ବାସ୍ତବତାର ରଙ୍ଗ ନିଆରା
ବାସ୍ତବତାର ରଙ୍ଗ ନିଆରା
ଶେଷ ସମୟ ଉପସ୍ଥିତ ବାବୁଙ୍କର୍, ସ୍ତ୍ରୀ ଚାଲିଯାଇଛନ୍ତି ବହୁ ଦିନ ଆଗରୁ, ହେଲେ ଆଜି ଶେଷ ସମୟର ଭାବନାରେ ସ୍ତ୍ରୀ ମନେ ନପଡ଼ି , ମନେ ପଡୁଛି ହୁଣ୍ଡା, ଯାହାକୁ ପ୍ରତିଦିନ ଚିକେନ ଦେଇ, ଠିକ୍ ଠାକ୍ ଇଞ୍ଜେକସନ ଦେଇ ଗାଧୁଆ ପାଧୁଆ କରେଇ ଡଉଲ ଡାଉଲ କରି ରଖି ଥିଲେ ବି ତାକୁ ଶେଷରେ ଛାଡ଼ିଦେଇଥିଲେ ଜଟଣୀ ରେଲୱେ ଷ୍ଟେସନରେ। ତାର ଦୋଷ କିଛି ନଥିଲା , କିନ୍ତୁ ତା ନାମରେ ମିଛ ଅଭିଯୋଗ ବହୁତ ଥିଲା, ସେ ବହୁତ ଲୋକଙ୍କୁ କାମୁଡୁଥିବା ଅଭିଯୋଗ କରି କୁକୁର କାମୁଡ଼ା ପ୍ରତିଷେଧକ ଇଞ୍ଜେକସନ ନେବାକୁ ଲୋକେ ଜିଦ୍ କରି ପଇସା ମାଗି ନେଉଥିଲେ, ବୁଲୁ ବାବୁଙ୍କଠୁ, କୁକୁରକୁ ଇଞ୍ଜେକସନ ଦିଆଯାଇଛି ବୋଲି ବିଶ୍ୱାସ କରୁନଥିଲେ କେହି, କହୁଥିଲେ, ତୁମ କୁକୁର କାମୁଡିଛି ମାନେ ଆମକୁ ପ୍ରତିଷେଧକ ଇଞ୍ଜେକସନ ଦେବାକୁ ପଇସା ହିଁ ଦେବାକୁ ପଡିବ। କେତେ କାହାକୁ ଦେବେ !
କୁକୁର ପ୍ରକୃତରେ କାମୁଡ଼ିଛି କି ନାହିଁ , ପ୍ରମାଣ ନଥିଲା, ଘରେ ମଧ୍ୟ ହୁଣ୍ଡାକୁ ବାନ୍ଧି ରଖିବା ସମ୍ଭବ ହେଉନଥିଲା। ତା ଦାନ୍ତ ଭାଙ୍ଗି ତାକୁ ଘରେ ରଖିବା କଥା ମଧ୍ୟ ସମ୍ଭବ ବାହାରେ ଥିଲା ତ ଶେଷରେ ଛାଡ଼ିଦେବା ଯୋଜନା ପକ୍କା ହେଲା। ମାୟା, ମମତା ବନ୍ଧନ ଡୋର ଛିଣ୍ଡେଇ, କୌଣସିମତେ ଛାଡ଼ିଦିଆଗଲା ଟ୍ରେନରେ ନେଇ ଜଟଣୀ ପ୍ଲାଟଫର୍ମରେ ଓହ୍ଲେଇ, ତା ଅଗୋଚର ରେ ଖସି ଆସିଲେ ସିନା ବୁଲୁ ବାବୁ, ହେଲେ ତା ପରର ଅବସ୍ଥା ବର୍ଣ୍ଣନା କରିବା ଅସମ୍ଭବ। ପିଲା ଦୁଇ ଓ ସ୍ତ୍ରୀ ତଥା ନିଜେ ଅଖିଆ ଅପିଆ ହୋଇ ଖୋଜି ଲାଗିଲେ ଜଟଣୀ ଷ୍ଟେସନ ଯାଇ ବାରମ୍ବାର।
ସେଦିନ ସନ୍ତୋଷ ବାବୁ ଖବର ଦେଲେ ହୁଣ୍ଡା କୁ ସେ ଦେଖିଛନ୍ତି ତିନି ନମ୍ବର ପ୍ଲାଟଫର୍ମ ରେ, ବିଶ୍ୱାସ, ଭରସା, ମାୟା ମମତା ଜାଲ ରେ ଛନ୍ଦି ହୋଇ, ବୁଲୁ ବାବୁ ନିର୍ଦ୍ଦିଷ୍ଟ ଦିନ ଓ ସମୟ ବୁଝି ପହଁଚିଗଲେ ତିନି ନମ୍ବର ପ୍ଲାଟଫର୍ମରେ, ଆଉ ସତକୁ ସତ ହୁଣ୍ଡା ଶୋଇଥିଲା ପାନଦୋକାନ କରିଥିବା ପିଲାଟିର କ୍ୟାବିନ କୁ ଲାଗି, ବୁଲି ଚାହିଁଲା ବୁଲୁ ବାବୁଙ୍କୁ, ଉଠି ଆସିଲା ପାଖକୁ, ବୋହିଯାଉଥିବା ଲୁହ ସହ ଚାଟିଲା ଢେର୍ ସମୟ ବୁଲୁ ବାବୁଙ୍କୁ, ବୁଲୁ ବାବୁ ଢେର ସମୟ ଗେଲ କଲା ପରେ, ଘରୁ ଆଣିଥିବା ମାଛ ଭଜା ଦୁଇ ପିସ୍ ପକେଇଲେ ତା ପାଖରେ, ନଖାଇ ଚାହିଁଲା, ପାନ୍ଦୋକାନୀ ଭାଇଙ୍କୁ, ସତେ ଯେମିତି ଆଦେଶ କୁ ଅପେକ୍ଷା କରୁଥିଲା, ଏ ଭିତରେ, ବୁଲୁବାବୁ ସବୁ କହିସାରିଥିଲେ ପାନ ଦୋକାନୀ ଭାଇଙ୍କୁ, ଖା ଖା, ଆଦେଶ ପାଇସାରିବା ପରେ ବୁଲୁବାବୁଙ୍କୁ କରୁଣ ଦୃଷ୍ଟିରେ ଚାହିଁ ଖାଇଲା, କିନ୍ତୁ ଟ୍ରେନ ଆସିବା ସମୟରେ ଯେତେ ଡାକିଲେ ଖଣ୍ଡେ ବାଟ ଆସି, ଫେରିଯାଉଥିଲା , ପାନ ଦୋକାନୀ ବିମଳ ଭାଈ କେବିନ୍ ପାଖକୁ।
ବୁଲୁ ବାବୁ ଥରେ ନୁହେଁ ଅନେକ ଥର ରବିବାର ଦେଖି ଯାଆନ୍ତି, ସେଇ ଦୃଶ୍ୟର ପୁନରାବୃତ୍ତି ହୁଏ କିନ୍ତୁ ହୁଣ୍ଡା ଆସେନା କିଛି ସମୟ ଚାହିଁ ଫେରିଯାଇ, ଶୋଇପଡେ କ୍ୟାବିନ୍ ଧାର କୁ ଲାଗି। ବିମଳ କଥା ମାନେ, ବିମଳ ଉପରେ ଅଖଣ୍ଡ ବିଶ୍ୱାସ ଥାଏ ହୁଣ୍ଡାର ଦେଖି ଲଜ୍ଜିତ ହୁଅନ୍ତି ବୁଲୁ ବାବୁ, ତଥାପି କୋଉଦିନ ହୁଣ୍ଡାକୁ ଫେରେଇନେଇ ପରିବାରରେ ପୁଣି ଖୁସି ଫେରେଇ ଆଣିବା ଲକ୍ଷ୍ୟ ରେ ସେଦିନ ଷ୍ଟେସନ ରେ ପହଞ୍ଚି ନା ବିମଳ ପାନଦୋକାନ୍ ନା ହୁଣ୍ଡାକୁ ଦେଖିବାକୁ ପାଇଲେ। ତ ଏପଟ ସେପଟ, ସବୁ ନମ୍ବର ପ୍ଲାଟଫର୍ମ ବୁଲି ଆସିଲେ ବି କୋଉଠି ପାଇଲେ ନାହିଁ ଦୁହିଁଙ୍କୁ, ତ ଆଉ ଜଣେ ଦୋକାନୀ କହିଲେ ବାବୁ ତୁମେ ଗଲା ପରେ ପରେ, ବିମଳ ର କୁକୁର୍ ପପି ତୁମେ ଯିବା ଟ୍ରେନ ପଛରେ ବହୁତ୍ ବାଟ ଯାଏଁ ହାଲିଆ ହେବା ପର୍ଯ୍ୟନ୍ତ ଦୌଡୁଥାଏ, ଶେଷରେ ସେଇଠିବସି, ପଶୁଟା କେତେ ଲୁହ ଗଡାଏ ଆଖିରୁ, ବିମଳ ଯାଇ ପୁଣି ତାକୁ ଆଣେ। ଏମିତି ସବୁଥର ସେ ତୁମେ ଯିବା ଟ୍ରେନ ପଛରେ ଯେ କାହିଁକି ଧାଏଁ ତ ଆମେ ଜାଣିନୁ କିନ୍ତୁ ଏଇ ଶେଷ ଥର ଯୋଉ ରବିବାର ତୁମେ ଆସି ଫେରିଗଲ, ସହି ଟ୍ରେନ ପଛରେ ଧାଉଁ ଧାଉଁ ବିଚରା କୁକୁର ଟା ଗୋଡ ଖସି ଟ୍ରେନ ତଳେ ପଡ଼ିଗଲା ବାବୁ, ବିମଳ ତା ପଛେ ପଛେ ଆସି ସେ କରୁଣ ଦୃଶ୍ୟ ଦେଖି ପପିରେ ପପିରେ ବୋଲି କେତେ ମୁଣ୍ଡ କୋଡ଼ି କାନ୍ଦିଲା, ଆଉ କୁଆଡ଼େ ସେ ଗଲା ତା ଦୋକାନ ଭାଙ୍ଗି, ଆମେ କେହି ଜାଣୁନା, ବାବୁ ତୁମେ କାହିଁ କାନ୍ଦୁଛ ? କୁକୁର ଟା ତୁମର କି ବାବୁ ?
ସେଦିନ ସେହି ସହୃଦୟ ଦୋକାନୀକୁ କିଛି ଉତ୍ତର ନଦେଇ ଘରେ ପହଞ୍ଚିଥିଲେ ବୁଲୁ ବାବୁ, ତାଙ୍କ ଥମ ଥମ ମୁହଁ ଓ ଭାବ ଗମ୍ଭୀର ଚେହେରା ଦେଖି ପରିବାର ଲୋକ ଆଉ କିଛି ପଚାରିନଥିଲେ ସିନା, ଆଜି ବୃଦ୍ଧାବସ୍ଥାରେ ଅପରେସନ, ଅସଫଳ ପରେ ବୁଲୁ ବାବୁ କିନ୍ତୁ ଭାବୁଥିଲେ, ସେହି ହୁଣ୍ଡା କଥା, ପରଜନ୍ମରେ, କୁକୁର ଟିଏ ହେଲେ ତାଙ୍କ ମାଲିକ ତାଙ୍କୁ ଠିକ୍ ଏହିଭଳି ତ୍ୟାଗ କରିବନି ତ ! ଦୀର୍ଘଶ୍ଵାସ ଶେଷ ନିଶ୍ୱାସରେ ପରିଣତ ହେଲା କି କଣ ବୋଲି ଡାକ୍ତରମାନେ ପରୀକ୍ଷା କରିବାକୁ ଆଗେଇ ଆସୁଥିଲେ l
