ଅସହାୟ ଶୈଶବ
ଅସହାୟ ଶୈଶବ


ପ୍ରତିଦିନ ସନ୍ଧ୍ୟା ଭଳି ଆଜି ମଧ୍ୟ ବୋଉ ବସିଛି କାହ୍ନୁକୁ ଧରି ଅଗଣାରେ । ସଞ୍ଜ ବେଳର ଧୂଳି ଖେଳ ସାରି ଘରକୁ ଫେରି ବୁଲୁ (ବଳରାମ) ସିଧା ଦୌଡିଛି ରନ୍ଧାଶାଳକୁ । ପଛରୁ ବୋଉର ପାଟି ଶୁଭିଲା, "ମୁଁ କାହ୍ଣୁକୁ ଖୁଆଉଛି, ଟିକେ ଥୟ ଧରେ । ମୁଁହ ହାତ ଧୋଇ ପୋଛା ପୋଛି ହେଇକି ଆସେ । ବାହାର ଦାଣ୍ଡର ଧୂଳି ମଳି ରୋଷେଇ ଘରେ ପଶେଇବୁନି । ମୁଁ ଆସିଲେ ତୋତେ ଖାଇବାକୁ ଦେବି । " କିନ୍ତୁ ବୁଲୁ କଣ ଆଜି ଭୋକରେ ଆଉଟୁ ପାଉଟୁ ହୋଇକି ଯାଇଥିଲା କି ରୋଷେଇ ଘରକୁ ? ସିଏ ତ ଯାଇଥିଲା ଆଉ ଗୋଟିଏ ବହୁତ ବଡ କାମ କରିବାକୁ ।
ଆଜି ଖେଳ ପଡିଆରେ ଦେଖିଛି ସିଏ ସୁନ୍ଦର ଜିନିଷଟିଏ ଆଉ ତାକୁ ନେଇ ଆସିଛି ରଖିବାକୁ ନିଜ ଘରେ । ମନେ ପଡିଗଲା ତାହାର ଆଈ ଘରେ ବିରାଡ଼ିଟି ଚୁଲି ମୁଣ୍ଡରେ ଶୁଏ । ଆଈଙ୍କ ଘରେ ଆଜି ମଧ୍ୟ କାଠ କି କୋଇଲାରେ ରୋଷେଇ ହୁଏ । ଏଠି ସେ ସବୁ ନାହିଁ କିନ୍ତୁ ରୋଷେଇଘର ତ ରୋଷେଇ ଘର, ବିରାଡ଼ି ଛୁଆଟିଏ କାହିଁକି ଖୁସି ନ ହେବ?
ଦୁଇ ତିନିଟା ଡବା ମଝିରେ ଥୋଇଦେଲା ବିରାଡ଼ି ଛୁଆଟାକୁ ଆଉ କାଳେ ବୋଉର ନଜର ପଡିବ ଭାବି ଢାଙ୍କି ଦେଲା ପାଖରେ ଥିବା କିଛି ଅଖା ବସ୍ତା । ସତରେ କେତେ ବଢିଆ ହେବ, ପରେ ବିରାଡ଼ି ସହିତ ଖେଳିବ !
ମୁଁହ ହାତ ଧୋଇଇବାକୁ ଚାଲିଗଲା ବୁଲୁ । ଅଗଣାକୁ ଆସି ଦେଖିଲା କାହ୍ନୁ ତାହାର ଗୁରୁଣ୍ଡି ଗୁରୁଣ୍ଡି ବୁଲୁଛି । ବୋଉ ବୋଧହୁଏ ଖାଇବାକୁ ଆଣିବାକୁ ଯାଇଛି ।
"ଫଟାସ," ଚମକି ପଡିଲା କାହ୍ନୁ । ଛୋଟିଆ ନିମ୍ବ ଛାଟରେ ବୋଉ ଦେଇଛି ପିଟି ପାହାରଟିଏ ତାହାର ପିଠିରେ । ପର ଦୁଇ ମୁହୂର୍ତ୍ତରେ ବୋଉର ପାଟିରୁ ଵାହରିଗଲା ଅନର୍ଗଳ ଗାଳି ଆଉ ଶେଷରେ ଶୁଣିଲା," ବଦମାସ ତୋତେ ସେ ବିଲେଇ ଛୁଆକୁ ଆଣିବାକୁ କିଏ କହିଲା? ତାହାର ମାଆ ତାକୁ ଖୋଜୁଥିବ, ଶୀଘ୍ର ନେଇକି ଯୋଉଠାରୁ ଆଣିଛୁ ସେଠି ଛାଡ଼େ । କାହ୍ନୁକୁ କିଏ ନେଇଗଲେ ତୋ ପାଖରୁ ତୋତେ ଭଲ ଲାଗିବ କି? ବିଲେଇର ମଧ୍ୟ ପରିବାର ଅଛି । ତାହାର ମାଆ ତାକୁ ଖୋଜୁଥିବ । "
କାନ ମୁଣ୍ଡ ଆଉଁସି ଚାଲିଗଲା ବୁଲୁ ବିରାଡ଼ି ଛୁଆଟିକୁ ସେହି ବୁଦା ମୂଳେ ଛାଡିବାକୁ ।
ରାତିରେ କିନ୍ତୁ ବୋଉର ମନ ବଦଳିଥିଲା । କେତେ ସରାଗରେ ମଲମ ଘଷି ଦେଇଥିଲା ତାହାର ପିଠିରେ ଆଉ ବୁଝେଇ ଦେଇଥିଲା, "ମଣିଷ ହେଉ କି ପଶୁ ହେଉ, ଶିଶୁ ଅବସ୍ଥାରେ ସମସ୍ତେ ଅକ୍ଷମ ନିଜର ମାଆ ବିନା । ତୋର ଯଦି ବିଲେଇ ପୋଷିବାର ଅଛି କହିଲୁନି ବାପାଙ୍କୁ ସିଏ କାହାକୁ କହି ଆଣି ଦେଇଥାନ୍ତେ ବିରାଡ଼ିଟିଏ । "
ଦୁଇ ଟୋପା ଲୁହ ଗଡ଼ିଗଲା ବୁଲୁର ଆଖିରୁ । ବୋଉ ଫୋଟୋରେ ଫୁଲ ମାଳ ଦେଉ ଦେଉ ବାହାରିଗଲା ତାହାର ପାଟିରୁ, " ପିଲାଟିଏ ସବୁ ଦିନେ ଅକ୍ଷମ ହେଇଥାଏ ବୋଉ, ଯେତେ ବଡ ହେଇଗଲେ ମଧ୍ୟ ଶିଶୁଟିଏ ହିଁ ହୋଇଯାଏ ତାହାର ବୋଉ ବିନା । "
ସାନ ଭାଇ କୃଷ୍ଣ ଆସି ତାହାର କାନ୍ଧରେ ହାତ ଦେଇ କହିଲା, " ଚାଲ ଭାଇ ଅଫିସ ସମୟ ହେଲାଣି, ଭାଉଜ ଜଳଖିଆ ଲାଗି ଡାକିଲେଣି । "