ୍କୁ ନିଦ ନଥାଏ । କେମିତି ସକାଳ ହେବ ଆଉ ସେମାନେ ଗଛ ସବୁ ପ୍ଲାଷ୍ଟିକ ଡବା ଗୁଡ଼ିକୁ ଉଠେଇବେ ।

       ରାତି ପାହୁ ପାହୁ ଦୁହେଁ ଦୌଡିଲେ ବାଡିକୁ । ପବନ ଟିକେ ଜୋରରେ ବହୁଥାଏ । ହେଲେ ସେଥିକି ଦୁହିଁଙ୍କ ନିଘା ନାହିଁ । ଦୁହେଁ ଲାଗି ପଡିଲେ ମାଟି ସହ ଗଛ ତାଡି ପ୍ଲାଷ୍ଟିକ ଡବାରେ ଲଗେଇ ଚାଲିଲେ ।

       ହଠାତ୍ ଜୋରରେ ଗୋଟେ ପବନ ଝଟକା ଆସିଲା । ଗୁଲୁରୀ ବେଶ୍ ମୋଟାସୋଟା ସେଥିପାଇଁ ସେ ପବନ ମାଡ଼ରେ ଦଶ ହାତ ଦୂରରେ କାଦୁଅ ଉପରେ ମୁହଁ ମାଡ଼ି ପଡିଲେ । ଇଲୋ ବୋଉଲୋ !!! ପାଟିରୁ ଆପେ ଆପେ ବାହାରି ଆସିଲା । କିଛି ସମୟ ଅନ୍ଧାର ଦିଶିଲା ସବୁ । ଝାଡିଝୁଡି ହୋଇ ଚାରି ଆଡକୁ ଅନେଇଲା ବେଳକୁ ଧଣ୍ଡବାବୁ ନଥିଲେ ସେଠି । ଗୁଲୁରୀଙ୍କ ହାଲୁକ ଶୁଖିଗଲା । ଆଲୋ !! ଇୟେ କୁଆଡେ ଗଲେ ??? ଡରି ଡରି ଡାକ ପକେଇଲେ ହେଇଠି !!! ତମେ କୋଉଠି ???

       ମୁଁ ପା ଏଇଠି । ମୁଁ କେମିତି ଓହ୍ଲେଇବି ??? ଆମ୍ବ ଗଛରେ ଓହୋଳିଛି ।

       ଉପରକୁ ଅନେଇଲା ବେଳକୁ ସତକୁ ସତ ଧଣ୍ଡବାବୁ ଗଛରେ ଝୁଲିଚନ୍ତି । ତାଙ୍କ ନାମ ଅନୁସାରେ ତାଙ୍କ ଶରୀର । ତେଣୁ ସେଇ ଝଟକାରେ ସେ ସିଧା ଗଛ ଉପରେ । ନା ଓହ୍ଲାଇ ପାରୁଛନ୍ତି ନା ଡେଇଁ ପାରୁଛନ୍ତି । ସେଇଠି ହିଁ ତାଙ୍କର ଚଉଦ ବ୍ରହ୍ମାଣ୍ଡ ଦର୍ଶନ ହେଇଗଲା । ବହୁତ ଧାଁ ଦୌଡ଼ ପରେ ଗୁଲୁରୀ ଗୋଟେ ଦଉଡି ପକେଇଲେ ଗଛ ଉପରକୁ । ସେଇ ଦଉଡ଼ି ଧରି ଧଣ୍ଡ ଧୀରେ ଧୀରେ ଓହ୍ଲେଇଲେ । ତାଙ୍କ ପିଣ୍ଡାରେ ପ୍ରାଣ ପଶିଲା । ଧଇଁସଇଁ ହେଇ ଉପରବାଲାକୁ ହାତ ଯୋଡିଲେ ।

     ଦୁହିଁଙ୍କ ଜ୍ଞାନଚକ୍ଷୁ ଏକାଥରେ ଖୋଲିଗଲା । କି ଭୁଲ ନ କରିଛନ୍ତି । ଜୀବନ ହିଁ ସତ୍ୟ ଆଉ ସବୁ ମୋହ ମାୟା । ଏଇ ଗୋଟିଏ କଥା ଯୁଗେ ଯୁଗେ ରହି ଆସିଛି ଯେ ଆପେ ବଞ୍ଚିଲେ ବାପର ନାଆଁ .....।।।


        



Rate this content
Log in

Similar oriya story from Comedy