STORYMIRROR

Sudeshna Misra

Action Thriller

4  

Sudeshna Misra

Action Thriller

ଅପରେସନ ୬୨୧

ଅପରେସନ ୬୨୧

5 mins
581

କ୍ରିଂ କ୍ରିଂ , ଫାୟାର ବ୍ରିଗେଡ ଅଫିସରେ ଫୋନ୍ ବାଜି ଉଠିଲା । ସେଦିନ ଅଧିକାରୀ ଜଣଙ୍କ ନଥିଲେ । ଖାଲି ନିଆଁ ଲିଭା କର୍ମଚାରୀ ମାନେ ଥିଲେ। ତେଣୁ ଫୋନ୍ ଉଠେଇଲେ ସେମାନଙ୍କ ଭିତରୁ ଜଣେ।  ସେପଟୁ ଶୁଭିଲା "ହ୍ୟାଲୋ ଫାୟାର ବ୍ରିଗେଡ ଅଫିସ୍ ରୁ କହୁଛନ୍ତି। ଆମ ଘରପାଖ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଛି। ତୁରନ୍ତ ଆସନ୍ତୁ।" 

"ଠିକଣା କୁହନ୍ତୁ " "ଗୁଞ୍ଜନ୍ ଆପାର୍ଟମେଣ୍ଟ ,୨୬, ପାର୍କ ଷ୍ଟ୍ରିଟ୍ ଓ୍ବେଷ୍ଟ ସାଇଡ୍ " ରମେଶ ଫୋନ୍ ରଖି ତାଙ୍କ ଅଫିସର ଙ୍କୁ ଜରୁରୀକାଳିନ ଫୋନ୍ ରେ ମେସେଜ କଲେ । ସଙ୍ଗେ ସଙ୍ଗେ ଅନ୍ଯ ସାଥୀ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ ହେବାପାଇଁ କହି ରମେଶ ସବୁ ସରଞ୍ଜାମ ଅଛିକି ନାହିଁ ତଦାରଖ କରିବାକୁ ଲାଗିଲେ। ପାଇପ୍ , ସ୍ପ୍ରେୟର , ଅଗ୍ନି ସହନଶୀଳ ସୁଟ୍, ଗ୍ଲୋଭସ୍ ସବୁକିଛି ଠିକ୍ ଥିଲେବି ତାଙ୍କ ନିଜ ଜୋତାଟି ଟିକେ ଦୁର୍ବଳ ଥିଲା।ନୂଆ ଜୋତା ପାଇଁ ଅର୍ଡର୍ ଦିଆଯାଇଛି, ହେଲେ ଡେଲିଭେରି ହେଇନଥିଲା ଅଫିସ୍ ରେ। ଚଳେଇଦେବେ ଭାବି ରମେଶ ଆଉ ଚାରିଜଣ କର୍ମଚାରୀଙ୍କୁ ଧରି ବାହାରି ପଡିଲା। ରମେଶ ଅନ୍ଯ ମାନଙ୍କ ଠାରୁ ସିନିୟର୍ ଓ ଅନୁଭୂତି ସମ୍ପନ୍ନ ଥିବାରୁ ତାକୁ ତାଙ୍କ ଉପର ଅଫିସର୍ ଏ କାମରେ ମୁଖ୍ୟ ଦାୟିତ୍ଵ ନେବାକୁ ନିର୍ଦ୍ଦେଶ ଦେଲେ । ପ୍ରାୟ ପନ୍ଦର ମିନିଟ୍ ଭିତରେ ଦମକଳ ଗାଡି ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚିଗଲା। ଯେଉଁ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା ତାହା ଦଶମହଲା ବିଶିଷ୍ଟ। ଆଉ ତାହାର ଷଷ୍ଠତାଲାରେ ନିଆଁ ଲାଗିଥିଲା। ଜଣେ ସାଥୀ କର୍ମଚାରୀ ଙ୍କୁ ପାଖରେ କେଉଁଠି ପାଣି ଅଛି ଖୋଜିବାକୁ କହି ଅନ୍ୟ ମାନଙ୍କୁ ତୁରନ୍ତ ପାଣି ପକେଇବାକୁ ନିର୍ଦ୍ଦେଶ ଦେଲେ ରମେଶ। ଆପାର୍ଟମେଣ୍ଟରୁ ସମସ୍ତଲୋକ ଖାଲି ହେଇଛନ୍ତି କି ନାହିଁ ମାଇକ୍ ସାହାଯ୍ୟରେ ଘୋଷଣା କରି ପଚାରୁଥିବା ସହିତ ସିଡିରେ ଆସିବା କେତେ ସୁରକ୍ଷିତ ତାହା ତଦାରଖ କରୁ କରୁ ଦେଖିଲେ ଜଣେ ଭଦ୍ରବ୍ୟକ୍ତି କାନ୍ଦ କାନ୍ଦ ହେଇ ତା ପାଖକୁ ଆସି କହିଲେ " ମୋ ସ୍ତ୍ରୀ ଓ ଦୁଇବର୍ଷ ର ପୁଅ ଏପର୍ଯ୍ୟନ୍ତ ନିଜ ଫ୍ଲାଟ୍ ଭିତରେ ରହିଯାଇଛନ୍ତି।" ରମେଶ ତାଙ୍କୁ ଉପରକୁ ନ ଯିବାକୁ ନିର୍ଦ୍ଦେଶ ଦେଇ ଫୋନ୍ ଯୋଗେ ସ୍ତ୍ରୀ ଙ୍କ ସହିତ ଯୋଗାଯୋଗ ଜାରି ରଖି ସାହାସ ଓ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଲେ। ପଞ୍ଚମ ମହଲା ପର୍ଯ୍ୟନ୍ତ ସମସ୍ତ ଙ୍କୁ ଧୀରେ ଧୀରେ ସିଡି ଦେଇ ଆସିବାକୁ କହି ଦେଖିଲେ ଦୁଇଜଣ ବୁଢ଼ାବୁଢ଼ୀ ଶୀଘ୍ର ଶୀଘ୍ର ଚାଲିପାରୁ ନାହାନ୍ତି। ପ୍ରାୟ ସମସ୍ତେ ଆସିଯାଇଥିଲେ, କେବଳ ସେହି ଦୁଇଜଣ ବୁଢ଼ାବୁଢ଼ୀଙ୍କ ଛଡ଼ା। ସେତେବେଳେ ତାଙ୍କୁ ପିଠିରେ ଆଣିବା ଛଡ଼ା ଅନ୍ଯ ଉପାୟ ନଥିଲା। ଜଣଙ୍କୁ ରମେଶ ନିଜ ପିଠିରେ ଉଠାଇଲେ ଓ ଅନ୍ଯଜଣଙ୍କୁ ପରିବାର ଲୋକ କିପରି ପିଠିରେ ବାନ୍ଧି ଆଣିପାରିବେ ବତାଇ ଦେଇ ଆଣି ସୁରକ୍ଷିତ ସ୍ଥାନରେ ଛାଡ଼ିଲେ।  ବର୍ତ୍ତମାନ ଛଅତାଲାରେ କେବଳ ମା ସାନପୁଅ ସେ ଦୁଇଜଣ ଅଛନ୍ତି ବୋଲି ତାଙ୍କ ଧାରଣା ଥିଲା। ଦୈବ କୃପାରୁ ଫୋନ୍ ଯୋଗାଯୋଗ ଥିବାରୁ ତାଙ୍କ ସ୍ବାମୀ ଝରକା ସବୁ ଖୋଲା ରଖିବାକୁ କହୁଥାଆନ୍ତି ରମେଶଙ୍କ ପରାମର୍ଶ ଅନୁଯାୟୀ। ସେ ଲକ୍ଷ୍ୟକଲେ ନିଆଁ ଛଅତାଲାରୁ ଉପରକୁ ଉଠିବାକୁ ଆରମ୍ଭ କଲାଣି। ପ୍ରଥମେ ରମେଶ ଛଅତାଲାର ଉପର ତାଲା ରେ ଥିବା ଲୋକଙ୍କୁ ତଳକୁ ଆସିବାକୁ ମାଇକ୍ ଯୋଗେ ନିର୍ଦ୍ଦେଶ ଦେଇସାରିଥିଲେ ବହୁତ ଲୋକ ନିଆଁ ବ୍ୟାପିବା ପୂର୍ବରୁ ମୁଖ୍ଯ ସିଢିଦ୍ଵାରା ତଳକୁ ଆସିଯାଇଥିଲେ। ଆଉକିଛି ଲୋକ ଜରୁରୀକାଳୀନ ସିଢିଦେଇ ଆସୁଥିଲେ । କିନ୍ତୁ ଭୟ ପାଇ ଲୋକ ଧସ୍ତାଧସ୍ତି ହେବାକୁ ଲାଗିଲେ।  "ଦେଖନ୍ତୁ ଆପଣମାନେ ସମସ୍ତେ ସୁରକ୍ଷିତ ଭାବରେ ଆସିପାରିବେ। କିନ୍ତୁ ଆପଣମାନଙ୍କୁ ଧୈର୍ଯ୍ୟ ସହକାରେ କାମ କରିବାକୁ ପଡ଼ିବ। ନବମ ଓ ଦଶମ ତାଲା ରେ ଥିବା ଲୋକମାନେ ସିଡ଼ିରେ ଉପରକୁ ଖୋଲା ଛାତକୁ ଚାଲିଯାଇ ପାରିବେ। ସେଇଟା ବର୍ତ୍ତମାନ ପାଇଁ ସୁରକ୍ଷିତ। କାରଣ ସେଠି ନିଆଁ ଲାଗିବା ପରି କିଛି ପଦାର୍ଥ ନାହିଁ। କେବଳ ସପ୍ତମ ଓ ଅଷ୍ଟମ ତାଲା ରେ ଥିବା ଲୋକମାନେ କୋଠାର ବାହାର ପଟେ ଥିବା ଜରୁରୀକାଳୀନ ଶିଢି ବ୍ୟବହାର କରନ୍ତୁ। ବିବ୍ରତ ହେଇ ତରବରିଆ ଭାବରେ ଦୌଡା ଦୌଡି କରନ୍ତୁ ନାହିଁ। " ମାଇକ୍ ଦ୍ବାରା ଏହି ଘୋଷଣା କରି ରମେଶ ବର୍ତ୍ତମାନ ଉଦ୍ଧାର ପାଇଁ ଅନ୍ଯ ରାସ୍ତା ଖୋଜିବାକୁ ଲାଗିଲେ ତଳକୁ ଆସି ରମେଶ ଦେଖିଲେ କିଛିଦୂରରେ ଗୋଟିଏ ବହୁତଳ ପ୍ରାସାଦ ନିର୍ମାଣଧୀନ। ସେଇଠି ଘରତିଆରି ଉପକରଣ ନେବା ଆଣିବା ଲାଗି ଏକ କ୍ରେନ୍ ଥୁଆ ହେଇଛି। ଭିତରେ ରହିଯାଇଥିବା ଆଉକିଛି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏହାକୁ ବ୍ୟବହାର କରାଯାଇପାରେ। ରମେଶ ମାଇକଟିକୁ ତାଙ୍କ ସାଥୀ ଭାଇଙ୍କୁ ଦେଇ ଘୋଷଣା ଜାରୀ ରଖିବାକୁ ନିର୍ଦ୍ଦେଶ ଦେଲେ। ପାଖରେ ଥିବା ବାଇକ୍ ଚାଳକଙ୍କ ସହ ସେ କ୍ରେନ୍ ପାଖରେ ପହଞ୍ଚି ତାଙ୍କୁ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବାକୁ ଅନୁରୋଧ କଲେ। କ୍ରେନ୍ ଟି ପାଖକୁ ଆସିଲା ପରେ ଦେଖାଗଲା ତାହା କେବଳ ପଞ୍ଚମ ତାଲା ପର୍ଯ୍ୟନ୍ତ ଯାଇପାରୁଛି। ତେଣୁ ସେଇ କ୍ରେନ୍ ଦ୍ବାରା ଆପତକାଳୀନ ସିଢିଦ୍ବାରା ଆସୁଥିବା ବୃଦ୍ଧ ବୃଦ୍ଧା ମାନଙ୍କୁ ଉଦ୍ଧାର କରାଯାଇ  ପାରିଲା । ବର୍ତ୍ତମାନ ନିଆଁ କିଛି ପରିମାଣରେ ଆୟତ୍ତ ହେଇଥିଲେବି ଧୂଆଁରେ ଶ୍ୱାସରୁଦ୍ଧ ହେବାର ଯଥେଷ୍ଟ ସମ୍ଭାବନା ଥିଲା। ତେଣୁ ଷଷ୍ଠତାଲାରେ ରହିଯାଇଥିବା ସେ ମା ଓ ଛୁଆଙ୍କୁ ଙ୍କୁ ଉଦ୍ଧାର କରିବା ଥିଲା ମୁଖ୍ୟ କାର୍ଯ। ଭାଗ୍ୟକୁ ତାଙ୍କ ଫୋନ୍ ସହିତ ବହୁତ ସମୟ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହେଇନଥିଲା, ତେଣୁ ତାଙ୍କୁ ସବୁ ବିଷୟରେ କ'ଣ କରିବେ ତାହା କୁହାଯାଇ ପାରୁଥିଲା। ତାଙ୍କ ଫ୍ଲାଟ ବାହାର ପଟକୁ ଥିବା ବାଲକୋନୀକୁ ଲକ୍ଷ ରଖି ଯୋଜନା କରାହେଲା। 

ରମେଶ ଦେଖିଲେ ଗୁଞ୍ଜନ୍ ଆପାର୍ଟମେଣ୍ଟ ୬୨୧ ନମ୍ବର ଫ୍ଲାଟ ପାଖରେ ୫ ହଜାର ବର୍ଗଫୁଟ ର ଏକ ପାଞ୍ଚତାଲା ବିଶିଷ୍ଟ ଘର 

ରହିଛି। ଏହି ଘରର ଛାତ ଉପରୁ ସିଢି ଆପାର୍ଟମେଣ୍ଟ ର ୬୨୧ ଫ୍ଲାଟ ବାଲକୋନିକୁ ପକାଯାଇ ସେ ମହିଳା ଓ ତାଙ୍କ ପୁଅକୁ ଉଦ୍ଧାର କରାଯିବାର ସମ୍ଭାବନା ଭଲ। ୟା ଭିତରେ ଆହୁରି ଦୁଇଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେଇଛନ୍ତି। ସମୟ ବହୁତ କମ୍, ଭିତରେ ନିଆଁ ଦ୍ବାରା ସେ ଭଦ୍ରବ୍ୟକ୍ତିଙ୍କ ୬୨୧ ନମ୍ବର ଫ୍ଲାଟ୍ ଟିକୁ ଧୁଆଁ ଯେକୋୖଣସି ସମୟରେ ଆସିଯାଇପାରେ। ରମେଶ ଅନ୍ଯ କର୍ମଚାରୀଙ୍କ ସହ ଏ ବିଷୟରେ ତୁରନ୍ତ ଆଲୋଚନା କରି ସେ ପାଖ ପାଞ୍ଚମହଲା ଘର ଛାତ ଉପରକୁ ଯାଇ ତଦାରଖ କରି ଫୋଲ୍ଡିଂ ଶିଢିକୁ ଆଣିବାକୁ ମେସେଜ୍ ଦେଲେ। ଶିଢି କୁ ଏହି ଛାତରେ ଭଲକରି ଫିକ୍ସ କରାଗଲା। ରମେଶ ଗୁଞ୍ଜନ୍ ଆପାର୍ଟମେଣ୍ଟର ବାହାର ପଟ ଶିଢିର ପାଞ୍ଚତାଲା କୁ ଉଠି ପାରାପେଟ୍ ଉପର ଦେଇ ଆସ୍ତେ ୬୨୧ ନମ୍ବର ଫ୍ଲାଟର ବାଲକୋନି ରେ ପହଞ୍ଚି ଗଲେ। ତାପରେ ସେଠି ଶିଢିକୁ ଭଲଭାବରେ ବନ୍ଧାଯାଇ ଦୁଇଟି ଘରକୁ ସଂଯୋଗ କରାଗଲା।  ଶିଢି ଉପରେ ଏକ ଶକ୍ତ ରଜ୍ଜୁକୁ ମଧ୍ୟ ବନ୍ଧା ଗଲା। ଏସବୁ କାର୍ଯ୍ୟ ଅତି ସତର୍କତାର ସହ ଖୁବ୍ ଶୀଘ୍ର କରାଯାଉଥାଏ। ରମେଶ ପ୍ରଥମେ ପରୀକ୍ଷା ସ୍ବରୂପ ଶିଢିରେ ଚାଲି ଚାଲି ଯାଇ ପାଖ ପାଞ୍ଚମହଲା ଘର ଛାତ ଉପରେ ଓହ୍ଲାଇ ପାରିଲେ। ତାପରେ ମା ଓ ଶିଶୁଙ୍କୁ ଉଦ୍ଧାର କରିବା କଥା। ସେମାନେ ବହୁତ ଭୟାର୍ତ୍ତ ଅବସ୍ଥା ରେ ଥାଆନ୍ତି। ତାଙ୍କୁ ଭରସା ଦେଇ ବୁଝାଇବାକୁ ପଡିଲା। ଖୁବ୍ ସାହାସ ଦରକାର। ଟିକେ ଭାରସାମ୍ୟ ହରେଇଲେ ଜୀବନ ଚାଲି ଯିବ। ଆଗ ଶିଶୁଟିକୁ ପିଠିରେ ବାନ୍ଧି ଉପର ଦଉଡିକୁ ଧରି ଧୀରେ ଧୀରେ ରମେଶ ସୁରୁଖୁରୁରେ ଓହ୍ଲାଇ ପାରିଲେ। ଦଉଡିରେ ଘଷିହେଇ ରମେଶଙ୍କ ଦୁଇହାତ ପାପୁଲି ଖଣ୍ଡିଆ ହୋଇ ରକ୍ତ ଝରୁଥାଏ। ତାହାକୁ ଭ୍ରୁକ୍ଷେପ ନକରି ସେ ଅନବରତ କାମକରି ଚାଲିଥାଆନ୍ତି। ଏହାପରେ ସେ ମହିଳାଙ୍କୁ ଉଦ୍ଧାର କରିବା ପାଳି। ମହିଳାଙ୍କ ଅଣ୍ଟାକୁ ଉପର ଦଉଡ଼ି ସହ ଭଲକରି ବାନ୍ଧି ଦିଆଗଲା ଆଉ ତଳକୁ ନଚାହିଁ ତାଙ୍କୁ ଧିରେ ଧିରେ ଶିଢିରେ ଚାଲି ଚାଲି ଯିବାକୁ କୁହାଗଲା। ନିର୍ଦ୍ଦେଶ ଅନୁଯାୟୀ ମହିଳା ଜଣଙ୍କ ମଧ୍ୟ ସେହିପରି ଆର କୋଠାର ଛାତ ଉପରେ ପହଞ୍ଚି ପାରିଲେ। "ଯଦି ଆଉ କେହି ଏହି ଆପାର୍ଟମେଣ୍ଟ ଭିତରେ ରହିଯାଇଛନ୍ତି ତେବେ ନିଜ ନିଜର ବାଲ୍କୋନି କୁ ଆସି ଇଙ୍ଗିତ ଦିଅନ୍ତୁ" ରମେଶଙ୍କ ମାଇକ୍ ଦ୍ବାରା ଏହି ଘୋଷଣାର ଉତ୍ତର କେହି ଦେଇନଥିଲେ। ତାଛଡା ଆପାର୍ଟମେଣ୍ଟ ର ପ୍ରତି ଫ୍ଲାଟ୍ ରେ ରହୁଥିବା ସଦସ୍ୟ ମାନଙ୍କର ତାଲିକା ଆଣି ତାଙ୍କ ପରିବାରଙ୍କ ସହିତ ମିଳଉଥିଲେ ପୋଲିସ୍ କର୍ମଚାରୀ। ବର୍ତ୍ତମାନ ଏହି ଆପାର୍ଟମେଣ୍ଟ ଭିତରେ ଆଉ କେହି ନାହାନ୍ତି। ଅଗ୍ନିମଧ୍ଯ ନିର୍ବାପିତ। ଲୋକମାନଙ୍କ ର ପାଟିତୁଣ୍ଡ ଓ ବିକଳଭାବ କମିଆସିଲାଣି। ରମେଶ ଏବେ ନିଶ୍ଚିନ୍ତରେ ଦୀର୍ଘ ନିଶ୍ଵାସ ଟିଏ ପକଉ ଥିଲେ। ଆଉ ଦେଖୁଥିଲେ ବାପା ମା ଓ କୁନିପୁଅଙ୍କର ମିଳନ। ସେମାନଙ୍କ ଚକ୍ଷୁ ରେ ଆନନ୍ଦାଶ୍ରୁ।  ଏବେ ତାଙ୍କ ନିଜ ଶରୀର ଭିତରେ କଷ୍ଟ ଅନୁଭବ କରିବା ଆରମ୍ଭ କଲେ ରମେଶ। ପାଦରେ ପୋଡ଼ାଜଳାର କଷ୍ଟ। ଯୋତା ଖୋଲି ଦେଖିଲେ କେତେବେଳେ ନିଆଁ ଧାସ ବାଜି ଶିଝିଯାଇଛି ପାଦ। ଯେଉଁ ଯୋତାଟି ଟିକେ ଖରାପ ହେଇଯାଇଥିଲା ସେପଟ ପାଦଟିରେ ବଡ଼ ଛୋଟ ତିନି ଚାରୋଟି ଫୋଟକା। ଆଉ ପାପୁଲି ସାରା କ୍ଷତ।  କିନ୍ତୁ ଏତେ ଲୋକଙ୍କ ଜୀବନ ଓ ଏତେବଡ଼ ବିପତ୍ତିରୁ ଆପାର୍ଟମେଣ୍ଟର ବହୁଭାଗ ରକ୍ଷା କରାଯାଇ ପାରିବାର ସନ୍ତୋଷ ଓ ଆନନ୍ଦ ରମେଶଙ୍କ ନିଜ କଷ୍ଟ ଆଗରେ କିଛି ନଥିଲା ବୋଲି ସେ ଭାବୁଥିଲେ ।


Rate this content
Log in

Similar oriya story from Action