Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Nityananda Nandi

Classics Inspirational

3  

Nityananda Nandi

Classics Inspirational

ବାପା ବି ଠିକ୍ ବୋଉ ପରି

ବାପା ବି ଠିକ୍ ବୋଉ ପରି

6 mins
235



ଇଚ୍ଛା ନ ଥାଇ ବି ଚାଲିବାକୁ ହୁଏ ସମୟ ସାଥିରେ ! 

କେତେ ଅସହାୟ ଏଇ ମଣିଷ ! 

ଅନ୍ୟ ଇଚ୍ଛାରେ ବଞ୍ଚିବା, ନ ବଞ୍ଚିବା ସହ ସମାନ। ପ୍ରହରାଜ ବାବୁ ଚାହୁଁଥିଲେ ଅନେକ କିଛି। କିନ୍ତୁ ସେମିତି କିଛି ପାଇଲେନି ସେ ଜୀବନ ପାଖରୁ।


ପୁଅର ଏମସିଏ ପରେ ପ୍ଲେସମେଣ୍ଟ ହୋଇନି, ସଂଘର୍ଷ କରୁଛି ଚାକିରୀଟିଏ ପାଇଁ ! ଝିଅର ବିସିଏ ଫାଇନାଲ ସେମିଷ୍ଟାର। ଦୁଇ ଦିନ ଭିତରେ ଫିଜ୍ ଭରିବାକୁ ହେବ ଝିଅର, ଏକ ଲକ୍ଷ ଟଙ୍କା। ଗୋଟାଏ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିଲେ ପ୍ରହରାଜ ବାବୁ, କମ୍ପାନୀ ର ଅବସ୍ଥା ଖରାପ ହେବାରୁ ସମସ୍ତେ ଛଟେଇ ହେଲେ। ଦୁଇ ବର୍ଷରୁ ଅଧିକ ହେବ, ଘରେ ବସିଛନ୍ତି ସେ।


ବଜ୍ର ପଡ଼ିଲା ପ୍ରହରାଜ ବାବୁଙ୍କ ମଥା ଉପରେ। ସୁମିତ୍ରା ବି ପଥର ପାଲଟି ଯାଉଥିଲେ, ରାସ୍ତା ଦିଶୁନି। ଦୁଇ ଦିନ ଭିତରେ ଲକ୍ଷେ ଟଙ୍କା, କଣ ସମ୍ଭବ !!!


"ବାପା ! ମନେ ଅଛି ତ"

ହୁଆଟ୍ସ ଆପ୍ ମେସେଜ ଉପରୁ ଆଖି ବୁଲେଇ ନେଇ ଚୁପ ରହିଲେ ପ୍ରହରାଜ ବାବୁ। 


ବାପା କଣ କ୍ରୁର ହୋଇ ପାରିବେ ପିଲା ମାନଙ୍କ ଉପରେ, ଭଗବାନଙ୍କ ବିଚିତ୍ର ସୃଷ୍ଟି ଏଇ ବାପା ମାନେ। ଭରପୁର ଦୁଃଖ ର ବନ୍ୟା ମାଡ଼ି ଆସିଲେ ଚଟାଣ ପରି ଶୋଇଯାନ୍ତି ସେମାନେ ଦୁଃଖ ଆଗରେ, ପରିବାର ଭାସି ନ ଯାଉ ! 

ନାଲି ଚା ନେଇ ଆସି ଥୋଇ ଦେଲେ ସୁମିତ୍ରା ଦେବୀ। 

ଚା ପିଇ ମୁଣ୍ଡ ଥଣ୍ଡା କର। ଦୁଇ ଦିନ ଅଛି, ଚିନ୍ତା କରିବା, ବ୍ୟସ୍ତ ହୁଅନାହିଁ। 

ନାଲି ଚା ର ଧୁଆଁ ଭିତରେ ଜୀବନ କୁ ଖୋଜୁଥିଲେ ସେ..

ଜୀବନଟା ଦୁଃଖସୁଖ , ହାରଜିତ୍ ର ଏକ ଅଦୃଶ୍ୟ ମିଶ୍ରଣ। ଏଇ ନାଲି ଚା ପରି। ତାରି ଭିତରେ ମୁଣ୍ଡ ଟେକି ନିଜ ପାଇଁ ନିଃଶ୍ୱାସ ପ୍ରଶ୍ୱାସର ବ୍ୟବସ୍ଥା କରିବାକୁ ପଡେ। ଖାଲି ବଞ୍ଚିବା ପାଇଁ ପ୍ରତିଯୋଗିତା, ମାଟିରୁ ଆକାଶ ଯାଏ। ବୁଝିବାକୁ କଷ୍ଟ ହେଉ ନ ଥିଲା ପ୍ରହରାଜ ବାବୁଙ୍କୁ।


ତୁମ ଫାଇଲ ଭିତରେ ମୋ ଜୀବନ ବୀମା ପଲିସି ଅଛି। ତା ଭିତରେ ଦରକାରୀ କାଗଜଟିଏ ମୁଁ ଲୁଚେଇ ରଖିଛି। କେତେ ଖୋଜିଲିଣି। ଫାଇଲ କୋଉଠି ଅଛି କହିଲେ ମୁଁ ଟିକିଏ ଦେଖନ୍ତି। 


ପ୍ରହରାଜ ବାବୁ କିଛି ନ ଶୁଣିଲା ପରି ଚୁପ ରହିଲେ। 

କି କାଗଜ ! ପୁଣି ମୋ ଫାଇଲ ଭିତରେ !!! ମନେ ମନେ ଭାବୁଥିଲେ ପ୍ରହରାଜ ବାବୁ।


ବଡ଼ ଝିଅ ଚାକିରୀ କରିଛି । ତାକୁ କୁହ, କିଛି ସାହାଯ୍ୟ କରୁ । ତା'ର ଦରକାର ହେଲେ ଆମେ ଫେରେଇ ଦେବାନି....ସୁମିତ୍ରା କହିଲେ।


କଥାଟି କଷ୍ଟ ଦେଲା ପ୍ରହରାଜ ବାବୁଙ୍କୁ। ସ୍ୱାଭିମାନ ର ପଞ୍ଜୁରୀ ଭିତରେ ଜୀବନକୁ ପ୍ରତି ମୁହୂର୍ତ୍ତରେ ଆବିଷ୍କାର କରୁଥିବା ମଣିଷ ଟିଏ ବାହ୍ୟ ଜଗତର ଛଳନା ଭିତରେ ହଜିଯିବାକୁ ଚାହେଁନି, ସ୍ୱାଭିମାନ ନାହିଁ ତ କିଛି ନାହିଁ ଜୀବନରେ...ଝିଅ କୁ ସେ ପଇସା କଥା କେମିତି କହିବେ !!


ପଇସା ଯୋଗାଡ଼ ହୋଇ ଯାଇଛି ସୁମିତ୍ରା ! ମୁଁ ଜଣେ ସାଙ୍ଗକୁ ଫୋନ କରିଥିଲି। ହଁ କହିଛି ! 

ପ୍ରହରାଜ ବାବୁ ମିଛ କହିଲେ ତାଙ୍କ ଗଳାରୁ ଅପ୍ରାକୃତିକ ଶବ୍ଦ ବାହାରେ। କାରଣ ସେ ଠିକ୍ ଠିକ୍ ମିଛ କହି ପାରନ୍ତି ନାହିଁ, ସୁମିତ୍ରା ସହଜରେ ଧରି ନିଅନ୍ତି ତାଙ୍କ ମିଛକୁ । ଦୁଃଖ କରିବେ ବୋଲି କିଛି କହିଲେ ନାହିଁ ସୁମିତ୍ରା। 

ଦୁଇଦିନ ସମୟ ଅଛି, କିଛି ନା କିଛି ଯୋଗାଡ଼ ହୋଇଯିବ। ସେ ବି ପ୍ରହରାଜ ବାବୁ ଙ୍କୁ ସାନ୍ତ୍ଵନା ଦେବା ପାଇଁ ତାଙ୍କ ସହିତ ଗପରେ ମାତିଗଲେ। ଦୁଃଖକୁ ମନର ଏକ ନିଭୃତ କୋଣ କୁ ଠେଲିଦେଇ ପ୍ରହରାଜ ବାବୁ ଗପିବା ଆରମ୍ଭ କଲେ ସୁମିତ୍ରାଙ୍କ ସହିତ...


ମନେ ଅଛି ସୁମିତ୍ରା ! ତୁମେ ନୂଆ ନୂଆ ହୋଇ ଆସିଥାଅ ଆମ ଘରକୁ। ସିନେମା ଦେଖିବାକୁ ଯାଇଥିଲୁ। ସିନେମା ଆରମ୍ଭ ହେଲା, ପ୍ରଥମରୁ ଶେଷ ଯାଏ ତୁମେ ଶୋଇଥିଲ ସେଇ ହଲ ଭିତରେ। ସିନେମା ଶେଷ ହେଲା, ଲୋକେ ଉଠି ଯିବାକୁ ଆରମ୍ଭ କଲେ, ତୁମକୁ ମୁଁ ଉଠାଇଲି। ପଚାରିଲ, ସିନେମା ଆରମ୍ଭ ହେଲାଣି ! ମୁଁ ଫେଁ କରି ହସିଦେଲି, ତମେ ବି ହସୁଥିଲ ଏକ ନିରୀହ, ଅସହାୟ ଶିଶୁ ପରି। ମୋ ହାତ ଧରି ବାହାରି ଆସିଲ ହଲ ଭିତରୁ...


ସୁମିତ୍ରା ଙ୍କ ମୁହଁ ରେ ମଲ୍ଲି ଫୁଲିଆ ହସ। 


ସୁମତ୍ରା ଙ୍କ ବାରି। ସେ କଣ ଛାଡ଼ିବେ ! 

ତୁମ କଥା କହିବି ! ନୂଆ ନୂଆ ତୁମ ଘରକୁ ଆସିଥାଏ। ବିଶ୍ଵକର୍ମା ପୂଜା ପାଇଁ ଅଫିସ୍ କ୍ଳବରେ ଥିଏଟର ଆୟୋଜନ ହୋଇଥିଲା । ତୁମେ ସୀତା ଭୂମିକାରେ ଅଭିନୟ କରୁଥିଲ। ରାବଣ ତୁମକୁ ଟାଣି ଟାଣି ନେବା ସମୟରେ ତମ ମୁଣ୍ଡରେ ଥିବା ଉଇଗ ଖସି ପଡିଲା ତଳକୁ, ଲୋକେ ହସି ହସି ବେଦମ୍ ହୋଇଗଲେ, ମୁଁ ବି ହସିଲି।...

ପ୍ରହରାଜ ବାବୁ, ହସିଦେଲେ ।

ଦୁଃଖକୁ ଭୁଲିବା ପାଇଁ ହସ ବୋଧ ହୁଏ ଗୋଟାଏ ବାହାନା, ନଚେତ ଦୁଃଖର ଚକ୍ରବ୍ୟୁହ ଭିତରୁ ଫେରିବା ଏତେ ସହଜ ନୁହେଁ !! ବିଚରା ଅଭିମନ୍ୟୁ ପରି ଖାଲି ଛଟ ପଟ ହୁଏ ଜୀବନଟା। ଦୁଃଖର ଚୋରା ବାଲିରେ ପାଦ ତଳକୁ ତଳକୁ ଖସି ଯିବାର ଅନେକ ଆଗରୁ, ଭିଡ ଭିତରେ ଆଉ କାହାର ହାତଧରି ବଞ୍ଚିଯିବା ପାଇଁ ଚାହୁଁଥିଲେ ପ୍ରହରାଜ ବାବୁ। ବାଧ୍ୟ ବାଧକତା ର ଘୂର୍ଣ୍ଣିଝଡ଼ ଭିତରେ ଗୋଟେ ମଧ୍ୟବିତ୍ତ ପରିବାର କୁଟାଖିଅ ପରି ଉଡୁଥାଏ । ନା ପୁଅ ର ସଂଘର୍ଷ ସରିଛି ଚାକିରୀ ପାଇଁ, ନା ଝିଅର ପଢା ସରୁଛି।


*****

ସୁମିତ୍ରାଙ୍କ ହାତ ଲେଖା କାଗଜ କଥା ମନେ ପଡ଼ିଲା। ସୁମିତ୍ରା ଶୋଇଯିବା ଦେଖି ପ୍ରହରାଜ ବାବୁ ନିଜସ୍ଵ ଫାଇଲ ଭିତରୁ ସୁମିତ୍ରାଙ୍କ ପଲିସି ଫୋଲ୍ଡ ର ବାହାର କଲେ। ତା ଭିତରୁ ସୁମିତ୍ରାଙ୍କ ହାତ ଲେଖା କାଗଜଟିଏ ପାଇଲେ। ହାତ ଲେଖା କାଗଜକୁ ପଢ଼ିଲେ ପ୍ରହରାଜ ବାବୁ।


"ହଁ, ମୁଁ ଯଦି ତମ ଆଗରୁ ଚାଲିଯାଏ, ମୋ ଗହଣା ବାବଦରେ ଆଦୌ ବ୍ୟସ୍ତ ହେବନି, ପିଲାମାନଙ୍କ ପଢାଘର ଖଟ ତଳେ ଦେଖିବ, ଚାବି ଲାଗି ନ ଥିବା ବାକ୍ସଟିଏ ଅଛି। ରେଜେଇ ଭିତରେ ତୁମର ଗୋଟାଏ ପୁରୁଣା ସାର୍ଟ ଅଛି। ସେଇ ସାର୍ଟର ଛାତି ପକେଟ୍ ଭିତରେ ଦେଖିବ, ସବୁ ଗହଣା ଥିବ। ଚୋରି ଭୟରେ ମୁଁ ଲୁଚେଇ ଦେଇଛି। ମୋ ଶାଶୁ ମୋତେ ଦେଇଥିବା ସୁନା ହାରଟିକୁ ମୋ ବୋହୂ କୁ ଦେବ। କେବେ ବିକିବ ନାହିଁ, ରାଣ ରହିଲା, ଶାଶୁ ଦେଇଥିଲେ। ସେଇ ସୁନା ହାର ଟି ମୋ ବୋହୂର ...ଦରକାର ହେଲେ ସୁନା ହାର କୁ ଛାଡି ଆଉ ସବୁ ବିକିଦେବ, ମୋର ଆପତ୍ତି ନାହିଁ"


ବିଛଣାକୁ ଆସି ସୁମିତ୍ରା ଙ୍କ ମୁହଁ କୁ ଅନେଇ ବସିଥିଲେ ପ୍ରହରାଜ ବାବୁ । ମୃତ୍ୟୁ ପର ଯୋଜନା, ସମସ୍ତଙ୍କୁ ଖୁସିରେ ରଖିବାର କୌଶଳ କେବଳ ନାରୀ ମାନେ ହିଁ ଜାଣନ୍ତି। ଚିଠି ନ ଲେଖି ସେ କଣ ମୋତେ କହି ପାରି ନ ଥା'ନ୍ତେ କଥାଟିକୁ ! ମୃତ୍ୟୁ କୁ ଭୟ କରନ୍ତି ସୁମିତ୍ରା। ମରିବା କଥା ଟି ମୁହଁରେ ଧରିବେ ନାହିଁ ବୋଲି ସେ କାଗଜରେ ଲେଖି ଛୁପେ଼ଇ ଦେଇଛନ୍ତି ମୋ ଫାଇଲ ଭିତରେ। ଗହଣା ଲୁଚେଇ ଭୁଲି ଯାଇଛନ୍ତି । କେଉଁ ବାକ୍ସରେ , କାହା ଭିତରେ ଅଛି, କିଛି ମନେ ରଖି ନାହାନ୍ତି । ସୁମିତ୍ରା କେତେ ନିରୀହ, କେତେ ନିଷ୍କପଟ। ଭାରି ଭୁଲାମନ। ଖୁସିରେ ଆଖି ଭିଜିଗଲା । ଗାଢ଼ ନିଦରେ ଶୋଇଥିବା ସୁମିତ୍ରାଙ୍କ ମଥା ଆଉଁସି ଦେଲେ। ଏମିତି କିଛି କିଛି ମନଛୁଆଁ ଅନୁଭବ, ସମ୍ପର୍କ କୁ ଗାଢ଼ କରିଦିଏ ଅଜାଣତରେ...


ଶୋଇବାକୁ ଚେଷ୍ଟା କରୁଥିଲେ ପ୍ରହରାଜ ବାବୁ । ଶୋଇଗଲେ ସେ ନିଘୋଡ଼ ନିଦରେ।

ହଠାତ ନିଦ ଭାଙ୍ଗିଲା, ରାତି ଚାରିଟା। ସୁମିତ୍ରା ପାଖରେ ନାହାନ୍ତି। ପିଲାମାନଙ୍କ ପଢା ଘରକୁ ଦୌଡ଼ି ଗଲେ... ଦେଖିଲେ, ତିନୋଟି ବାକ୍ସ ଖୋଲି କପଡ଼ା ଭିତରେ କିଛି ଗୋଟାଏ ଖୋଜୁଛନ୍ତି ସୁମିତ୍ରା। 


ନିମ୍ନ ମଧ୍ୟବିତ୍ତ ପରିବାରର ଜଞ୍ଜାଳ ଗୋଟାଏ ଭୟାବହ ଯୁଦ୍ଧ ପରି। ଜିତିବା କିନ୍ତୁ କଷ୍ଟ ନୁହେଁ, ଖାଲି ଇଚ୍ଛା ଶକ୍ତିଟିଏ ଦରକାର। ସୁମିତ୍ରା ଲାଗି ପଡିଛନ୍ତି, ଯୁଦ୍ଧ କୁ ଜିତିବା ପାଇଁ। ଗହଣା ବିକି ଝିଅର ଫିଜ୍ ଭରିବେ, ପ୍ରହରାଜ ବାବୁ ଙ୍କୁ ଦୁଶ୍ଚିନ୍ତାରୁ ମୁକ୍ତି କରିବେ। 


ହାତ ଧରି ଟାଣି ନେଇ ଆସିଲେ ସୁମିତ୍ରାଙ୍କୁ। ଆସ ! ସମସ୍ୟାର ସମାଧାନ ହୋଇ ଯାଇଛି। ସାଙ୍ଗଠୁ ପଇସା ଆଣି ଅନ ଲାଇନ ରେ ପଠେଇ ସାରିଛି ଝିଅ ପାଖକୁ, ସନ୍ଦେହ ଯଦି ହେଉଛି ଫୋନ୍ କରି ଝିଅ କୁ ପଚାର।

ଏବେ ଖୁସି ତ !

ସୁମିତ୍ରାଙ୍କ ହସ ଭିତରେ ଆନନ୍ଦର ନିଶବ୍ଦ ଝଲକଟିଏ ଉଦ୍ଭାସିତ ହେଉଥିଲା।

ଆସ, ଗୋଟାଏ ଜିନିଷ ଦେଖେଇବି। ଫାଇଲ ଭିତରୁ ହଠାତ୍ ବାପାଙ୍କ ପୁରୁଣା ଚିଠିଟି ଏ ପାଇଲି, ମନି ଅର୍ଡର ସହିତ ଶେଷ ଭାଗରେ ଯେଉଁ ଚିଠିଟି ଲାଗି ଥାଏ.. ସେଇ ଚିଠି ଟି। ମୋର ବି.ଏ , ଶେଷ ବର୍ଷ ର କଥା। ଦେଖ କଣ ଲେଖିଥିଲେ ମୋ ବାପା !


"ପୁଅ, 

ବହୁ କଷ୍ଟରେ ପଚାଶ ଟଙ୍କା ପଠେଇଲି, ପଇସା କଣ ମୋ ପାଖରେ ଥିଲା ! ମୋର ବ୍ୟସ୍ତତା ଦେଖି ତୋ ଜେଜେ ବାପା ଅସ୍ଥିର ହୋଇ ଉଠିଲେ। କୁଆଡୁ କେମିତି ପଚାଶ ଟଙ୍କା ଖୋଜା ଖୋଜି କରି ଦେଲେ ମୁଁ ଜାଣିନି.. ପରେ ବୁଝିଲି ସେ ଗୋଟାଏ ଛେଳି ଛୁଆକୁ ବିକି ଦେଇଛନ୍ତି ଆଉ କାହାକୁ, ମନ ଦେଇ ପାଠ ପଢିବୁ"


ତିରିଶ ବର୍ଷ ତଳର କଥା ସୁମିତ୍ରା, ତମେ ଆମ ଘରକୁ ଆସିବାର ଅନେକ ଆଗରୁ। ଏଇଟା ଥିଲା ବାପାଙ୍କ ଶେଷ ମନି ଅର୍ଡର । ହଠାତ ଖବର ଆସିଲା, ବାପା ଆଉ ଦୁନିଆରେ ନାହାନ୍ତି। ସୁମିତ୍ରା ପଥର ପାଲଟି ଗଲେ କିଛି ମୁହୂର୍ତ୍ତ ପାଇଁ... ଏଇ ମନିଅର୍ଡର କଥାଟି କେବେ ସେ ଶୁଣି ନ ଥିଲେ ପ୍ରହରାଜ ବାବୁଙ୍କ ପାଖରୁ।

********

ଆକାଶ ଆଡ଼କୁ ଅନେଇଥିଲେ ପ୍ରହରାଜ ବାବୁ, ସୁମିତ୍ରା ତାଙ୍କ କାନ୍ଧରେ ହାତ ରଖିଲେ, ଆଶ୍ୱାସନା ଦେଉଥିଲେ, ଝିଅ ତ ପଇସା ପାଇଗଲା, ତେବେ ଆଉ ଚିନ୍ତା କାହିଁକି ? 

ସୁମିତ୍ରାଙ୍କ ନଜର ପଡିଲା ପ୍ରହରାଜ ବାବୁଙ୍କ ହାତ ଉପରେ...

ତୁମ ନବରତ୍ନ ମୁଦି ??? ଚୁପ୍ ରହିଲ କାହିଁକି ? ବିକି ଦେଇଛ !!! ସୁମିତ୍ରା ପଚାରିଲେ

ପ୍ରହରାଜ ବାବୁଙ୍କ ଆଖି ଜକେଇ ଆସିଲା। ଫାଇଲ ଭିତରୁ ତମ ହାତ ଲେଖା ଉଇଲ ଆଉ ବାପାଙ୍କ ଚିଠି ପଢ଼ିବା ପରେ ମୋତେ ରାସ୍ତା ମିଳିଗଲା, ସମସ୍ୟାର ସମାଧାନ ପାଇଁ ଖାଲି ଇଚ୍ଛା ଶକ୍ତି ଟିଏ ଦରକାର ନା ସୁମିତ୍ରା।

ହଁ, ମୁଁ ବିକି ଦେଇଛି...ନବରତ୍ନ ମୁଦି କୁ ମୁଁ ଲକ୍ଷେ ଟଙ୍କାରେ ବିକି ଦେଇଛି


ବାପାଙ୍କ ସେଦିନର ସେଇ ମନି ଅର୍ଡରଠୁ ଆରମ୍ଭ ହୋଇ ଝିଅ ପାଖକୁ ଅନଲାଇନ୍ ପେମେଣ୍ଟ ଭିତରେ ଅନେକ ଘଟଣା ଘଟିଯାଇଛି। ଦୁନିଆ ଅନେକ ଆଗେଇ ଯାଇଛି ସମୟ ସାଥିରେ...

ବାପା କିନ୍ତୁ ବଦଳି ନାହାନ୍ତି, ସବୁବେଳେ ଅସହାୟ ସେ...  

ତଥାପି ବାପା କଣ କେବେ ହାରନ୍ତି, ପିଲାମାନଙ୍କ ପାଇଁ ! କଲିଜା କୁ ପଥର କରି ସଂଘର୍ଷ କରନ୍ତି ଠିକ୍ ବୋଉ ପରି। ସେଦିନ ମାତ୍ର ପଚାଶ ଟଙ୍କା ପାଇଁ ବାପା ହାରି ନ ଥିଲେ। ଆଜି ଲକ୍ଷେ ଟଙ୍କା ପାଇଁ ବାପା ହାରି ନାହାନ୍ତି ! ନବରତ୍ନ ମୁଦି ପିନ୍ଧି ନିଜ ଭାଗ୍ୟ କୁ ବଦଳାଇବା ପାଇଁ ଚାହୁଁଥିଲେ ପ୍ରହରାଜ ବାବୁ, ନିଜ ଭାଗ୍ୟକୁ ସେ ବିକି ଦେଲେ ଆଉ କାହା ହାତରେ..


ସୁମିତ୍ରାଙ୍କ ଆଖିରେ ଲୁହ ଦେଖି ପ୍ରହରାଜ ବାବୁ କୋଳେଇ ନେଲେ ସୁମିତ୍ରାଙ୍କୁ.. ଆଶା , ଭରସା ଓ ସହାନୁଭୂତି ର ଉଷ୍ମତା ରେ ଧୀରେ ଧୀରେ ତରଳି ଯାଉଥିଲେ ନିମ୍ନ ମଧ୍ୟବିତ୍ତ ପରିବାରର ଦୁଇଟି ମଣିଷ...



Rate this content
Log in

More oriya story from Nityananda Nandi

Similar oriya story from Classics