ବାଲିରାଜା
ବାଲିରାଜା
ହଠାତ ସେଦିନ ପ୍ରମେୟ ପେପରର ରିପୋର୍ଟର ଝିଅଟି ସହିତ ଦେଖା ହୋଇଗଲା. ତରତର ହୋଇ ଚାଲିଯିବାକୁ ବସିଥିବା ବେଳେ ମୁଁ କହିଲି ଗୋଟେ ଦିଟା ସ୍ନାପ ଉଠେଇ ଦେବେ ପ୍ଲିଜ. ଉଠାଇଦେଇ ତରତର ହୋଇ ଚାଲିଯିବା ବେଳେ ଭଉଣୀ କହୁଥାନ୍ତି ତାଙ୍କ ଝିଅକୁ ଜ୍ୱର ଛାଡୁନି, ଦେହ ସାରା କଫ ଭର୍ତ୍ତି. ସେଥିରେ ତାଙ୍କୁ ଯିବାକୁ ପଡିବ କୋରାପୁଟ.ସତରେ ଓଡିଶା ଭିତରେ କୋରାପୁଟ ସତ ହେଲେ ଯିବାକୁ କେତେ କଷ୍ଟ. ଯିଏ ଯିବା ଆସିବା କରୁଛନ୍ତି, ତାଙ୍କ ପାଇଁ ଗୋଟେ ରାତି ହେଲେ ଯିଏ ଛୋଟ ଜରୁଆ ଶିଶୁ କନ୍ୟା ଛାଡ଼ି ଯିବ, ତା ପାଇଁ କେତେ କଷ୍ଟ ସତରେ. କୋଟିଆ ମାନଙ୍କର ଜୀବନ ଶୈଳୀ ବିଷୟରେ ରିପୋର୍ଟ ଆଣିବେ ରିପୋର୍ଟର ଭଉଣୀ. ମିଟିଙ୍ଗ ଚାଲିଥିଲା ବେଳେ ଆମେ ଦୁହେଁ ପାଖାପାଖି ବସିବା ଭିତରେ ପରିଚୟ. ପରିଚୟରୁ ସମ୍ଭାଷଣ ତା ଭିତରେ ଆତ୍ମିୟତା. ଆଉ ଆତ୍ମିୟତାର କାରଣ ବି କୋରାପୁଟ ଗସ୍ତ କଥା କହିବା ବେଳେ ମୋର ମନେ ପଡୁଥିଲା ମୋ ନଣନ୍ଦ ସେହି ଏରିଆରେ ଡାକ୍ତର ଅଛନ୍ତି. ତାଙ୍କରି ପାଇଁତ ଆଜିର ଏ ମିଟିଙ୍ଗ ଓ ତତ ସହିତ କୋଟିଆ ମାନଙ୍କର ଜୀବନୀ ତଥ୍ୟ ଉପରେ ଆଧାରିତ ବହିଟିଏ ଉନ୍ମୋଚନ କରା ଯାଉଥିବାରୁ ବହି ଖଣ୍ଡକ ହସ୍ତଗତ କରିବାକୁ କେତେ କିଏ କୋଉ ଉଦେଶ୍ୟ ନେଇ ଆସିଥିବା ବେଳେ ପ୍ରମେୟ ପେପେରର ଏହି ରିପୋର୍ଟର ଭଉଣୀ ବାଦ ଯାଇନାହାଁନ୍ତି. ମୋ ନଣନ୍ଦଙ୍କ ବହି ଖଣ୍ଡିକ ପାଇ କୃତ୍ୟ କୃତ୍ୟ ହେବା ସହ ଜୟପୁର ସହରରେ ନଣନ୍ଦ କୃଷ୍ନା ରହୁଥିବାରୁ ପୁଣି ପ୍ରମେୟ ଖବର କାଗଜର ପ୍ରକାଶନ ସେହି ଜୟପୁରରୁ ହେଉଥିବାରୁ ରିପୋର୍ଟର ଭଉଣୀ କାବେରୀ ଆଶ୍ଵସ୍ତ ହେଲେ ଓ ପରିଚୟ ନିବିଡ଼ତା ତଥା ଘନିଷ୍ଠତା କାରଣରୁ ସେ ତାଙ୍କ ନିଜ ଝିଅକୁ ସାଙ୍ଗରେ ନେଇକି ଚାଲନ୍ତୁ, ସେଠାରେ କୃଷ୍ନା ଯେହେତୁ ଶିଶୁ ବିଶେଷଜ୍ଞ,କିଛି ଅସୁବିଧା ହେବନି ବୋଲି ଆମେ ନଣନ୍ଦ ଭାଉଜ ପରାମର୍ଶ ଦେଇଥିଲେ ମଧ୍ୟ କାବେରୀ ମ୍ୟାଡାମ ଚିନ୍ତାଗ୍ରସ୍ତ ଥାଇ ତରତରରେ ଚାଲିଯାଇଥିଲେ.।
ସେ ଚାଲିଯିବା ପରେ ନଣନ୍ଦ କୃଷ୍ନା କହିଥିଲେ, ଭାଉଜ ଚାଲନା ମୋ ସହ. ସେଠି କାବେରୀ ସଙ୍ଗେ ଦେଖା ହେବ ଆଉ କୋଟିଆମାନଙ୍କ ଉପରେ ଲେଖିବାକୁ ତୁମକୁ ବି ମିଳିଯିବ କିଛି ତଥ୍ୟ ତ ମୁଁ ବି ରାଜି ହୋଇଯାଇଥିଲି.କୃଷ୍ନାଙ୍କ ବହିରୁ କୋଟିଆମାନଙ୍କ ଶିଶୁ ଓ ଶିଶୁ ମାନଙ୍କ ଲାଳନ ପାଳନ ସମ୍ବନ୍ଧରେ ଅନେକ କଥା ଜଣା ପଡୁଥିଲା. ଶିଶୁମାନଙ୍କ ଟୀକାକରଣ ପାଇଁ ବହୁ ଅସୁବିଧାରେ ବାପା ମାଆ ମାନଙ୍କୁ ରାଜି କରିବାକୁ ହୁଏ. ଗରୀବ ହେଲେ ମଧ୍ୟ ଭାରି ସ୍ୱାଭିମାନୀ ସେମାନେ. ଶିଶୁ ମୃତ୍ୟୁହାର କାରଣ ଅସ୍ୱଚ୍ଛ ପରିବେଶ , ଦୂଷିତ ଜଳ ସେବନ ଓ ମଶା କାମୁଡା. ବାବୁଶାନ ଅଭିନୀତ ଓଡ଼ିଆ ଫିଲ୍ମଟି ଦେଖି ସାରିବା ପରେ କେବଳ କୋଟିଆ କାହିଁକି ଅନେକ ଏବେ ଜାଣିଲେଣି ମଶା ହିଁ ମେଲେରିଆ ଓ ଡେଙ୍ଗୁର ବାହାକ.ତଥାପି ମଶାରି ଭିତରେ ରହିଥିବା ମଶା ଓ ମଶାରି ବାହାରେ ରହିଥିବା ମଶାଙ୍କ ଠାରୁ ରକ୍ଷା ପାଇବାର ଜ୍ଞାନ କୌଶଳ ବାତାଇବାକୁ ପଡେ ଠାକୁ ଠା ମିଟିଙ୍ଗ କରି ବୋଲି କହୁଥିବା କୃଷ୍ନାଙ୍କୁ କରୁଣ ଆଖିରେ ଚାହିଁ କାବେରୀ କହୁଥିଲେ, ଜାଣିଛନ୍ତି ମ୍ୟାଡାମ ଆଜି ଗୋଟେ ଜାଗାରେ ଗୋଟେ ଚାରି କି ପାଞ୍ଚ ବର୍ଷର ପିଲାଟିଏକୁ ଭେଟିଥିଲି.ଆଉ ତା ଅବସ୍ଥା ବିଷୟରେ ସବୁ ଜାଣି, କଣ କେମିତି ରିପୋର୍ଟ ସଜାଡ଼ିବି ଭାବି ପାରୁନି. କୃଷ୍ନା ସହିତ ମୁଁ ଆଗ୍ରହର ସହିତ ଶୁଣିବାକୁ ପାଖେଇ ଆସିଥିଲୁ.।
କାବେରୀ କହୁଥିଲେ, ନଦୀ କୁଳର ଥଣ୍ଡା ପବନ ଭିତରେ ପିଲାଟି ଏକରକମ ଫୁଙ୍ଗୁଳା ଦେହରେ, ନଈ ଧାରେ ଧାରେ ଶାମୁକା ଖୋଜି ମୋତି ବାହାର କରିବା ଚେଷ୍ଟାରେ ଥିଲା. ତା ନାମ ପଚାରିଲାରୁ କହିଲା ବାଲିରାଜା. ଦେହରେ ଅସମ୍ଭବ ତାତି. ମାଆ କାହିଁ ପଚାରିବାରୁ କହିଲା ହେଇ ସେଠି ଯୋଉ ଘର ତିଆରି ଚାଲିଛି ସେଠି ଇଟା ବୋହୁଛି. ତୁ କଣ ଖାଇଛୁ ପଚାରିବାରୁ କହିଲା ବାଉଁଶ କରଡ଼ି ଜାଉ . ଯୋଉ ବୟସରେ ଆମ ମାନଙ୍କ ଘରେ ପିଲାମାନେ କେତେ ଗେଲବସର ଭିତରେ ରହି ଅଳି ଅଝଟ କରି ଖେଳୁଛନ୍ତି ଓ ପ୍ଲେ ସ୍କୁଲରେ ମଜ୍ଜା ମସ୍ତି ଭିତରେ ପଢୁଛନ୍ତି, ଏହି ବାଳକ ଏଠି ବାଲିରାଜା ସାଜି ସାଉଣ୍ଟୁଛି ନଈ ପାଣିରୁ ଶାମୁକା, ପାଇଲେ କାଢିବ ମୋତି. ମାଆକୁ ଦେବ ନିଅଣ୍ଟିଆ ସଂସାରର ଗୁଜୁରାଣ ମେଣ୍ଟେଇବାକୁ. ଆଉ ନପାଇଲେ? ପୁଣି ଦେହରେ ଖାଇଫୁଟା ତାତି, ନାକରୁ ଗଡି ଆସୁଥିବା ପାଣି ପୋଛିବାକୁ ମଧ୍ୟ ଦେହର ବସ୍ତ୍ର କହିଲେ ଭୁଲ ହେବ କପଡା ନିଅଣ୍ଟ. ପାଖରେ ଥିବା ଟର୍କିସ ଦେବାରୁ ନେଇ ନିଜେ ପୋଛି ସଫା କଲା ସେ. ଆଉ ବହୁ କଷ୍ଟରେ ପାଉଁରୁଟି ଗ୍ରହଣ କଲା ବେଳେ କହୁଥିଲା ମାଆ କିଛି ଖାଇନି. ଅଳ୍ପ ବାଉଁଶ କରଡ଼ି ଜାଉ ଥିଲା ତ ମତେ ସବୁ ଦେଇ ଦେଇଥିଲା. ସେ ଏବେ ଆସିଲେ ଆମେ ମିଶିକି ଖାଇବୁ. ଲୁହ ଆସିଗଲା ଆଖିକୁ. ଏହି ସମୟରେ ସ୍ତ୍ରୀ ଲୋକଟିଏ ଆସିଥିଲା ଅଣ୍ଟିରେ କଞ୍ଚା ଚୁଡା ଦିଟା ଧରି, ଯାହା ତାକୁ କାମରୁ ମିଳୁଥିଲା ମଧ୍ୟାହ୍ନ ଭୋଜନ ରୂପେ. ସ୍ତ୍ରୀ ଲୋକଟିର ଆଧାସିଆଁ ଶାଢ଼ୀ ପଣତରେ ଚୁଡା ଦିଟା ନିଜକୁ ବହୁ କଷ୍ଟରେ ସାଇତି ରଖିଥିଲେ ତ ସ୍ତ୍ରୀ ଲୋକଟି ଡାକ ଛାଡୁଥିଲା, ବାଲିରାଜା.... ଆ... ଆ. ଦଉଡି ଗଲା ବାଲିରାଜା. ମାଆ ସଙ୍ଗେ ମିଶି ଚୁଡା ଚୋବେଇବା ବେଳେ ମୋର ଆମ ଘର ଛୁଆମାନଙ୍କ କଥା ମନେ ପଡୁଥିଲା. କେତେ କଥା କରି, କେତେ ଯତ୍ନରେ ଖାଦ୍ୟ ଖୁଆଉ ଖୁଆଉ ମଧ୍ୟ ପିଲା ଖାଆନ୍ତି ନାହିଁ. ବୁଲେଇ ବୁଲେଇ ଖୁଆଉ ଖୁଆଉ ନାକେଦମ କରନ୍ତି. ସେଥିରେ ପୁଣି ଅନେକ ରୋଗ. ଏଠି ମାଆଟି ସ୍ନେହରେ ଡାକୁଥିବା ବାଲିରାଜା, ଜଗି ରଖି ଖାଉଥିଲା କଞ୍ଚା ଚୁଡା ମାର ଶୁଖିଲା ମୁହଁ ଓ ଭୋକିଲା ପେଟକୁ ବୁଝି. ପୁଣି ଜରୁଆ ଦେହରେ ଦଉଡି ଯାଇ ନଈରେ ମୁକ୍ତା ପାଇଁ ଖୋଜୁଥିଲା ଶାମୁକା. ସତରେ ଜୀବନର କେତେ ସଂଘର୍ଷ ଓ କେତେ କଷଣ ଭିତରେ ବାଲିରାଜାର ଜୀବନ କାହାଣୀ ଭାରି ନିଆରା.ଆମେ ତିନିହେଁ ଏକାସଙ୍ଗରେ ଯୋଉ ଦୀର୍ଘନିଶ୍ୱାସ ପକେଇଲୁ ସେଥିରେ ବାଲିରାଜା ଭଳି ପିଲାମାନଙ୍କର କଷ୍ଟ କେତେଦୂର ଦୂର ହୋଇପାରିବ, ଆମକୁ ଜଣା ନଥିଲା.।
